ଜାତୀୟ ବ୍ୟାଘ୍ର ସ˚ରକ୍ଷଣ କର୍ତ୍ତୃପକ୍ଷ ଓ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନ(ଡେରାଡୁନ୍)ଙ୍କ ମିଳିତ ଉଦ୍ୟମରେ ଏବ˚ ବାଘ ସ˚ରକ୍ଷଣ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଜାତୀୟ ସ୍ତରର କେତେକ ବେସରକାରୀ ସ୍ବେଚ୍ଛାସେବୀ ସ˚ସ୍ଥା ଏବ˚ ସମସ୍ତ ରାଜ୍ୟ ବନ ବିଭାଗର ସହଯୋଗରେ, ୨୦୧୮ ମସିହାରେ ଚତୁର୍ଥ ଥର ପାଇଁ କରାଯାଇଥିବା ଜାତୀୟ ବ୍ୟାଘ୍ର ଗଣନା ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ଦେଶର ୧୮ଟି ବ୍ୟାଘ୍ର ଅଧ୍ୟୁଷିତ ରାଜ୍ୟ ଏବ˚ ଉତ୍ତର ପୂର୍ବ ପାର୍ବତ୍ୟାଞ୍ଚଳ ଓ ବ୍ରହ୍ମପୁତ୍ର ଉପତ୍ୟକାରେ କରାଯାଇଥିବା ଏହି ବ୍ୟାପକ ଗଣନା କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହୃତ ହୋଇଥିବା ସମ୍ବଳ ଓ ପ୍ରାପ୍ତ ତଥ୍ୟ ଅନୁଶୀଳନର ଗଭୀରତାକୁ ବିଚାରକୁ ନେଇ ଏହି ସ୍ବୀକୃତି ମିଳିଛି। ‘ଗିନିଜ୍ ବୁକ୍ ଅଫ୍ ରେକର୍ଡସ’ ତରଫରୁ ପ୍ରଦତ୍ତ ସାର୍ଟିଫିକେଟ୍ରେ ନିର୍ଦ୍ଦିଷ୍ଟ ଭାବେ ଦର୍ଶାଯାଇଛି ଯେ ୧୪୧ଟି ବ୍ୟାଘ୍ର ଆବାସ ସ୍ଥଳୀରେ ବିପୁଳ ସ˚ଖ୍ୟକ ଅର୍ଥାତ୍ ୨୬,୮୩୮ଟି କ୍ୟାମେରା ଟ୍ରାପ ବ୍ୟବହାର କରାଯାଇଛି ଏବ˚ ଦେଶର ମୋଟ ୧,୫୨,୭୦୦ ବର୍ଗ କିଲୋମିଟର ବିଶିଷ୍ଟ ସୁରକ୍ଷିତ ଜଙ୍ଗଲାଞ୍ଚଳ ମଧୢରୁ ୧,୨୧,୩୩୭ ବର୍ଗ କିଲୋମିଟର ଅର୍ଥାତ୍ ୭୭% ଅ˚ଶକୁ ସର୍ଭେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ନିର୍ଦ୍ଧାରଣ ପଦ୍ଧତିର ଆକାର ଏବ˚ ବ୍ୟାପକତା ବିଶ୍ବରେ ଅନନ୍ୟ।
ଏଠି କୁହାଯାଇପାରେ ଯେ ୨୦୦୪ ମସିହାରେ ଯେବେ ଜଣାପଡ଼ିଲା ଯେ ରାଜସ୍ଥାନର ‘ସାରିସ୍କା’ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ସ˚ଖ୍ୟା ଶୂନ ହୋଇଯାଇଛି, ତତ୍କାଳୀନ ପ୍ରଧାନମନ୍ତ୍ରୀ, ଜାତୀୟ ସ୍ତରରେ ୨୦୦୫ରେ ଏକ ‘ଟାଇଗର୍ ଟାସ୍କ ଫୋର୍ସ’ ଗଠନ କରିଥିଲେ। ଏହି ଟାସ୍କ ଫୋର୍ସର ପ୍ରସ୍ତାବନା ମୁତାବକ ଭାରତ ସରକାରଙ୍କର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପୂର୍ବରୁ ବାଘ ଗଣନା ପାଇଁ ପ୍ରଚଳିତ ‘ପଦ ଚିହ୍ନ ଅନୁସରଣ ପଦ୍ଧତି’ ପରିବର୍ତ୍ତେ ଭାରତୀୟ ବନ୍ୟପ୍ରାଣୀ ସ˚ସ୍ଥାନ ଦ୍ବାରା ବିକଶିତ ବିଜ୍ଞାନ ସମ୍ମତ ‘କ୍ୟାମେରା ଟ୍ରାପ୍’ ପଦ୍ଧତି ପ୍ରଚଳନ କରିବାକୁ ଚାହିଁଲେ। ପୂର୍ବ ପଦ୍ଧତିରେ ବାଘର ସମ୍ଭାବ୍ୟ ଯିବା ଆସିବା ରାସ୍ତାରେ ‘ପିଆଇପି’ ବା ପାଦ ଚିହ୍ନ ଅବଧାରଣ ପ୍ୟାଡ୍ରେ ପଡ଼ିଥିବା ପାଦଚିହ୍ନର ପ୍ଲାଷ୍ଟର ଢାଞ୍ଚାକୁ ବିଶ୍ଳେଷଣ କରି ବାଘଙ୍କର ସ˚ଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ଓଡ଼ିଶାର ଜନୈକ ସୁଯୋଗ୍ୟ ବନାଧିକାରୀ ପଦ୍ମଶ୍ରୀ ସ୍ବର୍ଗତ ସରୋଜ ରାଜ ଚୌଧୁରୀ ଏହି ପଦ୍ଧତିର ସ୍ରଷ୍ଟା। ଅନ୍ୟ ପକ୍ଷରେ ‘କ୍ୟାମେରା ଟ୍ରାପ୍’ ପଦ୍ଧତିରେ ଜଙ୍ଗଲରେ ବାଘ ଯାତାୟତ କରୁଥିବା ରାସ୍ତାର ଦୁଇପଟେ ଅନେକ ଗୁଡ଼ିଏ ଗତି ସ˚ବେଦନଶୀଳ ସ୍ବୟ˚ଚାଳିତ କ୍ୟାମେରା ବସା ଯାଇଥାଏ, ଯାହା ସେହି ରାସ୍ତାରେ ବାଘ ବା ଅନ୍ୟ କୌଣସି ଜନ୍ତୁ ଚାଲିଗଲେ, ଉଭୟ ପଟୁ ଆପେ ଆପେ ସକ୍ରିୟ ହୋଇ ଜନ୍ତୁଟିର ଫଟୋ ଉଠାଇ ଦିଏ। ଏହି ପଦ୍ଧତିକୁ ‘କ୍ୟାପ୍ଚର୍-ରିକ୍ୟାପ୍ଚର୍’ ପଦ୍ଧତି ବୋଲି ମଧୢ କୁହାଯାଏ।
ଭାରତର ମୋଟ ଭୂଭାଗର ୪.୯୫% ଅ˚ଚଳ ହେଉଛି ସୁରକ୍ଷିତ ଜଙ୍ଗଲ। ତନ୍ମଧୢରେ ରହିଛି ବ୍ୟାଘ୍ର ପ୍ରକଳ୍ପ, ଜାତୀୟ ଉଦ୍ୟାନ, ବନ୍ୟ ପ୍ରାଣୀ ଅଭୟାରଣ୍ୟ ଏବ˚ ଅନ୍ର୍ୟାନ୍ୟ ଜଙ୍ଗଲ ପରିବେଷ୍ଟିତ ସ˚ରକ୍ଷିତ ଅ˚ଚଳ। ଏ ସମସ୍ତ ସୁରକ୍ଷିତ ଅ˚ଚଳରେ ବାଘ ବିଚରଣ କରୁଥିବା ତଥା ସେମାନଙ୍କ ଦଖଲରେ ଥିବା ଆବାସ ସ୍ଥଳୀଗୁଡ଼ିକରେ ବ୍ୟବହୃତ ହୋଇଥିଲା ମୋଟ ୨୬,୮୩୮ ଗୋଟି କ୍ୟାମେରା। ସେଥିରୁ ବାଘଙ୍କର ୭୬,୭୫୫ ଏବ˚ ଚିତାବାଘଙ୍କର ୫୧,୭୭୭ଟି ଫଟୋଗ୍ରାଫ୍ ସହ ଅନ୍ୟାନ୍ୟ ଜଙ୍ଗଲୀ ଜନ୍ତୁଙ୍କର ଲକ୍ଷାଧିକ ଫଟୋ ମିଳିଥିଲା। ବିଭିନ୍ନ ମନୁଷ୍ୟଙ୍କର ଟିପଚିହ୍ନ ଯେପରି ପରସ୍ପର ଠାରୁ ଅଲଗା, ସେହିପରି ବିଭିନ୍ନ ବାଘଙ୍କର ଚମଡ଼ାରେ ଥିବା ପଟା ପଟା କଳା ଚିହ୍ନର ଆକୃତି ମଧୢ ପରସ୍ପର ଠାରୁ ପୃଥକ୍। ଏହି ଚିହ୍ନକୁ କ˚ପ୍ୟୁଟର ସଫ୍ଟେଵୟାର ସାହାଯ୍ୟରେ ବିଶ୍ଳେଷଣ କରି ନିର୍ଦ୍ଦିଷ୍ଟ ଭାବେ ୨୪୬୧ଟି ସ୍ବତନ୍ତ୍ର ବାଘ ଥିବା ବିଷୟ ଠାବ କରାଗଲା। ଏହା ବ୍ୟତୀତ ଦେଶର ୫୧ଟି ବ୍ୟାଘ୍ର ପ୍ରକଳ୍ପରେ ବିଭିନ୍ନ ରାଜ୍ୟର ବନ ବିଭାଗ ସହାୟତାରେ ୫ ଲକ୍ଷ ୨୩ ହଜାର କିଲୋମିଟର ଜଙ୍ଗଲ ରାସ୍ତାରେ ପାଦରେ ଚାଲି ଚାଲି ବାଘଙ୍କର ଅବସ୍ଥିତି ସ˚ପର୍କରେ ତୃଣମୂଳ ସ୍ତରରେ ମଧୢ ଚିତ୍ର ପରଖା ଯାଇଛି। ଏପରି ଏକ ବ୍ୟାପକ ଏବ˚ ବିସ୍ତାରିତ କାର୍ଯ୍ୟକ୍ରମ ‘ଗିନିଜ୍ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ପାଇବାକୁ ନିଶ୍ଚିତ ଭାବେ ହକ୍ଦାର।
