ମାର୍ଚ୍ଚ ୨୦୨୦ରେ ପରିବେଶ ପ୍ରଭାବ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEFCC) ଦ୍ୱାରା ପରିବେଶ ପ୍ରଭାବ ଆକଳନ ପାଇଁ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ବିଜ୍ଞପ୍ତି ୨୦୦୬ ପରିବେଶ ପ୍ରଭାବ ଆକଳନର ବିଜ୍ଞପ୍ତିକୁ ବଦଳାଇବ। ତେଣୁ ଏହାର ଶୀଘ୍ର ପ୍ରତ୍ୟାହାର ସକାଶେ ପରିବେଶବିତ୍‌ମାନେ ଦାବି କରୁଛନ୍ତି। ଏହି ପରିବେଶ ପ୍ରଭାବ ଆକଳନର ବିଜ୍ଞପ୍ତିରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ମାନ୍ୟତା ଦିଆ ଯାଇ ନଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ପରିବେଶ ମାନଦଣ୍ଡ ଦ୍ବାରା ପ୍ରତିଷ୍ଠିତ ନୀତିର ମଧ୍ୟ ବିରୋଧାଚରଣ କରାଯାଇଛି।

Advertisment

ଏକ ପ୍ରକଳ୍ପ ପରିବେଶ ଉପରେ କିପରି ପ୍ରଭାବ ପକାଇବ ତାହା ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଉଲ୍ଲିଖିତ ଥାଏ। ସେହି ରିପୋର୍ଟଟି ପ୍ରକାଶିତ କରାଯାଇ ଏକ ଜନଶୁଣାଣି ପ୍ରକ୍ରିୟା ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୁଏ, ଯେଉଁଠାରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କର ଆପତ୍ତି ଶୁଣାଯାଏ। ପରବର୍ତ୍ତୀ କାଳରେ ପରିବେଶ ବିଶେଷଜ୍ଞଙ୍କ ଏକ କମିଟି ପ୍ରକଳ୍ପର ଚୂଡ଼ାନ୍ତ ମୂଲ୍ୟାଙ୍କନ ରିପୋର୍ଟ ପ୍ରସ୍ତୁତ କଲା ପରେ ଏହାକୁ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଏ। ଏହାକୁ ଆଧାର କରି ମନ୍ତ୍ରଣାଳୟ ପ୍ରକଳ୍ପକୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରେ। ଏହି ପ୍ରକ୍ରିୟାର ମୌଳିକ ସିଦ୍ଧାନ୍ତ ହେଉଛି ଏହା ଯେ ପ୍ରକଳ୍ପ କରିବା ପୂର୍ବରୁ ଠିକ ଭାବେ ତର୍ଜମା ଏବଂ ଯୋଜନା କରାଯିବା ଆବଶ୍ୟକ। ଫଳରେ କୌଣସି ପରିବେଶଗତ କ୍ଷତି ହେବନାହିଁ ବା କୌଣସି ଜଣଙ୍କର ବି ସ୍ବାସ୍ଥ୍ୟଗତ କ୍ଷତି ହେବନାହିଁ।

ପରିବେଶ ପ୍ରଭାବ ଆକଳନର ନୂତନ ଚିଠା ଏହି ତର୍କରୁ ଦୂରେଇ ଯାଇଥିବା ଭଳି ମନେହୁଏ- ଯେପରିକି କୌଣସି ପ୍ରକଳ୍ପର ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଜନସାଧାରଣଙ୍କୁ ସେମାନଙ୍କ ପ୍ରତିକ୍ରିୟା ସରକାରଙ୍କ ନିକଟରେ ଦାଖଲ କରିବାକୁ ପୂର୍ବରୁ ତିରିଶ ଦିନର ସମୟ ମିଳୁଥିବା ବେଳେ ବର୍ତ୍ତମାନର ବିଜ୍ଞପ୍ତିରେ ତାହା କୋଡ଼ିଏ ଦିନକୁ ହ୍ରାସ ପାଇଛି। ଯଦି ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ମତାମତ ଦେବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆ ନଯିବ, ତେବେ ଜନଶୁଣାଣି ଅର୍ଥହୀନ ହୋଇଯିବ ଏବଂ ସମଗ୍ର ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ରହିବ ନାହିଁ। ସମୟ ହ୍ରାସ ହେଲେ ପ୍ରକଳ୍ପ ସମ୍ବନ୍ଧୀୟ ପର୍ଯ୍ୟାପ୍ତ ସୂଚନା ଲୋକଙ୍କ ପାଖରେ ଉପଲବ୍‌ଧ ହୋଇ ନ ପାରିବାର ଭୟ ରହିଛି।

ସେମିତି ପୂର୍ବରୁ ବ୍ୟବସ୍ଥା ଥିଲା ଯେ ୨୦ ମିଟର ପ୍ରଶସ୍ତ ରାଜପଥ ଯଦି ୩୦ କିଲୋମିଟରରୁ ଅଧିକ ଦୀର୍ଘ ହୁଏ, ତେବେ ତାର ସର୍ବୋଚ୍ଚ ସ୍ତରୀୟ ଯାଞ୍ଚ ହେବ। କିନ୍ତୁ, ବର୍ତ୍ତମାନ ଚିଠାରେ ଯାଞ୍ଚ ପାଇଁ ରାଜପଥ ୭୦ ମିଟର ପ୍ରଶସ୍ତ ହୋଇଥିବା ଦରକାର ଏବଂ ତାହା ପୁଣି ୧୦୦ କିଲୋମିଟର ଦୀର୍ଘ ହେଲେ ଏଭଳି ଯାଞ୍ଚ ଆବଶ୍ୟକ କରିବ। ପୁଣି ଏଭଳି ରାଜପଥ ବା ଗୁରୁତ୍ବପୂର୍ଣ୍ଣ ସଡ଼କ ନିର୍ମାଣ କାର୍ଯ୍ୟକୁ ସାର୍ବଜନୀନ ଶୁଣାଣିରୁ ବାଦ ଦିଆଯାଇଛି। ଏହାଛଡ଼ା ନୂତନ ଚିଠାରେ ‘ରିଅଲ୍ ଇଷ୍ଟେଟ୍’ ନିର୍ମାଣକୁ ଅ‌େନକ ରିହାତି ଦିଆଯାଇଛି। ଏହା ପୂର୍ବରୁ, ୨୦,୦୦୦ ବର୍ଗ ମିଟର ପରିମିତ ଆୟତନର ଅଟ୍ଟାଳିକା ରାଜ୍ୟସ୍ତରୀୟ ଯାଞ୍ଚର ଆବଶ୍ୟକ କରୁଥିଲା। ବର୍ତ୍ତମାନ ଏହି ସୀମାକୁ ୧,୫୦,୦୦୦ ବର୍ଗ ମିଟରକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ଅଧିକାଂଶ ନିର୍ମାଣ ପ୍ରକଳ୍ପ ଯାଞ୍ଚରୁ ମୁକୁଳି ଯିବେ। ବିଭିନ୍ନ ନିର୍ମାଣ କାର୍ଯ୍ୟ ସହର‌େର ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ଏଭଳି ଛାଡ଼ ଉଦ୍‌ବେଗଜନକ।

ନୂତନ ଚିଠା ନୀତି ଅନୁଯାୟୀ, ପ୍ରକଳ୍ପଗୁଡ଼ିକ ପାଇଁ ପୋଷ୍ଟ-ଫାକ୍ଟୋ ଅନୁମୋଦନ ଦିଆଯିବ। ଏହାର ଅର୍ଥ ପରିବେଶ ମଞ୍ଜୁର ନ ଥିଲେ ମଧ୍ୟ ପ୍ରକଳ୍ପଗୁଡ଼ିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ ଓ ପରବର୍ତ୍ତୀ କାଳରେ ସେମାନେ ମଞ୍ଜୁରି ଲାଭ କରିବେ। କିନ୍ତୁ ଏହା ହେଲେ ଏଭଳି ପ୍ରକଳ୍ପ ଦ୍ୱାରା ସୃଷ୍ଟି ହେବାକୁ ଥିବା କୌଣସି ପରିବେଶ କ୍ଷତି ବାବଦରେ ଜଣାପଡ଼ିଲେ ମଧ୍ୟ ତାକୁ ନଜରଅନ୍ଦାଜ କରାଯିବାର ଯଥେଷ୍ଟ କାରଣ ରହିବ। ଜରିମାନା କିମ୍ବା ଦଣ୍ଡ ଦ୍ବାରା କୌଣସି ନିୟମ ଉଲ୍ଲଂଘର ମାର୍ଜନା କରିହେବ। ଏହା ପ୍ରକଳ୍ପଗୁଡ଼ିକ ଲାଗି ସୁବିଧାଜନକ ହେବ କାରଣ ସେଗୁଡ଼ିକୁ ବନ୍ଦ ହେବା ପାଇଁ ଏଣିକି ଆଉ ବାଧ୍ୟ କରାଯାଇ ପାରିବ ନାହିଁ।

