ହଠାତ୍ ଭିଡିଓ କଲ୍ କଲେ ସତ୍ୟେନ୍ଦୁର ମାମା, ମାନେ ତା ଦିବଂଗତ ବାପାଙ୍କ ଏକମାତ୍ର ମାମୁ, ଯିଏ ତା’ ବାପାଙ୍କ ଠୁ ବୟସରେ ଅଳ୍ପ ସାନ ହେବେ। ପୁଲିସ ବିଭାଗର ଉଚ୍ଚ ପଦାଧିକାରୀ ଥିଲେ। ବହୁ ବର୍ଷ ତଳୁ ଅବସରପ୍ରାପ୍ତ। ବୟସ ପଞ୍ଚାନବେ। ବିପତ୍ନୀକ। ତଥାପି ନିଜ ସ୍ୱଭାବ ସୁଲଭ ଖୁସ୍‌ ମିଜାଜର ମଣିଷ, ବୟସାଧିକ୍ୟକୁ ବେଖାତିର କରି ସର୍ବଦା ଚଳଚଞ୍ଚଳ।

Advertisment

ମଧ୍ୟେ ମଧ୍ୟେ ଫୋନ୍‌ କରି ଅଭିମାନ କରନ୍ତି ଯେ ନାତି ନାତୁଣୀଏ କେହି ତାଙ୍କୁ ଫୋନ୍‌ କରୁ ନାହାନ୍ତି। ଅଥଚ ସେ ହିଁ ନିଜ ଆଡୁ କରୁଛନ୍ତି। ମଉଜିଆ କଥାମାନ କହନ୍ତି ଓ କଥା ଶେଷରେ ସେ ନାଇଣ୍ଟି ପ୍ଲସ୍ ନଟ୍ ଆଉଟ୍ ବୋଲି ଦୋହରାଇବାକୁ ଭୁଲନ୍ତି ନାହିଁ। ତାଙ୍କ ସହ ଆଳାପ ଭାରି ସରସ।

ହେଲେ ସେ ଭିଡିଓ କଲ୍‌ କରିବା ଥିଲା ଏଇ ପ୍ରଥମ। ସତ୍ୟେନ୍ଦୁ ପ୍ରଣାମାନ୍ତେ ‘କେମିତି ଅଛନ୍ତି ମାମା?’ ବୋଲି ଯେମିତି ପଚାରି ଦେଇଛି, ସେପଟୁ ହୋ ହୋ ହସ ସହ ମାମା କହି ଉଠିଲେ: ମଜାରେ ଅଛି; ମୁଁ ତ କେବେଠୁ ଘରୁ ବାହାରକୁ ଯାଉନି, ଆଉ ସ୍ୱାସ୍ଥ୍ୟ ରକ୍ଷା କଥା ତ ମୁଁ ଅନ୍ୟକୁ ବୁଝାଇବା ଲୋକ; ତେଣୁ ମୋ କଥା ନ ଭାବି ନିଜ ନିଜ କଥା ଭାବିବାକୁ କହି ଦେଇଛି ପିଲାମାନଙ୍କୁ!

ମାମା ସତ୍ୟେନ୍ଦୁକୁ ଥଟ୍ଟାରେ ସତିଆ ଡାକନ୍ତି। ହଠାତ୍ ଗମ୍ଭୀର ହୋଇ ଯାଇ କହିଲେ- ଦେଖ ବାପ ସତିଆ, କେମିତି ଅନ୍ୟାୟ ହେଉଛି! ଟିକେଟ କାଉଣ୍ଟର ଆଗରେ କୋଉ କାଳୁ ମୁଁ ଦୂରତା ରକ୍ଷା କରି ଗୋଲେଇ ଭିତରେ ଠିଆ ହୋଇ ରହିଚି ଯେ ରହିଚି, ମୋ ପାଳି ଆସିବାକୁ ନାହିଁ!

ସତିଆ ସତରେ ଭକୁଆ ହୋଇଗଲା। ପଚାରିଲା- ମାମା, ଆପଣ ପରା କୁଆଡ଼େ ବାହାରୁ ନାହାନ୍ତି ବୋଲି କହିଲେ। ପୁଣି ଏ କରୋନା ସମୟରେ କୁଆଡ଼େ ବାହାରିଛନ୍ତି ଯେ ଟିକେଟ କାଟିବା ଦରକାର ପଡ଼ିଲା?

ଏଥର ହୋ ହୋ ହସି ଉଠି ମାମା କହିଲେ : ଭକୁଆ ହୋଇଗଲୁଟି? ମୁଁ ପରା ‘ସେ ପୁର ଫ୍ଲାଇଂ ସର୍ଭିସ୍‌’ରେ ଟିକେଟ କନ୍‌ଫର୍ମ କରିବାକୁ ଅନାଇ ବସିଛି!

ଅଗତ୍ୟା ସତ୍ୟେନ୍ଦୁ କହି ଉଠିଲା- ନା ମାମା, ଏମିତି କ’ଣ କହୁଛନ୍ତି? ଆପଣ ପରା ସବୁବେଳେ କହନ୍ତି ଯେ ଆପଣ ‘ନଟ୍ ଆଉଟ୍!’

- ହଁ, ଯେ! ନାଇଣ୍ଟି ଫାଇଭ୍ ନଟ୍ ଆଉଟ୍। ତେବେ ଏହା ଭିତରେ ମନ ଚିଟା ଲାଗିଲାଣିରେ। କେତେ ଆଉ ବ୍ୟାଟିଂ କରୁଥିବି ଏମିତି ?

- ନା ମାମା, ଆପଣ ଜୀବନର ସବୁ ଫର୍ମାଟ୍‌ର ଖେଳରେ ଓସ୍ତାଦ। ଆଉ କାହାକୁ ନ କହିଲେ ବି ଏ ନାତିକୁ ଆପଣ କହି ଆସିଛନ୍ତି ନିଜ ହସୁଆଳ ଜୀବନ ଅନ୍ତରାଳରେ ସାଇତା ଯାବତ ଘନଘଟା! ଜାଣେ, ଦୁଃଖ ଦୈନ୍ୟ ରୋଗ ଶୋକାଦି ରୂପେ ସମୟ ପ୍ରେରିତ ପ୍ରଖର ପେସ୍ ବୋଲିଂ ଓ ସୁଚତୁର ସ୍ପିନ୍ ବୋଲିଂଙ୍କୁ କେମିତି ମାତ୍ କରି କରି ଆପଣ କ୍ରିଜ୍‌ରେ ରହି ଆସିଛନ୍ତି। ବରଂ ଆପଣଙ୍କ ଟିକେଟ କେବେ ବି କନ୍‌ଫର୍ମ ନ ହେଉ, ଏଇଆ କହିବି ମୁଁ। ତେବେ ଆଜି କ’ଣ କେବଳ ଏମିତିଆ କଥା ହିଁ କହିବେ? ସବୁଥର ପରି ମଜା କରିବେନି ?

ତ’ ଏଥର ମାମା ହଠାତ୍ ତାଜା ହୋଇଗଲେ। କହିଲେ: ଆରେ ହେ ସତିଆ, ଶୁଣ୍ ସେ ଦିନର କଥା। ମୋ ଭଳିଆ ଅବସରପ୍ରାପ୍ତ ପୁଲିସ ଅଫିସରମାନଙ୍କର ପ୍ରତି ବର୍ଷ ଗୋଟେ କନ୍‌ଫରେନ୍‌ସ ହୁଏ। ଏ ବର୍ଷ ଏ ମହାମାରୀ ଲାଗି ଆମର ଇ-ମିଟ୍ ହୋଇଥିଲା। ସବୁଠୁ ବୟୋଜ୍ୟେଷ୍ଠ ବୋଲି ସେଇଠି ମୋତେ ସବୁଠାରୁ ତରୁଣ ବୋଲି ଡାକନ୍ତି। ସମସ୍ତଙ୍କ ଅନୁରୋଧରେ ମୁଁ ହିଁ ପ୍ରଥମେ ଯେମିତି ‘ହେ ମୋ ସଢୁ ଭାଇମାନେ’ ବୋଲି କହି ବକ୍ତବ୍ୟ ସୁରୁ କଲି, ସଭିଏଁ ଚମକି ଉଠିଲେ। ତୁ ବି ଚମକି ଗଲୁ କି? ଶୁଣ, ତେବେ। ଆରେ ବାବୁ, ତୋ ଆଈ ମାଇଁ ସିନା ମୋତେ ଏକଲା କରି କୋଡ଼ିଏ ବର୍ଷ ହେଲା ଚାଲି ଯାଇଛି, ହେଲେ ସିଏ ଥିଲେ ତାକୁ ମୋ ସହକର୍ମୀଙ୍କ ପତ୍ନୀଏ ଅପା କି ନାନୀ ଆଦି ବୋଲି ଡାକିଥାନ୍ତେ ନା ନାଇଁ? ତେବେ ସେଇ ଭଦ୍ରମହିଳାଏ ମୋ ଶାଳୀ ରତନ ଓ ମୁଁ ସେମାନଙ୍କ ଭିଣୋଇ ରାଜା ହେଲି ନା ନାଇଁ?

ଏତେବେଳେ ଯାଇ ମାମାଙ୍କ ଏ ରସାଳ କଥା ସମଝି ପାରିଲା ସତ୍ୟେନ୍ଦୁ। ହୋ ହୋ ହସି କହି ଉଠିଲା: ଆପଣ ନା ମାମା, ଏ ଦୁଃସମୟରେ ବି ସତରେ କେତେ ମଜାଦାର! ତେଣୁ ଘାତପ୍ରତିଘାତରୂପୀ ଦୁର୍ଦ୍ଧର୍ଷ ବୋଲର୍ମାନେ ଆସୁଥିବେ ଓ ଯାଉଥିବେ ସିନା, ଆପଣ ଏଇମିତି ଜୀବନର କ୍ରିଜ୍‌ରେ ଜରୁର୍ ରହିଥିବେ।

ସତ୍ୟେନ୍ଦୁର କଥାରେ ‘ମୁଁ ପରା ନାଇଣ୍ଟି ଫାଇଭ୍ ନଟ୍ ଆଉଟ୍’ ବୋଲି ତାଙ୍କ ଚିରାଚରିତ ଢଙ୍ଗରେ ମାମା ଘୋଷଣା କରନ୍ତେ ସତ୍ୟେନ୍ଦୁ ବି ସଙ୍ଗେ ସଙ୍ଗେ କହି ଉଠିଲା: ଏମିତି ହସର ହେଲିକପ୍ଟର ସଟ୍‌ମାନ ମାରି ଚାଲିଥାନ୍ତୁ ମାମା! ସେଞ୍ଚୁରିକୁ ପଛରେ ପକାଇ ମାଡ଼ି ଚାଲନ୍ତୁ!

“ସୁହାସିତମ୍”, କସ୍ତୁରୀ ନଗର
ରାୟଗଡ଼ା: ୭୬୫୦୦୧