ଭ୍ୟାକ୍‌ସିନ୍‌ର ଭବିଷ୍ୟତ

ମୃଣାଳ

କରୋନା ଆସିବା ଦିନରୁ ତା ଭ୍ୟାକ୍‌ସିନ୍‌ ବା ଟିକା କେବେ ଆସିବ ସେ ଚିନ୍ତାରେ ଲୋକେ ଘାରି ହେଉଥିଲେ। ଏବେ ରୁଷିଆ କହିଲାଣି- ସେମାନେ କରୋନା ଟିକା ତିଆରି କରିସାରିଲେଣି। ଆମେରିକା କହିଲାଣି- ଆଉ ଅଳ୍ପ ଦିନରେ ତାଙ୍କ ଭ୍ୟାକ୍‌ସିନ୍‌ ଆସିଯିବ। ଆମ ଦେଶରେ ବି ଭ୍ୟାକ୍‌ସିନ୍‌ ଆସିଯିବ ବୋଲି ସୂଚନା ନୁହେଁ, ଘୋଷଣା ହୋଇସାରିଲାଣି।

ଏଥିକୁ ବହୁତ ଲୋକ ଭେରି ହ୍ୟାପି। ତେବେ ଆମ ଦେଶରେ କରୋନାର ଯେମିତି ଅବସ୍ଥା, ତା ଭ୍ୟାକ୍‌ସିନ୍‌ର ଭବିଷ୍ୟତ କ’ଣ ହେବ ତାକୁ ନେଇ ଭାବନାର ବି ଅନ୍ତ ନାହିଁ।

ଭାବନାର କାରଣ ବି ରହିଛି। ଆମ ଦେଶର ଲୋକଙ୍କ ପାଖରେ ବୁଦ୍ଧି ଆଉ ସମୟ ଉଭୟ ବହୁତ। ତେଣୁ ସବୁ କଥାରେ ଆମର କଳ୍ପନାଜଳ୍ପନା ଚାଲେ। କରୋନା ଆସିଲା ତ ତାକୁ ନେଇ ଚାଲିଲା। ଆମ ଦେଶରେ ଷଡ଼୍‌ଯନ୍ତ୍ରପ୍ରେମୀ ଲୋକମାନଙ୍କର ଅଭାବ ନାହିଁ। ସବୁ କଥାରେ ସେମାନେ ଷଡ଼୍‌ଯନ୍ତ୍ରର ଆଭାସ ପାଆନ୍ତି। ସେହି ଜାତୀୟ କିଛି ଲୋକ କହିଲେ, ଦେଖ ଚୀନ୍‌ ବଡ଼ ଚାଲୁ ଦେଶ। ଆଗେ ଭ୍ୟାକ୍‌ସିନ୍‌ ତିଆରି କରିଥିବ, ପରେ ଏ ଭାଇରସ୍‌କୁ ବିଶ୍ୱରେ ବିଞ୍ଚିଥିବ। ଦେଖୁନ- ସାରା ବିଶ୍ୱର ନେତାମାନେ ମୁଖା ପିନ୍ଧୁଥିବା ବେଳେ ତାଙ୍କ ରାଷ୍ଟ୍ର-ପ୍ରଧାନ ମୁଖା ନ ପିନ୍ଧି ବୁଲୁଛନ୍ତି! ତା’ ଅର୍ଥ ହେଲା: ସେମାନେ ଆଗରୁ ଭ୍ୟାକ୍‌ସିନ୍‌ ନେଇ ଚେଙ୍ଗା ହୋଇ ଅଛନ୍ତି।

ହେଲେ ଜାନୁଆରିରୁ ସେପ୍‌ଟେମ୍ବର, ୯ ମାସ ଯାଏ ଚୀନ୍‌ରୁ ଭ୍ୟାକ୍‌ସିନ୍‌ ବଜାରକୁ ନ ଆସିବାରୁ ଏ ଥିଓରିଟା ଆଉ ଫୁଟେଜ୍‌ ପାଇଲାନି।

ବିଶ୍ୱର ସବୁ ଦେଶ ଯେତେବେଳେ କରୋନାର ଭ୍ୟାକ୍‌ସିନ୍‌ ତିଆରି ପାଇଁ ଲାଗିଥିଲେ, ସେତେବେଳେ ବାବା ରାମଦେବ କହିଦେଲେ: ଆମେ ଏମିତି ଔଷଧ ତିଆରି କରିଛୁ ଯାହା କରୋନାକୁ ନିଲ୍ କରି ଦେବ। ଲୋକେ ବଡ଼ ହ୍ୟାପି ହୋଇ ସେ ଔଷଧକୁ ଚାହିଁ ରହିଲେ। ହେଲେ ସଜ ମାଛରେ (ଏ କେସ୍‌ରେ ଔଷଧରେ) ପୋକ ପକେଇବା ଲୋକଙ୍କର ଅଭାବ କେଉଁ କାଳରେ କମ ନୁହେଁ। କିଛି ଲୋକ ଏ ଔଷଧର ବୈଜ୍ଞାନିକ ଭିତ୍ତି ନେଇ ପ୍ରଶ୍ନ ଉଠେଇଲେ। ତହୁଁ ବାବା କହିଲେ, ଏଟା କରୋନାକୁ ନିଲ୍‌ କରିବନି, ତା’ ବିରୋଧରେ ଲଢ଼ିବାକୁ ଶକ୍ତି ଯୋଗାଇବ। ଇମ୍ୟୁନିଟି ବୁଷ୍ଟ୍ କରିବ। ଏ କଥା ଆଜିକାଲି ତେଲ ବାଲାଠୁଁ ସାବୁନ୍‌ ବାଲା ସମସ୍ତେ କହୁଛନ୍ତି। ତେଣୁ ଲୋକେ ଆଉ ତାକୁ ନେଇ ବେଶି ଉତ୍ସାହିତ ହେଲେନି।

ରୁଷିଆ ଟିକା ବାହାର କରିବା କଥା ଘୋଷଣା କଲା ପରେ ବି ଲୋକଙ୍କ ଭିତରେ ତାଙ୍କ ଟିକାକୁ ନେଇ ବିଶେଷ ଉତ୍ସାହ ଦିଶୁନି। ଲୋକେ ଠିକ୍ ବିଶ୍ବାସ କରିପାରୁ ନାହାନ୍ତି ଯେ ସେମାନେ ସତରେ ଟିକା ବାହାର କରିଥିବେ!

ତେବେ ନିକଟ ଭବିଷ୍ୟତରେ ଅନ୍ୟାନ୍ୟ ଦେଶମାନେ ଯେ ଟିକା ବାହାର କରିଦେବେ ସେଥିରେ ଆଉ ବିଶେଷ ସନ୍ଦେହ ନାହିଁ। କିନ୍ତୁ ସେତେବେଳକୁ ଏତେ ଲୋକଙ୍କୁ କରୋନା ହୋଇସାରିଥିବ ଯେ ଟିକା ନେଲା ବାଲା ଲୋକ ବଳିଥିବେ କିମ୍ବା ବଞ୍ଚିଥିବେ କି ନାହିଁ ସନ୍ଦେହ। ସେପ୍‌ଟେମ୍ବର ଆରମ୍ଭରେ ଯେତେବେଳେ ଏ ଲେଖା ମୁଁ ଲେଖୁଛି ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖା ୪୦ ଲକ୍ଷ ଛୁଇଁଲାଣି। ମୃତକ ସଂଖ୍ୟା ୭୦ ହଜାର ଛୁଇଁଲାଣି।

ତଥାପି ଯଦି ଭ୍ୟାକ୍‌ସିନ୍‌ ଆସିଗଲା, ତେବେ ତାର ଭବିଷ୍ୟତ କ’ଣ ହେବ? ମୋତେ ଯାହା ଲାଗୁଛି, ଲେଖିଦଉଛି। ପରେ ମିଳେଇ ଦେଖିନେବେ।

ବଡ଼ ଲୋକମାନେ ନିଜେ ଓ ନିଜ ପିଲାଛୁଆଙ୍କୁ ଭ୍ୟାକ୍‌ସିନ୍‌ କିଣି ଲଗେଇ ଦେବେ। ଗରିବ ଲୋକମାନଙ୍କୁ ସରକାର ଏହା ଦେବେ ବୋଲି ଘୋଷଣା କରିଦେବେ। କେବେ ଦିଆଯିବ, କେତେ ଜଣ ପାଇବେ- ଏ ସବୁ ଡିଟେଲ ଭିତରକୁ ଯାଆନ୍ତୁନି। ଅଧା ଗରିବ ଲୋକେ ତ ଘୋଷଣା ଶୁଣି କରୋନାରୁ ମୁକ୍ତି ପାଇଯିବେ। ମଝିମଝିଆ ରହିଲେ ମଧ୍ୟବିତ୍ତ ଲୋକ- ‌େସମାନଙ୍କ ଭିତରେ ଅଯଥା ଛାନିଆ ଲୋକଙ୍କ ସଂଖ୍ୟା ସର୍ବାଧିକ- ସେମାନେ ସଂଚିତ ଅର୍ଥ ଶେଷ କରି, ଧାର ଉଧାର କରି ଟିକା ନେବେ। ନେଇସାରି ସାମାଜିକ ଗଣମାଧ୍ୟମରେ ନିଜ ଫଟୋ ଛାଡ଼ିବେ। ତଳେ ଲେଖିବେ: ଭ୍ୟାକ୍‌ସିନେଟେଡ୍। ଫିଲିଂ ହ୍ୟାପି।

କରୋନା ଭ୍ୟାକ୍‌ସିନ୍‌ ଭାରତ ବଜାରକୁ ଆସିବାର କିଛି ଦିନ ଭିତରେ ଏହାର ଚୀନ ତିଆରି ଡୁପ୍ଲିକେଟ୍ ଭ୍ୟାକ୍‌ସିନ୍‌ ବି ବଜାରକୁ ଆସିଯିବ। ତାର କିଛି ଦିନ ପରେ ଚୀନ୍‌ ତିଆରି ଡୁପ୍ଲିକେଟ୍‌ର ଦିଲ୍ଲୀ ଚାନ୍ଦିନୀଚୌକରେ ତିଆରି ଡୁପ୍ଲିକେଟ୍ ଭର୍ସନ ଆସିଯିବ। ଅର୍ଥାତ୍‌ ଡୁପ୍ଲିକେଟ୍‌ରୁ ଡୁପ୍ଲିକେଟ୍। କିଛି ଲୋକ କହିବେ- ଇଏ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍‌ଟ। ଆତ୍ମନିର୍ଭର ଭାରତ ପାଇଁ ଏହାକୁ ନେବା ଆମର ଜାତୀୟ କର୍ତ୍ତବ୍ୟ।

ଆମ ସରକାର ଚୀନ୍‌ ତିଆରି ଭ୍ୟାକ୍‌ସିନ୍‌କୁ ବ୍ୟାନ୍ କରିଦେବେ। ସିଆଡ଼େ ପାକିସ୍ତାନ ଭାରତ ତିଆରି ଟିକାକୁ ବ୍ୟାନ୍‌ କରିଦେବ।

ଭ୍ୟାକ୍‌ସିନ୍‌ର କଳାବଜାର ଧୁମ୍ ଚାଲିବ। ସରକାରୀ ହାସପାତାଳରେ ଏହା ମାଗଣାରେ ମିଳିବ ବୋଲି ସରକାର ଘୋଷଣା କରିବେ। ଆପଣ ସରକାରୀ ହାସପାତାଳ ଯିବେ। ହେଲେ ସେଠି ଭ୍ୟାକ୍‌ସିନ୍‌ ପାଇବେନି। ଆପଣଙ୍କୁ କୁହାଯିବ: ଷ୍ଟକ୍‌ ସରିଯାଇଛି। ଅପେକ୍ଷା କରନ୍ତୁ, ନୂଆ ଷ୍ଟକ୍‌ ଆସିଲେ ଦିଆଯିବ। କିମ୍ବା ଅମକ ଅମକ ପଚିଶ ଡକ୍ୟୁମେଣ୍ଟ ଧରି ଆସନ୍ତୁ। ଯାହା ଆପଣ କେବେ ବି ଆଣିପାରିବେ ନାହିଁ। ଏଇ ମଉକାରେ ବେସରକାରୀ ହାସପାତାଳଗୁଡ଼ିକ ଚଢ଼ା ଦାମରେ ଭ୍ୟାକ୍‌ସିନ୍‌ ବିକିବେ। ଆପଣ ତାକୁ ନେବେ। ପିଲାଛୁଆଙ୍କୁ ଦେବେ।

ଟିକାର କଳାବଜାର ଉପରେ ଟେଲିଭିଜନରେ ଗରମାଗରମ ଡିବେଟ୍‌ ହେବ। କାଗଜରେ ଲେଖା ବାହାରିବ। ସାମାଜିକ ଗଣମାଧ୍ୟମରେ ଭାଇରସ୍‌ର ‘ମିମ୍‌’ ଘୂରି ବୁଲିବ।

କରୋନା ଭାଇରସ୍‌ ଭ୍ୟାକ୍‌ସିନ୍‌ର ଭବିଷ୍ୟତ ବି ଭାରତର ଭବିଷ୍ୟତ ଭଳିଆ। ଆଶା ଯେତିକି, ଆଶଙ୍କା ସେତିକି।

ସଂଚାରମାର୍ଗ, ଢେଙ୍କାନାଳ-୭୫୯୦୦୧
ମୋ: ୯୪୩୭୦୨୬୧୯୪

ସମ୍ବନ୍ଧିତ ଖବର