ଗୋଟିଏ ଜୀବନୀ, ଗୋଟିଏ ଇତିହାସ ଓ ଅନ୍ତର୍ଦୃଷ୍ଟି

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମୁଁ ବହୁତ ଜୀବନୀ ପୁସ୍ତକ ପଢ଼େ; ବିଶେଷତଃ ଅନ୍ୟ ଦେଶରେ ଲିଖିତ। କାନାଡିଆନ୍‌ ବିଦ୍ବାନ୍‌ ଫାବିଓ ଫର୍ନାଣ୍ତୋ ରିଜିଙ୍କ ରଚିତ ‘ବେନିଡିଟୋ କ୍ରୋଚେ ଆଣ୍ତ୍‌ ଇଟାଲିଆନ୍‌ ଫାସିଜିମ୍‌’ ପୁସ୍ତକ ନିକଟରେ ପଢ଼ିଥିଲି। ଏହା ଜଣେ ମହାନ୍‌ ଦାର୍ଶନିକଙ୍କ ଜୀବନୀ ଏବ˚ ଏହା ମାଧ୍ୟମରେ ତାଙ୍କ ଜୀବନ କାଳର ଏକ ବୃହତ୍‌ କାହାଣୀ ବର୍ଣ୍ଣନା କରାଯାଇଛି।

ରିଜିଙ୍କ ଜୀବନୀ ପୁସ୍ତକ ପାଠ କଲା ପରେ ୧୯୨୦ର ଇଟାଲି ଏବ˚ ୨୦୨୦ର ଭାରତ ଭିତରେ ରହସ୍ୟମୟ ସାମଞ୍ଜସ୍ୟ ଥିବା ଆବିଷ୍କାର କଲି। ନରେନ୍ଦ୍ର ମୋଦୀ କି˚ବଦନ୍ତି ଅନୁରୂପ, ଲେଖକ ଓ ପ୍ରଚାରକମାନେ ବେନିତୋ ମୁସୋଲିନି କି˚ବଦନ୍ତି ସୃଷ୍ଟି କରିଥିଲେ। ଏହା ଜଣେ ବ୍ୟକ୍ତିଙ୍କ ସ୍ତୁତି ଗାନ ଭିନ୍ନ ଅନ୍ୟ କିଛି ନୁହେଁ। ସେହି ପ୍ରଚାରକମାନେ ଫାସିବାଦୀ ନେତାଙ୍କୁ ‘ଦେବତୁଲ୍ୟ ମାନବ’ ଭାବେ ଆଖ୍ୟାୟିତ କରିଥିଲେ ଏବ˚ ମୁସୋଲିନି ଜୀବନ୍ତ କି˚ବଦନ୍ତି ପାଲଟି ଯାଇଥିଲେ; ଯିଏ ସର୍ବଦା ଠିକ୍‌, ଯିଏ ସବୁଠାରେ ପହଞ୍ଚିପାରିବେ ଏବ˚ ଯାହାଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ସ˚ଭବ।

୧୯୨୫ ଡିସେମ୍ବର‌୍‌ରେ ଇଟାଲିରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଥିଲା ଏବ˚ ତାହା ଥିଲା ଗଣମାଧ୍ୟମର ସ୍ବାଧୀନତା ବିରୋଧୀ। ଉକ୍ତ ଆଇନର ପ୍ରଭାବ ପ୍ରଳୟଙ୍କରୀ ଥିଲା। ମାସ କେଇଟା ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖବରକାଗଜଗୁଡ଼ିକ ଗୋଟିକ ପରେ ଗୋଟିଏ ଫାସିବାଦୀଙ୍କ ନିୟନ୍ତ୍ରଣକୁ ଆସିଯାଇଥିଲା। କିଛି ଖବରକାଗଜ ମାଲିକ ଅର୍ଥନୈତିକ ତଥା ରାଜନୈତିକ ଚାପରେ ନିଜ ନିଜର ଖବରକାଗଜ ବିକିବାକୁ ବାଧ୍ୟ ହୋଇଥିଲେ। ସମସ୍ତ ଉଦାରବାଦୀ ସ˚ପାଦକ ଇସ୍ତଫା ଦେଇଥିଲେ ଏବ˚ ସୁବିଧାବାଦୀମାନେ ସେମାନଙ୍କ ସ୍ଥାନ ନେଇଥିଲେ।

ସେହି ୧୯୨୫ରେ ହିଁ ବେନିଡିଟୋ କ୍ରୋଚେ ଶାସକ ଦଳର ଆଦର୍ଶ ତଥା ମୁସୋଲିନିଙ୍କୁ ଏହି ମର୍ମରେ ସମାଲୋଚନା କରିଥିଲେ: କର୍ତ୍ତୃତ୍ବବାଦୀ ଏବ˚ ଲୋକଙ୍କ ଅଭିଳାଷ ଓ ଭ୍ରାନ୍ତ ବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ନେତା; ଏକ ସଙ୍ଗେ ଆଇନ ପ୍ରତି ଶ୍ରଦ୍ଧା ଓ ଆଇନ ଭଙ୍ଗକାରୀ; ପୁରୁଣା ଆବର୍ଜନା ପରିତ୍ୟାଗ କରିପାରୁ ନ ଥିବା ଅତ୍ୟାଧୁନିକ ଚିନ୍ତକ; ଏବ˚ ସ˚ସ୍କୃତି ପ୍ରତି ଘୃଣା, ଅଥଚ ନବଜାଗରଣ ପାଇଁ ବନ୍ଧ୍ୟା ବ୍ୟକ୍ତିତ୍ବ। ୧୯୨୦ରେ ଇଟାଲିର ଶାସନ ବ୍ୟବସ୍ଥା ଯାହା ଥିଲା, ଏବର ମୋଦୀ ସରକାର ସହ ତାହାର ଯଥେଷ୍ଟ ସାମଞ୍ଜସ୍ୟ ପରିଦୃଶ୍ୟ। ମୋଦୀ ସରକାର ସମ୍ମାନର ସହ ସମ୍ବିଧାନର ନାମ ନେଉଛି ଏବ˚ ସ୍ପଷ୍ଟ ଦିବାଲୋକରେ ସମ୍ବିଧାନର ଉଲ୍ଲ˚ଘନ କରୁଛି। ପ୍ରାଚୀନ ଜ୍ଞାନ ଓ ପାଣ୍ତିତ୍ୟ କଥା କହୁଛି ଏବ˚ ଆଧୁନିକ ବିଜ୍ଞାନ ପ୍ରଦର୍ଶନ କରୁଛି। ପ୍ରାଚୀନ ସ˚ସ୍କୃତିର ପ୍ରଶ˚ସା କରୁଛି ଏବ˚ ନିନ୍ଦନୀୟ ଓ ଅସଭ୍ୟ କାର୍ଯ୍ୟରେ ଲିପ୍ତ ରହୁଛି।

