ବିଜ୍ଞାନ ସମ୍ବନ୍ଧରେ କିଛି ବିଶେଷ ସମ୍ବାଦ ବା ଲେଖା ପଢ଼ିଲେ ମୋର ଗୋଟିଏ ପୁରୁଣା କଥା ମନେ ପଡ଼ିଯାଏ। ଆମ ପିଲାଦିନେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ‘ମୋ ଜୀବନର ଲକ୍ଷ୍ୟ’ ଉପରେ ରଚନା ଲେଖିବାକୁ କୁହାଯାଉଥିଲା। ସେତେବେଳେ ପିଲାମାନଙ୍କର ଜୀବନର ପ୍ରିୟ ଲକ୍ଷ୍ୟ ଥିଲା ବୈଜ୍ଞାନିକ ହେବା କିମ୍ବା ପାଇଲଟ୍ ହେବା। ଶିକ୍ଷକଙ୍କ ମନରେ ନିଜ ପ୍ରତି ଅନୁକୂଳ ଧାରଣା ସୃଷ୍ଟି କରିବା ପାଇଁ ହେଉ ଅଥବା ଅଧିକ ମାର୍କ ଆଣିବା ପାଇଁ, ମୁଁ ବି ବେଶି ସମୟରେ ଏହି ବୈଜ୍ଞାନିକ ହେବା ଲକ୍ଷ୍ୟଟି ବାଛୁଥିଲି। ଅବଶ୍ୟ ସେତେବେଳେ ବି ମୋ ମନରେ ସନ୍ଦେହଟିଏ ଉଙ୍କି ମାରୁଥିଲା କାଳେ ମୁଁ ବଡ଼ ହେଲାବେଳକୁ ମୋ ପାଇଁ ଉଦ୍ଭାବନ କରିବାକୁ କିଛି ବାକି ଥିବ କି ନାହିଁ।
ପରବର୍ତ୍ତୀ ସମୟରେ କଳାର ଛାତ୍ର ହିସାବରେ ବୈଜ୍ଞାନିକ ଉଦ୍ଭାବନର ଆଶା ସିନା ମୋ ମନରୁ ମଉଳି ଯାଇଥିଲା, ହେଲେ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ଗବେଷଣା ଗୁଡ଼ିକ ପ୍ରତି ବେଳେ ବେଳେ କୌତୂହଳ ଜାଗ୍ରତ ହେଉଥିଲା। ଆଉ କୌଣସି ଚିତ୍ତାକର୍ଷକ ବୈଜ୍ଞାନିକ କୃତି ବା ଗବେଷଣାତ୍ମକ ତତ୍ତ୍ୱ ବାହାରିଲେ ସେଗୁଡିକ ପ୍ରତି ମୋର ଆଗ୍ରହ ପ୍ରବଳ ମାତ୍ରାରେ ବୃଦ୍ଧି ପାଉଥିଲା। ଏବେ ବିଶ୍ୱମହାମାରୀ ସମ୍ବନ୍ଧରେ ଦୈନନ୍ଦିନ କିଛି ନା କିଛି ନୂଆ ତଥ୍ୟ ଆବିଷ୍କାର ହେଉଥିବାରୁ ଗବେଷଣାର ରୀତି ନୀତି ପର୍ଯ୍ୟବେକ୍ଷଣରେ ମୁଁ ପୁଣି ମନ ଦେଲି। ମୋର ତର୍ଜମା କିନ୍ତୁ ଜମା ଉତ୍ସାହଜନକ ନ ଥିଲା, ବରଂ ଆଜିର ଗବେଷଣାର ସ୍ୱରୂପ ମନରେ ସୃଷ୍ଟି କରିଥିଲା ଅନେକ ପ୍ରଶ୍ନବାଚୀ।
ମହାମାରୀ ବ୍ୟାପିବା ଦିନରୁ କେତେ ସବୁ ଗବେଷଣା ପ୍ରସୂତ ତଥ୍ୟ ବାହାରିଲାଣି ଏବଂ ସେ ସବୁ ସାଧାରଣ ମଣିଷର ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷା ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଆପଣ ଗୋଟିଏ ଗବେଷଣାର ଉପଦେଶ ଅନୁସାରେ ଚଳିବାକୁ ଆରମ୍ଭ କଲା ବେଳକୁ ଆଉ କେହି ଗବେଷକ ତାର ବିପରୀତ କଥାଟି ସତ ବୋଲି ଘୋଷଣା କଲେଣି। କରୋନାର ଉତ୍ସଠାରୁ ଆରମ୍ଭ କରି ଏହାର ସମାଧାନ ବା ପ୍ରତିଷେଧକ ଟିକା ପର୍ଯ୍ୟନ୍ତ କୌଣସି ଗୋଟିଏ ସିଦ୍ଧାନ୍ତ ବାହାରି ନାହିଁ ଯାହା ବିଷୟରେ ସମସ୍ତ ବୈଜ୍ଞାନିକ ଏକମତ। ମାସ୍କ୍ ପିନ୍ଧିବା ଉଚିତ କି ନୁହେଁ, ଭୂତାଣୁ ବାୟୁ ମାଧ୍ୟମରେ ସଂକ୍ରମିତ ହୁଏ କି ନାହିଁ କିମ୍ବା ଥରେ ଭୂତାଣୁ ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ ଆଉଥରେ ସଂକ୍ରମଣ ହୁଏ କି ନାହିଁ: ଏମିତି ଅନେକ ବିଷୟରେ ଗବେଷକମାନେ ଅଲଗା ଅଲଗା ମତ ପୋଷଣ କରୁଛନ୍ତି।
କେବଳ କରୋନା ମହାମାରୀ କାହିଁକି, ଚିକିତ୍ସା ବିଜ୍ଞାନର ଗବେଷଣା ଗୁଡ଼ିକ ମଣିଷ ଜାତି ପାଇଁ ସବୁବେଳେ ଗୁରୁତ୍ବପୂର୍ଣ୍ଣ। କେଉଁ ରୋଗ ପାଇଁ କେଉଁ ଖାଦ୍ୟ ଭଲ ବା ଖରାପ ସେ ନେଇ ଅନେକ ଭ୍ରାନ୍ତି ସୃଷ୍ଟିକାରୀ ବୈଜ୍ଞାନିକ ମତାମତ ହୁଏତ ଅନେକ ଦିନରୁ ଆପଣ ଶୁଣି ଆସୁଥିଲେ। କଫି, ଅଣ୍ଡାର କେଶର ବା ଲୁଣ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ଖରାପ, କିନ୍ତୁ ହଠାତ ନୂଆ ଗବେଷଣା ମାନ ଜାହିର କଲେଣି ଯେ ମାତ୍ରାଧିକ ନ ହେଲେ ଏଗୁଡ଼ିକ ଉପକାରୀ। ଯେଉଁ ଜିନିଷକୁ ଆପଣ ନିର୍ବିଘ୍ନରେ ବ୍ୟବହାର କରି ଆସୁଥିଲେ ଆଜି ହଠାତ ତାହା କ୍ୟାନ୍ସର ଉଦ୍ରେକକାରୀ ଘୋଷିତ ହେଲାଣି। ମଧୁମେହ ଭଳି ଜୀବନଚର୍ଯ୍ୟା ଜନିତ ରୋଗ ଗୁଡ଼ିକର କଥା ତ ଆହୁରି ସଙ୍ଗୀନ। ଅନେକ ଦିନରୁ ଶୁଣି ଆସୁଥିଲେ ଭାତ ମଧୁମେହ ପାଇଁ ଖରାପ, କିନ୍ତୁ ଆଜି ଶୁଣିବାକୁ ମିଳୁଛି ଯେ ଭାତ ନୁହେଁ, ପ୍ରକୃତ ଖଳନାୟକ ହେଉଛି ଗହମ ଅଟାରେ ତିଆରି ରୁଟି। ସବୁଜ ବିପ୍ଳବ ବେଳେ ବିଦେଶରୁ ଆସିଥିବା ଗହମ ଚାଷର ପ୍ରସାର ଫଳରେ ଆମର ଦେଶୀୟ ଗହମ ଜାତି ଲୋପ ପାଇଗଲା ଓ ନୂଆ ପ୍ରଜାତିର ବିହନ ତଥା ଆଧୁନିକ ପ୍ରଣାଳୀରେ ଉତ୍ପାଦନ ହେଉଥିବା ଗହମ ନୂଆ ରୋଗ ସୃଷ୍ଟି କଲା। ସେମିତି ଅନେକ ରୋଗ ପାଇଁ ଗୁଆ ଘିଅ ଥିଲା ଏକ ନିଷିଦ୍ଧ ଖାଦ୍ୟ, ଏବେ କିନ୍ତୁ ଗବେଷଣା ପ୍ରମାଣ କରି ଦେଇଛି ଯେ ସେହି ସବୁ ରୋଗ ପାଇଁ ଗୁଆ ଘିଅ ଖରାପ ନୁହେଁ ବରଂ ଭଲ। ସେହି କାରଣରୁ ଆଜି ବିଦେଶରେ ଗୁଆ ଘିଅର ଚାହିଦା ଖୁବ ବେଶି।
ସ୍ୱାସ୍ଥ୍ୟରକ୍ଷା ଓ ଔଷଧ ମଧ୍ୟରେ ସମ୍ପର୍କ ସବୁବେଳେ ନିବିଡ଼। ଆଜି ପ୍ରତ୍ୟେକ ଆଧୁନିକ ସମାଜମାନଙ୍କରେ ଏହି ଦୁଇ କ୍ଷେତ୍ର ଭିତରେ ସମନ୍ୱୟ ରଖୁଥିବା ବାଣିଜ୍ୟ ବିଭାଗଟି ଖୁବ ସକ୍ରିୟ। ସ୍ୱାସ୍ଥ୍ୟ ଉପଯୋଗୀ ନୂଆ ନୂଆ ଔଷଧ ଆବିଷ୍କାର କରିବା ପାଇଁ କମ୍ପାନିମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗବେଷଣା ଓ ବିକାଶ ବିଭାଗଟି ଚାଲୁ ରଖିଥାନ୍ତି। ଏହି ପ୍ରକ୍ରିୟା ଫଳରେ ନୂଆ ଔଷଧ ଗୁଡ଼ିକ ପାଇଁ ସରକାରୀ ସ୍ୱୀକୃତି ତ ସହଜରେ ମିଳିଯାଏ, ତା’ ସାଙ୍ଗରେ ମିଳିଯାଏ ଅଗଣିତ କ୍ରେତାଙ୍କର ସମର୍ଥନ। ହୁଏତ ଏହି କାରଣରୁ ଆମ ସମୟର ଗବେଷଣା ଜନିତ ସବୁଠାରୁ ଜଘନ୍ୟ ଧୋକାବାଜିର ଉଦାହରଣ ଦେଖିବାକୁ ମିଳେ ଔଷଧ ଅନୁମୋଦନ ପ୍ରକ୍ରିୟା ବିଷୟକୁ ନେଇ।
ବିଶ୍ୱବିଦ୍ୟାଳୟ ତଥା ବୈଷୟିକ ସଂସ୍ଥା ମାନ ବୈଜ୍ଞାନିକ ଗବେଷଣାର କେନ୍ଦ୍ରସ୍ଥଳୀ। ହେଲେ ସେଠି ବି ଅବସ୍ଥା ଏମିତି ଯେ ଅନେକେ ବିଶ୍ୱାସ କରନ୍ତି ଆଜିର ଗବେଷଣା ଭିତରେ ପ୍ରବଞ୍ଚନା, ଧୂର୍ତ୍ତତା ଓ ଅସତ୍ ବୁଝାମଣା ଲୁଚି ରହିଛି। ଗବେଷଣା ଓ ସନ୍ଦର୍ଭ ପ୍ରକାଶନ ପାଇଁ ବିଶ୍ୱବିଦ୍ୟାଳୟ ତଥା ଚାକିରି କ୍ଷେତ୍ରରେ ଥିବା ଚାପ ଯୋଗୁଁ ଆମ ଦେଶରେ ମଧ୍ୟ ଅନେକ ଗବେଷକ ଶଠତା ଓ ସନ୍ଦର୍ଭ ଚୋରିର ରାସ୍ତା ଆପଣେଇଥା’ନ୍ତି।
ଗବେଷଣା ଜଗତ୍ର ଆଉ ଗୋଟିଏ ଦିଗ ହେଲା ଉଦ୍ଭଟ ତଥା ମଜାଦାର ବିଷୟ ସବୁ ଉପରେ ଅନୁସନ୍ଧାନ କରିବା। ଗତ କିଛି ବର୍ଷ ଭିତରେ ନାମଜାଦା ଏଭଳି କିଛି ଗବେଷଣାର ଉଦାହରଣ ହେଲା: ଗାଈର ଯଦି ନାଁ ଦେବେ ତା’ହେଲେ ସେ ଅଧିକ କ୍ଷୀର ଦେବ, କଦଳୀ ଚୋପା ପିଚ୍ଛଳ କାହିଁକି, କୁକୁଡ଼ାମାନେ ସୁନ୍ଦର ମଣିଷକୁ ଅଧିକ ପସନ୍ଦ କରନ୍ତି, ନାକପୁଡ଼ା ଦେଇ ନିଃଶ୍ୱାସ ନେଲେ ମଣିଷର ଭାବନା ଶକ୍ତି ବଢ଼ିଥାଏ, ଇତ୍ୟାଦି, ଇତ୍ୟାଦି। ଏଭଳି ଗବେଷଣାର ସଂଖ୍ୟା ବଢ଼ୁଥିବାରୁ ଆମେରିକାରେ ପ୍ରତି ବର୍ଷ ଦଶଗୋଟି ସବୁଠାରୁ ଅଦ୍ଭୁତ ଉଦ୍ଭାବନ ବା ସିଦ୍ଧାନ୍ତକୁ “ଇଗ୍ ନୋବେଲ ପୁରସ୍କାର”ରେ ସମ୍ମାନିତ ମଧ୍ୟ କରାଯାଇଥାଏ।
ସୌଭାଗ୍ୟ ନଗର, ଭୁବନେଶ୍ୱର