ଏକୋଇଶରୁ ଅଠର

ବିକଳ୍ପ ବିଶ୍ୱ - ଭଗବାନପ୍ରକାଶ

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଏବ˚ ଆଜିଠୁ ପ୍ରାୟ ୨୨ ଶହ ବର୍ଷ ତଳେ ପ୍ରଶାସନ ଓ ରାଜକାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା ପାଇଁ ଚାଣକ୍ୟ ରଚନା କରିଥିଲେ କୌଟିଲ୍ୟ ଅର୍ଥଶାସ୍ତ୍ର। ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସବୁ ପ୍ରଶାସକମାନଙ୍କ ପାଇଁ ଏହି ପୁସ୍ତକ ବା ଶାସ୍ତ୍ର ଅଧୢୟନ ବାଧୢତାମୂଳକ ଥିଲା। ଏଥିରେ ରାଜନୀତି ବିଜ୍ଞାନ, ରାଜଧର୍ମ, ଦଣ୍ତନୀତି, ପ୍ରଶାସନିକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ନିୟମାବଳୀ, ନିର୍ଦ୍ଦେଶିକା ରହିଛି। ଆସନ୍ତାକାଲି ବିଶ୍ବ ଗଣତନ୍ତ୍ର ଦିବସରେ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପ୍ରଧାନମନ୍ତ୍ରୀ ଚାଣକ୍ୟଙ୍କ ଦ୍ବାରା ରଚିତ ଏହି ଶାସ୍ତ୍ରର ଅଷ୍ଟାଦଶ ଅଧୢାୟରୁ ପାଠକମାନଙ୍କ ପାଇଁ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଶ୍ଳୋକ: ପ୍ରଜାମୁଖେ ସୁଖ˚ ରାଜ୍ଞଃ- ପ୍ରଜାନାମ୍‌ ଚ ହିତେ ହିତମ୍‌।

ନାତ୍ମ ପ୍ରିୟ˚ ହିତ˚ ରାଜ୍ଞଃ- ପ୍ରଜାନାମ୍‌ ଚ ପ୍ରିୟ˚ ହିତମ୍‌।
ଅର୍ଥାତ୍‌ ପ୍ରଜା ବା ଜନତାଙ୍କ ସୁଖରେ ରାଜା ବା ପ୍ରଶାସକଙ୍କ ସୁଖ ନିହିତ। ସେହିପରି ପ୍ରଜାଙ୍କ ହିତରେ ରାଜାଙ୍କ ହିତ। ସେ ନିଜ ସ୍ବାର୍ଥ ଓ ନିଜକୁ ପ୍ରିୟ ଲାଗୁଥିବା କାର୍ଯ୍ୟ ନ କରି ଯାହା ସାଧାରଣ ଜନତା ବା ପ୍ରଜାଙ୍କୁ ଭଲ ଲାଗେ ତାହା କରିବେ। ଏହି ପ୍ରଜା ସମୂହକୁ ପ୍ରାଚୀନ ଏଥେନ୍‌ସ ଓ ରୋମାନ୍‌ମାନେ କହୁଥିଲେ ‘ଡେମୋ’; ଯେଉଁଥିରୁ ଆସିଲା ଡେମୋକ୍ରାସି ବା ଗଣତନ୍ତ୍ର ଶବ୍ଦଟି। ପ୍ରାଚୀନ ଭାରତରେ ଏପରି ଛୋଟ ଛୋଟ ରାଜ୍ୟଙ୍କୁ କୁହାଯାଉଥିଲା ସ˚ଘ ବା ଗଣ। ଏଠାରେ ନାଗରିକମାନେ ଏକାଠି ହୋଇ ନିଷ୍ପତ୍ତି ନେଉଥିଲେ। କାନାଡାର ଓଣ୍ଟାରିଓ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଗବେଷକ ଷ୍ଟେଭ୍‌ ମୁଲ୍‌ବର୍ଗରଙ୍କ ମତରେ ଗ୍ରୀକ୍‌, ମୌର୍ଯ୍ୟ ସାମ୍ରାଜ୍ୟ ଓ ମନୁ ସ˚ହିତା ପ୍ରଣୟନର ବହୁ ପୂର୍ବରୁ ଭାରତର ବିଭିନ୍ନ ଅଞ୍ଚଳରେ ଲୋକେ ପଞ୍ଚାୟତ ମାଧୢମରେ ଶାସନ ବ୍ୟବସ୍ଥାରେ ଅ˚ଶ ଗ୍ରହଣ କରୁଥିଲେ। ପଚିଶରୁ ପଞ୍ଚସ୍ତରି ବର୍ଷର ଲୋକଙ୍କର ମତଦାନ ଅଧିକାର ଥିଲା। ତେଣୁ ଭାରତକୁ ପାଶ୍ଚାତ୍ୟ ଜଗତ୍‌ରୁ ଗଣତନ୍ତ୍ର ଚିନ୍ତାଧାରା ଆସିଛି ବୋଲି କହିବା ଠିକ୍‌ ହେବ ନାହିଁ, ଯଦିଓ ଏହାର ରୂପ, ରଙ୍ଗ, ପ୍ରଣାଳୀକୁ ପ୍ରଭାବିତ କରିଛି ଏହି ଚିନ୍ତାଧାରା। ସ୍ବାଧୀନ ଭାରତର ନୂଆ ସମ୍ବିଧାନ ଜାତି, ଧର୍ମ, ସମ୍ପ୍ରଦାୟ ଓ ଲିଙ୍ଗ ନିର୍ବିଶେଷରେ ୧୮ ବର୍ଷରୁ ଅଧିକ ବୟସର ସବୁ ଭାରତୀୟ ନାଗରିକଙ୍କୁ ନିର୍ବାଚନରେ ଅ˚ଶ ଗ୍ରହଣ ଓ ମତଦାନର ଅଧିକାର ଦେଇଚି। ଆମେରିକାରେ ସ୍ବାଧୀନତାର ୧୪୪ ବର୍ଷ ପରେ ସବୁ ମହିଳାଙ୍କୁ ଭୋଟ ଦାନ ଅଧିକାର ମିଳିଥିଲା। ଗଣତନ୍ତ୍ରର ଜନନୀ ବୋଲାଉଥିବା ଇ˚ଲାଣ୍ତରେ ଏହି ଅଧିକାର ପାଇଁ ମହିଳାଙ୍କୁ ଶହେ ବର୍ଷରୁ ଅଧିକ ଅପେକ୍ଷା କରିବାକୁ ପଡ଼ିଥିଲା (୧୯୧୮)। ସୁଇଜରଲାଣ୍ତରେ ମହିଳାମାନେ ଏହି ଅଧିକାର ପାଇଲେ ୧୯୯୧ରେ; ଅର୍ଥାତ୍‌ ଭାରତୀୟ ମହିଳାଙ୍କ ଠାରୁ ୪୧ ବର୍ଷ ପରେ!! ବି˚ଶ ଶତାବ୍ଦୀ ଆଦ୍ୟ ଭାଗରେ ସାରା ପୃଥିବୀରେ ମାତ୍ର ୧୫ଟି ଦେଶରେ ଥିଲା ଗଣତନ୍ତ୍ର, ଏବେ ଏକବି˚ଶ ଶତାବ୍ଦୀରେ ସେଇ ସ˚ଖ୍ୟା ବଢ଼ି ହେଲାଣି ୧୬୭। ସେଥିରୁ ୧୬୪ ଦେଶ ହେଉଛନ୍ତି ମିଳିତ ଜାତିସ˚ଘର ସଦସ୍ୟ। ଅନେକ ଦୋଷତ୍ରୁଟି ସତ୍ତ୍ବେ ଗଣତନ୍ତ୍ର ଆଜି ଲୋକଙ୍କର ପ୍ରଥମ ପସନ୍ଦ। ଭାରତ ଏବେ ପୃଥିବୀର ବୃହତ୍ତମ ଗଣତନ୍ତ୍ର।

ସେଇ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିବା ପାଇଁ ଅଧିକରୁ ଅଧିକ ନାଗରିକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଓ ସଚେତନ ଅ˚ଶ ଗ୍ରହଣ କରିବା ଆବଶ୍ୟକ। ବି˚ଶ ଶତାବ୍ଦୀର ମଧୢ ଭାଗରେ ଏଥିପାଇଁ ଭୋଟିଂ ଏଜ୍‌ ବା ମତଦାନର ବୟସ ସୀମାକୁ କମାଇବା ପାଇଁ ଜନମତ ସୃଷ୍ଟି ହୋଇଥିଲା। ଏହାଦ୍ବାରା ଅଧିକ ଯୁବବର୍ଗ ନିର୍ବାଚନ ପ୍ରକ୍ରିୟାରେ ଅ˚ଶ ଗ୍ରହଶ କରିପାରିବେ। ଏବ˚ ବିଧାନସଭା ଓ ଲୋକସଭାର ପ୍ରୋଫାଇଲ୍‌ ବା ଚିତ୍ର ଓ ଚେହେରା ବଦଳି ଯିବ। ସେତେବେଳେ ଭାରତରେ ସର୍ବନିମ୍ନ ଭୋଟିଂ ଏଜ୍‌ ଥିଲା ୨୧ ବର୍ଷ। ଏହାକୁ କମାଇ ୧୮ ବର୍ଷ କରିବାକୁ ଆମେ ସବୁ ଲାଗିଥିଲୁ। ସେତେବେଳେ କେନ୍ଦ୍ର କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗର ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲି। ଏତିକିବେଳେ ୧୯୮୪ ମସିହାରେ ମିଳିତ ରାଷ୍ଟ୍ର ସ˚ଘ ୧୯୮୫ ମସିହାକୁ ଆନ୍ତର୍ଜାତିକ ଯୁବ ବର୍ଷ ଭାବରେ ପାଳନ କରିବାକୁ ଘୋଷଣା କଲେ। ସେକ୍ରେଟାରି ଜେନେରାଲ ଥା’ନ୍ତି- ଜେଭିଅର‌୍‌ ପେରେଜ୍‌ ଡି କୁଲାର। ଜାତିସ˚ଘର ସଭ୍ୟ ଦେଶମାନଙ୍କର ଶାସନ ମୁଖ୍ୟମାନଙ୍କୁ ଚିଠି ଲେଖି ନିଜ ଦେଶରେ ଯୁବ ସଶକ୍ତୀକରଣ ପାଇଁ ନୂଆ ନୀତି ଓ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ସ୍ଳୋଗାନ୍‌ ଥିଲା- ଭାଗୀଦାରି, ସମୃଦ୍ଧି ଓ ଶାନ୍ତି- ପାର୍ଟିସିପେସନ୍‌ ଡେଭେଲପ୍‌ମେଣ୍ଟ ଆଣ୍ତ ପିସ୍‌। ପରାମର୍ଶ ଥିଲା ଯୁବ ବର୍ଗଙ୍କୁ ନ ପଚାରି ସେମାନଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ ବା ନୀତି ନିର୍ଦ୍ଧାରଣ ହେବ ନାହିଁ। ଇ˚ରେଜୀରେ- ନଥିଙ୍ଗ୍‌ ଫର‌୍‌ ଅସ୍‌- ଉଇଦାଉଟ୍‌ ଅସ୍‌। ତେଣୁ ସେ ବର୍ଷ ଯୁବ ମନ୍ତ୍ରାଳୟ ଦେଶର ବିଭିନ୍ନ ଅଞ୍ଚଳରେ ଆୟୋଜନ କରିଥିଲେ ୧୪ଟି ଆଞ୍ଚଳିକ ଓ ଜାତୀୟ ଆଲୋଚନାଚକ୍ର। ସେଥିରେ ଅ˚ଶ ଗ୍ରହଣ କରିଥିଲେ କେନ୍ଦ୍ର ଓ ରାଜ୍ୟ ଯୁବ ମନ୍ତ୍ରାଳୟର ପ୍ରତିନିଧି, ବିଶ୍ବବିଦ୍ୟାଳୟ ଛାତ୍ର ନେତା, ସ୍ବେଚ୍ଛାସେବୀ ସ˚ସ୍ଥା, ନୀତି ପ୍ରଣୟନ ଓ କାର୍ଯ୍ୟକ୍ରମ ସ˚ଯୋଜକ, ମହିଳା କଲ୍ୟାଣ ଅନୁଷ୍ଠାନ, ଜାତୀୟ, ଅନ୍ତର୍ଜାତୀୟ ଯୁବ ସ˚ଗଠନ ଇତ୍ୟାଦି। ଦକ୍ଷିଣ ଭାରତ ପାଇଁ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ବାଙ୍ଗାଲୋର‌୍‌ରେ। ତିନି ଦିନ ଯାକ ଉପସ୍ଥିତ ଥିଲି ଓ ଶେଷ ଦିନ ତିନିଟି ପ୍ରସ୍ତାବ ରଖିଥିଲି। ପ୍ରଥମଟି ହେଲା ଯୁବ କଲ୍ୟାଣ ଓ ସଶକ୍ତୀକରଣ କାର୍ଯ୍ୟକ୍ରମକୁ ନୂଆ ଦିଗ୍‌ଦର୍ଶନ ଦେବା ପାଇଁ ଜାତୀୟ ଯୁବନୀତି ପ୍ରଣୟନ। ଦ୍ବିତୀୟ- ଯୁବ ସମସ୍ୟା ଅଧୢୟନ, ଗବେଷଣା ପାଇଁ ଏକ ଜାତୀୟ ଯୁବ ଅନୁଷ୍ଠାନ ପ୍ରତିଷ୍ଠା। ତୃତୀୟ- ଭାରତ ଲୋକସ˚ଖ୍ୟାର ୬୦ ଭାଗଙ୍କ ବୟସ ୩୫ ବର୍ଷରୁ କମ୍‌। ପଞ୍ଚାୟତ, ବିଧାନସଭା, ଲୋକସଭାରେ ଅଧିକରୁ ଅଧିକ ଯୁବବର୍ଗଙ୍କୁ ପ୍ରତିନିଧିତ୍ବ ପାଇଁ ଭୋଟ ବା ମତଦାନ ପାଇଁ ନିମ୍ନତମ ବୟସ ସୀମାକୁ ୨୧ରୁ କମାଇ ୧୮ କରିବା ପାଇଁ ସମ୍ବିଧାନ ସ˚ଶୋଧନ। ଅନ୍ୟ ପ୍ରସ୍ତାବମାନଙ୍କ ସହ ଏ ତିନିଟି ପ୍ରସ୍ତାବ ମଧୢ ସର୍ବସମ୍ମତିରେ ଗୃହୀତ ହୋଇଥିଲା।

୧୯୮୫ ଅଗଷ୍ଟ ଶେଷ ସପ୍ତାହରେ ଡକା ହେଲା ପାର୍ଲାମେଣ୍ଟାରି କନ୍‌ସଲ୍‌ଟେଟିଭ କମିଟିର ବୈଠକ। ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଯୁବ କଲ୍ୟାଣ ବିଭାଗଟିକୁ ନିଜ ହାତରେ ରଖିଥାନ୍ତି। ତେଣୁ ଏ ବୈଠକରେ ସେ ଉପସ୍ଥିତ ଥିଲେ। ତା’ ପୂର୍ବ ଦିନ (ଅଗଷ୍ଟ ୨୦, ୧୯୮୫) ପଞ୍ଜାବର ଅକାଳୀ ନେତା ସନ୍ଥ ହରଚନ୍ଦ ସି˚ ଲୋଙ୍ଗୋଵାଲ୍‌ଙ୍କୁ ଗୁରୁଦ୍ବାରା ସାମ୍‌ନାରେ ଶିଖ୍‌ ଆତଙ୍କବାଦୀମାନେ ହତ୍ୟା କରିଥା’ନ୍ତି। କାରଣ ଥିଲା ସେ ଶିଖ୍‌ମାନଙ୍କ ସମସ୍ୟା ସମାଧାନ ପାଇଁ ରାଜୀବ ଗାନ୍ଧୀଙ୍କ ସହ ଏକ ଚୁକ୍ତିପତ୍ରରେ ଦସ୍ତଖତ କରିଥିଲେ। ଏହି ଗମ୍ଭୀର ପରିବେଶରେ କମିଟି ମିଟିଂ ନିରବ ପ୍ରାର୍ଥନା ଓ ଶୋକସଭାରେ ଶେଷ ହୋଇଥିଲା। ଫେରିବା ପୂର୍ବରୁ ରାଜୀବ ଗାନ୍ଧୀ କହିଥିଲେ ଯଦି କାହାର କିଛି ନୂଆ ପ୍ରସ୍ତାବ ଥାଏ ତେବେ ସେ ଲିଖିତ ଆକାରରେ ତାଙ୍କୁ ପଠାଇ ପାରିବେ। କମିଟି ମିଟିଂରୁ ଫେରିଲା ପରେ ଯୁବ ଓ କ୍ରୀଡ଼ା ବିଭାଗ ସଚିବ ଡ୍ରାଫ୍‌ଟ ପ୍ରସ୍ତାବ ତିଆରି କରିବାକୁ ନିର୍ଦ୍ଦେଶ ଦେଲେ। ତାଙ୍କୁ କହିଥିଲି ଆମେ ପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚଟା ପ୍ରସ୍ତାବ ନ ଦେଇ ଗୋଟିଏ ମୁଖ୍ୟ ପ୍ରସ୍ତାବ ଦେବା। ସେ ରାଜି ହେଇଗଲେ ଓ କାଳବିଳମ୍ବ ନ କରି ସେ କାମରେ ଲାଗିଗଲି। ଆମ ପ୍ରସ୍ତାବଟି ଥିଲା ଭୋଟ ଦେବା ପାଇଁ ଯୋଗ୍ୟତା ୨୧ରୁ ୧୮କୁ କମାଇବା ଏବ˚ ସେଥିପାଇଁ ସମ୍ବିଧାନ ସ˚ଶୋଧନ। ଏହି ପ୍ରସ୍ତାବର ଔଚିତ୍ୟ ସପକ୍ଷରେ ଯେଉଁ ତେର ପଏଣ୍ଟର ତର୍କ ଉପସ୍ଥାପନ କରିଥିଲି ତାହା ଥିଲା ଏହିପରି: (୧) ଗତ ପଚାଶ ବର୍ଷ ଭିତରେ ଶିକ୍ଷାର ପ୍ରସାର ଫଳରେ ପିଲାମାନେ ଶୀଘ୍ର ମାନସିକ ପରିପକ୍ବ ହେଉଛନ୍ତି ଓ ନିଷ୍ପତ୍ତି ନେଇ ପାରୁଛନ୍ତି। (୨) ୧୮ ଟପି ୧୯ ହେଲେ ପିଲାଏ ‘ଆଡଲ୍‌ଟ’ ବା ପ୍ରାପ୍ତ ବୟସ୍କ ହୁଅନ୍ତି। ତା’ହେଲେ ଭୋଟ କାହିଁକି ଦେଇ ନ ପାରିବେ? (୩) ଅଠର ବର୍ଷ ପୂରିଲେ ଭାରତର ସବୁ ମହିଳା ଆଇନ ଅନୁସାରେ ବିବାହଯୋଗ୍ୟ ହୋଇଥାନ୍ତି। ଯଦି ବିବାହ ଓ ମାତୃତ୍ବ ପାଇଁ ଯୋଗ୍ୟ ତେବେ ଭୋଟ ଦେବା ପାଇଁ କାହିଁକି ଅଯୋଗ୍ୟ ହେବେ? (୪) ସେମିତି ୧୮ ବର୍ଷରେ ସ୍କୁଲ ଶିକ୍ଷା ସମାପ୍ତ ହୋଇ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ପ୍ରଫେସନାଲ ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ଆରମ୍ଭ ହୁଏ। ଉଚ୍ଚ ଶିକ୍ଷା ପାଇଁ ଯଦି ଯୋଗ୍ୟ, ଭୋଟର ହେବା ପାଇଁ କାହିଁକି ଅଯୋଗ୍ୟ? (୫) ୧୬ ବର୍ଷ ବୟସରେ ଜଣେ ଚାକିରିଆ ବା ଶ୍ରମିକ ହୋଇପାରିବ, ୧୮ ବର୍ଷ ବୟସରେ କାହିଁକି ଭୋଟ ଦେଇପାରିବ ନାହିଁ? (୬) ସେମିତି ୧୮ ବର୍ଷ ବୟସରେ ଯଦି ଜଣେ ଡ୍ରାଇଭିଂ ଲାଇସେନ୍‌ସ ଓ ଗାଡ଼ି ଚଲାଇବାକୁ ଯୋଗ୍ୟ, ତେବେ ଭୋଟ ଦେବା ପାଇଁ କାହିଁକି ଅଯୋଗ୍ୟ? (୭) ସେହିଭଳି ୧୭.୫ ବର୍ଷ ବୟସରେ ଜଣେ ବ୍ୟକ୍ତି ମିଲିଟାରି ସର୍ଭିସ୍‌ରେ ଯୋଗ ଦେଇ ସୈନିକ ହୋଇପାରିବେ। ଯଦି ସେ ଦେଶରକ୍ଷା ପାଇଁ ଯୋଗ୍ୟ- ଭୋଟ ଦେବା ପାଇଁ କାହିଁକି ଅଯୋଗ୍ୟ? (୮) ୧୮ ବର୍ଷ ହେଲେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି କାରବାର କରି ହେବ, ତେବେ କାହିଁକି ଭୋଟ ଦେଇ ହେବ ନାହିଁ? (୯) ୧୮ ବର୍ଷ ପୂରିଲେ ଜଣେ ପ୍ୟାନ୍‌ କାର୍ଡ ଓ ଏଟିଏମ୍‌ କାର୍ଡ ପାଇଁ ଦରଖାସ୍ତ କରିପାରିବ। ମତଦାନ କେନ୍ଦ୍ରକୁ କାହିଁକି ଯାଇପାରିବ ନାହିଁ? (୧୦) ୧୮ ବର୍ଷ ହେଲେ ଜଣେ ଅଙ୍ଗଦାନ କରିପାରିବ, ମତଦାନ କାହିଁକି ନୁହେଁ? (୧୧) ୧୮ ବର୍ଷ ହେଲା ପରେ ଦୃଶ୍ୟ, ଶ୍ରାବ୍ୟ, ପ୍ରିଣ୍ଟ, ଇଲେକ୍‌ଟ୍ରୋନିକ ମିଡିଆରେ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଆଡଲ୍‌ଟ କଣ୍ଟେଣ୍ଟ ବା ବିଷୟବସ୍ତୁ ବ୍ୟବହାର ପାଇଁ ଅନୁମତି ମିଳେ। ଭୋଟିଂ ପାଇଁ କାହିଁକି ନୁହେଁ? (୧୨) ୧୮ ବର୍ଷର ପ୍ରାପ୍ତ ବୟସ୍କଙ୍କ ପାଇଁ ସିଗାରେଟ୍‌, ମଦ ଦୋକାନ ଖୋଲା, ପୋଲିଂ ବୁଥ୍‌ ବା ମତଦାନ କେନ୍ଦ୍ର କାହିଁକି ବନ୍ଦ? (୧୩) ୧୮ ବର୍ଷ ହେଲା ପରେ ସମ୍ପୃକ୍ତ ବ୍ୟକ୍ତି ଜମିବାଡ଼ି କିଣାବିକା କରିପାରିବେ, ଭୋଟ ଦେଇ ପାରିବେ ନାହିଁ କାହିଁକି?

ଏହିପରି ତର୍କକୁ ବଳ ଦେବା ପାଇଁ ଏକ ତାଲିକା ପ୍ରସ୍ତୁତ କରି କୁହାଯାଇଥିଲା କିପରି ଉତ୍ତର କୋରିଆ, ଇଣ୍ତୋନେସିଆ, ନିକାରାଗୁଆ ଭଳି ଅନେକ ଦେଶ ଭୋଟର ହେବା ବୟସକୁ ୧୭ ଓ ୧୬କୁ କମାଇ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା, ପୋଲାଣ୍ତ, ଇ˚ଲାଣ୍ତ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ସୁଇଡେନ୍‌, ଇଟାଲି ଭଳି ଅନେକ ଦେଶ ଭାରତ ଆଗରୁ ନିମ୍ନତମ ମତଦାନ ବୟସ ୧୮କୁ କମାଇ ଦେଇଥିଲେ। ପ୍ରସ୍ତାବରେ ଥିବା ଏହି ସବୁ ତର୍କକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ ବି ବିଭିନ୍ନ କାରଣରୁ ନିଷ୍ପତ୍ତିରେ ଡେରି ହୋଇଥିଲା। କିଛି ଲୋକ ବିଚାରୁଥିଲେ ଯେ ମତଦାନ ପାଇଁ ୧୮ ବର୍ଷ ବୟସ ଅପରିପକ୍ବ। ମହିଳା କ˚ଗ୍ରେସର ଜଣେ ପୁରୁଣା ସଭ୍ୟ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରଫେସର ଉଷା ବାନାର୍ଜୀଙ୍କୁ ଏସବୁ କଥା କହିଲି ଓ ପ୍ରସ୍ତାବର ଏକ ନକଲ ଦେଲି। ଉଭୟ ଇନ୍ଦିରା ଓ ରାଜୀବଙ୍କ ପରିବାର ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିଲା। ପ୍ରାୟ ଏକ ସପ୍ତାହ ପରେ ସେ ଫୋନ୍‌ କରି କହିଲେ ରାଜୀବଙ୍କ ସହ ଦେଖା ହୋଇଥିଲା ଓ ସେ ଏ ପ୍ରସ୍ତାବ ସମ୍ପର୍କରେ ଅବଗତ ଅଛନ୍ତି। କିନ୍ତୁ ଦଳ ବୋଧହୁଏ ଏହାକୁ ନିଜର ପ୍ରସ୍ତାବ ଭାବରେ ଉପସ୍ଥାପନ କରିବାକୁ ଚାହୁଁଚି। ପାର୍ଲାମେଣ୍ଟରେ ଏବେ ଆମ ଦଳର ୪୧୪ ଜଣ ସା˚ସଦ ଅଛନ୍ତି। ତେଣୁ ସମ୍ବିଧାନ ସ˚ଶୋଧନ ପାଇଁ ଅସୁବିଧା ହେବ ନାହିଁ। ବିପକ୍ଷ ଦଳ ବି ସହଯୋଗ କରିବେ। କହିଲି ‘‘ଦିଦି, ବହୁତ ଧନ୍ୟବାଦ।’’ ଶେଷରେ ୧୯୮୮ ମସିହାରେ ଆଇନ ମନ୍ତ୍ରୀ ବି.ଶଙ୍କରାନନ୍ଦ ଲୋକସଭାରେ ୬୨ ତମ ସମ୍ବିଧାନ ସ˚ଶୋଧନ ବିଲ୍‌ (୨୧ରୁ ୧୮) ପେସ୍‌ କଲେ। ଏହା ୧୩ ଡିସେମ୍ବରରେ ପ୍ରକାଶିତ ଓ ୨୮ ମାର୍ଚ୍ଚ, ୧୯୮୯ରେ କାର୍ଯ୍ୟକାରୀ ହେଲା। ଶଙ୍କରାନନ୍ଦ ସା˚ସଦମାନଙ୍କୁ କହିଥିଲେ ଯେ ଏବେ ୧୮ ବର୍ଷରୁ ଅଧିକ ବୟସର ଭାରତର ଯୁବ ବର୍ଗ ରାଜନୈତିକ ଦୃଷ୍ଟିରୁ ଅଧିକ ସଚେତନ ହେଲେଣି ଏବ˚ ସ୍ବାଧୀନ ଭାବରେ ନିଜ ମତଦାନ ପାଇଁ ସକ୍ଷମ।

ଏହା ଥିଲା ଏକ ଐତିହାସିକ ନିଷ୍ପତ୍ତି। ପିମ୍ପୁଡ଼ି ଓ ହାତୀ ଉଭୟଙ୍କ ସହଯୋଗରୁ ଏହା ସମ୍ଭବ ହେଲା। ମିଳିତ ଜାତିସ˚ଘ ଏଥିପାଇଁ ଭାରତକୁ ଅଭିନନ୍ଦନ ଜଣାଇ ଥିଲେ। ଏହାର ପ୍ରଭାବରେ ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ଭୁଟାନ, ବା˚ଲାଦେଶ, ମାଲେସିଆ, ମ୍ୟାମାର ଭଳି ଅନେକ ଦେଶ ନିଜ ନିଜ ସମ୍ବିଧାନ ସ˚ଶୋଧନ କରି ମତଦାନ ବୟସ ସୀମାକୁ କମାଇଲେ। ସେହିବର୍ଷ ଭାରତରେ ୧୮-୧୯ ବୟସର ସାଢ଼େ ପାଞ୍ଚ କୋଟି ଯୁବକ ଯୁବତୀ ଭୋଟର ହେଲେ। ଏବ˚ ୧୮ରୁ ୩୫ ବର୍ଷର ମତଦାତାଙ୍କ ସ˚ଖ୍ୟା ବଢ଼ି ଅଠର କୋଟି ଡେଇଁଲା। ସାଧାରଣ ବ୍ୟକ୍ତିମାନଙ୍କ ବିଚାରକୁ ପାର୍ଲାମେଣ୍ଟ ଓ ଦେଶ ଗ୍ରହଣ କଲା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ବ୍ୟକ୍ତିର ଶକ୍ତି ପ୍ରମାଣ କଲା। ଫଳସ୍ବରୂପ ଏବେ ସପ୍ତଦଶ ଲୋକସଭାରେ ୧୨ ପ୍ରତିଶତ ସା˚ସଦଙ୍କ ବୟସ ୪୦ ବର୍ଷରୁ କମ୍‌। ଓଡ଼ିଶା ବିଧାନସଭା ସଭ୍ୟଙ୍କ ମଧୢରେ ଅଛନ୍ତି ଅନେକ ଅଳ୍ପ ବୟସର ବ୍ୟକ୍ତି। ପଞ୍ଚାୟତ ନିର୍ବାଚନରେ ଅଧିକ ସ˚ଖ୍ୟାରେ ଯୁବ ପ୍ରାର୍ଥୀ ନିର୍ବାଚିତ ହେଇ ଆସୁଛନ୍ତି। ସେହିପରି ମହିଳା ପ୍ରତିନିଧିଙ୍କ ସ˚ଖ୍ୟା ମଧୢ ବଢ଼ିବାରେ ଲାଗିଚି। ଏବେ କେତେକ ଦେଶରେ ମତଦାନର ନିମ୍ନତମ ବୟସ ୧୮କୁ କମାଇ ୧୬ କରିବାକୁ ଆଲୋଚନା ଆରମ୍ଭ ହେଲାଣି। ଏକବି˚ଶ ଶତାବ୍ଦୀ ପ୍ରଥମ ବର୍ଷ (୨୦୦୧)ରେ ସବୁ ପିଲା ଦୁଇବର୍ଷ ହେଲା ଭୋଟର ହେଇ ସାରିଲେଣି। ସେମାନେ କିପରି ଦାୟିତ୍ବପୂର୍ଣ୍ଣ ଭାବରେ ନିଜର ଭୋଟଦାନ ଅଧିକାରକୁ ପ୍ରୟୋଗ କରିବେ ତା’ରି ଉପରେ ନିର୍ଭର କରିବ ଭାରତୀୟ ଗଣତନ୍ତ୍ରର ଗୁଣବତ୍ତା, ବିବିଧତା, ମାନବତା ଓ ଭବିଷ୍ୟତ। ୟୁରୋପର ଇକୋନମିକ୍‌ ଇଣ୍ଟେଲିଜେନ୍‌ସ ୟୁନିଟ୍‌ ସର୍ବେକ୍ଷଣ ଅନୁସାରେ ପୃଥିବୀର ପ୍ରଥମ ଦଶଟି ଶ୍ରେଷ୍ଠ ଗଣତନ୍ତ୍ର ମଧୢରେ ଭାରତ, ଆମେରିକା, ଇ˚ଲଣ୍ତ, ଜାପାନ ଓ ରୁଷିଆର ନାମ ନାହିଁ। ଭାରତ ବୃହତ୍ତମ ଗଣତନ୍ତ୍ର ହୋଇପାରେ କିନ୍ତୁ ସର୍ବୋତ୍ତମ ଗଣତନ୍ତ୍ର ଶ୍ରେଣୀରେ ଏ ପର୍ଯ୍ୟନ୍ତ ସ୍ଥାନ ପାଇନାହିଁ। ସେଥିପାଇଁ କ୍ରମାଗତ ଉଦ୍ୟମ କରିବାକୁ ପଡ଼ିବ। ନିର୍ବାଚନ ସ˚ସ୍କାର ସହ ଭୋଟର ତଥା ପ୍ରାର୍ଥୀମାନଙ୍କ ପାଇଁ ଶିକ୍ଷା, ସଚେତନତା ଓ ତାଲିମ ବ୍ୟବସ୍ଥା ଆବଶ୍ୟକ ହେବ।

(ସେପ୍‌ଟେମ୍ବର ୧୫- ବିଶ୍ବ ଗଣତନ୍ତ୍ର ଦିବସ ଅବସରରେ)

୨୯-ବି, ପ୍ରଜ୍ଞାବିହାର, ବରମୁଣ୍ତା, ଭୁବନେଶ୍ବର,
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର