ଅଦାଲତରେ ମାତୃଭାଷା

ବିବିଧ ଆଲୋଚନା - ଅନିଲ କୁମାର ବିଶ୍ୱାଳ

ଆମ ଦେଶରେ ନ୍ୟାୟ ପାଇବାର ଅଧିକାର ବା ବା ‘ରାଇଟ ଟୁ ଜଷ୍ଟିସ୍‌’କୁ ଏକ ପ୍ରମୁଖ ମୌଳିକ ଅଧିକାର ଭାବେ ଗଣାଯାଏ। ଏହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟିକ ବ୍ୟବସ୍ଥାରେ ଭାଗ ନେବାର ଏବଂ ତହିଁରୁ ନ୍ୟାୟ ପାଇବାକୁ ଧାର୍ଯ୍ୟ କରିଛି। ସେହିପରି ଧାରା ୩୯(କ) ଅନୁସାରେ ଦେଶର କୌଣସି ଜଣେ ହେଲେ ବି ନାଗରିକ ଆର୍ଥିକ କାରଣ ଲାଗି ବା ଅନ୍ୟ କୌଣସି କାରଣ ସକାଶେ ଯେପରି ନ୍ୟାୟ ପାଇବାରୁ ବ˚ଚିତ ନ ହେବେ ତାହା ଦେଖିବା ସରକାରଙ୍କ ଦାୟିତ୍ବ। ୨୦୧୬ ମସିହାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍‌. ଠାକୁରଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ତପୀଠ ଏକ ମହତ୍ତ୍ବପୂର୍ଣ୍ଣ ରାୟରେ ନ୍ୟାୟ ପାଇବାକୁ ଏକ ମୌଳିକ ଅଧିକାର ଭାବେ ବର୍ଣ୍ଣନା କରି ଏହାକୁ ସୁନିଶ୍ଚିତ କରିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଦାୟିତ୍ବ ବୋଲି ଅଭିହିତ କରିଥିଲେ। ତେବେ, ଇ˚ରେଜ ଶାସନ ସମୟରୁ ଗଡ଼ି ଆସିଥିବା ନ୍ୟାୟିକ ବ୍ୟବସ୍ଥାରେ ଅନେକ ସଂସ୍କାର ଅଣା ଯାଇଥିଲେ ମଧ୍ୟ କେତେକ ବ୍ୟବସ୍ଥାଗତ ଅଭାବ କାରଣରୁ ଏହା ପ୍ର‌େତ୍ୟକ ନାଗରିକଙ୍କୁ ଉଚିତ ନ୍ୟାୟ ଦେବାରେ ବିଫଳ ହେଉଛି।

ସେଭଳି ଏକ ବ୍ୟବସ୍ଥାଗତ ପ୍ରମାଦ ହେଉଛି ଅଦାଲତରେ ମୋଟାମୋଟି ଭାବେ ବ୍ୟବହୃତ ହେଉଥିବା ଭାଷା, ଯାହା ଆଜି ବି ସେହି ଇଂରେଜୀ ଭାଷା ହୋଇ ରହିଛି। ଅଦାଲତରେ ସମସ୍ତ କାଗଜପତ୍ର, ନୋଟିସ, ରାୟର କପି, ପୁଲିସ ଓ ତଦନ୍ତକାରୀ ସ˚ସ୍ଥାର ରିପୋର୍ଟ ପ୍ରାୟତଃ ଇଂରେଜୀ ଭାଷାରେ ଦିଆଯାଉଛି, ଯାହା ଅନେକ ସମୟରେ ଇଂରେଜୀ ଅଶିକ୍ଷିତ ସଂଖ୍ୟାବହୁଳ ସାଧାରଣ ଭାରତୀୟଙ୍କୁ ଅସୁବିଧା ଏବଂ ହଇରାଣରେ ପକାଉଛି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ସେଇ ସମାନ ଅବସ୍ଥା ପରିଲକ୍ଷିତ ହେଉଛି। ଆଇନ ଶିକ୍ଷାନୁଷ୍ଠାନମାନଙ୍କରେ ଏବେ ବି ଇଂରେଜୀ ମାଧ୍ୟମରେ ଶିକ୍ଷାଦାନ ଚାଲିଛି। ଅବଶ୍ୟ, ସେହି ଦୃଷ୍ଟିରୁ ଆଡଭୋକେଟ ଗଜାନନ ମିଶ୍ରଙ୍କ ଅଭିଯାନ ଏ ଦିଗରେ ଅନେକ ବାଟ ଫିଟାଇଛି। ଓଡ଼ିଶାରେ ଅଦାଲତର କାରବାର ସବୁ ଓଡ଼ିଆରେ ହେଉ ବୋଲି ଏକକ ଅଭିଯାନ ଚଳାଇ ସେ ବିଶେଷ ସଫଳତା ଲାଭ କରିଛନ୍ତି। କିନ୍ତୁ ଦେଖା ଯାଉଛି ଯେ ଇଂରେଜୀରେ ଆଇନ ଶିକ୍ଷା ଚାଲୁଥିବାରୁ ଓକିଲମାନେ ସାଧାରଣତଃ ଓଡ଼ିଆ ତୁଳନାରେ ଇଂରେଜୀ ଭାଷାକୁ ପ୍ରମୁଖତା‌ ଦେଉଛନ୍ତି। ସେଥି ଲାଗି ଓଡ଼ିଆ ଭାଷାରେ ଆଇନରେ ଶିକ୍ଷାଦାନ ଗୁରୁତ୍ବ ପା‌ଇବା ଜରୁରୀ ବୋଲି ମତ ପ୍ରକାଶ ପାଇଥାଏ।

ଆମ ଦେଶର ଜନସ˚ଖ୍ୟା ବର୍ତ୍ତମାନ ୧୩୫ କୋଟି। ୨୦୧୧ ଜନଗଣନାର ତଥ୍ୟାନୁସାରେ ଦେଶରେ ମାତ୍ର ୨ ଲକ୍ଷ ୫୬ ହଜାର ଲୋକ ଅର୍ଥାତ୍ .୦୨% ଲୋକ ଇଂରେଜୀକୁ ପ୍ରଥମ ଭାଷା ଭାବେ ବ୍ୟବହାର କରନ୍ତି। ସେହି ଦୃଷ୍ଟିରୁ ଭାରତ ହେଉଛି ବିଶ୍ବର ଏକମାତ୍ର ଦେଶ ଯେଉଁଠାରେ ୧%ରୁ କମ ଲୋକ ଯେଉଁ ଭାଷାକୁ ପ୍ରଥମ ଭାଷା ରୂପେ ବ୍ୟବହାର କରନ୍ତି, ସେହି ଭାଷାରେ ଦେଶର ନ୍ୟାୟିକ ବ୍ୟବସ୍ଥାର ସବୁ କାର୍ଯ୍ୟ ଚାଲେ। ସେହିପରି ଦ୍ବିତୀୟ ଭାଷା ଭାବେ ଇଂରେଜୀକୁ ବ୍ୟବହାର କରୁଥିବା ଲୋକଙ୍କ ସ˚ଖ୍ୟା ୮.୩ କୋଟି, ଅର୍ଥାତ୍‌ ୬.୨% ଏବଂ ଏହାକୁ ତୃତୀୟ ଭାଷା ଭାବରେ ବ୍ୟବହାର କରୁଥିବା ଲୋକଙ୍କ ସ˚ଖ୍ୟା ହେଉଛି ୪.୬ କୋଟି, ଅର୍ଥାତ୍ ୩.୩%। ଏମାନଙ୍କ ସଂଖ୍ୟା ସର୍ବାଧିକ ୧୩ କୋଟି ହୋଇପାରେ। ସୁତରାଂ, ଦେଶର ଅବଶିଷ୍ଟ ୧୨୨ କୋଟି ନାଗରିକ ଆମ ନ୍ୟାୟିକ ବ୍ୟବସ୍ଥାର ପୂର୍ଣ୍ଣ ସହାୟତା ଲାଭ କରିବାର ଆଶା କ୍ଷୀଣ। ଏହି କାରଣରୁ ସେ ଓକିଲମାନଙ୍କ ଉପରେ ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ହେବା ସହିତ ଟିକିଏ ଆଇନଗତ ଜଟିଳତାରେ ପୂରାପୂରି ଅସହାୟ ହୋଇପଡ଼େ; ଏପରିକି ଏକ ଛୋଟିଆ ନୋଟିସଟିଏ ପାଇଲେ ମଧ୍ୟ ସେ ଭୟରେ ଜଡ଼ସଡ଼ ହୋଇ ଓକିଲଙ୍କ ପାଖକୁ ଦଉଡ଼େ।

ଏମିତି ବି ଦୃଷ୍ଟାନ୍ତ ଅଛି ଯେଉଁଠି ଇଂରେଜୀ ଅଶିକ୍ଷିତ ଅଭିଯୁକ୍ତ ଓ ତାଙ୍କ ସଂପର୍କୀୟମାନେ ଇଂରେଜୀ ଭାଷା ବୁଝି ନ ପାରି ଅକାରଣରେ ଅନେକ କଷଣ ଭୋଗିଚନ୍ତି। ୧୯୮୯ ମସିହାରେ ଗୋଟିଏ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରତାପ ନାଏକ ନାମକ ଜଣେ ଦଳିତ ତରୁଣକୁ ୧୯୯୪ ମସିହାରେ ଉଚ୍ଚ ଅଦାଲତ ନିର୍ଦ୍ଦୋ‌ଷରେ ଖଲାସ କରିଥିବା ସତ୍ତ୍ବେ ଇଂରେଜୀ ଭାଷାର ଅଦାଲତୀ ଆଦେଶକୁ ତାଙ୍କ ପରିବାର ଲୋକେ ବୁଝି ନ ପାରିବାରୁ ଏବଂ ପରେ ସେହି ରାୟକୁ କାର୍ଯ୍ୟକାରୀ କରିବାରେ ଦପ୍ତରର କୌଣସି କର୍ମଚାରୀଙ୍କ ଅବହେଳା କାରଣରୁ ସେ ଆହୁରି ଆଠ ବର୍ଷରୁ ଅଧିକ କାଳ ଜେଲ୍‌ରେ ରହିବାକୁ ବାଧ୍ୟ ହୋଇଥିଲେ। ମାନବିକ ଅଧିକାର କର୍ମୀ ତଥା ଓକିଲ ପ୍ରବୀର ଦାସଙ୍କ ପ୍ରୟାସରୁ ଏ ଘଟଣା ଲୋକଲୋଚନକୁ ଆସିଥିଲା ଓ ସେ ଖଲାସ ହୋଇଥିଲେ।

ଇଂରେଜୀ ଭାଷାକୁ ବୁଝିବାରେ ଅସାମର୍ଥ୍ୟ ଜନିତ ଅସହାୟତା ଓ ଭୟ କାରଣରୁ ସମାଜର ନିମ୍ନ ବର୍ଗରେ ରହୁଥିବା ନାଗରିକମାନେ ନିଜ ଲାଗି ନ୍ୟାୟ ମାଗି ପାରାନ୍ତି ନାହିଁ। ଏ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବା ଜରୁରୀ ଏବଂ ଅଧିକରୁ ଅଧିକ ଅଦାଲତୀ କାର୍ଯ୍ୟ ମାତୃଭାଷାରେ ହେବା ଆବଶ୍ୟକ।

ହରିରାଜପୁର, ପୁରୀ
ମୋ – ୮୨୪୯୮୬୮୯୬୧

ସମ୍ବନ୍ଧିତ ଖବର