‘ଚିରଞ୍ଜୀବୀ ବିନୋବା’

ମଣୀନ୍ଦ୍ର କୁମାର ମେହେର

ବାଲ୍ୟକାଳରୁ ସନ୍ଥ ବିନୋବାଙ୍କ ଯେଉଁ ଫଟୋଚିତ୍ରଟି ଉପରେ ମୋର ଦୃଷ୍ଟି କେନ୍ଦ୍ରୀଭୂତ ହେଉଥିଲା ତାହା ଆଜି ପର୍ଯ୍ୟନ୍ତ ଅନ୍ତରରେ ଉଜ୍ଜୀବିତ ହୋଇ ରହିଛି। ୧୯୬୩ ମସିହାରେ ଭୂଦାନ ଯଜ୍ଞର ଏହି ମହାନ ପୁରୋହିତ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଯେତେବେଳେ ପ୍ରବେଶ କରି କବିଙ୍କ ପ୍ରତି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ; ସେତେବେଳେ କହିଥିଲେ ଯେ ‘ଗଙ୍ଗାଧର ଯଦି କେବଳ ‘ଭକ୍ତି’ ଶୀର୍ଷକ ଗୋଟିଏ କବିତା ଲେଖିଥା’ନ୍ତେ, ତା’ହେଲେ ତାଙ୍କ କବି ଜୀବନ ସାର୍ଥକତା ବିମଣ୍ତିତ ହୋଇଥାଆନ୍ତା।’ ବିନୋବାଜୀ ଓଡ଼ିଆ ଅକ୍ଷର ପଢ଼ି ପାରୁଥିଲେ ଓ ତାହାର ଭାବ ମଧୢ ଆହରଣ କରିପାରୁଥିଲେ ଅନାୟାସରେ। ବିନୋବାଜୀ ସ୍ବଭାବ କବିଙ୍କ ପବିତ୍ର ଜନ୍ମପୀଠ ବରପାଲିରେ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସମୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ଓ ଫଟୋଗ୍ରାଫର ବୀରବର ସାହୁ ଯେଉଁ ଜୀବନ୍ତ ଛବିକୁ ତାଙ୍କର କ୍ୟାମେରାରେ ଉତ୍ତୋଳନ କରିଥିଲେ, ତାହା ସ୍ଥାନିତ ହୋଇଥିଲା ‘ଗଙ୍ଗାଧର ସ୍ମରଣିକା’ରେ। ଉକ୍ତ ଫଟୋଚିତ୍ରଟି ହିଁ ମୋ ପ୍ରାଣରେ ସଞ୍ଚାର କରିଥିଲା ବିନୋବାଜୀଙ୍କ ପ୍ରତି ସୁଗଭୀର ସମ୍ମାନ ଓ ଭକ୍ତି। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଏହି ବିରଳ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଯେତେବେଳେ ଅଧିକ ଜାଣିବାର ସୁଯୋଗ ମିଳିଲା ସେତେବେଳେ ସେହି ଭକ୍ତି ଓ ସମ୍ମାନ ଶତଗୁଣିତ ହୋଇଯାଇଥିଲା।

ମହାରାଷ୍ଟ୍ରର ‘ଗାଗୋଦା’ ନାମକ ଗ୍ରାମରେ ୧୮୯୫ ମସିହା ସେପ୍‌ଟେମ୍ବର ୧୧ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଗାନ୍ଧୀଜୀଙ୍କ ସତ୍ୟାଗ୍ରହରେ ଝାସ ଦେଇ ସେ ଯେଉଁ ଅପୂର୍ବ ଅନୁଭୂତି ଲାଭ କରିଥିଲେ ତାହା ତାଙ୍କୁ ଉଭୟ କ୍ରାନ୍ତି ଓ ଶାନ୍ତିର ଆଲୋକ ସନ୍ଧାନ ଦିଗରେ ସଫଳ କରିଥିଲା। ସ୍ବାମୀ ବିବେକାନନ୍ଦ ‘ମାନବ ସେବା ହିଁ ମାଧବ ସେବା’ ବୋଲି ଯାହା କହିଥିଲେ ତାହା ବିନୋବାଜୀଙ୍କ ଅନ୍ତରାତ୍ମାକୁ ମନ୍ଥିତ କରି ଦେଇଥିଲା। ଦୀନଦରିଦ୍ର, ଦଳିତ ପୀଡ଼ିତ, ଶୋଷିତ ମଣିଷକୁ ସେ ଦେବତା ଜ୍ଞାନ କରି ସ୍ବେଚ୍ଛାରେ ସେମାନଙ୍କ ପରି ଜୀବନ ଆଦରି ନେଇଥିଲେ। ଏହା ମହାତ୍ମା ଗାନ୍ଧୀଙ୍କୁ ମଧୢ ଗଭୀର ଭାବେ ସ୍ପର୍ଶ କରିଥିଲା। ଅସ୍ପୃଶ୍ୟତା ନିବାରଣ, ଅରଟରେ ସୂତା କଟା, ଶୋଷଣମୁକ୍ତ ସମାଜ ସ୍ଥାପନ, କୁଷ୍ଠରୋଗୀମାନଙ୍କ ସେବା ଇତ୍ୟାଦିରେ ସେ ନିଜକୁ ନିୟୋଜନ କରିଥିଲେ।

କୌଣସି ଯୁଗ ମଣିଷ ନିର୍ମାଣ କରେ ନାହିଁ, ମଣିଷ ହିଁ ନୂତନ ଯୁଗର ନିର୍ମାଣ କରିଥାଏ। ଏହି ପରମ ସତ୍ୟ ମହାତ୍ମା ଗାନ୍ଧୀ ଯେମିତି ପ୍ରମାଣ କରିଥିଲେ, ବିନୋବାଜୀ ମଧୢ ସେହିଭଳି ପ୍ରମାଣ କରିଯାଇଛନ୍ତି। ଭୂମିହୀନମାନଙ୍କର ଅଧିକାର ନିମିତ୍ତ କେହି ଯାହା ଚିନ୍ତା କରିପାରିନଥିଲେ, ତାହା ସେ କରିଥିଲେ। ଯେଉଁମାନେ ବହୁ ଜମିର ଅଧିକାରୀ ସେମାନଙ୍କ ନିକଟକୁ ଯାଇ ଭୂମିହୀନଙ୍କ ପାଇଁ ଜମି ଭିକ୍ଷା କରିବାରେ ଯେଉଁ ଅପୂର୍ବ ଭୂମିକା ସେ ନିର୍ବାହ କଲେ ତାହା ଯୁଗାନ୍ତକାରୀ ଭୂଦାନ ଯଜ୍ଞରେ ପରିଣତ ହେଲା। ବିନୋବାଙ୍କ ଉଚ୍ଚାରିତ ବାଣୀରୁ ଏପରି ନମ୍ରତା ଓ ମଧୁରତା ଝରୁଥିଲା, ଯାହା ଅସ˚ଖ୍ୟ ଜମି ମାଲିକମାନଙ୍କ କଠିନ ହୃଦୟକୁ ମଧୢ ଦ୍ରବୀଭୂତ କରି ଦେଇଥିଲା। ଭାରତର କୋଣ ଅନୁକୋଣରେ ସେ ଶାନ୍ତିମୟ କ୍ରାନ୍ତିର ସନ୍ଦେଶର ପ୍ରସାର କରିଥିଲେ। ଅନେକ ସମୟରେ ତାଙ୍କର ପଦଯାତ୍ରା ‘ପ୍ରେମଯାତ୍ରା’ ଭାବରେ ନାମିତ ହୋଇଯାଉଥିଲା। ଥରେ ଜଣେ ଆମେରିକୀୟ ତାଙ୍କୁ ତାଙ୍କ ଦେଶ ଲାଗି ଏକ ବାର୍ତ୍ତା ଦେବାକୁ ଅନୁରୋଧ କରିଥିଲେ। ମୁହଁରେ ସ୍ମିତହାସ୍ୟ ଫୁଟାଇ ବିନୋବାଜୀ କହିଥିଲେ- ‘ପ୍ରଭୁ ଯୀଶୁଙ୍କର ଜନ୍ମଦିନରେ ଯୀଶୁଙ୍କ ନାମ ଉଚ୍ଚାରଣ କରି ଆପଣଙ୍କ ସବୁ ଅସ୍ତ୍ରଶସ୍ତ୍ର ସମୁଦ୍ରରେ ଭସାଇ ଦିଅନ୍ତୁ।’ ବିନୋବାଜୀ ଯେତେବେଳେ ପାକିସ୍ତାନରେ ପ୍ରବେଶ କରିଥିଲେ, ସେତେବେଳେ ତାଙ୍କୁ ସାଧାରଣ ଜନତା ଆନ୍ତରିକ ସ୍ବାଗତ ଜଣାଇଥିଲେ। ସେହି ମୁହୂର୍ତ୍ତରେ ସେ ନିଜ ବକ୍ତବ୍ୟରେ କହିଥିଲେ- ‘ମୁଁ ଶାନ୍ତି ଏବ˚ ପ୍ରେମର ସନ୍ଦେଶ ନେଇ ଏଠାକୁ ଆସିଛି। ଭାରତବର୍ଷର ଜନହୃଦୟରେ ଯେଉଁ ପ୍ରେମ ଲହରୀ ମୁଁ ଲକ୍ଷ୍ୟ କରେ ଏଠାରେ ମଧୢ ତାହା ହିଁ ପ୍ରତ୍ୟକ୍ଷ କରୁଛି।’ ବିନୋବାଙ୍କ ପ୍ରାର୍ଥନା ଥିଲା- ମୋ ନାମ ଲୁପ୍ତ ହୋଇଯାଉ କେବଳ ରହୁ ରାମଙ୍କ ନାମ, ହରିଙ୍କ ଇଚ୍ଛା।’

ବିନୋବାଜୀ ତାଙ୍କର ଜୀବନ ବିସର୍ଜନ କରିଥିଲେ ଭିନ୍ନ ଶୈଳୀରେ। ତାହାକୁ ପ୍ରାୟୋପବେଶନ ବୋଲି ଅଭିହିତ କରାଯାଇଛି। ସେ ନିଜେ ପ୍ରାଣବାୟୁ ପରିତ୍ୟାଗ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିନେଇଥିଲେ। ଉପବାସ ତାଙ୍କର ଆରମ୍ଭ ହେଲା ମାତ୍ର ଶରୀର ରହିଲା ସୁସ୍ଥ ହୋଇ, କେହି ଏହାର ରହସ୍ୟ ଭେଦ କରି ପାରିନଥିଲେ। ବିନୋବାଜୀଙ୍କ ମୃତ୍ୟୁକୁ ମରଣ କୁହାଗଲା ନାହିଁ, କୁହାଗଲା ସମାଧି ବରଣ କରିନେବା। ଅନ୍ତିମ ମୁହୂର୍ତ୍ତରେ ବ୍ୟଥା ଓ ବେଦନାର ଆର୍ତ୍ତ ସ୍ବର ମଧ୍ୟ ତାଙ୍କ ନିକଟରୁ ଶୁଣାଯାଉନଥିଲା। ସେ ଥିଲେ ଚିର ପ୍ରସନ୍ନ, ଚିର ପ୍ରଶାନ୍ତ। ଜୀବନ ତାଙ୍କର ଯେପରି କ୍ରାନ୍ତିକାରୀ ଥିଲା, ମରଣ ସେପରି ଆଉ ଏକ ଭିନ୍ନ କ୍ରାନ୍ତିର କମନୀୟତା ବିକିରଣକାରୀ ଥିଲା। ବିନୋବା ସର୍ବଦା ଗୋଟିଏ କଥା କହୁଥିଲେ- ମୋର ପାର୍ଥିବ ଶରୀର ବିଲୁପ୍ତ ହୋଇଯିବା ପରେ ଆଉ କ’ଣ ରହିବ? ଏହାର ଉତ୍ତର ଦେଇ ସେ ନିଜେ ପୁଣି କହନ୍ତି ‘ରହିବ ‘ଗୀତା ପ୍ରବଚନ’ ଏବ˚ ‘ଗୀତାଈ’।’

ଏ ପ୍ରସଙ୍ଗରେ ଏହି ଲେଖକର ସ୍ମୃତିରେ ସଞ୍ଜୀବିତ ହୋଇ ରହିଥିବା ଅନୁପ୍ରେରଣା ଅବିସ୍ମରଣୀୟ। ଯୌବନ କାଳରେ ଅଧୢାପନାର ପ୍ରଥମ ପର୍ଯ୍ୟାୟରେ ଯେତେବେଳେ ସେ ଅତ୍ୟନ୍ତ ବିଚଳିତ, ଅସ୍ଥିର ଓ ଅଥୟ, ସେତେବେଳେ ତାକୁ ଏହି ଗୀତା ପ୍ରବଚନର ପଠନ ପ୍ରଦାନ କରିଥିଲା ଶାନ୍ତି, ସ୍ଥିରତା ଓ ଏକ ଆଧୢାତ୍ମିକ ଏକାଗ୍ରତା। ଜେଲରେ ଥିବା ବେଳେ ବିନୋବାଜୀ ଏହି ପ୍ରବଚନ ଦେଇଥିଲେ। ଆଜି ବି କେହି ଯଦି ବିନୋବାଜୀଙ୍କ ଏହି ଗୀତାନୁଶୀଳନରେ ଅଭିନିବିଷ୍ଟ ହୋଇପାରିବ, ତେବେ ସେ ପୁନରୁଜ୍ଜୀବିତ ହେବାର ବିରଳ ଉପଲବ୍‌ଧି ଲାଭ କରିପାରିବ। ମହାତ୍ମା ଗାନ୍ଧୀ ଏକ ପତ୍ରରେ ବିନୋବାଜୀଙ୍କୁ ପ୍ରଥମେ ସମ୍ବୋଧନ କରି ଲେଖିଥିଲେ ‘ଚିରଞ୍ଜୀବୀ ବିନୋବା’। ଆଜି ମଧୢ ଗାନ୍ଧୀଜୀଙ୍କ ଏହି ସମ୍ବୋଧନ ହୃଦୟରେ ଅନୁରଣିତ ହୋଇଥାଏ।

(ସନ୍ଥ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ଅବସରରେ)

ମୋ-୯୯୩୭୩୬୫୬୯୮

ସମ୍ବନ୍ଧିତ ଖବର