୨୦୧୭ରେ ତାମିଲନାଡୁରେ ପ୍ରକଳ୍ପଗୁଡ଼ିକୁ ଦିଆଯାଇଥିବା ‘ପୋଷ୍ଟ-ଫାକ୍ଟୋ’ ମଞ୍ଜୁରିକୁ ଚେନ୍ନାଇ ହାଇକୋର୍ଟ ଖାରଜ କରିଦେଇଥିଲେ। ଏବେ ସେଭଳି ସମ୍ଭବ ହୋଇ ନ ପାରେ।

ସେମିତି ପୂର୍ବ ବିଜ୍ଞପ୍ତିରେ ଥିଲା ଯେ ପ୍ରକଳ୍ପ ପ୍ରସ୍ତାବକ ପ୍ରତି ଛଅ ମାସରେ ଏକ ରିପୋର୍ଟ ଦାଖଲ କରିବେ, ଯହିଁରେ ସ୍ପଷ୍ଟ ଭାବେ ଲେଖାଯାଇଥିବ ଯେ ସର୍ତ୍ତ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ନୂତନ ବିଜ୍ଞପ୍ତିରେ ଏହି ସମୟ ସୀମାକୁ ଏକ ବର୍ଷକୁ ସଂପ୍ରସାରିତ କରାଯାଇଛି। କିନ୍ତୁ ବର୍ଷକ ମଧ୍ୟରେ କୌଣସି ପ୍ରକଳ୍ପ ନିର୍ମାଣ କାଳରେ ଅପୂରଣୀୟ ପରିବେଶ ବା ସାମାଜିକ କିମ୍ବା ସ୍ୱାସ୍ଥ୍ୟଗତ କ୍ଷତି ହୋଇପାରେ। ଉଦାହରଣ ସ୍ୱରୂପ ଯଦି ଏକ ସ୍ଥାନରେ ଖଣି ପ୍ରକଳ୍ପ ଦ୍ୱାରା ବାୟୁ ଓ ଜଳ ପ୍ରଦୂଷଣ ହେଉଛି, ତେବେ ବର୍ଷକ ଭିତରେ ଏ ସମସ୍ୟା ସଂକଟଜନକ ସ୍ଥିତିରେ ପହଞ୍ଚି ଯାଇପାରେ।

ନୂତନ ଚିଠା ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ସରକାର କିଛି ପ୍ରକଳ୍ପକୁ ‘ରଣନୀତିକ’ ପ୍ରକଳ୍ପର ଶ୍ରେଣୀଭୁକ୍ତ କରିପାରିବେ। ତା’ ମଧ୍ୟରେ ରହିଛି ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ, ଜାତୀୟ ପ୍ରତିରକ୍ଷା ତଥା ନିରାପତ୍ତା ସମ୍ବନ୍ଧୀୟ ପ୍ରକଳ୍ପ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା କିଛି ବିଶେଷ ପ୍ରକଳ୍ପ ଇତ୍ୟାଦି। ଏହି ସବୁ ପ୍ରକଳ୍ପ ପାଇଁ କେବଳ ଏକ ବିଶେଷଜ୍ଞ କମିଟି ଦ୍ୱାରା ‘ବିସ୍ତୃତ ଯାଞ୍ଚ’ର ଆବଶ୍ୟକତା ରହିଛି; କିନ୍ତୁ ପରିବେଶ ପ୍ରଭାବ ଆକଳନ କିମ୍ବା ଜନଶୁଣାଣିର ଆବଶ୍ୟକତା ନାହିଁ। ଅଧିକନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଜାତୀୟ ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧୀୟ ପ୍ରକଳ୍ପ ସହିତ ଜଡ଼ିତ କୌଣସି ସୂଚନା ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର ହେବ, ତାହା ସର୍ବସାଧାରଣ କ୍ଷେତ୍ରରେ ପ୍ରକାଶିତ ହେବ ନାହିଁ। ଏହାର ଅର୍ଥ ହେଉଛି ଏହି ପ୍ରକଳ୍ପଗୁଡ଼ିକର ପରିବେଶ ଆକଳନ ସମୀକ୍ଷାରେ କମ୍ ସ୍ୱଚ୍ଛତା ରହିବ ଏବଂ ଏଥିରେ ଜନସାଧାରଣଙ୍କ ଅଂଶଗ୍ରହଣ ସୀମିତ ହେବ କିମ୍ବା ଆଦୌ ହେବନାହିଁ। ଏହାର ଏକ ଉଦାହରଣ ହେଉଛି ୭ ମାର୍ଚ୍ଚ ୨୦୨୦ରେ ବିଶାଖାପାଟନମ୍ ଠାରେ ଥିବା ଏକ ‘ପଲିମର କାରଖାନା’ରେ ଗ୍ୟାସ୍ ଲିକ୍‌ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହେଲା। ଏଥିରେ ଅସଂଖ୍ୟ ଲୋକ ଅସୁସ୍ଥ ମଧ୍ୟ ହେଲେ। ଜଣାପଡ଼ିଛି ଯେ ଏହି କାରଖାନା ପରିବେଶ ମଞ୍ଜୁରି (EAC) ବିନା କାର୍ଯ୍ୟ କରୁଥିଲା। ଏହାକୁ କୁଆଡ଼େ ଏକ ପ୍ରଚଳିତ ପରିବେଶ ମଞ୍ଜୁରି ଦେବା ସକାଶେ ବିଚାର କରାଯାଉଥିଲା। ସେହିଭଳି ଆସାମରେ ଅବସ୍ଥିତ ଏକ ରାଷ୍ଟ୍ରାୟତ୍ତ କଂପାନି ଅଧୀନରେ ଥିବା ଗ୍ୟାସ୍‌ ରିଗ୍‌ରେ ନିଆଁ ଲାଗିବା ପୂର୍ବରୁ ଅନବରତ ବାର ଦିନ ଧରି ଗ୍ୟାସ୍‌ ନିର୍ଗତ ହୋଇଥିଲା। ସେହି ଗ୍ୟାସ୍‌ରେ ତେଲ ସହ ମିଥେନ, ପ୍ରୋପେନ ଓ ପ୍ରୋପାଇଲିନ ଭଳି ବିଷାକ୍ତ ଗ୍ୟାସ୍‌ ବାହାରି ଲୋକଙ୍କ ସ୍ବାସ୍ଥ୍ୟ ତଥା କୃଷି କ୍ଷେତ୍ର ଉପରେ ଗଭୀର ପ୍ରଭାବ ପକାଇଛି। ଏ ସଂକ୍ରାନ୍ତରେ ଆସାମ ରାଜ୍ୟ ପ୍ରଦୂଷଣ ବୋର୍ଡ ରିପୋର୍ଟ କରିଛି ଯେ ଏହି ତୈଳ କମ୍ପାନି ବୋର୍ଡର ପୂର୍ବ ସମ୍ମତି ବିନା ପନ୍ଦର ବର୍ଷରୁ ଅଧିକ କାଳ ଧରି କାର୍ଯ୍ୟ କରି ଆସୁଛି। ଏହା ସଂରକ୍ଷିତ ଜଙ୍ଗଲ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ। ପରିବେଶ ପ୍ରଭାବ ଆକଳନର ଠିକଣା ଉପଯୋଗ ଏ ଭଳି ସ୍ଥିତି ସୃଷ୍ଟି କରନ୍ତା ନାହିଁ।

ପରିବେଶ ପ୍ରଭାବ ଆକଳନ ନିୟମକୁ ଏକ ପ୍ରତିବନ୍ଧ ବୋଲି ବିଚାର କରାଯିବା ଉଚିତ ନୁହେଁ। ଆମ ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ଏହି ଆକଳନ ଅନିବାର୍ଯ୍ୟ। ରିଓ ସମ୍ମିଳନୀର ୧୦ ନମ୍ବର ନୀତି ପ୍ରତି ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରି ସରକାର ବିଭିନ୍ନ ବୃହତ୍‌ ପ୍ରକଳ୍ପରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ଜରୁରୀ। ଯେଉଁମାନେ ବିଭିନ୍ନ ପ୍ରକଳ୍ପ ଦ୍ବାରା ଅସୁରକ୍ଷିତ ହୋଇପଡୁଛନ୍ତି, ସେମାନଙ୍କ ଆପତ୍ତି ଶୁଣାଣି ପାଇଁ ସଂପୂର୍ଣ୍ଣ ସୁଯୋଗ ଓ ପର୍ଯ୍ୟାପ୍ତ ସମୟ ସୀମା ଯୋଗାଇ ଦିଆଯିବା ଆବଶ୍ୟକ। ବିକାଶ ସହିତ ପରିବେଶର ସନ୍ତୁଳନ ଲାଗି ଏହା ହିଁ ସର୍ବାଧିକ ଜରୁରୀ।

ଭୁବନେଶ୍ୱର
ମୋ- ୯୯୩୮୦୬୩୨୭୫