ସ୍ମାରଂ ସ୍ମାରଂ ଏକାଡେମୀ ବ୍ୟାପାରମ୍‌…

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥ କାହିଁକି ‘ଦାରୁଭୂତ’ ହେଲେ? ଏ ବାବଦରେ ଶାସ୍ତ୍ର-ଗ୍ରନ୍ଥଗୁଡ଼ିକରେ ଅନେକ ତତ୍ତ୍ୱ ଲିପିବଦ୍ଧ ଅଛି। କିନ୍ତୁ ଏ ବାବଦରେ ପ୍ରଚଳିତ ଥିବା ଗୋଟିଏ ଶ୍ଳୋକ ଅତ୍ୟନ୍ତ ଲୋକପ୍ରିୟ। ତାହାର ରଚନାକାର ଅଜ୍ଞାତ। ସେଥିରେ ଶ୍ରୀଜଗନ୍ନାଥ ବା ‘ଶ୍ରୀମୁରାରି’ କାହିଁକି ‘ଦାରୁଭୂତ’ ହେଲେ, ତାହାର କେତେକ ରୋଚକ କାରଣ ଦିଆଯାଇଛି। ସେହି କାରଣଗୁଡ଼ିକ ହେଉଛି- ଯାହାଙ୍କର ଗୋଟିଏ ସ୍ତ୍ରୀ (ସରସ୍ୱତୀ) ମୁଖରା ଓ ଅନ୍ୟ ସ୍ତ୍ରୀ (ଲକ୍ଷ୍ମୀ) ଚଞ୍ଚଳା; ଯାହାଙ୍କର ପୁତ୍ର (କନ୍ଦର୍ପ) ଦୁର୍ନିବାର ବା ଅମାନିଆ; ଯାହାଙ୍କର ଶେଷଶଯ୍ୟା ବିକ୍ଷୁବ୍ଧ ଜଳଧିରେ ଶେଷନାଗଙ୍କ ଉପରେ; ଯାହାଙ୍କର ବାହନ ପନ୍ନଗ ବା ସର୍ପମାନଙ୍କର ଅରି ଗରୁଡ଼- ସେ “ସ୍ୱଗୃହ ଚରିତ ସ୍ମରଣ କରି କରି ଦାରୁଭୂତ” ନ ହେବେ ତ ଆଉ ହେବେ କ’ଣ?

୨୦୧୭ ଡିସେମ୍ବର ୨୬ରେ ଶ୍ରୀକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମନ୍ତ୍ରିପରିଷଦ (କ୍ୟାବିନେଟ୍‌) ବୈଠକର ଅନୁମୋଦନ କ୍ରମେ, ଓଡ଼ିଶାରେ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ ନାମରେ ଏକ ନୂଆ ବିଭାଗ ଗଠିତ ହୋଇଛି। ସେହି ବୈଠକର ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଶାର ଐତିହ୍ୟକୁ ଋଦ୍ଧିମନ୍ତ କରିବାପାଇଁ ‘ଐତିହ୍ୟ କ୍ୟାବିନେଟ୍‌’ (ହେରିଟେଜ୍ କ୍ୟାବିନେଟ୍‌) ନାମରେ ଗୋଟିଏ ସ୍ୱତନ୍ତ୍ର ମନ୍ତ୍ରିପରିଷଦ ମଧ୍ୟ ଗଠନ କରାଯାଇଛି। କିନ୍ତୁ ଏହି ‘ଐତିହ୍ୟ କ୍ୟାବିନେଟ୍‌’ ଯେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସମୃଦ୍ଧି କରିବାରେ ବିଗତ ବର୍ଷଗୁଡ଼ିକରେ ସମର୍ଥ ହୋଇନାହିଁ, ଏହା ଦିବାଲୋକ ପରି ସ୍ପଷ୍ଟ। କାରଣ, ପୁରୀ କ୍ୟାବିନେଟ୍ ବୈଠକର ପ୍ରାୟ ସାତ ମାସ ପରେ ଏହି ‘ଐତିହ୍ୟ କ୍ୟାବିନେଟ୍‌’ ଗଠିତ ହୋଇଥିଲା। ଗଠନର ପରଦିନ, ଅର୍ଥାତ୍ ୨୭ ଜୁଲାଇ, ୨୦୧୮ରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ‘ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ’ ନାମରେ ଏକ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ନିଷ୍ପତ୍ତି କରାଯାଇଥିଲା। କିନ୍ତୁ ସ୍ୱୟଂ ମୁଖ୍ୟମନ୍ତ୍ରୀ ଐତିହ୍ୟ କ୍ୟାବିନେଟ୍‌ର ଅଧ୍ୟକ୍ଷ ଥିଲେ ମଧ୍ୟ, ସେହି ବିଶ୍ୱବିଦ୍ୟାଳୟ ଏଯାଏଁ ମୁଖ୍ୟତଃ ଘୋଷଣା ଓ ଭିତ୍ତିଫଳକ ପ୍ରତିଷ୍ଠା ଭିତରେ ହିଁ ସୀମିତ ରହିଛି। ପୁଣି, ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱକାଳ ପରେ, ଏଇ ସେପ୍ଟେମ୍ବର ୨ ତାରିଖ ଦିନ ହିଁ ‘ଐତିହ୍ୟ କ୍ୟାବିନେଟ୍‌’ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି।

ଏହି ଦୁଇ-ତିନି ବର୍ଷ ଯେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଏକ ଅସ୍ୱସ୍ତିକର ଓ ଅବ୍ୟବସ୍ଥିତ ସମୟ, ଏହା ରାଜ୍ୟର ପ୍ରାୟ ସବୁ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି। ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ, ଏହି ଦ୍ୱିତୀୟ ବୈଠକ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯେଉଁ ‘ସ୍ମାରକପତ୍ର’ ପ୍ରସ୍ତୁତ କରିଥିଲା, ତାହାର ଷଷ୍ଠ ପ୍ରସ୍ତାବରେ ଥିଲା- ‘ଏକାଡେମୀ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ/କେନ୍ଦ୍ରର କାର୍ଯ୍ୟକର୍ତ୍ତା ନିଯୁକ୍ତି’। ସେଥିରେ କୁହାଯାଇଥିଲା- ଏହି ବିଭାଗ ଅଧୀନରେ ଥିବା ୧. ଓଡ଼ିଶା ସାହିତ୍ୟ ଏକାଡେମୀ, ୨. ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ୩. ଓଡ଼ିଶା ଲଳିତକଳା ଏକାଡେମୀ, ୪. ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ/ କେନ୍ଦ୍ର ମଧ୍ୟରୁ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତକଳା ଏକାଡେମୀ ଓ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଂପାଦକ ପଦ ଖାଲି ଅଛି। ସେହିପରି, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦ ମଧ୍ୟ ଖାଲି ଅଛି।

କିନ୍ତୁ ଏହି ପ୍ରସ୍ତାବରେ ଉଲ୍ଲେଖ ନଥିଲେ ମଧ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ପଦ ମଧ୍ୟ ଏବେ ଖାଲି ରହିଛି। ଅଥଚ ଏତେସବୁ ଅବ୍ୟବସ୍ଥା ସତ୍ତ୍ୱେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ସତେ ଯେପରି ‘ଦାରୁଭୂତ ମୁରାରି’ ପରି ରହିଥିଲେ। ନୂଆ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଦାୟିତ୍ୱ ନେବା ପରେ, ତାଙ୍କର ପ୍ରସ୍ତାବମତେ, ଏହି ଐତିହ୍ୟ କ୍ୟାବିନେଟ୍ ବୈଠକରେ, ଖାଲିଥିବା ପଦବିଗୁଡ଼ିକ ପୂରଣ କରାଯିବା ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି।

ଉଲ୍ଲେଖନୀୟ ଯେ ଏହି ସ୍ତମ୍ଭର ଏକାଧିକ ଆଲେଖ୍ୟରେ ଏ ପ୍ରସଙ୍ଗରେ ଆଗରୁ ଚର୍ଚ୍ଚା କରାଯାଇଛି। କିନ୍ତୁ ସରକାରୀ ‘ମୁରାରି’ ମାନେ ‘ଦାରୁଭୂତ’ରୁ ଜାଗ୍ରତ ମୂର୍ତ୍ତି ହୋଇ ନାହାନ୍ତି।

‘ଓରିସା ସାହିତ୍ୟ ଏକାଡେମୀ’ର ‘କନଷ୍ଟିଚ୍ୟୁସନ୍‌’ ବା ସମ୍ବିଧାନର ଧାରା-୩ ଅନୁସାରେ, ଏକାଡେମୀର ‘ଅଫିସର’ ବା ଅଧିକାରୀଙ୍କ ସଂଖ୍ୟା ୪। ସେମାନେ ହେଲେ- ୧. ସଭାପତି, ୨. ଉପସଭାପତି, ୩. କୋଷାଧ୍ୟକ୍ଷ ତଥା ଅର୍ଥ ପରାମର୍ଶଦାତା ଏବଂ ୪. ସଂପାଦକ (ବା ସଚିବ)। ଏ ଚାରିଟିଯାକ ପଦ ଏବେ ଖାଲି। ନୂଆ ସଭାପତି ଦାୟିତ୍ୱ ନେବା ପର୍ଯ୍ୟନ୍ତ ଏ ପଦରେ ଅବସ୍ଥାପିତ ଅଛନ୍ତି ହରିହର ମିଶ୍ର। ସେ ସଭାପତି ପଦରେ ଯୋଗ ଦେଇଥିଲେ ୨୦୧୬ ମସିହା ମେ ମାସ ୬ ତାରିଖରେ। ତାଙ୍କର ତିନିବର୍ଷିଆ କାର୍ଯ୍ୟକାଳ ଶେଷ ହେଲା ୨୦୧୯, ମେ ମାସ ୫ ତାରିଖରେ। ତାହାର ମାସକ ପୂର୍ବରୁ, ଏପ୍ରିଲ୍ ମାସରେ ସରକାର ଏକ ‘ଚୟନ କମିଟି’ ଗଠନ କରିଥିଲେ। ତାହାର ଅଧ୍ୟକ୍ଷ ଥିଲେ ଜ୍ଞାନପୀଠ ପୁରସ୍କାର ବିଜେତା କବି ସୀତାକାନ୍ତ ମହାପାତ୍ର। ତାଙ୍କ ସହିତ ସଦସ୍ୟ ଥିଲେ- ବିଶିଷ୍ଟ ସାହିତ୍ୟିକା ତଥା ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ଅର୍ଚ୍ଚନା ନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଓଡ଼ିଆ ପ୍ରଫେସର ବିଜୟ କୁମାର ଶତପଥୀ ଓ ବିଶିଷ୍ଟ ସାହିତ୍ୟିକ ବିପିନ ବିହାରୀ ବିଶ୍ୱାଳ। ଏହି ଚୟନ କମିଟି ସଭାପତି ପଦ ପାଇଁ ଯେଉଁ ଚାରିଜଣଙ୍କର ନାମ ପ୍ରସ୍ତାବ କରିଥିଲେ, ସେମାନେ ହେଲେ- ଜ୍ଞାନପୀଠ ବିଜେତା କଥାଶିଳ୍ପୀ ପ୍ରତିଭା ରାୟ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂ‌େରଜୀ ପ୍ରଫେସର ତଥା କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ବିଜେତା ପ୍ରାବନ୍ଧିକ ପ୍ରଫୁଲ୍ଲ କୁମାର ମହାନ୍ତି, ସାହିତ୍ୟିକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ଅଲେଖ ଚନ୍ଦ୍ର ପଢ଼ିଆରୀ ଏବଂ ଶାରଳା ପୁରସ୍କାରପ୍ରାପ୍ତ କବି ତଥା ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ହୃଷୀକେଶ ମଲ୍ଲିକ। ଅଥଚ ଦୀର୍ଘ ପ୍ରାୟ ୧୬ ମାସ ବିତିଯାଇଥିଲେ ମଧ୍ୟ, ସେ ବାବଦରେ କୌଣସି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇ ନଥିଲା।

ଏକାଡେମୀର ସମ୍ବିଧାନ ଅନୁସାରେ, ସଭାପତିଙ୍କ ତଳକୁ ଦ୍ୱିତୀୟ ଗୁରୁତ୍ୱସଂପନ୍ନ ଅଫିସର ହେଉଛନ୍ତି- ଉପସଭାପତି। ସମ୍ବିଧାନର ଧାରା-୫ରେ ଉଲ୍ଲେଖ ଅଛି- “The Vice-President shall in the absence of the President for whatever reasons exersise all the powers and functions of the President.’’ ଅର୍ଥାତ୍ ସଭାପତିଙ୍କ ଅବର୍ତ୍ତମାନରେ ଉପସଭାପତି ହିଁ ସଭାପତିଙ୍କ କାର୍ଯ୍ୟ ତୁଲାଇବେ ଏବଂ ତାଙ୍କର ସଭାପତିଙ୍କ ପରି କ୍ଷମତା ରହିବ। ଅଥଚ ସେ ପଦବିଟି ୨୦୧୮ ଫେବ୍ରୁଆରି ୮ ତାରିଖଠାରୁ ଶୂନ୍ୟ ରହିଛି।

ସୂଚନାଯୋଗ୍ୟ ଯେ ୨୦୧୫ ମସିହା ଫେବ୍ରୁଆରି ୯ ତାରିଖଠାରୁ ୨୦୧୮ ମସିହା ଫେବ୍ରୁଆରି ୮ ତାରିଖ ପର୍ଯ୍ୟନ୍ତ ତିନିବର୍ଷ ଧରି ଏହି ପଦବିରେ ଅବସ୍ଥାପିତା ଥିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତା ଶିକ୍ଷୟିତ୍ରୀ ତଥା କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତା ଗାଳ୍ପିକା ଗାୟତ୍ରୀ ସରାଫ। କିନ୍ତୁ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ କୌଣସି ଚୟନକମିଟି ଗଠନ କରାଯାଇ ନଥିଲା କି ନୂଆ ଉପସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ବଢ଼ାଯାଇ ନଥିଲା। ସେହି ପଦ ଖାଲି ପଡ଼ିବାର ପ୍ରାୟ ମାସକ ପରେ, ୨୦୧୮ ମାର୍ଚ୍ଚ ମାସରେ ସରକାର ଏକ ତିନିଜଣିଆ ଚୟନ କମିଟି ଗଠନ କଲେ। ତାହାର ସଦସ୍ୟ ଥିଲେ- ପୂର୍ବତନ ଇଂ‌େରଜୀ ପ୍ରଫେସର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ରାଜକିଶୋର ମିଶ୍ର, ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା ପ୍ରତିଭା ରାୟ ଓ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ବସନ୍ତ କୁମାର ପଣ୍ଡା। ଉପସଭାପତି ପଦ ପାଇଁ ଏହି କମିଟି ଯେଉଁ ଚାରିଜଣଙ୍କ ନାମ ପ୍ରସ୍ତାବ କରିଥିଲେ, ସେମାନେ ହେଲେ- ଅବସରପ୍ରାପ୍ତ ଇଂ‌େରଜୀ ପ୍ରଫେସର ତଥା ବିଶିଷ୍ଟ କବି ଶୁଭେନ୍ଦୁ ମୁଣ୍ଡ, କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାରପ୍ରାପ୍ତା ସାହିତ୍ୟିକା ଶକୁନ୍ତଳା ବଳୀୟାରସିଂହ, ବିଶିଷ୍ଟ ଭାଷା-ସଂସ୍କୃତିଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା ସଂଗଠକ ଇଂଜିନିୟର ପ୍ରଭାକର ସ୍ୱାଇଁ। କିନ୍ତୁ ଦୀର୍ଘ ପ୍ରାୟ ଅଢ଼େଇବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏହି ପଦ ପାଇଁ କାହାରି ନାମ ଅନୁମୋଦନ କରି ନଥିଲେ।

ଏକାଡେମୀର ସମ୍ବିଧାନ ଅନୁସାରେ, ଚତୁର୍ଥ ତଥା ସବୁଠୁ ଗୁରୁ୍‌ତ୍ୱପୂର୍ଣ୍ଣ ଅଫିସର ହେଉଛନ୍ତି- ସଂପାଦକ। କୋଷାଧ୍ୟକ୍ଷ ତଥା ଅର୍ଥପରାମର୍ଶଦାତା ତୃତୀୟ ଅଫିସର ହୋଇଥିଲେ ମଧ୍ୟ, ଏ ହେଉଛନ୍ତି ‘ପ୍ରିନ୍‌ସପାଲ ଏକ୍‌ଜିକ୍ୟୁଟିଭ୍ ଅଫିସର’ ବା ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ। ଅଥଚ ୨୦୧୮ ଜାନୁଆରି ୨୯ ତାରିଖ ପରଠାରୁ ଏ ପଦଟି ଚାଲିଛି କାମଚଳାରେ।
ଓଡ଼ିଶା ସାହିତ୍ୟ ଏକାଡେମୀର ଶେଷ ପୂର୍ଣ୍ଣକାଳୀନ ସଂପାଦକ ଥିଲେ ଅଶ୍ୱିନୀକୁମାର ମିଶ୍ର। ୨୦୧୮ ଜାନୁଆରି ୨୯ ତାରିଖରେ ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ ହେଉଥିବାରୁ, ସେ ବର୍ଷ ଜାନୁଆରି ମଧ୍ୟଭାଗରେ ଗୋଟିଏ ଚୟନ କମିଟି ଗଢ଼ା ହୋଇଥିଲା। ତାହାର ତିନି ସଦସ୍ୟ ଥିଲେ- ଶାରଳା ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡ଼ି ହୋତା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଓଡ଼ିଆ ପ୍ରଫେସର ତଥା ସାହିତ୍ୟିକ ବିଜୟ କୁମାର ଶତପଥୀ ଓ ବିଷ୍ଣୁପ୍ରିୟା ଓତା। କମିଟିର ପ୍ରସ୍ତାବ ଆଧାରରେ ଏହି ପଦର ପରିପୂରଣ ପାଇଁ ଏକ ଚାରିଜଣିଆ ନାମ ତାଲିକା ଚୂଡ଼ାନ୍ତ ହୋଇଥିଲା। ସେଥିରେ ଥିଲେ- ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ବିଜୟାନନ୍ଦ ସିଂହ, ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ ଗୀତିକବି ଧନଞ୍ଜନ ସ୍ୱାଇଁ, ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ତଥା ସାହିତ୍ୟିକ ବିବେକାନନ୍ଦ ପାଣିଗ୍ରାହୀ ଏବଂ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ରମେଶ ଚନ୍ଦ୍ର ପାଣି। କିନ୍ତୁ ସେଥିମଧ୍ୟରୁ କେହି ଜଣଙ୍କୁ ବି ସରକାରଙ୍କର ସ୍ୱୀକୃତି ମିଳିଲା ନାହିଁ। ଫଳରେ ୨୦୧୮ ଜାନୁଆରି ୩୦ ତାରିଖଠାରୁ, ସେହି ପଦରେ ବିଭାଗୀୟ ସରକାରୀ ଅଧିକାରୀ ହିଁ ‘ଭାରପ୍ରାପ୍ତ’ ଭାବରେ ଅବସ୍ଥାପିତ ହେଉଛନ୍ତି। ଜଣଙ୍କର ଅବସର ପରେ, ଏବେ ଆଉଜଣେ ସରକାରୀ ଅଧିକାରୀ ସଂପାଦକ ପଦର ଭାର ତୁଲାଉଛନ୍ତି।

ନିର୍ଭରଯୋଗ୍ୟ ସୂତ୍ରର ସୂଚନା ଅନୁସାରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସେପ୍ଟେମ୍ବର ୨ ତାରିଖର ଐତିହ୍ୟ କ୍ୟାବିନେଟ୍ ବୈଠକ ପାଇଁ ଯେଉଁ ‘ସ୍ମାରକପତ୍ର’ ଦେଇଥିଲେ, ତାହାର ‘ଷଷ୍ଠ ପ୍ରସ୍ତାବ’ରେ ଏ ସଂପର୍କରେ ଉଲ୍ଲେଖ ଥିଲା- “ପ୍ରଚଳିତ ପଦ୍ଧତି ଅନୁସାରେ, ଏହି ପଦବି ପୂରଣ ପାଇଁ ନିଯୁକ୍ତି ଏକ ଚୟନ କମିଟି ଜରିଆରେ କରାଯାଉଛି। ଏହି କମିଟି ଦ୍ୱାରା ଅନୁମୋଦିତ ନାମଗୁଡ଼ିକ ସରକାରଙ୍କ ନିକଟକୁ ପଠାଯାଇଥାଏ। ବିଶେଷତଃ ଚୟନ ପଦ୍ଧତି ପ୍ରକ୍ରିୟା ଯୋଗୁଁ ପଦବି ପୂରଣ ଦିଗରେ ଅହେତୁକ ବିଳମ୍ବ ପରିଦୃଷ୍ଟ ହେଉଅଛି। ଏବଂ ଏହାଦ୍ୱାରା ନାମ ଚୟନ ମଧ୍ୟ ଉପଯୁକ୍ତ ଭାବେ ଉପଲବ୍‌ଧ ହେବାରେ ସମସ୍ୟା ହେଉଅଛି। ତେଣୁ ଚୟନ ପ୍ରକ୍ରିୟା ମୁକ୍ତ ବିଜ୍ଞାପନ ଜରିଆରେ ଏବଂ ଆବଶ୍ୟକ ସ୍ଥଳେ ମନୋନୟନ ପ୍ରକ୍ରିୟାରେ ଚୟନ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଗଲା। ଏତଦ୍ଦ୍ୱାରା … ଏକାଡେମୀ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ/କେନ୍ଦ୍ରଗୁଡ଼ିକରେ ଖାଲିପଡ଼ିଥିବା ପଦବିଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନେବା ସହଜ ହେବ।” ଏହି ଅନୁସାରେ, ଐତିହ୍ୟ କ୍ୟାବିନେଟ୍‌ ଦ୍ୱାରା “ଖାଲିପଡ଼ିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକସ୍ଥଳେ ମନୋନୟନ ମାଧ୍ୟମରେ ଚୟନ କରାଯିବା ପାଇଁ ପ୍ରସ୍ତାବ ଅନୁମୋଦନ କରାଗଲା” ବୋଲି ସରକାରଙ୍କ ପକ୍ଷରୁ ‘ପ୍ରେସ୍ ଇସ୍ତାହାର’ରେ କୁହାଯାଇଛି।

କିନ୍ତୁ ଯେଉଁ ଆଳରେ ‘ଚୟନ ପଦ୍ଧତି’ ପରିବର୍ତ୍ତେ ‘ମୁକ୍ତ ବିଜ୍ଞାପନ’ ବା ‘ଆବଶ୍ୟକସ୍ଥଳେ ମନୋନୟନ’ ପ୍ରକ୍ରିୟାରେ ଏହା କରାଯିବ ବୋଲି ଐତିହ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି, ତାହା ଅଯଥାର୍ଥ। କାରଣ, ଉପରୋକ୍ତ ତଥ୍ୟ ସୂଚାଏ ଯେ ତିନିଟିଯାକ ପଦବି ପାଇଁ ‘ଚୟନ କମିଟି’ ଯଥା ସମୟରେ ତାଙ୍କର ନାମ ପ୍ରସ୍ତାବ କରିଥିଲେ। କୌଣସି ଗୋଟିଏ କମିଟି ବି ‘ଅହେତୁକ ବିଳମ୍ବ’ କରି ନଥିଲେ। ଯୋଗ୍ୟ ସଦସ୍ୟ ବା ଅଧ୍ୟକ୍ଷମାନେ ପ୍ରତିଟି ପ୍ରସ୍ତାବରେ କିଛି କିଛି ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ପ୍ରସ୍ତାବ କରିଥିଲେ। ଉଦାହରଣ ସ୍ୱରୂପ, ଏବେ ଜ୍ଞାନପୀଠ ଚୟନ କମିଟିର ଅଧ୍ୟକ୍ଷା ଥିବା, ମୂର୍ତ୍ତିଦେବୀ ଓ ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ରାୟ କ’ଣ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ପାଇଁ ‘ଉପଯୁକ୍ତ’ ନୁହନ୍ତି? ସେହିପରି, ଉପସଭାପତି ପଦ ପାଇଁ ବିଗତ କିଛି ବର୍ଷ ଧରି ସାଧାରଣତଃ ପଶ୍ଚିମ ଓଡ଼ିଶାର ସାହିତ୍ୟିକଙ୍କ ନାମ ହିଁ ବିଚାରକୁ ନିଆଯାଉଛି। ସମ୍ଭବତଃ ଏହି ଦୃଷ୍ଟିରୁ, ଚୟନ କମିଟି ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଇଂ‌େରଜୀ ପ୍ରଫେସର ତଥା ବିଶିଷ୍ଟ କବି ଶୁଭେନ୍ଦୁ ମୁଣ୍ଡଙ୍କ ନାମ ପ୍ରସ୍ତାବ କରିଥିଲେ। ସେ ବି କ’ଣ ‘ଉପଯୁକ୍ତ’ ନୁହନ୍ତି? ସଂପାଦକ ପଦ ପାଇଁ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ବିଜୟାନନ୍ଦ ସିଂହ। ସେ ମଧ୍ୟ ଏବେ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ତଥା ଓଡ଼ିଆ ଆବାହକ ଅଛନ୍ତି। ସେ ବି କ’ଣ ‘ଉପଯୁକ୍ତ’ ନୁହନ୍ତି?

ଏଣୁ ‘ଚୟନ ପଦ୍ଧତି ପ୍ରକ୍ରିୟା’ର ‘ଅହେତୁକ ବିଳମ୍ବ’ ଏବଂ ‘ଅନୁପଯୁକ୍ତ ନାମ ଚୟନ’ ସରକାରଙ୍କର ଏକ ଏକ ବାହାନା ମାତ୍ର। ଏହି ଆଳରେ, ‘ମୁକ୍ତ ବିଜ୍ଞାପନ’ ବା ‘ଆବଶ୍ୟକ ସ୍ଥଳେ ମନୋନୟନ ପ୍ରକ୍ରିୟାରେ ଚୟନ’ ପ୍ରସ୍ତାବ ଅନୁମୋଦିତ ହୋଇଛି। ଓଡ଼ିଶାରେ ଅବଶ୍ୟ ପଦକାଙ୍ଗାଳ ସାହିତ୍ୟିକଙ୍କର ଅଭାବ ନାହିଁ; ମାତ୍ର ସରକାର ମନେ ରଖିବା ଉଚିତ ଯେ- କୌଣସି ସତ୍ ଓ ସ୍ୱାଭିମାନୀ ସାହିତ୍ୟିକ କେବେ ବି ସଭାପତି, ଉପସଭାପତି ବା ସଂପାଦକ ପଦ ପାଇଁ ସରକାରଙ୍କ ପାଖରେ ପ୍ରାର୍ଥୀ ହୋଇ ପଦଭିକ୍ଷା କରିବେ ନାହିଁ।

ଏହାର ଆଉ ଏକ ବଡ଼ ଦିଗ ହେଉଛି- ସରକାର ଏକାଡେମୀକୁ ପୂର୍ଣ୍ଣତଃ ନିଜ କର୍ତ୍ତୃତ୍ୱରେ ରଖିବାକୁ ଚାହାନ୍ତି। ଏକାଡେମୀର ‘ସ୍ୱୟଂଶାସନ’ ଖାଲି କଥାର କଥା। ଏଣୁ ‘ଐତିହ୍ୟ କ୍ୟାବିନେଟ୍‌’ର ଏହି ନିଷ୍ପତ୍ତି ଫଳରେ ସାହିତ୍ୟିକମାନେ ହିଁ ଏଣିକି ‘ଦାରୁଭୂତ ମୁରାରି’ ହୋଇ ରହିବା ସାର ହେବ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର