ଧୀ ଓ ଧ୍ୟେୟ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ରାଷ୍ଟ୍ରୀୟ ଶିକ୍ଷାନୀତିରେ ଜ୍ଞାନର ବସ୍ତୁସ୍ଥିତିକୁ ନେଇ କୌଣସି ଆକଳନ ନାହିଁ। ୟାର ଅଭାବ ଶିକ୍ଷାନୀତିକୁ ଜ୍ଞାନକ୍ଷେତ୍ରରୁ ଅପସାରିତ କରି ଚଳନ୍ତି ବ୍ୟବସ୍ଥାର ଗଣ୍ତି ଭିତରେ ବନ୍ଦୀ କରି ଦେଇପାରେ। ତାତ୍ପର୍ଯ୍ୟ ଏହି ଯେ ଭାରତୀୟ ଛାତ୍ରମାନଙ୍କର ଜ୍ଞାନର ସ୍ତର ଯାହା ଅଛି ତାହା ‘ଏଠୁ ନେଇ ସେଠି ଥୁଅ’ ହେବ, ନା ବଦଳୁଥିବା ପୃଥିବୀରେ, ଏକ ବିଶାଳ ସଭ୍ୟତା ସମ୍ପନ୍ନ ଭାରତ ଜ୍ଞାନକ୍ଷେତ୍ରରେ ତା’ର ନିଜ ସ୍ଥାନ ନିଜେ ନିରୂପଣ କରିବ ଜ୍ଞାନର ପୁନରାବିଷ୍କାର, ପୁନର୍ନିୟୋଜନ ଓ ନୂଆ ମାନକୀକରଣ ମାଧୢମରେ? କହିବାରେ ଦ୍ବିଧା ନାହିଁ ଯେ ରୋଜଗାର, ଶିକ୍ଷାର ଏକମାତ୍ର ଓ ସର୍ବୋଚ୍ଚ ଲକ୍ଷ୍ୟ ନୁହେଁ। ଶିକ୍ଷାର ସ୍ତର ସହିତ ରୋଜଗାର ମଧୢ ମିଳିବ। କିନ୍ତୁ ଶିକ୍ଷାର ରୋଜଗାରୀକରଣ, ଶିକ୍ଷାରେ ମୌଳିକ ଦର୍ଶନ ନୁହେଁ, ଚଳନ୍ତି ଆବଶ୍ୟକତା। ରୋଜଗାର ପାଇଁ ଶିକ୍ଷାର ତଳ ସ୍ତରରେ ବିବିଧ ଧନ୍ଦା ଓ କୌଶଳ ପ୍ରବେଶ କରାଇ ଶ୍ରମିକ ଓ ରୋଜଗାରୀ ‘ଧଳା କଲାର‌୍‌’ ସୃଷ୍ଟି କରାଯାଇପାରେ। କିନ୍ତୁ ଉଚ୍ଚଶିକ୍ଷା ସବୁବେଳେ ଜ୍ଞାନଭିତ୍ତିକ ଥିଲା ଓ ରହିବ। ଉଚ୍ଚଶିକ୍ଷାର ରୋଜଗାରୀକରଣ ଚିନ୍ତା କରାଯାଏ ନାହିଁ, କାରଣ ଶିକ୍ଷା ଯେତେ ଉପରକୁ ଯିବ, ଯେତେ ସୂକ୍ଷ୍ମ ହେବ ଓ ଯେତେ ଚିନ୍ତନପ୍ରଧାନ ହେବ, ସେଥିରୁ ରୋଜଗାରର ଅବସର ସେତେ କମ୍‌ ବାହାରିବ। ସେଠି ସୁଯୋଗ ମିଳିବ, ବିଚକ୍ଷଣତା ଓ କ୍ଷେତ୍ର-ନେତୃତ୍ବର କୋଟୀ ଅନୁସାରେ। ଶିକ୍ଷାର ପରମ ଓ ଚରମ ମର୍ଯ୍ୟାଦା, ଶିକ୍ଷାକୁ ଜ୍ଞାନ ଉତ୍ପାଦନ ଓ ବିତରଣର ଉତ୍ସ କରିବାରେ। ରାଷ୍ଟ୍ରୀୟ ଶିକ୍ଷାନୀତିରେ ଶିକ୍ଷା ଭାରତୀୟ ଜ୍ଞାନ ପରମ୍ପରା ଓ ଚିନ୍ତନ-ପ୍ରଧାନ ବିଶ୍ବ-ବୌଦ୍ଧିକତାର ଅର୍ଜନ, ବିନ୍ୟାସ ଓ ବିଚ୍ଛୁରଣ ଉପରେ ଗୁରୁତ୍ବ ନ ରହିବା ଖେଦଜନକ। ଭାରତର ପ୍ରଧାନମନ୍ତ୍ରୀ ଯେତେବେଳେ ‘ଡିଜିଟାଇଜେସନ୍‌’ ବା ଲୋକ‌େସବାରେ କମ୍ପ୍ୟୁଟର‌୍‌-କରଣର ବ୍ୟାପକ ପ୍ରୟୋଗ କଥା କହନ୍ତି, ସେତେବେଳେ ସେ ରୋଜଗାର କ୍ଷମତା, ସାଧାରଣ ଜୀବନରେ ଚଳଣିର ସହଜତା ଓ ତୃଣମୂଳ ସ୍ତରରେ ସୁବିଧା ଭୋଗର କଥା କହନ୍ତି। କିନ୍ତୁ ଯେତେବେଳେ ସେ ‘ଅନୁସନ୍ଧାନ’ ବା ଜ୍ଞାନର ଦିଗନ୍ତ ପ୍ରସାରଣର କଥା କହନ୍ତି ସେତେବେଳେ ଅସଲ ମର୍ମ ‘ଡିଜିଟାଇଜେସନ୍‌’ ବା କମ୍ପ୍ୟୁଟର‌୍‌-କରଣରେ ନାହିଁ, ଅସଲ ମର୍ମ ଅଛି ଜ୍ଞାନର ଦର୍ଶନରେ। ଏକଥା ଶିକ୍ଷାବିତ୍‌ମାନେ ବୁଝିଲେ ନାହିଁ କାହିଁକି?

ଜ୍ଞାନଦର୍ଶନର ଦର୍ପଣ ହେଉଛି ପାଠ୍ୟକ୍ରମ (କରିକୁଲମ୍‌)। ପାଠ୍ୟକ୍ରମରେ କି କି ପାଠ୍ୟବସ୍ତୁ ରହିବ ଓ ସେ ପାଠ୍ୟବସ୍ତୁ ଛାତ୍ରଙ୍କୁ ସ˚ପ୍ରେଷିତ କରିବା ପାଇଁ କି ପ୍ରକାରର ବିଶେଷ ଦକ୍ଷତା ଶିକ୍ଷକଙ୍କ ପାଖରେ ଥିବା ଦରକାର, ତା’ର ବିଚାର କିଭଳି ହେଉଚି ଓ କିଭଳି ହେବା କଥା କିଏ ଆଉ କହିବ? ଏକଥା କ’ଣ ଶିକ୍ଷାନୀତିରେ ରହିବ ନାହିଁ? ଜ୍ଞାନର ସ୍ତର ନିର୍ଦ୍ଦେଶିକା ଓ ଶିକ୍ଷକଙ୍କ ସ୍ତର ନିର୍ମାଣ କ’ଣ ଶିକ୍ଷାନୀତିରେ ରହିବ ନାହିଁ? ନିଶ୍ଚୟ ରହିବା ଉଚିତ ଓ ଦିନେ କେବେ ଏହା ରହିବ। ଶିକ୍ଷାନୀତିର ଥିଓରି ଉପରେ ପ୍ୟାରିସ୍‌ର ଇକୋଲ୍‌ ନର୍ମାଲ (ଶିକ୍ଷାର ବୌଦ୍ଧିକ ପୀଠ)ରେ ଗବେଷଣାରତ ମୋର ଜଣେ ଫରାସୀ ବନ୍ଧୁଙ୍କ ସହିତ ଆଲୋଚନା ହୋଇଥିଲା। ସେ କହିଲେ ଯେ ବିଭିନ୍ନ ସ୍ତରର ଶିକ୍ଷାଦାନ ପଦ୍ଧତି ଓ ପାଠ୍ୟକ୍ରମ ଉପରେ ସେମାନେ ନିୟମିତ ବିଚାର କରନ୍ତି। ଓଡ଼ିଶାରେ ଗୋଟିଏ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଗଠିତ ଏକ ନ୍ୟାସ (ଇନ୍‌ଫିନିଟି ଏଜୁକେସନ୍‌ ଫାଉଣ୍ତେସନ୍‌)ର ଅଧୢକ୍ଷ ଥିଲା ବେଳେ ‘ୟୁନିଭର୍ସିଟି ଅଫ୍‌ କର୍ପୋରେଟ୍‌ ଏକ୍ସଲେନ୍‌ସ’ର ପାଠ୍ୟକ୍ରମ ନିର୍ମାଣ ସହିତ ମୁଁ ସମ୍ପୃକ୍ତ ହୋଇଥିଲି। ପାଠ୍ୟକ୍ରମର ଖସଡ଼ା ପାଇଁ ଗୋଟିଏ ସରଳ ଉପାୟ ଅବଲମ୍ବନ କରାଯାଇଥିଲା। ତାହା ଥିଲା ଟେକ୍‌ନୋଲୋଜି, ଲ’ ଓ ମାନେଜମେଣ୍ଟ କୋର୍ସରେ ବି.ଟେକ୍‌ ଓ ଏମ୍‌.ଟେକ୍‌ ସ୍ତରର ପାଠ୍ୟକ୍ରମ ପାଇଁ ବିଶ୍ବର ଅନ୍ତତଃ ଦଶଟି ଶ୍ରେଷ୍ଠ ଅନୁଷ୍ଠାନ ଓ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମକୁ ତୁଳନା କରି ଏକାଠି କରିବା ଓ ବିଶ୍ବର ବିଶେଷ ଜ୍ଞାନ କ୍ଷେତ୍ରରେ ତା’ର ତର୍ଜମା କରାଇବା। ଏଥିପାଇଁ ‘ଭାରତରେ ଜ୍ଞାନର ଭବିଷ୍ୟତ’ ଓ ‘ବିଶ୍ବ ବୌଦ୍ଧିକତାର ନିର୍ମାଣରେ ଭାରତର ଭୂମିକା’ ଶୀର୍ଷକ ଦୁଇଟି ଆନ୍ତର୍ଜାତିକ ବିଚାରଗୋଷ୍ଠୀ ପାଇଁ ଖସଡ଼ା ମଧୢ ପ୍ରସ୍ତୁତ କରିଥିଲି। ଏଥିରେ ଗୋଟିଏ ମୁଖ୍ୟ ବିଷୟ ଥିଲା ‘କଳା ଓ ବିଜ୍ଞାନର ପାଠ୍ୟକ୍ରମ’। ଶେଷରେ ଏମିତି ହେଲା ଯେ ଏକ ବିରାଟ ପରିଯୋଜନା ବିଫଳ ହୋଇଗଲା। ମୋର ଚାରିବର୍ଷର ଶ୍ରମ ବ୍ୟର୍ଥ ହେଲା। ଏ କଥା ଉଠାଉଚି ଏଇଥିପାଇଁ ଯେ ଶିକ୍ଷା କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ଗୋଟେ ଖୁବ୍‌ ବଡ଼ ଇମାରତ୍‌, ଭବ୍ୟ ସ୍ଥାପତ୍ୟ ଠିଆ କରାଇପାରେ, କିନ୍ତୁ ଶିକ୍ଷାନୀତିର ଜ୍ଞାନଭିତ୍ତିକ ଚର୍ଚ୍ଚା ଓ ବିକାଶ ରାଷ୍ଟ୍ର ପାଇଁ ରାଷ୍ଟ୍ରୀୟ ସରକାର ହିଁ କରିବେ। ତେଣୁ ନୂଆ ଶିକ୍ଷାନୀତିରେ ଜ୍ଞାନଦର୍ଶନର ଦର୍ପଣ ସଦୃଶ ପାଠ୍ୟକ୍ରମ ବିଷୟରେ ଆଧାରଭୂତ କଳ୍ପନା ନରହିବା ମୋ ଭଳି ଜଣେ ଜିଜ୍ଞାସୁ ନାଗରିକ ପାଇଁ ଚିନ୍ତାର ବିଷୟ। ସବୁ ବଡ଼ କଳ୍ପନା ଉଦ୍ୟୋଗୀମାନଙ୍କ ବ୍ୟବସାୟିକ ହାନିଲାଭର ନିକିତିରେ ତଉଲା ହୁଏ, କିନ୍ତୁ ରାଷ୍ଟ୍ରୀୟ ସରକାରଙ୍କର ସବୁ ବଡ଼ କଳ୍ପନାରେ ଲୋକହିତ ସହିତ ଭବିଷ୍ୟତ ଦୃଷ୍ଟି ଥାଏ, ଏଥିରେ ହାନିଲାଭର କଳ୍ପନା ନ ଥାଏ। ଆମର ନୂଆ ଶିକ୍ଷାନୀତିରେ ବଡ଼ କଳ୍ପନା ନାହିଁ କାହିଁକି? ଶିକ୍ଷାବିତ୍‌ମାନେ ବର୍ତ୍ତମାନର ସରକାରଙ୍କ ଦୃଷ୍ଟିକୋଣକୁ ପୂର୍ଣ୍ଣ ରୂପେ ନ ବୁଝି, କେବଳ ‘ଡିଜିଟାଇଜେସନ୍‌’ ଉପରେ ଓ ଲାଭକାରୀ, ଅର୍ଥକରୀ ଓ ରୋଜଗାରୀ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବା ବିସ୍ମୟକର। ଭାରତୀୟତାକୁ ଯଦି ଏକ ଜ୍ଞାନକ୍ଷେତ୍ରରେ ପରିଣତ କରିବାକୁ ହେବ, ତେବେ ଉଭୟ ବିଜ୍ଞାନ ଓ କଳା ସହିତ ଅନ୍ୟ ପାଠମାନଙ୍କୁ ପାଠ୍ୟକ୍ରମରେ ପରିଣତ କରିବାର ଗୁରୁ ଦାୟିତ୍ବ କିଏ ନେବ? କିଏ କହିବ ଯେ ପାଠ କମ୍‌ କରି ବଡ଼ ଯୋଗ୍ୟତା ହାସଲ କରିବା ଏକ ଆତ୍ମଘାତୀ ନିଷ୍ପତ୍ତି?

