ଆମେ କାହିଁକି ଉପହସିତ

ଭାଗୀରଥି ମହାସୁଆର

ଅତୀତରେ ଭାରତୀୟ ବିଦ୍ୟାଭଣ୍ତାରରେ ବିଜ୍ଞାନଯୋଗ୍ୟ ବିଷୟ ସବୁ ଥିଲା ବୋଲି ଅନେକେ କହନ୍ତି ଓ ପ୍ରଚାର କରନ୍ତି। ଯଥାର୍ଥ ପ୍ରମାଣ ନ ଥିବାରୁ ସେମାନଙ୍କୁ ଉପହାସ କରାଯାଏ। କାରଣ ଏମାନେ ପଢ଼ିଥିବା ବା ଶୁଣିଥିବା ସାରକଥାଟିକୁ ଉପସ୍ଥାପନ କରିଥାଆନ୍ତି। କିନ୍ତୁ ସେ ବିଷୟରେ ଅଧିକ ଚିନ୍ତା, ଅନୁଧୢାନ ବା ଅନୁଧାବନ କରି ନଥାନ୍ତି ବୌଦ୍ଧିକ ସ୍ତରରେ। ପୃଥିବୀରେ ଆଧୁନିକ ଶୈଳୀରେ ବିଜ୍ଞାନ ଚର୍ଚ୍ଚା ପ୍ରଥମେ ୟୁରୋପରେ ଆରମ୍ଭ ହୋଇ ପରେ ଅନ୍ୟତ୍ର ବ୍ୟାପିଥିଲା। ତା’ର ଫଳସ୍ବରୂପ ଶିଳ୍ପ ବିପ୍ଳବ, ଆନ୍ତର୍ଜାତିକ ବାଣିଜ୍ୟ, ଉପନିବେଶ ସ୍ଥାପନ ଓ ବିଭିନ୍ନ ରାଜନୈତିକ ବିଚାରଧାରାର ସୃଷ୍ଟି ହୋଇ ବହୁତ କିଛି ପରିବର୍ତ୍ତନ ଘଟିଥିଲା। ଏଥିରେ ଖାପ ଖୁଆଇ ପାରି ନ ଥିବା ଦେଶମାନଙ୍କୁ ଅଶିକ୍ଷିତ ଓ ଅନୁନ୍ନତ ତାଲିକାରେ ରଖାଗଲା।

କିନ୍ତୁ ତା’ର ବହୁ ପୂର୍ବରୁ ଓଡ଼ିଶାରେ କୁଟୀର ଶିଳ୍ପର ବିକାଶ ହୋଇ ଆନ୍ତର୍ଜାତିକ ବାଣିଜ୍ୟ ଓ ଉପନିବେଶ ସ୍ଥାପନ ଘଟି ସାରି ଅସ୍ତ ହୋଇଯାଇଥିଲା। ଆମର ଶିଳ୍ପଶାସ୍ତ୍ର ଓ ନୌବହର ନିର୍ମାଣ ଶୈଳୀ ଉନ୍ନତ ଥିବାର ସାକ୍ଷ୍ୟ ମିଳେ। ଶିଳ୍ପଶାସ୍ତ୍ର ଥିଲା ଯଦିଚ, ତା’ର ଅନୁଧୢାନ ଓ ଅନୁଧାବନ ଲୋପ ପାଇ ତାହା ପୋଥି ଆକାରରେ ବା ପାଣ୍ତୁଲିପି ଆକାରରେ କୀଟଦ୍ର˚ଷ୍ଟ ହୋଇ ଲୋପ ପାଇଥିବାର ସମ୍ଭାବନା। ସେସବୁର ଅନୁଧୢାନର ସମସ୍ତ ବାଟ ବନ୍ଦ ହୋଇଥିଲା ବିଦେଶୀ ଶାସନ ଅମଳରେ। ଏ ଶାସ୍ତ୍ର ବିଧିବଦ୍ଧ ଗବେଷଣାଗାରରେ ଚର୍ଚ୍ଚିତ ହୋଇନଥିଲେ। କାରଣ ଏ ଶାସ୍ତ୍ରର ଗବେଷଣା ପ୍ରତ୍ୟେକ ବଢ଼େଇ କାରିଗରର ଘରେ ହେଉଥିଲା। ଆଧୁନିକ ବିଜ୍ଞାନର ଗବେଷଣା ୟୁରୋପରେ ଚାଲିଥିଲା ଏବ˚ ନିଷ୍କର୍ଷ ଆସୁଥିଲା ଅନ୍ୟ ଦେଶକୁ। ଏଠାରେ ଘରୋଇ ଗବେଷଣାଗାର କରିଥିଲେ ସାର‌୍‌ ଜଗଦୀଶ ଚନ୍ଦ୍ର ବସୁ। ଏହା ପ୍ରଚାରଧର୍ମୀ ନ ଥିବାରୁ ଏହାର ଉପଲବ୍‌ଧିଗୁଡ଼ିକ ସେଇଠି ରହୁଥିଲା ଏବ˚ ଠିକ୍‌ ସେହି ଗବେଷଣା ଅନ୍ୟତ୍ର ହୋଇ ନୂଆପାଠ ବୋଲି ପ୍ରଚାରିତ ହୋଇଯାଉଥିଲା। ଏପରି ଗୋଟିଏ ପ୍ରବନ୍ଧରୁ ଆମେ ପଢ଼ିଛୁ।

ଭାରତୀୟ ଆଶ୍ଚର୍ଯ୍ୟ ଗବେଷଣାଲବ୍‌ଧ ପୁସ୍ତକଗୁଡ଼ିକ ପେଟରାରେ ପଶି ଗୁଣ୍ତ ହୋଇ ଚାଲିଥିଲା ଓ କିଛି ବିଦେଶୀ ଅନୁସନ୍ଧିତ୍ସୁଙ୍କ ଦ୍ବାରା କ୍ରୟ ହୋଇ ଯାଇଥିଲା। କାରଣ ଏ ସବୁର ଦାୟାଦମାନେ ଅଶିକ୍ଷା ଓ ହୀନମନ୍ୟତା ଭୋଗ କରୁଥିଲେ। ତେବେ ଯେଉଁଠି ଗବେଷଣାଗାର ନ ଥିଲା, ସେଠାରେ ଯେ ବିଜ୍ଞାନ ନ ଥିଲା, ଏପରି କହିବା ଅସାଧୁତା। ଭାରତର ଆଦିବାସୀମାନେ ଅନେକ ସ୍ଥାନୀୟ ଲବ୍‌ଧ ବନସ୍ପତି ବ୍ୟବହାର କରି ଚିକିତ୍ସିତ ହେଉଥିଲେ। ଏହା କ୍ରମଶଃ ଗ୍ରାମ ଓ ସହରରେ ପରୀକ୍ଷିତ ଓ ବିଶ୍ବାସଭାଜନ ହୋଇଥିଲା। ସେସବୁ ଥିଲେ ଭାରତୀୟ ଆୟୁର୍ବେଦ ଶାସ୍ତ୍ରର ମୂଳାଧାର। ସ୍ବାଧୀନତା ପରେ ସେସବୁର ଅଧୢୟନ ଓ ବିକାଶ ହେଲା ନାହିଁ, ସମ୍ପୃକ୍ତ ପୋଥି ସମୂହକୁ ହିନ୍ଦୁ ଶାସ୍ତ୍ରର ମାନ୍ୟତା ଦେଇ। ପରେ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠିତ ହେଲା ଏକ ଦ୍ବିତୀୟ ଶ୍ରେଣୀ କାର୍ଯ୍ୟକ୍ରମ ଭାବେ। ଏବେ ବି ତାହାହିଁ ଚାଲିଛି ଆନ୍ତର୍ଜାତିକ ଔଷଧ ବଜାରର କୂଟନୀତିରେ।

ପିଲାଦିନେ ଆମର ଅନେକ ଚିକିତ୍ସା ଅକ୍ଷର ଚିହ୍ନି ନ ଥିବା ଜେଜୀମା’ କରିଛି। ତରଳ ଝାଡ଼ା ହେଲେ ବାଡ଼ିରୁ ମୁଥାଘାସ ତାଡ଼ି ଆଣେ। ମୁଥା (ଘାସମୂଳ) ଗୁଡ଼ିକୁ ପରିଷ୍କାର କରି ଧୋଇ ଗୋଲମରିଚ ସହ ବାଟେ। ଏହି ବଟାକୁ ମିଶ୍ରି ପଣାରେ ଫେଣ୍ଟି ଆମକୁ ପିଆଏ। ଆମେ ସୁସ୍ଥ ହେଉ। ଏହା ତାକୁ କେହି ବିଜ୍ଞାନୀ କହି ନ ଥିଲେ। ଆମର ହଜିଯାଇଥିବା ଚିକିତ୍ସା ଶାସ୍ତ୍ରରୁ କିଛି ବ˚ଶାନୁକ୍ରମିକ ମନେ ରଖି ରଖି ପ୍ରୟୋଗ କରାଯାଉଥିବା ଜ୍ଞାନ ଏହା। ଏମିତି ଅନେକ ଉଦାହରଣ ଅଛି। ଜ୍ଞାନଲୋପର ସମସ୍ତ ବାଟ କରି ଦେଇ ନିଜ ଜ୍ଞାନକୁ ଆମ ଉପରେ ଥୋପି ଆମ ପୂର୍ବ ପୁରୁଷଙ୍କୁ ମୂର୍ଖ ସାବ୍ୟସ୍ତ କରିଥିଲେ ଇ˚ରେଜ। ଅସଲରେ ସ୍ବାଧୀନତା ବେଳକୁ ଆମ ଚଳନ୍ତି ପିଢ଼ି ହିଁ ମୂର୍ଖ ଥିଲେ। ଯେ ତାଙ୍କ ପାଠ ପଢ଼ିଥିଲେ ସେଇମାନଙ୍କୁ ଶିକ୍ଷିତ ସ୍ବୀକାର କରାଯାଉଥିଲା। କଳା ସାହେବମାନେ ସହଜପନ୍ଥୀ ହୋଇ ସେଇ ଗୁଳାରେ ଚାଲିଛନ୍ତି। ଏପଟେ ଶାସ୍ତ୍ରଗୁଡ଼ିକ ଆପେ ଆପେ ଧ୍ବ˚ସ ହୋଇଯାଇଛି। ଯେଉଁଗୁଡ଼ିକ ଲୋକ ଅଭ୍ୟାସରେ ଚଳନ୍ତି ଥିଲା, ତାହା ହିଁ ରହିଯାଇଛି। ସେସବୁ ବିଜ୍ଞାନ ବିଷୟକ ନୁହେଁ।

ଏପରି ପରିସ୍ଥିତି ପାଇଁ ଆମର ଅନୁଧୢାନ ବିମୁଖତା ଦାୟୀ। ପ୍ରସଙ୍ଗକ୍ରମେ ଏକ ପ୍ରାଚୀନ ତଥ୍ୟ ଦୋହନ ଓ ଆଲୋଚନା କରିଥିବା ପୁସ୍ତକରୁ କିଛି ଉଦ୍ଧୃତି ଏଠାରେ ଉଲ୍ଲେଖ କରିବୁ। ଜଗବନ୍ଧୁ ସି˚ହଙ୍କ ‘‘ପ୍ରାଚୀନ ଉତ୍କଳ’’ ପୁସ୍ତକଟି ୧୯୨୯ ମସିହାରେ ପ୍ରକାଶିତ ହୋଇଥିଲା। ଏହାର ୧୯୮୨ ସ˚ସ୍କରଣଟି ୨ ଖଣ୍ତରେ ଛପା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା। ପ୍ରଥମ ଖଣ୍ତର ପୃ. ୨୦୬ରେ ଗୋଟିଏ ଅଦ୍ଭୁତ ତଥ୍ୟ ପ୍ରକାଶିତ। ଏ ତଥ୍ୟର ଆଧାର ହେଲା ‘‘ଫର‌୍ଵାର୍ଡ’’ ନାମକ ଦୈନିକ ଖବରକାଗଜର ତା୫, ନଭେମ୍ବର, ୧୯୨୫ ସ˚ଖ୍ୟା। ବିଷୟବସ୍ତୁରୁ ଜଣାପଡ଼ୁଛି ଏ କାଗଜଟି ହାଇଦ୍ରାବାଦର, ଯାହା ସେତେବେଳେ ଏକ ସ୍ବାଧୀନ ଦେଶ ଥିଲା।

ତଥ୍ୟ:-‘‘ହାଇଦ୍ରାବାଦ ନିଜାମଙ୍କ ରାଜ୍ୟରେ ପଥରଘାଟିରେ ଜଣେ ଜାଗିରଦାର ସୟଦ ମହମ୍ମଦ ହୁସେନ୍‌ଙ୍କ ଘରେ ଗୋଟିଏ ଅତି ପ୍ରାଚୀନ ପୁସ୍ତକାଳୟ ଅଛି। ଏହା ବିଜାପୁର ରାଜ୍ୟ ସ୍ଥାପିତ ହେବା ପୂର୍ବର (ଅର୍ଥାତ୍‌ ଶିବାଜୀଙ୍କ ପୂର୍ବବର୍ତ୍ତୀ)। ଏଥିରେ ଅନେକ ହାତଲେଖା ପୋଥି ଅଛି। ଭାରତର ପ୍ରାୟ ସବୁ ଭାଷାର ପୁସ୍ତକ ଅଛି। ସେସବୁର ବିଷୟବସ୍ତୁ ଅତି ଆଶ୍ଚର୍ଯ୍ୟଜନକ। ଉଦାହରଣ ସ୍ବରୂପ:-
୧- ତାରବିହୀନ ଟେଲିଗ୍ରାଫ୍‌- ଦୁଇଖଣ୍ତ ପ୍ରସ୍ତର ଦ୍ବାରା ସହସ୍ର ସହସ୍ର କ୍ରୋଶ ଦୂରରେ ଥାଇ ସମ୍ବାଦ ଯିବା ଆସିବା କରିବ। ଏ ପ୍ରସ୍ତର ପ୍ରସ୍ତୁତ ପ୍ରଣାଳୀ ସ୍ବତନ୍ତ୍ର।
୨- କପା- ଯେ ରଙ୍ଗର ଇଚ୍ଛା ସେ ରଙ୍ଗର କପା ଫୁଟିବ।
୩- ପୃଥିବୀ ତଳେ କି କି ଧନରତ୍ନ ଅଛି ତାହା ଜାଣିବାର ଉପାୟ।
୪- ଆଶ୍ଚର୍ଯ୍ୟ ଦର୍ପଣ- ଏହାକୁ ସମୁଦ୍ର ଉପରେ ଧରିଲେ ସମୁଦ୍ର ତଳ ଦେଖାଯିବ।
୫- ଗ୍ରୀଷ୍ମପ୍ରଧାନ ଦେଶରେ ବରଫ ପଡ଼ିବା ଓ ଶୀତପ୍ରଧାନ ଦେଶରେ ବରଫ ନ ପଡ଼ିବାର ଉପାୟ।
୬- ବଡ଼ ବଡ଼ ପାହାଡ଼ ପର୍ବତକୁ ସମତଳ କରିବା ଉପାୟ।
୭. ତଳୁ ଉପରକୁ ଜଳ ଉଠାଇବାର ଉପାୟ।
୮. ବିନା ଉତ୍ତାପରେ ଧାତୁ ତରଳାଇବାର ଉପାୟ।
୯. ୧୦୦୦ ବର୍ଷ ତା ତଦୂର୍ଦ୍ଧ୍ବ ସମୟ ଜଳକୁ ଗରମ ରଖିବାର ଉପାୟ।
୧୦- ଯେ କୌଣସି ଧାତୁକୁ ସୁନା ରୁପା କରିବା ଉପାୟ।
୧୧- ମଣିମୁକ୍ତା ଇତ୍ୟାଦିକୁ ତରଳାଇ ଯେ କୌଣସି ଆକାରରେ ଗଢ଼ିବା ଉପାୟ।
ଏ ପୁସ୍ତକାଳୟକୁ କେତେ ଜର୍ମାନ୍‌ ପଣ୍ତିତ କିଣି ନେବାକୁ ଚେଷ୍ଟା କରୁଛନ୍ତି।’’

ଏଇ ଉଲ୍ଲେଖଟିକୁ ଆଶ୍ରୟ କରି ଆମର ବିଚିତ୍ର ଜ୍ଞାନ ସବୁ ଥିଲା କହିଲେ, ସମସ୍ତେ ଥଟ୍ଟା କରିବେ ଓ କିଛି ଆମକୁ ‘‘ଗୈରିକ ଅନ୍ଧ ଭକ୍ତ’ ବୋଲି କହିପାରନ୍ତି। କିନ୍ତୁ ଏଥିରୁ ଅନେକ ପାଠ ଇସ୍‌ଲାମୀୟ ପ୍ରାଚୀନ ବିଦ୍ୟା ବୋଲି ଜଣାପଡୁଛି। ଏଥିରେ ଯେଉଁସବୁ ବିଜ୍ଞାନ ସଂଶ୍ଳିଷ୍ଟ, ସେସବୁ ହେଲା ଇଲେକ୍‌ଟ୍ରୋନିକ୍‌ସ, କୃଷି, ଭୂତତ୍ତ୍ବ, ପଦାର୍ଥବିଦ୍ୟା, ନିର୍ମାଣ, ଧାତୁବିଦ୍ୟା ଇତ୍ୟାଦି। ଉପରୋକ୍ତ ୭ମ ବିଷୟଟିର ପ୍ରାଚୀନ ପ୍ରୟୋଗ ମୋଗଲ ଅମଳରେ ହୋଇଥିବା କଥା ଆମେ ନିଜେ ଆଖିରେ ଦେଖିଛୁ। ଏହା ରାଜସ୍ଥାନର ଜୟପୁର ସହର ନିକଟବର୍ତ୍ତୀ ଆମେର‌୍‌ ଦୁର୍ଗରେ ଅଛି। ତେବେ ଆଧୁନିକ ଜଳ ଉତ୍ତୋଳନ ପଦ୍ଧତି ପ୍ରଚଳନ ପରେ ଏହା ଅକାମି ହୋଇପଡ଼ିଛି। ୯ମ ବିଷୟଟି ଆଗ୍ରା ଦୁର୍ଗରେ ଥିଲା। ବହୁବର୍ଷ ଜଳ ଗରମ ରହୁଥିଲା। ଆଧୁନିକ ଇଞ୍ଜିନିୟରମାନେ ଏହାର ରହସ୍ୟ ଜାଣିବାକୁ ଭାଙ୍ଗିଲେ ଓ ଆଉ ଗଢ଼ି ପାରିଲେ ନାହିଁ। ଆମେର‌୍‌ ଦୁର୍ଗରେ ଆମେ ସ୍ବତଃ ଶୀତଳ ବାତାୟନ ଦେଖିଛୁ ଏବ˚ ଏହା ସକ୍ରିୟ ମଧୢ ଅଛି।

ଏଣୁ ଆମର ପୂର୍ବ ବିଜ୍ଞାନ ଥିଲା ଏବ˚ ବର୍ତ୍ତମାନ କହିଲେ ତାହା ଉପହାସର ବିଷୟବସ୍ତୁ ହୋଇଯାଉଛି। ଏହାର କାରଣ କ’ଣ? ଆମର ସକ୍ରିୟତା ନ ଥିବାରୁ ଏପରି ଘଟିଛି। ୧୯୨୫ ମସିହାର ଯେଉଁ ସମ୍ବାଦ ଉପରେ ଉଲ୍ଲେଖ କରାଯାଇଛି, ତାହା ଅନୁଧାବନ କରି କେହି ସେହି ଲାଇବ୍ରେରିକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କରି ନାହାନ୍ତି। ତାହା ବିକ୍ରି ହୋଇଛି ନା ସରକାରଙ୍କ ଦାୟିତ୍ବରେ ଅଛି, ତାହା ଜଣାନାହିଁ। ଇତି ମଧୢରେ ୧୯୨୫ ବେଳକୁ ପ୍ରାଚୀନ ହୋଇଯାଇଥିବା ପାଣ୍ତୁଲିପି ଗୁଡ଼ିକର ବୟସ ଆହୁରି ୯୫ ବର୍ଷ ବଢ଼ି ସାରିଛି। ସେସବୁ କ’ଣ ଆଉ ଥିବେ? ଆମେ ଉପହସିତ ହେବାର ଯୋଗ୍ୟ ନିଶ୍ଚୟ।

ମୋ- ୭୭୩୫୫୦୭୯୫୧

ସମ୍ବନ୍ଧିତ ଖବର