କ୍ୟାମେରା ଟ୍ରାପ୍ ପଦ୍ଧତିରେ ପ୍ରତି ଚାରି ବର୍ଷରେ ଥରେ କରାଯାଉଥିବା ବାଘ ଗଣନା କାର୍ଯ୍ୟକ୍ରମରେ ପ୍ରଥମେ ଦେଶର ପ୍ରାକୃତିକ ପରିବେଷ୍ଟନୀକୁ ୬ଟି ଭାଗରେ ବିଭକ୍ତ କରାଯାଏ। ସେଗୁଡ଼ିକ ହେଲା ସିଭାଲିକ୍ ପାର୍ବତ୍ୟାଞ୍ଚଳ ଓ ଗାଙ୍ଗେୟ ଉପତ୍ୟକା, ମଧୢ ଭାରତ ଭୂଖଣ୍ତ, ପୂର୍ବଘାଟ ପର୍ବତ ମାଳା, ପଶ୍ଚିମ ଘାଟ ପର୍ବତମାଳା, ଉତ୍ତର ପୂର୍ବ ପାର୍ବତ୍ୟାଞ୍ଚଳ ଓ ବ୍ରହ୍ମପୁତ୍ର ଉପତ୍ୟକା ଏବ˚ ସୁନ୍ଦରବନ।
ବିଭିନ୍ନ ପରିବେଷ୍ଟନୀ ବା ‘ଲ୍ୟାଣ୍ତସ୍କେପ୍’ରେ ଆକଳନ ଚାରି ଗୋଟି ପର୍ଯ୍ୟାୟରେ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରତି ‘ବିଟ୍’ରୁ ଆନୁଷଙ୍ଗିକ ତଥ୍ୟ ଯେପରିକି ବାଘ ବା ଚିତାବାଘ କେବେ ଓ କେଉଁଠି ଦେଖା ଯାଇଥିଲେ, ତୃଣଭୋଜୀ ପ୍ରାଣୀଙ୍କ ଶିକାର କେବେ ଦେଖିବାକୁ ମିଳିଥିଲା ଏବ˚ ଅନ୍ୟାନ୍ୟ ସାଙ୍କେତିକ ଚିହ୍ନ ଯଥା ମା˚ସାଶୀ ପ୍ରାଣୀମାନଙ୍କର ମଳମୂତ୍ର, ଗଛରେ ରାମ୍ପୁଡ଼ା ଦାଗ, କଣ୍ଟାବୁଦାରେ ଘଷି ହୋଇ ଗଲା ବେଳେ ସେଠାରେ ଲାଗି ରହିଥିବା ବାଳ ଇତ୍ୟାଦି ସ˚ଗ୍ରହ କରାଯାଏ। ଦ୍ବିତୀୟ ପର୍ଯ୍ୟାୟରେ ସାଟେଲାଇଟ୍ ଫଟୋଚିତ୍ରରୁ ବାଘର ଆବାସ ସ୍ଥଳୀରେ ଥିବା ଜଙ୍ଗଲର କିସମ, ପ୍ରକାର ଭେଦ, ସାନ୍ଦ୍ରତା ଏବ˚ ଉକ୍ତ ଜଙ୍ଗଲାଞ୍ଚଳରେ ଥିବା ବସତି, ଖଣି, ଖାଦାନ ଆଦି ସ˚ପର୍କରେ ଅନୁଶୀଳନ କରାଯାଏ। ତୃତୀୟ ପର୍ଯ୍ୟାୟରେ ‘କାପଚର’ ଓ ‘ରିକାପଚର’ ପଦ୍ଧତିରେ ନମୁନା ସର୍ବେକ୍ଷଣ ନିମନ୍ତେ ବାଘ ଚଲାପଥର ଦୁଇ ପଟେ ସାମନା ସାମନି ଅନେକ ହଳ କ୍ୟାମେରା ବସାଯାଇଥାଏ। କ୍ୟାମେରାଗୁଡ଼ିକ ଇନ୍ଫ୍ରାରେଡ ପରିଚାଳିତ ହୋଇଥିବାରୁ ସେହି ରାସ୍ତାରେ ବାଘ ଗଲା ବେଳେ ଦୁଇ ପଟର କ୍ୟାମେରାରେ ତା’ ଦେହର କଳା କଳା ପଟା ଦାଗର ଚିତ୍ର ଆପେ ଆପେ ଉତ୍ତୋଳିତ ହୋଇଯାଏ ଏବ˚ ବାଘକୁ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରିବାକୁ ଏହା ସହାୟକ ହୁଏ। ଶେଷରେ ଚତୁର୍ଥ ପର୍ଯ୍ୟାୟରେ ସ୍ଥିରୀକୃତ ହୋଇଥିବା ନମୁନା ଅ˚ଚଳରେ ନିର୍ଦ୍ଦିଷ୍ଟ ଭାବରେ କେତୋଟି ବାଘ ଓ ବାଘୁଣୀ ଅଛନ୍ତି ତାହା ଫଟୋଚିତ୍ରରୁ ଜଣାପଡେ଼। ଏହି ସ˚ଖ୍ୟାକୁ ନେଇ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ମିଳିଥିବା ତଥ୍ୟ ସହିତ ଏକ ଅତ୍ୟନ୍ତ ବିଜ୍ଞାନ ସମ୍ମତ ହିସାବ ସାହାଯ୍ୟରେ ଏକ ପରିସ˚ଖ୍ୟାନ ମଡେଲ୍ରେ ସମଗ୍ର ଅ˚ଚଳର ବାଘ ସ˚ଖ୍ୟା ଆକଳନ କରାଯାଇଥାଏ।
୨୦୦୬ ମସିହାରେ ପ୍ରଥମ ଥର ପାଇଁ ଦେଶରେ ‘କ୍ୟାମେରା ଟ୍ରାପ୍’ ପଦ୍ଧତିରେ ବାଘଗଣନା କରାଗଲା, ଯାହାର ଫଳାଫଳ ୨୦୦୮ ମସିହାରେ ପ୍ରକାଶ ପାଇଲା ଏବ˚ ଜଣାପଡ଼ିଲା ଯେ ଦେଶରେ ମୋଟ ବାଘସ˚ଖ୍ୟା ମାତ୍ର ୧୪୧୧। ପୂର୍ବରୁ ପାଦ ଚିହ୍ନ ଅନୁସରଣ ପଦ୍ଧତିରେ କରାଯାଇଥିବା ଗଣନା ମୁତାବକ ବାଘଙ୍କ ସ˚ଖ୍ୟା ଥିଲା ୩,୬୪୨। ୨୦୦୮ ରିପୋର୍ଟରେ ଓଡ଼ିଶାରେ ବାଘଙ୍କ ସ˚ଖ୍ୟା ଥିଲା ମାତ୍ର ୪୫। ତନ୍ମଧୢରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବାଘ ଥିଲେ ୨୦, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ୬ ଏବ˚ ଅବଶିଷ୍ଟ ୧୯ଟି ବାଘ ସୁନାବେଡ଼ା, ଦେବ୍ରୀଗଡ଼, ହଦଗଡ଼, କୁଲ୍ଡ଼ିହା ଅଭୟାରଣ୍ୟ ଏବ˚ ଅଭୟାରଣ୍ୟ ବାହାରେ ଥିବା ମାଲକାନଗିରି, ରାଇଘର ଓ ସୁନ୍ଦରଗଡ଼ ଆଦି ଜଙ୍ଗଲରେ ଥିବାର ସୂଚନା ମିଳିଥିଲା। ସେ ସମୟରେ ଲେଖକ ଏକ ଆଲେଖ୍ୟରେ ଯୁକ୍ତି ଦର୍ଶାଇଥିଲା ଯେ ଯେ କୌଣସି ପରିସ˚ଖ୍ୟାନ ନକ୍ସା ବା ମଡେଲ ସାହାଯ୍ୟରେ ଆକଳନ କଲା ବେଳେ ଯଥେଷ୍ଟ ସ˚ଖ୍ୟକ ନମୁନା (Sample) ଏବ˚ ସେଗୁଡ଼ିକର ପ୍ରାକୃତିକ ବିସ୍ତାରଣ ଉପରେ ତଥ୍ୟର ସଠିକତା ନିର୍ଭର କରିଥାଏ। ଏକ ବିଜ୍ଞାନ ଆଧାରିତ ସୂତ୍ର ଅନୁସାରେ ପ୍ରତି ନମୁନା ବିଟ୍ ଇଲାକାରେ ପ୍ରତି ୧୫ ବର୍ଗ କିଲୋମିଟର ଜଙ୍ଗଲରେ ଉପଯୁକ୍ତ ମୂଲ୍ୟାୟନ ପାଇଁ ଅନ୍ତତଃ ତିନି ହଳ ବା ଚାରି ହଳ କ୍ୟାମେରା ବସିବା ଦରକାର। ଅଥଚ ୨୦୦୬ ଗଣନା ସମୟରେ ଶିମିଳିପାଳରେ ମାତ୍ର ୬୪ଟି କ୍ୟାମେରା, ୨୦୧୦ରେ ୧୪୦ଟି ଏବ˚ ୨୦୧୪ରେ ୪୨୦ଟି କ୍ୟାମେରା ବ୍ୟବହୃତ ହୋଇଥିଲା। ୨୦୧୮ ବେଳକୁ ଆବଶ୍ୟକ ମୁତାବକ ୫୦୦ରୁ ଅଧିକ କ୍ୟାମେରା ଲଗାଯାଇଥିଲା। ସେହିଭଳି ୨୦୦୬ରେ ଦେଶରେ ମୋଟ ୨୮ଟି ବ୍ୟାଘ୍ର ପ୍ରକଳ୍ପରେ ଗଣନା କାର୍ଯ୍ୟ କରାଯାଇଥିଲା ବେଳେ ୨୦୧୦ରେ ୩୯, ୨୦୧୪ରେ ୪୩ ଏବ˚ ୨୦୧୮ରେ ୫୧ଟିରେ ବ୍ୟାପକ ଗଣନା କାର୍ଯ୍ୟ କରାଯାଇଛି। ୨୦୦୬ରେ କେତୋଟି କ୍ୟାମେରା ବ୍ୟବହୃତ ହୋଇଥିଲା ସେ ନେଇ ବିଶେଷ ତଥ୍ୟ ରିପୋର୍ଟରେ ନାହିଁ। କିନ୍ତୁ ୨୦୧୦ରେ ମୋଟ ୧୧,୧୯୨ ବର୍ଗ କିଲୋମିଟର ଇଲାକାରେ ୮୧,୪୦୦ଟି କ୍ୟାମେରା ଟ୍ରାପ ଲଗାଯାଇଥିଲା; ଅର୍ଥାତ୍ ଗୋଟିଏ କ୍ୟାମେରାକୁ ଯଦି ୧୦ ଦିନ ଲଗାଇ ରଖାଯାଏ, ତେବେ ମୋଟ ବ୍ୟବହୃତ କ୍ୟାମେରାର ସ˚ଖ୍ୟା ହେଉଛି ୮,୧୪୦। ସେ ବର୍ଷ ସ୍ବତନ୍ତ୍ର ଏବ˚ ସ୍ପଷ୍ଟ ଭାବେ ଚିହ୍ନଟ କରାଯାଇଥିବା ବାଘଙ୍କ ସ˚ଖ୍ୟା ଥିଲା ୬୩୫। ପରିସ˚ଖ୍ୟାନ ମଡେଲ୍ରେ ଏହାକୁ ସମ୍ପ୍ରସାରିତ କରି ଦେଶର ମୋଟ ବାଘ ସ˚ଖ୍ୟା ୧୭୦୬ ଦର୍ଶାଯାଇଥିଲା। ୨୦୧୪ରେ ୧୮ଟି ରାଜ୍ୟର ୫୧ଟି ସ୍ଥାନରେ ୯୭୭୬ଟି କ୍ୟାମେରା ବସା ଯାଇଥିଲା ଯହିଁରେ ୩୦,୯୯୨ଟି ବାଘଙ୍କର ଫଟୋ ଆସିଥିଲା। ତନ୍ମଧୢରୁ ସ୍ବତନ୍ତ୍ର ବା ସ୍ପଷ୍ଟ ରୂପେ ଚିହ୍ନିତ ହୋଇଥିବା ବାଘଙ୍କ ସ˚ଖ୍ୟା