ମୋଟା ମଣିଷଙ୍କ ବୋଝ

ବିଶ୍ୱ ପରିବେଶ - ଅଲେଖ ଚନ୍ଦ୍ର ସାମଲ

କରୋନା ଓ ପରବର୍ତ୍ତୀ ସମୟରେ ତଥାକଥିତ ଲକ୍‌ଡାଉନ ଓ ସଟ୍‌ଡାଉନ ଭିତରେ କେବଳ ଦିନ ଦିନ ନୁହେଁ ମାସ ମାସ ଧରି ଘର ଭିତରେ ଆବଦ୍ଧ ରହି କେବଳ ଖାଦ୍ୟ ଖାଇ ତଥା ପରିଶ୍ରମ ବା ବ୍ୟାୟାମର ଅବସର ପାଉ ନ ଥିବା ଜନୈକ ବନ୍ଧୁ ଏହା ଭିତରେ ‘ମୁଁ ମୋଟା ହୋଇଯାଇଛି’ ବୋଲି ଟେଲିଫୋନରେ କଥା ପ୍ରସଙ୍ଗରେ ମୋତେ କହୁଥିଲେ। ଆଉ ଗୋଟିଏ ଓଡ଼ିଆ କଥା ବି ଅଛି ‘ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ’। ବାସ୍ତବ କଥା ହେଉଛି ପୃଥିବୀ ଉପରେ ପ୍ରତି ଦିନ ଓଜନର ଭାର ବଢ଼ି ବଢ଼ି ଚାଲିଛି। ଆମ ଅଗୋଚରରେ ଆମେ ପ୍ରତି ଦିନ ପୃଥିବୀ ଉପରେ ଓଜନ ବଢ଼େଇ ଚାଲିଛେ। ଏହି ବୋଝର ଏକ ବଡ଼ ଅ˚ଶୀଦାର ହେଉଛନ୍ତି ମୋଟା ଲୋକ। ‘ଲଣ୍ତନ ସ୍କୁଲ ଅଫ୍‌ ହାଇଜିନ୍‌ ଏଣ୍ତ ଟ୍ରପିକାଲ୍‌ ମେଡିସିନ୍‌’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ଗବେଷଣାମୂଳକ ଅନୁଧୢାନ କହେ ଯେ ଏ ପୃଥିବୀକୁ ଭାରାକ୍ରାନ୍ତ କରୁଥିବା ଦୋଷରେ ସବୁଠାରୁ ବଡ଼ ଦୋଷୀ ହେଉଛନ୍ତି ଉତ୍ତର ଆମେରିକୀୟମାନେ। ସେମାନଙ୍କ ସ˚ଖ୍ୟା ପୃଥିବୀର ମୋଟ ଜନସ˚ଖ୍ୟାର ମାତ୍ର ୬ ପ୍ରତିଶତ। କିନ୍ତୁ ସେମାନଙ୍କ ଓଜନ ହେଉଛି ପୃଥିବୀ ଉପରେ ଆତଯାତ ହେଉଥିବା ସବୁ ମଣିଷଙ୍କ ଓଜନର ୩୩ ଭାଗ। ସାରା ପୃଥିବୀକୁ ବିଚାରକୁ ନେଲେ ଜଣ ପିଛା ହାରାହାରି ଓଜନ ହେଉଛି ୬୭ କିଲୋଗ୍ରାମ। କିନ୍ତୁ ଉତ୍ତର ଆମେରିକାରେ ଏହା ହେଉଛି ହାରାହାରି ୮୦.୭ କିଲୋଗ୍ରାମ ଏବ˚ ଏସିଆରେ ତାହା ହେଉଛି ୫୭.୭ କିଲୋଗ୍ରାମ। ଉଲ୍ଲେଖ କରାଯାଇପାରେ କି ସାରା ପୃଥିବୀର ଜନସ˚ଖ୍ୟାର ୬୧ ପ୍ରତିଶତ ଏସିଆରେ ରହନ୍ତି। କିନ୍ତୁ ସେମାନଙ୍କ ଓଜନର ଭାର ହେଉଛି ସମୁଦାୟ ମଣିଷଙ୍କ ଓଜନ ଭାରର ମାତ୍ର ୧୩ ପ୍ରତିଶତ। ସେଇ କ୍ରମରେ ଏହା ବି ଜଣାପଡ଼ିଛି ଯେ ଏରିଟ୍ରିଆ, ଭିଏତ୍‌ନାମ ଏବ˚ ଇଥିଓପିଆ ଭଳି ଦେଶଗୁଡ଼ିକ ସବୁଠାରୁ ହାଲୁକା, କାରଣ ସେଠାକାର ଲୋକଙ୍କ ଓଜନ କମ୍‌। ଏଇ ଗବେଷଣା କେବଳ କିଛି କୌତୂହଳପ୍ରଦ ତଥ୍ୟ ଯେ ସାମ୍ନାକୁ ଆଣିଛି ତାହା ନୁହେଁ, ଏହା କିଛି ଗୁରୁତ୍ବପୂର୍ଣ୍ଣ ମାନବିକ ସମସ୍ୟାକୁ ମଧୢ ଉଜାଗର କରିଛି।

