କଳା ଓ ବିଜ୍ଞାନ ସମ୍ବନ୍ଧିତ ଜ୍ଞାନ ଆହରଣ କରିବା ପ୍ରକ୍ରିୟାରେ କିଏ ବେଶି ଉପାଦେୟ ଓ କିଏ ଆମ ମୌଳିକ ଚିନ୍ତା ଚେତନାର ସ୍ଫୁରଣ କରାଇଥାଏ ଓ ସେମାନଙ୍କ ସପକ୍ଷ ଅଥବା ବିପକ୍ଷରେ ଯୁକ୍ତି, ଏହା ଏକ ବିବାଦୀୟ ବିଷୟ। ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଜୋର ଦିଆଯାଉଛି ଓ ଯୋଜନାର ରୂପରେଖ ପ୍ରସ୍ତୁତ କଲାବେଳେ କଳା ସମ୍ବନ୍ଧିତ ବିଷୟ ସମୂହକୁ ଅଣଦେଖା କରାଯାଉଛି। ବିଜ୍ଞାନ ବିଦ୍ୟା ସଂପର୍କିତ ଗବେଷଣା ପାଇଁ ଅଧିକ ଅର୍ଥ ଅନୁଦାନ ମିଳୁଛି, ମାତ୍ର ସଂସ୍କୃତିକୁ ପରିପୁଷ୍ଟ କରୁଥିବା ଓ ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା କରୁଥିବା କଳା ବିଷୟକୁ ଅବହେଳା କରାଯାଉଛି। ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନମାନଙ୍କରେ ଉଚ୍ଚ ପଦରେ ବୈଜ୍ଞାନିକମାନେ ଅଧିଷ୍ଠିତ ହେଉଛନ୍ତି। ଏହା ଫଳରେ ‘ଦରକାରୀ’ ଜ୍ଞାନ (ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ମ୍ୟାନେଜମେଣ୍ଟ ପରି କି ହୋଟେଲ ମ୍ୟାନେଜମେଣ୍ଟ ଓ ପ୍ରଯୁକ୍ତିକ ବିଷୟ) ଓ ‘ଅଦରକାରୀ’ ଜ୍ଞାନ (ଦର୍ଶନ, ସାହିତ୍ୟ, ମାନବିକ ଓ ସାମାଜିକ ବିଜ୍ଞାନ) ମଧ୍ୟରେ ଲଢ଼େଇ ହେବା ଓ ଦରକାରୀ ବିଜ୍ଞାନର ଗୁରୁତ୍ୱ ସୁସ୍ପଷ୍ଟ ବୋଲି ଗ୍ରହଣ କରାଯାଇ ଶିକ୍ଷାନୀତି ଆଗକୁ ବଢୁଛି। ଏପରିକି ପର୍ଯ୍ୟାବରଣ ବିଜ୍ଞାନକୁ ସୁପ୍ରିମ କୋର୍ଟ ଆଦେଶାନୁସାରେ ବାଧ୍ୟତାମୂଳକ ବିଷୟ ବୋଲି ମାନ୍ୟତା ମିଳିଥିଲେ ମଧ୍ୟ, ଏହାକୁ ଏକ ସଫ୍ଟ ସାଇନ୍ସ ହିସାବରେ ଖାମଖିଆଲି ଭାବରେ ପଢ଼ା ଯାଉଛି। ବିଶେଷଜ୍ଞର ଯୋଗ୍ୟତା ହାସଲ କରିଥିବା ଶିକ୍ଷକ ନିଯୁକ୍ତିରେ ହେରାଫେରି ହେଉଛି। ଭାଷା ସାହିତ୍ୟ ସ୍ଥାନ କେଉଁଠି ସେ ବିଷୟରେ ନ କହିଲେ ଭଲ। ଏହାଦ୍ୱାରା ସାମାଜିକ ସନ୍ତୁଳନ ବଜାୟ ରଖିବା ଅସମ୍ଭବ ହେଇ ପଡୁଛି। କୃଷିଭିତ୍ତିକ ଗ୍ରାମ୍ୟ ସଂସ୍କୃତି ଓ ଜୀବନଧାରା ପ୍ରତି ଅବହେଳା ଓ ଶିଳ୍ପଭିତ୍ତିକ ନଗର ସଂସ୍କୃତିର ଜୟଗାନ ଏ ପ୍ରକାର ବୈଷମ୍ୟର ଅନ୍ୟ ଏକ ନମୁନା। ଏହାର ମୂଳ କାରଣ ସ୍ୱାଧୀନତା ପରେ ଗାନ୍ଧୀଙ୍କ କୃଷି ଓ କୁଟୀର ଶିଳ୍ପ ନୀତିକୁ ସମ୍ପୂର୍ଣ୍ଣ ଅବଜ୍ଞା କରି, ନେହରୁଙ୍କର ଉଦ୍ୟୋଗୀକରଣ ଡାକ। ଗାନ୍ଧୀ ଗ୍ରାମାଞ୍ଚଳର ଉନ୍ନତି କଥା କହିଥିଲା ବେଳେ, ନେହରୁ କହିଥିଲେ ଯେ ନଦୀବନ୍ଧ, ଶିଳ୍ପ ଓ ଆଧୁନିକ ଭାରତର ନୂଆ ମନ୍ଦିର। ବିଜୁ ପଟ୍ଟନାୟକ ମଧ୍ୟ ଅନ୍ୟ ଅନେକ ନେତାଙ୍କ ପରି ଏହି ରାସ୍ତାରେ ଚାଲିଥିଲେ। କେହିକେହି ରାଉରକେଲା ଇସ୍ପାତ କାରଖାନାକୁ ଶିଳ୍ପର କୋଣାର୍କ କହି ଗର୍ବ କରିଥିଲେ। ଏ ଭଳି ଦୃଷ୍ଟିକୋଣର ଭୟାବହ ପରିଣତି ବିଷୟରେ କେତେକ ଦୂରଦ୍ରଷ୍ଟା ନିଜର ଦର୍ଶନ ଭିନ୍ନ ଭିନ୍ନ ଭାବରେ ପ୍ରକାଶ କରିଥିଲେ। ତାର ଗୋଟିଏ ନମୁନା ତଳେ ଆଲୋଚିତ ହେବ।
ଏବେ ନିୟମଗିରି ପର୍ବତ ସଂପର୍କରେ ସମ୍ବାଦପତ୍ରରେ ବହୁ ଚର୍ଚ୍ଚା ହେଉଛି। ନିୟମଗିରି ସଂପର୍କରେ ଖବର ପ୍ରକାଶ ପୂର୍ବରୁ ଓଡ଼ିଶାବାସୀଙ୍କ ଏହି ସ୍ଥାନ ବିଷୟରେ ନକାରାତ୍ମକ ବିଚାର ଥିଲା (ଶାସ୍ତି-ବଦଳି-ନିଯୁକ୍ତି)। ଯେଉଁମାନେ ସୁପରିଚିତ ଓ ଖ୍ୟାତି ସମ୍ପନ୍ନ କଥା ସମ୍ରାଟ ତଥା ଔପନ୍ୟାସିକ ଗୋପୀନାଥ ମହାନ୍ତି (୧୯୧୪-୧୯୯୧)ଙ୍କ ଲେଖା ପଢ଼ିଥିବେ ସେମାନେ ଅବଶ୍ୟ ନିୟମଗିରି ସଂପର୍କରେ ଅନ୍ୟ କିଛି ଜାଣି ଥିଲେ। ହୁଏତ ଏହାକୁ ଆର୍.କେ. ନାରାୟଣଙ୍କ ଲେଖାରେ ‘ମାଲଗୁଡ଼ି’ ଅଥବା ୟୁ.ଆର୍. ଅନନ୍ତମୂର୍ତ୍ତିଙ୍କ ‘ଭାରତୀପୁର’ ଭଳି ମହାନ୍ତିଙ୍କ ବର୍ଣ୍ଣିତ ‘ନିୟମଗିରି’ ଏକ କାଳ୍ପନିକ ସ୍ଥାନର ନାମ ବୋଲି କାହାର କାହାର ଧାରଣା ହୋଇଥିବ। କିଛି ବର୍ଷ ହେଲା ନିୟମଗିରି ପାର୍ବତ୍ୟ ଅଞ୍ଚଳକୁ ଖଣି ମାଲିକଙ୍କ ଧାଁ-ଦୌଡ଼ ଦେଖି ମନେ ପଡ଼ିଯାଏ ବିଂଶ ଶତାବ୍ଦୀ ମଧ୍ୟ ଭାଗରେ ଲେଖାଯାଇଥିବା ଗୋପୀନାଥ ମହାନ୍ତିଙ୍କ ଗଳ୍ପ ସବୁ। ସେଇ ଗଳ୍ପ ମଧ୍ୟରୁ ଗୋଟିଏ ହେଲା, ‘ଟଡ଼ପା’। ମହାନ୍ତି ଜଣେ ସରକାରୀ ଅଫିସର ଭାବରେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥାପିତ ହୋଇଥିଲେ। ବିଭିନ୍ନ ଜନଜାତିଙ୍କ ଜୀବନଧାରା ଓ ରୀତିନୀତି ସଂପର୍କରେ ତାଙ୍କର ପ୍ରତ୍ୟକ୍ଷ ଜ୍ଞାନ ଓ ଅନୁଭବ ନିଶ୍ଚିତ ଭାବରେ ଥିଲା। ଏହି ରହଣି କାଳରେ ତାଙ୍କ ଦୀର୍ଘ ଅନୁଭବ ଆଧାରରେ ସେ ସର୍ଜନା କରିଥିଲେ ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ପରଜା’। ବିକ୍ରମ ଦାସଙ୍କ ଦ୍ୱାରା ଇଂରେଜୀରେ ଅନୁବାଦ ହେଲା ପରେ ଏହି ଉପନ୍ୟାସ ଆନ୍ତର୍ଜାତିକ ସ୍ତରରେ ପାଠକମାନଙ୍କୁ ଆକୃଷ୍ଟ କରି ପାରିଛି। କିନ୍ତୁ ମୋ ଦୃଷ୍ଟିରେ ତାଙ୍କ କ୍ଷୁଦ୍ରଗଳ୍ପ ‘ଟଡ଼ପା’ ଏପରି ଏକ ପ୍ରଭାବଶାଳୀ ଲେଖା, ଯାହା ଏବେ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଉପରେ କିଛି ଆଲୋକପାତ କରିପାରେ।
ଏହି ଗଳ୍ପର ଶିରୋନାମା, ମୁଖ୍ୟ ଚରିତ୍ର ଟଡ଼ପାର ନାଁ ଉପରେ ପର୍ଯ୍ୟବସିତ। ନିୟମଗିରି ମାଳ ଅଞ୍ଚଳକୁ ସରକାରୀ ଗସ୍ତରେ ଆସିଥିବା କର୍ମଚାରୀଙ୍କ ସହ ଟଡ଼ପାର କଥୋପକଥନ କାହାଣୀ ବର୍ଣ୍ଣନାର ମୁଖ୍ୟ ଉପାଦାନ। ସାତ ଜଣ ବିଶିଷ୍ଟ ଦଳରେ ଥିଲେ ଉନ୍ନୟନ କର୍ମଚାରୀ ପରଶୁରାମ, ନୃତତ୍ତ୍ୱବିତ୍ ଅଧ୍ୟାପକ ଭରତ, ସ୍ଥାନୀୟ କର୍ମଚାରୀ ହରି ପାଣି, ଜଙ୍ଗଲ ଗାର୍ଡ ମଧୁସୂଦନ ଓ ତିନି ଜଣ ଚପରାସୀ। ସାତ ଦିନ ରହଣି ସମୟରେ ମାଳ ଅଞ୍ଚଳରେ ବାସ କରୁଥିବା ଡଂଗ୍ରିଆ କନ୍ଧମାନଙ୍କ ସମସ୍ୟା ସଂପର୍କରେ ସେମାନେ ଅବଗତ ହେଲେ। ସେଠାରେ କିଭଳି ବହୁବିଧ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ, ସେ ସଂପର୍କରେ ଖୁବ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବିତର୍କ ସେମାନଙ୍କ ମଧ୍ୟରେ ଜାରି ରହିଲା। ସାତ ଦିନ ପରେ ଭୁବନେଶ୍ୱର ଫେରି ଆସିବାର ଉପକ୍ରମ ହେଲା। ପର୍ବତ ତଳକୁ ଓହ୍ଲାଇ ଅଙ୍କାବଙ୍କା ରାସ୍ତାରେ ଆସୁଥାନ୍ତି। କିପରି ଡଂଗ୍ରିଆ କନ୍ଧଙ୍କୁ ସଭ୍ୟତା ଓ ସଂସ୍କୃତିର ପରିସର ଭିତରକୁ ଅଣାଯାଇପାରିବ, ତାହା ଥିଲା ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ। ତଦ୍ ସହିତ ସେହି ଜନଜାତି ଲୋକଙ୍କ ସରଳତା ଓ ନିଷ୍କପଟତା କିପରି ପୂର୍ବ ଭଳି ବଜାୟ ରହିବ, ତାହା ଥିଲା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କାରଣ ସଭ୍ୟ ଶିକ୍ଷିତ ମଣିଷଙ୍କ ସଂସର୍ଗରେ ଆସି ସେମାନଙ୍କ ସରଳତା ନଷ୍ଟ ହୋଇଯିବାର ଆଶଙ୍କା ବି ଥିଲା। ସହରୀ କର୍ମଚାରୀଙ୍କ ଦୁଃସାହସିକ ଯାତ୍ରା, ଜଂଗଲର ପରିବେଶ ସମ୍ବନ୍ଧିତ ବର୍ଣ୍ଣନା ଓ ଡଂଗ୍ରିଆ କନ୍ଧଙ୍କୁ ପ୍ରତିନିଧିତ୍ୱ କରୁଥିବା ଟଡ଼ପାର ଚରିତ୍ର ଚିତ୍ରଣ ଗଳ୍ପର ମୁଖ୍ୟ ବିଷୟ। ରାସ୍ତାରେ ହୁଏତ କିଛି ଅଘଟଣ ଘଟିପାରେ, ତାହା ଭାବି ସେମାନେ ଯେତେବେଳେ ଆତଙ୍କିତ ହୁଅନ୍ତି, ସେତେବେଳେ ଏକ ଛାୟାର ଆକୃତି ଦେଖା ଦିଏ। ଛାୟାଟି ଥିଲା ଗତିଶୀଳ ଓ ପରେ ପରେ ସ୍ଥିର ହୋଇ ରହିଲା। ପରଶୁରାମ ଟର୍ଚର ଆଲୁଅରେ ଜଣେ କନ୍ଧକୁ ଦେଖିଲେ, ଯା’ର ଦେହ ଫୁଙ୍ଗୁଳା ଓ ସେ କୌପୁନୀ ଖଣ୍ଡିଏ ପିନ୍ଧିଥାଏ। କାନ୍ଧରେ ଝୁଲୁଥାଏ କୁରାଢ଼ି ଖଣ୍ଡିଏ। କ୍ରମଶଃ ଛାୟାର ଭିନ୍ନ ଭିନ୍ନ ଆକାର ଦୃଷ୍ଟିଗୋଚର ହେଲା। ‘ସଂସ୍କୃତି’ ସଂପର୍କରେ ସେମାନଙ୍କ ତାତ୍ତ୍ୱିକ ଜ୍ଞାନ ଠାରୁ ଡଂଗ୍ରିଆ କନ୍ଧ ଟଡ଼ପାର ‘ସଂସ୍କୃତି’ର ପରିଭାଷା ଥିଲା ଭିନ୍ନ। ସହରୀ ଲୋକଙ୍କ ମହାବଳ ବାଘ ପ୍ରତି ଭୟ-କାତରତା ଯୋଗୁଁ ଟଡ଼ପା ଆଶ୍ଚର୍ଯ୍ୟ ଚକିତ ହୋଇ ସେମାନଙ୍କୁ ଚାହିଁରହିଲା। ସହରରେ ରହୁଥିବା ସଭ୍ୟ ଶିକ୍ଷିତ ମଣିଷ ଓ ଦୂର ଜଙ୍ଗଲରେ ରହି ସଭ୍ୟତାର କେନ୍ଦ୍ରସ୍ଥଳରୁ ବିଚ୍ଛିନ୍ନ ଥିବା ଅଜ୍ଞ ଆଦିବାସୀଙ୍କ ମଧ୍ୟରେ ଥିବା ଭିନ୍ନ ଦୃଷ୍ଟିଭଙ୍ଗୀ ସଂପର୍କରେ ଏକ ପରୋକ୍ଷ ଆଭାସ ଦିଅନ୍ତି ଲେଖକ। ଗଳ୍ପଟି ଏକ ମହତ୍ତ୍ବପୂର୍ଣ୍ଣ ମୋଡ଼ ନିଏ, ଯାହା ଏଠାରେ ପ୍ରକାଶ କରିବା ଅନୁଚିତ ହେବ। କିନ୍ତୁ ଗଳ୍ପଟିରେ ଆଉ ଗୋଟିଏ ଚରିତ୍ର ପରଶୁରାମର ଉକ୍ତିକୁ ନଜର କରିବା କଥା: ‘ଏଠି ଖୋଜୁ ଖୋଜୁ ଯଦି ଗୋଟାଏ ଖଣି ବାହାରିପଡ଼ନ୍ତା, ବସିଯାଆନ୍ତା ଗୋଟାଏ ରାଉରକେଲା।’ ଅବଶ୍ୟ ଏହା ଅନ୍ତରାଳରେ ଅଛି ଶ୍ରୀ ମହାନ୍ତିଙ୍କ ଲେଖକୀୟ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ।
ଗଳ୍ପ କେବଳ ମନୋରଞ୍ଜନଧର୍ମୀ ନ ହୋଇ ଖୁବ୍ ପ୍ରାସଙ୍ଗିକ ବୋଲି ମନେହୁଏ, ଯେହେତୁ ଏହା ସାଂପ୍ରତିକ ବାସ୍ତବତା ଓ ସତ୍ୟକୁ ଇଙ୍ଗିତ କରିଥାଏ। କବି ବା ଲେଖକ ଘଟଣା ଓ ଚରିତ୍ର ମାଧ୍ୟମରେ ନିର୍ମାଣ କରୁଥିବା ମିଥ୍ ଆପାତତଃ ମିଛ ବୋଲି ପ୍ରତୀତ ହେଲେ ହେଁ ଏହା ବୈଜ୍ଞାନିକ ସତ୍ୟଠାରୁ ବେଶି ଉପାଦେୟ ଓ ଏହା ସର୍ବକାଳୀନ ସତ୍ୟ ସଂପର୍କରେ ଆଭାସ ଦେଇଥାଏ। ବର୍ତ୍ତମାନର ପରିପେକ୍ଷୀରେ, ଗଳ୍ପଟି ସଭ୍ୟତା ଓ ଉନ୍ନତି ନାମରେ ପର୍ଯ୍ୟାବରଣ ଓ ପରିବେଶ ସନ୍ତୁଳନ ଉପରେ କୁଠାରାଘାତ, ଏହା ବିରୋଧରେ ଏକ ତୀବ୍ର ସମାଲୋଚନା ଓ କଟୁ ମନ୍ତବ୍ୟ; ସେଥିରେ ସନ୍ଦେହ ନାହିଁ I ଏ କଥାଟା କହିବା ହୁଏତ ଯଥାର୍ଥ ଏବଂ ଯଥେଷ୍ଟ ହୋଇଥାନ୍ତା ଯଦି ଗପଟି ଏବେର ଲେଖା ହେଇଥାନ୍ତା। କିନ୍ତୁ ଗପ ଲେଖା ଯାଇଥିଲା ପ୍ରାୟ ସତ ଦଶନ୍ଧି ତଳେ। ତେଣୁ ଉପରୋକ୍ତ ମନ୍ତବ୍ୟ ଦେବା ଗାଳ୍ପିକ ଓ ସାହିତ୍ୟର ଉପଯୋଗିତା ବିଷୟରେ ଯଥେଷ୍ଟ ମୂଲ୍ୟାୟନ ନୁହେଁ। ଆଜି ଅଭିଜ୍ଞତାରୁ ଆମେ ଯାହା ଜାଣୁଛେ ଭବିଷ୍ୟତରେ ନିୟମଗିରିରେ ଯାହା ଘଟିବ, ତାହା ସେ କିପରି କଳ୍ପନା ଶକ୍ତି ବଳରେ ନିଜର ପ୍ରଜ୍ଞା ଚକ୍ଷୁରେ ଦେଖିପାରିଥିଲେ। ତେଣୁ ଗଳ୍ପର ମୂଲ୍ୟ ଓ ଏକ ଲେଖକର ଦୂରଦୃଷ୍ଟି ତଥା ଦାର୍ଶନିକ ମୂଲ୍ୟକୁ ବିଜ୍ଞାନ ଓ ଆଧୁନିକ ବୈଜ୍ଞାନିକ ଜ୍ଞାନ ତୁଳନାରେ ଅଧିକ ମୂଲ୍ୟବାନ ମନେହୁଏ। ଏପରି ଜ୍ଞାନକୁ ‘ଅଦରକାରୀ’ ବୋଲି କହିବା କେତେଦୂର ଠିକ ତାହା ପାଠକେ ବିଚାର କରିବେ।