ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତ‌ା

ଗୋପୀନାଥ ମହାନ୍ତି

ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଅନୁମୋଦନ ଲାଗି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ କରିଥିବା ସମ୍ବାଦ ନିଶ୍ଚିତ ଭାବେ ସଂଗୀତପ୍ରେମୀମାନଙ୍କ ସକାଶେ ଖୁସି ଆଣିଦେଇଛି। ୨୦୦୮ ମସିହାରେ ରାଜ୍ୟ ସରକାର ଓଡ଼ିଶୀକୁ ଶାସ୍ତ୍ରୀୟ ସଂଗୀତ ଭାବରେ ଘୋଷଣା କରିଥିଲେ। ଦୀର୍ଘ ୧୨ ବର୍ଷ ପରେ ପୁଣି ଓଡ଼ିଶୀ କଥା ବିଚାର କରିଥିବାରୁ ସରକାର ବଧାଇର ପାତ୍ର। କିନ୍ତୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ତରରେ ଯେଉଁ ଯେଉଁ ପ୍ରସ୍ତୁତିର ଆବଶ୍ୟକତା ଅଛି, ତାହା କରାଯାଇଛି କି? ଯଦି ଏହାର ଉତ୍ତର ନା ହୁଏ, ତେବେ ଏହି ପ୍ରସ୍ତାବ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିର ଅନୁମୋଦନ ଲାଭ କରିବା କଷ୍ଟକର ହୋଇପଡ଼ିବ।

ପ୍ରଥମତଃ ବର୍ତ୍ତମାନ ଓଡ଼ିଶୀ ସଙ୍ଗୀତର ପ୍ରତିଷ୍ଠିତ ଗୁରୁ ତଥା ଗବେଷକ ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡା, ଡକ୍ଟର ଦାମୋଦର ହୋତା, ପ୍ରଫେସର ରାମହରି ଦାସ, ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ, ଗୁରୁ ବିଜୟ ଜେନା, ପ୍ରଫେସର ସଙ୍ଗୀତା ଗୋସାଇଁଙ୍କ ରଚିତ ତଥା ଗାୟନ ଶୈଳୀରେ ଓଡ଼ିଶୀ ସଙ୍ଗୀତର ତାଳ ଓ ଲକ୍ଷଣ ପରିବେଷଣରେ ମତ ପାର୍ଥକ୍ୟ ଅଛି। ଏହି ମତ ପାର୍ଥକ୍ୟକୁ ଦୂର କରି ଏକ ସର୍ବସମ୍ମତ ବ୍ୟାକରଣ ରଚନା କରିବା ପାଇଁ (ଲେଖକ ସଂସ୍କୃତି ବିଭାଗର ସଚିବ ଥିବା ସମୟରେ) ସମସ୍ତ ଗୁରୁମାନଙ୍କ ସହଯୋଗରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରେ ଏକାଧିକ ବାର ବୈଠକର ଆୟୋଜନ କରାଯାଇଥିଲା। ଓଡ଼ିଶାର ପ୍ରତିଷ୍ଠିତ ତଥା ବର୍ଷୀୟାନ ଗାୟକ ଶ୍ରୀ ପ୍ରଫୁଲ୍ଲ କରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ପ୍ରତି ମାସରେ ଗୁରୁମାନଙ୍କ ଉପସ୍ଥିତିରେ ସେମାନଙ୍କ ମତ ପାର୍ଥକ୍ୟର ଆଧାରରେ ଶାସ୍ତ୍ରୀୟତାକୁ ବିଚାର କରି ଏକ ସର୍ବ-ସମ୍ମତ ବ୍ୟାକରଣ ତିଆରି କରିବା ଏହାର ଉଦ୍ଦେଶ୍ୟ ଥିଲା। ବହୁ ବାର ବୈଠକ ହୋଇଛି। ପ୍ରଥମ ପଦକ୍ଷେପ ଭାବରେ ‘ଓଡ଼ିଶୀ ସଙ୍ଗୀତର ରାଗ ସରଣୀ ପ୍ରଥମ ଭାଗ’ ପୁସ୍ତକ ସେହି ସମୟର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଉନ୍ମୋଚନ କରିଥିଲେ। କିନ୍ତୁ ଏ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଅଧୁରା ହୋଇ ରହିଛି।

କଟକ, ଭୁବନେଶ୍ୱର, ପୁରୀ ଓ ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନକୁ ଛାଡ଼ି ଦେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତର ବିଶେଷ ଆଦର ନାହିଁ। ଓଡ଼ିଶୀ ଶିଖାଇବା ପାଇଁ ମଧ୍ୟ ଗୁରୁଙ୍କର ଅଭାବ ରହିଛି। ତଥାପି ଦେଖିବାକୁ ମିଳୁଛି ଯେ ରାଜ୍ୟ ଏବଂ ଦେଶ ବାହାରୁ ଅନେକ ଆଗ୍ରହୀ ବ୍ୟକ୍ତିବିଶେଷ ଆମ ରାଜ୍ୟକୁ ଆସି ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରୁଛନ୍ତି। ତେଣୁ ଆମ ରାଜ୍ୟରେ ଏହି ସଙ୍ଗୀତର ପ୍ରସାର ନ ଥିବା କ୍ଷୋଭର ବିଷୟ। ଏଥିପାଇଁ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ସହଯୋଗରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଓଡ଼ିଶୀ ସଙ୍ଗୀତର ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଏହି ଜିଲ୍ଲାଗୁଡ଼ିକୁ ଯିବା ପାଇଁ ଉପକୂଳ ଅଞ୍ଚଳର ଗୁରୁମାନେ ଅନିଚ୍ଛା ପ୍ରକାଶ କରିବାରୁ ଏହା ଆଗେଇ ପାରିଲା ନାହିଁ। କିନ୍ତୁ ଏଭଳି ଉଦ୍ୟମର ଆବଶ୍ୟକତା ରହିଛି।

ବେସରକାରୀ ସ୍ତରରେ ଅନ୍ୟ ଶାସ୍ତ୍ରୀୟ ସଙ୍ଗୀତ ଯେପରିକି ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ପରିବେଷିତ ହେଉଥିବା ସ୍ଥାନରେ ଓଡ଼ିଶୀ ସଙ୍ଗୀତ ମଧ୍ୟ ପରିବେଷଣ କରାଯିବା ନିତାନ୍ତ ଜରୁରୀ। ଏହାକୁ ଏକ ସଙ୍ଗରେ ଯୁଗଳବନ୍ଦୀ ବା ତ୍ରିଧାରା ଭାବେ ପରିବେଷଣ ମଧ୍ୟ କରାଯାଇପାରେ। ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ଲେଖକର ଉଦ୍ୟମରେ କୋଲକାତା ଠାରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ, ଚଣ୍ଡିଗଡ଼ରେ ପ୍ରାଚୀନ କଳାକେନ୍ଦ୍ର ସହାୟତାରେ ଓ ଦିଲ୍ଲୀ ଠାରେ ଓଡ଼ିଶୀ ସଙ୍ଗୀତର ଆସର ଆୟୋଜିତ ହୋଇଥିଲା। ଏବେ ଏଥିପାଇଁ ସରକାରଙ୍କୁ ବଜେଟ ବ୍ୟବସ୍ଥା କରିବାକୁ ହେବ। ଅନ୍ୟ ଶାସ୍ତ୍ରୀୟ ସଙ୍ଗୀତର ଧୁରୀଣମାନେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ଦେଲେ ସରକାରଙ୍କ ପ୍ରଚେଷ୍ଟା ଫଳବତୀ ହେବା ସହଜ ହେବ ନାହିଁ।

ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତର ପ୍ରଶଂସକଙ୍କ ସଂଖ୍ୟା ଅଧିକ ନୁହେଁ ବୋଲି ଜଣାଯାଏ। ଦିଲ୍ଲୀ, ମୁମ୍ବାଇରେ ଯେତେବେଳେ ୫/୭ ଦିନ ଧରି ଶାସ୍ତ୍ରୀୟ ସଙ୍ଗୀତର ସମାରୋହ ହୋଇଥାଏ, ସେଠାରେ ହଜାର ହଜାର ଦର୍ଶକ ଏହାର ରସକୁ ଆସ୍ବାଦନ କରିଥାନ୍ତି। ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ୨୦୦୪ ମସିହା ଠାରୁ ରାଜାରାଣୀ ମନ୍ଦିର ହତାରେ ଶାସ୍ତ୍ରୀୟ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଆସୁଅଛି। କିନ୍ତୁ ବିଡ଼ମ୍ବନାର ବିଷୟ ବର୍ତ୍ତମାନ ସୁଦ୍ଧା ଏହାର ଦର୍ଶକ ସଂଖ୍ୟା ୫୦୦ରୁ ଅଧିକ ହୋଇନାହିଁ।

କେତେକଙ୍କ ମତରେ କେତେକ ସ୍ଥାନରେ ଓଡ଼ିଶୀ ସଙ୍ଗୀତର ଗାୟନ ଧାରା ହିନ୍ଦୁସ୍ଥାନୀ କିମ୍ବା କର୍ଣ୍ଣାଟକୀ ଗାୟନ ଧାରା ସହିତ ମିଶି ଯାଇଥାଏ। କେତେକ କହନ୍ତି ଯେ ହିନ୍ଦୁସ୍ଥାନୀ ଢାଞ୍ଚାରେ ଓଡ଼ିଶୀ ସଙ୍ଗୀତକୁ ଗାନ କରାଯାଏ। ତେଣୁ ଏପରି ଦ୍ବନ୍ଦ୍ବାତ୍ମକ ପ୍ରସଙ୍ଗକୁ ଦୂର କରିବା ଆବଶ୍ୟକ।