ବର୍ତ୍ତମାନ ଭାରତରେ କେଉଁ ମେଧାବୀ ଓ ବିଚକ୍ଷଣ ଛାତ୍ରମାନେ ସ୍ବେଚ୍ଛାରେ ଶିକ୍ଷକ ବୃତ୍ତି କରିବାକୁ ଚାହାନ୍ତି? ଜଣେ ଘରୋଇ କଲେଜର ଅଧୢାପକ ପୁଲିସ କନେଷ୍ଟବଳ ହେବାକୁ ପସନ୍ଦ କଲେ କାହିଁକି? ଶ୍ରେଷ୍ଠ ଛାତ୍ରମାନେ ଶିକ୍ଷାକ୍ଷେତ୍ର ଛଡ଼ା ଅନ୍ୟ କ୍ଷେତ୍ରରେ ଚାକିରି କରିବାକୁ କାହିଁକି ଇଚ୍ଛୁକ? ୟାର ଏକମାତ୍ର କାରଣ ଶିକ୍ଷକ ଚାକିରିକୁ ଏକ ଆକର୍ଷକ ଚାକିରିରେ ପରିଣତ କରି ନ ପାରିବାର ଦୁଃସ୍ଥିତି। ପ୍ରାଇମେରି, ସେକେଣ୍ତାରି, ମହାବିିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ସବୁ ଶିକ୍ଷକଙ୍କୁ ଯଦି ତାଙ୍କର ଉତ୍କୃଷ୍ଟ ଶୈକ୍ଷଣିକ ଯୋଗ୍ୟତା ଆଧାରରେ ସର୍ବୋଚ୍ଚ ବେତନ ଦେଇ ନିଯୁକ୍ତ କରାଯା’ନ୍ତା, ତେବେ ଶିକ୍ଷାକ୍ଷେତ୍ରକୁ ବହୁ ବିଚକ୍ଷଣ ଶିକ୍ଷକ ବି ମିଳନ୍ତେ। ‘ଇଣ୍ତିଆନ୍‌ ଏଜୁକେସନ୍‌ ସର୍ଭିସ୍‌’ ଓ ‘ଓଡ଼ିଶା ଏଜୁକେସନ୍‌ ସର୍ଭିସ୍‌’ରେ ଶିକ୍ଷକ ଚୟନ ଆକାଡେମିକ୍‌ ଏକ୍ସଲେନ୍‌ସ ଆଧାରରେ, ସିଭିଲ୍‌ ସର୍ଭିସ୍‌ ଠାରୁ ଅଧିକ ବେତନରେ, ସବୁଠୁ ଆକର୍ଷଣୀୟ ଚାକିରି କାହିଁକି ନ ହୋଇପାରିବ? ମୋର ଫରାସୀ ବନ୍ଧୁ କହିଲେ ‘ଇକୋଲ ନର୍ମାଲ୍‌’ର ଛାତ୍ର ଓ ଶିକ୍ଷକମାନେ ନିଜକୁ ଫ୍ରାନ୍‌ସର ତଥା ୟୁରୋପୀୟ ଜ୍ଞାନକ୍ଷେତ୍ରର ରକ୍ଷକ ମନେ କରନ୍ତି ଓ କୌଣସି ସରକାରୀ କର୍ମଚାରୀକୁ ଚିହ୍ନିବାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ। ଆମର ଶିକ୍ଷାକ୍ଷେତ୍ର ବି ସେହିଭଳି ବିକଶିତ ହୋଇପାରିବ, ଯଦି ଶ୍ରେଷ୍ଠ ଛାତ୍ରମାନେ ଅଧୢାପନା ପ୍ରତି ଆକୃଷ୍ଟ ହେବାର ନୀତିଗତ ବ୍ୟବସ୍ଥା କରାଯିବ। ଏଇଠି ଆମକୁ ଚିନ୍ତା କରିବାକୁ ପଡ଼ିବ, ଶିକ୍ଷା ଏକ ବୃତ୍ତି ନା ଏକ ଧେୢୟ (ମିସନ୍‌)? ମୋର ଧାରଣା ଯେ ଭାରତୀୟ ଔପନିବେଶିକ ଶାସନ ବ୍ୟବସ୍ଥାରେ ଆମେ ଖୁବ୍‌ ଦେଖିଲେଣି ‘କମିସନ୍‌’ ଏବେ ଦରକାର ‘ମିସନ୍‌’। ରାଷ୍ଟ୍ରୀୟ ସରକାର ‘ରାଷ୍ଟ୍ରୀୟ ଶିକ୍ଷା ମିସନ୍‌’ ଗଠିତ କରିପାରିବେ। ଶ୍ରେଷ୍ଠ ଛାତ୍ରମାନେ, ଯେଉଁମାନେ ପାଠ ପଢ଼େଇବାକୁ ଚାହାନ୍ତି ତାଙ୍କୁ ‘ମିସନ୍‌’ରେ ଦୀକ୍ଷିତ କରାଇ ସର୍ବଧର୍ମ ସମନ୍ବୟୀ, ନିରପେକ୍ଷ, ବହୁଳତାବାଦୀ ଜ୍ଞାନନିର୍ମାଣକାରୀ ଶିକ୍ଷାର ବିକାଶ କରାଇ ପାରିବେ। ସେମାନେ ସର୍ବୋଚ୍ଚ ସ୍ତରର ବେତନ ପାଇବେ ଓ ସର୍ବୋଚ୍ଚ ସ୍ତରର ଶିକ୍ଷା ପ୍ରଦାନ କରିବେ ତଥା ମିସନ୍‌ରେ ଅନ୍ତର୍ଭୁକ୍ତ ନ ହୋଇଥିବା ଶିକ୍ଷକଙ୍କ ପାଇଁ ପ୍ରେରଣାର ସ୍ରୋତ ହେବେ। ‘ରାଷ୍ଟ୍ରୀୟ ଶିକ୍ଷା ମିସନ୍‌’ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଗଠିତ ହେବ। ୟାର ଲକ୍ଷ୍ୟ ହେବ, ଦଶ ବର୍ଷ ମଧୢରେ ଭାରତରେ ଶିକ୍ଷାର ମାନବୃଦ୍ଧି। ଏଥିରେ ପ୍ରାଇମେରି ସ୍କୁଲ ସ୍ତରରୁ ବିଶ୍ବବିଦ୍ୟାଳୟ ଯାଏଁ ସବୁ କ୍ଷେତ୍ରରେ ଶିକ୍ଷକ ରହିବେ। ‘ମିସନ୍‌’ ଏକ ସ୍ଥାୟୀ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବ। ଏଥିରେ କେନ୍ଦ୍ରୀୟ ରୂପକ ରହିବେ ଦୁଇ ମାନବୀୟ ଉତ୍କର୍ଷ: ତ୍ୟାଗ ଓ ଅଧୢବସାୟ!

‘ମିସନ୍‌ ମୋଡ୍‌’ରେ ଶିକ୍ଷକ ଓ ତାକୁ ସମର୍ଥନ ଦେଇ କମିସନ୍‌ ମୋଡ୍‌ରେ କରିକୁଲମ୍‌ ବା ପାଠ୍ୟକ୍ରମ! ପାଠ୍ୟକ୍ରମକୁ ଅଚଳାୟତନ ଭିତରୁ ବାହାର କରିବାକୁ ହେବ। ଯେଉଁମାନେ ଯେଉଁ ପାଠ ତିରିଶ ଚାଳିଶ ବର୍ଷ ଧରି ପଢ଼େଇ ଆସୁଚନ୍ତି ସେମାନେ ପାଠ୍ୟକ୍ରମ ପ୍ରସ୍ତୁତ କରିପାରିବେ ନାହିଁ। ୟୁରୋପରେ ଓ ଆମେରିକାରେ ପାଠ୍ୟକ୍ରମ ଗୋଟିଏ ବିବୁଧମଣ୍ତଳୀ ସ୍ଥିର କରନ୍ତି। ସେଠାରେ ସେମାନେ ବହୁ ଜ୍ଞାନକେନ୍ଦ୍ର ବିକଶିତ କରିଚନ୍ତି ବିଶ୍ବର ଜ୍ଞାନକ୍ଷେତ୍ରକୁ କବଳିତ କରିବା ପାଇଁ। ପାଠ୍ୟବସ୍ତୁ ମନୋନୟନ କାର୍ଯ୍ୟକ୍ରମ ଭିତରେ ତାଙ୍କର ଆଲୋଚନା, ବିମର୍ଶ, ଦାର୍ଶନିକ ବାକ୍ୟ-ବିନିମୟ ଓ ବିସ୍ତୃତ ବିଚାର ମଧୢ ହୁଏ। ଆମର ପାଠ୍ୟକ୍ରମ ଦେଖିବେ। ମୁଁ ଆମର ପାଠ୍ୟକ୍ରମକୁ ବିଶ୍ବର ଶ୍ରେଷ୍ଠ ଅନୁଷ୍ଠାନମାନଙ୍କ ପାଠ୍ୟକ୍ରମ ସହିତ ମିଳେଇ ଦେଖିଚି। ଦଶ ବର୍ଷର ପାଠ୍ୟକ୍ରମ ଦେଖିବେ ତ ଜାଣିବେ ତାଙ୍କ ପାଠ୍ୟକ୍ରମ କିଭଳି ବଦଳୁଚି ଓ ଆମର ପାଠ୍ୟକ୍ରମ କିଭଳି ପ୍ରାୟ ସ୍ଥିର। କହିବାରେ ଦ୍ବିଧା ନାହିଁ ଯେ ଜବାହାରଲାଲ ଜାତୀୟ ବିଶ୍ବବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ଏବେ ମଧୢ କରିକୁଲମ୍‌ ଦିଗରୁ ଭାରତରେ ଅଗ୍ରଗାମୀ। କେତେକ କ୍ଷେତ୍ରରେ କ୍ଷୁଦ୍ର ବିଶ୍ବବିଦ୍ୟାଳୟମାନେ ମଧୢ କେତେକ ବିଷୟରେ ଅଗ୍ରଗାମୀ ପାଠ୍ୟକ୍ରମ ପ୍ରସ୍ତୁତ କରିଚନ୍ତି। ଏହା ସମ୍ଭବ ହେଲା ପ୍ରତି କ୍ଷେତ୍ରରେ ମୁଷ୍ଟିମେୟ ଜ୍ଞାନୀଗୁଣୀ ଦୂରଦର୍ଶୀ ଅଧୢାପକଙ୍କ ଯୋଗୁ। ଏହା ସାରା ଦେଶରେ ସମ୍ଭବ କରାଇବାକୁ ହେଲେ, ‘କରିକୁଲମ୍‌’କୁ ଏକ ସତତ ବିବର୍ତ୍ତନଶୀଳ, ଜ୍ଞାନ-ଆଧାରିତ କର୍ମ ଭାବରେ ଗ୍ରହଣ କରିବାକୁ ହେବ। ପ୍ରାଇମେରି ସ୍କୁଲ ଓ ସେକେଣ୍ତାରି ସ୍କୁଲ ତଥା କଲେଜମାନଙ୍କରେ ମଧୢ ସେଇଆ କରାଯିବା ଉଚିତ। ଏଥିପାଇଁ ଦରକାର ଗୋଟିଏ ‘ସ୍ଥାୟୀ କରିକୁଲମ୍‌ କମିସନ୍‌’। ରାଷ୍ଟ୍ରୀୟ ସ୍ତରରେ ଯେଉଁ କମିସନ୍‌ ସ୍ଥାପିତ ହେବ, ତାର ସହଯୋଗୀ ରହିବେ ରାଜ୍ୟସ୍ତରରେ। ରାଜ୍ୟରେ ‘ଷ୍ଟେଟ୍‌ କରିକୁଲମ୍‌ କମିସନ୍‌’ ଓ ରାଷ୍ଟ୍ରରେ ‘ନ୍ୟାସନାଲ କରିିକୁଲମ୍‌ କମିସନ୍‌’। ଏଥିରେ କେହି ନିଯୁକ୍ତ ହେବେ ନାହିଁ। ବିଭିନ୍ନ ଶିକ୍ଷାନୁଷ୍ଠାନର ସର୍ବମାନ୍ୟ ବିଶେଷଜ୍ଞ ଶିକ୍ଷକଙ୍କୁ ନେଇ ଗଠିତ ହେବ ସ୍ଥାୟୀ କମିସନ୍‌, ଏଥିପାଇଁ ଆମନ୍ତ୍ରିତ ହେବେ ନିର୍ଦ୍ଦିଷ୍ଟ ସ˚ଖ୍ୟକ ବିଶେଷଜ୍ଞ ବିଭିନ୍ନ କ୍ଷେତ୍ରରୁ, ବିଦେଶୀଙ୍କୁ ନିମନ୍ତ୍ରିତ କରାଯାଇପାରେ! ଏ କମିସନ୍‌ର ଗୋଟିଏ ମୁଖ୍ୟାଳୟ ରହିବ ଦିଲ୍ଲୀରେ, ୟାକୁ ଶିକ୍ଷା ମନ୍ତ୍ରାଳୟରେ ନ ରଖି ଏକ ସ୍ବାଧୀନ ଜ୍ଞାନାନୁଷ୍ଠାନର ମର୍ଯ୍ୟାଦା ଦିଆଯିବ।

