ସ୍ମାର୍ଟ ସିଟିର ସ୍ୱପ୍ନ ଓ ବାସ୍ତବତା

ଉର୍ମିଳା ମହାପାତ୍ର

ଯେତେବେଳେ ସ୍ମାର୍ଟ ସହରର ପରିକଳ୍ପନା କରାଗଲା, ସେତିକି ବେଳେ ଅନେକଙ୍କ ଆଖିରେ ଏକ ପରିଷ୍କାର ପରିଚ୍ଛନ୍ନ, ପ୍ରଶସ୍ତ, ଖୋଲାମେଲା ତଥା ନଗର ବାସିନ୍ଦାଙ୍କ ଲାଗି ବି‌େଶଷ ସୁବିଧା ପ୍ରଦାନ କରୁଥିବା ସହରର ଚିତ୍ର ଭାସି ଉଠିଥିଲା। ଅନେକ ସେହି ସମୟରେ ସ୍ବପ୍ନ ଦେଖିଥିଲେ ଯେ ଭାରତରେ ସିଙ୍ଗାପୁର ବା ସିଓଲ ଭଳି ସହରମାନ ଗଢ଼ି ଉଠିବ। କିନ୍ତୁ ତାହା କେତେ ଦୂର ସଫଳକାମ ହେବାର ଚିହ୍ନ ପ୍ରକାଶ ପାଇଲାଣି, ତାର ବିବେଚନା କରାଯିବା ଉଚିତ।

ସେହି ଦୃଷ୍ଟିରୁ ୨୦୧୫ରେ ଭୁବନେଶ୍ୱର ସହରକୁ ଯେତେବେଳେ ମୋଦୀ ସରକାର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ଦେଲେ, ସେତିକି ବେଳେ ଆମ ରାଜ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ସବୁ ସହରକୁ ପଛରେ ପକାଇ ଭୁବନେଶ୍ବରକୁ ମିଳିଥିଲା ସର୍ବାଧିକ ୭୮.୮୩% ମାର୍କ। ଏହା ଆମ ପାଇଁ ଥିଲା ଗର୍ବ ଏବଂ ଗୌରବର ବିଷୟ। ବିଦେଶରେ ରହୁଥିବା ଆତ୍ମୀୟ ସ୍ବଜନଙ୍କ ଠାରୁ ଆରମ୍ଭ କରି ବାହାର ରାଜ୍ୟରେ ରହୁଥିବା ସାଙ୍ଗସାଥୀଙ୍କ ପର୍ଯ୍ୟନ୍ତରେ ସମସ୍ତଙ୍କଠାରୁ ପ୍ରଶଂସା ତଥା ଶୁଭେଚ୍ଛାର ସୁଅ ଛୁଟିଲା।

ସ୍ମାର୍ଟ ସିଟିକୁ ନେଇ ଆମମାନଙ୍କ ମନରେ ମଧ୍ୟ ଅସୁମାରି ସ୍ବପ୍ନ ଥିଲା। ସ୍ମାର୍ଟ ଭୁବନେଶ୍ୱରକୁ ଗଢ଼ି ତୋଳିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ୫ ବର୍ଷରେ ୧ ହଜାର କୋଟି ଟଙ୍କା ବିନିଯୋଗ କରିବାର ପରିକଳ୍ପନା ଥିଲା। ବର୍ଷକୁ ୨୦୦ କୋଟି ବିନିଯୁକ୍ତ ହେବ; କେନ୍ଦ୍ର ଏବଂ ରାଜ୍ୟ ୧୦୦ କୋଟି ଲେଖାଏଁ ବିନିଯୋଗ କରିବେ। ଏହା ପରେ ମଧ୍ୟ ‘ପିପିପି’ ମୋଡ୍‌ରେ ଏସିଆନ୍ ଡେଭଲପ୍‌ମେଣ୍ଟ୍ ବ୍ୟାଙ୍କ୍‌ ଓ ବିଶ୍ବ ବ୍ୟାଙ୍କ୍‌ ଜରିଆରେ ପ୍ରାୟ ୩୫୦୦ କୋଟି ଟଙ୍କା ବ୍ୟୟ ହୋଇ ସହରର ବିକାଶ କରାଯିବ। ଖାଲି ସେତିକି ନୁହେଁ ସ୍ମାର୍ଟ ବ୍ୟବସ୍ଥା ସହିତ ସହର ଚକ୍‌ ଚକ୍ କରିବ। ଚବିଶ ଘଣ୍ଟା ନିରବଚ୍ଛିନ୍ନ ପାଣି ଏବଂ ବିଜୁଳିର ସୁବିଧା ମିଳିବ। ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ। ତା’ ସହିତ କଳା, ସୌନ୍ଦର୍ଯ୍ୟ ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ବିଭିନ୍ନ ନିର୍ମାଣ କାର୍ଯ୍ୟ ହେବ। ଅବସର ବିନୋଦନ ଲାଗି ଉଚ୍ଚକୋଟୀର ବ୍ୟବସ୍ଥା ରହିବ। ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସ୍ଥାନୀୟ ସ୍ତରରେ ବି‌େଶଷ ଉଦ୍ୟମ କରାଯିବ। ବିଭିନ୍ନ ପ୍ରକାର ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ। ସାରା ସହରରେ ମିଳିବ ୱାଇଫାଇ ସୁବିଧା। ସବୁ ସମସ୍ୟାର ସମାଧନ ଅନ୍‌ଲାଇନ୍ ଜରିଆରେ ହେବ। ସର୍ବୋପରି ପର୍ଯ୍ୟଟନକୁ ଗୁରୁତ୍ବ ଦେଇ ମନ୍ଦିରମାଳିନୀ ଭୁବନେଶ୍ୱର ସହରର ରୂପରେଖ ବଦଳିବ। ଏହା ହିଁ ଥିଲା ଭୁବନେଶ୍ୱର ସହରକୁ ସ୍ୱଚ୍ଛ ସୁନ୍ଦର ସବୁଜ କରିବାର ପରିକଳ୍ପନା।

ମାତ୍ର ତାହା ହୋଇଛି କି? ବର୍ତ୍ତମାନ ସମୀକ୍ଷା କରିବାର ସମୟ। ଆଗକୁ ସ୍ୱାୟତ୍ତ ଶାସନ ଦିବସ। ମାତ୍ର ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗମର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁଣାଯାଏ ସ୍ମାର୍ଟ ସିଟି ପାଇଁ ଆସିଥିବା ଅର୍ଥ ଠିକଣା ଢଙ୍ଗରେ ଖର୍ଚ୍ଚ ହୋଇପାରୁନାହିଁ। ଅତୀତରେ ସ୍ମାର୍ଟ ସିଟି ଲିମିଟେଡ୍‌ର କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଥିଲେ। ସଦ୍ୟ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଜାତୀୟ ରିପୋର୍ଟ ଆସିଛି। ଗତ ବର୍ଷ ଆମର ସ୍ଥାନ ଥିଲା ୨୩୩ରେ, ମାତ୍ର ଏଥର ତାହା ୨୮୮। ଏଥିରୁ ମହାନଗର ନିଗମର କାର୍ଯ୍ୟ ଦକ୍ଷତା ବାରି ହେଉଛି। ସହରବାସୀଙ୍କ ମୌଳିକ ସୁବିଧା ଭିତରେ ପରିମଳ ବ୍ୟବସ୍ଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଖାଲି ସେତିକି ନୁହେଁ, ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ମହାନଗର ନିଗମ ବର୍ଷକୁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଦୁଃଖର ବିଷୟ ଠିକ୍ ପରିଚାଳନା ପାଇଁ କୌଣସି ବିଶେଷ ପ୍ରୟାସ ନାହିଁ। ସତଷଠିଟି ୱାର୍ଡ ପାଇଁ ୧୪ ଜଣ ସାନିଟାରି ଇନିସ୍‌ପେକ୍ଟର। ଜଣେ ଇନିସ୍‌ପେକ୍ଟରଙ୍କ ଭାଗରେ କାର୍ଯ୍ୟକୁ ତଦାରଖ କରିବା ପାଇଁ ପାଖାପାଖି ୪/୫ଟି ୱାର୍ଡ ପଡୁଛି। ଯାହା ଫଳରେ ପ୍ରତି ୱାର୍ଡର ସଫେଇ କାର୍ଯ୍ୟ ଠିକଣା ଢଙ୍ଗରେ ତଦାରଖ ହୋଇପାରୁନି। ସହରରେ ଥିବା ଡ୍ରେନ୍‌ଗୁଡ଼ିକ ନିୟମିତ ସଫା ହେଉନଥିବା କାରଣରୁ ଅସରାଏ ବର୍ଷାରେ ରାଜଧାନୀ ଭାସୁଛି। ଭୁବନେଶ୍ୱର ସହରକୁ ସୁନ୍ଦର ସ୍ୱଚ୍ଛ କରିବା ଦିଗରେ ନଗର ଉନ୍ନୟନ ବିଭାଗର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏବେଠୁ କାମରେ ସୁଧାର ନ ଆସିଲେ ଆସନ୍ତା ଥର ସ୍ୱଚ୍ଛତାର ସର୍ବେକ୍ଷଣରେ ଆମର ସ୍ଥାନ ଆହୁରି ତଳକୁ ଯାଇ ଯେ କେଉଁଠି ଥିବ ତାହା କହିବା ମୁସ୍କିଲ୍।

ବର୍ତ୍ତମାନ କରୋନା ମହାମାରୀର ଦ୍ୱାହି ଦେଇ ମହାନଗର ପୌର ବିଭାଗ ନିଜର ଦାୟିତ୍ୱରୁ ଖସିବାକୁ ଉଦ୍ୟମ କରୁଥିଲେ, ସେଭଳି କରିବା ଉଚିତ ନୁହେଁ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କର ଦୃଢ଼ ଇଚ୍ଛା ଶକ୍ତି, ସୁପରିଚାଳନା ଏବଂ ପ୍ରଶାସନିକ ସକ୍ରିୟତା ରହିଲେ ସ୍ମାର୍ଟ ସିଟିର ରୂପରେଖ ବଦଳି ବାସ୍ତବରେ ଏକ ସୁନ୍ଦର ସହରରେ ପରିଣତ ହୋଇପାରିବ।

ପୂର୍ବତନ ଡେପୁଟି ମେୟର
ଭୁବନେଶ୍ବର ମହାନଗର ନିଗମ
[email protected]

ସମ୍ବନ୍ଧିତ ଖବର