ମୁଁ ହିଁ ଖବର

କହିବାର ଅଛି - ଦାଶ ବେନହୁର

ଆଧୁନିକ ଦୁନିଆକୁ କେହି କେହି ଖବରର ଦୁନିିଆ ବୋଲି କହିଥାନ୍ତି। ବିଶ୍ବର ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ପ୍ରତି ନିୟତ ଯଦି କେହି ଛୁଉଁଥାଏ ତେବେ ତାହା ହେଉଛି ଖବର। ଏହାର ସରବରାହ ବନ୍ଦ ହୋଇଗଲେ ସାରା ପୃଥିବୀରେ ଅନ୍ଧାର ହୋଇଗଲା ଭଳି ପ୍ରତେ ହେବ। ଖାଦ୍ୟ ଭଳି ମଣିଷ ଖବର ହିଁ ଖାଏ। ସକାଳୁ ଉଠୁ ଉଠୁ ତା’ର ଖବର ଦରକାର। ଦେଶ ଦୁନିଆର ଖବର, ଅଞ୍ଚଳର ଖବର, ରାଜ୍ୟର ଖବର।

ଖବର ହିଁ ମଣିଷକୁ ସଜାଗ କରି ରଖେ। ଯାହା ପାଖରେ ଖବର ନାହିଁ ସେ କେବଳ ଅଜ୍ଞ ନୁହେଁ ପଛୁଆ ମଧ୍ୟ। ଅତଏବ ବର୍ତ୍ତମାନିକ ବିଶ୍ବରେ ଖବର ଏକ ଅତି ମୂଲ୍ୟବାନ କଥା।

ହେଲେ ଏ ଖବର କାହାକୁ ନେଇ? କାହା ପାଇଁ ଏ ଖବର? କାହାର ଖବର? ଏ ସବୁ ପ୍ରଶ୍ନର ଉତ୍ତର ହିଁ ଖବରର ଉପଯୋଗିତାକୁ ପ୍ରସାରିତ କରେ। ଆଜିର ଏ କୃତ୍ରିମ-ଉପଗ୍ରହର ଯୋଗାଯୋଗ-ମାଧ୍ୟମ ଯୁଗରେ ଖବରକାଗଜ ଓ ଟେଲିଭିଜନ ସମଗ୍ର ପୃଥିବୀକୁ ନିଜ ପୃଷ୍ଠା ଓ ପରଦାରେ ଅହରହ ପ୍ରତିଫଳିତ କରିବାରେ ଲାଗିଛନ୍ତି। ମୋବାଇଲ୍‌ରେ, ଟାବ୍‌ଲେଟ୍‌ରେ, ଲ୍ୟାପ୍‌ଟପ୍‌ରେ, ପ୍ରାୟ ସମସ୍ତ ବୈଦୁତିକ ଗଣମାଧ୍ୟମରେ ହୃତ୍‌ପିଣ୍ତର ଦୁକୁଦୁକି ଭଳି ଖବର ଯେମିତି ପାଲଟିଛି ବିଶ୍ବର ଦୁକୁଦୁକି।

ସୂଚନା ପ୍ରତି ମଣିଷର ଏ ପ୍ରବଣତା କ’ଣ ଆଜିର? ଏହା ତ ମଣିଷ ସଭ୍ୟତା ସହ ଯୋଡ଼ା! ଯେବେଠାରୁ ଦଳଗତ ଜୀବନ ସେବେଠାରୁ ଏହାର ଜନ୍ମ। ଯେବେଠାରୁ ତୁଣ୍ତ ବାଇଦ ହେଲା ସେବେଠାରୁ ଖବର ଡେଇଁଲା ସହସ୍ର କୋଶ। ଲୋକଙ୍କୁ ଏକାଠି କଲା, ଗୋଟାଏ ଜାଗାରୁ ଆଉ ଗୋଟାଏ ଜାଗାକୁ ନେବା ପାଇଁ ପ୍ରରୋଚିତ କଲା। ଅଶିକ୍ଷିତ ପୃଥିବୀରେ ବି ବ୍ୟକ୍ତିଟିଏ ବ୍ୟକ୍ତିକୁ ଯେବେ ଯେଉଁଠାରେ ଭେଟିଲା, ମୁହଁଟେକି ପ୍ରଶ୍ନଟିଏ ଆଙ୍କିଦେଲା ମୁହଁରେ- କ’ଣ ଖବର? ନୂଆ କ’ଣ?

ମାନବ ସମାଜରେ ଏ ସମ୍ବାଦ ପ୍ରସାରଣର ଇତିହାସ ପ୍ରତ୍ନତତ୍ତ୍ବ ଖନନ ବା କାର୍ବନ ଡେଟି˚ ମାଧୢମରେ ପାଇବା ଅସମ୍ଭବ। କାରଣ ତୁଣ୍ତର କଥା ତ ପବନରେ ଭାସେ। ପବନକୁ କିଏ କେଉଁଠି ସାଇତି ରଖିଛି? ପୃଥିବୀ ଓ ପ୍ରକୃତି ପବନକୁ ସାଇତେ ନାହିଁ, ପଦାର୍ଥକୁ ସାଇତେ।

ଗ୍ରୀକ୍‌ ଓ ରୋମାନ୍‌ ମାନେ କୁଆଡ଼େ ସୂଚନା-ସରବରାହକୁ ସାମାଜିକ କରାଇବାରେ ଅଧିକ ଆଗଭର ଥିଲେ। ରୋମାନ୍‌ ସାମ୍ରାଜ୍ୟ ଥିଲା ପ୍ରତିଷ୍ଠିତ ବିଶାଳ ସାମ୍ରାଜ୍ୟ। ଖବର ନ ରହିଲେ ଶାସନର ଲଗାମ୍‌ ସମ୍ଭାଳିବା କାଠିକର ପାଠ। ରୋମାନ୍‌ ସମ୍ରାଟ୍‌ ଜୁଲିୟସ୍‌ ସିଜର କୁଆଡ଼େ ସେ ସବୁକୁ ଲିଖିତ କରାଇବାରେ ଥିଲେ ପ୍ରଥମ ଶାସକ। ହେଲେ ପ୍ରାଚ୍ୟ ଜଗତ୍‌ ଯେ ପ୍ରାଚୀନ କାଳରୁ ସୂଚନା ପ୍ରଦାନକୁ ସାମାଜିକ, ସା˚ସ୍କୃତିକ, ଅର୍ଥନୈତିକ ତଥା ରାଜନୀତିକ ଜୀବନର ମୂଳ କରି ନଥିଲା ସେ କଥା ନୁହେଁ। ହେଲେ ପ୍ରମାଣ କାଇଁ?

କେଉଁ ଅତୀତ କାଳରୁ ଅନ୍ୟ ସବୁ ଘଟଣା ଅପେକ୍ଷା ହି˚ସା ହିଁ ଥିଲା ଖବରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅ˚ଶ। ହି˚ସାର ଖବର ବଣନିଆଁ ପରି ବ୍ୟାପି ଯାଉଥିଲା ଲୋକରୁ ଲୋକକୁ। ଜନପଦରୁ ଜନପଦକୁ। ହି˚ସାର ଖବର ପାଇଁ ସବୁଆଡ଼େ, ସବୁ ମାଟିରେ ମଣିଷମାନେ କାନ ଡେରି ରହୁଥିଲେ। ନୃତତ୍ତ୍ବବିତ୍‌ମାନଙ୍କର ମତ ହେଲା ଯେ ସମ୍ବାଦ-ଦୁନିଆର ଆରମ୍ଭ, ହି˚ସାର ସମାଚାରକୁ ନେଇ। ବିପଦ ପ୍ରତି ସଚେତନତା ହିଁ ଖବରର ଆଦ୍ୟ ଜନ୍ମଦାତା। ଅରଣ୍ୟରେ ସି˚ହ ବା ବାଘର ଉପସ୍ଥିତି-ଖବର ମଧୢ ଅଦ୍‌ଭୁତ ଶବ୍ଦ କରି ମାଙ୍କଡ଼ ଜଣେଇଦିଏ ପାଖ ପଡ଼ୋଶୀ ପ୍ରାଣୀମାନଙ୍କୁ। ଖବର ସରବରାହ କେବଳ ମଣିଷର ଏକଚାଟିଆ କାରବାର ନୁହେଁ। ଏହା ସକଳ ପ୍ରାଣୀଜଗତ୍‌ର କଥା। କୀଟ ପତଙ୍ଗ, ପଶୁପକ୍ଷୀ ସମସ୍ତେ ସେ ଭଳି ଦେଣନେଣ ସହ ସମ୍ପର୍କିତ।

ହେଲେ ମନେ ରଖିବାର କଥା ହେଲା ମଣିଷ ଛଡ଼ା ଅନ୍ୟ କୌଣସି ପ୍ରାଣୀ ଏହାକୁ ‘ମୁଁ’ ସହ ଜଡ଼େଇ ଧରନ୍ତି ନାହିଁ। ମଣିଷ ସମାଜରେ ହୁଏତ ଏହାର ଆରମ୍ଭ ହୋଇଥିଲା ସମ୍ପୂର୍ଣ୍ଣ ସାମାଜିକ ହୋଇ ମାତ୍ର ଧୀରେ ଧୀରେ ଏହା ଏବେ ମୁଁପଣରେ ବନ୍ଧା। ସମାଜ ପଛକୁ ଯାଉ, ମୁଁ କିନ୍ତୁ ଆଗ। ମୁଁ ହିଁ ଖବର ହେବି। ମୁଁ ନିଜେ ଖବର। ସବୁ ଖବରର ନିୟନ୍ତ୍ରକ ମଧୢ ମୁଁ। ‘ମୁଁପଣ’ର ଅହଂବୋଧ ଆଜି ଅଧିକା˚ଶ ଖବରର ପୋଷାକ ପାଲଟି ସାରିଛି। ଫରାସୀ ସମ୍ରାଟ୍‌ ଲୁଇ-ଚତୁର୍ଦ୍ଦଶ ‘ମୁଁ ହିଁ ରାଜ୍ୟ’ କହିଲା ଭଳି ଏବେ ନେତା କହୁଛନ୍ତି ‘‘ମୁଁ ହିଁ ଖବର’’, ଅଭିନେତା କହୁଛନ୍ତି ‘‘ମୁଁ ହିଁ ଖବର’’। ଶାସକ, ପ୍ରଶାସକ, କବି, ଲେଖକ, ବେପାରୀ ଏପରି କି ସମାଜସେବୀ ସମସ୍ତେ ଚାହାନ୍ତି ଖବର ହେବାକୁ।

ମତେ ନେଇ ଆଲୋଚନା ହେଉ। ମୁଁ ହିଁ ନ୍ୟୁଜ୍‌।

ଏବେ ସେଇ ତିନିଗୋଟି ମୌଳିକ ପ୍ରଶ୍ନକୁ ଫେରିଯିବା ଦରକାର।

କାହାକୁ ନେଇ ଖବର? ବ୍ୟକ୍ତିକୁ ନେଇ ଯେ ଖବର ସୃଷ୍ଟି ହୁଏନାହିଁ ସେ କଥା ନୁହେଁ, ତେବେ ତାହା ଅଧିକ ସାମାଜିକ ହେବା ଚାହି। ଅତୀତରେ ରାଜା, ମହାରାଜା, ସମ୍ରାଟ୍‌ ଓ ସୁଲତାନ୍‌ମାନେ ଯେ ପ୍ରଚାର କରୁଥିଲେ ସେଥିରେ ମୁଁପଣ ଅପେକ୍ଷା ସମୂହପଣ ଥିଲା ଅଧିକ। ରାଜ୍ୟର ପ୍ରବର୍ତ୍ତିତ ନୀତି ଓ ପରିବର୍ତ୍ତନକୁ ଖବରର ରୂପ ଦିଆଯାଉଥିଲା। ଶାସକମାନେ ମୂଳ ନାମ ହରେଇ ସାମୂହିକ ହେଉଥିଲେ। ରାଜ୍ୟରେ ପ୍ରଚଳିତ ପଦ-ନାମର କ୍ରମ-ପ୍ରବାହକୁ ଗ୍ରହଣ କରୁଥିଲେ ସେମାନେ। ଅମୁକ ଦ୍ବିତୀୟ, ସମୁକ ଚତୁର୍ଥ ଭାବରେ ନାମିତ ହେଉଥିଲେ। ଏପରିକି ରାଜାଙ୍କ ନାମ ଉଡ଼ିଯାଇ ସେ ସାମିଲ ହୋଇଯାଉଥିଲା ରାଜ୍ୟ ନାମରେ। ପାଟଣା ରାଜା ଆସିଲେ କୁହାଯାଉଥିଲା ପାଟଣା ଆସିଛନ୍ତି ବା ବିଜେ ହୋଇଛନ୍ତି। ମୟୂରଭଞ୍ଜ ସ୍ବୟ˚ ପଧାରିଛନ୍ତି। ଖବରରେ ମୁଁପଣ ଅପେକ୍ଷା ସମୂହପଣର ଯେ ବାର୍ତ୍ତା ତାହା ଜଳ ଜଳ ଦେଖାଯାଉଥିଲା। ଏପରିକି ଭାରତୀୟ ପରମ୍ପରାରେ ଆପଣା ମୂର୍ତ୍ତି ଗଢ଼ିବାର ପ୍ରବିଧି ନ ଥିଲା କେଉଁଠି। ମୁଁ କ’ଣ? ମୁଁ ତ ସମୂହ। ଅତଏବ ଅଧିକା˚ଶ ଖବର ଥିଲା ଗୋଷ୍ଠୀକୁ ନେଇ, ସମୂହକୁ ନେଇ।

କାହା ପାଇଁ ଏ ଖବର ବୋଲି ଯେ ପ୍ରଶ୍ନ ତା’ର ମୂଳ ମଧୢ ଥିଲେ ଲୋକମାନେ। ଲୋକମାନଙ୍କ ସକାଶେ ହିଁ ସାମ୍ରଗିକ ଭାବେ ଖବର ସଜଡ଼ା ଯାଉଥିଲା। ଶାସକର ପାରଙ୍ଗମତା-ପ୍ରଚାରର ଆବଶ୍ୟକତା ହିଁ ନ ଥିଲା। ଜୁଲିଅସ୍‌ ସିଜରଙ୍କ ଅମଳରୁ ଖବରକୁ ଲିପିବଦ୍ଧ କରି ଯେ ପ୍ରଦର୍ଶିତ କରାଯାଉଥିଲା ସେଥିରେ ସିଜର ନ ଥିଲେ, ଥିଲା ରୋମାନ୍‌ମାନଙ୍କ ଲାଗି ସୂଚନାର ଦସ୍ତାବିଜ୍‌।

ସେହି ଭଳି ‘କାହାର ଖବର’। ସେ କଥା ମଧୢ ମୌଳିକ ଭାବେ ଥିଲା ରାଜ୍ୟ ବା ଶାସନର ବାର୍ତ୍ତା। ଯେତେ ଯାହା ପ୍ରଚାରିତ ଥିଲା ସେଥିରେ ପ୍ରସାରିତ ଥିଲା ଶାସନର ନୀତି ଓ ସନନ୍ଦ। ରାଷ୍ଟ୍ର ଥିଲା ସବୁ ଖବରର ମୁହଁ।

ଅତଏବ ସମୂହ ଓ ରାଜ୍ୟର ବିଚାରକୁ ଏକଛତ୍ରୀ ଶାସକମାନେ ସୁଦ୍ଧା ମୁଁପଣରେ ଢାଳି ନଥିଲେ। ଇତିହାସରେ ଯେବେ ଯିଏ କହିଛି ଯେ ମୁଁ ହେଉଛି ରାଷ୍ଟ୍ର, ମୁଁ ହିଁ ଖବର, ତା’ର ପତନ ଅବଶ୍ୟମ୍ଭାବୀ ହୋଇଛି।

ବ୍ୟକ୍ତି-ସମୂହକୁ ନେଇ ସମାଜ, ମାତ୍ର ସମାଜ ଗୋଟାଏ ବ୍ୟକ୍ତି ନୁହେଁ। ସମାଜଶାସ୍ତ୍ରର ଯେତେ ସିଦ୍ଧାନ୍ତ, ବିଚାର ଓ ତର୍କ ସବୁ ଏଇ ବ୍ୟକ୍ତି ଓ ସମାଜ ବା ରାଷ୍ଟ୍ରକୁ ନେଇ। ବ୍ୟକ୍ତି ଖୋଜେ ସ୍ବାଧୀନତା ମାତ୍ର ସମାଜ ଖୋଜେ ନିୟନ୍ତ୍ରଣ ଓ କର୍ତ୍ତୃତ୍ବ। ବ୍ୟକ୍ତିର ଉଚ୍ଛୃଙ୍ଖଳତା ବା ଅବାଧ-ସ୍ବାଧୀନତାକୁ କେବେ କୌଣସି ସମାଜ ବା ରାଷ୍ଟ୍ର ଗ୍ରହଣ କରିନାହିଁ। ବ୍ୟକ୍ତିକୁ ସ୍ବାତନ୍ତ୍ର୍ୟ ଦେବାରେ ସମସ୍ତେ ସହମତ। ହେଲେ ଏ ସ୍ବାତନ୍ତ୍ର୍ୟ ନିରଙ୍କୁଶ ନୁହେଁ।

ଖବରର କଥାଟି ବିଚାର କଲେ ଆଜି ପୁଣି ବ୍ୟକ୍ତି ଓ ରାଷ୍ଟ୍ର ଭିତରେ ଯେ ଏକ ସୂକ୍ଷ୍ମ ବୈଚାରିକ ସ˚ଘର୍ଷ ରହିଛି ତାହା ସ୍ପଷ୍ଟ ବାରି ହୋଇପଡ଼େ। ବ୍ୟକ୍ତି ଚାହୁଁଛି ମତେ ନେଇ ଖବର ହେଉ। ସମୂହ ପଛରେ ରହୁ।

ଏଠାରେ ଗୋଟିଏ ଉଦାହରଣ ରଖିବା। ବାବୁ ଅମୁକ ଜଣେ ମନ୍ତ୍ରୀ ବା ଶାସକ। ସେତୁଟିଏ ଉଦ୍‌ଘାଟିତ ହେଲା। ସେତୁଟି କାହାର? କାହା ପାଇଁ ହେଲା? ତା’କୁ କଲା କିଏ? କେଉଁ ନଦୀ ଉପରେ ସେତୁଟି ହେଲା, କେବେ ହେଲା? ଏ ସବୁ ହିଁ ଅସଲ ଖବର। ଯେଉଁ ମନ୍ତ୍ରୀ ଉଦ୍‌ଘାଟନ କଲେ ସେ ସେଇ ବିଭାଗର ସାମୂହିକ ଦାୟିତ୍ବରେ ଅଛନ୍ତି ବୋଲି କାମଟି କଲେ। ତାଙ୍କ ନିଜର ନାମ ଏଠାରେ ଗୌଣ। ନାମଟିର କିଛି ମୂଲ୍ୟ ନାହିଁ ସେ ଫଳକରେ। ଅଥଚ ସବୁଠାରୁ ବଡ଼ ଅକ୍ଷରରେ ତାଙ୍କରି ନାମଟି ଲେଖାଯାଏ। ଉଦ୍‌ଘାଟନ କଲାବେଳେ ସେ ପଢ଼ିବସନ୍ତି ନିଜ ନାମଟି ଠିକ୍‌ ଲେଖା ହୋଇଛି କି ନାହିଁ। ନିଜ ନାଁ ବାଟେ ସେ ଚିରଦିନ ଖବର ହୋଇ ରହିବା ଲାଗି ଆସ୍ଫାଳନ କରନ୍ତି। ଭୁଲ ନାଁ ଲେଖା ହୋଇଗଲେ ସରିଗଲା କଥା।

ଏଇ ‘‘ମୁଁପଣ ଖବର’’ର ଜନ୍ମଦାତା ହେଉଛି ଗଣତନ୍ତ୍ର। କାରଣ ଗଣତନ୍ତ୍ର ଶାସନ ଜନମତ ଉପରେ ନିର୍ଭରଶୀଳ। ଜନମତ କହିଲେ ଖବର ଆଧାରିତ ଜନମତ। ଖବର ହିଁ ଜନମତ ତିଆରି କରେ ଓ ଜନମତକୁ ନିୟନ୍ତ୍ରିତ କରେ। ଲୋକଙ୍କର ଯେ ମତ ବା ଭୋଟ୍‌ ତା’ମୂଳରେ ଥାଏ ଖବର। ଉଭୟ ଦଳ ଓ ବ୍ୟକ୍ତି ଖାସ୍‌ ସେଇଥିପାଇଁ ‘‘ମୁଁ ହିଁ ଖବର’’ର ପତାକା ଉଡ଼ାଇବାରେ ଲାଗିଥାନ୍ତି ସବୁଠି। ସମସ୍ତେ ଚାହାନ୍ତି ଲୋକପ୍ରିୟ ହେବେ। ଲୋକପ୍ରିୟ ହେଲେ ଶାସନରେ ରହିବେ, ନିର୍ବାଚନ ଜିଣିବେ। ଏ ପରିକି ଶାସନରେ ରହିବା ପାଇଁ ଆଜିର ଏ ଆଧୁନିକ ସମୟରେ ସାମରିକ ସ୍ବେଚ୍ଛାଚାରୀ ଶାସକଙ୍କଠାରୁ ଆରମ୍ଭ କରି ଗୋଷ୍ଠୀତନ୍ତ୍ରୀ, ଧନତନ୍ତ୍ରୀ, ଏକକ-ଦଳତନ୍ତ୍ରୀ ଶାସକମାନେ ଖବରକୁ ଆୟୁଧ କରି ଧରିଛନ୍ତି। ଖବର ପ୍ରସାରଣର ଯେତେ ଯେତେ ବାଟ ସେ ସବୁରେ ଭରିଯାଏ ‘‘ମୁଁ ହିଁ ଖବର’’ର ଧୀର ମନ୍ଥର ବିଷ ପ୍ରୟୋଗ। ମିଛ, ମନଗଢ଼ା, କପୋଳକଳ୍ପିତ, ଚମକପ୍ରଦ, ଅବାସ୍ତବ ଖବରକୁ ଆୟୁଧ କରି ଆଜି ଅଧିକା˚ଶ ସଭ୍ୟ ଓ ସମୃଦ୍ଧ ଦେଶର ଶାସକମାନେ ‘‘ମୁଁ ହିଁ ଖବର’’ ସାଜିବାରେ ଲାଗିଛନ୍ତି। କାରଣ ସେମାନେ ଜାଣିଛନ୍ତି ନିର୍ବାଚନର ରଣନୀତିରେ ‘‘ମିଛ’’ ଓ ‘‘ମୁଁ-ଖବର’’ ଯେତେ ଶୀଘ୍ର ବ୍ୟାପିପାରେ ତାହା ଆଉ କୌଣସି ସତ୍ୟ, ତଥ୍ୟଗତ, ପରିସ˚ଖ୍ୟାନ ଆଧାରିତ ବିବରଣୀ କରିପାରନ୍ତି ନାହିଁ।

ମଇଳା କରିବା ସହଜ। ଅପରପକ୍ଷେ ପରିଷ୍କାର ପ୍ରକ୍ରିୟାରେ ବିଳମ୍ବ ଘଟେ। ସେଇଭଳି ମିଛ ମଧ୍ୟ ଅତି ସହଜରେ ବ୍ୟାପି ଯାଏ ମାତ୍ର ସତ୍ୟର ଗତି ସବୁବେ‌େଳ ଧୀର ଓ ମନ୍ଥର। ନିନ୍ଦା ବା କୁତ୍ସା ଯେତେ ଅନାୟାସରେ ମଣିଷ ମନକୁ ଆକୃଷ୍ଟ କରେ ତେତେ ପରିମାଣରେ ପ୍ରଶ˚ସା ଆଗଭର ହୋଇପାରେ ନାହିଁ।

ଏବେ ଦେଶମାନେ ମଧୢ ‘‘ମୁଁ ହିଁ ଖବର’’ ନୀତିରେ କବଳିତ। କିଏ ସତ କହୁଛି? ଉତ୍ତର କୋରିଆ ନା ଦକ୍ଷିଣ କୋରିଆ? କାହାର ପରିସ˚ଖ୍ୟାନ ସତ? ଆମେରିକାର ନା ଚୀନ୍‌ର? ରାଜ୍ୟ ସରକାରଙ୍କ ଖବର ସତ ନା କେନ୍ଦ୍ର ସରକାରଙ୍କର? ପ୍ରଧାନମନ୍ତ୍ରୀ ଦେଇଥିବା ଖବରକୁ ଭରସା କରିବା ନା ବିରୋଧୀ ଦଳର ନେତାଙ୍କ ଖବରକୁ?

ମଣିଷ ମାତ୍ରେ ଖବର-ଭୋକୀ। ତା’ର ଏ ଭୋକକୁ ଗଣତନ୍ତ୍ର ବ୍ୟବସ୍ଥା ଯେମିତି ଉଚ୍ଚକିତ କରିଛି ତା’ଠାରୁ ଅଧିକ କରିଛି ଏ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ହଟଚମଟ ଖେଳ। ସୂଚନା ଓ ମିଡିଆ ଶାସ୍ତ୍ରୀମାନେ କହୁଛନ୍ତି, ଖବର ମାତ୍ରେ ଯେ ତାହା ସତ୍ୟ ଆଧାରିତ ସେ ଭଳି ନିର୍ଭରୋକ୍ତି କେହି ଦେଇପାରିବେ ନାହିଁ। ସେଥିରେ ପୁଣି ଯାହା ଘଟିଛି ବା ଘଟିଥିଲା ତାହା ଆଉ ଖବର ହୋଇ ନାହିଁ। ଖବର-ଭବିଷ୍ୟଦ୍ରଷ୍ଟା ଭାବରେ ଅଭିହିତ ରିଚାର୍ଡ ସମର‌୍‌ଭିଲ୍‌ ଗୋଟିଏ ସ˚ଗଠନ ଗଢ଼ିଛନ୍ତି ୨୦୦୧ ଜୁନ୍‌ ମାସରୁ। ଏହାର ନାମ ‘‘ମିଡିଆ ଫୋରସାଇଟ୍‌ ସୋସାଇଟି’’। ତାଙ୍କର ମତ ହେଲା ଖବରଦାତାମାନେ କେବଳ କ’ଣ ଘଟିଲା ସେଥିରେ ନ ରହି କ’ଣ ଘଟିବାକୁ ଯାଉଛି ତାହାର ଆହ୍ବାନକୁ ମଧୢ ଗ୍ରହଣ କରିବା ଆବଶ୍ୟକ। ଏଠାରେ ପ୍ରଣିଧାନ ଯୋଗ୍ୟ ଯେ ଆନ୍ତର୍ଜାତିକ ଖବରଦାତା ସ˚ଘ (ଇଣ୍ଟରନାସନାଲ୍‌ ଫେଡେରେସନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟସ୍‌ ବା ଆଇ.ଏଫ୍‌.ଜେ) ଏହାର ୧୯୫୪ ଵାର୍ଲଡ୍‌ କ˚ଗ୍ରେସରେ ଗ୍ରହଣ କରିଥିବା ୯ଗୋଟି ଯାକ ମୌଳିକ ନୀତି ଏବେ ପଛକୁ ଚାଲିଗଲାଣି। ପ୍ରଭାବଶାଳୀ ବ୍ୟକ୍ତିଙ୍କର ‘‘ମୁଁ ହିଁ ଖବର’’ ପାଖରେ ଏବେ ସମସ୍ତେ ଯେପରି ନତମସ୍ତକ। ଓଲଟି ଟିଭି ଚାନେଲ୍‌ ମାନଙ୍କରେ ଜଣେ ଜଣେ ଘୋଷକ ବା ସ˚ଯୋଜକ ନିଜକୁ ପ୍ରମାଣିତ କରିସାରିଲେଣି ଯେ ସେଇମାନେ ହିଁ ଖବର। ଅନ୍ୟମାନେ ଗୌଣ।

କହିବାର ଅଛି, ଖବର ଯେ ସତ୍ୟର, ସମୂହର ଓ ଅନୁସନ୍ଧାନର ସ୍ଫଟିକ ମୂର୍ତ୍ତି, ତା’ ଉପରେ ଏବେ ସର୍ବତ୍ର ‘‘ମୁଁ ହିଁ ଖବର’’ ସବାର ହୋଇଛି। ଏ ମୁଁପଣକୁ ପ୍ରତିହତ ନ କରିବା ଯାଏ ସମାଜର ତଥା ସାରା ବିଶ୍ବର ମଙ୍ଗଳ ନାହିଁ ବୋଲି ବୁଝିବାକୁ ହେବ।

[email protected]

ସମ୍ବନ୍ଧିତ ଖବର