ହେ ଚକାନୟନ

ପ୍ରଫେସର ଗଣେଶୀ ଲାଲ

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ଦର୍ଶନ ମୋ ପାଇଁ ଥିଲା ଅନନ୍ୟ ଦିବ୍ୟ ଅନୁଭୂତି; ଯାହା ବାସ୍ତବରେ ଅବର୍ଣ୍ଣନୀୟ। ଆଖି ଦେଖୁଥିବା ଦୃଶ୍ୟ ଯଦି ଦର୍ଶନ ହୋଇ ଚେତନାକୁ ଚିତ୍ରେଇ ଦେବ; ନିଜର ପ୍ରାଣ ଯଦି ପ୍ରତିମା ହୋଇ ସାମ୍ନାରେ ଦୃଶ୍ୟମାନ ହେବ; ତାକୁ କେଉଁ ଭାଷାରେ ବର୍ଣ୍ଣି ହେବ? ଆକାର ମଧ୍ୟରେ ନିରାକାରର ଅନୁଭବ, ସସୀମ ଭିତରେ ଅସୀମ ବ୍ୟାପ୍ତି ଓ ସଗୁଣ ମଧ୍ୟରେ ନିର୍ଗୁଣର ନିର୍ଯ୍ୟାସ ନିଗିଡ଼ି ଆସେ ଭାବଗର୍ଭକୁ। ନିଜକୁ ଦେହ ନଭାବି ଆତ୍ମା ଭାବିଲେ; ସେ ପରମାତ୍ମା; ନିଜକୁ ଚେତନା ଭାବିଲେ ସେ ମହା ଚେତନା; ନିଜକୁ ଶରୀର ଭାବିଲେ ସେ ପଂଚଭୂତର ପଂଚମନ୍ତ୍ର। ସବୁ ମତ ପଥ ତତ୍ତ୍ୱ ଦର୍ଶନ ତାଙ୍କଠି ଦ୍ରବୀଭୂତ: ଯେମିତି ଲବଣ ପ୍ରତିମା ସମୁଦ୍ରରେ। ସେ ସେଇଠି ଥାଏ, କିନ୍ତୁ ରୂପାନ୍ତରିତ; ରୂପରୁ ଅରୂପକୁ ଉତ୍ତରିତ। ମହାପ୍ରଭୁ ସାମାନ୍ୟ ଠାକୁର ନୁହନ୍ତି; ସେ ଠାକୁରଙ୍କ ଠାକୁର; ଅବତାର ନୁହନ୍ତି ଅବତାରୀ; ସକଳ ପ୍ରକାଶର ଉତ୍ସ। ସେ ବି ଲୀଳା କରନ୍ତି ଆମ ସୀମିତ ଜ୍ଞାନର ଅଂଗନରେ; ସେ ବି ପ୍ରକଟିତ ଜ୍ଞାନ ଓ ବୁଦ୍ଧିର ଶିଖର ଦେଶରେ।

ଯେ ଯେମିତି ଚାହେଁ; ସେ ସେମିତି ପାଏ। ‘ଜାକି ରହି ଭାବନା ଜୈସି, ପ୍ରଭୁ ମୂରତ ଦେଖି ତିନ ତୈସି।’ ଡାକିପାରିଲେ କାଳର କାଳ ମହାକାଳ କୋଳକୁ ଆସିଯାଏ। ସେ ଛୋଟ, ସେ ବି ବିରାଟ। ଦେଖିବାକୁ ବସିଛନ୍ତି ସିନା କ୍ଷୁଦ୍ର ଏକ ବଇଠିରେ; କିନ୍ତୁ ଚେତନା ନେତ୍ରରେ ତାଙ୍କୁ ଦେଖିଲେ ଆଖି ପାଏ ନାହିଁ। ଗୋସ୍ୱାମୀ ତୁଳସୀ ଦାସଙ୍କ ଶବ୍ଦରେ: ‘ପଦ ପାତାଲ ସିସ ଅଜ ଧାମା, ଅପର ଲୋକ ଅଂଗ୍ ଅଂଗ୍ ବିଶ୍ରାମା: ଭ୍ରୂକୁଟି ବିଳାସ ଭୟଙ୍କର କାଲା, ନୟନ ଦିବାକର କଚ ଘନ ମାଲା।’ ପାଦ ପାତାଳରେ, ଶିର ବ୍ରହ୍ମଲୋକରେ; ସକଳ ବ୍ରହ୍ମାଣ୍ଡରେ ଯେ ପୂରି ରହିଛନ୍ତି ସେ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେବେ ବି ଦର୍ଶନ କରିଛି; ମନ୍ଦିରରେ, ରଥ ଉପରେ; ତାଙ୍କର ଚକାନୟନ ମତେ ବେଶୀ ଆକର୍ଷିତ କରିଛି। ସେ ଆଖି କେବଳ ଆଖି ନୁହେଁ; ମୋ ଜୀବନ, ଜିଜ୍ଞାସା ଓ କର୍ମର ସାକ୍ଷୀ। ସେ ନୟନ ସକଳ ନିଦ୍ରା ହରଣକାରୀ; ହଜିଯିବାକୁ ଇଚ୍ଛା ହୁଏ ସେ ନୟନର ଅଥଳ ଥଳ ଇଲାକାରେ; ଫିଙ୍ଗି ଦେବାକୁ ମନ ହୁଏ ବିଷୟବୃତ୍ତକୁ ସେହି ବିସ୍ମୟ ବ୍ୟାପ୍ତିରେ। ମୁଁ କେବଳ ନୁହେଁ; ପ୍ରାୟ ସମସ୍ତେ ସେ ନୟନ ପ୍ରେମରେ। ଚର୍ମ ନୟନ ଲୋଡ଼ୁଛି ଚକାନୟନ; କାରଣ ସାଧିପାରିଲେ ସେଇ ଦର୍ଶନରେ ବି ମିଳିପାରିବ ମୋକ୍ଷ, ନିର୍ବାଣ। ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରାର୍ଥନା: ଜଗନ୍ନାଥଃ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ। ଶ୍ରୀଜଗନ୍ନାଥଙ୍କର ସହସ୍ର ସହସ୍ର ନାମ ମଧ୍ୟରୁ ଚକାନୟନ ମୋର ସବୁଠାରୁ ପ୍ରିୟ। ମୁଁ ଆନନ୍ଦିତ ଯେ ଅନେକ, ବିଶେଷ କରି ଓଡ଼ିଶାରେ, ଚକାନୟନ ନାମରେ ଯୋଡ଼ି ହେଇ ରହିଛନ୍ତି ଶ୍ରୀଜଗନ୍ନାଥଙ୍କ ସହ; ଅଜସ୍ର ଭଜନ ଜଣାଣ କଥା ଗାଥା ଚକାନୟନକୁ ନେଇ ବୋଲି ଜାଣିଛି; ଅଳ୍ପ କେତୋଟି ଶୁଣିବାର ସୌଭାଗ୍ୟ ହୋଇଛି। ମୋର ପ୍ରିୟ ତାଲିକାରେ; ଚତୁର୍ଭୁଜ ଜଗନ୍ନାଥ କଂଠ ଶୋଭିତ କୌସ୍ତୁଭଃ; ପଦ୍ମନାଭ ବେଦଗର୍ଭ ଚଂଦ୍ରସୂର୍ଯ୍ୟ ବିଲୋଚନଃ …’ ଏଠି ମଧ୍ୟ ଚକାନୟନର ଅବତାରଣା ।

ଚକାନୟନ କହିଲେ ମୁଁ ବୁଝେ ଆଲୋକର ଅନ୍ତୁଡ଼ି, ଆଲୋକର ଅସରନ୍ତି ଉତ୍ସ। ଆଲୋକକୁ ଯେ ଆଲୋକିତ କରେ। ଶ୍ରୀଜଗନ୍ନାଥ ହେଉଛନ୍ତି ମହାଜ୍ୟୋତି, ସକଳ ସୃଷ୍ଟିର ସ୍ରଷ୍ଟା ଓ କାରଣ। ଏ ସୃଷ୍ଟି ହେଉଛି ସେହି ଜ୍ୟୋତିର ଅଂଶ ମାତ୍ର। ଜୀବ ଜଡ଼ ସମସ୍ତେ। କିନ୍ତୁ ସେ ଜ୍ୟୋତି ଅଜ୍ଞାନ-ତମସାରେ ପଥ ହୁଡ଼ିବାର ସଂଭାବନା ଥାଏ। ଏଣୁ ପ୍ରାର୍ଥନା କରାଯାଏ ତମସୋ ମା ଜ୍ୟୋତିର୍ଗମୟ। ଭଗବାନ ଶ୍ରୀକୃଷ୍ଣ ନିଜର ଜ୍ୟୋତି ସଂପର୍କରେ କହିଛନ୍ତି, ଯେତେ ସବୁ ଐଶ୍ୱର୍ଯ୍ୟଯୁକ୍ତ, ଶୋଭାଯୁକ୍ତ ଓ ବଳଯୁକ୍ତ ପ୍ରାଣୀ ଓ ପଦାର୍ଥ ଅଛନ୍ତି, ସେ ସବୁକୁ ତୁମେ ମୋର ତେଜର ଅଂଶରୁ ଉତ୍ପନ୍ନ ହୋଇଛି ବୋଲି ବୁଝ। (ଗୀତା-୧୦/୪୧)। ଆଲୋକକୁ (ଜ୍ଞାନକୁ) ଜ୍ୟୋତି କୁହାଯାଏ ଅର୍ଥାତ୍‌ ଯେଉଁମାନଙ୍କ ଠାରୁ ଆଲୋକ ମିଳେ ଓ ଯେଉଁମାନଙ୍କ ଦ୍ୱାରା ଜ୍ଞାନ ହୁଏ, ସେ ସମସ୍ତ ଜ୍ୟୋତି ଅଟନ୍ତି ଏବଂ ସେହି ପରମାତ୍ମାଙ୍କୁ (ଚକାନୟନ)ଙ୍କୁ ସମସ୍ତ ଜ୍ୟୋତିର ଜ୍ୟୋତି ଓ ଅଜ୍ଞାନରୁ ଅତ୍ୟନ୍ତ ଉର୍ଦ୍ଧ୍ବରେ ବୋଲି କୁହାଯାଇଛି। ଜ୍ୟୋତିଷାମପି ତଜ୍ଜ୍ୟୋତିସ୍ତମସଃ ପରମ୍ୟୁଚ୍ୟତେ।

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର; ପୃଥିବୀରେ ଜୀବଜଗତ୍‌ର କାରକ। ଏହି ତତ୍ତ୍ୱକୁ ସମସ୍ତେ ସ୍ୱୀକାର କରନ୍ତି; ଏପରିକି ପାଶ୍ଚାତ୍ୟ ଦର୍ଶନ ମଧ୍ୟ। ସୂର୍ଯ୍ୟ ବିନା ଜୀବନ ଅସଂଭବ। ତେବେ ସୂର୍ଯ୍ୟଙ୍କୁ ସୃଷ୍ଟି କରିଛି କିଏ? ସୂର୍ଯ୍ୟଙ୍କ ମାଧ୍ୟମରେ ସକଳ ବିଧାନର ସ୍ରଷ୍ଟା ହେଉଛନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ, ଚକାନୟନ। ଗୀତାରେ କହୁଛନ୍ତି- ଯଦାଦିତ୍ୟଗତଂ ତେଜୋ ଜଗଦ୍‌ଭାସୟତେଽଖିଳମ୍‌; ଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତତ୍ତେଜୋ ବିଦ୍ଧିମାମକମ୍। (୧୫/୧୨) ସୂର୍ଯ୍ୟଙ୍କୁ ପ୍ରାପ୍ତ ଯେଉଁ ତେଜ ସମଗ୍ର ଜଗତ୍‌କୁ ଆଲୋକିତ କରୁଛି ଏବଂ ଚନ୍ଦ୍ର ତଥା ଅଗ୍ନିରେ ଯେଉଁ ତେଜ ରହିଛି, ତାହା ମୋର ବୋଲି ଜାଣ।

ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିଶ୍ୱରୂପ ଦେଖାଇଥିଲେ ଏବଂ ତା’ର ବର୍ଣ୍ଣନା କରିବାକୁ ଯାଇ ସଂଜୟ କହୁଛନ୍ତି: ଯଦି ଆକାଶରେ ଏକାବେଳେ ସହସ୍ର ସୂର୍ଯ୍ୟ ଉଦିତ ହୁଅନ୍ତି, ତଥାପି ସେମାନଙ୍କର ଜ୍ୟୋତି ମିଶି ସେହି ବିରାଟ ରୂପ ପରମାତ୍ମାଙ୍କ ଜ୍ୟୋତି ସହିତ ସମାନ ହେବ କି ନାହିଁ ସଂଦେହ। ଏବଂ ଶ୍ରୀଜଗନ୍ନାଥ (ଚକାନୟନ) ହେଉଛନ୍ତି ସେହି ଜ୍ୟୋତିର୍ମୟ ପରମାତ୍ମା ଯେ ସାକ୍ଷାତ ଆମକୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଜ୍ୟୋତିର୍ମୟ ରୂପର ପ୍ରତୀକ ହେଉଛନ୍ତି ଚକାନୟନ। ମହାପ୍ରଭୁ ସୂର୍ଯ୍ୟଙ୍କ ମାଧ୍ୟମରେ କେବଳ ସୃଷ୍ଟି ରଚନା କରିନାହାନ୍ତି, ସୃଷ୍ଟିର ନିୟମ ଓ ନକ୍‌ସା ମଧ୍ୟ ପ୍ରଣୟନ କରିଛନ୍ତି। କର୍ମଯୋଗର ଅବତାରଣା କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି; ମୁଁ ଏହି ଅବିନାଶୀ କର୍ମଯୋଗ ସୂର୍ଯ୍ୟଙ୍କୁ କହିଥିଲି। ସୂର୍ଯ୍ୟ ତାଙ୍କ ପୁତ୍ର ବୈବସୂତ ମନୁଙ୍କୁ ଏବଂ ମନୁ ତାଙ୍କ ପୁତ୍ର ରାଜା ଇକ୍ଷ୍ୱାକୁଙ୍କୁ କହିଲେ। (ଗୀତା ୪/୧)

ନୟନର ଆଲୋକରେ ଜଣେ ସାଧାରଣ ନାରୀ ଗାନ୍ଧାରୀ ରକ୍ତ ମାଂସର ସାଧାରଣ ଶରୀରକୁ ବଜ୍ରଠୁ ଶକ୍ତିଶାଳୀ କରିପାରନ୍ତି। ମାନ୍‌ଧାତାଙ୍କ ପୁତ୍ର ମୁଚୁକୁନ୍ଦ ଭୟଙ୍କର କାଳଯବନକୁ ନୟନର ଆଲୋକରେ, ଦୃଷ୍ଟିର ଶକ୍ତିରେ ପରାହତ କରିପାରନ୍ତି। ଭଗବାନ ଶିବଙ୍କ ନୟନର ନିଆଁରେ ପ୍ରଭାବଶାଳୀ କନ୍ଦର୍ପ ପାଉଁଶ ହେଇପାରେ। ଏବଂ ଜଗତ୍‌ ନିୟନ୍ତା ଜଗନ୍ନାଥଙ୍କ ଚକାନୟନର ମହିମା ଓ ପରିସୀମା ବ୍ୟାଖ୍ୟାନ କରିବା ସତରେ ସାଧ୍ୟାତୀତ କେବଳ ବନ୍ଦନା କରାଯାଇପାରେ; ସେ ମହାଜ୍ୟୋତିର ସଂସ୍ପର୍ଶରେ କ୍ଷୁଦ୍ର ଜୀବନଜ୍ୟୋତିକୁ ପ୍ରଜ୍ଜ୍ୱଳିତ କରାଯାଇପାରେ ଏବଂ ତାହା ଯଦି ସେ ମହାଜ୍ୟୋତିରେ ଲୀନ ହୁଏ; ତାହା ହିଁ ହେବ ପରମ ସାର୍ଥକତା।

ଜୀବନ କ’ଣ କି? ବୁନ୍ଦାଏ ଆଲୋକ। ଏବଂ ସେ ଆଲୋକକୁ ମଣିଷ ବନ୍ଦୀ କରି ରଖିଥାଏ ଅନ୍ଧାରରେ। ସେ ଅନ୍ଧାରର ଅପସାରଣ ଓ ଆଲୋକର ସ୍ୱାଭାବିକ ପ୍ରକାଶ ହିଁ ଜୀବନର ଶାଶ୍ୱତ ଉତ୍ତରଣ। ସେ ଆଲୋକ ହିଁ ପରମାତ୍ମାଙ୍କ ଅଂଶ; ପରମାତ୍ମା ହିଁ ମହାଜ୍ୟୋତି। ମହାପୁରୁଷ ମହମ୍ମଦ କହିଛନ୍ତି; ‘ମୁଁ କ’ଣ ତାଙ୍କୁ ଦେଖିପାରିବି? ସେ ତ ସ୍ୱୟଂ ଆଲୋକଜ୍ୟୋତି।’ ଶିଖ୍ ଧର୍ମ ନିଜ ଭିତରେ ଥିବା ଦିବ୍ୟଜ୍ୟୋତିର ଦର୍ଶନ କରିବାକୁ ଆହ୍ୱାନ କରେ। ବେଦ, ଉପନିଷଦରେ ସିଦ୍ଧ ଋଷିମାନେ ସେହି ଆଲୋକର ବର୍ଣ୍ଣନା ବିଭିନ୍ନ ଭାବରେ କରିଛନ୍ତି। ଆଲୋକ ହିଁ ସତ୍ୟ ଓ ସତ୍ୟ ହିଁ ଆଲୋକ। ଏହାର ଅନ୍ୱେଷଣ ଓ ପ୍ରାପ୍ତିରେ ଜୀବନର ସାର୍ଥକତା। ପ୍ରାପ୍ତିରେ ହିଁ ଅନ୍ୱେଷଣର ପରିସମାପ୍ତି ଏବଂ ଅଖଣ୍ଡ ପ୍ରଶାନ୍ତି।

କସ୍ତୁରୀ ମୃଗ ଭଳି ମଣିଷ ନିଜର ଭିତରର ଦିବ୍ୟ ଆଲୋକକୁ ଅନେକ ସମୟରେ ଜାଣିପାରେ ନାହିଁ। ଚକାନୟନର ଚେତନାକୁ ଆତ୍ମୀଭୂତ କରିପାରେ ନାହିଁ। ସ୍ୱୟଂ ଆଲୋକ ହୋଇ ମଧ୍ୟ ଅନ୍ଧାରର ଷଡ଼୍‌ଯନ୍ତ୍ରରେ ଘାଣ୍ଟି ହୁଏ। ଆନନ୍ଦ ଯେତେବେଳେ ବୁଦ୍ଧଦେବଙ୍କୁ ତାଙ୍କ ଅବର୍ତ୍ତମାନରେ କେଉଁଠୁ ଆଲୋକ ପାଇବେ ବୋଲି ଜିଜ୍ଞାସା କଲେ; ଭଗବାନ ବୁଦ୍ଧ କହିଲେ; ଅପ୍ପଦୀପୋ ଭବ। ନିଜେ ଆଲୋକ ହେଇଯାଅ; ନିଜର ଭିତରର ଆଲୋକର ପ୍ରକାଶ ପାଇଁ ବଂଧନ ଦୂର କର। ସେହିପରି ଜନକ-ଯାଜ୍ଞବଳ୍‌କ୍ୟ ସଂବାଦରେ ଅନ୍ତଃଜ୍ୟୋତିର କଥା କୁହାଯାଇଛି। ଜୀବନର ଆଲୋକ କିଏ ପ୍ରଶ୍ନରେ ଯାଜ୍ଞବଳ୍‌କ୍ୟ କହୁଛନ୍ତି ସ୍ୱୟଂ (ଆତ୍ମା) ହିଁ ଆଲୋକ। ବେଦରେ ଜ୍ୟୋତିର ପ୍ରତୀକ ସୂର୍ଯ୍ୟଙ୍କୁ ସତ୍ୟ, ଅନନ୍ତ ଓ ଜ୍ଞାନ ଭାବରେ ଦର୍ଶାଯାଇଛି। ଛାନ୍ଦୋଗ୍ୟ ଉପନିଷଦରେ ବାହ୍ୟ ଆଲୋକକୁ ଭେଦି ଉତ୍ସକୁ ଯାଇ ସତ୍ୟ ସହ ସମନ୍ୱିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଧର୍ମରେ, ସବୁ ଦର୍ଶନରେ ଆଦିତ୍ୟଙ୍କୁ ଜୀବନର ଆଦି ଓ ଅନ୍ତ ଭାବରେ ଗ୍ରହଣ କରାଯାଇଛି। ଏବଂ ଅଗଣନ ଆଦିତ୍ୟଙ୍କ ଆବାସ ହେଉଛନ୍ତି ଚକାନୟନ।

ଆଲୋକ ସନ୍ଧାନ ହିଁ ଜୀବନର ଲକ୍ଷ୍ୟ ହେବା ଦରକାର। କିନ୍ତୁ ଆଧୁନିକ ମଣିଷ ଘୂରି ବୁଲୁଛି ଅନ୍ଧାରରେ। ସାଂପ୍ରତିକ ସମୟର ଦ୍ୱନ୍ଦ୍ୱ ଓ ବିମୂଢ଼ତାକୁ ଦର୍ଶାଇବାକୁ ଯାଇ ଶ୍ରୀ ଅରବିନ୍ଦ ‘ସାବିତ୍ରୀ’ରେ ଲେଖିଛନ୍ତି: “The life you lead, conceals the light you are’’. “A cave of darkness guards the eternal light.” ଆଲୋକକୁ ଭୟ; କିନ୍ତୁ ଆଲୋକ ହିଁ ଅସଲ ପରିଚୟ, ଲକ୍ଷ୍ୟ ଓ ଠିକଣା। ଶ୍ରୀ ଅରବିନ୍ଦଙ୍କ ଭାଷାରେ But few are they who tread sunlit path; only the pure in soul can walk in light.

ଆଲୋକର ପଥରେ ଚାଲିବା ଏତେ ସହଜ ସରଳ ନୁହେଁ। ଏଥିପାଇଁ ଲୋଡ଼ା ଅନ୍ତଃକରଣରେ ଶୁଦ୍ଧତା ଓ ଦୃଢ଼ତା। କିନ୍ତୁ ଆମର ପଥ ସୁଗମ ହୋଇଯାଇଛି; କାରଣ ଆମର ଅଛନ୍ତି ଚକାନୟନ। ଅପଲକ ଅନେଇ ରହିଛନ୍ତି। ଯେଉଁଠି ଥିଲେ ବି; ଯେଉଁ ଅନ୍ଧାରରେ ଆତ୍ମଗୋପନ କଲେ ବି, ତାଙ୍କ ନୟନ ପରିସରରୁ ବାହାରି ହେବନାହିଁ। ଏହି ଭାବ ଡୋରିରେ ନିଜକୁ ବାନ୍ଧି ପାରିଲେ; ଯେତେ ଅନ୍ଧାରରେ ଥିଲେ ମଧ୍ୟ; ଥରେ ଚକାନୟନକୁ ଚାହିଁଦେଲେ; ଆଲୋକର ପଥ ଓ ପୃଥିବୀ; ଗତି ମୁକ୍ତି ସବୁ ଆପେ ଆପେ ମିଳିଯିବ; କିଛି ମାଗିବା ବି ଦରକାର ପଡ଼ିବ ନାହିଁ।

ରାଜ୍ୟପାଳ, ଓଡ଼ିଶା
([email protected])

ସମ୍ବନ୍ଧିତ ଖବର