ଏବେ ଏବେ କ˚ଗ୍ରେସର ଯେଉଁ ୨୩ ଜଣ ବିଶିଷ୍ଟ ନେତା ସୋନିଆ ଗାନ୍ଧୀଙ୍କୁ ଦଳରେ ‘ସ˚ସ୍କାର’ ଓ ‘ଗୋଟିଏ ପୂର୍ଣ୍ଣକାଳୀନ ସକ୍ରିୟ ନେତୃତ୍ବ ରହିବା’ ପ୍ରସଙ୍ଗରେ ଚିଠି ଲେଖିଛନ୍ତି, ସେଥିପାଇଁ ଗଣମାଧ୍ୟମ ସେମାନଙ୍କୁ ‘ଗ୍ୟାଙ୍ଗ ଅଫ ୨୩’ ବୋଲି ବର୍ଣ୍ଣନା କରୁଛି। ଷାଠିଏ ଓ ସତୁରି ଦଶକରେ ଯେତେବେଳେ ମାଓ ସେ ତୁଙ୍ଗ ଚୀନର ରାଷ୍ଟ୍ରପତି ଥିଲେ, ସେତେବେଳେ ସେ ସମସ୍ତଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ତାଙ୍କୁ ସେତେବେଳେ ତାଙ୍କର ତୃତୀୟ ପତ୍ନୀ ଓ ଅନ୍ୟ ତିନି ଜଣ ସମର୍ଥନ କରି, ସବୁ ପ୍ରକାରର କ୍ଷମତାକୁ ନିଜ ହାତରେ ଧରି ରଖିଥିଲେ। ଏହିମାନଙ୍କୁ କୁହାଯାଉଥିଲା ‘ଗ୍ୟାଙ୍ଗ ଅଫ ଫୋର’। ଏବେ ଲେଖାଯାଇଥିବା ଚିଠିଟି ଗୋପନୀୟ ବୋଲି ମନେ କରାଯାଉଥିଲେ ମଧ୍ୟ ତାହାକୁ ଗଣମାଧ୍ୟମରେ ପ୍ରକାଶ କରିଦିଆଗଲା। ସ୍ବାଭାବିକ ଭାବରେ ଏହାକୁ ନେଇ ସୋନିଆ ଗାନ୍ଧୀ କ୍ଷୁବ୍‌ଧ ହେବା କଥା। ତାହା ହେଲା ମଧ୍ୟ। ତାଙ୍କୁ ଯେ ଆକ୍ଷେପ କରି ଏହି ପତ୍ର ଲେଖାହୋଇଛି, ସେ କଥା ସେ ସ୍ପଷ୍ଟ ବୁଝିପାରିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁମାନେ ଏହି ପତ୍ରରେ ସ୍ବାକ୍ଷର କରିଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି କପିଳ ଶିବଲ, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଶଶି ଥରୁର ଆଦି କ˚ଗ୍ରେସର ବିଶିଷ୍ଟ ନେତାମାନେ ଯେଉଁମାନେ ଏକଦା ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁଗତ ଥିଲେ ଓ ସୋନିଆ, ରାହୁଳଙ୍କ ଯୋଗୁଁ ରାଜ୍ୟସଭାକୁ ଯାଇଛନ୍ତି ଅବା ଦଳର ବଡ଼ ବଡ଼ ପଦରେ ଅଧିଷ୍ଠିତ ହୋଇଛନ୍ତି। ସେମାନଙ୍କର କହିବା କଥା, କ˚ଗ୍ରେସ ଦଳରେ ଯୋଗ୍ୟ ଓ ଦକ୍ଷ ନେତୃତ୍ବକୁ ସ୍ଥାନ ଦିଆଯାଉ। ସେମାନେ ଏପରି କଥା କହିବାର କାରଣ ହେଲା ନିକଟ ଅତୀତରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଯୁବ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯାଇଛନ୍ତି ଓ ଅନ୍ୟତମ ଯୁବ ନେତା ସଚିନ ପାଇଲଟ ଥରେ ଦଳ ଛାଡ଼ି ପୁଣି ବାଧ୍ୟରେ ପଡ଼ି କ˚ଗ୍ରେସକୁ ଫେରିଆସିଛନ୍ତି। ତାଙ୍କୁ ଦଳର ରାଜ୍ୟ ସଭାପତି ଓ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ହେତୁ, ସେ କେତେ ଦିନ କ˚ଗ୍ରେସ ଦଳ ମଧ୍ୟରେ ରହିବେ, ତା’ର କୌଣସି ନିଶ୍ଚିତତା ନାହିଁ।

Advertisment

ଗାନ୍ଧୀ ପରିବାର ଉପରେ ନେତୃତ୍ବ ପାଇଁ ସ୍ବାଧୀନତା ପର ଠାରୁ ହିଁ କ˚ଗ୍ରେସ ନିର୍ଭରଶୀଳ ହୋଇ ରହିଆସିଛି। ବିଶେଷ କରି, ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ଓ ଦଳର ଶୀର୍ଷ ନେତୃତ୍ବ ମଧ୍ୟରେ କୌଣସି ପାର୍ଥକ୍ୟ ରହିନାହିଁ। ବିଜେପି ପରି ଦଳରେ ‘ଗୋଟିଏ ବ୍ୟକ୍ତି ଗୋଟିଏ ପଦ’ ନୀତି ପାଳନ କରାଯାଉଥିଲା ବେଳେ, କ˚ଗ୍ରେସରେ ଯିଏ ପ୍ରଧାନମନ୍ତ୍ରୀ ହେବ, ସେ ଦଳର ରାଷ୍ଟ୍ରୀୟ ସଭାପତି ହେବା ନିହାତି ଦରକାର ବୋଲି ପଦ୍ଧତି ପାଳନ କରାଚାଲିଛି। ଇନ୍ଦିରା ଗାନ୍ଧୀଙ୍କର ତାଙ୍କ ଅଙ୍ଗରକ୍ଷକମାନଙ୍କ ଦ୍ବାରା ହତ୍ୟା ପରେ, ରାଜୀବ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଓ ଦଳର ସଭାପତି କରାଗଲା। ଅଥଚ, ସେତେବେଳକୁ ଅଭିଜ୍ଞତା କହିଲେ, ରାଜୀବ ଗାନ୍ଧୀ କେବଳ ତିନି ମାସ ଧରି ଦଳର ସାଧାରଣ ସମ୍ପାଦକ ଥିଲେ। ମାତ୍ର ୪ ବର୍ଷ ପରେ ଯେତେବେଳେ ଭି.ପି. ସି˚ହଙ୍କ ନେତୃତ୍ବରେ ବୋଫର୍ସ ଦୁର୍ନୀତିକୁ ନେଇ ଦଳରେ ବିଦ୍ରୋହ ହେଲା ଓ ଭି.