ଆଦର୍ଶ ହିଁ ବାସ୍ତବ ଓ ବାସ୍ତବ ଆଦର୍ଶ- ଏ ଦାର୍ଶନିକ ଉକ୍ତି ଉପରେ କେତେ ନା କେତେ ସରଳାର୍ଥ ଲେଖାଯାଇଛି ଓ ବକ୍ତୃତା ଦିଆଯାଇଛି। କିନ୍ତୁ, ଏବେକାର ଏ କରୋନା କାଳରେ ପ୍ରତୀୟମାନ (ଭର୍ଚୁଆଲ)କୁ ହିଁ ଆଦର୍ଶ ଓ ବାସ୍ତବ ବୋଲି ଧରିବାକୁ ପଡୁଛି; କାରଣ ବର୍ତ୍ତମାନ ପାଇଁ କୌଣସି ଅଧିକ ଭଲ ଓ ଆହୁରି ନିରାପଦ ବିକଳ୍ପ ନାହିଁ। ପୁଣି ଏ କରୋନା ନିହାତି ଏକ ବାଜେ ରୋଗ ଯାହାକି ପୃଥିବୀ ସାରା ଅନେକ ଜୀବନ ନେବା ସାଙ୍ଗକୁ ସବୁ ଲୋକଙ୍କ ଜୀବିକାକୁ ବ୍ୟାପକ ଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ କରିଛି। ଖେଳ ପାଇଁ ମଧୢ ସାଜିଛି କାଳ। ଦୁନିଆ ହୋଇଯାଇଛି ଏକ ପ୍ରକାରେ କ୍ରୀଡ଼ାବିହୀନ। ସଭିଏଁ ସର୍ବତ୍ର କ୍ରୀଡ଼ାର ଅନୁପସ୍ଥିତିି ଅନୁଭବ କରୁଛନ୍ତି। କେବେ ଖେଳ ପୂର୍ଣ୍ଣମାତ୍ରାରେ ଫେରିବ ତାହା କହିବା କାଠିକର ପାଠ। ହକିର ଯାଦୁଗର ଧୢାନଚାନ୍ଦଙ୍କ ଜନ୍ମ ଦିନ ଅବସରରେ ୨୦୧୨ ମସିହାଠାରୁ ପାଳିତ ହୋଇଆସୁଥିବା ଜାତୀୟ କ୍ରୀଡ଼ା ଦିବସ ବି ଆଜି (ଅଗଷ୍ଟ ୨୯) ପ୍ରତୀୟମାନ ପରିପାଟୀରେ ହେବା ଛଡ଼ା ଆଉ କିଛି ଚାରା ନାହିଁ। ସେଇ ଧୢାନଚାନ୍ଦ ଯଦି ଏବେ ଥାଆନ୍ତେ ଓ ଯୁବକଟିଏ ଭାବେ ଖେଳ ଅଭ୍ୟାସ କରୁଥାନ୍ତେ ତେବେ ତାଙ୍କୁ ରାତିରେ ଚାନ୍ଦ ଉଇଁବା ପରେ ଖୋଲା କ୍ଷେତରେ ଅଭ୍ୟାସ କରିବାକୁ (ଯେଉଁଥିପାଇଁ ସିଏ ଧୢାନସି˚ହରୁ ଧୢାନଚାନ୍ଦ ହୋଇଥିଲେ) କରୋନା କଟକଣା ହୁଏତ ବାରଣ କରୁଥା’ନ୍ତା।
ଯାହା ବାସ୍ତବ ଓ ପ୍ରକୃତ ତାହା ଖେଳ। ଖେଳମାନେ ଦୈନନ୍ଦିନ ଅଭ୍ୟାସ, ପ୍ରତ୍ୟହ ପ୍ରୟୋଗ, ପ୍ରତି ମୁହୂର୍ତ୍ତର ସୁବିନିଯୋଗ ଓ ନିଶ୍ଚିତ ଭବିଷ୍ୟତ ଖସଡ଼ାକୁ ଦୃଷ୍ଟିରେ ରଖି ସୁପରିକଳ୍ପିତ ପ୍ରସ୍ତୁତି। ଅହରହ ଆତ୍ମନିର୍ମାଣ ଓ ନବୀକରଣର ସତ ଶାରୀରିକ ନନ୍ଦନ ତଥା ରୋମାଞ୍ଚର ଅନ୍ୟ ନାଁ ଖେଳ। ଟୋକିଓ ଅଲିମ୍ପିକ୍ ବର୍ଷେ ଘୁଞ୍ଚିଗଲା। ଟେନିସ୍, ଫୁଟ୍ବଲ ଓ କ୍ରିକେଟ୍ ପ୍ରଭୃତିର କେତେକେତେ କାର୍ଯ୍ୟସୂଚି ବାତିଲ ହୋଇଗଲା କିମ୍ବା ସ୍ଥଗିତ ରହିଲା। ଇ˚ଲଣ୍ତ ଓ େଵଷ୍ଟଇଣ୍ତିଜ୍ ଭିତରେ ଟେଷ୍ଟ କ୍ରିକେଟ୍ ହେଲା ସିନା, ହେଲେ ତାହା ଥିଲା ଦର୍ଶକବିହୀନ। ଲାଗୁଥିଲା ବେଶ୍ ଉଦ୍ଭଟ-ବାସ୍ତବ, ‘ସର୍ରିଅଲ୍’। ବଲ୍ରେ ଝାଳ ଓ ଲାଳ ଲଗେଇବା ମନା। ଦର୍ଶକ ନ ଥାଇ ଖେଳ ହେବା ମାନେ ସ୍ବାଭାବିକ ପରିବେଶ ଓ ବାତାବରଣ ନ ଥାଇ ଖେଳ ହେବା। ଯେ କୌଣସି ଖେଳର ସାମଗ୍ରିକ ବ୍ୟବସ୍ଥାର ଜୈବିକ ଅ˚ଶବିଶେଷ ଦର୍ଶକ ଯେଉଁମାନଙ୍କ ତାଳି, ଚିତ୍କାର, ଡିଆଁଡ଼େଇଁ, ମୁହଁରେ ମାନଚିତ୍ର, ପୋଷାକରେ ଖେଳାଳିଙ୍କ ଛବି ଓ ହାତରେ ଦେଶର ପତାକା ଖେଳ ପାଇଁ ନୂଆ ଊର୍ଜା ଓ ଉଚ୍ଛ୍ବାସ ଯୋଗାଇଦିଏ। ଖେଳାଳିମାନେ ମଧୢ ପଡ଼ିଆ, ଷ୍ଟାଡିଅମ୍, କୋର୍ଟ ଓ କ୍ରୀଡ଼ାପୀଠକୁ ଯାଇ ନପାରି ସେମିତି ବସି ବସି ଅତିଷ୍ଠ ଓ ଅଧୈର୍ଯ୍ୟ ହୋଇଯିବା ସ୍ବାଭାବିକ। କେତେକଙ୍କୁ ଲାଗୁଥିବ ସେମାନଙ୍କର ସବୁ ପ୍ରସ୍ତୁତି ପାଣିରେ ପଡ଼ିଗଲା। ଯେତେବେଳେ ଆଶା ଓ ସମ୍ଭାବନା କ୍ଷେତ୍ରରେ ତମସାଚ୍ଛନ୍ନ ଅପେକ୍ଷା ସାର ହୁଏ ସେତେବେଳେ କ୍ୟାରିଅରର ଆସନ୍ତାକାଲି ଆଧାରରେ କେହି କେହି କ୍ରୀଡ଼ାବିତ୍ ଭାବି ପାରନ୍ତି ସେମାନେ ବଞ୍ଚିଛନ୍ତି ଯାହା, ମାତ୍ର ସେମାନଙ୍କ ଜୀବନ ଶେଷ। ଜୀବନ ଅକାରଣ କାରଣ ଖେଳ ଖାଲି ଖେଳ ନୁହେଁ; ଖେଳାଳିମାନଙ୍କ ପାଇଁ ତାହା ସେମାନଙ୍କ ଜୀବନର ଜୀବନଦର୍ଶନର ଭାଷା ଓ ପରିଭାଷା। ପ୍ରାଣ ଠୁଁ ବି ବଳି।
