ସାପକୁ ନେଇ ଅନ୍ଧବିଶ୍ବାସ

ବନ୍ୟ ପ୍ରାଣୀ ଆଲୋଚନା - ସ˚ଗ୍ରାମ କେଶରୀ ରାଉତ

ନିକଟରେ ଏକ ସାପ କାମୁଡ଼ା ଓ ଏବ˚ ସେହି ସାପର ବିଷ ଝାଡ଼ିବାରେ ଗୁଣିଆର କାର୍ଯ୍ୟକୁ ନେଇ ରୋଚକ ଖବରଟିଏ ପ୍ରକାଶ ପାଇଥିଲା। ଏଭଳି ଘଟଣା ଆମ ରାଜ୍ୟ ବା ଦେଶରେ ନୂଆ ନୁହେଁ। କେଉଁଠି କେଉଁଠି ସାପ କାମୁଡ଼ିଲେ ସାପ କାମୁଡ଼ା ସ୍ଥାନରେ ଏସିଡ୍ ପକାଇ ଦିଅନ୍ତି, ବ୍ଲେଡ୍‌ରେ କାଟି ରକ୍ତକୁ ପାଟି ଲଗାଇ ଶୋଷନ୍ତି, ନିଆଁର ଚେଙ୍କ ଲଗାନ୍ତି, ରସି ବା ତାରରେ ଟାଇଟ୍‌ କରି ବାନ୍ଧି ପକାନ୍ତି, ଜାରି ମହୁରା ଲଗାନ୍ତି, ଗଦ ଖାଇବାକୁ ଦିଅନ୍ତି, ମନ୍ତୁରା ଲୁଣ ଖାଇବାକୁ ଦିଅନ୍ତି, ମନ୍ତୁରା ଖପରା ଆଣି କ୍ଷତ ସ୍ଥାନରେ ଲଗାଇ ରଖନ୍ତି, ମହାଦେବଙ୍କ ପାଦୁକ ପାଣି ପିଆନ୍ତି ଇତ୍ୟାଦି। କିନ୍ତୁ ବିପଜ୍ଜନକ କଥା ହେଲା ଏଭଳି କାର୍ଯ୍ୟରେ ସେହି ସମୟରେ ବହୁ ମୂଲ୍ୟବାନ କ୍ଷଣ ନଷ୍ଟ ହୋଇଯାଏ ଏବ˚ ସାପ କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତି ପ୍ରାଣ ହରାଇଥାଏ।

ଗାଁ ଗହଳିରେ ସାପ କାମୁଡ଼ିଲେ ଗୁଣିଆ ପାଖକୁ ନେଇଯିବା ଏକ ସାଧାରଣ କଥା। ଗୁଣିଆ ବିଷ ଝଡ଼ା ଫୁଙ୍କା କରନ୍ତି। ଏ ମୋବାଇଲ ଯୁଗରେ ଏହା ବି ଦେଖାଗଲାଣି ଯେ ଅନେକ ସ୍ଥାନରେ ଗୁଣିଆ ଟେଲିଫୋନରେ ବିଷ ଝାଡୁଛନ୍ତି। ଏହି ଲେଖକ ଦେଖିଛି ଯେ ପୁରୀ ଜିଲ୍ଲାର ଏକ ଗ୍ରାମରେ ସାପ କାମୁଡ଼ିଛି ବୋଲି ଗୁଣିଆଙ୍କୁ ଡାକିବାକୁ ଆସିଥିବା ବା ଗୁଣିଆଙ୍କୁ ଖବର ଦେଉଥିବା ବ୍ୟକ୍ତିଙ୍କ ଗାଲକୁ ଗୁଣିଆ ମହାଶୟ ଶକ୍ତ ଚାପୁଡ଼ା ମାରି ଦାବି କରିଥାଆନ୍ତି ଯେ ଏହା ବଳରେ କାମୁଡ଼ା ଖାଇଥିବା ଲୋକର ବିଷ ଝଡ଼ିଯିବ। ଆଉ ଏକ ଘଟଣାରେ ଜଣେ ଗୁଣିଆ ଦାବି କରୁଥିଲେ ଯେ ଯେଉଁ ସାପ କାମୁଡ଼ିଛି ତାକୁ ଯଦି ଅଣାଯିବ, ତେବେ ସେ ଏମିତି ଗୁଣି କରିବେ ଯେ ସେହି ସାପ ଯାଇ କ୍ଷତରୁ ବିଷ ଶୋଷିବ ଏବ˚ ଲୋକ ସୁସ୍ଥ ହୋଇଯିବ। ଏହି ଲେଖକର ଜାଣିବାରେ ଏଭଳି ଏକ ଘଟଣାରେ ବିଷଧର ସାପଟିକୁ ଧରି ଗୋଟିଏ ହାଣ୍ତି ଭିତରେ ପୂରାଇ ଲୋକେ ଗୁଣିଆଙ୍କ ପାଖରେ ପହଞ୍ଚିଲେ। କିନ୍ତୁ ସାପଟି ଗୁଣିଆଙ୍କ ଆଦେଶ ମାନିବାକୁ ପ୍ରସ୍ତୁତ ନ ଥିଲା। ସୁତରା˚, ଗୁଣିଆ କହିଲେ ଯେ ଲୋକମାନେ ଭୁଲ ସାପକୁ ନେଇ ଆସିଛନ୍ତି। ଅନ୍ୟଥା ମନ୍ତ୍ର ବେକାର ଯାଇ ନ ଥାଆନ୍ତା। କହିବା ଅନାବଶ୍ୟକ ଯେ ସାପ କାମୁଡ଼ାର ଶିକାର ହୋଇଥିବା ଲୋକଟିର ମୃତ୍ୟୁ ହେଲା।

ସାପକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। ପୁଣି ବଡ଼ କଥା ହେଲା ଏ ସବୁ ଧାରଣା ଅନେକ ସିନେମା ଓ ଟେଲିଭିଜନ ଧାରାବାହିକ ଦ୍ବାରା ପ୍ରସାରିତ ହେଉଛି। ଉଦାହରଣ ସ୍ବରୂପ ସାପ ତା ନିଜ ଆଖିରେ ଫଟୋ ଉଠାଏ। ତେଣୁ କୌଣସି ସାପକୁ ଯଦି କେହି ମାରେ ତେବେ ତାର ସାଥୀ ସର୍ପିଣୀ ନିଜ ଆଖି କ୍ୟାମେରାରେ ଉଠାଇଥିବା ଫଟୋ ଅନୁସାରେ ଖୋଜି ଖୋଜି କାମୁଡ଼େ ଓ ପ୍ରତିଶୋଧ ନିଏ। ସେମିତି ଆଉ ଗୋଟିଏ ଭୁଲ ଧାରଣା ଯେ ସାପ କୁଆଡ଼େ କ୍ଷୀର ପିଇଥାଏ ଏବ˚ ସେଥିପାଇଁ ସେ ମହାଦେବ ମନ୍ଦିରରେ ବାସ କରେ। କେହି କେହି ଆଖି ଛୁଇଁ କହନ୍ତି ଯେ ଗାଈର ପହ୍ନାରୁ ସାପ କ୍ଷୀର ପିଉଥିବା କଥା ସେମାନେ ନିଜ ଆଖିରେ ଦେଖିଛନ୍ତି। ଏ ସବୁ ଭୁଲ ତଥ୍ୟ। ସେମିତି କେଳାମାନେ ବଜାଉଥିବା ପେଁକାଳିର ଏକ ବିଶେଷ ସ୍ବରରେ ତାଳ ଦେଇ ସାପ ନାଚିଥାଏ ବୋଲି ଧାରଣାଟି ମଧୢ ଭୁଲ। ସତ କହିଲେ ସାପ ଆମ ଭଳି କାନରେ ଶୁଣି ନ ଥାଏ। ତାର କାନ ଇ ନାହିଁ। ସେ ଚମରେ ଶୁଣେ ଏବ˚ ଭୂମିର କ˚ପନରୁ ସେ କୌଣସି ଆଗନ୍ତୁକ ବିଷୟରେ ଜାଣିପାରେ।

ସାପର ରକ୍ତ ଶୀତଳ। ତେଣୁ ଗ୍ରୀଷ୍ମ ଦିନେ ସାପଗୁଡ଼ିକ ‘ହାଇବରନେସନ୍‌’ ବା ଦୀର୍ଘକାଳୀନ ନିଷ୍କ୍ରିୟତାରେ ରହନ୍ତି। ଏପରିକି ଅନେକ ସାପ ଖାଦ୍ୟ ପଛରେ ନ ଦୌଡ଼ି ଭୋକିଲା ରହନ୍ତି। ବର୍ଷା ଋତୁ ପ୍ରାରମ୍ଭରେ ସେମାନେ ସକ୍ରିୟ ହୋଇ ଉଠନ୍ତିି ଏବ˚ ଭୋକରେ ଥିବାରୁ ବେଙ୍ଗ ବା ମୂଷାଙ୍କ ପିଛା କରି ଘର ଭିତରକୁ ପଶନ୍ତି ଓ ଅନ୍ଦିସନ୍ଧିରେ ଲୁଚି ରହନ୍ତି। ତେଣୁ କେତେକ ସତର୍କତା ଅବଲମ୍ବନ କରାଯିବା ଉଚିତ। ଘରର ଝରକା ଠାରୁ ଫୁଲକୁଣ୍ତ ବା ଜାଳେଣି କାଠ ବା କୃଷି ସରଞ୍ଜାମ ଆଦିକୁ ଦୂରେଇ ରଖାଯିବା ଉଚିତ। ଘରକୁ ଅବଲମ୍ବନ କରି ଲଟା ବଢ଼ାଇବା ଅନୁଚିତ। ଖଟରେ ଶୋଇବା ଓ ମଶାରି ବ୍ୟବହାର କରିବା ଅବଶ୍ୟ ନିରାପଦ। ଗାଁ ଗହଳିରେ ସନ୍ଧ୍ୟାରେ ଧୂଆଁ ଦେବାର ଅଭ୍ୟାସ ସାପକୁ ଦୂରେଇ ରଖିବ। ଘରକୁ କଡ଼ା ଫିନାଇଲରେ ପୋଛାଯିବା ଦରକାର। ଘର ଚାରିପଟରେ ବ୍ଲିଚି˚ ପକାଇଲେ ସାପମାନେ ଘର ଠାରୁ ଦୂରେଇ ରହନ୍ତି। ସାପ ଏକ ଡରୁଆ ପ୍ରାଣୀ। ଏହା କୃଷକର ସାଥୀ। ସାପ ବିଷରୁ ବହୁତ ଜୀବନ ରକ୍ଷାକାରୀ ଔଷଧ ତିଆରି ହୋଇଥାଏ। କିନ୍ତୁ ସେହି ବିଷ ହେତୁ ସାପ ମଣିଷର ଶତ୍ରୁ ପାଲଟିଛି। ଯଦି ଆମେ ସତର୍କ ରହି ସାପ କାମୁଡ଼ାର ପ୍ରତିଟି କ୍ଷଣକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରି ରୋଗୀକୁ (ନ ଚଲାଇ) ଆମ୍ବୁଲାନ୍‌ସ କିମ୍ବା ଗାଡ଼ିରେ ବା ବୋହି କରି ନିକଟତମ ଡାକ୍ତରଖାନାରେ ନେଇ ଯାଆନ୍ତେ ତେବେ ତୁରନ୍ତ ଚିକିତ୍ସା ପ୍ରାଣରକ୍ଷାକାରୀ ହୋଇପାରନ୍ତା। ଅଧିକା˚ଶ ସାପ ବିଷହୀନ। ସେମାନେ କାମୁଡ଼ିଲେ ପ୍ରାଣ ଯିବାର ଭୟ ନ ଥାଏ।

କିଛି ବର୍ଷ ତଳର କଥା, ଏହି ଲେଖକ ଜଣେ ବିଶ୍ବ ବିଖ୍ୟାତ ଜୀବ ବିଜ୍ଞାନୀଙ୍କ ସହିତ ରାଜଧାନୀ ନିକଟସ୍ଥ ଏକ ସାପୁଆ କେଳା ଗ୍ରାମକୁ ଯାଇଥିଲା। ସାପ ବିଷରୁ ରକ୍ଷା କରିବା ଲାଗି ଗଦ ଓ ଡେଉଁରିଆର କାମ କ’ଣ ବୋଲି ଜୀବ ବିଜ୍ଞାନୀ ବାରମ୍ବାର ଓ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିବାରୁ ଜଣେ ବୃଦ୍ଧ କେଳା କହିଲେ- ‘ବାବୁ, କାହିଁକି ଏତେ ପଚାରୁଛ? ରାଜା ଖାଏ ଡରାଇ, କେଳା ଖାଏ ଭଣ୍ତାଇ।’ ତେଣୁ ସ˚କଟ କାଳରେ ଗୁଣିଆଙ୍କ ପାଖକୁ ଯିବା ଉଚିତ ନା ଡାକ୍ତରଖାନା, ତାହା ଆପଣମାନେ ବିଚାର କରନ୍ତୁ।

(ମତାମତ ସଂପୂର୍ଣ୍ଣ ବ୍ୟକ୍ତିଗତ)
ମୋ: ୯୪୩୭୮୧୮୨୩୩

ସମ୍ବନ୍ଧିତ ଖବର