ନୂଆ ଶିକ୍ଷାନୀତିରେ ଯାହା ନାହିଁ, ତାହା ଯେ ହୋଇପାରିବ ନାହିଁ ଏମିତି ନୁହେଁ। ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଚାହିଁଲେ ଏ କାର୍ଯ୍ୟର ଅୟମାରମ୍ଭ କେବଳ ‘ମିସନ୍‌’ ଓ ‘କମିସନ’ର ସ୍ଥାପନା ସହିତ ହୋଇପାରିବ। କିନ୍ତୁ ସ୍ମରଣରେ ରଖିବାକୁ ହେବ ଯେ ଏଥିରେ ଯେପରି ଦୁର୍ନୀତି ପ୍ରବେଶ ନ କରେ। ଶିକ୍ଷାରେ ଦୁର୍ନୀତିର ପ୍ରବେଶ ଭାରତର ଭବିଷ୍ୟତକୁ ନଷ୍ଟ କରିଦେବ। ଉପର ଠାଉରିଆ ଭାବେ କୌଣସି ପରିବର୍ତ୍ତନ ମଧୢ ଶିକ୍ଷାକ୍ଷେତ୍ରରେ ବର୍ଜନୀୟ। ଏବେ ଦେଖନ୍ତୁ କରୋନା ମହାମାରୀ ଦ୍ବାରା ଆକ୍ରାନ୍ତ ଆମର ଶିକ୍ଷା ବ୍ୟବସ୍ଥାର ଗତି। ଚର୍ଚ୍ଚା ହେଉଚି ପାଠ୍ୟକ୍ରମକୁ ଲାଘବ କରି ପିଲାଙ୍କୁ କେମିତି ପାସ୍‌ କରାଇବା। ବିଶ୍ବର କୌଣସି ଶିକ୍ଷିତ ଦେଶରେ ଏଭଳି ଚିନ୍ତା କରାଯାଉନାହିଁ। ମହାମାରୀରେ ଶିକ୍ଷା ବ୍ୟବସ୍ଥା ଉପରେ ୟୁୁନେସ୍କୋ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଚନ୍ତି ସେଥିରେ ଦୂର ପ୍ରଶିକ୍ଷଣ (ଡିଷ୍ଟାନ୍‌ସ ଏଜୁକେସନ) ଓ ଘରେ ଘରେ ଡିଜିଟାଲ ମାଧୢମର ପ୍ରବେଶ ଉପରେ କିଛି ପରାମର୍ଶ ଅଛି, କିନ୍ତୁ କୌଣସି ଠାରେ ପାଠ କମ୍‌ କରି ପାସ୍‌ କରାଇବାର ଚିନ୍ତା ନାହିଁ। ପାଠ ଯାହା ଅଛି ତାହାହିଁ ରହୁ, ଦେଖାଯାଉ କୋଉ ଛାତ୍ର ନିଜ ଉଦ୍ୟମରେ କେତେ ବାଟ ଯାଇପାରୁଚି! ଛାତ୍ରଙ୍କ କଷ୍ଟ ବଢ଼ୁ। ଛାତ୍ର ଜୀବନ ବା ତାରୁଣ୍ୟ ହାଲୁକା କାମର ସମୟ ନୁହେଁ। ଯିଏ ଚାହିଁବେ ସିଏ ବ୍ୟାକ୍‌ ପେପର‌୍‌ ରଖିବେ, ଆସନ୍ତା ବର୍ଷ, ସେହି ବିଷୟରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଯେପର୍ଯ୍ୟନ୍ତ ବ୍ୟାକ୍‌ ପେପର‌୍‌ କ୍ଲିଅର‌୍‌ ନ ହୋଇଚି, ସେ ପର୍ଯ୍ୟନ୍ତ ସେ ଅନ୍ତିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଘୋଷିତ ହେବେ ନାହିଁ। ମହାମାରୀ ଯୋଗୁଁ ଯଦି ଛାତ୍ରଙ୍କୁ ଅଧିକ ଅଧୢବସାୟ କରିବାକୁ ପଡ଼େ କରନ୍ତୁ। ଶିକ୍ଷକଙ୍କୁ ଯଦି ଅଧିକ ପରିଶ୍ରମ ପଡ଼ିବ ପରବର୍ତ୍ତୀ କାଳରେ ପଡୁ। ଯାହାବି ହେଉ ପାଠ୍ୟକ୍ରମକୁ କାଟି ଛୋଟ କରି କୌଣସି ମତେ ପାସ୍‌ କରାଇବାର ଏ ଦୁର୍ବୁଦ୍ଧିକୁ ପ୍ରୋତ୍ସାହନ ନ ମିଳୁ। ଆମ ପିଲାଙ୍କ ପାଠ ବିଶ୍ବସ୍ତରୀୟ ପାଠ୍ୟକ୍ରମ ତୁଳନାରେ ଯଥେଷ୍ଟ କମ୍‌। ଆମର ସ୍ନାତକୋତ୍ତର ଡିଗ୍ରି ସତ୍ତ୍ବେ ଆମ ପିଲାଙ୍କୁ ୟୁରୋ ଆମେରିକାନ୍‌ ବିଶ୍ବବିଦ୍ୟାଳୟରେ ପୁଣି ଥରେ ସ୍ନାତକ ହେବାକୁ ପଡ଼େ। ସ୍କୁଲ ଶିକ୍ଷା ତ ଆହୁରି ଅସନ୍ତୁଳିତ।

ଅନ୍ୟ ଭାଷାମାନଙ୍କରେ, ସମଗ୍ର ବିଶ୍ବର ଶିକ୍ଷାଚିନ୍ତନରେ, ଶିକ୍ଷାର ଉଦ୍ଦେଶ୍ୟକୁ ଅଭିବ୍ୟକ୍ତି ଦେବାପାଇଁ ଉପଯୁକ୍ତ ଶବ୍ଦଟିଏ ନ ଥାଇପାରେ, କିନ୍ତୁ ଆମର ତ ଅଛି! ଶିକ୍ଷାର ଲକ୍ଷ୍ୟ ସେଇ। ଶବ୍ଦଟି ହେଉଛି ‘ଧୀ’, ଅର୍ଥାତ୍‌ ଅବବୋଧ, ପ୍ରତିଫଳନ, ଚିନ୍ତା, ମନ, ନିର୍ମାଣ, ବୁଦ୍ଧି, ମତ, ମାନସ, ଧୢାନ, ଧାରଣା, କଳ୍ପନା, ମେଧା! ବାକ୍‌ ସହିତ ୟାର ସିଧା ସମ୍ପର୍କ! କଥା ଶୁଣିଦେଇ ଆମେ କହୁ ଲୋକଟି ଶିକ୍ଷିତ। ଧୀ ହେଉଛି ଚିନ୍ତା-ମାନସ, ୟାର ଅଭିବ୍ୟକ୍ତି ବାକ୍‌! ସିଧା ଅର୍ଥରେ ଧାରଣ କରିବା ଓ ଉପସ୍ଥାପିତ କରିବା ‘ଧୀ’ର କର୍ମ! ଧେୢୟର ଅର୍ଥ ହେଉଚି ଉଦ୍ଦେଶ୍ୟ, ଲକ୍ଷ୍ୟ, ଗନ୍ତବ୍ୟ, ବସ୍ତୁନିଷ୍ଠତା, ଆଦର୍ଶ! ଧୀ ଓ ଧେୢୟ ଶିକ୍ଷାର ମୌଳିକ ଦର୍ଶନ। ଆମକୁ ବିଦେଶରୁ ଶିକ୍ଷାର ଦର୍ଶନ ବୁଝିବାକୁ ପଡ଼ିବ ନାହିଁ ବର˚ ଆମର ଏ ଦୁଇ ଶବ୍ଦ ତାଙ୍କୁ ଶିକ୍ଷାର ଦର୍ଶନ ବୁଝିବାରେ ସହାୟକ ହୁଅନ୍ତୁ। ସେମାନେ ଶିକ୍ଷାର ବୈଷୟିକ ବ୍ୟବସ୍ଥା କରିଚନ୍ତି, ଆମେ ବୈଷୟିକ ବ୍ୟବସ୍ଥା ତାଙ୍କଠାରୁ ଗ୍ରହଣ କରିପାରୁ, କିନ୍ତୁ ଜ୍ଞାନଗୁରୁ ଭାରତ ପାଇଁ ‘ଧୀ’ ଓ ‘ଧେୢୟ’ ମାର୍ଗ ଦର୍ଶନ ହୋଇ ରହିବେ ଚିରକାଳ। ଜଣେ ଭାରତୀୟ ଭାବରେ ମୁଁ ଏଥିପାଇଁ ଗର୍ବିତ। ମୋ ଭଳି ଅସ˚ଖ୍ୟ ଭାରତୀୟ ମନେ ମନେ ଏଇଆ ଭାବନ୍ତି, କିନ୍ତୁ ହୁଏତ କହନ୍ତି ନାହିଁ। ସେମାନଙ୍କୁ ଏ ଶବ୍ଦ ଦିଓଟି ଦଉଚି ଏକାଠି। ମୋ ରାଷ୍ଟ୍ର ମୋ କଥା ଶୁଣିଲା କି ନ ଶୁଣିଲା କି ଯାଏ ଆସେ? ଧୀ ଓ ଧେୢୟକୁ ଧରି ଆମେ ତ ଅଛେଁ! ଲୋକକ୍ଷେତ୍ର ତ ଅଛି!

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର