ଏ ମହାମାରୀର ଅନ୍ତ କେବେ!

ବିଜ୍ଞାନ ଆଲୋଚନା - ଅମୂଲ୍ୟ କୁମାର ପଣ୍ତା

ଚୀନ୍‌ ଉହାନ୍‌ ଆମିଷ ହାଟରେ ଚିଙ୍ଗୁଡ଼ି ବିକୁଥିବା ଓ୍ୱଇ ଗାଏକ୍‌ସିଆନ୍‌ ‘ସିଭିୟର ଏକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ତ୍ରୋମ୍‌ କରୋନା ଭାଇରସ୍‌-୨ ବା SARS-Cov2 ଦ୍ବାରା ଆକ୍ରାନ୍ତ ପ୍ରଥମ ରୋଗୀ ବୋଲି ୩୦.୩.୨୦୨୦ର ‘ଦ ଇକନୋମିକ୍‌ ଟାଇମ୍‌ସ’ରୁ ଜଣାପଡ଼େ। ୧୦.୧୨.୨୦୧୯ରେ ସ˚କ୍ରମିତ ଏହି ମହିଳା ଜାନୁଆରି, ୨୦୨୦ରେ ସୁସ୍ଥ ହୋଇଥିଲେ। ଏହି ଭୂତାଣୁ ସ˚କ୍ରମଣ ୨୦୧୯ରେ ଆରମ୍ଭ ହୋଇଥିବାରୁ ଏହାକୁ ‘କରୋନା ଭାଇରସ୍‌ ଡିଜିଜ୍‌-୧୯’ (କୋଭିଡ୍‌-୧୯) କୁହାଯାଉଛି। ୩୧.୧୨.୨୦୧୯ରେ ଚୀନ ତରଫରୁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନକୁ ସତର୍କ କରି ଦିଆଯାଇଥିଲା ଯେ ଉହାନ୍‌ରେ କିଛି ଫ୍ଲୁ ପରି ରୋଗ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ କୋଭିଡ୍‌-୧୯ର ପ୍ରସାରକୁ ବିଚାର କରି ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଏହାକୁ ୧୧.୩.୨୦୨୦ରେ ବିଶ୍ବ ମହାମାରୀ ଭାବେ ଘୋଷଣା କରିଥିଲା। ସେତେବେଳକୁ ୧୧୪ଟି ଦେଶର ପ୍ରାୟ ୧,୨୬,୧୪୦ ଜଣ ସ˚କ୍ରମିତ ହୋଇ ସାରିଥିଲେ ଓ ୪,୬୦୦ରୁ ଅଧିକ ପ୍ରାଣ ହରାଇ ସାରିଥିଲେ।

ସ˚ପ୍ରତି ଏହାର ଛଅ ମାସ ପରେ ଏହି ‘ପାନ୍‌ଡେମିକ୍‌’ର ଘନଘଟା ଭିତରେ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ପୃଥିବୀରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- ‘ଏ ମହାମାରୀର ଅନ୍ତ କେବେ?’ କୁହାଯାଉଛି ଯେ ମହାମାରୀର ତିନି ପ୍ରକାରର ଅନ୍ତ ଘଟିପାରେ। ସେଗୁଡ଼ିକ ହେଲା ଚିକିତ୍ସା ବିଜ୍ଞାନ ବଳରେ ରୋଗର ସ˚କ୍ରମଣକୁ ରୋକି ବା ରୋଗ ଜନିତ ଭୟ, ଉତ୍କଣ୍ଠା ଓ ଅସୁବିଧାକୁ ଗୁରୁତ୍ବ ନ ଦେଇ ଏହାକୁ ସାମାଜିକ ଭାବେ ଶକ୍ତିହୀନ କରି ଦେଇ ଅଥବା କୌଣସି ସରକାର ଦ୍ବାରା ଠିକଣା ଭାବେ ଏହାର ପରିଚାଳନା କରି ଯାହାକୁ ରୋଗର ରାଜନୈତିକ ଅନ୍ତ ବୋଲି କୁହାଯାଇପାରେ। ତେବେ, ମହାମାରୀ ତଥା ଭୂତାଣୁ ଉପରେ ବହୁ ବିଷୟ ଓ କାରକର ପ୍ରଭାବ ଥିବାରୁ ବିଶେଷଜ୍ଞମାନେ ସାଧାରଣତଃ ପୂର୍ବାନୁମାନ କରିବା ପାଇଁ ଇଚ୍ଛୁକ ନୁହନ୍ତି। ତେବେ କେତେକ ବିଶାରଦ, ବିଭିନ୍ନ ଅଧୢୟନ ଅନୁଧୢାନ ଏବ˚ ଗବେଷଣାକୁ ଭିତ୍ତି କରି କିଛି କିଛି ଭବିଷ୍ୟତବାଣୀ କରିଛନ୍ତି।

ଏହି ପୃଷ୍ଠଭୂମିରେ ଲବ୍‌ଧ ପ୍ରତିଷ୍ଠ ପତ୍ରିକା ‘ନେଚର‌୍‌’ର ୫.୮.୨୦୨୦ ସ˚ଖ୍ୟାରେ ପ୍ରକାଶିତ ମେଗାନ୍‌ ସ୍କୁଡେଲାରିଙ୍କ ନିବନ୍ଧ ‘How the pandemic might play out in 2021 and beyond’ ଉପରେ କିଞ୍ଚିତ୍‌ ଦୃଷ୍ଟି ଦିଆଯାଇପାରେ। ନିବନ୍ଧର ଆରମ୍ଭ ସେ ନିମ୍ନମତେ କରିଛନ୍ତି, ‘‘ ଜୁନ୍‌, ୨୦୨୧: ବିଗତ ଦେଢ଼ ବର୍ଷ ହେଲା ବିଶ୍ବ କରୋନା ମହାମାରୀ ଦେଇ ଗତି କରୁଛି। ଭୂତାଣୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି; ମଝିରେ ମଝିରେ ଲକ୍‌ଡାଉନ୍‌ କରିବା ସାଧାରଣରେ ପରିଣତ ହେଲାଣି।…’ ଏହି କଳ୍ପିତ ଟିପ୍ପଣୀରୁ କୋଭିଡ୍‌-୧୯ ମହାମାରୀର ସମ୍ଭାବ୍ୟ ଗତିବିଧି ଓ ଭବିଷ୍ୟତର ରୂପ ବାବଦରେ କିଛି ପରିମାଣରେ ଅନୁମାନ କରିହେବ। ବିଶ୍ବବ୍ୟାପୀ ଏହି ସ˚କ୍ରମଣ ବ୍ୟାପି ଚାଲିଥିବା ଯୋଗୁ ହୃଦ୍‌ବୋଧ ହୋଇଗଲାଣି ଯେ ଏହି ଭୂତାଣୁ ସହ ଆହୁରି ବେଶ୍‌ କିଛି କାଳ ରହିବାକୁ ପଡ଼ିବ। ଏଥିପାଇଁ ଗୋଷ୍ଠୀ ପ୍ରତିରୋଧିନୀ ଶକ୍ତି (Herd immunity) ପ୍ରସଙ୍ଗ ଉଠୁଛି। ଏହି ଶକ୍ତି ସୃଷ୍ଟି ହେଲେ ମହାମାରୀର ପ୍ରକୋପ କମି ତାହା ଅପସରି ଯିବ ବୋଲି କୁହାଯାଉଛି। କିନ୍ତୁ ଏଥିରେ କିଛି ଅନିଶ୍ଚିତତା ମଧୢ ରହିଛି। କାରଣ ଲୋକଙ୍କ ଠାରେ ଦୀର୍ଘକାଳୀନ ରୋଗ ପ୍ରତିରୋଧ ଶକ୍ତି ବିକଶିତ ହେବ କି ନାହିଁ, ତାହା ମଧୢ ଏକ ପ୍ରଶ୍ନ। ଏ ସ˚ଦର୍ଭରେ ‘ଲଣ୍ତନ ସ୍କୁଲ ଅଫ୍‌ ହାଇଜିନ୍‌ ଏଣ୍ତ ଟ୍ରପିକାଲ ମେଡିସିନ୍‌’ର ରୋଜାଲିଣ୍ତ ଏଗ୍‌ଗୋଙ୍କ ମତରେ ଗୋଷ୍ଠୀ ପ୍ରତିରୋଧିନୀ ଶକ୍ତି ହାସଲ କରିବାକୁ ହେଲେ ୫୦-୭୫% ଲୋକଙ୍କ ଠାରେ ଟିକା ଦ୍ବାରା ହେଉ ବା ସ˚କ୍ରମଣ ଜରିଆରେ ପ୍ରତିରୋଧୀ ଶକ୍ତିର ବିକଶିତ ହେବା ଆବଶ୍ୟକ। ତେବେ, ଯୁକ୍ତରାଷ୍ଟ୍ର ଆମେରିକାର ଟିକା ବିଶାରଦ ମନ୍‌ସେଫ୍‌ ସ୍ଲାଓଇଙ୍କ ମତରେ ଏହା ବେଶ୍‌ ସମୟସାପେକ୍ଷ ଏବ˚ ଫେବ୍ରୁଆରି, ୨୦୨୧ ପୂର୍ବରୁ ଏହା ସମ୍ଭବ ନୁହେଁ। ପୁଣି ସେ ଦେଶର ପୂର୍ବତନ ସର୍ଜନ୍‌ ଜେନେରାଲ୍‌ ବିବେକ ମୂର୍ତ୍ତି ଆଉ ପାଦେ ଆଗକୁ ଯାଇ କହନ୍ତି ଯେ ଏହି ମହାମାରୀର ଅନ୍ତ ୨୦୨୨ ଶେଷ ହେବା ପୂର୍ବରୁ ହେବାର ସମ୍ଭାବନା ନାହିଁ। ହାର୍ଭାର୍ଡର ‘ଟି.ଏଚ୍‌.ଚାନ୍‌ ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲଥ୍‌’ର ୟୋନାଟନ୍‌ ଗ୍ରାଡ୍‌ଙ୍କ ମତରେ ସମସ୍ତେ ନ ହେଲେ ବି ଅଧିକା˚ଶ ଲୋକ ନିୟମ ମାନି ଚଳିଲେ ଭୂତାଣୁର ପ୍ରସାରକୁ ଅନେକା˚ଶରେ ରୋକି ହେବ।

ଅପରପକ୍ଷରେ ୨୦୧୩ରେ ରସାୟନ ବିଜ୍ଞାନରେ ନୋବେଲ ବିଜେତା ମାଇକେଲ୍‌ ଲେଭିଟ୍‌ ଅତ୍ୟନ୍ତ ଆଶାବାଦୀ ଯେ ଏହି ମହାମାରୀର ଅନ୍ତ ଶୀଘ୍ର ଘଟିବ। ସୂଚନାଯୋଗ୍ୟ ଯେ ସେ ପୂର୍ବରୁ ଚୀନ୍‌ର ସ˚କ୍ରମିତ ଓ ମୃତକଙ୍କ ସ˚ଖ୍ୟା ଉପରେ ପୂର୍ବାନୁମାନ କରିଥିଲେ, ଯାହା ପ୍ରାୟ ସ˚ପୂର୍ଣ୍ଣ ଠିକ୍‌ ହୋଇଥିଲା। ବିଲ୍‌ ଗେଟ୍‌ସଙ୍କ ମତରେ ଖୁବ୍‌ ଶୀଘ୍ର ଟିକା ଉପଲବ୍‌ଧ ହେବ ଏବ˚ ସମୃଦ୍ଧ ଦେଶମାନଙ୍କରେ ୨୦୨୧ ଶେଷ ସୁଦ୍ଧା ଏବ˚ ଅନ୍ୟ ଦେଶମାନଙ୍କରେ ୨୦୨୨ ଶେଷ ସୁଦ୍ଧା ଏହି ମହାମାରୀର ଅନ୍ତ ଘଟିବ। ପ୍ରକାଶ ଥାଉ କି ତାଙ୍କ ଫାଉଣ୍ତେସନ ତରଫରୁ ଆର୍ଥିକ ଅନୁଦାନ ପାଇ ପୁଣେସ୍ଥିତ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ଟିକା ପ୍ରସ୍ତୁତ କରୁଛି। ଅକ୍ସଫୋର୍ଡ‌୍‌ ବିଶ୍ବବିଦ୍ୟାଳୟର ମହାମାରୀ ବିଶାରଦ ସୁନେତ୍ରା ଗୁପ୍ତା କହନ୍ତି- ସାଧାରଣ ଭାବେ ସୁସ୍ଥ ରହୁଥିବା ବ୍ୟକ୍ତିମାନେ ଏହି ଭୂତାଣୁକୁ ଡରିବାର କାରଣ ନାହିଁ। କେବଳ ବୟୋଜ୍ୟେଷ୍ଠ ବା ଦୁର୍ବଳ ବ୍ୟକ୍ତି ଏବ˚ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏଥିପ୍ରତି ସତର୍କ ରହିବା ବିଧେୟ। ଫ୍ଲୁ ପରି ଏହା ଆମ ଜୀବନର ଏକ ଅ˚ଶ ପାଲଟିଯିବ। ଏଠାରେ ସୂଚନା ଦିଆଯାଇପାରେ ଯେ ମହାମାରୀର ସ୍ଥିତି ସବୁ ଦେଶରେ ଏକାପରି ନୁହେଁ। କଠୋର ଲକ୍‌ଡାଉନ୍‌ ତଥା ଅନ୍ୟ ସତର୍କତା ଅବଲମ୍ବନ କରି ନ୍ୟୁଜିଲାଣ୍ତରେ କୋଭିଡ୍‌-୧୯କୁ ନିୟନ୍ତ୍ରଣ କରାଯାଇଛି। ସେହିପରି ଅଷ୍ଟ୍ରେଲିଆ, ଭିଏତ୍‌ନାମ ଓ ଦକ୍ଷିଣ କୋରିଆରେ ଅନୁରୂପ ସଫଳତା ମିଳିବାର ସମ୍ଭାବନା ଅଛି। (୨୦୧୫ରେ ମିଡଲ୍‌ ଇଷ୍ଟ ରେସ୍ପିରେଟୋରି ସିଣ୍ତ୍ରୋମ୍‌-MERS ଭୂତାଣୁ ଦକ୍ଷିଣ କୋରିଆରେ ୧୮୬ ଜଣଙ୍କୁ ସ˚କ୍ରମିତ କରିଥିଲା। ଏଥିରେ ୩୬ ଜଣ ପ୍ରାଣ ହରାଇଥିଲେ। ତେବେ ଏଥିରୁ ସେ ଦେଶ ମହାମାରୀ ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯାଏ ତାହା ଶିଖିପାରିଥିଲା। ୨୦୧୯ରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ତରଫରୁ ‘A World At Risk’ ଶୀର୍ଷକ ରିପୋର୍ଟ ଜରିଆରେ ସମ୍ଭାବ୍ୟ ମହାମାରୀ ବିଷୟରେ ଚେତାବନୀ ଦିଆଯାଇଥିଲା। କିନ୍ତୁ ପ୍ରାୟ କୌଣସି ଦେଶ ଏଥିପାଇଁ ପ୍ରସ୍ତୁତି କରିନଥିଲେ।) ତେବେ ସାମଗ୍ରିକ ଭାବେ ବିଶ୍ବରେ ଏବ˚ ବିଶେଷତଃ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ମେକ୍ସିକୋ, ଭାରତ ଓ ଇଉରୋପୀୟ ଦେଶମାନଙ୍କରେ ଅବସ୍ଥା ଏତେ ସରଳ ନୁହେଁ। କେତେକ ମହଲରେ ମତ ପ୍ରକାଶ ପାଉଛି ଯେ ଟିକା ପ୍ରୟୋଗ ପରେ ମଧୢ ମହାମାରୀକୁ ସମ୍ପୂର୍ଣ୍ଣ ଭାବେ ନିର୍ମୂଳ କରି ହେବନାହିଁ କାରଣ ଏହାର ଭୂତାଣୁ ବେଶ୍‌ ବ୍ୟାପିସାରିଛି ଏବ˚ ଏହା ଅତ୍ୟନ୍ତ ସ˚କ୍ରମଣପ୍ରବଣ। ୨୦୦୨-୨୦୦୪ର SARS ଭୂତାଣୁ ଏବ˚ ଏବର SARS Cov2 ଭୂତାଣୁ ଭିତରେ ପାର୍ଥକ୍ୟ ଅଛି। ଶେଷୋକ୍ତ ଭୂତାଣୁର ପ୍ରସାର ଅତି ସହଜରେ ହେଉଛି ଏବ˚ ଅନେକ ସମୟରେ ସ˚କ୍ରମିତ ବ୍ୟକ୍ତି ଠାରେ ଲକ୍ଷଣ ପ୍ରକାଶ ପାଉନାହିଁ। ତେଣୁ ଏହାକୁ ନିୟନ୍ତ୍ରଣ କରିବା ସହଜ ନୁହେଁ।

ଏସବୁ ଭବିଷ୍ୟତବାଣୀ ଓ ପୂର୍ବାନୁମାନ ସତ୍ତ୍ବେ ୨୦୨୧ ଓ ତା’ପରେ ମହାମାରୀର ରୂପ ନିର୍ଭର କରିବ ଟିକା ଉପଲବ୍‌ଧ ହେବା ଉପରେ। ତା’ଛଡ଼ା ଟିକା କେତେ ଦିନ ଯାଏ ସୁରକ୍ଷା ଦେଇ ପାରୁଛି ତା’ର ପ୍ରଭାବ ମଧୢ ରହିବ। ମିଳିମିଳା, ପୋଲିଓ ଆଦି କ୍ଷେତ୍ରରେ ଟିକାର ପ୍ରଭାବ ଦୀର୍ଘସ୍ଥାୟୀ। କିନ୍ତୁ ହୁପି˚ କାଶ, ଇନଫ୍ଲୁଏଞ୍ଜା ପରି ଶ୍ବସନତନ୍ତ୍ର ସମ୍ପର୍କିତ ରୋଗରେ ଦୀର୍ଘସ୍ଥାୟୀ ସୁରକ୍ଷା ସମ୍ଭବ ହୋଇନାହିଁ। ଏଣୁ କୋଭିଡ୍‌-୧୯ ଭୂତାଣୁ ପ୍ରତିରୋଧୀ ଶକ୍ତି କେତେ ଦିନ କାଏମ ରହିବ ସେ ବିଷୟରେ ଗବେଷକମାନେ ନିଶ୍ଚିତ ନୁହନ୍ତି। ଏଥିପାଇଁ ବ୍ୟାପକ ଗବେଷଣା ଚାଲିଛି। କାରଣ ଦୀର୍ଘସ୍ଥାୟୀ ପ୍ରତିରୋଧୀ ଶକ୍ତିର ଅଭାବରେ ଏହି ରୋଗର ଏକାଧିକ ଲହରି ସମ୍ଭବ ହୋଇପାରେ। ତା’ ଛଡ଼ା ଭୂତାଣୁ ଏଣ୍ତେମିକ୍‌ ହୋଇ ବାରମ୍ବାର ସ˚କ୍ରମଣ କରିବାର ଆଶଙ୍କା ରହିଛି। ଏଥିପ୍ରତି ସତର୍କ ରହିବା ଜରୁରୀ। ତେବେ ବର୍ତ୍ତମାନ ମହାମାରୀକୁ ବୁଝି ଭୂତାଣୁ ବାବଦରେ ଠିକ ତଥ୍ୟ ଜାଣି ସଚେତନ ଓ ସତର୍କ ରହିବାର ଅଭ୍ୟାସ ହିଁ ଏକମାତ୍ର ବିକଳ୍ପ ପରି ମନେ ହେଉଛି।

ମୋ: ୮୨୮୦୨୩୯୯୫୬

ସମ୍ବନ୍ଧିତ ଖବର