କ୍ଷମା ପ୍ରାର୍ଥନାରେ ଭୁଲ୍‌ କେଉଁଠି?

ଯୋଗେନ୍ଦ୍ର ଯାଦବ

‘କ୍ଷମା ପ୍ରାର୍ଥନାରେ ଭୁଲ୍‌ କେଉଁଠି?’ ଇତି ମଧ୍ୟରେ ପ୍ରସିଦ୍ଧ ହୋଇସାରିଥିବା ଏହି ପ୍ରଶ୍ନ, ଗତ ସପ୍ତାହରେ ସୁପ୍ରିମ୍‌ କୋର୍ଟ‌୍‌ର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର, ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ପଚାରିଥିଲେ। ମିଳିଥିବା ଖବର ଅନୁଯାୟୀ ଜଷ୍ଟିସ୍‌ ମିଶ୍ର ଏହା ମଧ୍ୟ କହିଥିଲେ, ‘କ୍ଷମା ଏକ ଯାଦୁକରୀ ଶବ୍ଦ’ ଏବ˚ ପ୍ରଶାନ୍ତ ଭୂଷଣଙ୍କୁ ଏହି ଆଶ୍ବାସନା ମଧ୍ୟ ଦେଇଥିଲେ, କ୍ଷମା ମାଗିଲେ ସେ ମହାତ୍ମା ଗାନ୍ଧୀଙ୍କ ସ୍ତରକୁ ଉନ୍ନୀତ ହୋଇଯିବେ। ତେବେ, କ୍ଷମା ମାଗି ‘ମହାପୁରୁଷ’ ସ୍ତରକୁ ଉନ୍ନୀତ ହେବା କଥା, ପ୍ରଶାନ୍ତ ଭୂଷଣଙ୍କ ଓକିଲଙ୍କୁ ପ୍ରଲୁବ୍‌ଧ କରିପାରି ନ ଥିଲା। ତାଙ୍କୁ ଉଦାସୀନ ରହିବା ଦେଖି ଖଣ୍ତପୀଠର ଅନ୍ୟ ବିଚାରପତି ଜଷ୍ଟିସ୍‌ ବିଆର‌୍‌ ଗଵଇ ମୁହଁ ଖୋଲିଥିଲେ ଏବ˚ କହିଥିଲେ- ମହାତ୍ମା ଗାନ୍ଧୀ କେବଳ ନିଜ ପାଇଁ ନୁହେଁ ଅନ୍ୟର ଭୁଲ୍‌ ପାଇଁ ମଧ୍ୟ କ୍ଷମା ମାଗିପାରୁଥିଲେ।

ଜଷ୍ଟିସ୍‌ ଗଵଇଙ୍କ ପ୍ରସ୍ତାବ ଉପରେ ପ୍ରଶାନ୍ତ ଭୂଷଣ ବା ତାଙ୍କର ଓକିଲ ରାଜୀବ ଧଵନ କେଉଁ ଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଆମେ ଜାଣୁନା। ସେହି ଦିନ ଅପରାହ୍‌ଣକାଳୀନ ଶୁଣାଣି ବେଳେ ଧଵନ ବିଚକ୍ଷଣତାର ସହ ଯୁକ୍ତି ବାଢ଼ିଥିଲେ; ନିଜ ପ୍ରତିଭା ଚରମ ସ୍ତରରେ ପ୍ରଦର୍ଶିତ କରିଥିଲେ। ତେବେ, ସେ ଜଷ୍ଟିସ୍‌ ଗଵଇଙ୍କ ପ୍ରସ୍ତାବକୁ ସ˚ଭବତଃ କେବଳ ଏକ ପ୍ରସ୍ତାବ ରୂପରେ ହିଁ ଦେଖିଥିଲେ ଏବ˚ ସେହି ବାବଦରେ ଅଧିକ ମୁଣ୍ତ ଖେଳାଇ ନ ଥିଲେ ବା କୌଣସି ଜବାବ ଦେଇ ନ ଥିଲେ। କିନ୍ତୁ, ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲୋକେ ‘କ୍ଷମା ପ୍ରାର୍ଥନା’ ପ୍ରସଙ୍ଗକୁ ବେଶ୍‌ ରୋଚକ ବନାଇଥିଲେ। ଏହି ଅସାଧାରଣ ପ୍ରସ୍ତାବକୁ ନେଇ ଥଟ୍ଟା-ପରିହାସ-ଗମାତ କରିଥିଲେ; କାର୍ଟୁନ୍‌ ବନାଇଥିଲେ; କିଚିରିମିଚିରି କରିଥିଲେ; ଲଘୁ ଟିପ୍ପଣୀ ଦେଇଥିଲେ। ଅଦାଲତଙ୍କ ଅସାଧାରଣ ପ୍ରସ୍ତାବର ମଜା ସମସ୍ତେ ନେଲେ ସତ, ତାହା ଦ୍ବାରା ପ୍ରଶ୍ନର କୌଣସି ଉତ୍ତର ମିଳିଲାନାହିଁ- ‘କ୍ଷମା ପ୍ରାର୍ଥନାରେ ଭୁଲ୍‌ କେଉଁଠି?’

ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ପ୍ରଶାନ୍ତ ଭୂଷଣ, ସକ୍ରେଟିସ୍‌ ଓ ଗାନ୍ଧୀଙ୍କ ଜୀବନ ପ୍ରସଙ୍ଗକୁ ଯାଇପାରିଥାଆନ୍ତେ। କେଉଁ ପୁରୁଣା କାଳରେ ସକ୍ରେଟିସ୍‌ଙ୍କ ଉପରେ ମକଦମା ଦାଏର କରାଯାଇଥିଲା; ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗର ଶୁଣାଣି ହୋଇଥିଲା; ଶେଷରେ ଦଣ୍ତ ବିଧାନ ମଧ୍ୟ ହୋଇଥିଲା। ସକ୍ରେଟିସ୍‌ଙ୍କର ପ୍ରସିଦ୍ଧ ପ୍ରିୟ ଶିଷ୍ୟ ପ୍ଲାଟୋ ତାହା ଆଧାରରେ ରଚନା କରିଥିଲେ- ‘ଦ ଆପୋଲୋଜି’। ଅନେକଙ୍କର ଏହା ମନେ ନ ଥାଇପାରେ, ପ୍ଲାଟୋଙ୍କ ରଚିତ ଏହି ପୁସ୍ତକ ମହାତ୍ମା ଗାନ୍ଧୀଙ୍କର ଅତି ପ୍ରିୟ ଥିଲା। ଏତେ ପ୍ରିୟ ଥିଲା ଯେ, ୧୯୦୮ରେ ସେ ନିଜେ ଏହାର ଗୁଜରାଟୀ ଅନୁବାଦ କରିଥିଲେ। ‘ଆପୋଲୋଜିଆ’ ଏକ ଗ୍ରୀକ୍‌ ଶବ୍ଦ। ଇ˚ଲିସ୍‌ ଭାଷାର ‘ଆପୋଲୋଜି’ ଶବ୍ଦ ଏଥିରୁ ଆସିଥିଲେ ହେଁ ଆଜିକାଲି ଏହାର ଅର୍ଥ ଆମେ ଯାହା ବୁଝୁଛେ, ମୂଳ ଗ୍ରୀକ୍‌ ଶବ୍ଦର ଅର୍ଥ ତାହା ନୁହେଁ। ‘ଆପୋଲୋଜିଆ’ର ଅର୍ଥ- ବିଶ୍ବାସ ବା ଆଚରଣ ସମ୍ବନ୍ଧୀୟ ଏକ ଲିଖିତ ପ୍ରତିରକ୍ଷାମୂଳକ ଯୁକ୍ତି। ଏହାର ଅର୍ଥ ନିଜ ସପକ୍ଷରେ ସଫେଇ ଦେବା, ଯାହା ପ୍ରଶାନ୍ତ ଭୂଷଣ ସତ୍ୟପାଠ ଆକାରରେ ଅଦାଲତରେ ଉପସ୍ଥାପନ କରିଥିଲେ।

ପ୍ରଶାନ୍ତ ଭୂଷଣ, ଜଷ୍ଟିସ୍‌ ମିଶ୍ରଙ୍କୁ ଏହି ଭଳି ଭାବେ ଉତ୍ତର ଦେଇପାରିଥାଆନ୍ତେ: କ୍ଷମା ପ୍ରାର୍ଥନାରେ କୌଣସି ଭୁଲ୍‌ ନାହିଁ। ଏହା ପ୍ରକୃତରେ ଏକ ଯାଦୁକରୀ ଶବ୍ଦ, ଯାହାର ଉଚ୍ଚାରଣ ମାତ୍ରକେ ସ˚ପର୍କରେ ଉନ୍ନତି ଆସେ, ଗଭୀର କ୍ଷତ ଭରିଯାଏ ଏବ˚ ଅତୀତରେ ଯେଉଁ ଭୁଲ୍‌ ହୋଇଛି, ତାହା ଆଗକୁ ଯେପରି ନ ହେବ, ସେଥି ପାଇଁ ମଧ୍ୟ ଏହା ସ୍ବୀକୃତି ଦେଇଥାଏ। ତେବେ, ‘କ୍ଷମା ପ୍ରାର୍ଥନା’ ସ˚ପର୍କିତ କେତେକ ମୌଳିକ ସର୍ତ୍ତ ପୂରଣ ହେଲେ ହିଁ ଏହା ସ˚ଭବ।

ପ୍ରକୃତ ‘କ୍ଷମା ପ୍ରାର୍ଥନା’ ପାଞ୍ଚଟି ସର୍ତ୍ତ ଉପରେ ନିର୍ଭର କରେ; ପ୍ରଶାନ୍ତ ଭୂଷଣ, ଜଷ୍ଟିସ୍‌ ମିଶ୍ରଙ୍କୁ ଏହା ମନେ ପକାଇଦେବା ଆବଶ୍ୟକ। ପ୍ରଥମ- ପ୍ରକୃତରେ କିଛି ଭୁଲ୍‌ ହୋଇଛି କି? କ୍ଷମା ମାଗିବା ପୂର୍ବରୁ କୌଣସି ଭୁଲ୍‌ ହୋଇଥିଲା କି ନାହିଁ ଜାଣିବା ଜରୁରୀ। ଭୁଲ୍‌ ହୋଇଥିଲେ ତ ଜଣେ କ୍ଷମା ମାଗିବ। ଦ୍ବିତୀୟ- ମନରେ ସ୍ବୀକାରର ଭାବନା ଆସିବା ଆବଶ୍ୟକ। ଭୁଲ୍‌ କରିଛି ବୋଲି ନିଶ୍ଚିତ ହେଲେ ହିଁ ଏ ଭାବନା ଆସିବ। ତୃତୀୟ- ଦାୟିତ୍ବବୋଧର ଭାବନା। ଭୁଲ୍‌ କରିଥିବା ବ୍ୟକ୍ତି ଏହାଦ୍ବାରା କ୍ଷତି ଘଟାଇଥିବା ଏବ˚ ଏଥିପାଇଁ ନିଜେ ଦାୟୀ ବୋଲି ଗ୍ରହଣ କରିବା ଦରକାର। ଏଥିପାଇଁ ଯେଉଁ ଦଣ୍ତ ମିଳୁ ସ୍ବୀକାର କରିବା ଦରକାର। ଚତୁର୍ଥ- ଅନୁଶୋଚନା ବା ପ୍ରାୟଶ୍ଚିତ୍ତ ଭାବ; ମୁଁ ଭୁଲ୍‌ କରିଛି ଏବ˚ ଏଥି ପାଇଁ ମୁଁ ହୃଦୟର ସହ ମର୍ମାହତ। ପଞ୍ଚମ- ଶେଷରେ ଭୁଲ୍‌ର ପୁନରାବୃତ୍ତି ଯେପରି ନ ହେବ, ସେଥିପାଇଁ ଅଙ୍ଗୀକାରବଦ୍ଧତା ମଧ୍ୟ ଲୋଡ଼ା। ସ˚କଳ୍ପ କରିବା ଦରକାର- ଆଗକୁ ଭୁଲ୍‌ କରିବିନାହିଁ।

ଅର୍ଥାତ୍‌, ‘କ୍ଷମା’ କେବଳ ଏକ ଶବ୍ଦ ମାତ୍ର ନୁହେଁ। ଜଣଙ୍କର ସୁବିଧା ଅନୁଯାୟୀ ଏହାକୁ ବ୍ୟବହାର କରାଯାଇପାରିବନାହିଁ। ଏହା ମଧ୍ୟ ଦାୟିତ୍ବ ଛଡ଼ାଇବା ପାଇଁ କୌଣସି ଏକ ଆଇନଗତ କୌଶଳ ନୁହେଁ। ଏହା ସହ ନୈତିକତା ସ˚ପୃକ୍ତ। ଏହା ଆତ୍ମ-ସ˚ସ୍କାର ପାଇଁ, ଆତ୍ମ-ଅବଲୋକନ ପାଇଁ, ଆତ୍ମ-ସୁଧାର ପାଇଁ ଏବ˚ ଏକ ଉଚ୍ଚତର ସୋପାନକୁ ଉନ୍ନୀତ ହେବା ପାଇଁ। ଏ ସବୁ ବିନା ‘କ୍ଷମା ପ୍ରାର୍ଥନା’ ଏକ ନାଟକ ଓ ଛଳନା ଭିନ୍ନ ଅନ୍ୟ କିଛି ନୁହେଁ। ପ୍ରଶାନ୍ତ ଭୂଷଣ, ରାଜୀବ ଭାର୍ଗବଙ୍କୁ ଉଦ୍ଧୃତି ଭାବେ ନେଇ ପାରିଥାଆନ୍ତେ: ‘ନିଷ୍ଠାହୀନ ଓ ଛଳ କ୍ଷମା ପ୍ରାର୍ଥନା ନୈତିକତା ଦୃଷ୍ଟିରୁ ଅଦରକାରୀ ଏବ˚ ସାମାଜିକ ଦୃଷ୍ଟିରୁ ଅପ୍ରଭାବୀ। ଏ ଭଳି କ୍ଷମା ପ୍ରାର୍ଥନା ଦ୍ବାରା ସ˚ପର୍କରେ କୌଣସି ଉନ୍ନତି ଆସେନାହିଁ; କେବଳ ସ˚ପର୍କ ଅଧିକ ନଷ୍ଟ ହୁଏ।’ ତେଣୁ, ପ୍ରକୃତ କ୍ଷମା ପ୍ରାର୍ଥନା ଅଭ୍ୟନ୍ତରୀଣ ବ୍ୟାପାର। ଏହା ହୃଦୟରୁ ଆସିବା ଦରକାର। କେବଳ ଚାପ ଓ ଭୟହୀନ, ନୀତିନିଷ୍ଠ ଏବ˚ ସଚ୍ଚୋଟ ଆଲୋଚନାରୁ ଏହାର ଉଦ୍ଭବ ସ˚ଭବ।

