ସାର୍‌ଙ୍କ ସହିତ ସେହି ସାକ୍ଷାତ

ପ୍ରଶାସକର ଅନୁଭୂତିି - କୃଷ୍ଣଚନ୍ଦ୍ର ମହାପାତ୍ର

ମୋର ପୂଜ୍ୟ ଗୁରୁ ସ୍ବର୍ଗତ ସୁଦର୍ଶନ ଆଚାର୍ଯ୍ୟ। ମୁଁ ପୁରୀ ଜିଲ୍ଲାର ଭାର୍ଗବୀ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷାଲାଭ କରୁଥିବା ସମୟରେ ସୁଦର୍ଶନ ସାର‌୍‌ ଥିଲେ ମୋର ଶିକ୍ଷକ ଯିଏ ମୋତେ ପୁତ୍ରବତ୍‌ ସ୍ନେହ କରୁଥିଲେ। ମାଧ୍ୟମିକ ଶିକ୍ଷା ସମାପ୍ତି ପରେ ଉଚ୍ଚ ଶିକ୍ଷା ଓ ତା’ ପରେ ସରକାରୀ ଚାକିରି ହେତୁ ସର୍ବଦା ଦୂରରେ ରହିଲି ଓ କେଉଁଠି ବି ସାର‌୍‌ଙ୍କୁ ଭେଟିବାର ସୁଯୋଗ ମିଳି ନ ଥିଲା। ମୋର କେବଳ ଏତିକି ମନେଥାଏ ଯେ ସାର‌୍‌ଙ୍କ ଘର ଜଗତ୍‌ସି˚ହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଲଥାଙ୍ଗ ଗାଁରେ। ସ˚ଯୋଗବଶତଃ ୨୦୦୨ ମସିହାରେ ମୁଁ ଜଗତ୍‌ସି˚ହପୁରର ଜିଲ୍ଲାପାଳ ଭାବେ ଯୋଗ ଦେଲି। ଏବେ ସ୍ଥିର କଲି ଯେ ସୁଦର୍ଶନ ସାର‌୍‌ଙ୍କୁ ନିଶ୍ଚୟ ଭେଟିବି।

ତେଣୁ କିଛି ଦିନ ପରେ ବିଡିଓ ମହାଶୟଙ୍କ ହାତରେ ସାର‌୍‌ଙ୍କ ପାଖକୁ ଖବର ପଠାଇଲି ଯେ ପର ଦିନ ସାର‌୍‌ ଘରେ ରହୁଥିଲେ ତାଙ୍କୁ ଦେଖା କରିବି।

ପର ଦିନ ସକାଳୁ ଆମେ ସାର‌୍‌ଙ୍କ ଗାଁ ଲଥାଙ୍ଗ ଅଭିମୁଖେ ଗଲା ବେଳେ ବିଡିଓଙ୍କୁ ପଚାରିଲି ‘ସାର୍‌ଙ୍କୁ ଏ କଥା କହିବାରେ ସାର‌୍‌ କ’ଣ କହିଲେ?’

ସେ ଉତ୍ତର ଦେଲେ ଯେ ଜିଲ୍ଲାପାଳ ତାଙ୍କ ଘରକୁ ଯିବେ ବୋଲି ଶୁଣି ତାଙ୍କ ମନରେ କୁଆଡ଼େ ବହୁତ ଆଶଙ୍କା ଉପୁଜିଲା। ସେ କହିଲେ ଯେ ଏମିତି ତ କିଛି କାରଣ ନାହିଁ, ଜିଲ୍ଲାପାଳ କାହିଁକି ମୋତେ ଭେଟିବାକୁ ଚାହୁଁଛନ୍ତି!

ମୁଁ ନୂଆ କରି ଜିଲ୍ଲାପାଳ ଭାବେ ଯୋଗ ଦେଇଥିବାରୁ ମୋର ପୂରା ନାମ ସାର୍‌ଙ୍କୁ କୁହାଯାଇଥିଲା, କିନ୍ତୁ ସାର‌୍‌ ମୋତେ ମୋ ଡାକ ନାମରେ ଜାଣିଥିଲେ।

ଲଥାଙ୍ଗ ଗାଁର ସୁଦର୍ଶନ ସାର‌୍‌ଙ୍କ ଘର ଆଗରେ ଆମ ଗାଡ଼ି ରହିଲା। ସାର‌୍‌ ଘର ବାରଣ୍ତାରେ ଛିଡ଼ା ହୋଇଥିଲେ। ବୟସର ଅପରାହ୍‌ଣରେ ସାର‌୍‌ଙ୍କ ଚେହେରା ଟିକେ ମଳିନ ପଡ଼ି ସାରିଥିଲା। ମୁହଁରେ ସେ ଗାମ୍ଭୀର୍ଯ୍ୟ ନଥିଲା। ସାର୍‌ ଦୋ ଦୋ ଚିହ୍ନା ପରି ଚାହୁଁଥିଲେ। ଗାଡ଼ିରୁ ଓହ୍ଲାଇ ସାର୍‌ଙ୍କ ପାଦ ଛୁଇଁଲି। ଗୋଟିଏ କ୍ଷଣର ନିରବତା। ତା’ ପରେ ସାର‌୍‌ ମୋତେ ‘କାହ୍ନୁ’ କିରେ ବୋଲି କହି କୁଣ୍ଢାଇ ପକାଇଲେ। ଆନନ୍ଦରେ ତାଙ୍କ ଆଖିରୁ ଲୁହ ବହିଗଲା। ସେହି ପରିବେଶ ଏଭଳି ଭାବ ଉଦ୍ରେକକାରୀ ଥିଲା ଯେ ସେଠାରେ ଉପସ୍ଥିତ ସମସ୍ତଙ୍କ ଚକ୍ଷୁ ଲୋତକାର୍ଦ୍ର ହୋଇ ଉଠିଥିଲା।

୧୯୯୯ ମହାବାତ୍ୟାରେ ପୁରୁଣା ଘରଟି ଭାଙ୍ଗିଯିବା ପରେ ସାର‌୍‌ ନୂଆ ଘରଟିଏ ତୋଳିଥିଲେ। ସାର‌୍‌ ମୋତେ ଘର ଭିତରକୁ ଡାକି ନେଲେ। ଦୀର୍ଘ କାଳ ପରେ ଏ ସାକ୍ଷାତ। କଥାବାର୍ତ୍ତା ବେଳେ ଆମ ଦୁହିଁଙ୍କ ପ୍ରଗଳ୍‌ଭତାରେ ଲାଗୁଥିଲା ଯେମିତି ଏ ଲମ୍ବା ସମୟ କିଛି କ୍ଷଣ ଭିତରେ ଦ୍ରବୀଭୂତ ହୋଇଗଲା।

ତେବେ ବୋଧହୁଏ ଏ କଥା ଏଇଠି ସରି ନଥିଲାା ପର ଦିନ ମୁଁ ଅଫିସ୍‌ରେ ପହଞ୍ଚି ପି.ଏ.ଙ୍କ ଠାରୁ ଶୁଣିଲି ଯେ ଲଥାଙ୍ଗ ଗାଁର କେହି ଜଣେ ବୃଦ୍ଧ ଜିଲ୍ଲାପାଳଙ୍କୁ ଦେଖା କରିବା ପାଇଁ ସକାଳ ୭ଟାରୁ ଅପେକ୍ଷା କରି ବସିଛନ୍ତି। ସୁଦର୍ଶନ ସାର‌୍‌ କି ଆଉ? ମୁଁ ତରବରରେ େଵଟିଙ୍ଗ ରୁମ୍‌କୁ ଯାଇ ଦେଖେ ତ ସାର‌୍‌। ସାର‌୍‌ଙ୍କୁ ପ୍ରଣାମ କରି କ୍ଷମା ମାଗିଲି। କାରଣ ତାଙ୍କ ଆସିବାର ଖବର ମୁଁ ପାଇ ନ ଥିବାରୁ ସାର୍‌ଙ୍କୁ ଅପେକ୍ଷା କରିବାକୁ ପଡ଼ିଲା। ଏତେ ସମୟ ଅପେକ୍ଷା କରି ବି ସାର‌୍‌ଙ୍କ ଠାରେ ବିବ୍ରତବୋଧର ବା ବିରକ୍ତିର ଚିହ୍ନ ନ ଥିଲା। ପୂର୍ବରୁ ସାର‌୍‌ କେବେ ହେଲେ ଜିଲ୍ଲାପାଳଙ୍କ ଦପ୍ତରକୁ ଆସି ନ ଥିଲେ।

ମୁଁ ସାର୍‌ଙ୍କୁ ମୋ କକ୍ଷକୁ ଡାକିନେଲି ଏବ˚ ବସିବାକୁ ଅନୁରୋଧ କଲି। ସାର‌୍‌ କିନ୍ତୁ ବସିଲେ ନାହିଁ ବର˚ ମୋତେ ମୋ ଚଉକିରେ ବସିବାକୁ କହିଲେ। ଟିକିଏ ଅପ୍ରସ୍ତୁତ ହୋଇ ମୁଁ ମୋ ନିଜ ଆସନରେ ବସିଲା ପରେ ସାର‌୍‌ ଛିଡ଼ା ହୋଇ ମୋତେ ଆଶୀର୍ବାଦ କରି ମନ୍ତ୍ର ପାଠ ପ୍ରାରମ୍ଭ କଲେ। ସେ ଦିନ ମୋ କକ୍ଷରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସହକାରୀଙ୍କ ସହିତ ମୋ ଲାଗି ତାହା ଥିଲା ଏକ ନୈସର୍ଗିକ କ୍ଷଣ। ତାହା ସରିବା ପରେ ସାର‌୍‌ ଫେରିଯିବାକୁ ବାହାରିଲେ।

ଅଗତ୍ୟା ମୁଁ ପଚାରି ନେଲି- ସାର୍‌ କ’ଣ କିଛି କାମ ପାଇଁ ଆସିଥିଲେ?

ସାର‌୍‌ ଉତ୍ତର ଦେଲେ- ନା, କିଛି କାମ ନ ଥିଲା। କାଲି ତୁମେ ମୋ ଛାତ୍ର ଭାବେ ମୋତେ ଦେଖିବାକୁ ଆସିଥିଲ। ଆଜି ମୁଁ ମୋର ସେହି ଛାତ୍ରକୁ ଜିଲ୍ଲାପାଳ ରୂପେ ଦେଖିବାକୁ ଆସିଥିଲି। ମୋର ଅଭିଳାଷ ପୂରଣ ହେଲା।

ତା’ ପରେ ସାର୍‌ ଫେରିଗଲେ। କେବଳ ଯାହା ତାଙ୍କୁ ବସ୍‌ଷ୍ଟାଣ୍ତରେ ପହଞ୍ଚାଇବାରେ ମୁଁ ସାହାଯ୍ୟ କଲି। ଜଣେ ଗୁରୁର ସ୍ବରୂପ କିଭଳି ମହୀୟାନ ହୋଇପାରେ ସେହି ଦିନ ମୁଁ ତାହା ଅନୁଭବ କରିଥିଲି।

(ଗୁରୁ ଦିବସ ଅବସରରେ)

ପ୍ରାକ୍ତନ ସଦସ୍ୟ, ଓଡ଼ିଶା ଲୋକସେବା ଆୟୋଗ
ମୋ-୯୪୩୭୦୩୨୦୦୨

ସମ୍ବନ୍ଧିତ ଖବର