ପ୍ରତ୍ୟେକ ବ୍ୟକ୍ତି ନିଜର ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟକଳା ଓ କାରୁକାର୍ଯ୍ୟ ପାଇଁ ସ୍ବାଭିମାନୀ ହେବା ସ୍ବାଭାବିକ। ମୋର ମଧ୍ୟ ଜଣେ ଓଡ଼ିଆ ହିସାବରେ ଆମ ସାହିତ୍ୟ ଭାଷା, ନୃତ୍ୟସଙ୍ଗୀତ, କଳା ଓ କାରୁକାର୍ଯ୍ୟ ପାଇଁ ସ୍ବାଭିମାନ ଅଛି।

Advertisment

ସ୍ବାଧୀନତା ପୂର୍ବରୁ ରାଜା ମହାରାଜାମାନେ ଏ ସବୁ କାର୍ଯ୍ୟର ପୃଷ୍ଠପୋଷକତା କରୁଥିଲେ। ଏବେ ଏ ଗୁରୁଦାୟିତ୍ବ ପ୍ରତିଷ୍ଠିତ ସରକାରଙ୍କର। ଯେଉଁ ସରକାରର ଆନ୍ତରିକତା ଥିବ ସେ ରାଜ୍ୟରେ ଏହାର ପ୍ରସାର ଅଧିକ ହେବ, କିନ୍ତୁ ଆମର ଦୁର୍ଭାଗ୍ୟ। ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ERRP ଠାରୁ ଆରମ୍ଭ କରି ଭାଷା, ସାହିତ୍ୟ, ନୃତ୍ୟସଙ୍ଗୀତକୁ ଗୁରୁତ୍ବ ଓ ଉତ୍ସାହିତ କରୁଥିଲେ। ତା’ ସହ ଶିଳ୍ପ, ଜଳସେଚନ, କୃଷି, ବାଣିଜ୍ୟ ଓ ପର୍ଯ୍ୟଟନ ପ୍ରତ୍ୟେକ କ୍ଷେତ୍ରକୁ ସେ ଗୁରୁତ୍ବ ଦେଉଥିଲେ। ସେ ନିଜେ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଥିଲେ। ପ୍ରତିବର୍ଷ ସାହିତ୍ୟିକମାନଙ୍କୁ ନେଇ ସଭା ଓ ଆଲୋଚନା କରୁଥିଲେ। ନୃତ୍ୟସଙ୍ଗୀତକୁ ଉତ୍ସାହିତ କରିବା ପାଇଁ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର, ଏପରିକି କେନ୍ଦ୍ର ସରକାରରେ ଉଚ୍ଚ ପଦାଧିକାରୀ ଥିବା ଶ୍ରୀମତୀ କୁମ୍‌କୁମ୍‌ ମହାନ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଚାକିରିରୁ ଛଡ଼ାଇ ଆଣି ଓଡ଼ିଶୀ ନୃତ୍ୟସଙ୍ଗୀତର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ। ଆଜି ଏହି ରିସର୍ଚ୍ଚ ସେଣ୍ଟର କିପରି କାର୍ଯ୍ୟ କରୁଛି ନା ସାଧାରଣ ଗାଁ ସ୍କୁଲ, କଲେଜ ପରି କାର୍ଯ୍ୟ କରୁଛି ତାହା ମୁଁ ଜାଣିନାହିଁ।

ଗତ କାଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହେଇଛି ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ପତ୍ର ଉପସ୍ଥାପନ କରିବେ। ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପୂର୍ବରୁ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି, କିନ୍ତୁ ଏଯାବତ୍‌ ହୋଇପାରିଲା ନାହିଁ। ୧୯୬୬ରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ପୂର୍ବରୁ ଏହା ଶାସ୍ତ୍ରୀୟ ବୋଲି ପ୍ରତିପାଦନ କରିବା ପାଇଁ ୧୯୫୪ରୁ ଓଡ଼ିଶାରେ ଏବ˚ ଭାରତର ବିଭିନ୍ନ ସ୍ଥାନରେ ଶାସ୍ତ୍ରୀୟ ଧାରାରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଆସିଛି। ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ବୋଲି ପ୍ରତିପାଦନ କରିବା ପାଇଁ କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ, ଶ୍ରୀଯୁକ୍ତ ଧୀରେନ୍‌ ପଟ୍ଟନାୟକ, ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ପଙ୍କଜ ଚରଣ ଦାସ, ଗୁରୁ ଦେବ ପ୍ରସାଦ ଦାସ, ନୃତ୍ୟାଙ୍ଗନା ପ୍ରଦ୍ମଶ୍ରୀ ପ୍ରିୟମ୍ବଦା ହାଜ୍‌ମାଦି, ବିଶ୍ବବିଦିତା ସ˚ଯୁକ୍ତା ପାଣିଗ୍ରାହୀ, ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି ଓ ଆହୁରି ଅନେକ ନୃତ୍ୟଶିଳ୍ପୀ ସେମାନଙ୍କର ପରିବେଷଣ ମାଧ୍ୟମରେ ଦିଲ୍ଲୀରେ ୧୯୫୮ରେ ଓ ହାଇଦ୍ରାବାଦରେ ୧୯୬୪ରେ ସେମାନଙ୍କର ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ବୋଲି ଜନସାଧାରଣରେ ପ୍ରମାଣିତ କରିପାରିଥିଲେ। ଏମାନଙ୍କ ସହ ସଙ୍ଗୀତ ସଂଯୋଜନା ଓ ଗାୟନ କ୍ଷେତ୍ରରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ବେହେଲା ବାଦକ ଓ ସଙ୍ଗୀତ ସ˚ଯୋଜକ ଶ୍ରୀଯୁକ୍ତ ଭୁବନେଶ୍ବର ମିଶ୍ର, ବିଖ୍ୟାତ ଗାୟକ ଶ୍ରୀଯୁକ୍ତ ରଘୁନାଥ ପାଣିଗ୍ରାହୀ, ମର୍ଦ୍ଦଳ ବାଦକ ଶ୍ରୀଯୁକ୍ତ ବନମାଳୀ ମହାରଣା ପ୍ରମୁଖ ଓ ଆହୁରି ଅନେକଙ୍କର ଯଥେଷ୍ଟ ଭୂମିକା ଥିଲା। ଫଳରେ ସଙ୍ଗୀତ ବିଶେଷଜ୍ଞ, ନୃତ୍ୟ ବିଶେଷଜ୍ଞ ଓ ସର୍ବସାଧାରଣଙ୍କ ଦୃଷ୍ଟିରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ବୋଲି ହୃଦ୍‌ବୋଧ ହୋଇଥିଲା। ଫଳରେ ୧୯୬୬ରେ ଏହାକୁ ଭାରତ ସରକାରଙ୍କ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଶାସ୍ତ୍ରୀୟ ବୋଲି ସ୍ବୀକୃତି ଦେଇଥିଲେ। ନୃତ୍ୟସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କର ଅନ୍ୟ କୌଣସି ସ୍ବତନ୍ତ୍ର ଅନୁଷ୍ଠାନ ନାହିଁ।

ତାମିଲ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନିମନ୍ତେ ୨୦୦୪ରେ କେନ୍ଦ୍ର ସରକାରଙ୍କ ଠାରେ ଦାବି ପତ୍ର ଉପସ୍ଥାପନ ହେବା କାରଣରୁ ସେତେବେଳର କ˚ଗ୍ରେସ ସରକାର କେନ୍ଦ୍ର ସାହିତ୍ୟ ଏକାଡେମିରେ ଏକ ଭାଷା ବିଶେଷଜ୍ଞ କମିଟି ଗଠନ କରିଥିଲେ। ସେମାନଙ୍କ ସୁପାରିସ କ୍ରମେ ପ୍ରଥମେ ତାମିଲ ଭାଷା, ପରେ ପରେ ସ˚ସ୍କୃତ, ତେଲୁଗୁ, ମାଲାୟାଲମ୍‌ ଓ କନ୍ନଡ ଭାଷା ଶାସ୍ତ୍ରୀୟ ବୋଲି ସ୍ବୀକୃତି ପାଇଲା। ସେହି କାର୍ଯ୍ୟପନ୍ଥା ଓ ଧାରା ଅନୁସାରେ ଭାଷା ବିଶେଷଜ୍ଞ କମିଟିର ସୁପାରିସକ୍ରମେ ଓଡ଼ିଆ ଭାଷା ଶାସ୍ତ୍ରୀୟ ବୋଲି ୨୦ ଫେବ୍ରୁଆରି ୨୦୧୪ରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‌ରେ ଅନୁମୋଦିତ ହେଲା ଏବ˚ ଭାରତ ସରକାରଙ୍କ ରାଜପତ୍ରରେ ୧୧ ମାର୍ଚ୍ଚ ୨୦୧୪ରେ ଘୋଷିତ ହେଲା।

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ବୋଲି ପ୍ରମାଣିତ କରିବା ପାଇଁ ୧୯୫୪ ମସିହାରୁ କାଳୀଚରଣ ପଟ୍ଟନାୟକ, ସିଂହାରୀ ଶ୍ୟାମସୁନ୍ଦର କର, ଗୁରୁ ତାରିଣୀ ଚରଣ ପାତ୍ର, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ଗୁରୁ ଭୁବନେଶ୍ବର ମିଶ୍ର, ଗୁରୁ ମାର୍କଣ୍ତେୟ ମହାପାତ୍ର, ଗୁରୁ କାଶୀନାଥ ପୂଜାପଣ୍ତା, ଗୁରୁ ଲୋକନାଥ ରଥ, ପଣ୍ତିତ ରଘୁନାଥ ପାଣିଗ୍ରାହୀ, ଗୁରୁ ବନମାଳୀ ମହାରଣା, ଗୁରୁ ଗୋପାଳ ଚନ୍ଦ୍ର ପଣ୍ତା, ଡକ୍ଟର ଶ୍ୟାମାମଣି ଦେବୀ, ଡକ୍ଟର ଦାମୋଦର ହୋତା, ପ୍ରଫେସର ରାମହରି ଦାସ, ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ଏବ˚ ଆହୁରି ଅନେକ ସଙ୍ଗୀତଜ୍ଞ ପ୍ରଚେଷ୍ଟା ଚଳାଇଛନ୍ତି। କିନ୍ତୁ ଓଡ଼ିଶୀ ସଙ୍ଗୀତଜ୍ଞମାନଙ୍କୁ ଯେତିକି ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଆବଶ୍ୟକ ତାହା ସେମାନେ ପାଉନାହାନ୍ତି। ଓଡ଼ିଶା ଏବ˚ ଓଡ଼ିଶା ବାହାରେ ନିର୍ଦ୍ଦିଷ୍ଟ କେତେଜଣଙ୍କୁ ଛାଡ଼ିଦେଲେ ଅଧିକା˚ଶ ଯୋଗ୍ୟ ଗାୟକ-ଗାୟିକାମାନଙ୍କୁ ବିଭିନ୍ନ ସଙ୍ଗୀତ ମହୋତ୍ସବରେ ଓଡ଼ିଶୀ ଗୀତ ପରିବେଷଣ କରିବାର ଯଥେଷ୍ଟ ସୁଯୋଗ ମିଳୁନାହିଁ। ଯେଉଁମାନେ ଗବେଷଣା କରି ପୁସ୍ତକମାନ ରଚନା କରୁଛନ୍ତି ସେମାନଙ୍କୁ ଆର୍ଥିକ ଓ ଆନୁଷଙ୍ଗିକ ସାହାଯ୍ୟ ମିଳୁନାହିଁ। ଗୁରୁମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହୁଛି। ଓଡ଼ିଶୀ ତାଳ ଓ ରାଗର ଲକ୍ଷଣ ଶାସ୍ତ୍ରରେ ଯାହା ଅଛି, ପରିବେଷଣରେ ତାହାର ବ୍ୟତିକ୍ରମ ଘଟୁଛି। ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ତା, ଡକ୍ଟର ଦାମୋଦର ହୋତା, ପ୍ରଫେସର ରାମହରି ଦାସ, ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ପ୍ରଭୃତି ଗୁରୁ ଓ ଗବେଷକମାନେ ଇତି ମଧ୍ୟରେ ଅନେକ ପୁସ୍ତକ ରଚନା କରି ବ୍ୟକ୍ତିଗତ ଉଦ୍ୟମରେ ଯେତିକି ପ୍ରକାଶ କଲେଣି, ଓଡ଼ିଶା ସରକାରଙ୍କର ସ˚ସ୍କୃତି ବିଭାଗର ଅନୁଷ୍ଠାନ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସେତିକି ପ୍ରକାଶ କରିନାହାନ୍ତି ବା ଗବେଷଣା କରୁଥିବା ଓଡ଼ିଶୀ ସଙ୍ଗୀତଜ୍ଞମାନଙ୍କୁ ପ୍ରୋତ୍ସାହନ ଦେଉନାହାନ୍ତି। ତେଣୁ ଯେଉଁମାନେ ପ୍ରକୃତରେ କାର୍ଯ୍ୟ କରୁଛନ୍ତି ସେମାନେ ଆହୁରି ଅଧିକ କରି ନ ପାରି ହତୋତ୍ସାହିତ ହୋଇଯାଉଛନ୍ତି। ପୂର୍ବରୁ ଓଡ଼ିଶାରେ ସ˚ସ୍କୃତ ଭାଷାରେ ଅନେକ ସଙ୍ଗୀତ ଗ୍ରନ୍ଥ ରଚିତ ହୋଇଛି। ସେଗୁଡ଼ିକ ଅନୁସରଣ କରି ଏବ˚ ଏବେକାର ରଚନା ଗୁଡ଼ିକୁ ଅନୁଧ୍ୟାନ କରି ଓଡ଼ିଶୀ ସଙ୍ଗୀତର ଏକ ଶାସ୍ତ୍ର-ସମ୍ମତ ବ୍ୟାକରଣ ପ୍ରସ୍ତୁତ ହୋଇପାରୁନାହିଁ, ଯାହା ଓଡ଼ିଶା ସରକାର କରିବା କଥା। ଫଳରେ ଗୁରୁମାନଙ୍କର ମତ ପାର୍ଥକ୍ୟ ବୃଦ୍ଧି ପାଉଛି, ଗାୟନ ପରିବେଷଣରେ ପରମ୍ପରା କ୍ଷୁଣ୍ଣ ହେଉଛି ଏବଂ ବିକୃତ ଗାୟନଶୈଳୀ ମୁଣ୍ତ ଟେକୁଛି। ତେଣୁ ପ୍ରଥମେ ବିଖ୍ୟାତ ଗବେଷକ, ଗୁରୁ, ଗାୟକ-ଗାୟିକାମାନଙ୍କୁ ନେଇ ଏକ କମିଟି ଗଠନ କରି ଓଡ଼ିଶୀ ସଙ୍ଗୀତର ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଅନୁମୋଦିତ ଧାରା ଓ ବ୍ୟାକରଣ ନିର୍ଦ୍ଧାରଣ କରିବା ଆବଶ୍ୟକ, ଯେଉଁ ଅନୁସାରେ ଓଡ଼ିଶୀ ଗୀତ ଗାୟନ ହେବ। ଓଡ଼ିଶା ଏବ˚ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ଶାସ୍ତ୍ରୀୟ ଶୈଳୀରେ ଉଚ୍ଚକୋଟୀର ଗାୟନ ବାଦନ ନିୟମିତ ପରିବେଷଣ ହେବ। ଏ ସବୁ କୌଣସି କାର୍ଯ୍ୟପନ୍ଥାକୁ ଧ୍ୟାନ ନ ଦେଇ, କାର୍ଯ୍ୟକାରୀ ନ କରି ଶାସ୍ତ୍ରୀୟ ମାନ୍ୟତା ଦାବି କରିବା ହାସ୍ୟାସ୍ପଦ।

ପୁଣି ଓଡ଼ିଶୀ ସଙ୍ଗୀତର ଓ ସେମାନଙ୍କ ନିଜର ଭବିଷ୍ୟତ ଅନ୍ଧକାର ବୋଲି ଅନୁଭବ କରି ଆଜିକାଲିର ଯୁବପିଢ଼ି ଅଧିକ ସ˚ଖ୍ୟାରେ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିବା ପାଇଁ ପଶ୍ଚାଦ୍‌ପଦ ହେଉଛନ୍ତି। କଟକ, ଭୁବନେଶ୍ବର, ପୁରୀ ଓ ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନକୁ ଛାଡ଼ି ଦେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତର ପ୍ରସାର ଧୀରେ ଧୀରେ କମୁଛି। ଦକ୍ଷିଣ ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତର ଅନେକ ଶାସ୍ତ୍ର ରଚିତ ହୋଇଛି ଏବ˚ ଅପର୍ଣ୍ଣା ପାଣିଗ୍ରାହୀ, ଭକ୍ତବତ୍ସଳ ପାତ୍ର, ଅନନ୍ତ ଚରଣ ପାତ୍ର, ତାରିଣୀ ଚରଣ ପାତ୍ର ପ୍ରମୁଖ ବଡ଼ ବଡ଼ ଗାୟକମାନଙ୍କର ଗାୟନ ପରମ୍ପରା ନଷ୍ଟ ହୋଇଗଲାଣି। ପଶ୍ଚିମ ଓଡ଼ିଶାର ବିଖ୍ୟାତ ଓଡ଼ିଶୀ ସଙ୍ଗୀତ ଗବେଷକ ଡକ୍ଟର ନୀଳମାଧବ ପାଣିଗ୍ରାହୀଙ୍କ ରଚନା ଓ ଉପଦେଶକୁ ଧ୍ୟାନ ଦିଆଗଲା ନାହିଁ। ସରକାରୀ ସ୍ତରରେ ନିଯୁକ୍ତ ଓଡ଼ିଶୀ ସଙ୍ଗୀତଜ୍ଞମାନେ ଓଡ଼ିଶୀ ସଙ୍ଗୀତର କର୍ଣ୍ଣଧାର ଭାବରେ ବିବେଚିତ ହେଉଥିବାବେଳେ ଅନ୍ୟମାନେ ଅଲୋଡ଼ା, ଅବହେଳିତ ହୋଇଯାଉଛନ୍ତି, ଯଦିଓ ସେମାନଙ୍କର ଯଥେଷ୍ଟ ଅବଦାନ ରହିଛି। ଓଡ଼ିଶୀ ସଙ୍ଗୀତଜ୍ଞମାନଙ୍କୁ ପୁରସ୍କୃତ କଲା ବେଳେ ବହୁ ଯୋଗ୍ୟ ବୟସ୍କ ସଙ୍ଗୀତଜ୍ଞମାନଙ୍କୁ ବିଚାରକୁ ନିଆଯାଉନାହିଁ। ଏପରି ହେଲେ ଓଡ଼ିଶୀ ସଙ୍ଗୀତର ଶୁଦ୍ଧତା, ଶାସ୍ତ୍ରୀୟତା, ମଧୁରତା ଓ ପରମ୍ପରା ନିକଟ ଭବିଷ୍ୟତ୍‌ରେ ଦୁର୍ବଳ ହୋଇଯିବ। ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା ଦୂରର କଥା, ତା’ର ସ୍ଥିତି ମଧ୍ୟ ହଜେଇ ବସିବ। ତେଣୁ ଶାସ୍ତ୍ରୀୟ ମାନ୍ୟତା ଦାବି କରିବା ପୂର୍ବରୁ ଏହାର ଶାସ୍ତ୍ରୀୟତାକୁ ବଜାୟ ରଖିବା ଅଧିକ ଗୁରୁତ୍ବପୂର୍ଣ୍ଣ।

ଇତ୍ୟବସରରେ ମୁଁ ଗୋପାଳ ଚନ୍ଦ୍ର ପଣ୍ତା, ଡକ୍ଟର ଦାମୋଦର ହୋତା, ପ୍ରଫେସର ରାମହରି ଦାସ, ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ ପ୍ରଭୃତି କେତେଜଣଙ୍କର ଓଡ଼ିଶୀ ସଙ୍ଗୀତ ଗ୍ରନ୍ଥ ବିଷୟରେ ଅବଗତ ହୋଇଛି। ଅଭିଜ୍ଞ ଓ ବୟସ୍କ ଗୁରୁମାନଙ୍କ ମଧ୍ୟରେ ଏମାନେ ଅଦ୍ୟାବଧି କର୍ମଚ˚ଚଳ ଅଛନ୍ତି। ‘ଆମ ଓଡ଼ିଶା’ ଅଫିସ୍‌ରୁ ଡକ୍ଟର ପାଢ଼ୀଙ୍କର The Classicality of Odishi Music ପ୍ରାପ୍ତ ହୋଇ ଅଳ୍ପ ଅନୁଧୢାନରୁ ହୃଦ୍‌ବୋଧ କଲି ଯେ ଶାସ୍ତ୍ର ଓ ତତ୍ତ୍ବ ଦୃଷ୍ଟିରୁ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ, କିନ୍ତୁ ତାହା ଗାୟନ-ବାଦନରେ ପରିବେଷିତ ଓ ପ୍ରତିପାଦିତ ନହେଲେ ଶାସ୍ତ୍ରୀୟ ବୋଲି ଦାବି କରିବା ବୃଥା ହେବ। ତେଣୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦାବି ଉପସ୍ଥାପନ କରିବା ପୂର୍ବରୁ ଯେଉଁ ପୂର୍ବାପର ଆନୁଷଙ୍ଗିକ କାର୍ଯ୍ୟ କରିବା କଥା ତାହା ପ୍ରଥମେ ସରକାର କରନ୍ତୁ।

ସଭାପତି, ପ୍ରଦେଶ କଂଗ୍ରେସ କମିଟି
ଓଡ଼ିଶା, ଭୁବନେଶ୍ବର