ମୁସୋଲିନିଙ୍କ ସମୟରେ ଅଧିକା˚ଶ ସ୍ବାଧୀନଚେତା ଇଟାଲିଆନ୍‌ ବୁଦ୍ଧିଜୀବୀ ବାଧ୍ୟ ହୋଇ ସ୍ବଦେଶ ଛାଡ଼ିଦେଇଥିଲେ। ତେବେ, ବେନିଡିଟୋ କ୍ରୋଚେ ସ୍ବଦେଶରେ ରହିଥିଲେ ଏବ˚ ନୈତିକ ଓ ବୌଦ୍ଧିକ ସ୍ତରରେ ଫାସିବାଦକୁ ବିରୋଧ କରିଥିଲେ। ତାଙ୍କ ଜୀବନୀକାର ଲେଖିଛନ୍ତି: ମୁସୋଲିନି କଲ୍‌ଟର ପ୍ରଚାର-ପ୍ରସାର କାର୍ଯ୍ୟରେ ଶାସନତନ୍ତ୍ର ସାରା ଗଣମାଧ୍ୟମ ଓ ଶିକ୍ଷା ବ୍ୟବସ୍ଥାକୁ ଲଗାଇଥିଲା। ସମସ୍ତଙ୍କୁ ବଶ କରାଯାଇଥିଲା। କୌଣସି ପ୍ରଶ୍ନ ନ କରି ସମସ୍ତଙ୍କଠାରୁ ଚରମ ଆନୁଗତ୍ୟ ଦାବି କରାଯାଇଥିଲା। ସମସ୍ତଙ୍କ ମୁଣ୍ତରେ ଗୋଟିଏ କଥା ଭର୍ତ୍ତି କରାଯାଇଥିଲା- ‘ବିଶ୍ବାସ କର, ପାଳନ କର ଏବ˚ ଲଢ଼।’ କ୍ରୋଚେ ଏହାର ବିରୋଧ କରିଥିଲେ। ଉଦାରବାଦୀ ମୂଲ୍ୟବୋଧ ଓ ସ୍ବାଧୀନତାର ମନ୍ତ୍ର ପ୍ରଚାର କରିଥିଲେ; ମଣିଷର ସମ୍ମାନକୁ ସୁରକ୍ଷିତ କରିବା ପାଇଁ ଆଗଭର ହୋଇଥିଲେ; ଏବ˚ ନିଜ ନିଷ୍ପତ୍ତି ନିଜେ ନେବା ସହ ଦାୟିତ୍ବବାନ ହେବା ନିମନ୍ତେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ରିଜିଙ୍କ ପୁସ୍ତକରେ ଏହା ଲିଖିତ: ୧୯୨୬ ଶେଷ ହେବା ବେଳକୁ ଉଦାର ଇଟାଲିର ମୃତ୍ୟୁ ହୋଇସାରିଥିଲା। ମୁସୋଲିନି ସମସ୍ତ କ୍ଷମତା ଅକ୍ତିଆର କରିବା ସହ ସ୍ବୈରଶାସନ ଜାରି ରଖିବା ପାଇଁ ଆଇନ ବଦଳାଇ ଦେଇଥିଲେ। ରାଜନୈତିକ ଦଳଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା। ମୁକ୍ତ ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା। ବିରୋଧୀମାନଙ୍କର ପକ୍ଷଚ୍ଛେଦ କରାଯାଇଥିଲା ଏବ˚ ସ˚ସଦ କ୍ଳୀବ ସ୍ତରକୁ ଖସି ଆସିଥିଲା। ୧୯୨୭ ବେଳକୁ ମୁସୋଲିନିଙ୍କ ବିରୋଧରେ କୌଣସି ରାଜନୈତିକ କାର୍ଯ୍ୟାନୁଷ୍ଠାନ ସ˚ପୂର୍ଣ୍ଣ ଅସ˚ଭବ ହୋଇ ସାରିଥିଲା। ବ୍ୟକ୍ତିଗତ ବା ସାର୍ବଜନୀନ ସ୍ତରରେ କୌଣସି ଧରଣର ଶାସନ ବିରୋଧୀ ମତ ଓ ମନ୍ତବ୍ୟ ଦେବା ବିପଜ୍ଜନକ ହୋଇଯାଇଥିଲା। ବେସାମରିକ କର୍ମଚାରୀଙ୍କ ପକ୍ଷେ କୌଣସି ସରକାରୀ ନୀତି ବିରୋଧୀ ମନ୍ତବ୍ୟର ପରିଣାମ ସ୍ବରୂପ ସେମାନଙ୍କର ଚାକିରି ଯିବାର ଆଶଙ୍କା ଥିଲା। ଫାସିବାଦ ବିରୋଧୀଙ୍କୁ ସ˚ପୂର୍ଣ୍ଣ ଦମନ କରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ୍‌ ବାହିନୀ ଗଠନ କରାଯାଇଥିଲା। ଏହି ବାହିନୀ ଅଭ୍ୟନ୍ତରୀଣ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିଲା। ପୁଲିସ୍‌ ବିଭାଗୀୟ ମୁଖ୍ୟ ହିଁ ଏହାର ମୁଖ୍ୟ ଥିଲେ। ଏହି ରହସ୍ୟମୟ ବାହିନୀର ନାମ ଥିଲା- ‘ଓଭିଆର‌୍‌ଏ’। ଫାସିବାଦ ବିରୋଧୀ ସ୍ବରର ଦମନ, ଏହାର ମୁଖ୍ୟ କାର୍ଯ୍ୟ ଥିଲା। ଅଳ୍ପ କିଛି କାଳ ମଧ୍ୟରେ ଏହି ବାହିନୀ ଏକ ଲକ୍ଷରୁ ଅଧିକ ଲୋକଙ୍କ କାର୍ଯ୍ୟକଳାପ ସ˚ପର୍କିତ ନଥି ପ୍ରସ୍ତୁତ କରିଥିଲା। ଏହି ବାହିନୀରେ କାର୍ଯ୍ୟ କରୁଥିବା ସ୍ବତନ୍ତ୍ର ଅଧିକାରୀ, ଗୁଇନ୍ଦା, ସୂଚନାଦାତା ଆଦି ସାରା ଦେଶରେ ଭରି ହୋଇ ଯାଇଥିଲେ। ବିଦେଶରେ ମଧ୍ୟ ଏମାନେ ଶାସନତନ୍ତ୍ର ବିରୋଧୀଙ୍କ ଉପରେ ନଜର ରଖିଥିଲେ।

ରିଜିଙ୍କ ପୁସ୍ତକର ଏହି ଅ˚ଶ ବାବଦରେ ମୁଁ ଲେଖୁଥିବା ବେଳେ ଖବର ଆସିଲା, ଆମ ଦେଶର ଗୃହ ମନ୍ତ୍ରାଳୟ, ବିତ୍ତୀୟ ଆୟୋଗକୁ ପଚାଶ ହଜାର କୋଟି ଟଙ୍କା ମାଗିଛି। ଏହି ପାଣ୍ଠିକୁ ନାଗରିକଙ୍କ ଉପରେ ନଜର ରଖିବା କାର୍ଯ୍ୟରେ ବିନିଯୋଗ କରାଯିବ। ଏହା ପୁଣି ମଗାଯାଇଛି, ସେହି ସମୟରେ, ଯେତେ ବେଳେ କେନ୍ଦ୍ର, ରାଜ୍ୟଗୁଡ଼ିକୁ ସେମାନେ ପାଇବାକୁ ଥିବା ଅନୁଦାନରୁ ବଞ୍ଚିତ କରୁଛି। ଗୃହ ମନ୍ତ୍ରାଳୟ କ୍ଷମତାର ଅପବ୍ୟବହାରକୁ ବିପଜ୍ଜନକ ସ୍ତରକୁ ନେଇ ସାରିଲାଣି। ସ୍ବାଧୀନ ଚିନ୍ତକ, ସକ୍ରିୟତାବାଦୀ ଓ ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ମାମଲା ଦାଏର କରାଯାଉଛି।

୧୯୨୯ର ଇଟାଲିଆନ୍‌ ସ˚ସଦର କାର୍ଯ୍ୟକୁ ରିଜି ଏହି ମର୍ମରେ ବର୍ଣ୍ଣନା କରିଛନ୍ତି: ସ˚ସଦ, ସରକାରୀ ନିଷ୍ପତ୍ତିର ରବର‌୍‌ ଷ୍ଟା˚ପ୍‌ରେ ପରିଣତ ହୋଇ ସାରିଥିଲା। ଅଳ୍ପ ସ˚ଖ୍ୟକ ବିରୋଧୀଙ୍କ ବକ୍ତବ୍ୟକୁ କେହି କର୍ଣ୍ଣପାତ କରୁ ନ ଥିଲେ। ସ˚ସଦରେ ସେମାନେ କିଛି କହୁଥିବା ବେଳେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରୁ ପ୍ରବଳ ଚିତ୍କାର ଶୁଣିବାକୁ ମିଳୁଥିଲା। ଗୃହରେ ଉପସ୍ଥିତ ବହୁ ସ˚ଖ୍ୟକ ସରକାରୀ ସପକ୍ଷବାଦୀମାନେ ମଧ୍ୟ ସେମାନଙ୍କୁ କୁହାଇ ଦେଉ ନ ଥିଲେ।

ଗୋଟିଏ ଦେଶର ଜଣେ ବ୍ୟକ୍ତିଙ୍କ ଉପରେ ରିଜିଙ୍କ ପୁସ୍ତକ କେନ୍ଦ୍ରୀଭୂତ। ତେଣୁ, ତୁଳନାତ୍ମକ ଅଧ୍ୟୟନର ମହତ୍ତ୍ବ ରଖେ। ଲେଖକ ଠାଏ ମନ୍ତବ୍ୟ ଦେଇଛନ୍ତି: ଇଟାଲିଅନ୍‌ ଫାସିବାଦ ଏକ ପ୍ରଭୁବାଦୀ ଶାସନତନ୍ତ୍ର ସୃଷ୍ଟି କରିଥିଲା। ଏହା ଶୀର୍ଷରେ ପହଞ୍ଚିଥିଲା। ତେବେ, ଏକ ଏକଛତ୍ରବାଦୀ ସମାଜ ଗଠନ କରିବା ପାଇଁ ଏହା ପାଖରେ ସମୟ ନ ଥିଲା କି ଏଥି ନିମନ୍ତେ ଶକ୍ତି ମଧ୍ୟ ନ ଥିଲା। ଏହାର ଏକ ମାତ୍ର ଅର୍ଥ: ମୁସୋଲିନିଙ୍କ ଇଟାଲି ଯେତେ ଭୟଙ୍କର ଥାଉ ନା କାହିଁକି, ହିଟ୍‌ଲର‌୍‌ଙ୍କ ଜର୍ମାନି ଭଳି ଏତେ ଭୟଙ୍କର ନ ଥିଲା।

ରିଜି ରଚିତ ବେନିଡିଟୋ କ୍ରୋଚେଙ୍କ ବୌଦ୍ଧିକ ଜୀବନୀ ପଢ଼ିବା ପରେ ଡେଭିଡ୍‌ ଗିଲ୍‌ମୋର‌୍‌ଙ୍କର ‘ଦ ପର‌୍‌ସ୍ୟୁଟ୍‌ ଅଫ୍‌ ଇଟାଲି’ ପଢ଼ିଲି। ଏହା ଇଟାଲି ଉପରେ ଲିଖିତ ଏକ ଚମତ୍କାର ଇତିହାସ ପୁସ୍ତକ। ଏହା ଏକ ସ˚ପୂର୍ଣ୍ଣ ପୁସ୍ତକ; ଇଟାଲିର ସୃଷ୍ଟିଠାରୁ ଏହାର ପ୍ରାରମ୍ଭ। ଚାରି ଶହ ପୃଷ୍ଠାର ଏହି ପୁସ୍ତକର ପ୍ରାୟ ତିରିଶ ପୃଷ୍ଠା ମୁସୋଲିନିଙ୍କ ଉପରେ ଆଧାରିତ; ମୁଖ୍ୟତଃ ଯେଉଁ ସମୟରେ ସେ କ୍ଷମତାରେ ଥିଲେ। ରିଜି ଓ ଗିଲ୍‌ମୋର‌୍‌ ଇଟାଲିର ଅତୀତ ଉପରେ ଯାହା ଯାହା ଲେଖିଛନ୍ତି, ତାହା ମୋ’ଠାରେ ଶିହରଣ ସୃଷ୍ଟି କରୁଛି; କାରଣ, ମୁଁ ନିଜ ଦେଶରେ ଏବେ ତାହା ପ୍ରତ୍ୟକ୍ଷ କରୁଛି।

ଗିଲ୍‌ମୋର‌୍‌ ଟିପ୍ପଣୀ ଦେଇଛନ୍ତି: ୧୯୩୦ରେ ସରକାରର ଶୈଳୀ ଥିଲା ସବୁଠାରୁ ଅଧିକ ଆଡ଼ମ୍ବରପୂର୍ଣ୍ଣ। ଅଧିକ ପରେଡ୍‌ ହେଉଥିଲା, ଅଧିକ ୟୁନିଫର୍ମ‌୍‌ଧାରୀଙ୍କୁ ଦେଖିବାକୁ ମିଳୁଥିଲା, ସେନ୍‌ସର‌୍‌ସିପ୍‌ ବି ଅଧିକ ଥିଲା। ନେତାମାନେ ଅଧିକ ଭାଷଣ ଦେଉଥିଲେ, ଲୋକେ ଅଧିକ ଚିତ୍କାର କରୁଥିଲେ ଓ ତାଳି ବଜାଉଥିଲେ, ଅଧିକ ସ˚ଖ୍ୟାରେ ବାଲ୍‌କୋନିରେ ଜମା ହେଉଥିଲେ। ବିଭିନ୍ନ ସମାବେଶରେ ମୁସୋଲିନିଙ୍କ ତୁଣ୍ତରୁ ‘ଦେଶ ଓ ଗୌରବ’(ଲାଟିନ୍‌ରେ ‘ପ୍ରୋ ଗ୍ଲୋରିଆ ଏଟ୍‌ ପାଟ୍ରିଆ’) ଶବ୍ଦ ଦୁଇଟିର ଉଚ୍ଚାରଣ ମାତ୍ରକେ ଲୋକେ ଚିତ୍କାର କରୁଥିଲେ- ‘ଡୁ-କେ! ଡୁ-କେ! ଡୁ-କେ! ନରେନ୍ଦ୍ର ମୋଦୀଙ୍କ ଶାସନରେ, ବିଶେଷତଃ ସେ ୨୦୧୯ରେ ଦ୍ବିତୀୟ ଥର ବଡ଼ ବିଜୟ ଲାଭ କଲା ପରେ ଆମେ ଏ ଭଳି କିଛି ଶୁଣୁନାହେଁ କି- ‘ମୋ-ଦୀ! ମୋ-ଦୀ, ମୋ-ଦୀ!’

କାହିଁକି ଏହି ଇଟାଲିଆନ୍‌ ଜନନାୟକ ଏତେ ଲୋକପ୍ରିୟ ଥିଲେ? ଗିଲ୍‌ମୋର‌୍‌ ଏହାର ଉତ୍ତରରେ କହନ୍ତି: ମୁସୋଲିନି ଲମ୍ବା ସମୟ କ୍ଷମତାରେ ରହିପାରିବାର ମୁଖ୍ୟ କାରଣ ହେଉଛି, ସେ ଇଟାଲୀୟତାକୁ ଅସ୍ତ୍ର କରିଥିଲେ। ସାଧାରଣ ଲୋକଙ୍କ ଆଶା, ବିଶ୍ବାସ ଓ ଭୟ, ଉଦ୍‌ବେଗ ଆଦିର ଫାଇଦା ଉଠାଇଥିଲେ। ଲୋକେ ଧରି ନେଇଥିଲେ, ସେମାନେ ଉଦାରବାଦୀ ରାଜନୀତିଜ୍ଞଙ୍କ ଦ୍ବାରା ପ୍ରତାରିତ ହୋଇଛନ୍ତି। ଏହାର ଯୁଦ୍ଧକାଳୀନ ମିତ୍ରମାନେ ଏହା ପ୍ରତି ଅନ୍ୟାୟ କରିଛନ୍ତି। ଏହାକୁ ବିଖଣ୍ତିତ ଶାନ୍ତି ଗ୍ରହଣ କରିବା ପାଇଁ ବାଧ୍ୟ କରିଛନ୍ତି। ମୋଦୀ ମଧ୍ୟ ସେଇୟା କରିଛନ୍ତି। ସେ ଲୋକଙ୍କୁ ଦୂର ଅତୀତ କଥା ମନେ ପକାଇ ଦେଇଛନ୍ତି; ଯେତେ ବେଳେ ହିନ୍ଦୁମାନେ ଭାରତ ତଥା ଭାରତ ବାହାରେ ମଧ୍ୟ ଶକ୍ତିଶାଳୀ ଥିଲେ, ସୁବର୍ଣ୍ଣ ଯୁଗର ରାଜତ୍ବ ଥିଲା। ଯୁକ୍ତି ବାଢ଼ିଛନ୍ତି- ମୁସଲମାନ ଓ ବ୍ରିଟିସ୍‌ଙ୍କ ପାଇଁ ହିନ୍ଦୁମାନଙ୍କର ପତନ ଘଟିଛି। ସେ ଦୁର୍ନୀତିଗ୍ରସ୍ତ କ˚ଗ୍ରେସ୍‌ ନେତାଙ୍କ ବିରୋଧରେ ଜ୍ବାଳାମୟୀ ଭାଷଣ ଦେଇ ଜନତାକୁ ବୁଝାଇଦେଇଛନ୍ତି, ସେମାନେ ହିନ୍ଦୁ ତଥା ଭାରତୀୟଙ୍କୁ ଆହୁରି ଅଧିକ ତଳକୁ ତଳକୁ ନେଇଯିବେ।

୧୯୨୦ରେ ଇଟାଲିର ଅବସ୍ଥା ବାବଦରେ ଏହି ଦୁଇଟି ବହି ପଢ଼ିବା ପରେ, ୨୦୨୦ର ଭାରତର ଅବସ୍ଥା ସହ ତାହାକୁ ତୁଳନା କରି, ମୁଁ ହତାଶ ହୋଇଛି। ତେବେ, ସ˚ପୂର୍ଣ୍ଣ ଭାବେ ଆଶା ମଧ୍ୟ ହରାଇନାହିଁ। ମୁସୋଲିନିଙ୍କ ସମୟର ଇଟାଲିରେ ବିରୋଧୀମାନଙ୍କର କୌଣସି ଅସ୍ତିତ୍ବ ନ ଥିଲା। ତେବେ, ମୋଦୀକାଳୀନ ଭାରତରେ ଭାଜପା, ତୀବ୍ର ବିରୋଧର ସମ୍ମୁଖୀନ ହେଉଛି। କେନ୍ଦ୍ରରେ ବିରୋଧୀ ଦୁର୍ବଳ ସ୍ଥିତିରେ ଅଛନ୍ତି ସତ ଛଅରୁ ଅଧିକ ମୁଖ୍ୟ ରାଜ୍ୟରେ ସେମାନଙ୍କର ସ୍ଥିତି ବେଶ୍‌ ସୁଦୃଢ଼। ଗଣମାଧ୍ୟମ କିଛି ମାତ୍ରାରେ ବଶ୍ୟ; କିନ୍ତୁ, ସ˚ପୂର୍ଣ୍ଣ ବିଧ୍ବସ୍ତ ନୁହେଁ। ମୁସୋଲିନିଙ୍କ ଇଟାଲିରେ ବିରୋଧ କରିବାକୁ ଥିଲେ କେବଳ ବେନିଡିଟୋ କ୍ରୋଚେ। ତେବେ, ମୋଦୀଙ୍କ ଭାରତରେ ତାଙ୍କର ବିରୋଧ କରୁଛନ୍ତି ଅନେକ ଲେଖକ ଓ ବୁଦ୍ଧିଜୀବୀ। ସେମାନେ ସାହସର ସହିତ ସାଧାରଣତନ୍ତ୍ରର ମୌଳିକ ନୀତିର ପ୍ରତିରକ୍ଷା ପାଇଁ ଅହରହ ଲଢ଼ୁଛନ୍ତି।

‘ଦ ପର‌୍‌ସ୍ୟୁଟ୍‌ ଅଫ୍‌ ଇଟାଲି’ରେ ମୁସୋଲିନି କେମିତି କ୍ଷମତାଶାଳୀ ହେଲେ ବର୍ଣ୍ଣନା କରିବା ପରେ ଗିଲ୍‌ମୋର‌୍‌ ମନ୍ତବ୍ୟ ଦେଇଛନ୍ତି: ଫାସିବାଦ ପ୍ରତି ଆକର୍ଷଣ ଏକ ନିର୍ବୋଧତା ଥିଲା। ଏହା କୌଣସି ପ୍ରକାରର ସମୃଦ୍ଧି ଆଣିପାରି ନ ଥିଲା। ଇଟାଲିଆନ୍‌ମାନେ ସୁଶାସିତ ହେଉଛନ୍ତି ବୋଲି ଭାବୁଥିଲେ; ତେବେ, ଅବସ୍ଥା ଭଲ ନ ଥିବାର ବିଚାର ସେମାନଙ୍କ ମନରୁ ଯାଉ ନ ଥିଲା। ମୁସୋଲିନି ରୋଜଗାର ଦେଇପାରି ନ ଥିଲେ। ବିକାଶ ଆସି ନ ଥିଲା। ମୋଦୀ ତ ଅର୍ଥନୀତି କ୍ଷେତ୍ରକୁ ସ˚ପୂର୍ଣ୍ଣ ବରବାଦ କରିଦେଇଛନ୍ତି। ତାଙ୍କର ଅପରିଣାମଦର୍ଶୀ ଚିନ୍ତାଧାରା ଓ ଅବାସ୍ତବ ନୀତି ଭାରତୀୟ ଅର୍ଥନୀତିର ନାହିଁ ନ ଥିବା କ୍ଷତି ଘଟାଇଛି। ଉଦାରୀକରଣର ତିନି ଦଶନ୍ଧି ପରେ ଭାରତୀୟ ଅର୍ଥନୀତିର ଯେଉଁ ଆଖିଦୃଶିଆ ବିକାଶ ହୋଇଥିଲା, ତାହା ଉଜୁଡ଼ିଯାଇଛି।

ଲକ୍ଷ ଲକ୍ଷ ଯୁବକ ଏବେ ପାଗଳଙ୍କ ପରି ମୋଦୀଙ୍କୁ ଅନୁସରଣ କରୁଛନ୍ତି। ତାଙ୍କୁ ତଥା ଆମକୁ ଯେଉଁ ଅଦୃଷ୍ଟ ଅପେକ୍ଷା କରିଛି, ତାହାର ପୂର୍ବାନୁମାନ କରାଯାଇପାରେ। ଏକଦା ଲକ୍ଷ ଲକ୍ଷ ଇଟାଲିଆନ୍‌ ଯୁବକ ଅନ୍ଧ ଭାବେ ମୁସୋଲିନିଙ୍କୁ ସମର୍ଥନ ଦେଇଥିଲେ। ତାଙ୍କର ମୃତ୍ୟୁ ତଥା ଇଟାଲିରେ ଫାସିବାଦର ସ˚ପୂର୍ଣ୍ଣ ପତନ ପରେ କ୍ରୋଚେ ଦୁଃଖିତ ହୋଇ ଲେଖିଥିଲେ: ରାଷ୍ଟ୍ର ପାଖରେ ନୈତିକ ଶକ୍ତିର ଭଣ୍ତାର ଥିଲା, ଯାହାକୁ ଏକ ଦମନକ ଶାସନତନ୍ତ୍ର ପଥଭ୍ରଷ୍ଟ କରିଥିଲା; ନିଜର ହୀନ ସ୍ବାର୍ଥ ଚରିତାର୍ଥ ପାଇଁ ତାହାର ବ୍ୟବହାର କରିଥିଲା ଏବ˚ ଶେଷରେ ଧୋକା ଦେଇଥିଲା।

ମୁସୋଲିନି ଏବ˚ ତାଙ୍କର ଫାସିବାଦୀ ସମର୍ଥକମାନେ ଭାବୁଥିଲେ, ସେମାନେ ସବୁ ଦିନ ପାଇଁ ଇଟାଲିରେ ରାଜୁତି କରିବେ। ନରେନ୍ଦ୍ର ମୋଦୀ ଓ ଭାଜପା ମଧ୍ୟ ସେମାନଙ୍କ ଭଳି ଭାବୁଛନ୍ତି। ଶାଶ୍ବତ ଶାସନର ଏହି ଅବାନ୍ତର ପରିକଳ୍ପନା କେବେ ହେଲେ ସାକାର ହେବନାହିଁ। ତେବେ, ଏହି ସରକାର ଯେତିକି ଅଧିକ ଦିନ କ୍ଷମତାରେ ରହିବ, ଦେଶ ସେତେ ଅଧିକ କ୍ଷତି ସହିବ- ଅର୍ଥନୈତିକ, ରାଜନୈତିକ, ସାମାଜିକ ଓ ନୈତିକ ସ୍ତରରେ। ମୁସୋଲିନି ଏବ˚ ତାଙ୍କ ଦଳ ଇଟାଲିକୁ ଯେଉଁ ବିପର୍ଯ୍ୟୟ ଆଣିଦେଇଥିଲେ, ସେହି ଅବସ୍ଥା ସୁଧୁରିବା ପାଇଁ କେତେ ଦଶନ୍ଧି ଲାଗିଯାଇଥିଲା। ମୋଦୀ ଓ ତାଙ୍କ ଦଳ ଦେଶର ଯେଉଁ କ୍ଷତି କରୁଛନ୍ତି, ଭାରତ ପାଇଁ ତାହାଠାରୁ ଅଧିକ ସମୟ ଲାଗିଯାଇପାରେ।

(ଏହା ଲେଖକଙ୍କ ନିଜସ୍ବ ମତ)

ସମ୍ବନ୍ଧିତ ଖବର