‘ମୁଁ ଓ ତୁମେ’ ବନାମ ‘ମୁଁ ଓ ସେ’

ବ୍ରଜକିଶୋର ମହାରଣା

କରୋନା ମହାମାରୀ ଯୋଗୁଁ ଦୂର ସ୍ଥାନରୁ ଘରକୁ ଫେରିଆସୁଥିବା ଲୋକମାନଙ୍କୁ କିଛି ଦିନ ତଳେ ରାଜଗାଙ୍ଗପୁରର ଜଣେ ମହିଳା ନିଜ ଖର୍ଚ୍ଚରେ ଖାଦ୍ୟ ରାନ୍ଧି ଯୋଗାଇ ଥିଲେ। ‘ସଟ୍‌ଡାଉନ୍‌’ ବା ‘ଲକ୍‌ଡାଉନ୍‌’ ହେତୁ ରାସ୍ତା କଡ଼ର ହୋଟେଲ ବା ଜଳଖିଆ ଦୋକାନ ଇତ୍ୟାଦି ବନ୍ଦ ଥିବାରୁ ଏହି ଘର ଫେରନ୍ତାମାନେ ଭୋକ ଉପାସରେ ରହୁଥିଲେ। ସେତିକି ବେଳେ ଈଶ୍ବର ପ୍ରେରିତଙ୍କ ଭଳି ଏହି ମହିଳା ଦୈନିକ ପାଖାପାଖି ବାରଶହ ଲୋକଙ୍କୁ ଖାଦ୍ୟ ଯୋଗାଇ ଥିଲେ। କେବଳ ଏତିକି ନୁହେଁ, ନିଜ ସହରରେ ରହୁଥିବା ଦିଲ୍ଲୀର କେତେକ ଲୋକଙ୍କୁ ମଧ୍ୟ ସେ ନିଜ ବ୍ୟୟରେ ଗାଡ଼ି ଭଡ଼ା କରି ସେମାନଙ୍କ ଘରକୁ ପଠାଇଥିଲେ। କିନ୍ତୁ ଗଣମାଧ୍ୟମରେ ଏହାର ପ୍ରଚାର ପ୍ରତି ସେ ଥିଲେ ଅତ୍ୟନ୍ତ ବିମୁଖ। ଲୋକଲୋଚନର ଆଢୁଆଳରେ ରହି ସେ ନିଜର କାର୍ଯ୍ୟ କରି ଚାଲିଥିଲେ। ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା ନିଜ ବଦାନ୍ୟତାର କାହାଣୀ ଅନ୍ୟମାନଙ୍କୁ ଜଣାଇବାକୁ ସେ ଚାହୁଁ ନ ଥିଲେ କାହିଁକି? କରୋନାର ପରାଭବ କାଳରେ ଦୁଃସ୍ଥ ଲୋକଙ୍କୁ ବିସ୍କୁଟ ପୁଡ଼ିଆଟିଏ ବା ଚୁଡ଼ାମୁଠାଏ ବା ଚାଉଳଗଣ୍ଡେ ଦେଇ ବା ଶୋଷିଲା ଲୋକଙ୍କ ହାତକୁ ପାଣି ଗିଲାସେ ବଢ଼ାଇଦେଇ ଅନେକ ଲୋକ ଖବରକାଗଜରେ ବା ସାମାଜିକ ଗଣମାଧ୍ୟମରେ ଫଟୋର ବନ୍ୟା ସୃଷ୍ଟି କରିଥିବା ବେଳେ ଏହି ମହିଳା ଏକ ଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କଲେ କାହିଁକି?

ଏହା ସତ ଯେ ଯେଉଁ ଦାତାମାନେ ନିଜ ଦାନୀ ପଣର ଭାରି ପ୍ରଚାରପ୍ରସାର କରନ୍ତି ସେମାନେ ହୁଏ’ତ ଭାବି ପାରନ୍ତି ନାହିଁ ଯେ ଦାନ ନେଉଥିବା ମଣିଷଟିର ମଧ୍ୟ ସ୍ବାଭିମାନ ଟିକିଏ ରହିଛି। ଲକ୍‌ଡାଉନ୍‌ ଭଳି ବିଶେଷ ଅଭାବନୀୟ ପରିସ୍ଥିତିରେ ପଡ଼ି ଅନ୍ୟଠୁ ସେ କିଛି ଗ୍ରହଣ କରୁଥିଲେ ବି ସେ ହୁଏ’ତ ଜଣେ ମେହନତୀ ମଣିଷ, ଯିଏ ବାଧ୍ୟ ହୋଇ ନ ଥିଲେ ଏଭଳି ଦାନ ଗ୍ରହଣ କରନ୍ତା ନାହିଁ। ଏଭଳି ବିଷୟର ଆଲୋଚନା କଲା ବେଳେ ଦାର୍ଶନିକ ମାର୍ଟିନ ବୁବରଙ୍କ ତତ୍ତ୍ବ ବିଷୟ ମନେ ପଡ଼େ। ମଣିଷ ସହ ମଣିଷର ସଂପର୍କକୁ ସେ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହେଉଛି ‘ମୁଁ ଓ ତୁମେ’ ଏବଂ ଅନ୍ୟଟି ‘ମୁଁ ଓ ‌ସେ।’ ଜଣେ ବ୍ୟକ୍ତି ଯେତେବେଳେ ଅନ୍ୟକୁ ନିଜ ସହ ସମାନ ବୋଲି ବିଚାର କରେ ସେତିକି ବେଳେ ସେ ‘ମୁଁ ଓ ତୁମେ’ ଭାବ ଦ୍ବାରା ପରିଚାଳିତ ‌ହୋଇଥାଏ। ସେତିକି ବେଳେ ତାର ଆଚରଣରେ ଅନ୍ୟ ଲୋକଟି ପ୍ରତି ଏକ ମିତ୍ର ଭାବ ଜାତ ହୋଇଥାଏ। ସେତେବେଳେ ସେ ନିଜକୁ ଅନ୍ୟ ଠାରୁ ବଡ଼ ବୋଲି ମନେ କରେ ନାହିଁ। ତା’ ମନରେ ଅନ୍ୟ ପ୍ରତି ସହାନୁଭୂତିଶୀଳ ମନୋଭାବ ସୃଷ୍ଟି ହୋଇଥାଏ। ଅପରପକ୍ଷେ ‘ମୁଁ ଓ ସେ’ ଭାବ ଦ୍ବାରା ଚାଳିତ ଜଣେ ବ୍ୟକ୍ତି ଅପରକୁ ନ୍ୟୂନ ଦୃଷ୍ଟିରେ ଦେଖିପାରେ। ଅନ୍ୟକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିପାରେ; ଅନ୍ୟ ଠାରୁ ଫାଇଦା ଉଠାଇ ପାରେ। ବ୍ୟାକରଣରେ ଆମେମାନେ ପଢ଼ିଥିବା ଭଳି ‘ପ୍ରଥମ ପୁରୁଷ’ ଭାବେ ବିବେଚିତ ‘ମୁଁ ବା ଆମେ’ ଠାରୁ ‘ଦ୍ବିତୀୟ ପୁରୁଷ’ ଭାବେ ବିବେଚିତ ‘ତୁ ବା ତୁମେ’ ‘ତୃତୀୟ ପୁରୁଷ’ ଭାବେ ରହିଥିବା ‘ସେ ଓ ସେମାନେ’ଙ୍କ ତୁଳନା‌େର ଅଧିକ ନିକଟତର। ତେଣୁ ମନେହୁଏ ରାଜଗାଙ୍ଗପୁରର ସେହି ମହିଳା ନିଶ୍ଚିତ ଭାବେ ‘ମୁଁ ଓ ତୁମେ’ ମନୋଭାବର ଅଧିକାରିଣୀ ‌ହୋଇଥିବେ। ସେହି କାରଣରୁ ନିଜେ ଦେଉଥିବା ଦାନ ସହିତ ଗ୍ରହୀତାଙ୍କ ଫଟୋ ଛାପିବାକୁ ସେ ମନ ବଳାଇଲେ ନାହିଁ।

ଏହିଭଳି ଅନେକ ବ୍ୟକ୍ତି ଅଛନ୍ତି ‌ଯେଉଁମାନେ ଅନ୍ୟର ଦୁର୍ଦଶା କାଳରେ ଅକସ୍ମାତ୍‌ ବିଜୁଳି ଭଳି ଆବିର୍ଭୂତ ହୋଇ ସାହାଯ୍ୟ କରି ଦେଇ ନିଜର କୌଣସି ପଦଚିହ୍ନ ନ ରଖି ଦୃଶ୍ୟପଟରୁ ଅପସରି ଯାଇଥାଆନ୍ତି। ଇତିହାସରେ ଏଭଳି ଜଣେ ଥିଲେ ଓସକାର ସିଣ୍ଡଲର। ଏହି ଧନୀକ ଜର୍ମାନ ବ୍ୟବସା‌ୟୀ ତଥା ଉଦ୍ୟୋଗପତି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପ୍ରାୟ ୧୨୦୦ ଇହୁଦୀଙ୍କୁ ‘ଅସ୍ବିଜ୍‌ ମରଣ ଶିବିର’କୁ ଯିବାରୁ ରକ୍ଷା କରିଥିଲେ। କହିବା ନିଷ୍ପ୍ରୟୋଜନ ଯେ ସେହି ସମୟରେ ହିଟଲରର ନାଜୀ ସେନା ପୃଥିବୀରୁ ଇହୁଦୀମାନଙ୍କୁ ସମୂଳେ ବିନାଶ କରିବାକୁ ବଦ୍ଧପରିକର ଥିଲେ। ହୋଲୋକୋଷ୍ଟ ନାମରେ ପରିଚିତ ଏହି ଇହୁଦୀମେଧ ଯଜ୍ଞରେ ସିଣ୍ଡଲର ଯେଉଁଭଳି ଭାବେ ନେପଥ୍ୟରେ ରହି ଇହୁଦୀମାନଙ୍କ ଜୀବନ ରକ୍ଷା କରିଥିଲେ, ସେଭଳି ଉଦାହରଣ ବିରଳ। ଏହା ହେଉଛି ଏହି ‘ମୁଁ ଓ ତୁମେ’ ମନୋଭାବର ଏକ ଚମତ୍କାର ଉଦାହରଣ।

ତେବେ ଏଭଳି ବ୍ୟକ୍ତିମାନଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ତେବେ କହିବାକୁ ଦ୍ବିଧା ନାହିଁ ଯେ ଏହିମାନଙ୍କ ଭଳି ବ୍ୟକ୍ତିବିଶେଷଙ୍କ ଲାଗି ମୂଲ୍ୟବୋଧ ବଞ୍ଚିଛି ଓ ମାନବିକତା ତିଷ୍ଠି ରହିଛି।

ଅନୁଗୁଳ
ମୋ- ୯୭୭୮୦୬୪୬୫୧

ସମ୍ବନ୍ଧିତ ଖବର