ଭବିଷ୍ୟତକୁ ଦେଖିହୁଏ ନାହିଁ, କେବଳ ପୂର୍ବାନୁମାନ କରିହୁଏ। ଏହାକୁ ଗଣିତ ଶାସ୍ତ୍ରରେ ସମ୍ଭାବ୍ୟତା ବା ପ୍ରୋବାବିଲିଟି କୁହାଯାଏ। ପୂର୍ବାନୁମାନ କରି ଜାଣିହୁଏ ଯେ ଭାରତର ଲୋକସଂଖ୍ୟା ଯଦି ବର୍ତ୍ତମାନ ହାରରେ ବଢ଼େ, ୨୧୦୦ ମସିହା ବେଳକୁ ୩.୪ ବିଲିୟନ୍ ହୋଇଯାଇଥିବ। ଚୀନ୍କୁ ପଛରେ ପକାଇ ଭାରତ ପୃଥିବୀର ଏକ ନମ୍ବର ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଥିବ। ସେହି ସମୟରେ ନାଇଜେରିଆ ଦ୍ୱିତୀୟ ସ୍ଥାନରେ, ଚୀନ୍ ତୃତୀୟ ସ୍ଥାନରେ ଓ ଯୁକ୍ତରାଷ୍ଟ୍ର ଆମେରିକା ଚତୁର୍ଥ ସ୍ଥାନରେ ଥିବ। “ଭାରତରେ ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି। ସ୍ମରଣଯୋଗ୍ୟ ଯେ ଗତ ସ୍ୱାଧୀନତା ଦିବସରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦତ୍ତ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଶୁଣିବାକୁ ମିଳିଲା ସନ୍ତାନ ସଂଖ୍ୟାକୁ ସୀମିତ ରଖିପାରିଥିବା ଭାରତୀୟ ହିଁ ପ୍ରକୃତ ଦେଶପ୍ରେମୀ।” (ସମ୍ବାଦ ସଂପାଦକୀୟ, ୧.୮.୨୦୨୦, ଶୀର୍ଷକ: ପକ୍ୱକେଶାଙ୍କ ପୃଥିବୀ!) ଏଇ ସମ୍ବେଦନଶୀଳ ବିଷୟବସ୍ତୁ ବିଷୟରେ ସାମାନ୍ୟ କିଛି ଆଲୋଚନା କରିବା ଏହି ପ୍ରବନ୍ଧର ମୂଳ ଲକ୍ଷ୍ୟ।
ଉପଲବ୍ଧ ତଥ୍ୟ ଅନୁସାରେ ଆଜି ଭାରତର ଯୁବବର୍ଗର ଜନତା (୧୦ରୁ ୨୪ ବର୍ଷ ମଧ୍ୟରେ) ପ୍ରାୟ ୨୮% ଅଟେ। ଏମାନେ ସମସ୍ତେ ପ୍ରାୟତଃ ଡିଜିଟାଲ୍ ଜଗତ ସହିତ ଜଡ଼ିତ। ଏମାନଙ୍କ ସହିତ ଶୂନରୁ ୧୦ ବର୍ଷ ବୟସ୍କ ଜନସଂଖ୍ୟା ମିଶିଗଲେ ଏହା ମୋଟ ଜନସଂଖ୍ୟାର ୪୩% ହେବ। ଏହାର ଅର୍ଥ ହେଉଛି, ଏଇମାନେ ହିଁ ୨୧୦୦ ମସିହା ବେଳକୁ ଭାରତରେ ତଥାକଥିତ ‘ବୃଦ୍ଧ ସମାଜ’ ଗଠନ କରିଥିବେ। ଯେଉଁ ବିଶାଳ ବୃଦ୍ଧ ସମାଜଟି ସେତେବେଳେ ମୁଣ୍ଡ ଟେକିଥିବ ସେମାନେ ପ୍ରାୟତଃ ସମସ୍ତେ (୯୦%ରୁ ଅଧିକ) ‘ଡିଜିଟାଲ୍ ଲିଟରେଟ୍ ବୃଦ୍ଧ’। ଆଜିର ଯୁବପିଢ଼ି ଭଳି ସେମାନେ ଏକପ୍ରକାର ଅସଂପୃକ୍ତ ବା ଅସଂଲଗ୍ନ ମଣିଷଗୁଡ଼ିଏ ହୋଇ ବଞ୍ଚି ରହିଥିବେ। କେବଳ ମୋବାଇଲ୍ ଫୋନ୍ଟି ସେମାନଙ୍କର ସର୍ବସ୍ୱ ହୋଇଯାଇଥିବ। ତା’ମାନେ ପରିବାର, ସଂପର୍କ, ବନ୍ଧୁତା ଇତ୍ୟାଦି ମାନବୀୟ ମୂଲ୍ୟବୋଧର ଶବ୍ଦଗୁଡ଼ିକ ସେମାନଙ୍କ ନିକଟରେ କୌଣସି ଗୁରୁତ୍ୱ ବହନ କରିବ ନାହିଁ। ପାଖରେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଥିଲେ ସେମାନଙ୍କ ପାଇଁ ବୃଦ୍ଧାବସ୍ଥାର ନିଃସଙ୍ଗତା ଦେହସୁହା ହୋଇଯାଇଥିବ, ଏଥିରେ ଦ୍ୱିମତ ନାହିଁ।
ପୁଣି ଦ୍ବାବିଂଶ ଶତାବ୍ଦୀରେ ନାରୀମାନେ ମଧ୍ୟ ବେଶ୍ ଆତ୍ମନିର୍ଭରତା ହାସଲ କରିସାରିଥିବେ। ପ୍ରାୟ ସବୁପ୍ରକାର କର୍ମନିୟୋଜନ ସଂସ୍ଥାରେ ସେମାନଙ୍କର ଉପସ୍ଥିତି ବାରି ହେଉପଡ଼ୁଥିବ। ସେମାନଙ୍କର ସଂଖ୍ୟାଧିକ୍ୟତା ହିଁ ସେମାନଙ୍କର ସୁରକ୍ଷା ପ୍ରତିଶ୍ରୁତି ବହନ କରୁଥିବ। ଖୁବ୍ ସାନ ବୟସରୁ ସେମାନେ ଇଣ୍ଟରନେଟ୍ ମିଡିଆ ସଂସ୍ପର୍ଶରେ ଆସି ସାଂସାରିକ ଜୀବନର ଆବେଗିକ ଗୋପନୀୟତାକୁ ଜାଣିସାରିଥିବେ। ବୟସପ୍ରାପ୍ତ ହେଲା ବେଳକୁ ସେମାନଙ୍କର ସାଂସାରିକ ବୈରାଗ୍ୟ ଚେତନା ସୃଷ୍ଟି ହେବାର ସମ୍ଭାବନା ଅନେକ ବେଶୀ। ଏହି କାରଣରୁ ସେମାନେ ଘରର ବୃଦ୍ଧବୃଦ୍ଧାମାନଙ୍କ ପ୍ରତି ସେତେ ବେଶୀ ଯତ୍ନଶୀଳା ନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସଚେତନ ନାରୀମାନେ ବହୁ ସନ୍ତାନବତୀ ହେବେ ନାହିଁ। ନିଜ ଇଚ୍ଛାମୁତାବକ ସନ୍ତାନବତୀ ହେବେ। ପରିବାରରେ ଯେଉଁ ଗୋଟିଏ କି ଦୁଇଟି ସନ୍ତାନ ଜନ୍ମହେବ, ତାର ଦାୟିତ୍ୱ ଠିକାଦାର ସଂସ୍ଥାମାନେ ତୁଲାଇବେ। ଯେଉଁଠି ନିଜ ସନ୍ତାନମାନେ ଅନ୍ୟ କାହା ଦ୍ୱାରା ଲାଳିତ ପାଳିତ ହେବେ ସେଠାରେ ବୟସ୍କମାନଙ୍କ କଥା ପଚାରେ କିଏ? ତେଣୁ ବୟସ୍କମାନେ ଆଜିର ତୁଳନାରେ ଆହୁରି ବେଶି ଅବହେଳିତ ଓ ନିଃସଙ୍ଗ ହୋଇଯିବେ।
ସେତେବେଳେ ମଣିଷ ଆହୁରି ବସ୍ତୁବାଦୀ ଓ ଉପଭୋକ୍ତାବାଦୀ ହୋଇସାରିଥିବ। କାରଣ ଆଧ୍ୟାତ୍ମିକ ଚିନ୍ତନ, ସେବା ଓ ତ୍ୟାଗ ସବୁକିଛିକୁ “ବଜାରୀକରଣ ଅର୍ଥନୀତି” ଗ୍ରାସ କରିସାରିଥିବ। ମାନବୀୟ ସମ୍ବେଦନା, କୃତଜ୍ଞତାବୋଧ, ସାତ୍ତ୍ୱିକ ଜୀବନଚର୍ଯ୍ୟା ଇତ୍ୟାଦି ଶବ୍ଦ ପୁରୁଣାକାଳିଆ ଅନଗ୍ରସର ଚିନ୍ତାଧାରା ରୂପେ ବିବେଚିତ ହେଉଥିବ। ‘ଆର୍ଥନୀତିକ ସ୍ୱାବଲମ୍ବନଶୀଳତା’ ହିଁ ଦ୍ୱାବିଂଶ ଶତାବ୍ଦୀର ଯୁବ ସଂପ୍ରଦାୟ ତଥା ପ୍ରୌଢ଼ ସମାଜର ପ୍ରଧାନ ଆଭିମୁଖ୍ୟ ହେବ। ସେତେବେଳର ସମାଜ ବୃଦ୍ଧ ସଂପ୍ରଦାୟ ପ୍ରତି ସହଯୋଗୀ କି ସହାନୁଭୂତିଶୀଳ ହେବାକୁ ଆଗ୍ରହ ଦେଖାଇବ ନାହିଁ। ନିଜର ବି ଏପରି ଏକ ଅସହାୟ ନିଃସଙ୍ଗ ବାର୍ଦ୍ଧକ୍ୟ ଦିନେ ନା ଦିନେ ଆସିବ, ସେକଥା ସେମାନଙ୍କ ମାନସପଟକୁ କେବେ ଆନ୍ଦୋଳିତ କରିବ ନାହିଁ। କାରଣ ଅର୍ଥ, ସ୍ୱାସ୍ଥ୍ୟ ଓ ସାମର୍ଥ୍ୟ ଥିବା ଯାଏ ସାଧାରଣତଃ ମଣିଷମାନେ ଏ ସବୁର ନିଶାରେ ମସଗୁଲ୍ ହୋଇ ରହିଥାଆନ୍ତି।
ଆଗାମୀ ଶତାବ୍ଦୀ ସବୁପ୍ରକାର ପରମ୍ପରାକୁ ଭଙ୍ଗ କରି ଏକ ସଂପୂର୍ଣ୍ଣ ପରିବର୍ତ୍ତିତ ଜୀବନଧାରା ମାନବ ସମାଜକୁ ଉପହାର ଦେବ। ଏହାକୁ ଗ୍ରହଣ କରିବାକୁ ଅନିଚ୍ଛୁକ ବୃଦ୍ଧସମାଜ ଅସହିଷ୍ଣୁ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଫଳରେ ପରିବାରରେ ମନୋମାଳିନ୍ୟ ଓ ପାରିବାରିକ ଦ୍ରୋହ ଅସହ୍ୟ ହୋଇପଡ଼ିବ। ଶେଷରେ ପାଶ୍ଚାତ୍ୟ ଜଗତ୍ ଭଳି ବୃଦ୍ଧବୃଦ୍ଧାଙ୍କ ପାଇଁ ଶେଷ ଆଶ୍ରୟ ସ୍ଥଳ ଜରାଶ୍ରମ ହିଁ ହେବ। ପିଲାମାନେ ପିତାମାତାଙ୍କୁ ଜରାଶ୍ରମରେ ଛାଡ଼ିବାକୁ ଅନୈତିକ ବୋଲି ବିବେଚନା କରିବେ ନାହିଁ। ବରଂ ଏହା ସେତେବେଳେ ସେମାନଙ୍କର ନୈତିକ ଦାୟିତ୍ୱ ବୋଲି ଗଣା ହେଉଥିବ। ପରିବାରବୋଧ କହିଲେ, କେବଳ ଆପଣା ବଞ୍ଚିବାକୁ ହିଁ ବୁଝାଉଥିବ।
ଦ୍ୱାବିଂଶ ଶତାବ୍ଦୀର ପ୍ରଭାବ ଆଜିଠାରୁ କିଞ୍ଚିତ୍ ଅନୁଭୂତ ହୁଏ ବୋଲି କୁହାଯାଇପାରେ। ବିଶ୍ୱବ୍ୟାପୀ କରୋନା ମହାମାରୀର ଭୂତାଣୁ ଖୁବ୍ ବେଶୀ ବୁଢ଼ାବୁଢ଼ୀମାନଙ୍କୁ ଆକ୍ରମଣ କରୁଛି ବୋଲି ପ୍ରଚାର ହେଉଛି। ସେଇ କାରଣରୁ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ବା ପୃଥକ୍ ବାସରେ ରଖାଯାଉଛି। ଅନ୍ତତଃ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ଆଳରେ ପୃଥକ୍ ରଖାଯାଉଛି। ବୃଦ୍ଧବୃଦ୍ଧାମାନେ ସଙ୍ଗରୋଧରେ ରହିବାକୁ ବାଧ୍ୟ ଓ ଏହା ଆଇନ ସିଦ୍ଧ। ନିଃସଙ୍ଗତାକୁ ସହ୍ୟ କରି ହୁଏ ନାହିଁ ବୋଲି ଭାରତୀୟ ଆର୍ଯ୍ୟସମାଜରେ ବାନପ୍ରସ୍ଥ ଆଶ୍ରମ ଏକ ଆଦର୍ଶ ଜୀବନଚର୍ଯ୍ୟା ଥିଲା। ଆଧ୍ୟାତ୍ମିକ ଜୀବନଧାରା ସହିତ ଅଭ୍ୟସ୍ତ ସେ କାଳର ମଣିଷ ଏହାକୁ ସାଦରେ ଗ୍ରହଣ କରୁଥିଲା। ଏହି କାରଣରୁ ଏହା ସମାଜରେ ଶାନ୍ତି ଭଙ୍ଗ ବା ବିଷାଦ ସଞ୍ଚରଣର କାରଣ ପାଲଟୁ ନଥିଲା। ବାନପ୍ରସ୍ଥୀମାନେ କ୍ରମେ ସନ୍ନ୍ୟାସୀ ହେଉଥିଲେ। କାଳକ୍ରମେ ବସ୍ତୁବାଦ ମଣିଷକୁ ବିଷୟାସକ୍ତ କଲା ପରେ ଏହି ଚାରି ଆଶ୍ରମର ବ୍ୟବସ୍ଥା ଆଉ ନାହିଁ।
ଆଜି ଆମ ଓଡ଼ିଶାରେ ମୋ ଭଳି ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ କଥା ମନେପକାନ୍ତୁ। ଯେଉଁ ଓଡ଼ିଶାରେ ଆମେମାନେ ଜନ୍ମ ନେଇଥିଲୁ ପିଲାଦିନର ସମୟ ଓ ବର୍ତ୍ତମାନର ସମୟ ମଧ୍ୟରେ କେତେ କ’ଣ ପରିବର୍ତ୍ତନ ଘଟିଛି। ଏଥିପାଇଁ ବିଚଳିତ ହେବାର କୌଣସି କାରଣ ନାହିଁ। କାରଣ ଜୀବନ ପରିବର୍ତ୍ତନାୀଳ। ତେଣୁ କଥାରେ କହନ୍ତି ଆଜି କଥା କାଲିକି ନାହିଁ, କାଲି କଥା ପଚାରୁ କାହିଁ? ସତରେ କଥା ସବୁ, ଘଟଣା ସବୁ ଓ ରୁଚି ସବୁ ଏମିତି ଓଲଟପାଲଟ ହୋଇଯାଉଛି ଯେ ଏସବୁକୁ ବୁଝିବା କ୍ରମେ ଦୁରୂହ ହୋଇପଡ଼ିଲାଣି। ଆମ ଭଳିଆ ବୟସ୍କ ଲୋକଙ୍କ ପକ୍ଷରେ ଏମିତି ପରିବର୍ତ୍ତନଶୀଳତା ମଧ୍ୟରେ ବଞ୍ଚିବା ଓ ଏ ସବୁକୁ ସହ୍ୟ କରିବା ମୁସ୍କିଲ୍ ସମସ୍ୟା ହୋଇପଡ଼ୁଛି। ମହାକାଳ ପରିବର୍ତ୍ତନର କ୍ରୀତଦାସ ଆମେ ସଭିଏଁ। କାଳାଧୀନ ଏଇ ମଣିଷ କାଳକୁ ଲଂଘିବ କିପରି? ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି, ମନରେ ନୈରାଶ୍ୟ ଜାତ ହେଉଛି। ତେବେ ଭାବୁଛି ଯେ ପରିବାରର ପର ପିଢ଼ି ଯଦି ବୟସ୍କମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦିଅନ୍ତି, ତା’ ଠାରୁ ଅଧିକ ଭଲ ଆଉ କ’ଣ ଅଛି? ଜୀବନରେ ନିଜର ପରିବାର ଠାରୁ ହେଉ ବା ପରିବାର ବାହାରେ ଅନ୍ୟ କାହା ଠାରୁ ହେଉ; ସମ୍ମାନ ବା ସହାନୁଭୂତି ଏକ ‘ଟନିକ୍’ ଭଳି କାମ କରେ। ମାତ୍ର ଏକଥା ବୁଝୁଛି କିଏ?
ଗିଲ୍ବାଖ୍ ଷ୍ଟ୍ରାସେ ୯୫ ଏ, ୪୧୪୬୬ ନଏସ୍, ଜର୍ମାନୀ
[email protected]