ପି. ସି˚ହ ଦଳ ଛାଡ଼ିଦେଲେ, ସେତେବେଳେ କ˚ଗ୍ରେସ ୧୯୮୯ ନିର୍ବାଚନ ହାରିଗଲା। ରାଜୀବ ଗାନ୍ଧୀଙ୍କ ଯୋଗୁଁ କ˚ଗ୍ରେସର ଏହି ପରାଜୟ ହୋଇଥିଲେ ମଧ୍ୟ ସେ ପୁଣି ଦଳର ସଭାପତି ରହିଲେ। ଏହା ପରେ ଏଲ.ଟି.ଟି.ଇ.ର ଆତ୍ମଘାତୀ ବୋମାବାହକ ତାଙ୍କୁ ହତ୍ୟା କଲା ପରେ, ରାଜନୀତିରୁ ଏକ ପ୍ରକାର ସନ୍ନ୍ୟାସ ନେଇଥିବା ନରସି˚ହ ରାଓଙ୍କୁ ପୁଣି ରାଜନୀତିକୁ ଫେରାଇ ଅଣାଗଲା। ସେତେବେଳେ ଦଳର ସଭାପତି ହେବା ପାଇଁ ଗାନ୍ଧୀ ପରିବାରରେ କେହି ନଥିଲେ। ନରସି˚ହ ରାଓ କେବଳ ଯେ ପ୍ରଧାନମନ୍ତ୍ରୀ ହେଲେ ସେତକ ନୁହେଁ, ପୂର୍ବ ପରମ୍ପରା ଅନୁସାରେ ତାଙ୍କୁ ଦଳର ସଭାପତି ମଧ୍ୟ କରାଗଲା। ସେ କ୍ଷମତାରେ ପୂର୍ଣ୍ଣ ପାଞ୍ଚବର୍ଷ ରହିଲେ। କିନ୍ତୁ ବାବରୀ ମସଜିଦ ଭଙ୍ଗା ଘଟଣାକୁ ନେଇ ସାରା ଦେଶରେ ଏକ କ˚ଗ୍ରେସ ବିରୋଧୀ ମନୋଭାବ ସୃଷ୍ଟି ହେବାରୁ ୧୯୯୬ ନିର୍ବାଚନରେ କ˚ଗ୍ରେସ ହାରିଗଲା। ପ୍ରଧାନମନ୍ତ୍ରୀ ପଦରେ ନଥିବା ଏହି ଅଣ ଗାନ୍ଧୀ ପରିବାରର ନରସି˚ହ ରାଓ ଆଉ ଦଳର ସଭାପତି ପଦରେ ରହିପାରିଲେ ନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଦଳର କୋଷାଧ୍ୟକ୍ଷ ସୀତାରାମ କେଶରୀଙ୍କୁ ସାମୟିକ ସଭାପତି ଦାୟିତ୍ବ ଦିଆଗଲା। ସେତେବେଳେ ଶରଦ ପାୱାର ଲୋକସଭାରେ କଂଗ୍ରେସ ଦଳର ନେତା ଥିଲେ।

କିନ୍ତୁ ୧୯୯୯ ବେଳକୁ ବଳପୂର୍ବକ ସୀତାରାମ କେଶରୀଙ୍କୁ ଦଳର ସଭାପତି ପଦରୁ ହଟାଇଦେଇ ତାଙ୍କ ଜାଗାରେ ସୋନିଆ ଗାନ୍ଧୀଙ୍କୁ ବସାଇ ଦିଆଗଲା ଯଦିଓ ରାଜନୈତିକ କ୍ଷେତ୍ରରେ ତାଙ୍କର କୌଣସି ଅଭିଜ୍ଞତା ନଥିଲା ଓ ସେ ଭାରତରେ ମଧ୍ୟ ଜନ୍ମଗ୍ରହଣ କରିନଥିଲେ।

ଏହା ପରଠାରୁ ସୋନିଆ ଓ ତାଙ୍କ ପୁଅ ରାହୁଳ, କ˚ଗ୍ରେସ ଦଳର ସଭାପତି ପଦ ପାଳି ପାଳି କରି ମଣ୍ତନ କରିଛନ୍ତି। ୨୦୧୪ରେ ମୋଟ ୪୪ଟି ଆସନ ଓ ୨୦୧୯ରେ ୫୨ଟି ଆସନ କ˚ଗ୍ରେସ ପାଇଥିଲେ ମଧ୍ୟ ନେତୃତ୍ବ ଗାନ୍ଧୀ ପରିବାର ହାତରେ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାହୁଳ ଗାନ୍ଧୀ କ˚ଗ୍ରେସକୁ ସଫଳ ନେତୃତ୍ବ ଦେଇପାରିନାହାନ୍ତି ବୋଲି କହି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଅନେକ କ˚ଗ୍ରେସ ନେତା ଓ କର୍ମୀ ଏଥିରେ ଅବଶ୍ୟ ସନ୍ତୁଷ୍ଟ ନାହାଁନ୍ତି। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କଠାରୁ ଏହି ଦଳରେ ନିଜ ହାତରେ ନେତୃତ୍ବକୁ ଧରି ରଖିବା ପାଇଁ ଗୋଟିିଏ କୌଶଳ ଅବଲମ୍ବନ କରାଯାଉଛିି। ଗାନ୍ଧୀ ପରିବାରର ଜଣେ ଦଳର ସଭାପତି ପଦରୁ ଇସ୍ତଫା ଦେବା ପରେ, ତାହାକୁ ମହାନ ତ୍ୟାଗ ବୋଲି ପ୍ରଚାର କରାଯାଉଛି। କିନ୍ତୁ ଏହା ପରେ ସେମାନଙ୍କର ସମର୍ଥକମାନଙ୍କ ଦ୍ବାରା ଏକ ବଡ଼ ଧରଣର ପ୍ରଚାର ଆରମ୍ଭ କରାଯାଉଛି ଯେ, ଗାନ୍ଧୀ ପରିବାର ବିନା ଦଳ ଚାଲିପାରିବ ନାହିଁ। ତେଣୁ, ପୁଣି ସେହିମାନେ କ୍ଷମତାକୁ ଫେରୁଛନ୍ତି। ଯେଉଁମାନେ ବି ଦଳରେ ନୂଆ ନେତୃତ୍ବ ସୃଷ୍ଟି ହେବା ଚାହାନ୍ତି ସେମାନେ ବୁଝିଛନ୍ତି ଯେ ଗାନ୍ଧୀ ପରିବାର ପୁଣି ଦଳର କ୍ଷମତାର ପ୍ରାଣକେନ୍ଦ୍ରକୁ ଫେରିବ। ଉଦାହରଣ ସ୍ବରୂପ, ରାହୁଳ ଗାନ୍ଧୀ ଦଳର ସଭାପତି ନଥିଲେ ମଧ୍ୟ ପ୍ରତିଟି ପ୍ରସଙ୍ଗରେ ଟୁଇଟର, ଭିଡିଓ ମାଧ୍ୟମରେ ନିଜର ମତ ରଖୁଛନ୍ତି। ଏହାଛଡ଼ା ଦଳର ବିଭିନ୍ନ ପଦପଦବିମାନଙ୍କରେ ନିଯୁକ୍ତି ତାଙ୍କରି ଇଚ୍ଛା ମତେ ହେଉଛି। ଦଳର ନେତୃତ୍ବ ପରିବର୍ତ୍ତନ ଚାହୁଁଥିବା ନେତାମାନେ ଜାଣନ୍ତି ଯେ, ଯଦି ଗାନ୍ଧୀ ପରିବାର ନେତୃତ୍ବ ନେଉଥିଲା ବେଳେ ସେମାନେ ଆଉ କାହାକୁ ସମର୍ଥନ କରି ମତ ଦେଉଛନ୍ତି, ତେବେ ଗାନ୍ଧୀ ପରିବାର ପୁଣି କ୍ଷମତାକୁ ଫେରି ଆସିଲେ ସେମାନଙ୍କ ଜୀବନକୁ ଦଳରେ ଦୁର୍ବିଷହ କରିଦେବେ। ତେଣୁ ସେମାନେ ଅନ୍ୟ କାହାରି ସପକ୍ଷରେ କୌଣସି ମତ ଦେବାକୁ ରାଜି ନୁହନ୍ତି।

ରାହୁଳ ଗାନ୍ଧୀ କାହିଁକି ଭାରତରେ ଲୋକପ୍ରିୟ ହୋଇପାରୁନାହାନ୍ତି ତାହା ତାଙ୍କର ମନ୍ତବ୍ୟ ମାନଙ୍କରୁ ଜଣାପଡ଼େ। ତାଙ୍କର ମନ୍ତବ୍ୟ ମାନ କେବଳ ମୋଦୀ ବିରୋଧୀ। ମୋଦୀଙ୍କ ଯୋଗୁଁ ଚୀନ, ଭାରତ ମଧ୍ୟକୁ ପ୍ରବେଶ କରି ଭାରତର ଜମିକୁ ମାଡ଼ିବସିଲା ବୋଲି ତାଙ୍କର ମତ। ସେ କହୁଛନ୍ତି, ମୋଦୀ ହେଉଛନ୍ତି ‘ଭୀରୁ’ ଓ ‘ଭୟାଳୁ’। ଅଥଚ ତାଙ୍କ ଅଣ ଜେଜେବାପା ଜବାହରଲାଲ୍‌ ନେହରୁ ପ୍ରଧାନମନ୍ତ୍ରୀ ଥିଲା ବେଳେ ଚୀନ, ଭାରତ ଆକ୍ରମଣ କରି ଏ ଦେଶର ହଜାର ହଜାର ବର୍ଗ କିଲୋମିଟରକୁ ମାଡ଼ିବସିଛି, ଏ ସମ୍ପର୍କରେ ସେ ନିରବ ଅଛନ୍ତି। ସେ ପ୍ରଶ୍ନ କରୁଛନ୍ତି, ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କର ବୋମା ବିସ୍ଫୋରଣ ହେତୁ କାହାର ଲାଭ ହେଲା? ଅର୍ଥାତ୍‌, ପୁଲୱାମାରେ ୨୦୧୯, ଫେବ୍ରୁଆରି ୧୪ରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଦ୍ବାରା ଘଟିତ ବୋମା ବିସ୍ଫୋରଣରେ ୪୨ ଜଣ ଭାରତୀୟ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବାରୁ, ମୋଦୀ ନିର୍ବାଚନରେ ଜିତିଲେ।

ରାହୁଳ ଗାନ୍ଧୀଙ୍କର ଅବସୋସ ହେଉଛି ମୋଦୀଙ୍କ ବି‌େରାଧରେ ସେ ଯେଉଁ ଆକ୍ରମଣ କରୁଛନ୍ତି, ତାହାକୁ ଦଳର ବରିଷ୍ଠ ନେତାମାନେ ଯଥାଯଥ ଭାବରେ ସମର୍ଥନ ଦେଇ ପାରୁନାହାନ୍ତି। ଉଦାହରଣ ସ୍ବରୂପ, ରାଫେଲ ଯୁଦ୍ଧ ବିମାନ କିଣାକୁ ନେଇ ସେ ମୋଦୀଙ୍କୁ ଯେଉଁ ଆକ୍ରମଣ କରିଥିଲେ, ଦଳର ଅନ୍ୟ ନେତାମାନେ, ସେପରି ଆକ୍ରମଣ କଲେ ନାହିଁ।
ରାହୁଳ ବୁଝିପାରୁନାହାନ୍ତି, ତାଙ୍କର ପ୍ରତି କଥାରେ ନରେନ୍ଦ୍ର ମୋଦୀଙ୍କୁ ବିରୋଧ, ଜନସାଧାରଣଙ୍କ ନିକଟରେ ଗୃହୀତ ହେଉନାହିଁ। ରାଫେଲ ଯୁଦ୍ଧ ବିମାନ କଥା ବେଳେ ସି.ଏ.ଜି. ଓ ସୁପ୍ରିମ କୋର୍ଟ ଏହାକୁ ସମର୍ଥନ କରିଥିଲା ବେଳେ, ରାହୁଳଙ୍କ ବିରୋଧକୁ ଜନସାଧାରଣ ସମର୍ଥନ ଦେଇଥାନ୍ତେ କିପରି? ପୁଲୱାମା ବୋମା ବିସ୍ଫୋରଣ ପରେ ମୋଦୀଙ୍କ ବାଲାକୋଟ ପ୍ରତିଆକ୍ରମଣ ଭାରତର ଜନସାଧାରଣମାନଙ୍କୁ ବିପୁଳ ଆତ୍ମସନ୍ତୋଷ ଓ ବିଶ୍ବାସ ଦେଇଥିଲା। ଏଣୁ କ˚ଗ୍ରେସ ନେତାମାନେ ଏହାକୁ ନେଇ ପ୍ରବଳ ପାଟିତୁଣ୍ତ କରିଥାନ୍ତେ କିପରି? ରାହୁଳ ଗାନ୍ଧୀ ମଧ୍ୟ ବୁଝିପାରୁନାହାନ୍ତି, ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ପ୍ରସଙ୍ଗକୁ କାହିଁକି ଲୋକସଭାରେ ବିପୁଳ ସମର୍ଥନ ମିଳିଲା? ଲୋକସଭାରେ ଏହି ଧାରା ଉଚ୍ଛେଦ ଆଇନ ସପକ୍ଷରେ ୩୫୧ ଭୋଟ ମିଳିବା ବେଳେ ୩୭୦ ଧାରାକୁ ସମର୍ଥନ କରୁଥିବା କ˚ଗ୍ରେସ ନେତୃତ୍ବାଧୀନ ବିରୋଧୀ ପକ୍ଷକୁ ମାତ୍ର ୭୨ ଖଣ୍ତ ଭୋଟ ମିଳିଥିଲା; ଏ ପର୍ଯ୍ୟନ୍ତ ରାହୁଳ ଗାନ୍ଧୀ ଏକଥା ମଧ୍ୟ ବୁଝିପାରୁନାହାନ୍ତି ଯେ, ଯେଉଁ ଅଯୋଧ୍ୟା ମାମଲାକୁ ନେଇ ସାରା ଦେଶରେ ବ୍ୟାପକ ଆଲୋଡ଼ନ ସୃଷ୍ଟି ହୋଇଥିଲା, ସେହି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ କାହିଁକି ସାରା ଦେଶରେ ରାଜନୈତିକ ସମର୍ଥନ ମିଳିଥିଲା? ଏଠାରେ ଆହୁରି ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ନିର୍ବାଚନରେ କ˚ଗ୍ରେସ ୧୨ କୋଟି ଭୋଟ ପାଇଥିଲା ବେଳେ ୨୦୧୯ ବେଳକୁ ୧ କୋଟି ୨୩ ଲକ୍ଷ ଭୋଟ କମିଗଲା। ମୂଳରୁ ରାହୁଳ ଗାନ୍ଧୀଙ୍କୁ ଭାରତୀୟ ଯୁବମାନସର ପ୍ରତୀକ ହିସାବରେ ଉପସ୍ଥାପିତ କରାଯାଇଥିଲା ବେଳେ ଏବେ ତାହା ଆଉ ହେଉ ନାହିଁ କାହିଁକି? ଦଳକୁ ଯୁବ ସମର୍ଥନ କମିକମି ଯାଉଛି କାହିଁକି?

ରାହୁଳ ଗାନ୍ଧୀ ଦଳର ସଭାପତି ପଦ ତ୍ୟାଗ କରିଛନ୍ତି ଓ ଦଳରେ ଆଉ କେହି ନୂଆ ନେତୃତ୍ବ ନେଉ ବୋଲି ବାହାରକୁ ଜିଦ ଧରି ବସିଥିଲା ବେଳେ ତଥା ସୋନିଆ ଗାନ୍ଧୀ ନିଜର ଅସୁସ୍ଥତା କାରଣ ହେତୁ କେବଳ କାମଚଳା ସଭାପତି ପଦରେ ଅଛନ୍ତି ବୋଲି କହୁଥିଲା ବେଳେ ବାସ୍ତବରେ ‘ଗ୍ୟାଙ୍ଗ ଅଫ-୨୩’ ଚିଠି ଦେବା ପରେ ସେମାନଙ୍କ ବିରୋଧରେ ପରୋକ୍ଷ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଅତୀତରେ ଜାତିସ˚ଘର ସେକ୍ରେଟାରି ଜେନେରାଲ ପଦ ପାଇଁ ଭାରତର ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦ୍ବିତା କରିଥିବା ଓ ସେଠାରେ ସହକାରୀ ସେକ୍ରେଟାରି ଜେନେରାଲ ଭାବେ ଦୀର୍ଘ କାଳ ଧରି କାର୍ଯ୍ୟ କରି ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶଶି ଥରୁରଙ୍କୁ କୌଣସି ପଦ କ˚ଗ୍ରେସ କାର୍ଯ୍ୟକାରୀ ସମିତିରେ ଦିଆଯାଇନାହିଁ। କାରଣ ସେ ଏହି ଗ୍ୟାଙ୍ଗ ଅଫ-୨୩ରେ ଅଛନ୍ତି। ଏହାଛଡ଼ା ରାଜ୍ୟସଭାରେ ଏକ ଚାରି ଜଣିଆ କମିଟି ଗଠନ କରାଯାଇଛି ରାଜ୍ୟସଭାରେ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ। ଏହି ଚାରି ଜଣିଆ କମିଟିରେ ଅବଶ୍ୟ ରାଜ୍ୟସଭାରେ କ˚ଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ ଅଛନ୍ତି। କେବଳ ତାଙ୍କ ହାତରୁ ସବୁ କ୍ଷମତା ବାହାର କରିନେଇ ଚାରିଜଣଙ୍କ ହାତରେ ରଖିବା ହେଉଛି ଏହି ନୂଆ କମିଟି ଗଢ଼ିବାର ଉଦ୍ଦେଶ୍ୟ। ଏହା ସ୍ପଷ୍ଟ ରୂପେ ସଙ୍କେତ ଦେଉଛି ଯେ, ଗାନ୍ଧୀ ପରିବାରର ଯେ ବିରୋଧ କରିବ ସେ ତା’ର ଫଳ ଭୋଗ କରିବ।

କିନ୍ତୁ ଗୋଟିଏ ରାଜନୈତିକ ଦଳର ମୁଖ୍ୟ ଲକ୍ଷ୍ୟ ହେଲା, ନିର୍ବାଚନ ଲଢ଼ିବା, ଜିତିବା ଓ ନିଜର ଆଦର୍ଶ ହିସାବରେ ଦେଶକୁ ପରିଚାଳନା କରିବା। ଯଦି ଦଳ ବାରମ୍ବାର ହାରେ, ତେବେ ସେ ଦଳ ରହି ଲାଭ କ’ଣ? ଆଉ ସାରା ପୃଥିବୀର ଗଣତନ୍ତ୍ରମାନଙ୍କରେ ଦଳ ପରାସ୍ତ ହେବା ପରେ ନେତୃତ୍ବ ବଦଳିଥାଏ। ନିର୍ବାଚନରେ ଦଳକୁ ଜିତାଇ ପାରୁନଥିବା ନେତା, ଆପେ ଆପେ ନେତୃତ୍ବ ଛାଡ଼ି ଦେଇଥାନ୍ତି। ଭାରତରେ କିନ୍ତୁ ଓଲଟା ଘଟୁଛି। ଏଠାରେ ପରାସ୍ତ ହେଲେ ମଧ୍ୟ ନେତାମାନେ ପଦ ଛାଡ଼ିବାକୁ ରାଜି ନୁହନ୍ତି। ତାଙ୍କ ପ୍ରତି ଅନ୍ୟମାନଙ୍କର ଏତେ ଭୟ ଯେ, ତାଙ୍କୁ ପଦ ଛାଡ଼ିବା ପାଇଁ କେହି କହନ୍ତି ନାହିଁ।

ଏଠାରେ ଆହୁରି ଏକ ମୌଳିକ କଥା ହେଲା, ଯୋଗ୍ୟ ନେତୃତ୍ବ ହେତୁ ଦଳ ନିର୍ବାଚନରେ ଜିତିଥାଏ। ନେତୃତ୍ବ ଦୁର୍ବଳ ବା ଅଯୋଗ୍ୟ ହେଲେ ନିର୍ବାଚନ ଜିତି ହୁଏନା। କ˚ଗ୍ରେସ ଦଳ ଗତ ୨ଟି ଲୋକସଭା ନିର୍ବାଚନ ଶୋଚନୀୟ ଭାବରେ ହାରିବା ପରେ ଓ ଆଗାମୀ ନିର୍ବାଚନରେ ଜିତିବାର କୌଣସି ସମ୍ଭାବନା ସୃଷ୍ଟି ହେଉନଥିଲା ବେଳେ, ଏ ଦଳ ତିଷ୍ଠି ରହିବ କିପରି ଓ କାହିଁକି? କେବଳ କ˚ଗ୍ରେସ ଦଳ କ’ଣ ରହିବା ପାଇଁ ରହିବ? ଏ ଦଳ ସେମିତି ପଡ଼ିରହିବାରେ ଲାଭ କ’ଣ? ଦଳଟିଏ ପୁରୁଣା ନେତୃତ୍ବ ଅଧୀନରେ ହାରିଗଲେ, ନୂଆ ନେତୃତ୍ବ ସୃଷ୍ଟି କରେ, କାରଣ ଏହି ନୂଆ ନେତୃତ୍ବର ଯୋଗ୍ୟତା ବଳରେ ଦଳ ଜିତିପାରେ। ଯଦି ବିଜେପି ନରେନ୍ଦ୍ର ମୋଦୀଙ୍କୁ ନେତା ହିସାବରେ ବାଛି ନଥାନ୍ତା, ତେବେ ଏ ଦଳ କ˚ଗ୍ରେସର ବିକଳ୍ପ ହୋଇ ଏକାକୀ ସ˚ଖ୍ୟାଗରିଷ୍ଠତା ଲାଭ କରିପାରିଥାଆନ୍ତା କି? ଅତୀତରେ ଆଡ଼ଭାନୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ ୨୦୦୯ ମସିହାରେ। କିନ୍ତୁ ସେ ଦଳକୁ ଜିତାଇ ନପାରିବାରୁ ବିଜେପି ମୋଦୀଙ୍କୁ ନେତା ଆସନ ଦେଲା। ଆଡ଼ଭାନୀଙ୍କୁ ପୁଣି ସେହି ନେତୃତ୍ବ ଦେଇଥିଲେ ବିଜେପି ଏକକ ସ˚ଖ୍ୟାଗରିଷ୍ଠତା ପାଇ ସରକାର ଗଢ଼ିବା ଆଦୌ ସମ୍ଭବ ନଥିଲା। ମୋଦୀଙ୍କର ଯଦି ଦକ୍ଷତା ନଥାନ୍ତା ତେବେ ବିଜେପି ଜିତି ନଥାନ୍ତା। ଏଠାରେ କଥା ହେଲା, ରାହୁଳ ବା ସୋନିଆ ଗାନ୍ଧୀଙ୍କ ନେତୃତ୍ବ ନେବାର ପାରଦର୍ଶିତା ନାହିଁ ବୋଲି କଂଗ୍ରେସ ଜିତୁନାହିଁ। ବାହାରକୁ ନେତା ପରି ଦିଶୁ ନଥିଲେ ମଧ୍ୟ ଦକ୍ଷତା ଥିବା ଜଣେ ବ୍ୟକ୍ତି ଯଦି ନେତୃତ୍ବ ନିଏ ତେବେ ସେ ଦଳକୁ ଜିତାଇ ଦେଇପାରେ; ଏ କଥା ଗାନ୍ଧୀମାନେ ଯେତେ ଶୀଘ୍ର ବୁଝିବେ, ତାହା ଦଳ ଲାଗି ସେତେ ଉପକାରୀ ହେବ।

ମୋ-୯୪୩୭୦୨୦୨୯୦
kharabelaswain @ gmail.com