ବୀର ଗାଥା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଲକ୍ଷ୍ୟ କରିବାର କଥା ଯେ ବର୍ତ୍ତମାନ ତିନି ପିଢ଼ିର ଓଡ଼ିଆଙ୍କ ଭିତରେ ଓଡ଼ିଆ ଜାତୀୟତାର ଏକ ମଧୁର ଗୁପ୍ତ ହିଲ୍ଲୋଳ ପ୍ରବାହିତ ହେବା ଆରମ୍ଭ କରିଚି। ଏ କେବଳ ତୁରନ୍ତ ବର୍ତ୍ତମାନର କଥା ନୁହେଁ, କିଛି ବର୍ଷ ହେଲା ୟାର ସ˚କେତ ଫିଟିଚାଲିଚି। ବି˚ଶ ଶତାବ୍ଦୀର ଆରମ୍ଭରେ କୁଳପୁରୁଷ ମଧୁସୂଦନ ଦାସ ଯେଉଁ ଓଡ଼ିଆ ଜାତୀୟ ଜୀବନର ପ୍ରତିଷ୍ଠା ପାଇଁ ଯଜ୍ଞ ଆରମ୍ଭ କରିଥିଲେ ଓ ଯେଉଁ ଓଡ଼ିଆ ଜାତିର ଆବେଗିକ ଏକତାର ଭାଷ୍ୟ ଗୋପବନ୍ଧୁ ଅଶ୍ରୁତର୍ପଣରେ ବାରମ୍ବାର ଲେଖି ଚାଲିଥିଲେ ନିରବରେ, ତାହା ହଠାତ୍‌ ରୂପାୟିତ ହୋଇଉଠିଲା କି? ନା, ହଠାତ୍‌ ନୁହେଁ, ଇଏ କେବେ ଅବଦମିତ ତ କେବେ ମନ୍ଥର ହୋଇ ଚାଲିଥିଲା, ପରିବେଶ ଅନୁକୂଳ ନ ହୋଇଥିଲେ ହୁଏତ ଇଏ ସବୁବେଳେ ମ୍ରିୟମାଣ ହୋଇ ଦୀପଗର୍ଭର ଅନ୍ତିମ ବୁନ୍ଦାଏ ନିଆଁ ହୋଇ ରହିଯାଇଥାନ୍ତା। କିନ୍ତୁ ଗତ କୋଡ଼ିଏ ବର୍ଷ ଭିତରେ ସ୍ଥିତି ବଦଳିଚି, ଓଡ଼ିଆ ଅସ୍ମିତାର ପ୍ରସଙ୍ଗ ଆଉ ଉଦ୍‌ବୋଧନୀ ବା ଆବହ ସଙ୍ଗୀତରେ ନାହିଁ। ଓଡ଼ିଆଙ୍କ ଭିତରେ ଓଡ଼ିଆତ୍ବର ଉଷ୍ମା ଓ ଚଳତ୍‌ଶକ୍ତି ପ୍ରବେଶ କରିଚି। ମଧୁସୂଦନ ଓ ଗୋପବନ୍ଧୁଙ୍କ ଆଦର୍ଶକୁ ପାଳି ନ ପାରିଲେ ବି ଲୋକେ ଅଧିକ ବୁଝୁଚନ୍ତି। ସ୍ବାର୍ଥ ତ୍ୟାଗ ଓ କରୁଣାର ଅମୃତବାଣୀ ଅଧିକ ମଧୁର ଲାଗୁଚି, ଓଡ଼ିଆଙ୍କ ପାଇଁ ଓଡ଼ିଶାର ରାଜ୍ୟସଙ୍ଗୀତ ବି ମଧୁରତର ଆବେଦନ ସୃଷ୍ଟି କରୁଚି। ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ବେଳେ ସଭାଗାରରେ ସାଧାରଣ ଓଡ଼ିଆ ଲୋକଟିର ଆଖି ଅଶ୍ରୁସଜଳ ହେବାର ଭବ୍ୟ ଦୃଶ୍ୟ ମୁଁ ଦେଖୁଚି। ପଡ଼ୋଶୀ ରାଜ୍ୟର ଭାଷା ଓ ସାହିତ୍ୟରେ ଅବଗାହନ କରି ନିଜ ଭାଷା ଓ ସାହିତ୍ୟକୁ ହେୟ ମନେ କରୁଥିବା ବାତୁଳଙ୍କ ସ˚ଖ୍ୟା କମିଚି। ଯେଉଁ କେତେକ ନମୁନା ଏବେବି ଅଛନ୍ତି, ସେମାନେ ଟିକେ ମୁହଁଲୁଚା ଦେବା ଆରମ୍ଭ କଲେଣି। ସେମାନେ ଜାଣିଲେଣି ଯେ ନିଜର ମୂଲ୍ୟ ପ୍ରତିଷ୍ଠା ନ କଲା ଯାଏଁ ପଡ଼ୋଶୀ ଆଖିରେ ତାଙ୍କର ନିଜର ମୂଲ୍ୟ ହ୍ରାସ ପାଇ ଚାଲିଚି। ପଡ଼ୋଶୀମାନେ ନିଜର ଜାତୀୟତାବାଦୀ ଚିନ୍ତନ (ଓ ସ୍ଥଳ ବିଶେଷରେ ଅହଙ୍କାର) ପାଇଁ ପ୍ରସିଦ୍ଧ ଓ ସେମାନେ କେବେ ବି ସ୍ବଜାତି ନିନ୍ଦୁକଙ୍କୁ ପ୍ରଶ୍ରୟ ଦେବେ ନାହିଁ।

ଏବେ ଭାରତୀୟ ସାହିତ୍ୟ ଓ ସ˚ସ୍କୃତିର ବିଭିନ୍ନ ସ˚କେତ ଆମ ସାହିତ୍ୟ ଓ ସ˚ସ୍କୃତିରେ ପ୍ରବେଶ କଲାଣି। ନୂଆପିଢ଼ି ସାମ୍ନାରେ ହିନ୍ଦୀ ସାହିତ୍ୟର ଦୃଷ୍ଟାନ୍ତମାନ ଜଳଜଳ ହୋଇ ଦିଶୁଚନ୍ତି, ଅଥଚ ନିଜ ଭାଷା ଓ ସାହିତ୍ୟର ଶ୍ରେଷ୍ଠ ରଚନା ସହିତ ପରିଚୟ ତାଙ୍କ ପାଇଁ ଅନାବଶ୍ୟକ ହୋଇପଡ଼ିଚି। ଏ ସ୍ଥିତିରେ ବି ପରିବର୍ତ୍ତନ ଆସିବା ସୂଚନା ମିଳୁଚି। ଏମିତି ଗୋଟିଏ ଗୋଟିଏ ଘଟନା ଘଟେ, ଯାହା ଚିତ୍ତବୃତ୍ତି ବଦଳାଇ ଦିଏ। କିଛିବର୍ଷ ତଳେ ଜଣେ ବିଶିଷ୍ଟ ହିନ୍ଦୀ କବିଙ୍କ ବକ୍ତବ୍ୟ ଶୁଣିବା ପାଇଁ ଓଡ଼ିଶାର ତିନି ପିଢ଼ିର କବି ଓ ସାହିତ୍ୟପ୍ରେମୀ ଏକାଠି ହୋଇଥିଲେ। ସେ କବି ଜଣକ ତାଙ୍କର ଅନେକ ଭଲ କବିତା ପଢ଼ିଲେ ଓ ସୁନ୍ଦର ବକ୍ତବ୍ୟ ଦେଲେ। ବକ୍ତବ୍ୟ ଦେଇସାରି କହିଲେ: ମୋ କବିତା ତ ଶୁଣିଲେ, କିନ୍ତୁ ମୋ ଭାଷାରେ ମୋର ପ୍ରିୟ ବହୁ ସ୍ମରଣୀୟ କବି ଅଛନ୍ତି, ଯାହାଙ୍କ କବିତା ମୁଁ ଆପଣମାନଙ୍କୁ ଶୁଣାଇବାକୁ ଚାହିଁବି। ତା’ପରେ ସେ ଶୁଣେଇ ଚାଲିଲେ କବିତା ପରେ କବିତା, ଏମିତିକି ତାଙ୍କଠୁ ସାତ ସାନ କବିଙ୍କ କବିତା ବି ତାଙ୍କର ମୁଖସ୍ଥ। କବିତା ଶୁଣେଇ ସାରିଲା ମାତ୍ରେ ପ୍ରବଳ କରତାଳିରେ କମ୍ପିଲା ସଭାଗାର। ତା’ପରେ ସେ ଅନୁନୟ କଲା ଭଳି ବିନୟାବନତ ହୋଇ କହିଲେ: ଓଡ଼ିଆ ଭାଷାର କିଛି ବିଶିଷ୍ଟ କବିଙ୍କ କବିତା ମୁଁ ଅନୁବାଦରେ ପଢ଼ିଚି, ଆପଣମାନେ ଯଦି ଓଡ଼ିଆ କବିମାନଙ୍କର ସ୍ମରଣୀୟ କବିତା କିଛି ମୋତେ ଓଡ଼ିଆରେ ଶୁଣାନ୍ତେ, ତେବେ ମୁଁ କୃତାର୍ଥ ହୁଅନ୍ତି। ସଭାଗାରରେ ଛାଇଗଲା ଘୋର ନିରବତା। କାହାରି କବିତା କେହି ମନେ ରଖିନାହାନ୍ତି। ପଦେ ଦିପଦ ଶୁଣେଇବାର ଯାହା ବି ପ୍ରୟାସ କରାଗଲା, ତାହା ଥିଲା କରୁଣ ଓ ହାସ୍ୟାସ୍ପଦ। କିନ୍ତୁ ସେଦିନ ସଭାଗାରରୁ ବାହାରିଲା ବେଳେ ସବୁ କବିଙ୍କ ମୁହଁ ଶୁଖିଯାଇଥିଲା, ସମସ୍ତେ ଥିଲେ କ୍ଷମାପ୍ରାର୍ଥୀ। ମୁଁ ବି ଥିଲି କ୍ଷମାପ୍ରାର୍ଥୀଙ୍କ ଭିତରୁ ଜଣେ। ଯଦିଓ ମୁଁ କବିଙ୍କ ସହିତ ମଞ୍ଚରେ ବସିଥିଲି, ତାହା କ’ଣ ମୋର ଆତ୍ମରକ୍ଷା ପାଇଁ ଯଥେଷ୍ଟ! ଏବେ ମୁଁ ଲକ୍ଷ୍ୟ କରୁଛି ଯେ କବିତାକୁ ସ୍ମରଣୀୟ କରି ଲେଖିବାର ଓ ପଢ଼ିବାର ଗୋଟିଏ କ୍ଷୁଦ୍ର ଧାରା ପ୍ରବାହିତ ହେବା ଆରମ୍ଭ ହେଲାଣି ଓ ଏବେ ପ୍ରାୟ ସବୁ କବି ତାଙ୍କ ନିଜ କବିତାକୁ ସୁନ୍ଦର ଭାବେ ପଢ଼ିବାରେ ଆଗ୍ରହୀ। କେତେକ କବି ଅନ୍ୟମାନଙ୍କ କବିତା ସ୍ମୃତିରେ ରଖିଲେଣି ବି! ତାର ଗୋଟିଏ ବଡ଼ କାରଣ ସମସ୍ତଙ୍କ ମନରେ ଗୋଟେ କଷ୍ଟ ରହିଥିଲା ଯେ ଆମେ ଆମ ଭାଷା ଓ ସାହିତ୍ୟକୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିପାରିଲୁ ନାହିଁ। ୟା ବି ହୃଦ୍‌ବୋଧ ହେଲାଣି ଯେ ଭାରତୀୟ କାବ୍ୟ-ସ˚ସାରରେ ଓଡ଼ିଆ କବିତାର ମର୍ଯ୍ୟାଦା ସର୍ବୋଚ୍ଚ ସ୍ତରର ଓ ଅନ୍ୟ ଭାଷାର କବିତାରେ (ବିଶେଷତଃ ହିନ୍ଦୀରେ) ବର୍ତ୍ତମାନ ସହଜିଆ ଯୁଗ ଚାଲିଚି। ସେମାନେ ଚାତୁର୍ଯ୍ୟ ଓ ସାମାଜିକ ବାସ୍ତବତାରେ ବାନ୍ଧି ହୋଇ ରହିଚନ୍ତି, ଏଇଥିପାଇଁ ଯେ ସେମାନଙ୍କ ପାଖରେ ଅଭିବ୍ୟକ୍ତିର ବହୁମୁଖୀ ପ୍ରୟୋଗ ପାଇଁ ସ˚ସ୍କୃତ ନାହିଁ। ଏବେ ଅର୍ଖ ନୂଆ ପିଢ଼ିରେ ହିନ୍ଦୀ ସାହିତ୍ୟିକମାନେ ଉର୍ଦ୍ଦୁ ଠାରୁ ନିବିଡ଼ତା କମ କରି ସ˚ସ୍କୃତ ସାଙ୍ଗେ ସମ୍ପର୍କ ଯୋଡ଼ିଲେଣି। କେଉଁ ପରିସ୍ଥିତିରେ ହିନ୍ଦୀ ଭାଷା ଦେବନାଗରୀ ଲିପି ସତ୍ତ୍ବେ ସ˚ସ୍କୃତ-ବିମୁଖ ହୋଇଗଲା ତାହା ଏକ ଅଲଗା ବିଷୟ।

କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ବର୍ଷେ ତଳେ ତ୍ରିପୁରାର ରାଜଧାନୀ ଅଗରତାଲାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ମୋର ଅଭିଭାଷଣର ବିଷୟ ଥିଲା ଆଞ୍ଚଳିକ ଜାତୀୟତା ଓ ସାହିତ୍ୟିକ ବିନିମୟ। ଏ ବିଷୟର ସିଧାସଳଖ ସମ୍ପର୍କ ଥିଲା ତ୍ରିପୁରାର ଆଞ୍ଚଳିକ ଜାତୀୟତା ସହିତ ନିଜର ଏକ ପାର˚ପରିକ ଅସ୍ତିତ୍ବବାଚୀ ଭାଷା ନଥିବାର ବିଡ଼ମ୍ବନା ସହିତ। ତ୍ରିପୁରାର ଜନଭାଷା କୋକ୍‌ବୋରୋକ୍‌, କିନ୍ତୁ ଏ ଭାଷାଭାଷୀ ସେ ରାଜ୍ୟରେ ମାତ୍ର ଆଠ ଲକ୍ଷ, ଅଥଚ ବଙ୍ଗଳା ଭାଷାଭାଷୀଙ୍କ ସ˚ଖ୍ୟା ଛତିଶ ଲକ୍ଷ। ସେଥିପାଇଁ ସେ ରାଜ୍ୟର ରାଜ୍ୟ ଭାଷା ବଙ୍ଗଳା, କୋକ୍‌ବୋରୋକ୍‌ ଓ ଇ˚ରେଜୀ। କିନ୍ତୁ ତ୍ରିପୁରାର ଅସ୍ତିତ୍ବ ରାଜନୀତି ଏଯାବତ୍‌ ଭାଷାକୈନ୍ଦ୍ରିକ ହୋଇ ରହିଚି। କୋକ୍‌ବୋରୋକ୍‌ ଏ ପର୍ଯ୍ୟନ୍ତ ଏକ ଭାରତୀୟ ଭାଷା ଭାବରେ ସମ୍ବିଧାନରେ ସ୍ଥାନ ପାଇ ନାହିଁ। ତ୍ରିପୁରାର ଯେଉଁ ସାହିିତ୍ୟିକ ଓ ସ˚ସ୍କୃତିକର୍ମୀମାନେ ମୋତେ ଅଗରତାଲାରେ ଭେଟିଥିଲେ ସେମାନଙ୍କର ରୋଷ ଓ କ୍ଳେଶର ସୀମା ନ ଥିଲା। ଅଭିବ୍ୟକ୍ତିହୀନ ଜାତୀୟତାର ସ˚କଟ ମୁଁ ପ୍ରତ୍ୟକ୍ଷ କରିଥିଲି ସେଇଠି। ସେମାନଙ୍କର ଦୁଃଖ ଥିଲା ଯେ ତାଙ୍କ ନିଜ ଲୋକ ସ˚ପ୍ରଦାୟରେ ଭୂଲଗ୍ନ ବୀରଗାଥା କହିବା ପାଇଁ ତାଙ୍କ ପାଖରେ ତୁଣ୍ତ ଅଛି, କିନ୍ତୁ ବ୍ୟାପକ ଅଭିବ୍ୟକ୍ତି ପାଇଁ ନିଜର ଲିପି ନାହିଁ, ସେମାନେ ନିଜ ଭାଷା ବଙ୍ଗଳା ଲିପିରେ ଲେଖୁଥିଲେ, ଏବେ ରୋମାନ୍‌ ଲିପିରେ ଲେଖୁଛନ୍ତି।

ଆମେ ଓଡ଼ିଆମାନେ କେତେ ଭାଗ୍ୟବାନ ଦେଖନ୍ତୁ। ଆମର ପ୍ରାକ୍‌-ଖ୍ରୀଷ୍ଟୀୟ କାଳର ଲୋକଭାଷା ଓ ସାହିତ୍ୟ ସୃଷ୍ଟିରେ ହଜାରେ ବର୍ଷର ପରମ୍ପରା ଓ ତା’ଠାରୁ ପ୍ରାଚୀନ ଆମର ଲିପି, ପୁଣି ଏବେ ଆମ ଭାଷା ଆର୍ଯ୍ୟଭାରତ ବା ବିନ୍ଧ୍ୟୋତ୍ତର ଭାରତର ଏକମାତ୍ର ଶାସ୍ତ୍ରୀୟ ଭାଷା। ହିନ୍ଦୀ, ମରାଠୀ, ଗୁଜରାଟୀ ବା ବଙ୍ଗଳା କେହି ଶାସ୍ତ୍ରୀୟ ଭାଷା ନୁହନ୍ତି। ଆମର ବୀର ଗାଥାମାନଙ୍କ ମଧୢରେ ତିନିଟିି ବୀର ଗାଥା ଆମର ଆଞ୍ଚଳିକ ଜାତୀୟତାର ପ୍ରାଣ। ଗୋଟିଏ ବୀର ଗାଥା, ଓଡ଼ିଆ ଲୋକ ସମ୍ପ୍ରଦାୟ ପ୍ରକୃତିର ଘୋର କ୍ରୂରତା ବିରୋଧରେ ଲଢ଼ି ଲଢ଼ି ଏକ ଲୋକସମ୍ପ୍ରଦାୟ ଭାବରେ ନ୍ୟୂନତମ ସମ୍ବଳରେ ବି ତିଷ୍ଠି ରହିବ। ଏ ଆମର ସାମୂହିକ ବୀର ଗାଥା। ଦାରିଦ୍ର୍ୟ ବା ଦୁର୍ବିପାକ ଲୋକ ସମ୍ପ୍ରଦାୟକୁ ମାରିପାରିନାହିଁ। ବଜ୍ରରେ ଗଢ଼ା ଆମର ବଞ୍ଚି ରହିବାର ମେରୁହାଡ଼। ଦ୍ବିତୀୟ ବୀର ଗାଥା ଆମର ଭାଷାର ତିଷ୍ଠିରହିବା ଏକ ଲିପି ସହିତ, ବିନା ଭାଷାତାତ୍ତ୍ବିକ ବ୍ୟାକରଣରେ, କେବଳ ଅନର୍ଗଳ ମୌଖିକତା ଓ ଊର୍ଜସ୍ବଳ ଲିଖିତ ସାହିତ୍ୟର ସାମର୍ଥ୍ୟରେ। ଏ ମଧୢ ଆମର ସାମୂହିକ ବୀରତ୍ବର ସନ୍ତକ। ଆମ ଭାଷା ପ୍ରଚଣ୍ତ ଓ ପ୍ରଖର ଆକ୍ରମଣ ସତ୍ତ୍ବେ ତିଷ୍ଠିଲା ତାର ଏକ ମେରୁହାଡ଼କୁ ନେଇ, ଶାସ୍ତ୍ରୀୟତା ସେ ମେରୁହାଡ଼ର ନୂଆ ନାମ। ଓଡ଼ିଆ ଲିପି ମଧୢ ପୂର୍ବ ଭାରତର ସର୍ବପ୍ରାଚୀନ ଲିପି, ୟାକୁ ଯିଏ ଉଦ୍ଭାବନ କଲେ ଓ ଯେଉଁମାନେ ତାଳପତ୍ର ପୋଥିର ଭ˚ଗୁରତା ବିରୋଧରେ ଲେଖନୀରେ ଲିପିକୁ ବର୍ତୁଳ କରି ବଞ୍ଚେଇଲେ, ସେମାନେ ଆମର ବୀର ପିତୃପୁରୁଷ। ଯେଉଁମାନେ ରଚନା ପ୍ରାୟୋଗିକ ବ୍ୟାକରଣ ସହିତ ଧ୍ବନି ଓ ସଙ୍ଗୀତ ଭରି ଚାଲିଚନ୍ତି ସେମାନେ ସମସ୍ତେ ବୀରପୁରୁଷ। ଯେଉଁମାନେ ଓଡ଼ିଆ ଭାଷାରେ ସବୁକିଛି ଅଭିବ୍ୟକ୍ତି ଦେଇପାରନ୍ତି ସେମାନେ ବି ଆମର ବୀରପୁରୁଷ। ତୃତୀୟରେ ଓଡ଼ିଆଙ୍କ ସ୍ବାଭିମାନ। ଓଡ଼ିଆଙ୍କ ସ୍ବାଭିମାନର କାହାଣୀକୁ ଇ˚ରେଜ ବଣିକ ବିକୃତ କରିଦେଲେ, ମିଥ୍ୟାକୁ ସତ୍ୟ ଘୋଷିତ କରି ଇତିହାସରେ ପରିଣତ କରିଦେଲେ। ସେମାନେ ଜାଣିଥିଲେ ଓଡ଼ିଆଙ୍କ ଅସ୍ତିତ୍ବର ଗୋଟେ ମେରୁହାଡ଼ ସ୍ବାଭିମାନରେ। ଯେଉଁ ଜାତି ଦୁର୍ବିପାକ ବିରୋଧରେ ଲଢ଼ି ଲଢ଼ି ନିଜର ଅସ୍ତିତ୍ବ ବଞ୍ଚାଏ, ସ˚ସ୍କୃତ ଭଳି ମହାଭାଷା ଥାଉ ଥାଉ ଯେଉଁ ଭାଷା ନିଜର ସ୍ବାତନ୍ତ୍ର୍ୟ ଜାହିର କରେ, ଘୋର ଚକ୍ରାନ୍ତରୁ ନିଜର ଦମ୍ଭ ଓ ଓଜ ଦ୍ବାରା ନିଜକୁ ସୁରକ୍ଷିତ ରଖିପାରେ ଓ କେବଳ ନିଜର ବହୁମୁଖୀ ସୃଜନଶୀଳତାର ଦମ୍ଭରେ ଶାସ୍ତ୍ରୀୟତା ଆୟତ୍ତ କରିପାରେ, ସେ ବୀରମଣିଷ ଓ ସେ ବୀରଭାଷାଭାଷୀ ଲୋକେ ସ୍ବାଭିମାନ ହରେଇବେ କେମିତି? ଭୀରୁ ପଦ ବୀରକୁ ବାଧେ। ତେଣୁ ଓଡ଼ିଆଙ୍କୁ ନ୍ୟୂନରୁ ନ୍ୟୂନତର କରି ଦେଖେଇବା ଥିଲା ଓଡ଼ିଆଙ୍କ ଜାତୀୟ ବୀରତ୍ବ ଧ୍ବସ୍ତ କରିବାର ଇ˚ରେଜୀ କାରସାଦି। ପାଇକ ବିଦ୍ରୋହର ନାୟକଙ୍କୁ ଜଣେ କ୍ଷମାପ୍ରାର୍ଥୀ ପେନସନ୍‌ଭୋଗୀ ସ୍ବାର୍ଥୀ ଜାଗିରଦାର ପ୍ରତିପାଦନ କରିବାରେ ଥିଲା ଓଡ଼ିଆଙ୍କ ସ୍ବାଭିମାନ ଉପରେ ଇ˚ରେଜଙ୍କ ତୋପ ମାଡ଼। ଭାଙ୍ଗି ନ ଥିବା ଦୁର୍ଗକୁ ଭଗ୍ନ ଦୁର୍ଗ କହି ଇତିହାସ ଲେଖିବା ତାଙ୍କ ହାତରେ ଥିଲା। ରାତିରେ ଭାଙ୍ଗି ଦିଅ, ସକାଳକୁ ଥାନା ଡାଏରିରୁ ଲେଖା ହେଲା ଇତିହାସ। କେଉଁମାନେ ଓଡ଼ିଶାର ଇତିହାସ ଲେଖିଲେ କି? ସମସ୍ତେ କମ୍ପାନି ନୌକର, ତାଙ୍କର ଦଲିଲ୍‌ ଦସ୍ତାବିଜ୍ ସବୁ ଜାଲ୍‌। ଏକଥା କାହିଁକି ବିଦ୍ବାନମାନେ ବୁଝନ୍ତି ନାହିଁ ଯେ ଇଷ୍ଟ ଇଣ୍ତିଆ କମ୍ପାନିକୁ ଗୋଟିଏ ଚାର୍ଟର ଦେଇଥିଲେ ବ୍ରିଟିସ ସରକାର, ତେଣୁ କମ୍ପାନି ବେପାର ସୁରୁଖୁରୁରେ ଚାଲିଚି ଏ ଖବର ସରକାରଙ୍କୁ ଜଣାଇ ଚାର୍ଟରର ମିଆଦ ବଢ଼ାଇବା ଥିଲା ସବୁଠୁ ବଡ଼ କଥା। ତେଣୁ ବିଦ୍ରୋହ ହେବା ମାତ୍ରେ, ବିଦ୍ରୋହକୁ କମ୍ପାନି ବାହାଦୁର ଦମନ କରି ଶାନ୍ତି ଫେରେଇ ଆଣିଲେ ବୋଲି ରିପୋର୍ଟ। ଲୋକଗୁଡ଼ା ବୋକାମାଧିଆ, ଭୀରୁ, ଦୁର୍ବଳ ବୋଲି ରିପୋର୍ଟ ଲେଖ, ସ୍ବାଭିମାନୀ ଲୋକଙ୍କୁ ଆଣ୍ଠେଇବାକୁ ବାଧୢ କର। ସେ ନ ମାନିଲେ ତାକୁ ମାରିଦିଅ ଓ ଥାନା ଡାଏରିରୁ ଲୋକଟା ପାଗଳା ହୋଇ କୁଆଡ଼େ ପଳେଇଲା ବୋଲି ରିପୋର୍ଟ କପି କରିଆଣ। ପରବର୍ତ୍ତୀ କାଳରେ ରେଭିନ୍ୟୁ ରେକର୍ଡ, ଥାନା ଡାଏରି ଓ ବିଫଳ ମାଜିଷ୍ଟ୍ରେଟଙ୍କ ଫର୍ଜୀ ରିପୋର୍ଟ ହେବ ଇତିହାସର ଉତ୍ସ! ପାଇକ ବିଦ୍ରୋହର ବୀରମାନେ ଥିଲେ ସ୍ବାଭିମାନୀ ଓଡ଼ିଆ, ତାଙ୍କୁ ହୀନପ୍ରଭ କରି ଦେଖେଇବାର କୁକର୍ମକୁ କ୍ଷମା କରି ଚାଲିଥିବା କି? ତେଣୁ ପରମ୍ପରାକୁ ନିଜ ହାତକୁ ଫେରାଇ ଆଣିବା ବେଳେ ଆମେ କ୍ଷମାପ୍ରାର୍ଥୀ ହେବା କାହିଁକି? ନୋ କାଭିଏଟ୍‌! ଅଧିକାର ସାବ୍ୟସ୍ତ ଚଳନ୍ତି ଇତିହାସର ଆଧାରରେ ହୁଏ ନାହିଁ, ହୁଏ ମେଟା-ହିଷ୍ଟ୍ରିର ବ୍ୟାଖ୍ୟାନରେ।

ଏଇ ଦିନେ ଦୁଇଦିନ ଭିତରେ ସାମାଜିକ ଗଣମାଧୢମରେ ଓଡ଼ିଆ ଜାତୀୟତାର ଚର୍ଚ୍ଚା ଚାଲିଚି। ବିଶିଷ୍ଟ ଚିତ୍ର ନିର୍ମାତା ଓ ଦୁବାଇ ନିବାସୀ ଓଡ଼ିଆ ବ୍ୟବସାୟୀ ଅକ୍ଷୟ ପରିଜା ୟୁ ଟ୍ୟୁବ୍‌ରେ ଛାଡ଼ିଚନ୍ତି ପାଇକ ବିଦ୍ରୋହ ଉପରେ ଏକ ଡକୁ-ଫିଲ୍ମ। ଛୋଟ ଫିଲ୍ମଟିଏ, କିନ୍ତୁ ଓଡ଼ିଆ ବୀରଗାଥାର ଏଭଳି ଏକ ବ୍ୟାଖ୍ୟାନ ଅଛି ଏଥିରେ, ଯାହା ପାଇକ ବିଦ୍ରୋହର ଇତିହାସକୁ ନୂଆ କରି ଲେଖିବା ପାଇଁ ସକ୍ଷମ। ପାଇକ ବିଦ୍ରୋହ ଯେ ଭାରତର ପ୍ରଥମ ମୁକ୍ତି ସ˚ଗ୍ରାମ, ତା’ର ପ୍ରତିଷ୍ଠା କରିବା ପାଇଁ ଏ ଡକୁ-ଫିଲ୍ମ ଏକ ଉଦ୍‌ଘୋଷଣ। ଏଇ କିଛିଦିନ ଭିତରେ ହଜାର ହଜାର ଓଡ଼ିଆ ଏ ଫିଲ୍ମ ଦେଖିଲେଣି। ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାର ଓ ଓଡ଼ିଶା ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଓଡ଼ିଶା ସରକାର ଏହି ଅବସରରେ ପାଇକ ବିଦ୍ରୋହର ନଥିପତ୍ର ସମ୍ବଳିତ ଏକ ସ୍ମାରକୀ ଗ୍ରନ୍ଥ ପ୍ରକାଶିତ କରିଥିଲେ। ଭାରତ ସରକାର ଦିଲ୍ଲୀର ବିଜ୍ଞାନ ଭବନରେ ଏକ ସ୍ମାରକୀ ସମାରୋହର ଆୟୋଜନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଚର୍ଚ୍ଚାର ଏକ ସୁଯୋଗ ମିଳିଥିଲା। ଓଡ଼ିଆ ବୀର ଗାଥାର ପୁନଃରଚନା ଇତିହାସର ପୁନର୍ଲିଖନ ଦିଗରେ ଏକ ଗମ୍ଭୀର ପଦକ୍ଷେପ ହେବ ବୋଲି ଏକ ଦୃଷ୍ଟିକୋଣର ଆଧାରରେ ମୁଁ ତାଙ୍କୁ ପାଇକ ବିଦ୍ରୋହର ଇତିହାସ ଉପରେ ଏକ ସୁଦୀର୍ଘ ଆଲେଖ୍ୟ ପ୍ରଦାନ କରିଥିଲି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅଭିଭାଷଣର ଉପାଦାନ ପ୍ରସ୍ତୁତ କଲା ବେଳେ, ତାଙ୍କର ଧୀମତ୍ତାକୁ ସ୍ପର୍ଶକଲା ଭଳି ଏକ ତର୍କ ମୁଁ ଦେଇଥିଲି, ଯାହା ଥିଲା ଇତିହାସ ରଚନାର ପରମ୍ପରାକୁ ନେଇ। ମୁଁ ବିଜ୍ଞାନ ଭବନରେ ଉପସ୍ଥିତ ଥିଲି ସେଦିନ। ମହା ସମାରୋହରେ ଶ୍ରୀ ମୁଖାର୍ଜୀ ସମସ୍ତଙ୍କୁ ବିପୁଳ ଆନନ୍ଦରେ ଆପ୍ଳୁତ କରି ବିଜ୍ଞାନ ଭବନରୁ ଘୋଷଣା କଲେ: ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସ˚ଗ୍ରାମ! କି ଚମତ୍କାର ଥିଲା ସେ ଭାଷଣ। ଓଡ଼ିଶାର ଇତିିହାସକୁ ତନ୍ନତନ୍ନ କରି ଅଧୢୟନ କରିଥିବା ମହାମହିମ ରାଷ୍ଟ୍ରପତି ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ସତେ ଅବା ସ୍ବୀକୃତିର ମୋହର ଦେଇଥିଲେ ଏକ ଲୋକମଞ୍ଚରେ।

ଅକ୍ଷୟ ପରିଜାଙ୍କର ‘ପାଇକ ବିଦ୍ରୋହ’ର କାହାଣୀ, ପଟକଥା ଓ ସ˚ଳାପ ଲେଖିଥିବାରୁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଚି। ପାଇକ ବିଦ୍ରୋହର ଲିଖିତ ଇତିହାସ ଠାରୁ, ତାର କ୍ଷୁଦ୍ର ଚିତ୍ରାୟନ ଅଧିକ ବିଶ୍ବସନୀୟତା ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। ଯେଉଁମାନେ ପାଇକ ବିଦ୍ରୋହର ବିକୃତ ଇତିହାସ ଏବେ ବି ପଢ଼ି ଚାଲିଚନ୍ତି, ସେମାନେ ନୂଆପାଠ ପଢ଼ିବା ପାଇଁ ଆଗ୍ରହୀ ହେବେ ଏଇଭଳି ଗୋଟିଏ ଲୋକଚୈତନ୍ୟ ନିର୍ମାଣକାରୀ ଡକୁଫିଲ୍ମରୁ। ଯେଉଁମାନେ ଇତିହାସ ରଚନାର ତତ୍ତ୍ବ ବିଷୟରେ ଅବଗତ ନୁହନ୍ତି, ସେମାନେ ଜାଣନ୍ତୁ ଯେ ସେହି ୟୁରୋପୀୟମାନେ ‘ମେଟାହିଷ୍ଟ୍ରି’ ବା ଲକ୍ଷ୍ୟସାଧନ ପାଇଁ ଉପଲବ୍‌ଧ ତଥ୍ୟର ବ୍ୟବହାର (ମୋଷ୍ଟ ଇଫେକ୍ଟିଭ୍‌ ଟାକ୍‌ଟିକ୍‌ସ ଆଭେଲେବଲ) ବୋଲି ଏକ ତାତ୍କାଳିକ ରଚନା ତତ୍ତ୍ବ ବାହାର କରି ଯେଉଁ ଉପାଦାନ ଯେତିକି ଦରକାର ଲକ୍ଷ୍ୟସାଧନ ପାଇଁ, ସେତିକି ବ୍ୟବହାର କରି ଇତିହାସକୁ ଏକ ଉପନ୍ୟାସୋପମ କଳାରେ ପରିଣତ କରିଚନ୍ତି। ଆମେରିକାନ୍‌ ଐତିହାସିକ ହେଡେନ୍‌ ହ୍ବାଇଟ୍‌ଙ୍କର ‘ଦ ହିଷ୍ଟୋରିକାଲ୍‌ ଇମାଜିନେସନ୍‌ ଇନ୍ ନାଇଣ୍ଟିନ୍‌ଥ୍‌ ସେଞ୍ଚୁରି ୟୁରୋପ’ରେ ଦେଖିବେ ଏ କଳାର ବ୍ୟାଖ୍ୟାନ। ଏବେ ଆମର ସମୟ ଆସିଚି। ଆମ ପାଇକ ବିଦ୍ରୋହର ବ୍ୟାଖ୍ୟାନ ପୁଣି ଥରେ ଲେଖିଲା ବେଳେ ଆମେ ବାବୁ-ଐତିହାସିକଙ୍କୁ କାହିଁକି ସନ୍ଦେହ ନ କରିବା? ବକ୍ସିଙ୍କ ମାଫିନାମା ଜାଲ୍‌, ବକ୍ସି ନିଜେ ଜାଣି ନଥିଲେ ସେ ଜଣେ ପେନ୍‌ସନ୍‌ଭୋଗୀ, ପାଇକ ବିଦ୍ରୋହରେ ନିଆଁ ଜଳିଥିଲା ମହେନ୍ଦ୍ରଗିରିରୁ କପିଳାସ ଯାଏଁ, ଆମ ମେଟା ହିଷ୍ଟ୍ରିରେ ବକ୍ସି, ଦୋରା ବିଷୋୟୀ, ଜୟୀ ରାଜଗୁରୁ, ସୁରେନ୍ଦ୍ର ସାଏ ସମସ୍ତେ ବଞ୍ଚିଚନ୍ତି ଓଡ଼ିଆ ବୀରତ୍ବର ମେରୁହାଡ଼ ହୋଇ। ତିଷ୍ଠିବାର ସାମର୍ଥ୍ୟ, ଭାଷାର ଦମ୍ଭ ଓ ସ୍ବାଭିମାନୀ ବୀରଙ୍କ ଭୂମି ଓଡ଼ିଶା। ଏଇ ଆମର ନୂଆ ଜାତୀୟ ଜୀବନର ସଙ୍କେତ। ଏ ସଙ୍କେତ ତୀବ୍ର ଓ ଗତିଶୀଳ ହେବ, ଯଦି ‘ପାଇକ ବିଦ୍ରୋହ’ ଡକୁ ଫିଲ୍ମ ଭଳି ଆହୁରି ଗୁଡ଼ିଏ ବୀରଗାଥା ପ୍ରସ୍ତୁତ କରାଯାଇପାରେ। ଯେଉଁ ଜାତିର ବୀରଗାଥା ନାହିଁ, ସେ ଜାତିର ଜାତୀୟତା ନାହିଁ।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର