ଜାତୀୟ ଶିକ୍ଷାନୀତି-୨୦୨୦

ସୁଖ-ଦୁଃଖ - ଲମ୍ବୋଦର ପ୍ରସାଦ ସି˚ହ

ପିଲାମାନଙ୍କ ମନରେ ସୃଜନଶୀଳତାର ଉନ୍ମେଷ, ଭାରତୀୟତାର ସ୍ବାଭିମାନ ଓ ଉନ୍ନତ ଦେଶମାନଙ୍କ ସମକକ୍ଷ ଏକ ସୁଦୃଢ଼, ଉତ୍କୃଷ୍ଟ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ସୃଷ୍ଟି ଲକ୍ଷ୍ୟ ନେଇ ଆସିଛି ଆମର ତୃତୀୟ ଶିକ୍ଷାନୀତି- ଶିକ୍ଷାନୀତି ୨୦୨୦। ମାତ୍ର, ହେବ-କରାଯିବ-ଦିଆଯିବ ଭଳି ସୁଦୂରପ୍ରସାରୀ ପ୍ରତିଶ୍ରୁତିର ପ୍ରାବଲ୍ୟ, ଆଶଙ୍କା ଓ ସ˚ଶୟ ସୃଷ୍ଟି କରିବା ସ୍ବାଭାବିକ ଯେତେ ଶ୍ରୁତିମଧୁର ହେଲେ ମଧ୍ୟ ।

ପୂର୍ବରୁ ୧୯୬୮ ଓ ୧୯୮୬ ମସିହାରେ ଦୁଇଟି ଶିକ୍ଷାନୀତି ପ୍ରଣୟନ କରାଯାଇଥିଲା। ୧୯୬୮ ଶିକ୍ଷାନୀତି ଆଧାରରେ ଭାରତ ସରକାର ୧୯୭୭ ମସିହାରେ ବିଭିନ୍ନ ପ୍ରଦେଶରେ ପ୍ରଚଳିତ ଭିନ୍ନ ଭିନ୍ନ ବ୍ୟବସ୍ଥାକୁ ଉଚ୍ଛେଦ କରି ସାରା ଦେଶରେ ସ୍ନାତକ ସ୍ତର ପର୍ଯ୍ୟନ୍ତ ୧୦+୨+୩ ପଦ୍ଧତି ପ୍ରଚଳନ କରିଥିଲେ। ଏଥିରେ ପିଲାଟିର ୬ ବର୍ଷରୁ ଆରମ୍ଭ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାଥମିକ। ନବମରୁ ଯୁକ୍ତ-ଦୁଇ ପର୍ଯ୍ୟନ୍ତ ମାଧମିକ ଓ ଯୁକ୍ତ-ତିନି ବା ସ୍ନାତକ ସ୍ତର ଉଚ୍ଚଶିକ୍ଷାର ଅନ୍ତର୍ଭୁକ୍ତ। ୧୯୮୬ ଶିକ୍ଷାନୀତିରେ ଏହି ବ୍ୟବସ୍ଥାକୁ ଅକ୍ଷୂଣ୍ଣ ରଖି ପ୍ରାଥମିକ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ଗୁଣବତ୍ତା ସମ୍ପନ୍ନ, ସାର୍ବଜନୀନ, ସୃଜନଶୀଳ କରିବା ଲକ୍ଷ୍ୟରେ ବିବିଧ ପଦକ୍ଷେପ ନିଆଗଲା। ପ୍ରାଥମିକ ସ୍ତରରେ ୧୯୮୭ରେ କଳାପଟା ଅଭିଯାନ, ୧୯୯୩ରେ ଯଶପାଲ କମିଟିର Learning without Burden, ୧୯୯୪ରେ District Primary Education Programme (DPEP) ଗୁଡ଼ିକ କାର୍ଯ୍ୟକାରୀ ହେଲା। ୨୦୧୦ରୁ ଶିକ୍ଷା ଅଧିକାର ଆଇନ ଅନୁସାରେ ୬ ବର୍ଷରୁ ୧୪ ବର୍ଷ ପିଲାର ଶିକ୍ଷା ଏକ ମୌଳିକ ଅଧିକାର ହେବା ସହ ଦେୟମୁକ୍ତ ହେଲା। ପ୍ରାଥମିକ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ଉତ୍କର୍ଷ ନିମିତ୍ତ ୨୦୦୨ରୁ ସର୍ବଶିକ୍ଷା, ୨୦୦୯ରୁ ରାଷ୍ଟ୍ରୀୟ ମାଧୢମିକ ଓ ୨୦୧୩ରୁ ରାଷ୍ଟ୍ରୀୟ ଉଚ୍ଚତର ଅଭିଯାନ ତଥା ୨୦୧୮ରୁ ସମନ୍ବିତ ଭାବରେ ସାମଗ୍ରିକ ଶିକ୍ଷା ଅଭିଯାନ କାର୍ଯ୍ୟକାରୀ ହେଉଛି। ଚିନ୍ତା (idea) ଓ କୌଶଳ (skill)ରେ ନୂତନତ୍ବକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୦୦ ମସିହାରୁ National Innovation Foundation ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ଅନୁଦାନ ଓ ବୃତ୍ତିର ବ୍ୟବସ୍ଥା କରାଯାଇଛି। ଯୁକ୍ତ-ଦୁଇ ପର ଠାରୁ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ Innovation in Science Pursuit for Inspired Research (INSPIRE) ବୃତ୍ତି ଦିଆଯାଉଛି। ଧନ୍ଦାମୂଳକ ଶିକ୍ଷା ପାଇଁ ଯୁକ୍ତ-ଦୁଇ ସ୍ତରରେ ସ୍ବତନ୍ତ୍ର ପାଠ୍ୟଖସଡ଼ା ଅନୁସୃତ ହେଉଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁଣବତ୍ତା ନିରୂପଣ ନିମିତ୍ତ ୧୯୯୪ ମସିହାରୁ ଜାତୀୟ ଶୈକ୍ଷିକ ମାନ୍ୟତା କେନ୍ଦ୍ର (NAAC) କାର୍ଯ୍ୟରତ ଅଛି। ସ୍ନାତକୋତ୍ତର ଶିକ୍ଷା ପରେ ବିଭିନ୍ନ ବିଷୟରେ ଗବେଷଣା ନିମିତ୍ତ U.G.C, C.S.I.R, D.S.T, D.B.T, ICSSR ପ୍ରଭୃତି ଜାତୀୟ ସ˚ସ୍ଥାଗୁଡ଼ିକ ବୃତ୍ତି ପ୍ରଦାନ କରିଆସୁଛନ୍ତି। AICTE ଓ Indian Medical Council (IMC) ଇତ୍ୟାଦି ପ୍ରାୟୋଗିକ ଓ ଭେଷଜ ଶିକ୍ଷାର ନିୟାମକ ଭାବରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟଗୁଡ଼ିକରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦମାନ ଗଠନ କରାଯାଇଛି। ଉଚ୍ଚଶିକ୍ଷାର ସର୍ବୋଚ୍ଚ ନିୟନ୍ତ୍ରକ ଭାବରେ ଜାତୀୟ ଅଭିଯାନ ପ୍ରାଧିକରଣ ଦେଶର ମାନବ ସମ୍ବଳ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଛି। ଏଥିରେ U.G.C, AICTE, DST, Medical Council, Bar Council ମୁଖ୍ୟ ତଥା ରାଜ୍ୟ ସରକାରଙ୍କର ପ୍ରତିନିଧିମାନେ ସଭ୍ୟ ଅଛନ୍ତି।

ସମସ୍ତ ଉଦ୍ୟମ ସତ୍ତ୍ବେ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଭିତ୍ତିଭୂମି ଓ ଶିକ୍ଷକ ଅଭାବରେ ଗୁରୁତର ଭାବେ ପୀଡ଼ିତ, ପ୍ରାଥମିକ ସ୍ତରରେ ନା ପିଲାଙ୍କର ସ୍କୁଲ-ବ୍ୟାଗ୍‌ର ବୋଝ କମିଲା ନା ଘର-ପଢ଼ାର (Home work)। ସାତ-ଆଠ ବର୍ଷ ପରେ ମଧ୍ୟ ଯୁକ୍ତ-ଦୁଇ ମାଧ୍ୟମିକ ଶିକ୍ଷା ପରିସରକୁ ସମ୍ପୂର୍ଣ୍ଣ ଭାବେ ଯାଇପାରିନାହିଁ। ଯୁକ୍ତ-ଦୁଇର ଧନ୍ଦା-ମୂଳକ ଶିକ୍ଷାଦାନ ଲକ୍ଷ୍ୟ ଚରିତାର୍ଥ ହେଲାନାହିଁ। ବିଶ୍ବ ବିଦ୍ୟାଳୟ ସ୍ତରୀୟ (ବିଶେଷ କରି ରାଜ୍ୟ ବିଶ୍ବବିଦ୍ୟାଳୟ) ଗବେଷଣା ଦୃଷ୍ଟି ଆକର୍ଷଣକାରୀ ହେଲା ନାହିଁ। କୋଚି˚ ସେଣ୍ଟର ଓ ଘରୋଇ ଅନୁଷ୍ଠାନ ହୁ ହୁ ହୋଇ ବଢ଼ି ଚାଲିଛନ୍ତି ସରକାରୀ କଳ ପ୍ରସୂତ ଶୂନ୍ୟସ୍ଥାନ ପୂରଣ କରି କରି। ଏହି ସବୁ କାରଣ ଯୋଗୁଁ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ସର୍ବେକ୍ଷଣରେ ଆମର ପ୍ରଦର୍ଶନ ନୈରାଶ୍ୟଜନକ। ୨୦୧୯ ମାନବ ବିକାଶ ସୂଚନାଙ୍କ (HDI) ସର୍ବେକ୍ଷଣରେ ୧୮୯ ଦେଶ ମଧ୍ୟରେ ଆମ ସ୍ଥାନ ୧୨୯ ଓ Global Innovation Index ସର୍ବେକ୍ଷଣରେ ୧୨୯ ଦେଶ ମଧ୍ୟରେ ଆମର ସ୍ଥାନ ୫୨!

ଏହି ଦୃଶ୍ୟପଟର ପୃଷ୍ଠଭୂମିରେ ନୂତନ ଶିକ୍ଷାନୀତିର ଆଲୋଚନା ପ୍ରାସଙ୍ଗିକ ମନେହୁୁଏ।

ନୂତନ ଶିକ୍ଷାନୀତିରେ ୧୦+୨ ବଦଳରେ ମାଧୢମିକ ଶିକ୍ଷାକୁ ୫+୩+୩+୪ ରୂପ ଦିଆଯାଇଛି। ପ୍ରଥମ ପାଞ୍ଚବର୍ଷରେ ଶୈଶବ ତିନିବର୍ଷର ଶିକ୍ଷା ସହ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀକୁ ‘ଭିତ୍ତିମୂଳକ’, ତୃତୀୟରୁ ପଞ୍ଚମ ଶ୍ରେଣୀଯାଏ ‘ପ୍ରସ୍ତୁତିମୂଳକ’, ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ‘ମଧ୍ୟମ’ ଓ ନବମରୁ ଦ୍ବାଦଶ ଯାଏ ବର୍ତ୍ତମାନ ଭଳି ‘ମାଧ୍ୟମିକ’ ଶିକ୍ଷା ସ୍ତର ଭାବରେ ରଖାଯାଇଛି। ଶିକ୍ଷା ଅଧିକାର ଆଇନ ୩ ବର୍ଷ ଠାରୁ ୧୮ ବର୍ଷ ପର୍ଯ୍ୟନ୍ତ ଲାଗୁ କରାଯାଇଛି।

ଅଙ୍ଗନବାଡ଼ିକୁ ପ୍ରାଥମିକ ବିଦ୍ୟାଳୟ ସହ ସ˚ଯୁକ୍ତ କରି ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷା ଦିଆଯିବ। ମାତୃଭାଷା, ଇ˚‌େରଜୀ ଓ ହିନ୍ଦୀ ତ୍ରିଭାଷୀ ଶିକ୍ଷାନୀତି ବଳବତ୍ତର ରହିବ। ପ୍ରଥମ ତିନିବର୍ଷ ଖେଳ କୌତୁକ ମଧୢରେ ଶିକ୍ଷା ଓ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ସ˚ଖ୍ୟା ଓ ଅକ୍ଷର ପରିଚୟ ପ୍ରତି ଧୢାନ ଦିଆଯିବ। ୫ମ ଶ୍ରେଣୀ ମଧ୍ୟରେ ଭାଷା ଓ ଗଣିତ ଜ୍ଞାନ ଉପରେ ଗୁରୁତ୍ବ ଦିଆଯିବ। ଷଷ୍ଠ ଶ୍ରେଣୀରୁ ଭାଷା, ଗଣିତ, ବିଜ୍ଞାନ ଶିକ୍ଷା ସହ ବୃତ୍ତିମୂଳକ, କ୍ରୀଡ଼ା, ସଙ୍ଗୀତ, କଳା ଓ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ। ପ୍ରତ୍ୟେକ ବିଷୟକୁ ସମାନ ଗୁରୁତ୍ବ ଦିଆଯିବ। ୩୦ ଜଣ ଛାତ୍ରଙ୍କୁ ଜଣେ ଶିକ୍ଷକ ଅନୁପାତରେ ସ୍ଥାୟୀ ଶିକ୍ଷକ ନିଯୁକ୍ତ ହେବେ। ଶିକ୍ଷକମାନଙ୍କର ନିୟମିତ ତାଲିମର ବ୍ୟବସ୍ଥା ରହିବ। ପିଲାମାନଙ୍କ ପାଠ୍ୟକ୍ରମର ବୋଝ କମ୍‌ କରାଯିବା ସହ ଏକକ ପରୀକ୍ଷାର ଚାପ ହ୍ରାସ କରାଯାଇ ନିରନ୍ତର ଭାବରେ ବିଷୟଗୁଡ଼ିକର ମୂଳ-ଧାରଣା ଆଧାରରେ ପରୀକ୍ଷା କରାଯିବ। ମାଧୢମିକ ସ୍ତରରେ ରୁଚିି ଓ ପ୍ରତିଭା ଅନୁଯାୟୀ ବିଷୟ ଚୟନର ସ୍ବାଧୀନତା ଦିଆଯିବ। ବିଭିନ୍ନ ବିଷୟ ଶିକ୍ଷାର ସୁଲଭ ଉପଲବ୍‌ଧ ପାଇଁ ବିଦ୍ୟାଳୟ-ଗୋଷ୍ଠୀ ଗଠନ କରାଯିବ। ବର୍ତ୍ତମାନର ୧୦ମ ଓ ଯୁକ୍ତ-ଦୁଇ ବୋର୍ଡ ପରୀକ୍ଷା ବଳବତ୍ତର ରହିବା ସହ ଜାତୀୟ ସ୍ତରରେ ଏକକ ମାନଦଣ୍ତରେ ସରକାରୀ ଓ ଘରୋଇ ଅନୁଷ୍ଠାନଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। ସ୍ବତନ୍ତ୍ର ବୃତ୍ତି ମାଧ୍ୟମରେ ଗରିବ ଓ ପଛୁଆ ବର୍ଗର ପିଲାମାନଙ୍କୁ ଶିକ୍ଷାସ୍ରୋତ ସହ ଯୋଡ଼ି ରଖାଯିବ। NCERT/ SCERT ସମସ୍ତ ପାଠ୍ୟଖସଡ଼ା ପ୍ରସ୍ତୁତ କରିବେ।

ସ୍ନାତକ ସ୍ତରରେ ତିିନି-ବର୍ଷିଆ ଓ ଚାରି ବର୍ଷିଆ ଡିଗ୍ରୀ ରହିବ। ପିଲା ଇଚ୍ଛାନୁସାରେ କଳା, ବିଜ୍ଞାନ, ବାଣିଜ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଧନ୍ଦାମୂଳକ ପ୍ରଭୃତିରୁ ଯେ କୌଣସି ବିଷୟ ଚୟନ କରିପାରିବ। ଏପରିକି ଇଞ୍ଜିନିୟରି˚, ମେଡିକାଲ, ମ୍ୟାନେଜମେଣ୍ଟ ଭଳି ବିଷୟ ମଧ୍ୟ ଚୟନ କରାଯାଇଯାରିବ। ପିଲାଟି ଯେ କୌଣସି ବର୍ଷର ପରୀକ୍ଷା ପରେ ପାଠ ଛାଡ଼ି ଯେ କୌଣସି ସମୟରେ ଯୋଗ ଦେଇ ସ୍ନାତକ ଡିଗ୍ରୀ ପାଇପାରିବ। ମଝି କିଛି ବର୍ଷରେ ପାଠ ଛାଡ଼ିଲେ ‘ଡିପ୍ଲୋମା’ ମିଳିବ। ଯୁକ୍ତ-ତିନି ସ୍ତରରେ କିଛି ଗବେଷଣା କଲେ ଚାରିବର୍ଷିଆ ସ୍ନାତକ ଡିଗ୍ରୀ ମିଳିବ। ତିନି-ବର୍ଷିଆ ସ୍ନାତକ ଡିଗ୍ରୀଧାରୀମାନେ ସ୍ନାତକୋତ୍ତର ଉପାଧି ପାଇଁ ଦୁଇ ବର୍ଷ ଓ ଚାରି-ବର୍ଷିଆ ସ୍ନାତକମାନେ ଗୋଟିଏ ବର୍ଷ ପଢ଼ିବେ। ଏମ୍‌.ଫିଲ ପାଠ୍ୟକ୍ରମ ଉଠାଇ ଦିଆଯିବ।

ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରର ଏକକ ପ୍ରବେଶିକା ପରୀକ୍ଷା National Testing Agency ଦ୍ବାରା ପରିଚାଳିତ ହେବ। ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ତଥା IIT, IIM ଅନୁଷ୍ଠାନ ଗୁଡ଼ିକରେ କଳା, ବିଜ୍ଞାନ, ଇଞ୍ଜିନିୟରି˚, ମେଡିକାଲ, ମ୍ୟାନେଜମେଣ୍ଟ (ଆଇନ) ପ୍ରଭୃତି ସମସ୍ତ ବିଷୟ ଶିକ୍ଷାଦାନର ବ୍ୟବସ୍ଥା କରାଯିବ। କିଛି ବିଶ୍ବବିଦ୍ୟାଳୟକୁ ଗବେଷଣା-କେନ୍ଦ୍ରିତ, କିଛିକୁ ଶିକ୍ଷାଦାନ-କେନ୍ଦ୍ରିତ କରାଯିବ। ନୂଆ Multidisciplinary Education Research University (MERU) ପ୍ରତିଷ୍ଠା କରାଯିବ। ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକୁ ଭାରତରେ ଶାଖା ଖୋଲିବା ପାଇଁ ପ୍ରୋତ୍ସାହିତ କରାଯିବ। ମହାବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷା ପ୍ରଦାନକାରୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବେ। ଧୀରେ ଧୀରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ସ୍ବୟ˚ଶାସିତ ହେବେ।

ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ସର୍ବୋଚ୍ଚ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଅଧୢକ୍ଷତାରେ ଗଠିତ ହେବାକୁ ଥିବା ଜାତୀୟ ଶିକ୍ଷା ଆୟୋଗ ଦ୍ବାରା ପରିଚାଳିତ ହେବ। UGC, AICTE, MCI, NAAC ଭଳି ଅନୁଷ୍ଠାନ ଗୁଡ଼ିକ ଭାଙ୍ଗି National Higher Education Regulatory Authority, National Assessment Centre, National Research Foundation, National School Standard Authority ଭଳି କେତେଗୁଡ଼ିଏ ନୂଆ ଅନୁଷ୍ଠାନ ସୃଷ୍ଟି କରାଯିବ। ଶିକ୍ଷା ସମ୍ବିଧାନର ଯୁଗ୍ମ-ତାଲିକାରେ ଥିବାରୁ ରାଜ୍ୟଗୁଡ଼ିକ ମଧୢ ନୂତନ ନୀତି ଆଧାରରେ ବିହିତ ପଦକ୍ଷେପ ନେବେ। ରାଜ୍ୟରେ State School Standard Authority ଓ State Higher Education Council କାର୍ଯ୍ୟ କରିବେ।

ସମଗ୍ର ନୀତିକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜି.ଡି.ପି.ର ୬% ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବେ।

କଳ୍ପନାର ସୌଧରୁ ଦୃଷ୍ଟି ଫେରାଇ ବାସ୍ତବତାକୁ ଲକ୍ଷ୍ୟ କଲେ ଅନେକ ପ୍ରଶ୍ନ ସ୍ବତଃ ଉତ୍‌ଥାପିତ ହୁଏ। କେନ୍ଦ୍ର ସରକାର ୨୦୧୪ରୁ ୨୦୧୯ ଯାଏ ଶିକ୍ଷା କ୍ଷେତ୍ରର ବ୍ୟୟକୁ ଜି.ଡି.ପି.ର ୦.୫୫%ରୁ ୦.୪୪%କୁ କମାଇ ଚାଲିଥିଲା ବେଲେ ୬% ଖର୍ଚ୍ଚ ପାଇଁ ସମ୍ବଳ ପାଇବେ କେଉଁଠୁ? କହିବା ବାହୁଲ୍ୟ ଯେ ୬% ଖର୍ଚ୍ଚ ଲକ୍ଷ୍ୟ ୧୯୬୮ ଶିକ୍ଷାନୀତି ବେଳୁ ଘୋଷିତ ହୋଇଥିଲେ ମଧ୍ୟ କୌଣସି ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ସମସ୍ତ ଇ˚ରେଜୀ-ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଦେଶସାରା ମାତୃଭାଷାକୁ ବିଦ୍ୟାଳୟ ଶିକ୍ଷାର ମାଧ୍ୟମ ପାଇଁ ହେଉଥିବା ଦାବି ନୂଆ ଶିକ୍ଷାନୀତିରେ ଉପେକ୍ଷିତ ହୋଇଛି। ସମୟକ୍ରମେ ଆକୁମାରୀହିମାଚଳ ଶିଶୁମାନଙ୍କ ମୁହଁର A for Apple, B for Ball ଓ Ba Ba Black Sheep ଉଚ୍ଚାରଣ ଭିତରେ ସେମାନଙ୍କ ଶୈଶବଟି ହଜିଯିବ। ଧନ୍ଦାମୂଳକ ଶିକ୍ଷାର ଅତୀତର ବିଫଳତାକୁ ସଫଳତାରେ ତଥା ସମ୍ପୂର୍ଣ୍ଣ ଉନ୍ମୁକ୍ତ ବିଷୟ ଚୟନ ପ୍ରକ୍ରିୟାକୁ କିଭଳି କାର୍ଯ୍ୟରେ ପରିଣତ କରାଯିବ ତାହା ଏକ ପ୍ରଶ୍ନ। ଦ୍ବୈତ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ବ୍ୟବସ୍ଥା ବିଭ୍ରାଟ ସୃଷ୍ଟି କରିପାରେ। ପ୍ରସ୍ତାବିତ ବହୁର୍ମୁଖୀ (multidisciplinary) ଓ ବିଶାଳକାୟ ସ୍ବୟ˚ଶାସିତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଶୈକ୍ଷିକ ପରିବେଶ ନଷ୍ଟକାରୀ ଛାତ୍ର-ରାଜନୀତିରୁ କିପରି ମୁକ୍ତ ରଖାଯିବ ତାହା ମଧୢ ବିଚାର୍ଯ୍ୟ। ମର୍ଯ୍ୟାଦାସମ୍ପନ୍ନ ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକ UPA ସରକାର ସମୟର ନିୟନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ବର୍ତ୍ତମାନ ଗ୍ରହଣ କରିବାର ଆଶା କ୍ଷୀଣ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ବର୍ତ୍ତମାନର ଭିତ୍ତିଭୂମି ଓ ଶିକ୍ଷକ ନିଯୁକ୍ତିକୁ ପ୍ରଭୂତ ଭାବରେ ଉନ୍ନତ ନ କଲେ ଉଚ୍ଚସ୍ତରୀୟ ଗବେଷଣାର ଆଶା ଅବାସ୍ତବ। ସମ୍ପୂର୍ଣ୍ଣ (Holisstic) ଶିକ୍ଷାର କୋଳାହଳ ଭିତରେ ଶିକ୍ଷାର ଗଭୀରତା ହଜିଯିବା ଖୁବ୍‌ ସହଜ।

ମାନବ ସମ୍ବଳ ବିଭାଗକୁ ପୁରୁଣା ‘ଶିକ୍ଷା ବିଭାଗ’ନାମ ଦେବା, ସ୍ନାତକ ସ୍ତରରେ ପ୍ରତି ବର୍ଷର ପରୀକ୍ଷା ପରେ ସାର୍ଟିଫିକେଟ୍‌ଟିଏ ଦେବା, ଏମ୍‌.ଫିଲ୍‌. ଉଠାଇ ଦେବା, ଶିକ୍ଷା କ୍ଷେତ୍ରରେ ଜି.ଡି.ପିର ୬% ଖର୍ଚ୍ଚ କରିବା ଭଳି ସାଧାରଣ ବ୍ୟବସ୍ଥା ପାଇଁ ଏକ ଶିକ୍ଷାନୀତିର ଆବଶ୍ୟକତା ନାହିଁ- ପ୍ରଶାସନିକ ନିର୍ଦ୍ଦେଶନାମା ଯଥେଷ୍ଟ। ଉଚ୍ଚ ଶିକ୍ଷାକୁ ଯୁଗ୍ମ-ତାଲିକାରୁ କାଢ଼ି କେନ୍ଦ୍ର-ତାଲିକାକୁ ନିଆଯାଇ ପାରିଥାଆନ୍ତା। ଶିକ୍ଷା ଓ ଶିକ୍ଷକ ବୃତ୍ତିର ଉତ୍କର୍ଷ ଲକ୍ଷ୍ୟରେ Indian Education Service (IES)ର ପୁନଃପ୍ରଚଳନ କରାଯାଇ ପାରିଥାଆନ୍ତା। ଅଙ୍ଗନବାଡ଼ି ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ଚାକିରି ସର୍ତ୍ତାବଳୀର ପ୍ରାବଧାନ କରାଯାଇ ପାରିଥାଆନ୍ତା।

ପରିଶେଷରେ ସ˚ଖ୍ୟାର ଶୁଷ୍କ ମିଶାଣ-ଫେଡ଼ାଣ, ଅନୁଷ୍ଠାନ ଗୁଡ଼ିକର ଗଢ଼ା-ଭଙ୍ଗାର ହୋ-ହଲ୍ଲା ଭିତରେ ସୁଶିକ୍ଷା ବ୍ୟୟବହୁଳ ଓ ଜଟିଳ ହୋଇ ଗାଁ ଗହଳର ଅଶୀ ଭାଗ ପିଲାମାନଙ୍କ ହାତପାଆନ୍ତାରୁ ଖସି ଯାଇ ଶିକ୍ଷା ବ୍ୟବସାୟୀ ଓ ଧନୀ ଶ୍ରେଣୀର ଏକଚାଟିଆ ବାଣିଜ୍ୟ ହୋଇନଯାଉ, ଏତିକି ଆଶା। ଅତୀତ ଅନୁଭୂତିର ପୁନରାବୃତ୍ତି ନ ହେଉ। ଶିକ୍ଷାର ଆଲୋକରେ ଭାରତ ‘ବିଶ୍ବଗୁରୁ’ର ମାନ୍ୟତା ଲାଭ କରୁ।

ବାୟା ନିବାସ, ଶ୍ରୀବିହାର, ପଟିଆ

ସମ୍ବନ୍ଧିତ ଖବର