ତେବେ, ସୁପ୍ରିମ୍‌ କୋର୍ଟ‌୍‌ରେ ଏହା ଘଟି ନ ଥିଲା। ପ୍ରଶାନ୍ତ ଭୂଷଣ ଅଦାଲତରେ ବାରମ୍ବାର କହିଥିଲେ ଯେ ସେ ଯାହା ଟ୍ବିଟ୍‌ କରିଛନ୍ତି, ସ˚ପୂର୍ଣ୍ଣ ବିଶ୍ବାସର ସହ କରିଛନ୍ତି। ନିଜର ଟ୍ବିଟ୍‌ ସତ୍ୟ ଉପରେ ଆଧାରିତ ବୋଲି ସେ ବିଶ୍ବାସ କରନ୍ତି। ସେ ଶେଷ ପର୍ଯ୍ୟନ୍ତ ନିଜ ବିଶ୍ବାସ ସହ ରହିବେ। ସେ ଆହୁରି ମଧ୍ୟ କହିଥିଲେ, ନିଜର ବିଶ୍ବାସକୁ ସାର୍ବଜନୀନ କରି ସେ ଜଣେ ନାଗରିକ ଭାବେ ଏବ˚ ଅଦାଲତର ଜଣେ ନିଷ୍ଠାପର ଅଧିକାରୀ ଭାବେ ନିଜର କର୍ତ୍ତବ୍ୟ ସ˚ପାଦନ କରିଛନ୍ତି। ତେଣୁ, ‘କ୍ଷମା ପ୍ରାର୍ଥନା’ ପାଇଁ ଦାବି କରାଯିବା ପୂର୍ବରୁ ଭୁଲ୍‌ ହୋଇଛି ବୋଲି ପ୍ରମାଣିତ ହେବା ଦରକାର। ଅର୍ଥାତ୍‌, ପ୍ରଶାନ୍ତ ଭୂଷଣଙ୍କ ଟ୍ବିଟ୍‌ ଦୁଇଟି ଭୁଲ୍‌ ଏବ˚ ଅସତ୍ୟ ଉପରେ ଆଧାରିତ। ତେବେ, ତାଙ୍କ ଟ୍ବିଟ୍‌କୁ ମିଥ୍ୟା ସାବ୍ୟସ୍ତ କରିବା ସତେ ଯେପରି ଅଦାଲତଙ୍କ ଇଚ୍ଛା ନ ଥିଲା। ଅଦାଲତ ‘ଲକ୍‌ଡାଉନ୍‌ ମୋଡ୍‌’ରେ ଥିବା ପ୍ରଶାନ୍ତ ଭୂଷଣ ଟ୍ବିଟ୍‌ କରିଥିଲେ। ଏହା ଠିକ୍‌ ନୁହେଁ ବୋଲି ଅଦାଲତ ଦେଖାଇବାକୁ ଚେଷ୍ଟା କରିଥିଲେ। ହେଲେ, ଅଦାଲତଙ୍କ ରାୟରେ ତାହା ପ୍ରତିଫଳିତ ହୋଇ ନ ଥିଲା। ଅଦାଲତ ତଥା ମୁଖ୍ୟ ନ୍ୟାୟାଧୀଶଙ୍କର ଭୂମିକା ଏବ˚ ଗଣତନ୍ତ୍ରର ସ୍ବାସ୍ଥ୍ୟ ବାବଦରେ ପ୍ରଶାନ୍ତ ଭୂଷଣ ଯେଉଁ ଟ୍ବିଟ୍‌ କରିଥିଲେ, ରାୟରେ ତାହାର ଉଲ୍ଲେଖ ନ ଥିଲା। ଅଦାଲତ କେବଳ ଏହା କହିବାକୁ ଚାହିଁଥିଲେ ଯେ ବିଚାରପତିମାନଙ୍କୁ ଯାହା ଆଘାତ ଦିଏ, ତାହା ସତ୍ୟ ହେଉ ବା ମିଥ୍ୟା, ସ୍ବତଃ ଭୁଲ୍‌। ତାହା ହେଲେ ପ୍ରଶାନ୍ତ ଭୂଷଣ ପଚାରିି ପାରିଥାଆନ୍ତେ- ଯେଉଁ ନାଗରିକମାନେ ସନ୍ତୋଷଜନକ ରାୟ ପାଉନାହାନ୍ତି, ସେମାନଙ୍କୁ ଆଘାତ ଦେଉଥିବାରୁ, ବିଚାରପତିମାନେ ମଧ୍ୟ ଦୈନିକ ଏକାଧିକ ଥର ‘କ୍ଷମା ପ୍ରାର୍ଥନା’ କରିବା ଆବଶ୍ୟକ।

ଜଷ୍ଟିସ୍‌ ମିଶ୍ର ଚାହୁଁଥିଲେ- ପ୍ରଶାନ୍ତ ଭୂଷଣ କ୍ଷମା ମାଗିନିଅନ୍ତୁ। ତେବେ, କ୍ଷମା ମାଗିବାର ନୈତିକ ଆଧାର କ’ଣ, ଏହି ବାବଦରେ କିଛି କହି ନ ଥିଲେ। ଯେତେ ବେଳେ ସବୁ ପିଲାଙ୍କ ଉପସ୍ଥିତିରେ ଜଣେ ଶିକ୍ଷକ, କୌଣସି ଜଣେ ପିଲାର କାନ ଧରି, ତାକୁ କ୍ଷମା ମାଗିବାକୁ କହନ୍ତି, ତାହା ପଛରେ କୌଣସି ନୈତିକ ଆଧାର ନ ଥାଏ। ଭରା ପ˚ଚାୟତରେ ଯେତେ ବେଳେ ଡରାଇ-ଧମକାଇ ପ୍ରେମୀ-ଯୁଗଳଙ୍କୁ କ୍ଷମା ମାଗିବା ପାଇଁ କହାଯାଏ, ସେମାନେ କ୍ଷମା ମାଗନ୍ତି ସତ, ଏହା ପଛରେ ସେମାନଙ୍କର କୌଣସି ଆନ୍ତରିକତା ନ ଥାଏ। ନିଜର କାମକୁ ନେଇ ନା ସେମାନେ ଲଜ୍ଜିତ ଥାଆନ୍ତି ନା ହୃଦୟର ସହ କ୍ଷମା ମାଗନ୍ତି। ଅର୍ଥାତ୍‌, ଏ ଭଳି ‘କ୍ଷମା ପ୍ରାର୍ଥନା’ ଦ୍ବାରା କୌଣସି ଆତ୍ମ-ଅବବୋଧ ହୁଏନାହିଁ। ଏହା କେବଳ ଅନ୍ୟ ଉପରେ ଚାପ ପକାଇ ବା ବଳ ପ୍ରୟୋଗ କରି ଆଦାୟ କରାଯାଏ। ଏହାଦ୍ବାରା କାହାର କାହା ପ୍ରତି ସମ୍ମାନ ନ ଥାଏ। ସେମାନଙ୍କ ସ˚ପର୍କରେ କୌଣସି ଉନ୍ନତି ଆସେନାହିଁ। ଏହା କେବଳ ଅନ୍ୟକୁ ସାର୍ବଜନୀନ ଭାବେ ଅପମାନିତ କରିବା। ଚାପରେ ପଡ଼ି ବା ଭୟଭୀତ ହୋଇ କ୍ଷମା ମାଗି ନେବାର ଏକ ମାତ୍ର ଅର୍ଥ ବାହ୍ୟ ଶକ୍ତି ନିକଟରେ ଆତ୍ମସମର୍ପଣ କରିବା।

ଏ ଭଳି ‘କ୍ଷମା ପ୍ରାର୍ଥନା’ରେ ଭୁଲ୍‌ କ’ଣ? ଏହା ଅପେକ୍ଷାକୃତ ଅଧିକ ଶକ୍ତିଶାଳୀକୁ ଅନୁମୋଦନ ଦେବା ନୁହେଁ କି? ଏହାର ଉତ୍ତର ପାଇବା ପାଇଁ ଆମକୁ ପୁଣି ଥରେ ଗାନ୍ଧୀଙ୍କ ନିକଟକୁ ଫେରିବାକୁ ହେବ। ପ୍ଲାଟୋଙ୍କ ‘ଆପୋଲୋଜି’ର ଗୁଜରାଟୀ ଅନୁବାଦରେ ଗାନ୍ଧୀ, ସକ୍ରେଟିସ୍‌ଙ୍କୁ ‘ସତ୍ୟବୀର’ କହିଛନ୍ତି। ‘ସତ୍ୟବୀର’- ଅର୍ଥାତ୍‌, ସତ୍ୟର ସୈନିକ, ଯିଏ ମୃତ୍ୟୁଦଣ୍ତ ପାଇବା ପରେ ବି ପଛକୁ ଫେରେନାହିଁ; ସତ୍ୟ ସହ ରହେ। ଯଦି ସକ୍ରେଟିସ୍‌ ବିଚାରକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯାହା କହିଛନ୍ତି ଭୁଲ୍‌ ବୋଲି ସ୍ବୀକାର କରିଥାଆନ୍ତେ, ନିଜ ବିଶ୍ବାସ ବିରୋଧରେ ଯାଇଥାଆନ୍ତେ ଏବଂ ତାହାକୁ ଯାଦୁକରୀ ‘କ୍ଷମା ପ୍ରାର୍ଥନା’ କହାଯାଇପାରି ନ ଥାଆନ୍ତା। ତାହା ହୋଇଥାଆନ୍ତା ଭୀରୁତା, ସ˚କଳ୍ପହୀନତା।

ଗାନ୍ଧୀ ନିଜ ଜୀବନ କାଳରେ ଏ ଭଳି ପରିସ୍ଥିତିର ସାମନା କରିଥିଲେ। ଏକ ପ୍ରକାଶନକୁ ନେଇ ସେ ଅଦାଲତ ଅବମାନନା ଅଭିଯୋଗ ମୁଣ୍ତାଇଥିଲେ। ଅହମଦାବାଦରେ ମହାଦେବ ଦେଶାଇ ଓ ତାଙ୍କର ବିଚାର ହୋଇଥିଲା। ଗାନ୍ଧୀ କାହିଁକି ‘କ୍ଷମା ପ୍ରାର୍ଥନା’ କରି ନ ଥିଲେ କହିଯାଇଛନ୍ତି: ‘ସେହି ବନ୍ଧୁମାନେ, ଯେଉଁମାନେ ଶୁଦ୍ଧ ବନ୍ଧୁତା ଖାତିରିରେ କ୍ଷମା ମାଗିବା ପାଇଁ ଆମକୁ ଉପଦେଶ ଦେଇଛନ୍ତି, ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସେମାନଙ୍କ ଉପଦେଶ ମୁଁ ଗ୍ରହଣ କରିବିନାହିଁ। ଏହା କୌଣସି ଜିଦ୍‌ଖୋର ପ୍ରବୃତ୍ତି ଯୋଗୁଁ ନୁହେଁ; ଏହା ନୀତିଗତ। ଯଦି ମୁଁ ପୁଣି ଥରେ ସମାନ ପ୍ରକାରର ଭୁଲ୍‌ କରିବି, ତାହା ହେଲେ ମୁଁ ଏବେ କ୍ଷମା ମାଗିବାର ଆବଶ୍ୟକତା ନାହିଁ। ଅଦାଲତଙ୍କ ନିକଟରେ କ୍ଷମା ପ୍ରାର୍ଥନା ସ˚ପୂର୍ଣ୍ଣ ଭାବେ ବ୍ୟକ୍ତିଗତ। ମୁଁ ଅସଚ୍ଚୋଟ ଭାବେ କ୍ଷମା ପ୍ରାର୍ଥନା କରିପାରିବିନାହିଁ। ଏହା ମୋର ବିଚାର, ମୋର ନୀତି ଓ ଚିନ୍ତାଧାରା ବିରୋଧୀ। ମୁଁ ଯାହା କରୁଛି, ତାହା ଆଇନ ଅମାନ୍ୟତା।’

‘କ୍ଷମା ପ୍ରାର୍ଥନା’ ଜଣକୁ ମହାତ୍ମାରେ ପରିଣତ କରି ନ ପାରେ; ତଥାପି କେତେକ ପରିସ୍ଥିତିରେ ଏହା କରିବା ଗାନ୍ଧୀବାଦିତା। ଅନ୍ୟ କେତେକ ପରିସ୍ଥିତିରେ ଜଣେ ପ୍ରକୃତ ଗାନ୍ଧୀବାଦୀ କେବେ ହେଲେ ‘କ୍ଷମା ପ୍ରାର୍ଥନା’ କରି ନ ପାରେ; ପ୍ରଶାନ୍ତ ଭୂଷଣ ଏହା ହିଁ କରିଛନ୍ତି।

[email protected]

ସମ୍ବନ୍ଧିତ ଖବର