ଅସନ୍ତୁଷ୍ଟ ହେବାର ଅଧିକାର

ଶ୍ୟାମସୁନ୍ଦର ଅଗ୍ରୱାଲା

ଭାରତ ପରି ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରଶାନ୍ତ ଭୂଷଣ ନାମକ ଜନୈକ ଅଧିବକ୍ତାଙ୍କର ସୁପ୍ରିମ କୋର୍ଟର ବିଚାରପତିମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବାକୁ ଯେତିକି ଅଧିକାର ଅଛି, କଙ୍ଗନା ରଣାୱାତ ନାମ୍ନୀ ଜନୈକା ଚଳଚ୍ଚିତ୍ର ଅଭିନେତ୍ରୀଙ୍କର ଉଦ୍ଧବ ଠାକ୍‍ରେଙ୍କର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାରେ ସେତିକି ଅଧିକାର ଅଛି। ସୁପ୍ରିମ କୋର୍ଟର ବିଚାରପତିମାନେ ଦୁର୍ନୀତିଗ୍ରସ୍ତ ହୋଇପାରନ୍ତି କି ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇ ନ ପାରେ; କିନ୍ତୁ ଏମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାର ଅଧିକାର ଭାରତୀୟ ସମ୍ବିଧାନରେ ବାକ୍ ସ୍ବାଧୀନତାର ବିଚାର ସମ୍ବଳିତ ସୀମାବଦ୍ଧତା ଭିତରେ ରହିଛି। ଗଣତନ୍ତ୍ରର ଅନ୍ୟ ଏକ ବିଶେଷତ୍ବ ହେଉଛି ଯେ ଏଠାରେ ନିଜେ ଅଭିଯୁକ୍ତ ଅଭିଯୋଗକୁ ବିଚାର କରି ଅଭିଯୋଗକାରୀଙ୍କୁ ଦଣ୍ଡ ଦେଇପାରିବେ ନାହିଁ କି ନିଜର କ୍ଷମତାର ଦୁରୁପଯୋଗ କରି ଅଭିଯୋଗକାରିଣୀଙ୍କ ଘରକୁ ଭାଙ୍ଗି ଦେଇ ପାରିବେ ନାହିଁ। ସେମାନଙ୍କ ଅଭିଯୋଗ ନିରାଧାର ହୋଇପାରେ କିନ୍ତୁ ସେମାନଙ୍କର ଏହି ଅଭିଯୋଗ କରିବାର ଅଧିକାର ଭାରତୀୟ ସମ୍ବିଧାନର ଆଧାର ପର୍ଯ୍ୟାୟଭୁକ୍ତ ଅଟେ।

ଥରେ ଚୀନ ଦେଶର ଜଣେ ବ୍ୟକ୍ତି ଭାରତୀୟ ନାଗରିକତ୍ବ ହାସଲ କରିବା ପାଇଁ ଦରଖାସ୍ତ କଲେ। ଚୀନର ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ‘କ’ଣ ତୁମେ ଚୀନରେ ବସବାସ କରି ସନ୍ତୁଷ୍ଟ ନୁହଁ? ଏଠି ତୁମର ନିଜ ଘର ଅଛି, ଅଫିସ ଅଛି, ବ୍ୟବସାୟ ଅଛି। ସରକାରଙ୍କ ତରଫରୁ ତୁମ ସୁଖ ସ୍ବାଚ୍ଛନ୍ଦ୍ୟ ନିମନ୍ତେ ରାସ୍ତାଘାଟଠୁ ନେଇ ସ୍କୁଲ କଲେଜ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଅନ୍ତର୍ଜାତୀୟ ସ୍ତରରେ ଉପଲବ୍‌ଧ ଅଛି। ଚୀନର ଅର୍ଥନୀତି ସାମ୍ନାରେ ସାରା ବିଶ୍ବ ବର୍ତ୍ତମାନ ନତମସ୍ତକ ହୋଇ ଛିଡ଼ା ହୋଇଛି। ତଥାପି ତୁମେ ଅସନ୍ତୁଷ୍ଟ ଆଉ କହୁଛ ଯେ ଚୀନର ନାଗରିକତ୍ବ ଛାଡ଼ି ଭାରତର ନାଗରିକତ୍ବ ଗ୍ରହଣ କରିବ? କ’ଣ ଅଛି ଭାରତରେ ଯାହା ଚୀନରେ ନାହିଁ?’ ଚୀନ ବ୍ୟକ୍ତି ଜଣକ କହିଲା, ‘ଏଠି ପ୍ରାଚୁର୍ଯ୍ୟ ଭିତରେ ବନ୍ଦୀ ହୋଇପଡ଼ି ମୁଁ ମୋ’ର ଅସନ୍ତୁଷ୍ଟ ହେବାର ଅଧିକାର ହରେଇ ବସିଛି। ମୁଁ ଯେତେବେଳେ ଯାହା ଚାହୁଁଛି ସବୁ ମିଳିଯାଉଛି କିନ୍ତୁ ଯେତେବେଳେ ଯାହା ଚାହୁଁଛି ସବୁ କହିପାରୁନି। ତେଣୁ ମୁଁ ଭାରତବର୍ଷ ପରି ଏକ ମୁକ୍ତ ପରିବେଶ ଭିତରକୁ ଚାଲିଯିବାକୁ ଚାହୁଁଛି।’

