ଶୈଶବ, ଶିକ୍ଷା ଓ ପୋଷଣ- ସମନ୍ବୟ ସମ୍ଭବ!

ଜାତୀୟ ଶିକ୍ଷାନୀତି ଚର୍ଚ୍ଚା - ପ୍ରୀତୀଶ ଆଚାର୍ଯ୍ୟ

ଜାତୀୟ ଶିକ୍ଷାନୀତି-୨୦୨୦ରେ ‘ଶୈଶବ କାଳୀନ ଯତ୍ନ ଏବ˚ ଶିକ୍ଷା’କୁ ନେଇ ବିସ୍ତାରରେ ଚର୍ଚ୍ଚା ରହିଛି। ଶିକ୍ଷାର ଏହି ବିନ୍ଦୁକୁ ଇ˚ରେଜୀରେ Early Childhood Care and Education (ECCE) କୁହାଯାଏ। ଏହି ଆଲୋଚନାରେ ତାକୁ ନେଇ ସ˚କ୍ଷେପରେ ଚର୍ଚ୍ଚା କରାଯାଇଛି। ଏହା ହେଉଛି ଶିକ୍ଷାର ଆରମ୍ଭିକ ଆଧାର ଏବ˚ ତା’ର ଅବହେଳା ଶିଶୁ ବ୍ୟକ୍ତିତ୍ବର ଭିତ୍ତିକୁ ଦୁର୍ବଳ କରିଦେବ। ଶିକ୍ଷାନୀତି ମଞ୍ଜୁରି ଲାଭ କଲା ପରେ ବିଦ୍ବାନ ବର୍ଗ ଏହି ‘ଇସିସିଇ’ ବା ଶୈଶବ କାଳୀନ (ପ୍ରାକ୍‌-ପ୍ରାଥମିକ) ଶିକ୍ଷାକୁ ନେଇ ରହିଥିବା ଶିକ୍ଷାନୀତିର ଦୃଷ୍ଟି ଏବ˚ ଦର୍ଶନକୁ ଖୁବ ଆଗ୍ରହର ସହିତ ସ୍ବାଗତ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ସମାଜରେ ଏକ ମୌଳିକ ପରିବର୍ତ୍ତନ ସମ୍ଭବ ହେବ ବୋଲି ଆଶା ରହିଛି।

ନୂଆ ଶିକ୍ଷାନୀତିରେ ଉଲ୍ଲେଖ ଥିବା ଅନୁଯାୟୀ ପ୍ରାକ୍‌-ପ୍ରାଥମିକ ଶିକ୍ଷାର ମୋଟ ଅବଧି ହେବ ପ୍ରଥମ ପାଞ୍ଚ ବର୍ଷ, ଯାହା ଶିଶୁର ତିନି ବର୍ଷ ବୟସରେ ଆରମ୍ଭ ହୋଇ ଆଠ ବର୍ଷ ବୟସ ଯାଏଁ ଅବ୍ୟାହତ ରହିବ। ବର୍ତ୍ତମାନ ଚାଲିଥିବା ପ୍ରାକ୍‌-ପ୍ରାଥମିକ ସ୍ତର ସହ ଏହାର ତୁଳନା କଲେ ଦୃଶ୍ୟପଟ ଅଧିକ ସ୍ପଷ୍ଟ ହେବ। ବର୍ତ୍ତମାନ ପାଞ୍ଚ ବର୍ଷ ପୂରି ପିଲା ଛଅ ବର୍ଷରେ ପଦାର୍ପଣ କଲେ ତା’ର ପ୍ରଥମ ଶ୍ରେଣୀରେ ଦାଖିଲା ବା ନାମ ଲେଖା ହୋଇଥାଏ। ପୂର୍ବରୁ ପ୍ରଥମ ଶ୍ରେଣୀ ଆଗରୁ ଶିଶୁମାନଙ୍କ ଲାଗି ବର୍ଷକର ‘କେଜି’ ବା ଅଙ୍ଗନବାଡ଼ି ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା। ଏହା ଥିଲା ସମ୍ପୂର୍ଣ୍ଣ ଅନୌପଚାରିକ। ଏବେ ନିକଟରେ ‘କେଜି’ ଶିକ୍ଷାକୁ ଦୁଇ ବର୍ଷ କରାଗଲା। ଏହି ନୂଆ ଶିକ୍ଷାନୀତିରେ ତା’ର ମୋଟ ଅବଧି ହେବ ତିନି ବର୍ଷ, ଯାହାକୁ ପିଲା ତିନି ବର୍ଷ ବୟସ ପୂରିବା ଉତ୍ତାରୁ ଆରମ୍ଭ କରିବ। ଫଳରେ ପିଲା ଆଠବର୍ଷରେ ପହଞ୍ଚିଲା ବେଳକୁ ମୋଟ ପାଞ୍ଚ ବର୍ଷ ସ୍କୁଲ ଯାଇଥିବ, ଯଦିଓ ସେହି ସ୍କୁଲ ହେବ ‘ପ୍ଲେ ସ୍କୁଲ’। ଦ୍ବିତୀୟତଃ, ଏହା ଆଉ ଅନୌପଚାରିକ ହୋଇ ରହିବ ନାହିଁ। ସମୟ କ୍ରମେ ମାଗଣା ଓ ବାଧୢତାମୂଳକ ଶିକ୍ଷା ଆଇନ-୨୦୦୯, ଯାହା ଛଅରୁ ଚଉଦ ବର୍ଷର ଶିଶୁର ଶିକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ତିନି ବର୍ଷରୁ ଅଠର ବର୍ଷ ବୟସର ଶିଶୁ ପାଇଁ ଲାଗୁ ହେବ। ମୋଟ ପାଠ୍ୟ ସ୍ତର ହେବ ୫ (ଯାହା କୁହାଗଲା) +୩ (ତୃତୀୟ, ଚତୁର୍ଥ ଏବ˚ ପଞ୍ଚମ ଶ୍ରେଣୀ) +୩ (ଷଷ୍ଠ, ସପ୍ତମ ଏବ˚ ଅଷ୍ଟମ ଶ୍ରେଣୀ) +୪ (ନବମ, ଦଶମ, ଏକାଦଶ ଏବ˚ ଦ୍ବାଦଶ ଶ୍ରେଣୀ); ଆଗରୁ ନବମ ଏବ˚ ଦଶମକୁ ମାଧୢମିକ ଏବ˚ ଏକାଦଶ ଓ ଦ୍ବାଦଶକୁ ଉଚ୍ଚତର ମାଧୢମିକ କୁହାଯାଉଥିଲା। ଏଣିକି ଚାରିଟି ଯାକ ଶ୍ରେଣୀକୁ ମାଧୢମିକ ବୋଲି ଉଲ୍ଲେଖ କରାଯିବ।

ପ୍ରାକ୍‌-ପ୍ରାଥମିକର ମୋଟ ପାଞ୍ଚ ବର୍ଷ ଅବଧିର ଶିକ୍ଷାକ୍ରମ ପଛରେ ନୂଆ ଶିକ୍ଷାନୀତିର ଯୁକ୍ତି ହେଲା ଯେ, ପିଲା ଛଅ ବର୍ଷ ବୟସରେ ପହଞ୍ଚିଲା ବେଳକୁ ତା’ର ମସ୍ତିଷ୍କର ପ୍ରାୟ ୮୫% ବିକଶିତ ହୋଇଯାଇଥାଏ। ସେହି ଅବଧିର ମସ୍ତିଷ୍କର ବିକାଶ ସୁପରିଚାଳିତ ଏବ˚ ସୁନିୟୋଜିତ ହୋଇପାରିବ, ଯଦି ପିଲା ସ୍କୁଲ ପ୍ରକ୍ରିୟାରେ ଅ˚ଶଭୁକ୍ତ ହେବ। ଦ୍ବିତୀୟତଃ, ମସ୍ତିଷ୍କର ବିକାଶ ଦିଗରେ ସେତେବେଳେ ବଡ଼ ରୋଧକ ହୁଏ କୁପୋଷଣ। ତେଣୁ, ପ୍ରାକ୍‌-ପ୍ରାଥମିକ ସ୍ତରର ପାଞ୍ଚ ବର୍ଷ ପାଠ୍ୟ ଅବଧିରେ ପିଲାକୁ ମଧୢାହ୍ନ ଭୋଜନ ସାଙ୍ଗରେ ପ୍ରାତଃ ଭୋଜନ ମଧୢ ବିଦ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯିବ। ପ୍ରାତଃ ଭୋଜନ ପାଇଁ ଗରମ ରନ୍ଧା ଖାଦ୍ୟ ଉପଲବ୍‌ଧ ହୋଇ ନ ପାରିଲେ ଗୁଡ଼ ଏବ˚ ଚଣା କିମ୍ବା ଫଳର ପ୍ରାବଧାନ ରହିବ। ଆଦର୍ଶ- ପରିପୋଷଣ ବିନା ଶିକ୍ଷା ନିରର୍ଥକ ସିଦ୍ଧ ହୁଏ। ତେଣୁ, ତାକୁ ଦୃଷ୍ଟିରେ ରଖି, ପିଲାର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଏବ˚ ପ୍ରତି ପିଲାକୁ ‘ସ୍ବାସ୍ଥ୍ୟ କାର୍ଡ’ ଦିଆଯିବା କଥା ମଧୢ ଶିକ୍ଷାନୀତିରେ ଉଲ୍ଲିଖିତ ରହିଛି।

ପ୍ରାକ୍‌-ପ୍ରାଥମିକ ସ୍ତରରେ ପିଲାକୁ ଶିକ୍ଷା ଖେଳ ମାଧୢମରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଅକ୍ଷର ଶିକ୍ଷା, ସ˚ଖ୍ୟା ସହ ପରିଚିତି; ରଙ୍ଗ ଏବ˚ ଆକାରକୁ ଏହି ସ୍ତରରେ ଚିହ୍ନିବା ହେବ ମୋଟ ପାଠ୍ୟକ୍ରମ। ଏହା ସହିତ ଚିତ୍ରାଙ୍କନ, କ୍ରାଫ୍‌ଟ ବା ହସ୍ତ କାରିଗରି, ନାଟକ ଏବ˚ ସଙ୍ଗୀତ ଶିକ୍ଷା ମଧୢ ଏଥିରେ ସାମିଲ ହେବ। ଏବେ ସାଧାରଣତଃ ଲକ୍ଷ୍ୟ କରାଯାଉଛି ଯେ, ପଞ୍ଚମ ଶ୍ରେଣୀ ପିଲା ମଧୢ ପ୍ରାୟତଃ ତୃତୀୟ ଶ୍ରେଣୀର ପାଠ ସମ୍ବନ୍ଧରେ ଅଜ୍ଞ! ନୂଆ ଶିକ୍ଷାନୀତିର ପରାମର୍ଶ କାର୍ଯ୍ୟକାରୀ ହେଲେ ଏଭଳି ସମସ୍ୟା ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଆଶା ରଖାଯାଇଛି।

ପ୍ରାକ୍‌-ପ୍ରାଥମିକ ପିଲାଙ୍କ ଶିକ୍ଷାର ଭାର ରହିବ ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କ ଉପରେ। ଉକ୍ତ କର୍ମୀଙ୍କ ନିଯୁକ୍ତି ପାଇଁ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା ହେବ ଯୁକ୍ତ ଦୁଇ ପାସ୍‌। ସେମାନେ ଖେଳ ମାଧୢମରେ ଶିକ୍ଷା ଦେବାର ତାଲିମ ନେବେ। ସେମାନଙ୍କୁ ଏଥିପାଇଁ ଛ’ମାସର ତାଲିମ ଦିଆଯିବ। ଯେଉଁ କର୍ମୀ ଯୁକ୍ତ ଦୁଇ ପଢ଼ିନାହାନ୍ତି, ସେମାନଙ୍କୁ ଛ’ମାସ ସ୍ଥାନରେ ବର୍ଷେ ଯାଏଁ ତାଲିମ ଦିଆଯିବ। ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ନିୟୋଜିତ ଶିକ୍ଷାକର୍ମୀଙ୍କ କାର୍ଯ୍ୟକୁ ତଦାରଖ କରିବା ଦାୟିତ୍ବରେ ରହିବେ କ୍ଲଷ୍ଟର ରିସୋର୍ସ ସେଣ୍ଟର। ମାସକୁ ଅତି କମ୍‌ରେ ଥରେ ଶିକ୍ଷାକର୍ମୀଙ୍କ ସହିତ ‘ସେଣ୍ଟର’ (CRC) ପକ୍ଷରୁ ଯୋଗାଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ!

ପ୍ରାକ୍‌-ପ୍ରାଥମିକ ଶିକ୍ଷାକୁ ନେଇ ଏ ସବୁ ହେଲା ଜାତୀୟ ଶିକ୍ଷାନୀତିର ପ୍ରସ୍ତାବ। ତାହା କାର୍ଯ୍ୟକାରୀ ହେବାକୁ ନେଇ ମନରେ ସନ୍ଦେହ ରହିବା ଯୁକ୍ତିଯୁକ୍ତ। ଯଦି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହୁଏ, ସ୍ଥିତି କ’ଣ ହୋଇପାରେ ତାକୁ ନେଇ ମଧୢ ସମୀକ୍ଷାର ଆବଶ୍ୟକତା ରହିଛି। ଶିକ୍ଷାର ପ୍ରଥମ ପାଞ୍ଚ ବର୍ଷ ଏଣିକି ଅଙ୍ଗନବାଡ଼ି କର୍ମୀ ସ୍ତରର ଶିକ୍ଷାକର୍ମୀଙ୍କ ଦାୟିତ୍ବରେ ରହିବ କି? ଅର୍ଥାତ୍‌ ପିଲାକୁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ବି ଶିକ୍ଷାକର୍ମୀ ପଢ଼ାଇବେ କି? ମାତ୍ର ଛଅ ମାସର ତାଲିମ ବଳରେ ଏହି ଶିକ୍ଷାକର୍ମୀମାନେ ସାନ ଛୁଆର ତତ୍ତ୍ବ ନେବା ପାଇଁ ଯୋଗ୍ୟ ହୋଇପାରିବେ ତ? ଯଦି ଖେଳ, ନାଚ, ସଙ୍ଗୀତ ଆଦି ବଦଳରେ ଶିକ୍ଷାକର୍ମୀମାନେ କେବଳ ପିଲାଙ୍କୁ ଚୁପ୍‌ କରିବା, ତଥା ସେମାନଙ୍କୁ ସ୍ଥିର ହୋଇ ବସିବା ଉପରେ ବଳ ଦିଅନ୍ତି, ପିଲାର ଶିଶୁତ୍ବର ବିକାଶ ବାଧାପ୍ରାପ୍ତ ହେବନାହିଁ ତ? ଚଳଚଞ୍ଚଳ ହେବା, ଭୟଶୂନ୍ୟ ହୋଇ କଥା କହିବା, ପ୍ରତି କଥାରେ ଜିଜ୍ଞାସା ରଖି ପ୍ରଶ୍ନ ପଚାରିବା ଶିଶୁର ଆଦର୍ଶ ବିକାଶକୁ ସାବ୍ୟସ୍ତ କରେ। ଦରିଦ୍ର ଶ୍ରେଣୀର ଏବ˚ ଗ୍ରାମାଞ୍ଚଳର ଶିଶୁ କୁପୋଷଣ ସତ୍ତ୍ବେ ବାପା-ମା’ଙ୍କ ତତ୍ତ୍ବାବଧାନରେ ଉକ୍ତ ସ୍ବାଚ୍ଛନ୍ଦ୍ୟଭରା ଶିଶୁତ୍ବରୁ ବଞ୍ଚିତ ହୋଇ ନଥାନ୍ତି। ଏପରିକି ମଜୁରିଆ ବାପା-ମା’ଙ୍କ ସାନ ପିଲାମାନେ ସେମାନଙ୍କ ବାପା-ମା’ଙ୍କ କାର୍ଯ୍ୟ ସ୍ଥଳରେ ଯେଉଁ ଆନନ୍ଦରେ ଖେଳୁଥାନ୍ତି, ତାହା ଅନ୍ୟ ପାଇଁ ଈର୍ଷାର ବସ୍ତୁ ହୋଇଥାଏ। ଏହି ସମସ୍ତ ପିଲାଙ୍କୁ ଔପଚାରିକ ଶିକ୍ଷାର ପରିସରକୁ ଆଣିବାର ପରିଣାମ ଏହା ନ ହେଉ ଯେ ସେମାନେ ସେହି ସ୍ବାଚ୍ଛନ୍ଦ୍ୟ ଏବ˚ ଆନନ୍ଦ ଭାବରୁ ବଞ୍ଚିତ ହେବେ! ଉଭୟ ବାପା-ମା’ଙ୍କ ମଜୁରି ପାଇଁ କାମକୁ ଯିବା ସ୍ଥିତିରେ ସ୍କୁଲ ଉକ୍ତ ପିଲାଙ୍କ ଯତ୍ନର ଭାର ନେବ- ଏହା ଏକ ଅତି ସ୍ବାଗତଯୋଗ୍ୟ କଥା। ମାତ୍ର ତାହା କରୁଥିବା ଶିକ୍ଷାକର୍ମୀ ପିଲାଙ୍କୁ ଶାନ୍ତ ରଖିବାରେ ନିଜ ଦାୟିତ୍ବ ଶେଷ ନ କରନ୍ତୁ। ତାହା ହେଲେ ସେହି ଶିକ୍ଷା ସ୍ଥଳ ପିଲାଙ୍କ ପାଇଁ କେବଳ ମାତ୍ର ‘ଗୁଡ଼ ଓ ଚଣା’ର (ପ୍ରାତଃ ଭୋଜନ) ପ୍ରାପ୍ତି ସ୍ଥଳ ହେବ ରହିଯିବ। ପ୍ରାକ୍‌-ପ୍ରଥମ ଶ୍ରେଣୀର ତିନି ବର୍ଷର ଶିକ୍ଷା ସାଙ୍ଗରେ ପ୍ରଥମ ଏବ˚ ଦ୍ବିତୀୟ ଶ୍ରେଣୀର ପାଠ ଯୋଡ଼ା ହୋଇଥିବାରୁ ତାହା ମଧୢ ପାଣିଚିଆ ହୋଇଯିବାର ଭୟ ରହିଛି, ଯାହା ଉପରେ ବିଶେଷ ଦୃଷ୍ଟି ରହିବା ଆବଶ୍ୟକ।

ପ୍ରାକ୍‌-ପ୍ରାଥମିକ ଶିକ୍ଷାକୁ ସାନ ପିଲାଙ୍କ ଲାଗି ଆକର୍ଷଣୀୟ କରିବାକୁ ହେଲେ ଦୁଇଟି ଦିଗ ପ୍ରତି ବିଶେଷ ଧୢାନ ଦେବାକୁ ପଡ଼ିବ। ଗୋଟାଏ ହେଲା ଶିକ୍ଷକ ତାଲିମ ଏବ˚ ଅନ୍ୟଟି ହେଲା ଭିତ୍ତିଭୂମି। ଯୁକ୍ତ ଦୁଇର ପାଠ ଏହି ଧରଣର ଶିକ୍ଷକତା ପାଇଁ ଊଣା ନୁହେଁ। ତା’ଠାରୁ କମ ପାଠ ପଢ଼ିଥିବା ମା’ ମଧୢ ପ୍ରାୟତଃ ଅଧିକ ସୁଚାରୁରୂପେ ପିଲାର ଲାଳନପାଳନ କରିଥାନ୍ତି। ତେଣୁ ଆବଶ୍ୟକ ମା’ ଭଳି ସହନଶୀଳତା ଏବ˚ ଧୈର୍ଯ୍ୟ, ଯାହା ଉତ୍ତମ ତାଲିମ ପ୍ରାପ୍ତ ଶିକ୍ଷକ ନିଜ ଆଭିମୁଖ୍ୟରେ ପ୍ରଦର୍ଶିତ କରିପାରିବ। ପୁଣି, ତାଙ୍କୁ ଦରମା ଦେଲା ବେଳେ ଯଦି କାର୍ପଣ୍ୟ କରାଯାଏ, ତେବେ ଶିକ୍ଷାକର୍ମୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ଆନ୍ତରିକତା ପ୍ରଦର୍ଶନ କରିବେ କେମିତି? ସେହିଭଳି ଶିକ୍ଷାକେନ୍ଦ୍ରରେ ବିଭିନ୍ନ ଖେଳ ସାମଗ୍ରୀ, ଖେଳଣା ଆଦି ଯଦି ନ ରହେ ତେବେ ତାହା ପିଲାଙ୍କ ଲାଗି ଆକର୍ଷଣୀୟ ହୋଇ ନ ପାରେ। ତେଣୁ ସେଥିଲାଗି ଉପଯୁକ୍ତ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଅବଶ୍ୟ, ବଡ଼ ସହରରେ ରହୁଥିବା ସ˚ଭ୍ରାନ୍ତ ପରିବାର ପାଇଁ ପ୍ରାକ୍‌-ପ୍ରାଥମିକ ଶିକ୍ଷା ସମ୍ଭବତଃ ସମସ୍ୟାପୂର୍ଣ୍ଣ ହେବ ନାହିଁ। ଏଥିପାଇଁ ମହଙ୍ଗା ଘରୋଇ ପ୍ରାକ୍‌-ପ୍ରାଥମିକ ଶିକ୍ଷାକେନ୍ଦ୍ରର ସ˚ଖ୍ୟା ବୃଦ୍ଧି ପାଇବ। ସହରର ‘ପ୍ଲେ ସ୍କୁଲ’ ଗୋଟିଏ ପର˚ପରା ହୋଇ ସାରିଲାଣି। କିନ୍ତୁ ଗ୍ରାମାଞ୍ଚଳରେ ଏହା ଏକ ନୂଆ କଥା, ଯାହା ବିଶେଷ ଗୁରୁତ୍ବ ଦାବି କରିଥାଏ।

ଏ କଥା ସତ ଯେ ମସ୍ତିଷ୍କର ବିକାଶ ପିଲାର ଆଦ୍ୟ-ଶିଶୁତ୍ବ ଅବଧିରେ ଘଟିଥାଏ। ମାତ୍ର ଶିଶୁ ପାଇଁ ଉକ୍ତ ଅବଧି ଏକ ସ୍ବାଭାବିକ ଏବ˚ ସ୍ବାଚ୍ଛନ୍ଦ୍ୟମୟ comfort zone ବା ଆରାମ ପ୍ରଦାୟୀ ହେବା ନିହାତି ଆବଶ୍ୟକ। ଦାରିଦ୍ର୍ୟ ଯୋଗୁଁ ପିଲାର କୁପୋଷଣ ଏକ ସମସ୍ୟା, ମାତ୍ର comfort zoneର ଅଭାବରେ ମଧୢ ଶିଶୁର ମସ୍ତିଷ୍କର ବିକାଶରେ ବାଧା ପହଞ୍ଚି ପାରେ। ତେଣୁ, ପ୍ରାକ୍‌-ପ୍ରାଥମିକ ଶିକ୍ଷା ସ˚କ୍ରାନ୍ତୀୟ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରାଯିବା କାଳରେ ଏହି ସବୁ ଦିଗ ପ୍ରତି ଧୢାନ ରହିବା ସର୍ବଦା ଉଚିତ ହେବ।

[email protected]

ସମ୍ବନ୍ଧିତ ଖବର