ଜୟ ହୋ ପଣ୍ଡିତ ଜୀ!

ଶ୍ରଦ୍ଧାଞ୍ଜଳି - ଧନଦାକାନ୍ତ ମିଶ୍ର

ଏହି ଖବରକୁ ବିଶ୍ବାସ କରିବା କଷ୍ଟକର ଥିଲା। ସଙ୍ଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଆଉ ନାହାଁନ୍ତି। ଭାରତୀୟ ଶାସ୍ତ୍ରୀୟ ସଂଗୀତର ସର୍ବଶ୍ରେଷ୍ଠ ଓ ବୟୋଜ୍ୟେଷ୍ଠ ପ୍ରତିଭା ଦୁନିଆର ଅନ୍ୟ ପାର୍ଶ୍ୱକୁ ଯାଇଛନ୍ତି, ଯେଉଁଠାରେ ସେ କେବଳ ଭଗବାନଙ୍କ ପାଇଁ ଗୀତ ଗାଇ ପାରିବେ। ଜଣେ ଗନ୍ଧର୍ବ ଅବତାର, ସେ ବର୍ତ୍ତମାନ ତାଙ୍କର ସମସ୍ତ ଉପନିଷଦ, ସ୍ତୁତି, ଶ୍ଳୋକ, ମୀରାବାଇ, ତୁଳସୀ ଏବଂ ସୁର ଦାସ ଆଦିଙ୍କ ଭଜନ ସ୍ବର୍ଗରେ ହିଁ ଗାନ କରିବେ। ଆମେ ମର୍ତ୍ତ୍ୟରେ କେବଳ ତାଙ୍କ ସ୍ମୃତି ସହିତ ରହିଯିବା ଏବଂ ତାଙ୍କୁ ଜୀବନ୍ତ କରି ରଖିବା ପାଇଁ ତାଙ୍କ ନୈସର୍ଗିକ ସଙ୍ଗୀତର ରେକର୍ଡିଂ ହିଁ ଆମକୁ ସାନ୍ତ୍ବନା ଦେବ। ଜଳବାୟୁ ବିପର୍ଯ୍ୟୟ ଏବଂ କରୋନା ମହାମାରୀର ଶିକାର ହୋଇ ଦୁନିଆରେ ଅଗଣିତ ମଣିଷ ଯନ୍ତ୍ରଣା ଭୋଗୁ ଥିବା ବେଳେ ଐଶ୍ୱରୀୟ ଅନୁଭୂତି ହାସଲ କରିବାରେ ତାଙ୍କର ସେହି କାଳଜୟୀ ସଙ୍ଗୀତ ହିଁ ସାହାଯ୍ୟ କରିବ। ସେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛନ୍ତି ଏବଂ ତାଙ୍କର ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଆଜି ଦୁଃଖରେ ଭାଙ୍ଗି ପଡ଼ିଛି। କିନ୍ତୁ ସେ ନିଶ୍ଚୟ ଚାହିଁବେ ଯେ ଆମେ ତାଙ୍କ ବିୟୋଗରେ ଶୋକ ପରିବର୍ତ୍ତେ ତାଙ୍କ ପ୍ରେରଣାଦାୟୀ ଜୀବନ ଏବଂ ଅମର ସଙ୍ଗୀତକୁ ଉତ୍ସବ ପରି ପାଳନ କରିବା। ସେ ମଧ୍ୟ ଜୀବନର ଶେଷ ପର୍ଯ୍ୟନ୍ତ ଗାଇ ଚାଲିଥିଲେ ଏବଂ ପ୍ରଭୁଙ୍କ ଭକ୍ତିରେ ବୁଡ଼ି ରହିଥିଲେ। ତାହା ହିଁ ତାଙ୍କ ଜୀବନର ଶେଷ ଏବଂ ସର୍ବଶ୍ରେଷ୍ଠ ନିଦର୍ଶନ।

ତାଙ୍କ ଜୀବନ ଏକ ପରିପୂର୍ଣ ଜୀବନ ଥିଲା। ଜଣେ ସଂଗୀତଜ୍ଞ ଯାହା ଚାହିଁପାରେ ସବୁ କିଛି ସେ ହାସଲ କରିଯାଇଛନ୍ତି। ସମଗ୍ର ବିଶ୍ୱରେ ସେ ସୁନାମ ଅର୍ଜନ କରିଥିଲେ। ଆମ ଦେଶରେ ପଦ୍ମଭୂଷଣ ପର୍ଯ୍ୟନ୍ତ ସବୁ ସମ୍ମାନ ତାଙ୍କୁ ମିଳିସାରିଥିଲା। ତାଙ୍କର ବହୁ ଛାତ୍ର/ଛାତ୍ରୀ ସୁପ୍ରତିଷ୍ଠିତ ଏବଂ ମେୱାତି ଘରାନାର ଭବିଷ୍ୟତ ସୁରକ୍ଷିତ। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ଏବଂ ଗତ କିଛି ମାସ ଧରି ଆମେରିକାର ନ୍ୟୁଜର୍ସିରେ ଥିଲେ। ସେ ଅଗଷ୍ଟ ୧୮ରେ ଶେଷନିଃଶ୍ୱାସ ତ୍ୟାଗ କଲେ। ୨୮ ଜାନୁଆରି ୧୯୩୦ରେ ହରିୟାଣାର ହିସାରରୁ ଆରମ୍ଭ ହୋଇଥିବା ଏକ ଅନନ୍ୟ ଜୀବନ ଯାତ୍ରା ଏହାର ଶାରୀରିକ ଅବସାନରେ ସମାପ୍ତ ହୋଇଯାଇଥିଲା। ସେ ତାଙ୍କର ଅତୁଳନୀୟ ସଙ୍ଗୀତ ଏବଂ ଚମତ୍କାର ଉତ୍ତରାଧିକାରୀମାନଙ୍କ ମାଧ୍ୟମରେ ସବୁଦିନ ପାଇଁ ବଞ୍ଚି ରହିବେ। ସ୍ପିକ ମାକେ (SPIC MACAY, ସୋସାଇଟି ଫର ଇଣ୍ଡିଆନ୍ କ୍ଲାସିକାଲ୍ ମ୍ୟୁଜିକ୍ ଆଣ୍ଡ୍ କଲଚର୍ ଇନ୍ ୟୁଥ୍) ଠାରୁ ମୁଁ ପାଇଥିବା ଅନେକ ଅନୁଭୂତି ମଧ୍ୟରେ ପଣ୍ଡିତ ଯଶରାଜଜୀଙ୍କ ପରି ମହାନ ଜ୍ଞାନଦୀପ୍ତ ଆତ୍ମାଙ୍କୁ ଜାଣିବାର ସୌଭାଗ୍ୟ ଅନନ୍ୟ ଥିଲା। ୧୯୯୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପଢ଼ିବା ବେଳେ ସ୍ପିକମାକେ ଦ୍ବାରା ଆୟୋଜିତ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ତାଙ୍କର ଗାୟନ ଶୁଣିବାର ସୁଯୋଗ ପାଇଥିବା ଯୋଗୁଁ ମୁଁ ଭାରତୀୟ ଶାସ୍ତ୍ରୀୟ କଣ୍ଠ ସଂଗୀତକୁ ଭଲ ପାଇବାକୁ ଲାଗିଲି। ତାଙ୍କର ମଧୁରାଷ୍ଟକମ ହେଉ କିମ୍ବା କୃଷ୍ଣ ଭଜନ; ଏପରି ଭକ୍ତି ସହିତ ସେ ଗାନ କରିଥା’ନ୍ତି ଯେ ଆତ୍ମାକୁ ଛୁଇଁଯାଏ। ତେଣେ ରାଗ ଜୟଜୟବନ୍ତୀରେ ‘ଚନ୍ଦ୍ର ବାଦାନ ରାଧିକା’ ଶୃଙ୍ଗାର ରସରେ ନିମଜ୍ଜିତ କଳା ବେଳେ କିମ୍ବା ରାଗ ଆଦାନାରେ ନିବଦ୍ଧ ‘ମାତା କାଳିକା’ ତାଙ୍କର ଗୁଣମୁଗ୍‌ଧ ଶ୍ରୋତାମାନଙ୍କ ଉପରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଥାଏ।

୧୯୮୯ ମସିହାରେ ମୁଁ ଓକ୍ଲାହୋମା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ପହଞ୍ଚିଥିଲି। କାଲିଫର୍ନିଆରେ ଅବସ୍ଥାପିତ ରାଓ ରୋହିତ ସିଂହଙ୍କ ଉଦ୍ୟମ ଯୋଗୁଁ ସ୍ପିକମାକେ ସେତେବେଳକୁ ଆମେରିକାରେ ଆରମ୍ଭ ହେଉଥାଏ। କୌଣସି ପ୍ରକାରେ ମୁଁ ରୋହିତ ଭାଇଙ୍କୁ ସମ୍ପର୍କ କରିଥିଲି ଏବଂ ଚାହୁଁଥିଲି ଯେ ସେ ଓକ୍ଲାହୋମା ବିଶ୍ବବିଦ୍ୟାଳୟର ସ୍ପିକମାକେ ଶାଖାର ଉଦ୍‌ଘାଟନ କାର୍ଯ୍ୟକ୍ରମ ପାଇଁ ଜଣେ ପ୍ରସିଦ୍ଧ କଳାକାରଙ୍କୁ ଯୋଗାଡ଼ କରନ୍ତୁ। ଯେତେବେଳେ ରୋହିତ ଭାଇ କହିଲେ ଯେ ସେଥିପାଇଁ ପଣ୍ଡିତ ଯଶରାଜ ଆସିବେ, ଆମେ ଆଶ୍ଚର୍ଯ୍ୟ! ଆମ ପାଖରେ ଟଙ୍କା ନ ଥିଲା, କିନ୍ତୁ ଆମ ପାଖରେ ଏପରି ଏକ ନାମ ଥିଲା ଯାହା ଆମକୁ ଉତ୍ସାହରେ ଭରି ଦେଇଥିଲା। ଆମେ କାମ କରିବାକୁ ଯାଇ ଟେଲିଫୋନ୍ ଡିରେକ୍ଟୋରିରୁ ସମସ୍ତ ଭାରତୀୟ ଲାଗୁଥିବା ନାମଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କଲୁ। କ୍ୟାମ୍ପସରେ ଅନେକ କଲ୍ ଏବଂ ବହୁ ପ୍ରଚାର ପରେ (ସେତେବେଳେ କୌଣସି ସୋସିଆଲ୍ ମିଡିଆ ନଥିଲା), ଆମର ପ୍ରଥମ ସଫଳ କନସର୍ଟ ହୋଇଥିଲା ଏବଂ ସ୍ପିକମାକେ ସହିତ ମୋର ଦୀର୍ଘ ଯାତ୍ରା ଏବଂ ପଣ୍ଡିତଜୀଙ୍କ ସହିତ ଆଜୀବନ ସମ୍ପର୍କ ଆରମ୍ଭ ହେଲା।

୧୯୯୧ରେ, ମୁଁ ମୋର ପିଏଚ୍‌ଡି ପାଇଁ ଆନ୍ଆର୍ବର୍ ସ୍ଥିତ ମିଚିଗାନ୍ ୟୁନିଭରସିଟିକୁ ଯାଇଥିଲି ଏବଂ ଆମେ ଡେଟ୍ରଏଟ୍ ବିମାନବନ୍ଦରରେ ପଣ୍ଡିତଜୀଙ୍କୁ ଭେଟିବାକୁ ଯାଇଥିଲୁ। ଯେତେବେଳେ ପଣ୍ଡିତଜୀ ଅନେକ ଧନାଢ଼୍ୟ ଗୁଣଗ୍ରାହୀ ବ୍ୟକ୍ତିମାନଙ୍କ ଆବାସକୁ ଯିବା ପରିବର୍ତ୍ତେ ଆମ ଛାତ୍ରାବାସକୁ ଆସିବାକୁ ପସନ୍ଦ କଲେ। ତାଙ୍କର ଅନେକ ‘କୋଟିପତି’ ପ୍ରଶଂସକ ଥିଲେ। କିନ୍ତୁ ସେ ସ୍ପିକମାକେର ଯୁବଛାତ୍ର ସ୍ବେଚ୍ଛାସେବୀମାନଙ୍କୁ ଅଧିକ ପସନ୍ଦ କଲେ। ପଣ୍ଡିତଜୀଙ୍କ କିଛି ଦିନ ମୋର ଛାତ୍ରାବାସରେ ଆମ ସାଙ୍ଗରେ ରହିବା ମୋ ଜୀବନର ଏକ ସବୁଠାରୁ ସ୍ମରଣୀୟ ସ୍ମୃତି। ଆମର ସମସ୍ତ ସୀମିତ ଦକ୍ଷତା ଓ ସମ୍ବଳକୁ ଲଗାଇ ତାଙ୍କର ସମସ୍ତ ସେବା କରିବା, ତାଙ୍କ ରିୟାଜ୍ ଶୁଣିବା, ସଙ୍ଗୀତ ବିଷୟରେ ଆଲୋଚନା କରିବାରେ ସମୟ ବିତୁଥିଲା। ତାଙ୍କ ଜୀବନଯାତ୍ରା ଆମକୁ ବହୁଭାବରେ ପ୍ରଭାବିତ କରିଥିଲା। ଯେତେବେଳେ ଆମେ ତାଙ୍କୁ ୨୦୧୬ ମସିହାରେ ଭୁବନେଶ୍ବରର ଇନ୍ଦିରା ଗାନ୍ଧୀ ପାର୍କରେ ସଙ୍ଗୀତ ପରିବେଷଣ କରିବା ଶୁଣିଲୁ, ସେଦିନ ମୋର ଏକ ବଡ଼ ସ୍ୱପ୍ନ ସାକାର ହୋଇଥିଲା। କେହି କେହି କୁହନ୍ତି ଯେ ସେଦିନ ଓଡ଼ିଶାରେ ଏକ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ସବୁଠାରୁ ବଡ ଭିଡ଼ ଜମା ହୋଇଥିଲା!

ସେ ଦୀର୍ଘ ସମୟ ଧରି ସ୍ପିକମାକେ ଆନ୍ଦୋଳନର ଚେହେରା ଥିଲେ। ମୋତେ ସବୁବେଳେ ପ୍ରେରଣା ଦେଉଥିବା କାହାଣୀମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଯେଉଁଥିରେ ସ୍ପିକମାକେର ପ୍ରତିଷ୍ଠାତା କିରଣ ସେଠ ପଣ୍ଡିତ ଯଶରାଜଙ୍କ ସହ ପଞ୍ଜାବର ଅନେକ ସହରରେ ଓ ଗୁରୁଦ୍ୱାରାମାନଙ୍କରେ କାର୍ଯ୍ୟକ୍ରମ କରୁଥିଲେ, ଯେତେବେଳେ ଖାଲିସ୍ଥାନୀ ବିଚ୍ଛିନ୍ନତାବାଦୀମାନେ ଆତଙ୍କବାଦ ଚଳାଇଥାନ୍ତି।

ତାଙ୍କ ସୃଷ୍ଟି ଓ ମୋର ଅନ୍ୟତମ ପ୍ରିୟ ରାଗ ହେଉଛି ରାଗ ଭୈରବ- ‘ମେରୋ ଆଲ୍ଲା ମେହେରବାନ୍’, ଯାହା ବିଷୟରେ ଜଣେ ଉତ୍ସାହୀ ଶ୍ରୋତା ୟୁଟ୍ୟୁବରେ କୁହନ୍ତି, ‘ଆଲ୍ଲା ଏବଂ ଓମ୍‌କୁ ମିଶାଇ ପଣ୍ଡିତଜୀ ନିଜ ଅମୂଲ୍ୟ ଢଙ୍ଗରେ ସଂଗୀତର ଶକ୍ତି ପ୍ରତିଷ୍ଠା କରିଛନ୍ତି। ସଂକୀର୍ଣ୍ଣ ଧର୍ମର ଅନାବଶ୍ୟକ ସୀମା ଯାହା ମଣିଷକୁ ବିଚ୍ଛିନ୍ନ କରିଥାଏ, ତାକୁ ଭାଙ୍ଗିବାରେ ସଙ୍ଗୀତ ହିଁ ସକ୍ଷମ।’ ମୋର ମନେ ଅଛି, ଯେତେବେଳେ ସେ ଆମ ସାଙ୍ଗରେ ଆନ୍ଆର୍ବର ଛାତ୍ରାବାସରେ ରହୁଥିଲେ। ଥରେ ତାଙ୍କୁ ପଚାରିଥିଲି କି ସେ ତାଙ୍କ ସଙ୍ଗୀତ ମାଧ୍ୟମରେ ଭଗବାନଙ୍କୁ ଦେଖି ପାରିଛନ୍ତି କି? ସେ କହିଥିଲେ ‘ହଁ।’ ନିଜ ରିୟାଜର ଶିଖରରେ କିମ୍ବା କାର୍ଯ୍ୟକ୍ରମର କୌଣସି ବିଶେଷ ମୁହୂର୍ତ୍ତରେ ସେ ଭଗବତ ସତ୍ତାର ଝଲକ ପାଇଥାନ୍ତି। କିନ୍ତୁ ଏହା ଏକ କ୍ଷଣିକ ଅନୁଭୂତି ହୋଇଥାଏ।

ଗଲା ଜୁନ୍ ମାସରେ ହିଁ ସେ ସ୍ପିକମାକେର ଅନୁଭବ ସିରିଜରେ ଅନଲାଇନରେ ଭାଗ ନେଇଥିଲେ। ତାଙ୍କର ପରଲୋକ ଭାରତୀୟ ସଙ୍ଗୀତ ଜଗତ୍‌ରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଦେବ। କିନ୍ତୁ ମୋର କୌଣସି ସନ୍ଦେହ ନାହିଁ ଯେ ସେ ଯେଉଁଠାରେ ଥାଆନ୍ତୁ ନା କାହିଁକି, ସେ ଆମକୁ ଆଶୀର୍ବାଦ କରୁଥିବେ ଏବଂ ଚାହୁଁଥିବେ ଯେ ତାଙ୍କ ଶାରୀରିକ ଅନୁପସ୍ଥିତିରେ ଶୋକ କରିବା ଅପେକ୍ଷା ଆମେ ତାଙ୍କ କାର୍ଯ୍ୟ ଏବଂ ସଙ୍ଗୀତର ଉତ୍ସବ ପାଳନ କରିବା। ଶାନ୍ତିରେ ବିଶ୍ରାମ କର ପଣ୍ଡିତ ଜୀ!

[email protected]

ସମ୍ବନ୍ଧିତ ଖବର