କରୋନା କାରଣରୁ ଆର ପାରିକୁ ଚାଲିଗଲେ ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଚେତନ ଚୌହାନ। ସିଏ ବି˚ଶ ଶତାବ୍ଦୀରେ ଖେଳୁଥିଲେ, ସୁପର ଷ୍ଟାର ନ ଥିଲେ; କେବେ ବି ଟେଷ୍ଟ କ୍ରିକେଟ୍ରେ ଶତକ ଅର୍ଜନ କରିନଥିଲେ। ତାଙ୍କୁ ସମସ୍ତେ ସୁନୀଲ୍ ଗାଭାସ୍କରଙ୍କ ପ୍ରାରମ୍ଭିକ ବ୍ୟାଟି˚ ଭାଗିଦାର ଭାବେ ଜାଣିଥିଲେ। ହେଲେ ଗୋଟେ ପଟରେ ଗାଭାସ୍କରମାନେ ଶତକ କରିବା ପାଇଁ ଅନ୍ୟ ପଟରେ ଧୈର୍ଯ୍ୟ, ସାହସ, ଭୟହୀନତା ଓ ଲମ୍ବା ଇନିଙ୍ଗ୍ସର ପ୍ରତୀକ ଚୌହାନମାନେ ଲୋଡ଼ା ପଡ଼ନ୍ତି। ଚୌହାନ ବି ନିଜ ଖେଳ ଜୀବନରେ ଡେନିସ୍ ଲିଲି, ଜେଫ୍ ଥମ୍ପ୍ସନ୍, ଇଆନ୍ ବୋଥାମ୍, ବବ୍ ଉଇଲିସ୍ ଓ ଇମ୍ରାନ ଖାଁଙ୍କ ଭଳି ବୋଲର୍ଙ୍କୁ ସାମ୍ନା କରିଛନ୍ତି। ତାଙ୍କ ଅବଦାନ ବାବଦରେ ଗାଭାସ୍କର କହନ୍ତି- ମୋ ଭୁଲ ଯୋଗୁଁ ଚେତନ ଦୁଇ ଦୁଇ ଥର ଶତକରୁ ବଞ୍ଚିତ ହୋଇଥିଲେ। ଉଭୟଟି ଥିଲା ୧୯୮୦-୮୧ ଅଷ୍ଟ୍ରେଲିଆ ସିରିଜ୍ ବେଳର କଥା। ଦ୍ବିତୀୟ ଟେଷ୍ଟ ଆଡିଲେଡ୍ରେ ହେଉଥାଏ। ଚୌହାନ୍ ୯୭ କରି ଖେଳୁଥାନ୍ତି। ମୁଁ ଡ୍ରେସି˚ରୁମ୍ରେ ଟି.ଭି ଆଗରେ ବସି ଖେଳ ଦେଖୁଥାଏ। ମୋର (ଅନ୍ଧ) ବିଶ୍ବାସ ଯେ ସେମିତି ଡ୍ରେସି˚ ରୁମ୍ରେ ବସି ଦେଖିଲେ ଦଳର ଖେଳାଳିଙ୍କ ପାଇଁ ଭଲ। ହଠାତ୍ ଅନ୍ୟ ଖେଳାଳିମାନେ ମତେ ପାଭିଲିଅନ୍ର ବାଲ୍କୋନିକୁ ଟାଣି ନେଲେ। ତା’ପରେ ଚୌହାନ୍ ଡେନିସ୍ ଲିଲିଙ୍କ ବଲ୍ରେ ସେଇ ୯୭ ରନ୍ରେ ଆଉଟ୍ ହୋଇଗଲେ। ଶେଷ ଟେଷ୍ଟଟି ହେଉଥାଏ ମେଲ୍ବୋର୍ଣ୍ଣରେ। ଏକ ଅତି ଖରାପ ଅମ୍ପାୟାରି˚ ନିଷ୍ପତ୍ତି ବଳରେ ମତେ ଆଉଟ୍ ଘୋଷିତ କରାଗଲା। ଅଷ୍ଟ୍ରେଲୀୟ ଖେଳାଳି ଓ ଦର୍ଶକ ମତେ ବି ବହୁତ ଚିଡ଼ାଇଲେ। ପ୍ରତିବାଦ ସ୍ବରୂପ ଅଧିନାୟକ ଭାବେ ମୁଁ ଚେତନଙ୍କୁ ସାଙ୍ଗରେ ଧରି ପଡ଼ିଆ ବାହାରକୁ ଫେରି ଆସୁଥିଲି। କୂଟନୀତିକ ହସ୍ତକ୍ଷେପ ଓ ପରାମର୍ଶ ଯୋଗୁଁ ଚୌହାନ୍ଙ୍କୁ ସୀମାରେଖା ଟପିବା ଆଗରୁ ଲେଉଟିବାକୁ କୁହାଗଲା। ସେତେବେଳେ ସେ ୮୫ ରନ୍ କରିଥାନ୍ତି। ଏସବୁ ଅଘଟଣ ଯୋଗୁଁ ତାଙ୍କ ଏକାଗ୍ରତା ବ୍ୟାହତ ହୋଇଗଲା ଓ ସିଏ ସେଇ ୮୫ରେ ଆଉଟ୍ ହୋଇଗଲେ। କିନ୍ତୁ ମ୍ୟାଚ୍ ଜିତି ସିରିଜ୍ ଅମୀମା˚ସିତ ରଖିଥିଲା ଭାରତ। ଅନ୍ୟ ଏକ ଅବସରରେ ଚୌହାନଙ୍କ ସାଙ୍ଗରେ ଯାଇ ମୁଁ ଦେଖା କରିଥିଲି ସେବେକାର କେନ୍ଦ୍ର ଅର୍ଥମନ୍ତ୍ରୀ ରାମାସ୍ବାମୀ ଭେଙ୍କଟରମଣଙ୍କୁ (ଯିଏ କି ପରେ ଆମ ଦେଶର ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ହୋଇଥିଲେ)। ଆମର ଅନୁରୋଧ ଥିଲା ଦେଶ ପାଇଁ ଖେଳି ଉପାର୍ଜନ କରିଥିବା ଅର୍ଥକୁ ଟିକସମୁକ୍ତ କରିବା ପାଇଁ। ଚୌହାନଙ୍କ ଯୋଗୁଁ ସେ ପ୍ରୟାସ ଅନେକ ମାତ୍ରାରେ ସଫଳ ହୋଇଥିଲା। ତାଙ୍କ ଜୀବନରେ ପରେ କରୁଣ ଓ ଦୁଃଖଦ ମାଧୢମରେ ଫେରିଥିଲେ ଆଡିଲେଡ୍ ଆଉ ମେଲ୍ବୋର୍ଣ୍ଣ। ଆଡିଲେଡ୍ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜଣେ ପୁଅ। ଆଉ ସିଏ ନିଜେ ଶେଷ ନିଃଶ୍ବାସ ତ୍ୟାଗ କଲାବେଳକୁ ଅନ୍ୟ ପୁଅ ଥିଲେ ମେଲ୍ବୋର୍ଣ୍ଣରେ।
ଚୌହାନଙ୍କ ଯିବାର ପୂର୍ବ ଦିନ ଆମ ଦେଶର ୭୪ତମ ସ୍ବାଧୀନତା ଦିବସ ସନ୍ଧ୍ୟାରେ ମହୀନ୍ଦର ସି˚ ଧୋନି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ। ଜଣେ ଖେଳାଳି ଭାବେ ତାଙ୍କର ଅନେକ ନିଷ୍ପତ୍ତିର ଘୋଷଣା ଭଳି ସେ ଘୋଷଣାଟି ମଧୢ ଥିଲା ଅନେକମାତ୍ରାରେ ଅପ୍ରତ୍ୟାଶିତ। କ୍ରିକେଟ୍ ଯୋଗୁଁ ମାହି ବା ଧୋନି ହୋଇପାରିଥିଲେ ଏକବି˚ଶ ଶତାବ୍ଦୀର ଅଭିଳାଷୀ ଓ ଆତ୍ମବିଶ୍ବାସଭର ଯୁବବର୍ଗ ପାଇଁ ଅନ୍ୟତମ ଲୋକପ୍ରତିମା। ଆଉ ଜଣେ ରକ୍ଷ୍ଟାର୍। କୌଣସି ଜ୍ୟୋତିଷକୁ କେବେ ସିଏ ନିଜର ହସ୍ତରେଖା ଦେଖେଇ ନ ଥିଲେ। ପରିଶ୍ରମୀ ଧୋନିଙ୍କର ନିଜ ଦକ୍ଷତା ଓ ପ୍ରତିଭା ଉପରେ ଯଥେଷ୍ଟ ଭରସା ଥିଲା। ଛୋଟ ସହର ରାଞ୍ଚିରୁ ଆସିଥିବା ଧୋନି ବଡ଼ ବଡ଼ ଇଲାକାରେ ପ୍ରତିଷ୍ଠା ଲାଭ କରିଥିଲେ ଯେମିତି ଏକଦା କରିଥିଲେ ଚଣ୍ତୀଗଡ଼ରୁ ଆସିଥିବା କପିଳ ଦେବ। ଧୋନିଙ୍କୁ ସ˚ଘର୍ଷରତ ପ୍ରାରମ୍ଭିକ ପର୍ଯ୍ୟାୟରେ ସହଯୋଗ ଓ ସମର୍ଥନର ହାତ ବଢ଼ାଇଥିଲେ ସ୍ଥାନୀୟ ଅନେକ ଶୁଭେଚ୍ଛୁ, ମିତ୍ର ଓ ପୃଷ୍ଠପୋଷକ- ଯେଉଁମାନଙ୍କ ଭିତରେ ଅନ୍ତର୍ଭୁକ୍ତ ଥିଲେ ଶିଖ୍, ଜନଜାତୀୟ, ମୁସଲମାନ, ଖିରସ୍ତାନୀ ଓ ହିନ୍ଦୁ ଲୋକେ। ରାଞ୍ଚି ଆଗରୁ ଥିଲା ବିହାରରେ, ୨୦୦୦ରୁ ହେଲା ନୂଆ ରାଜ୍ୟ ଝାଡ଼ଖଣ୍ତର ରାଜଧାନୀ। ଧୋନି ତେଣୁ ଉଭୟ ବିହାର ଓ ଝାଡ଼ଖଣ୍ତ ତରଫରୁ ଖେଳିଛନ୍ତି। ଏମିତିରେ ତ ଧୋନି ଅନେକ ସଫଳ ଗମନ, ଅନ୍ୟତ୍ର ଗମନ (ମୁଭ୍ମେଣ୍ଟ, ମାଇଗ୍ରେସନ)ର ଦୃଷ୍ଟାନ୍ତ। ତାଙ୍କ ପୈତୃକ ଗାଁ ଉତ୍ତରାଖଣ୍ତରେ ଯେଉଁଠୁ ତାଙ୍କ ବାପା ରାଞ୍ଚି ଆସିଥିଲେ ମେକିନ୍ ଚାକିରିରେ ଯୋଗ ଦେବାକୁ। ଦୁଇ ରାଜ୍ୟ ବିହାର ଓ ଝାଡ଼ଖଣ୍ତର ପ୍ରତିନିଧିତ୍ବ କରିବା ଆଗରୁ ଧୋନି ସ୍କୁଲ ଓ କ୍ଲବ୍ ପାଇଁ ଖେଳିଥିଲେ ଏବ˚ କ୍ରିକେଟ୍ର ସବୁ ସ˚ସ୍କରଣ- ଟେଷ୍ଟ, ଦିନିକିଆ, ଟି-୨୦ ଓ ଆଇ.ପି.ଏଲ୍-ରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଥିଲେ।
ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଥିଲେ ଧୋନି। ଯେଉଁ ଧୋନି ଦିନେ ଖଡ଼ଗପୁରରେ ଟ୍ରେନ୍ ଟିକେଟ ଯାଞ୍ଚକାରୀ ଭାବେ କାମ କରୁଥିଲେ ସେଇ ଧୋନି ୨୦୧୧ ମସିହାରେ ଛ’ ମାରି ଭାରତକୁ ଜିତେଇଥିଲେ ବିଶ୍ବକପ୍। ତା’ ଆଗରୁ ୨୦୦୭ରେ ଜିଣିଥିଲେ ଟି-୨୦ କପ୍ ପାକିସ୍ତାନକୁ ହରେଇ। ସେ ମ୍ୟାଚ୍ରେ ମିସ୍ବା-ଉଲ୍-ହକ୍ ବଢ଼ିଆ ଖେଳୁଥାନ୍ତି। ମ୍ୟାଚ୍ ଭାରତ ହାତରୁ ଖସିଗଲା ଭଳି ଲାଗୁଥାଏ। ଧୋନି ତାଙ୍କ ସ୍ବଭାବ ସୁଲଭ ଅଧିନାୟକୀୟ ରଣନୀତିର ଆଉ ଏକ ଆଶ୍ଚର୍ଯ୍ୟର ନମୁନା ସ୍ବରୂପ ଯୋଗିନ୍ଦର ଶର୍ମାଙ୍କ ହାତରେ ବଲ୍ ଧରାଇ ଦେଲେ। ଅନେକ କାବା। ଭାବିଲେ ଧୋନି ବେଟା ଅଧିନାୟକୀୟ ବୁଦ୍ଧିର କଞ୍ଚି ରାଞ୍ଚିରେ ଛାଡ଼ି ଦେଇ ଆସିଛନ୍ତି! କିନ୍ତୁ ତାଙ୍କ ରଣକୌଶଳ କାମ ଦେଲା। ମିସ୍ବାଙ୍କ ଏକ ସ୍ଳୁପ୍ ସଟ୍ ଉପରକୁ ଉଠିଗଲା। ତଳେ ପଡ଼ିବା ପୂର୍ବରୁ ତାକୁ ଖପ୍ କିନା ଧରିନେଲେ ଶ୍ରୀଶାନ୍ତ। ଭାରତ ଜିଣିଲା। ସଭିଏଁ ମତ ବଦଳେଇ ଧୋନିଙ୍କ ପ୍ରଶ˚ସାରେ ଶତମୁଖ ହେଲେ। ସମୟକ୍ରମେ ତାଙ୍କୁ ମିଷ୍ଟର୍ କୁଲ୍ ଓ ବାହୁବଳୀ କ୍ୟାପ୍ଟେନ୍ କୁହାଗଲା। ତାଙ୍କ ସହ ଯୋଡ଼ି ହୋଇଗଲା ସିଏ ମାରି ପାରୁଥିବା ପ୍ରସିଦ୍ଧ ଓ ପ୍ରାୟ-ଅଦ୍ବିତୀୟ ହେଲିକପ୍ଟର ସଟ୍। ନେତୃତ୍ବ କହିଲେ ତାଙ୍କ ଠାରୁ ବୁଝାପଡ଼ିଲା- ଖାଲି ଆଗରେ ଓ ଉପରେ ରହିବା ନୁହେଁ; ସମସ୍ତଙ୍କୁ ସାଙ୍ଗରେ ନେବା। ଖେଳାଳି ଭାବେ ତାଙ୍କର ତିନିଟି ଭୂମିକା- ଉଇକେଟ୍ ରକ୍ଷକ, ବ୍ୟାଟ୍ସମ୍ୟାନ୍ ଓ ଅଧିନାୟକ- ଏକାଠି ମିଶେଇ ଦେଖିଲେ ତାଙ୍କର ବଦଳ ବା ବିକଳ୍ପ ହଠାତ୍ ଖୋଜିହୁଏନି। ତାଙ୍କ ଲମ୍ବା ଚୁଟି ଓ ଟିକି ଟିକି କେଶ ଚର୍ଚ୍ଚାକୁ ଆସିଲା। ଅବଶ୍ୟ ସିଏ ଜଣେ ଆଧୁନିକ ପେସାଦାର ଭାବେ ବ୍ରାଣ୍ତ ସାଜିଲେ। ଆଇ.ପି.ଏଲ୍.ରେ ଭାଗ ନେଲେ ଓ କର୍ପୋରେଟ୍ କ୍ରିକେଟ୍ ଖେଳିଲେ ଯେଉଁଠି ଖେଳ ସହ ଧଳା ରାତି, ଚିଅର ଗାର୍ଲସ୍ ଓ ନିଲାମରେ ଖେଳାଳିଙ୍କ କିଣାବିକା ଗୁନ୍ଥି ହୋଇଯାଉଥିଲା। କିନ୍ତୁ ଏକଥା ବି ସତ ଯେ ତାଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ରଟିରେ ଧୋନି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପ୍ରତିଭାବାନ୍ ଓ ସମ୍ଭାବନା ସମ୍ପନ୍ନ ଅଭିନେତା ସୁଶାନ୍ତ ସି˚ହ ରାଜପୁତ୍ ବଞ୍ଚିଥିଲେ ହୁଏତ ଅବସର ଘୋଷଣା କରିଥିବା ମାହିଙ୍କୁ ଟୁଇଟ୍ କରି ଲେଖିଥାନ୍ତେ ବିଶିଷ୍ଟ ଭାଷ୍ୟକାର ହର୍ଷ ଭୋଗ୍ଲେଙ୍କ ଭଳି- ନା, ନା, ଆପଣ ଦୁଇଦିନିଆ ସାଏର ନୁହଁନ୍ତି। ବୋଧହୁଏ ଆହୁରି ଯୋଡ଼ିଥାନ୍ତେ କାହାର ଜୀବନ ଦୁଇଦିନିଆ ସାଏରୀ ନୁହେଁ। ପୁଣି ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଧୋନିଙ୍କୁ ସମ୍ମାନ ଜଣାଇ କହନ୍ତି- ଧୋନି ଓ ଇନ୍ଫୋସିସ୍ ଏକା ତାରିଖରେ, ଜୁଲାଇ ୭, ୧୯୮୧ରେ, ଜନ୍ମଲାଭ କରିଥିଲେ।
ଖେଳ ଓ ଝାଡ଼ଖଣ୍ତ ବିଷୟ ପଡ଼ିଲେ ଜୟପାଲ ସି˚ହ (ମୁଣ୍ତା)ଙ୍କ ନାମ ଉଠିବ ହିଁ ଉଠିବ। ତାଙ୍କ ଜନ୍ମ ଝାଡ଼ଖଣ୍ତର ଖୁଣ୍ଟି ଅଞ୍ଚଳରୁ ଯେଉଁଠି କି ମହାନ୍ ସ୍ବାଧୀନତା ସ˚ଗ୍ରାମୀ ଓ ବିପ୍ଲବୀ ବିର୍ସା ମୁଣ୍ତାଙ୍କ ଜନ୍ମ। ଜୟପାଲ୍ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେଠି ଇଣ୍ତିଆନ୍ ମଜ୍ଲିସର ସଭାପତି ଥିଲା ବେଳେ ସେ ଦୀନବନ୍ଧୁ ଆଣ୍ଡ୍ରୁଜ୍ସ ଓ ଆନିବେସାନ୍ତଙ୍କ ସ˚ସ୍ପର୍ଶରେ ଆସିଥିଲେ। ଗାନ୍ଧୀ ଓ ନେହରୁଙ୍କ ପ୍ରିୟ ବିଶିଷ୍ଟ ନୃତତ୍ତ୍ବବିତ୍ ଭେରିଅର୍ ଏଲ୍ଵିନ୍ ଥିଲେ ତାଙ୍କର ବଡ଼ ପ୍ରଶ˚ସକ। ୧୯୨୮ରେ ସିଏ ଭାରତୀୟ ହକି ଦଳର ନେତୃତ୍ବ ନେଇଥିଲେ ଆମଷ୍ଟରଡାମ୍ଠାରେ ଯେଉଁଠି ଧୢାନଚାନ୍ଦଙ୍କ ଯାଦୁ ଯୋଗୁଁ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ଏକାଧିକ କାରଣ ପାଇଁ ସେଠି ଜୟପାଲ୍ ସବୁ ମ୍ୟାଚ୍ରେ ଅଧିନାୟକ ରହି ପାରିନଥିଲେ। ଆଇ.ସି.ଏସ୍ ମୌଖିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜୟପାଲ୍ ପରେ ଆଇ.ସି.ଏସ୍ରୁ ଇସ୍ତଫା ଦେଇଥିଲେ। ସେ ଭାରତର ସମ୍ବିଧାନ ସଭାର ସଦସ୍ୟ ଥିଲା ବେଳେ କହିଥିଲେ- ଇତିହାସ ଆମ ଲୋକଙ୍କୁ ଜନପଦରୁ ଜଙ୍ଗଲକୁ ତଡ଼ି ଦେଇଥିଲା। ଅକ୍ସଫୋର୍ଡ ସେଣ୍ଟ ଜନ୍ସ୍ ଡିବେଟି˚ ସୋସାଇଟିର ସିଏ ଥିଲେ ସଭାପତି। ତାଙ୍କ ଦ୍ବାରା ଗଠିତ ହୋଇଥିଲା ୧୯୩୮-୩୯ରେ ଆଦିବାସୀ ମହାସଭା। ୧୯୪୦ ମସିହାରେ ରାମଗଡ଼ ଠାରେ ଅନୁଷ୍ଠିତ କ˚ଗ୍ରେସ ଅଧିବେଶନ ସମୟରେ ସିଏ ସୁଭାଷ ବୋଷ ପ୍ରମୁଖଙ୍କୁ ଭେଟି ଝାଡ଼ଖଣ୍ତ ରାଜ୍ୟ ଗଠନ ଦାବି ଉଠାଇଥିଲେ। ବିଦ୍ବାନ ଜୟପାଲ୍ ଲେଖକ ଭାବେ ହକି ଓ ଆଦିବାସୀ ଅସ୍ମିତା ଉପରେ ଚମତ୍କାର ଲେଖା ଲେଖିଛନ୍ତି। ତାଙ୍କ ସ୍ବପ୍ନ ସାକାର ହୋଇ ଝାଡ଼ଖଣ୍ତ ଜନ୍ମ ନେଲା। ଆଉ ଅନ୍ୟ ଅନେକଙ୍କ ଭିତରେ ଧୋନି ହେଲେ ସେ ନୂତନ ରାଜ୍ୟର ହିତାଧିକାରୀ।
କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ, ନୈପୁଣ୍ୟ ଓ କୃତିତ୍ବ ପାଇଁ ଦ୍ରୁତ ଧାବିକା ଓଡ଼ିଶାର ଦୂତୀ ଚାନ୍ଦ ଆଜି ଅର୍ଜୁନ ପୁରସ୍କାର ପାଇବେ। ୨୦୧୭ ମସିହାର କଥା। ସେ ଦିନ ସନ୍ଧ୍ୟାରେ ସିଏ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ଆସିଥାନ୍ତି ଉତ୍କଳ ଦିବସ ସମାରୋହକୁ। ସେଠି ସିଏ ତାଙ୍କ ବକ୍ତବ୍ୟରେ କହିଥିଲେ- ‘‘ମତେ ଏଠି ବାଟ ଖୋଜି ଖୋଜି ପହଞ୍ଚିବାକୁ ଟିକେ ସମୟ ଲାଗିଗଲା। କାରଣ ଗାଡ଼ି ଚାଳକ ଭାଇ ଜଣକ ଉତ୍କଳ ବିଶ୍ବବିଦ୍ୟାଳୟ କହିଲେ ବାଣୀବିହାର ଛକ ଅଞ୍ଚଳକୁ ବୁଝୁଥିଲେ। ଗାଡ଼ି ଚଲେଇଲା ବେଳେ ବହୁତ ଆଗକୁ ଚାଲିଗଲେ। ପୁଣି ବୁଲି ବୁଲି ଫେରିବାକୁ ପଡ଼ିଲା। ଆମ ଭଳି ଖେଳାଳି ଖେଳ ଚିନ୍ତାରେ ଏତେ ନିମଗ୍ନ ଯେ ଆମେ ଜାଗା, ଠିକଣା ଓ ଛକର ହିସାବ ରଖିବାକୁ ବେଳେ ବେଳେ ଭୁଲିଯାଉ।’’ ତାଙ୍କର ସେ ସନ୍ଧ୍ୟାର ଅବତାରଣାଟି ଭିନ୍ନ ପ୍ରକାରେ ଅର୍ଜୁନଙ୍କ ଏକାଗ୍ର ଚିତ୍ତ କଥା ସ୍ମରଣକୁ ଆଣେ। ଅର୍ଜୁନଙ୍କୁ କେବଳ ମାଛର ଆଖି ଦିଶୁଥିଲା, ଅନ୍ୟ କିଛି ନୁହେଁ। ତାଙ୍କ ତୀର ତେଣୁ ମତ୍ସ୍ୟର ଚକ୍ଷୁ ଭେଦ କରିଥିଲା। ସେମିତି ଆଗାମୀ ଅଲିମ୍ପିକ୍ ପାଇଁ ପୂର୍ଣ୍ଣପ୍ରାଣରେ ପ୍ରସ୍ତୁତ ହେଉଥିବା ଓ ସେ ପ୍ରସ୍ତୁତି ପ୍ରକ୍ରିୟାରେ ଡୁବି ଯାଇଥିବା ଦୂତୀ ନିଶ୍ଚୟ ସଫଳତା ହାସଲ କରିବେ ବୋଲି ସମସ୍ତଙ୍କ ଆଶା ଓ ବିଶ୍ବାସ।
(ଜାତୀୟ କ୍ରୀଡ଼ା ଦିବସ ଅବସରରେ)
ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