ପ୍ରଥମ କଥା ହେଲା, ଏହା ଏକ ବୈଷମ୍ୟପୂର୍ଣ୍ଣ ପୃଥିବୀର ଚିତ୍ର ଆଣି ଥୋଇଛି। ଦ୍ବିତୀୟ କଥା ହେଲା ତା’ ସହିତ ଏହା ଦେଖାଇ ଦେଇଛି ଯେ ଏଇ ପୃଥିବୀରେ ଯେଉଁମାନଙ୍କ ପାଖରେ ସବୁ କିଛି ଅଛି, ସେମାନେ ପୃଥିବୀକୁ ସବୁଠାରୁ ଅଧିକ ଦୁହୁଁଛନ୍ତି, ପୃଥିବୀଠାରୁ ଅଧିକ ନେଉଛନ୍ତି, ଏଣେ ପୃଥିବୀ ଉପରେ ଅଧିକ ଓଜନ ଲଦୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ପକ୍ଷରୁ ଗତ ବର୍ଷକ ତଳେ ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଥିଲାବାଲା ଦେଶ ମୁଖ୍ୟତଃ ଉତ୍ତର ଆମେରିକା ଓ କିଛି ୟୁରୋପୀୟ ଦେଶର ଲୋକେ ପ୍ରତି ଦିନ ଯାହା ଖାଆନ୍ତି, ତାହାଠାରୁ ଅଧିକ ନଷ୍ଟ କରନ୍ତି। ସେମାନେ ଦିନକୁ ଯେତିକି ଖାଦ୍ୟ ନଷ୍ଟ କରନ୍ତି ସେଥିରେ କ୍ଷୁଧା ଜର୍ଜରିତ ଆଫ୍ରିକୀୟ ଦେଶର ନାଗରିକମାନେ ସପ୍ତାହେ କାଳ ଚଳିପାରିବେ। ଖାଦ୍ୟ ଉତ୍ପାଦନ ଏବ˚ ବଣ୍ଟନରେ ଯେଉଁ ଅସମାନତା ରହିଛି ତାହା ‘ଲଣ୍ତନ ସ୍କୁଲ ଅଫ୍‌ ହାଇଜିନ୍‌ ଓ ଟ୍ରପିକାଲ ମେଡିସିନ୍‌’ର ଅନୁଧୢାନରୁ ପରିଷ୍କାର ହୋଇଛି। ଏହାଛଡ଼ା ଏହି ମୋଟା ଲୋକେ ଆବଶ୍ୟକ କରୁଥିବା ସାମଗ୍ରୀ ଯେମିତିକି ପୋଷାକ ପତ୍ର, ଘର ଗାଡ଼ି ଆଦି ସବୁ କିଛି ସକାଶେ ସେମାନେ ଜଣେ ସାଧାରଣ ଓଜନର ବ୍ୟକ୍ତି ଠାରୁ ଅଧିକ ପ୍ରାକୃତିକ ସ˚ସାଧନ ବ୍ୟୟ କରନ୍ତି। ତୃତୀୟ କଥା ହେଲା, ଏହି ପୃଥୁଳକାୟ ବ୍ୟକ୍ତିମାନେ କ୍ରମଶଃ ଅଳସୁଆ ହୋଇ ଉଠୁଥିବାରୁ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ପ୍ରଦର୍ଶନ ଆକ୍ରାନ୍ତ ହେଉଛି ଏବ˚ ତାର ଫଳ ରାଷ୍ଟ୍ରକୁ ଭୋଗିବାକୁ ପଡ଼ୁଛି। ସେଭଳି ଭାବେ ସେମାନଙ୍କ ଚିକିତ୍ସାରେ ହେଉଥିବା ବ୍ୟୟ ତଥା ସେମାନଙ୍କ ଚିକିତ୍ସାର ପ୍ରୟୋଜନୀୟତା ସାମଗ୍ରିକ ଭାବେ ସେବା କ୍ଷେତ୍ରକୁ ପ୍ରଭାବିତ କରୁଛି। ଯଦିଓ ଧନୀ ରାଷ୍ଟ୍ର, ବିଶେଷ କରି ଆମେରିକା ଓ ୟୁରୋପୀୟ ଦେଶ, ପୃଥିବୀର କ୍ରମବର୍ଦ୍ଧିଷ୍ଣୁୁ ପ୍ରାକୃତିକ ସ˚ସାଧନର ଅବକ୍ଷୟ ସକାଶେ ତୃତୀୟ ବିଶ୍ବର ରାଷ୍ଟ୍ରଗୁଡ଼ିକୁ ଦାୟୀ କରନ୍ତି; କିନ୍ତୁ ସେମାନେ ଏବେ ନିଜର ଓଜନକୁ ଚାହିଁ ସେ ବାବଦରେ ଚିନ୍ତା କରିବା ଉଚିତ।

ଡିଏଫ୍‌ଓ (କେନ୍ଦୁଲିଫ୍‌), ରାୟଗଡ଼ା
ମୋ: ୯୪୩୭୨୫୭୧୨୩

ସମ୍ବନ୍ଧିତ ଖବର