ରେଳବାଇ ଘରୋଇକରଣ ଯଥାର୍ଥ ନୁହେଁ

ଦୃଷ୍ଟିପାତ - ଈପ୍‌ସିିତା ମହାନ୍ତି

ଦେଶର ବିକାଶ ପାଇଁ କେନ୍ଦ୍ର ସରକାର ଆଜି ଆର୍ଥିକ ସ˚ସ୍କାର କଥା କହି ଚାଲିଛନ୍ତିି। ଏଥିପାଇଁ ପ୍ରସ୍ତୁତ ମାର୍ଗ ଦ୍ବାରା ଘରୋଇକରଣର ବେଗ ବୃଦ୍ଧି ପାଇ ଚାଲିଛି। ସରକାରଙ୍କ ଏହି ନୀତିର ପରିସରରୁ ଭାରତୀୟ ରେଳବାଇ ବି ବାଦ ପଡ଼ିିନି। ରେଳବାଇର ଘରୋଇକରଣ ପ୍ରକ୍ରିୟା ୨୦୧୯ରେ ତେଜସ ଏକ୍‌ସପ୍ରେସ ଚଳାଇବା ଦିନରୁ ହିଁ ଆରମ୍ଭ ହୋଇଯାଇଛି। ଅବଶ୍ୟ ସେତେବେଳେ ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ବିରୋଧ ଯୋଗୁଁ ସରକାର ରେଳବାଇର ଘରୋଇକରଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏପରିକି ଆମ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଅନେକ ସଭାସମିତି ଓ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଭାରତୀୟ ରେଳବାଇର ଘରୋଇକରଣ ହେବାର ପ୍ରଶ୍ନ ଉଠୁନାହିଁ। ତେଣୁ ହଠାତ୍‌ ରେଳବାଇର ଘରୋଇକରଣ ଖବର ସମସ୍ତଙ୍କୁ ବିସ୍ମିତ କରିଛି। ଏବେ ଆମ ଦେଶ କରୋନା ମହାମାରୀ ସ˚କଟ ଦେଇ ଗତି କରୁଛି। ବହୁଲୋକ ନିଜ ଜୀବିକା ହରାଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଏଭଳି ସମୟରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବା ସହ ସେମାନଙ୍କ ଜୀବିକାକୁ ସୁରକ୍ଷା ଦେବା ବଦଳରେ ସରକାର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ ମାଲିକଙ୍କ ହସ୍ତରେ ସମର୍ପି ଚାଲିବା ପରିତାପର ବିଷୟ।

ଭାରତୀୟ ରେଳବାଇ ହେଉଛି ସାରା ଦୁନିଆର ଚତୁର୍ଥ ବୃହତ୍ତମ ରେଳ ନେଟ୍‌ଵାର୍କ। ଦୀର୍ଘ କାଳ ଧରି ଭାରତୀୟ ରେଳ ଗରିବ ଓ ମଧୢବିତ୍ତଙ୍କ ଗମନାଗମନର ସର୍ବୋତ୍ତମ ମାଧୢମ ହୋଇ ରହି ଆସିଛି। କେବଳ ଯାତ୍ରୀ ପରିବହନ ପାଇଁ ନୁହେଁ, ପଣ୍ୟଦ୍ରବ୍ୟ ପରିବହନ କ୍ଷେତ୍ରରେ ମଧୢ ରେଳବାଇ ଯେ ସର୍ବୋତ୍ତମ ଏହା ପ୍ରମାଣିତ। ଏହା ସହିତ ଭାରତୀୟ ରେଳବାଇ ହେଉଛି ଆମ ଦେଶର ସର୍ବାଧିକ ନିଯୁକ୍ତି ଯୋଗାଣକାରୀ ସ˚ସ୍ଥା। କେବଳ ସେତିକି ନୁହେଁ, ଆମ ଦେଶର ରାଜକୋଷକୁ ଏହାର ଅବଦାନ ମଧୢ ଏକ ସି˚ହ ଭାଗ। ଏହି ପରିପ୍ରେକ୍ଷୀରେ ଆଶଙ୍କା ପ୍ରକାଶ ପାଇଥାଏ ଯେ ଭାରତୀୟ ରେଳବାଇ ଘରୋଇ ସ˚ସ୍ଥା ହାତକୁ ଗଲେ ଅନେକ ଲୋକ ନିଯୁକ୍ତି ହରାଇବା ସହିତ ଭଡ଼ା ଆଦି ଦୃଷ୍ଟିରୁ ସାଧାରଣ ଯାତ୍ରୀ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। କୁହାଯାଉଛି ଯେ ଘରୋଇ ସ˚ସ୍ଥା ହାତରେ ଭାରତୀୟ ରେଳବାଇ ବ୍ୟବସ୍ଥିତ ଭାବେ କାର୍ଯ୍ୟ କରିବ ଏବ˚ ସାଧାରଣ ଲୋକେ ତାର ସୁବିଧା ଉପଭୋଗ କରିବେ। ତାହା ହେଲେ ଏକ ଲାଭକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସରକାରଙ୍କ ଅଧୀନରେ ସୁବ୍ୟବସ୍ଥିତ ରୂପେ ପରିଚାଳିତ ହୋଇ ନ ପାରିବ କାହିଁକି? କାରଣ ଘରୋଇ ମାଲିକାନାକୁ ଗଲେ ମଧୢ ଏହାର ପରିଚାଳନା ସେହି ସମାନ କର୍ମଚାରୀଙ୍କ ହାତରେ ହିଁ ରହିବ। ତେଣୁ ମନେ ହୁଏ ଯେ ଭାରତୀୟ ରେଳବାଇର ଘରୋଇକରଣ ପଛରେ କିଛି ଉଦ୍ୟୋଗପତିଙ୍କ ତୁଷ୍ଟୀକରଣର ଉଦ୍ଦେଶ୍ୟ ରହିଛି। ତାହା ହୋଇ ନ ଥିଲେ ଘରୋଇକରଣ କଥା ଚିନ୍ତା ନ କରି ସରକାର ରେଳବାଇକୁ ଉନ୍ନତ କରିବା ଦିଗରେ ଠୋସ ପଦକ୍ଷେପ ନେଇଥାଆନ୍ତେ। ପ୍ରକୃତରେ ସାଧାରଣ ପରିବହନ ବ୍ୟବସ୍ଥା ସରକାରଙ୍କ ଅଧୀନରେ ରହିବା ଉଚିତ। ତା’ ନ ହେଲେ ଘରୋଇ ଲାଭଖୋର କ˚ପାନି ଦ୍ବାରା ସାଧାରଣ ଲୋକେ ଶୋଷଣର ଶିକାର ହେବେ। ଗୋଟିଏ କଥା ଚିନ୍ତା କରାଯାଉ। କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ମାଗଣାରେ ଘରବାହୁଡ଼ା ଗୋଟିଏ ଘରୋଇ ରେଳ ବ୍ୟବସ୍ଥାରେ ସମ୍ଭବ ହୋଇଥାଆନ୍ତା କି?

ଏ ଯାବତ୍‌ ତେଜସ୍‌ ଏକ୍‌ସପ୍ରେସ୍‌ର ସଫଳତା ବିଷୟରେ ଦୃଢ଼ ଭାବେ କୁହାଯାଇପାରିବ ନାହିଁ। ଅବଶ୍ୟ ଏହା ସତ ଯେ ତେଜସ୍‌ରେ ଦିଆଯାଉଥିବା ସେବା ଓ ସାହଚର୍ଯ୍ୟ ଗତାନୁଗତିକ ରେଳ ଠାରୁ ଭିନ୍ନ ଓ ତହିଁରେ କିଛିଟା ପ୍ରସାଧନିକ (ବେଶ ପୋଷାକ ଆଦି) ଚାକଚକ୍ୟ ଦେଖିବାକୁ ମିଳୁଛି। କିନ୍ତୁ କେବଳ ସେତିକି ଯଥେଷ୍ଟ ନୁହେଁ। ତେବେ କେନ୍ଦ୍ର ସରକାର ରେଳବାଇର ଘରୋଇକରଣ ପାଇଁ ମଞ୍ଜୁରି ପ୍ରଦାନ କରି ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଲାଇନରେ ୧୫୦ଟି ଟ୍ରେନ୍‌ ସହ ୫୦ଟି ଷ୍ଟେସନ୍‌ ଘରୋଇ ସ˚ସ୍ଥା ଦ୍ବାରା ପରିଚାଳିତ ହେବ ବୋଲି ଘୋଷଣା କରିଛନ୍ତି। ଏ ବାବଦରେ ଅନେକ ସ୍ପଷ୍ଟତା ଦରକାର: ଯେମିତିକି ରେଳଇଞ୍ଜିନ୍‌ ଓ ଡବା ତିଆରି ଏବଂ ମରାମତି କାରଖାନା, ରେଳ ଧାରଣା ତିଆରି କାରଖାନା ଇତ୍ୟାଦି ମଧୢକୁ ଘରୋଇ ସ˚ସ୍ଥାଙ୍କ ପ୍ରବେଶ ଘଟିବ ନା ସରକାର ସେ ସବୁ ଚଳାଇବେ। ସେମିତି ରେଳ ବିଭାଗର ବିଭିନ୍ନ ସମ୍ପତ୍ତିି ଓ ଜମି କାହା ହାତରେ ରହିବ? ଏ ସବୁ ବିଷୟ ସାର୍ବଜନୀନ ହେବା ଜରୁରୀ।

ପୂର୍ବରୁ ପୃଥିବୀର ବିଭିନ୍ନ ଦେଶରେ ରେଳବାଇର ଘରୋଇକରଣ ହୋଇଥିଲା। କିନ୍ତୁ ତାହା ଦୀର୍ଘ ସ୍ଥାୟୀ ହୋଇ ପାରିନାହିଁ। ବ୍ରିଟେନରେ ରେଳବାଇକୁ ଘରୋଇକରଣ କରାଯାଇଥିଲା କିନ୍ତୁ ସମୟକ୍ରମେ ସମସ୍ତ ଟ୍ରେନ୍‌କୁ ବ୍ରିଟିସ୍‌ ସରକାର ନିଜ ଅଧୀନକୁ ଫେରାଇ ଆଣିଲେ। ଆର୍ଜେଣ୍ଟିନାରେ ରେଳ ଦୁର୍ଘଟଣା ବୃଦ୍ଧି ପାଇବାରୁ ୨୦୧୫ରେ ଏଠାକାର ରେଳବାଇର ଘରୋଇକରଣ କଲେ। କିନ୍ତୁୁ ପୁନର୍ବାର ସରକାର ଏହାର ଦାୟିତ୍ବ ନିଜ ହାତକୁ ନେଇ ଆସିଛନ୍ତିି। ୧୯୮୦ ମସିହାରେ ନ୍ୟୁଜିଲାଣ୍ତର ରେଳବାଇର ଘରୋଇକରଣ କରାଯାଇଥିଲା। ବହୁ କ୍ଷତି ହେବାରୁ ୨୦୦୮ରେ ତାକୁ ସରକାର ନିଜ ହାତକୁ ନେଇ ଆସିଛନ୍ତି। ତେଣୁ ଆମ ସରକାର ମଧୢ ସବୁ ଦିଗରୁ ବିଚାର କରି ରେଳବାଇର ଘରୋଇକରଣ ବିଷୟରେ ଚିନ୍ତା କରନ୍ତୁ।

ବୈପାରିଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫

ସମ୍ବନ୍ଧିତ ଖବର