ଶାସ୍ତ୍ରୀୟ ସଙ୍ଗୀତର ଆଦର ବୃଦ୍ଧି କରିବା ପାଇଁ ତଥା ଏହାକୁ ଶିଖି ଗାୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତାୟନ କାର୍ଯ୍ୟକ୍ରମ ୨୦୦୪ ମସିହାରୁ ଆରମ୍ଭ ହୋଇଛି। ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି।

୨୦୦୮ ମସିହା ଫେବ୍ରୁଆରି ମାସ ୨୯ ତାରିଖରେ ଓଡ଼ିଶୀ ସଙ୍ଗୀତକୁ ସରକାର ଶାସ୍ତ୍ରୀୟ ସଙ୍ଗୀତ ଭାବରେ ଅନୁମୋଦନ ଦେବା ସହିତ ସେହି ରୂପେ ଘୋଷଣା କରିଥିଲେ। କିନ୍ତୁ ତାହା ବିଶେଷ ଅଗ୍ରଗତି କରି ପାରିଲା ନାହିଁ। ଏବେ କିନ୍ତୁ ସମୟ ଆସିଛି ଏହି ଉଦ୍ୟମକୁ ଆଗେଇ ନେଇ ସଫଳତାର ମୁଣ୍ଡି ମାରିବାକୁ ହେବ। ତେଣୁ ଓଡ଼ିଶାର ଗର୍ବ ଓ ଗୌରବ ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ସବୁ ଜିଲ୍ଲା ସଦର ମହକୁମାରେ ଓଡ଼ିଶୀ ସଙ୍ଗୀତ ବିଦ୍ୟାଳୟ ଖୋଲିବା, ଗୁରୁମାନଙ୍କ ସହଯୋଗରେ ଓଡ଼ିଶୀ ବ୍ୟାକରଣ ପ୍ରସ୍ତୁତ କରିବା, ବିଭିନ୍ନ ସହରମାନଙ୍କରେ ଯୁଗଳବନ୍ଦୀ ବା ତ୍ରିଧାରା ଆସର ଜରିଆରେ ଓଡ଼ିଶୀ ସଙ୍ଗୀତର ଆଦର ବୃଦ୍ଧି କରିବା, ଓଡ଼ିଶୀ ସଙ୍ଗୀତରେ ପାରଦର୍ଶିତା ଲାଭ କରୁଥିବା ଗାୟକଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ଭଳି ପଦକ୍ଷେପ ଗ୍ରହଣ ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ସେହିଭଳି ଓଡ଼ିଶୀ ସଙ୍ଗୀତରେ ଗବେଷଣା କ୍ଷେତ୍ରକୁ ଆର୍ଥିକ ପ୍ରୋତ୍ସାହନମୂଳକ ଆର୍ଥିକ ଅନୁଦାନ ଆସିବା ଜରୁରୀ। ଓଡ଼ିଶୀ ସଙ୍ଗୀତ ପାଇଁ ବୃତ୍ତି ବ୍ୟବସ୍ଥା ମଧ୍ୟ କରାଯିବା ଆଜିର ଆବଶ୍ୟକତା।

ଓଡ଼ିଶୀ ସଙ୍ଗୀତର ଅତି ସମୃଦ୍ଧ ପରଂପରାରେ ରାଗ ତାଳ ନିବନ୍ଧିତ ‘ମାଳଶ୍ରୀରାଗ’ ଗାୟନରେ ଦେବଦାସୀମାନେ ଆଶ୍ବିନ ମାସରେ ଷୋଳପୂଜା ସମୟରେ ବିମଳାଙ୍କ ଧୂପ ସମୟରେ ମାଳଶ୍ରୀ ଗାୟନ ସହିତ ପଟୁଆର କରନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ସମୟରେ ମଧ୍ୟ ମାଜଣା ମଣ୍ଡପରେ ଶ୍ରୀଜଗନ୍ନାଥ ମାଳଶ୍ରୀ ରାଗର ଗୀତ ଶୁଣିବାକୁ ଭଲ ପାଆନ୍ତି ବୋଲି ବିଶ୍ବାସ କରାଯାଏ। ସୁତରାଂ ଏଭଳି ଏକ ପ୍ରାଚୀନ ରାଗ ସମ୍ବଳିତ ଗାୟନ ବିଧି ଶାସ୍ତ୍ରୀୟତା ଲାଭ କରିବାରେ ନୂତନତ୍ବ କିଛି ନାହିଁ। କେବଳ ପଥିକୃତ୍‌ ଉଦ୍ୟମ ଆବଶ୍ୟକ।

ପ୍ରାକ୍ତନ ଶାସନ ସଚିବ, ସଂସ୍କୃତି ବିଭାଗ

ସମ୍ବନ୍ଧିତ ଖବର