ଥିଲା ୧୬୮୪ ଏବ˚ ପରିସ˚ଖ୍ୟାନ ମଡେଲ ଭିତ୍ତିରେ ଦେଶରେ ମୋଟ ବାଘ ସ˚ଖ୍ୟା ୨,୨୨୪ ବୋଲି ଆକଳନ କରାଯାଇଥିଲା। ତେବେ ୨୦୧୮ରେ ପୂର୍ବ ଗଣନା ତୁଳନାରେ ଅଧିକ କ୍ୟାମେରା ବ୍ୟବହୃତ ହୋଇଛି ଏବ˚ ନିର୍ଦ୍ଦିଷ୍ଟ ଭାବେ ଫଟୋରୁ ମିଳିଥିବା ବାଘଙ୍କ ସ˚ଖ୍ୟା ୨,୪୬୧ ଯାହାକି ମୋଟ ବାଘ ସ˚ଖ୍ୟା ୨୯୬୭ର ୮୩ ପ୍ରତିଶତ। ତେଣୁ ଏହା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା କିଛି ବିଚିତ୍ର ନୁହେଁ।
ଅନେକ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କର ମତ, ଦେଶରେ ଏତିକି ସ˚ଖ୍ୟକ ବାଘ ଅଛନ୍ତି ବୋଲି ଜାଣିବା କେବଳ କ୍ୟାମେରା ଟ୍ରାପ ସର୍ଭେର ବ୍ୟାପକତା ତଥା ବିଶାଳତା ଯୋଗୁ ସମ୍ଭବ ହୋଇଛି। ତେବେ ଏ ସ˚ଖ୍ୟା ବୃଦ୍ଧିର ଶ୍ରେୟ ନିଷ୍ଠାପର ବ୍ୟାଘ୍ର ସ˚ରକ୍ଷଣ ଉଦ୍ୟମକୁ ଯିବ। ଅବ୍ୟା, କେତେକ ବିଶେଷଜ୍ଞ ଏବେ ବି ପୂର୍ବ ପଦ୍ଧତି ସପକ୍ଷରେ ଯୁକ୍ତି କରିଥାନ୍ତି। ବର୍ତ୍ତମାନ ଆମ ଦେଶରେ ଏବ˚ ବିଶ୍ବର ଅନ୍ୟ ୧୨ଟି ଦେଶରେ ପ୍ରଚଳିତ କରାଯାଉଥିବା ପଦ୍ଧତି ଯେ ସମ୍ପୂର୍ଣ୍ଣ ରୂପେ ତ୍ରୁଟିହୀନ, ଏ କଥା କୁହାଯାଇ ନପାରେ। କିନ୍ତୁ ଉଭୟ ପଦ୍ଧତିରେ ଗୋଟିଏ ମୁଖ୍ୟ ପାର୍ଥକ୍ୟ ରହିଛି। ପଦଚିହ୍ନ ବିଶ୍ଳେଷଣ ପଦ୍ଧତି ସମ୍ପୂର୍ଣ୍ଣ ଆତ୍ମନିଷ୍ଠ ବା ବ୍ୟକ୍ତି ନିଷ୍ଠ ହୋଇଥିବା ବେଳେ (ଅର୍ଥାତ୍ ଏହାର ବିଶ୍ଳେଷଣ ବିଶେଷଜ୍ଞଙ୍କର ଦକ୍ଷତା ଉପରେ ନିର୍ଭରଶୀଳ) କ୍ୟାମେରା ଟ୍ରାପ ପଦ୍ଧତି ମୁଖ୍ୟତଃ ବସ୍ତୁନିଷ୍ଠ ଓ ବ୍ୟକ୍ତି ନିରପେକ୍ଷ।
ପୂର୍ବତନ ପ୍ରଧାନ ମୁଖ୍ୟ ବନସ˚ରକ୍ଷକ ୫୭, ଜଗମୋହନ ନଗର, ଜାଗମରା, ଭୁବନେଶ୍ବର-୩୦
ମୋ:୯୪୩୭୦୦୦୯୦୪