ବନ୍ଧୁଗଣ, ଅସନ୍ତୁଷ୍ଟ ହେବା ଓ ପ୍ରକାଶ କରିବା ମନୁଷ୍ୟର ଏକ ଜନ୍ମଗତ ଅଧିକାର। ତାକୁ ସବୁଥିରେ ସନ୍ତୁଷ୍ଟ କରି ମଧ୍ୟ ତା’ ଠାରୁ ଏ ଅଧିକାରକୁ ଆପଣ ଛଡ଼େଇ ଦେଇ ପାରିବେ ନାହିଁ। କର୍ନେଲ ଗଦ୍ଦାଫିଙ୍କ ସମୟରେ ଲିବ୍ୟାର ଉଦାହରଣ ଦେଖନ୍ତୁ। ତାଙ୍କ ଶାସନ ସମୟରେ ଲିବ୍ୟାର ଜନସାଧାରଣଙ୍କୁ କୌଣସି ବିଦ୍ୟୁତ କିମ୍ବା ଜଳ କର ଦେବାକୁ ପଡୁ ନ ଥିଲା। ଲିବ୍ୟାର ବ୍ୟାଙ୍କ ସମୂହ ବିନା ସୁଧରେ ଋଣ ବ୍ୟବସାୟ କରୁଥିଲେ। ଜନସାଧାରଣଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ରାଜ୍ୟ ବହନ କରୁଥିଲା। ଅତ୍ୟନ୍ତ ଉଚ୍ଚକୋଟୀର ଚିକିତ୍ସାଳୟ ମାଧ୍ୟମରେ ଦେଶବାସୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହେଉଥିଲା। ବାସଗୃହ ଲିବ୍ୟାବାସୀଙ୍କର ଏକ ମୌଳିକ ଅଧିକାର ଥିଲା। ଥରେ ଭାବନ୍ତୁ ତ, ଜୀବନରେ ଆଉ ଅଧିକ କ’ଣ ଦରକାର? ବିନା ସୁଧରେ ଋଣ, ବିନା ମୂଲ୍ୟରେ ବିଦ୍ୟୁତ, ବିନା ଖର୍ଚ୍ଚରେ ଚିକିତ୍ସା ଓ ବିନା ପଇସାରେ ଘର– ଜଣେ ରାଜ୍ୟର ନାଗରିକ ସନ୍ତୁଷ୍ଟ ହେବାପାଇଁ ଆଉ ଅଧିକ କ’ଣ ଆବଶ୍ୟକତା ଥାଇପାରେ? ତଥାପି ଲିବ୍ୟାବାସୀ ସନ୍ତୁଷ୍ଟ ନ ଥିଲେ, କାରଣ ତାଙ୍କର ଅସନ୍ତୁଷ୍ଟ ହେବାର କି ଅସନ୍ତୋଷ ପ୍ରକାଶ କରିବାର ଅଧିକାର ନ ଥିଲା। ତେଣୁ ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଆମେରିକା ସାହାଯ୍ୟରେ ଜନସାଧାରଣଙ୍କ ବିଦ୍ରୋହର ଶିକାର ହୋଇ କର୍ନେଲ ଗଦ୍ଦାଫି ମୃତ୍ୟୁବରଣ କଲେ।

ବର୍ଲିନ ପ୍ରାଚୀର ଭାଙ୍ଗିବା ପୂର୍ବ କଥା। ପୂର୍ବ ଜର୍ମାନିର ଗୋଟିଏ କୁକୁର ଦୁଇ ଦେଶ ମଝିରେ ଥିବା କାନ୍ଥ ଦେଇ ପଶ୍ଚିମ ଜର୍ମାନିକୁ ପଶି ଆସିଲା। ପଶ୍ଚିମ ଜର୍ମାନିର କୁକୁରଟିଏ ତାକୁ ଦେଖି ଖୁସି ହୋଇଗଲା ଓ ତାକୁ ସେ ତା’ ଖାଉନ୍ଦ ଘରକୁ ଡାକି ନେଲା। ଅଧ ରାତିର କଥା। ଚୋରଟିଏ ପଶ୍ଚିମ ଜର୍ମାନି କୁକୁରର ଖାଉନ୍ଦ ଘରେ ପଶିଲା। ଏ କଥା ଦେଖି ପୂର୍ବ ଜର୍ମାନିର କୁକୁର ତା’ ବନ୍ଧୁକୁ ଉଠେଇ ଭୁକିବାକୁ କହିଲା। ପଶ୍ଚିମ ଜର୍ମାନିର କୁକୁର କିନ୍ତୁ ଭୁକିଲା ନାହିଁ। ପୂର୍ବ ଜର୍ମାନିର କୁକୁର କାହିଁକି ଭୁକୁ ନାହିଁ ବୋଲି ପ୍ରଶ୍ନ କରିବାରୁ ପଶ୍ଚିମ ଜର୍ମାନିର କୁକୁର କହିଲା ‘ମୋ ଇଚ୍ଛା ହେଲେ ଭୁକିବି, ନ ହେଲେ ଭୁକିବି ନାହିଁ। ତୁ ମୋତେ ପ୍ରଶ୍ନ କରିବାକୁ କିଏ?’

ସକାଳ ହେଲା। ଖାଉନ୍ଦ ଉଠିକି ଦେଖିଲା ଘରୁ ସବୁ ଚୋରି ହୋଇ ଯାଇଛି। ଗୋଟେ ଠେଙ୍ଗା ଆଣି ସେ ତା କୁକୁରକୁ ନିସ୍ତୁକ ପିଟିବାକୁ ଲାଗିଲା। ମାଡ଼ ଖାଇ ପଶ୍ଚିମ ଜର୍ମାନି କୁକୁର କେଁ କେଁ ହୋଇ ବାହାରକୁ ଦୌଡ଼ି ଆସିଲା ଓ ତା’ ସାଥିରେ ଭୟରେ ପୂର୍ବ ଜର୍ମାନି କୁକୁର ବି ପଳେଇ ଆସିଲା। ଦିନ ଯାକ ଦୁଇ ଜଣ ଖାଡ଼ା ଉପାସରେ ରହିବା ପରେ ପୂର୍ବ ଜର୍ମାନିର କୁକୁର ପଶ୍ଚିମ ଜର୍ମାନିର କୁକୁରକୁ କହିଲା, ଭାଇ, ରାତିରେ ଯଦି ତୁମେ ଟିକେ ଭୁକି ତୁମ ଖାଉନ୍ଦକୁ ଉଠେଇ ଦେଇଥାନ୍ତ ତେବେ ସେ ତୁମକୁ ମାଡ଼ ନ ମାରି ଭଲ ରୁଟି ଓ ମାଂସ ଖାଇବାକୁ ଦେଇଥା’ନ୍ତା। ଏବେ ମୁଁ ଜାଣିପାରୁଛି ତୁମେ କାହିଁକି ଏତେ ଦୁର୍ବଳିଆ ହୋଇଛ? ମୋତେ ଦେଖ ମୁଁ ତୁମଠୁ କେତେ ମୋଟା ଓ ସୁନ୍ଦର ହୋଇଛି।’ ଏ କଥା ଶୁଣି ପଶ୍ଚିମ ଜର୍ମାନି କୁକୁର କହିଲା ‘ଭୁକିବା ନ ଭୁକିବା ହେଉଛି ମୋ ସ୍ବାଧୀନତା। ତୁ କିମ୍ବା ମୋ ଖାଉନ୍ଦ ମୋତେ ନିର୍ଦ୍ଦେଶ ଦେବାକୁ କିଏ? ମୁଁ ଭୋକରେ ସାତଦିନ ଉପବାସ ରହିଯାଇପାରେ କିନ୍ତୁ ବଦଳରେ ମୋ ସ୍ବାଧୀନତା ହରେଇବା ବରଦାସ୍ତ କରିବି ନାହିଁ।’

ବନ୍ଧୁଗଣ, ଗୋଟିଏ ପକ୍ଷୀକୁ ସୁନା ପଞ୍ଜୁରିରେ ରଖି ତାକୁ ସବୁଦିନ ରୁପା ଥାଳିଆରେ ଭରପୂର ପିସ୍ତା ବାଦାମ ଖାଇବାକୁ ଦେଇ ପ୍ରଶ୍ନ କରନ୍ତୁ ତ ସେ ଏମିତି ପଞ୍ଜୁରି ଭିତରେ ସନ୍ତୁଷ୍ଟରେ ରହିବ ନା ନ’ଖାଇ ନ’ପିଇ ବଣ ଜଙ୍ଗଲରେ ଏ ଗଛକୁ ସେ ଗଛ ଉପରେ ବସି କା କା କରିବ? ପକ୍ଷୀ ତ କଥା କହିପାରିବ ନାହିଁ, ତେଣୁ ତାକୁ ପଚାରିକି ଲାଭ ନାହିଁ। ଆପଣ ଯଦି ପକ୍ଷୀଟିଏ ହୋଇଥା’ନ୍ତେ, କ’ଣ କରିଥା’ନ୍ତେ?

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର