ସଦ୍ୟ ପ୍ରକାଶ ପାଇଥିବା ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ-୨୦୧୯ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୮ ମସିହା ତୁଳନାରେ ଗତ ବର୍ଷ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨.୩ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ଭାରତରେ ସମୁଦାୟ ୪.୨ ଲକ୍ଷ ଜଣଙ୍କର ବିଭିନ୍ନ ପ୍ରାକୃତିକ ଓ ମନୁଷ୍ୟକୃତ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଘଣ୍ଟା ପ୍ରତି ହିସାବ କଲେ ଦୁର୍ଘଟଣାରେ ଘଣ୍ଟାକୁ ୪୮ ଜଣଙ୍କର ମୃତ୍ୟୁ ଘଟିଥିଲା। ବନ୍ୟା, ଭୂସ୍ଖଳନ, ବିଜୁଳି ଓ ଅଂଶୁଘାତ ପରି ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁକୁ ବାଦ୍ ଦେଲେ ସର୍ବାଧିକ ୪୪ ପ୍ରତିଶତ ମୃତ୍ୟୁର କାରଣ ହେଉଛି ସଡ଼କ ଓ ରେଳପଥରେ ଘଟୁଥିବା ଦୁର୍ଘଟଣା। ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୬୦ ପ୍ରତିଶତ (୮୬,୨୪୧ ଜଣ)ଙ୍କର ମୃତ୍ୟୁର କାରଣ ହେଉଛି ଅଧିକ ବେଗରେ ଗାଡ଼ି ଚଳାଇବା। ବିପଦପୂର୍ଣ୍ଣ ଓ ଅସାବଧାନ ଗାଡ଼ି ଚାଳନା ଯୋଗୁଁ ୪୨,୫୫୭ ଜଣ ଅକାଳରେ ପ୍ରାଣ ହରାଇଛନ୍ତି। ରାଜ୍ୟ ସ୍ତରରେ ଦେଖିଲେ ଟ୍ରାଫିକ୍ ଦୁର୍ଘଟଣାରେ ସର୍ବାଧିକ ମୃତ୍ୟୁ ଘଟିଛି ଉତ୍ତର ପ୍ରଦେଶରେ (୨୭,୬୬୧)। ଏହା ପଛକୁ ମହାରାଷ୍ଟ୍ର (୧୮,୫୨୪) ଓ ମଧ୍ୟପ୍ରଦେଶ (୧୩,୪୯୭)ର ମୃତ୍ୟୁ ସଂଖ୍ୟା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସର୍ବାଧିକ ରହିଛି। ଶୀର୍ଷରେ ଥିବା ଏହି ତିନିଟି ରାଜ୍ୟର ମୃତ୍ୟୁ ସଂଖ୍ୟା ହେଉଛି ଦେଶର ସମୁଦାୟ ମୃତ୍ୟୁର ୩୩%।

Advertisment

ଏହି ରିପୋର୍ଟ ଅନୁଯାୟୀ ସବୁଠାରୁ ବିପଦପୂର୍ଣ୍ଣ ବାହନ ହେଉଛି ଦୁଇଚକିଆ ଯାନ। ସଡ଼କପଥରେ ହୋଇଥିବା ସମୁଦାୟ ଦୁର୍ଘଟଣାଜନିତ ମୃତ୍ୟୁର ୩୮% ହେଉଛନ୍ତି ବାଇକ୍ ଆରୋହୀ। ସର୍ବାଧିକ ଦୁର୍ଘଟଣା ସଡ଼କ ପଥରେ (୮୫.୪%) ହେଉଥିବା ବେଳେ ଏହା ପଛକୁ ରହିଛି ରେଳପଥ। ଗତ ବର୍ଷ ବିଭିନ୍ନ ରେଳ ଦୁର୍ଘଟଣାରେ ଦେଶରେ ପ୍ରାୟ ୨୮,୦୦୦ ଜଣ ପ୍ରାଣ ହରାଇଛନ୍ତି। ନୂଆ ଭାବେ ଲାଗୁ ହୋଇଥିବା ସଂଶୋଧିତ ମୋଟର ଯାନ ଆଇନ୍ ଏବଂ କରୋନା ମହାମାରୀ ମୁକାବିଲା ପାଇଁ ଲକ୍‍‌ଡାଉନ୍ ଜାରି ହେବା ଫଳରେ ଏ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବିଶେଷ ଭାବେ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଉଛି।