ଆମ କୂଟନୈତିକ ପ୍ରଭାବ ଦୁର୍ବଳ ପଡୁଛି

ଦୃଷ୍ଟିପାତ - ଅଜୟ କୁମାର ଜେନା

ବିଭିନ୍ନ କ୍ଷେତ୍ରରେ ବିଶ୍ବର ନେତୃତ୍ବ ନେବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଦକ୍ଷତା ଓ ମାନବ ସମ୍ବଳ ରହିଛି ‌େବାଲି କହିଲେ ଭୁଲ ହେବ ନାହିଁ। ମାତ୍ର ଭାରତକୁ ବିଶ୍ବ ଦରବାରରେ ସୁଦୃଢ଼ କରିବା ପାଇଁ ଭାରତୀୟ ବୈଦେଶିକ ସେବାର ଭିତ୍ତିଭୂମିରେ ପରିଲକ୍ଷିତ ହେଉଥିବା ଦୁର୍ବଳ ସ୍ଥିତି ହିଁ ଭାରତର ଏହି ମହତ୍ତ୍ବାକାଂକ୍ଷା ହାସଲରେ ଅନ୍ତରାୟ ସୃଷ୍ଟି କରୁଛି। ବିଶେଷ କରି ଭାରତୀୟ ବୈଦେଶିକ ସେବାରେ ଯୋଗ ଦେବା ଲାଗି ସବୁଠାରୁ କମ୍ ସଂଖ୍ୟକ ପ୍ରାର୍ଥୀ ଆଗ୍ରହ ପ୍ରକାଶ କରୁଥିବା ହିଁ ଏହାର ଏକ କାରଣ, ଯାହା ଏକ ଚିନ୍ତାର ବିଷୟ ହୋଇଛି। ତେବେ, ଏହି ପରିହାର୍ଯ୍ୟ କାରଣ ହିଁ ବିଦେଶରେ ଭାରତର ପ୍ରଭାବକୁ ସଂକୁଚିତ କରିଛି। ଏ ପରିପ୍ରେକ୍ଷୀରେ କେନ୍ଦ୍ର ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଚଳିତ ବର୍ଷର ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳକୁ ବିଚାରକୁ ନିଆଯାଇପାରେ। ଏଥିରେ ମୋଟ ୩୫୪ ଜଣ ପ୍ରାର୍ଥୀଙ୍କୁ ଶୀର୍ଷ ତିନି ସେବା ପାଇଁ ମନୋନୀତ କରାଯାଇଛି। ସେଥି ମଧ୍ୟରୁ ପ୍ରଶାସନିକ ସେବା (ଆଇଏଏସ୍) ପାଇଁ ୧୮୦ ଜଣ, ପୁଲିସ ସେବା (ଆଇପିଏସ୍) ପାଇଁ ୧୫୪ ଜଣ ଓ ବିଦେଶ ସେବା (ଆଇଏଫ୍ଏସ୍) ପାଇଁ ମାତ୍ର ୨୪ ଜଣ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘କମ୍ ସରକାରରେ ଅଧିକ ଶାସନ’ ବ୍ୟବସ୍ଥା ଯୋଗୁଁ ୨୦୧୪ ମସିହା ପରଠାରୁ କ୍ରମାଗତ ଭାବେ ବିଭିନ୍ନ ସେବା ପାଇଁ ନିଯୁକ୍ତିରେ ହ୍ରାସ ଘଟି ଚାଲିଛି। ତେବେ ବୈଦେଶିକ ସେବା ପାଇଁ ଏମିତିରେ ସାଧାରଣତଃ କମ୍ ନିଯୁକ୍ତ ହେଉଥିବା ବେଳେ ତହିଁରେ ଏଭଳି ହ୍ରାସର ପ୍ରଭାବ ଉଲ୍ଲେଖନୀୟ ନକାରାତ୍ମକ ପରିସ୍ଥିତି ସୃଷ୍ଟି କରିଛି।

ମୋଦୀ ସରକାର ପ୍ରଥମେ ପ୍ରଥମେ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଆଶାୟୀଙ୍କୁ ବୈଦେଶିକ ସେବାରେ ସୁଯୋଗ ଦେଉଥିଲେ। ଉଦାହରଣ ସ୍ବରୂପ, ୨୦୧୨ରେ ଏହି ସେବାରେ ୩୦ ଜଣ, ୨୦୧୩ରେ ୩୨ ଜଣ ଓ ୨୦୧୪ରେ ବି ୩୨ ଜଣ ଅଧିକାରୀ ନିଯୁକ୍ତି ପାଇଥିଲା ବେଳେ ୨୦୧୫ ଓ ୨୦୧୬ ମସିହା ପାଇଁ ୪୫ ଜଣ ଲେଖାଏଁ ବଛାଯାଇଥିଲେ। ପ୍ରକାଶ ଥାଉ କି ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିଥିଲା। ତେବେ ୨୦୧୭ରେ ତାହା ୪୨କୁ ଖସିଲା ଓ ୨୦୧୮ରେ ୩୦କୁ ଖସି ଚଳିତ ବର୍ଷ ସର୍ବନିମ୍ନ ରେକର୍ଡ‌୍ ୨୪କୁ ଛୁଇଁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ମୁତାବକ, ୨୦୧୭ ମସିହାରେ ମାତ୍ର ୮୫୦ ଜଣ ଆଇଏଫ୍ଏସ୍ କ୍ୟାଡର ରହିଥିଲେ, ଯେଉଁଠି କି ୬,୫୦୦ ଜଣ ଆଇଏଏସ୍ ଏବଂ ୪,୮୪୩ ଜଣ ଆଇପିଏସ୍ ଥିଲେ। ସୁତରାଂ ଦେଶର ସବୁଠୁ କ୍ଷୁଦ୍ରତମ କ୍ୟାଡର ଭାବେ ବୈଦେଶିକ ସେବା ବିବେଚିତ ହେଉଛି। ଏଭଳି ସ୍ଥଳେ ଦେଶର ବୈଦେଶିକ ନୀତି ଆନ୍ତର୍ଜାତିକ ସ୍ତରରେ ପ୍ରଭାବୀ ହେବା ସମ୍ଭବ ନୁହେଁ।

ଅପରପକ୍ଷେ, ବିଶ୍ବର ଅନ୍ୟ ଦେଶର ସମକାଳୀନ ସ୍ଥିତିକୁ ତର୍ଜମା କଲେ ଦେଖିବାକୁ ମିଳିଥାଏ ଯେ ଦକ୍ଷିଣ କୋରିଆର ୧୨୫୦ରୁ ଅଧିକ, ନିଉଜିଲାଣ୍ଡର ୧୩୦୦ରୁ ଅଧିକ, ବ୍ରାଜିଲର ୨୦୦୦ରୁ ଅଧିକ, ଚୀନ୍‌ର ୪୫୦୦ରୁ ଅଧିକ ଏବଂ ଜାପାନର ୫୭୦୦ରୁ ଅଧିକ କୂଟନୀତିଜ୍ଞ ଅଛନ୍ତି। ଏପରିକି ସିଙ୍ଗାପୁର ପରି କ୍ଷୁଦ୍ର ଦେଶରେ ମଧ୍ୟ ୮୦୦ରୁ ୮୫୦ ଯାଏ କୂଟନୀତିଜ୍ଞ ରହିଛନ୍ତି। ବିଭିନ୍ନ ଦେଶରେ ରହିଥିବା ଦୂତାବାସ ଦପ୍ତରକୁ ହିସାବକୁ ନେଲେ ଚୀନ୍‌ର ୧୬୯ଟି, ବ୍ରାଜିଲର ୧୩୮ଟି ଏବଂ ଭାରତର ୧୨୩ଟି ରହିଛି। ସେହିପରି ଚୀନ୍‌ର ୯୬ଟି ବାଣିଜ୍ୟ ଦୂତାବାସ ରହିଥିବା ବେଳେ ବ୍ରାଜିଲର ୭୦ଟି ଓ ଭାରତର ମାତ୍ର ୫୪ଟି ରହିଛି। ବ୍ରାଜିଲ ପରି ଦେଶ ଯାହାର ଜିଡିପି ଭାରତ ଠାରୁ ୧୮ ଲକ୍ଷ ଡଲାର କମ୍, ତାହାର ମଧ୍ୟ ଭାରତ ଠାରୁ ଅଧିକ ଆନ୍ତର୍ଜାତିକ ଉପସ୍ଥିତି ରହିଛି।

ଭାରତ ସ୍ବାଧୀନ ହେବାର କିଛି ଦଶନ୍ଧି ଯାଏ ଭାରତୀୟ ବିଦେଶ ସେବାର ଚାହିଦା ସର୍ବାଧିକ ଥିଲା। ଗତ ଦୁଇ ଦଶନ୍ଧି ଭିତରେ ଏହା ଯଥେଷ୍ଟ କମି ଆସିଛି। କିନ୍ତୁ ବର୍ତ୍ତମାନର ଜଟିଳ ଆନ୍ତର୍ଜାତିକ ସ୍ଥିତି ପରିପ୍ରେକ୍ଷୀରେ ଭାରତର ବୈଦେଶିକ ଉପସ୍ଥିତି ଅଧିକ ବ୍ୟାପକ ହେବା ଜରୁରୀ। ସୁତରାଂ, ଭାରତୀୟ ବୈଦେଶିକ ସେବାରେ ଅଧିକ କୂଟନୀତିଜ୍ଞଙ୍କୁ ନିଯୁକ୍ତ କରିବାର ସମୟ ଆସିଛି।

ଚକ୍ରଗଡ଼, ନରସିଂହପୁର, କଟକ
ମୋ: ୯୮୬୧୧୨୧୧୯୪

ସମ୍ବନ୍ଧିତ ଖବର