ପୋଷ୍ୟ ସନ୍ତାନ ଗ୍ରହଣର ଏ ପାଖ ସେ ପାଖ

ସୁଶ୍ରୀ ସଂଗୀତା ପୁହାଣ

ବିଗତ କିଛି ବର୍ଷ ହେବ ଭାରତରେ ‘ପରିବାର’ ର ପରିଭାଷାରେ ଅନେକ ପରିବର୍ତ୍ତନ ଆସିଛି। ବିବାହ ଓ ପରିବାର ବିଷୟରେ ଲୋକଙ୍କ ଦୃଷ୍ଟିକୋଣ ବଦଳିଛି। ଏକଦା ବିବାହ ଉପରେ ଭିତ୍ତି କରି ଗଢ଼ି ଉଠିଥିବା ପରିବାର ତା’ର ଗଠନ ସକାଶେ କେତେକ ବିକଳ୍ପ ଲାଭ କଲାଣି। ଟେଷ୍ଟଟ୍ୟୁବ୍‌ ସନ୍ତାନ ଅଥବା ‘ସରୋଗେସି’ ଭଳି ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତି ସନ୍ତାନ ଲାଗି ବିବାହ ବା ସହବାସକୁ ଆବଶ୍ୟକ କରୁନାହିଁ। ସେହିଭଳି ଅନେକ ଅବିବାହିତ ଯୁବକ ଯୁବତୀ ପରିବାର ଗଢ଼ିବା ଲାଗି ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି। ଏହା ମଧ୍ୟ ଦେଖାଯାଉଛି ଯେ ଅନେକ ଦଂପତି ନିଜ ସନ୍ତାନ ଥିବା ସ‌େତ୍ତ୍ବ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି। ମୋଟାମୋଟି ଭାବରେ ପରିବାରର ସଂଜ୍ଞା ଓ ପରିସର ସଂପ୍ରସାରିତ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ସମାଜ ଏମାନଙ୍କୁ ସାବଲୀଳ ଭାବେ ଗ୍ରହଣ କରିବାରେ ସମର୍ଥ ହୋଇନାହିଁ। ସେଥିଲାଗି ଅଧିକାଂଶ ପରିବାର ସେମାନଙ୍କ ପୋଷ୍ୟ ସନ୍ତାନ ଠାରୁ ବାସ୍ତବତାକୁ ଗୋପନୀୟ ରଖନ୍ତି। ପରିବାରର ଅଧିକାଂଶ ସଦସ୍ୟ ମଧ୍ୟ ଏ ବାସ୍ତବତା ବିଷୟରେ ଅଜ୍ଞ ଥାଆନ୍ତି। ଭାରତ ଭଳି ଏକ ରକ୍ଷଣଶୀଳ ସମାଜରେ ଏଭଳି କଥା ଅଧିକ ପରିଦୃଷ୍ଟ ହୋଇଥାଏ।

ଭାରତରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ବିଧିବଦ୍ଧ ଆଇନ ରହିଛି। ଏହାଦ୍ବାରା ପୋଷ୍ୟ ସନ୍ତାନଟି ପରିବାରରେ ଜନ୍ମିତ ସନ୍ତାନଙ୍କ ଭଳି ସବୁ ପ୍ରକାର ଅଧିକାର ପାଇଥାଏ। ଏହା ସତ୍ତ୍ବେ ପୋଷ୍ୟ ସନ୍ତାନ ଲୋକ ଚକ୍ଷୁରେ ସମାନତା ଲାଭ କରିପାରି ନ ଥାଏ। ଯଦି ଜଣେ ଶିଶୁ ପୋଷ୍ୟ ସନ୍ତାନ ବୋଲି ବାହାରେ ଜଣା ଥାଏ, ତେବେ ଅନେକ ସମୟରେ ତାର ତୁଳନା ପରିବାରର ଜନ୍ମିତ ସନ୍ତାନ ସହିତ କରାଯାଇଥାଏ। ଦେଖାଯାଇଛି ଯେ ଏହା ପୋଷ୍ୟ ସନ୍ତାନମାନଙ୍କ ମନରେ ଘୋର ହୀନମନ୍ୟତା ତଥା ବିରସତା ସୃଷ୍ଟି କରିଥାଏ।

କେବଳ ସେତିକି ନୁହେଁ, ଆମ ଦେଶ ଜାତି ଓ ଧର୍ମ ଆଧାରରେ ବିଭାଜିତ। ପୋଷ୍ୟ ଭାବେ ଗ୍ରହଣ କରାଯାଉଥିବା ଶିଶୁଟିର ଜନ୍ମଗତ ପରିଚୟ ନ ଥିବାରୁ ତାକୁ ପୋଷ୍ୟ ଭାବେ ଗ୍ରହଣ କରାଗଲା ବେଳେ ବା କରାଯିବା ପରେ ଅନେକ ପରିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରନ୍ତି ଏବଂ ପରବର୍ତ୍ତୀ କାଳରେ ଏହାକୁ ନେଇ ନାନା ପ୍ରକାର ଆଲୋଚନା ଆଦି ପିଲାଟିର କାନରେ ପଡୁଥିଲେ ତାହା ତାର ବ୍ୟକ୍ତିତ୍ବକୁ ଗଭୀର ଭାବେ ଆକ୍ରାନ୍ତ କରିଥାଏ।

ତଥାପି ଭାରତରେ ଅଧିକରୁ ଅଧିକ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଉଛି। ଏକ ସରକାରୀ ତଥ୍ୟ କହିଥାଏ ଯେ ଭାରତରେ ପ୍ରତି ବର୍ଷ ପାଖାପାଖି ୪୦୦୦ ପିଲା ପୋଷ୍ୟ ସନ୍ତାନ ରୂପେ ନୂଆ ପରିବାର ଲାଭ କରୁଛନ୍ତି। ପ୍ରାୟ ୩୦,୦୦୦ ଦଂପତି ପୋଷ୍ୟ ସନ୍ତାନ ଲାଭ କରିବା ଲାଗି ନିଜକୁ ପଂଜିକୃତ କରିଛନ୍ତି। ବିଗତ କିଛି ବର୍ଷ ହେବ ପୋଷ୍ୟ ସନ୍ତାନ ଗ୍ରହଣ ଆଇନର ପ୍ରାବଧାନ ଓ ନିୟମାବଳୀରେ ମଧ୍ୟ କେତେକ ପରିବର୍ତ୍ତନ ଆସିଛି। କିନ୍ତୁ ଏ ସମସ୍ତ କାର୍ଯ୍ୟକ୍ରମ ମୋଟାମୋଟି ଭାବେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ପ୍ରୋତ୍ସାହନ‌େର ସୀମିତ। ଏହା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ପୋଷ୍ୟ ସନ୍ତାନମାନଙ୍କ ପ୍ରତି ସମାଜରେ ଥିବା ଧାରଣାରେ ପରିବର୍ତ୍ତନ। ସେଥି ଲାଗି ସଚେତନତା ପ୍ରସାରର ଆବଶ୍ୟକତା ରହିଛି। ଏ ବାବଦରେ ସରକାରୀ ପ୍ରଚାର ପ୍ରସାର ଅଧିକ ହେବା ଉଚିତ।

ଏବେ ପରିବାର ବୋଇଲେ ବିବାହରୁ ସୃଷ୍ଟ ସନ୍ତାନମାନଙ୍କ ଦ୍ବାରା ଗଠିତ ଏକ ସଂପର୍କ ଆଧାରୀ ସାମାଜିକ ଏକକକୁ ବୁଝାଉ ନାହିଁ। ପାଶ୍ଚାତ୍ୟରେ ତ କେବଳ ପୋଷ୍ୟ ସନ୍ତାନଙ୍କୁ ନେଇ ପରିବାର ଗଠନ କରାଯାଉଛି। ପ୍ରସିଦ୍ଧ ହଲିଉଡ୍‌ ଅଭିନେତ୍ରୀ ଆନ୍‌ଜେଲିନା ଜୋଲି ଓ ଅଭିନେତା ବ୍ରାଡ ପିଟ୍‌ଙ୍କ ଛଅଟି ସନ୍ତାନ ଭିତରୁ ତିନି ଜଣ ସେମାନଙ୍କ ଜନ୍ମିତ ଓ ବାକି ତିନି ଜଣ ପୋଷ୍ୟ ସନ୍ତାନ। ପୁଣି ସେମାନେ ପୃଥିବୀର ବିଭିନ୍ନ ରାଷ୍ଟ୍ରରୁ ଏବଂ ବିଭିନ୍ନ ବର୍ଣ୍ଣରୁ ଶିଶୁମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ସେମିତି ପ୍ରଥମ ଭାରତୀୟ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ସିନେମା ଅଭିନେତ୍ରୀ ସୁସ୍ମିତା ସେନ ମଧ୍ୟ ବିବାହ ନ କରି ଗୋଟିଏ ପୋଷ୍ୟ କନ୍ୟା ସହିତ ପରିବାରଟିଏ ଗଢ଼ିଛନ୍ତି। ଯଦି ଆମ ସାଧାରଣ ଜୀବନରେ ସମାଜ ଏହି ପରିବର୍ତ୍ତନକୁ ଖୋଲା ହୃଦୟରେ ସ୍ବାଗତ କରେ ତେବେ କହିବା ବାହୁଲ୍ୟ ଯେ ଅଧିକରୁ ଅଧିକ ପିତାମାତାହୀନ ଶିଶୁ ନୂଆ ପରିବାର ଲାଭ କରିବେ ଏବଂ ଆନନ୍ଦ‌େର କାଳାତିପାତ କରିବେ।

ୟୁନିଭର୍ସିଟି ଅଫ୍ ସସେକ୍‌ସ, ୟୁନାଇଟେଡ୍ କିଙ୍ଗ୍‌ଡମ୍
[email protected]

ସମ୍ବନ୍ଧିତ ଖବର