ଜିଇବା ନା ଜୀବନ ହାରିବା?

ବିବିଧ ବିଚାର - ଗୌତମବୁଦ୍ଧ ଦାସ

ଜୀବନ ତମାମ ଏକ ମୁକ୍ତ ଓ ବିଚାରସିଦ୍ଧ ଜୀବନ ସପକ୍ଷରେ ଯୁକ୍ତି ବାଢ଼ି ଶେଷରେ ରାଜାଙ୍କ ରୋଷର ଶିକାର ହୋଇଥିବା ମହାନ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍‌ଙ୍କୁ ଯେତେବେଳେ ଜୀବନ ହାରିବା ପାଇଁ ହେମଲକ୍ ବିଷର ପିଆଲା ଧରାଇ ଦିଆଗଲା; ସେ କୁଆଡ଼େ ହସି ହସି ବିଷ ପିଇ ଦେଇଥିଲେ। କାରଣ ସେ ଜାଣିଥିଲେ, ଏ ମୃତ୍ୟୁ ପରେ ବି ଅନନ୍ତ କାଳ ଧରି ସେ ତାଙ୍କ ଦର୍ଶନ ଜରିଆରେ ହିଁ ବଞ୍ଚି ରହିବେ।

ଖ୍ରୀଷ୍ଟପୂର୍ବ ୩୯୯ରେ ଘଟିଥିଲା ଏହି ଘଟଣା। କିନ୍ତୁ ଏହା କ’ଣ ପ୍ରକୃତରେ ଏକ ଆତ୍ମହତ୍ୟା ଥିଲା? ‌ତାଙ୍କ ଉପରେ ଅଣା ଯାଇଥିବା ଆରୋପକୁ ସେ ସ୍ବୀକାର ନ କରି ବରଂ ବିଷ ପାନ ପୂର୍ବକ ‘ବାଧ୍ୟତାମୂଳକ ଆତ୍ମହତ୍ୟା’କୁ ବରଣ କରିନେଲେ।

ଇତିହାସରେ ଏମିତି କିଛି ନଜିର ଅଛି, ଯେଉଁଠି ଜୀବନସାରା ଜୀବନର ଜୟଗାନ କରିଥିବା କିଛି ମହାନ ବ୍ୟକ୍ତି ଶେଷରେ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟାର ପଥ ବାଛି ନେଇଛନ୍ତି। ଏଭଳି ଜଣେ ପ୍ରସିଦ୍ଧ ବ୍ୟକ୍ତି ହେଉଛନ୍ତି ଲେଖକ ଅର୍ନେଷ୍ଟ ହେମିଂୱେ। ‘ଦି ଓଲ୍‌ଡ ମ୍ୟାନ୍ ଆଣ୍ଡ୍ ସି’ ଭଳି ତାଙ୍କ କାଳଜୟୀ ଉପନ୍ୟାସରେ ଜୀବନକୁ ଚିର ଜାଜ୍ଜ୍ବଲ୍ୟମାନ କରି ଦେଖାଇଥିବା ଏବଂ ପାଠକଙ୍କ ମନରେ ସକାରାତ୍ମକ ଶକ୍ତି ଓ ଉତ୍ସାହ ଭରି ଦେଇଥିବା ହେମିଂୱେ ଶେଷରେ କାହିଁକି ଆତ୍ମହତ୍ୟା କଲେ, ତାହା ଏବେ ବି ରହସ୍ୟମୟ ହୋଇ ରହିଛି। ବିଂଶ ଶତାବ୍ଦୀର ଜାପାନର ସବୁଠାରୁ ପ୍ରସିଦ୍ଧ ଲେଖକ ୟୁକିଓ ମିସିମାଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଦୁଃଖଦ ପରିଣତି ଘଟିଥିଲା। କୁହାଯାଏ ୧୯୭୦ରେ ‘ହାରାକିରି’ (ଆତ୍ମହତ୍ୟାର ଏକ ପାରମ୍ପରିକ ଜାପାନୀ କୌଶଳ) ପଦ୍ଧତିରେ ଜୀବନ ହାରିଥିବା ମିସିମା ବର୍ଷକ ପୂର୍ବରୁ ଏଥିପାଇଁ ଯୋଜନା କରିଥିଲେ। ଏହି ସମୟ ଭିତରେ ସେ ନିଜର ଶେଷ ଉପନ୍ୟାସର ରଚନା ଶେଷ କରି ସାରି ହିଁ ଆତ୍ମହତ୍ୟା ଯୋଜନାକୁ ରୂପ ଦେଇଥିଲେ। ଏହା ଯେତିକି ବିମର୍ଷକର, ସେତିକି ବିସ୍ମୟକର ମଧ୍ୟ।

ଏହି ଦୁଇଟି ଉଦାହରଣରୁ ଦୁଇଟି କଥା କହିହେବ। ପ୍ରଥମତଃ ମଣିଷ ଗୋଟିଏ ଅତ୍ୟନ୍ତ ଅସ୍ଥିର ଚିତ୍ତସମ୍ପନ୍ନ ପ୍ରାଣୀ। ସେ କେତେବେଳେ କ’ଣ କରି ବସିବ, ତାହା ସେ ନିଜେ ମଧ୍ୟ ଜାଣି ନ ଥାଏ। ଦ୍ବିତୀୟରେ ମଣିଷ ଯେତେ ଶିକ୍ଷିତ, ସଚେତନ ଓ ସଫଳ ହୋଇଥାଉ ନା କାହିଁକି; ଅନ୍ୟମାନଙ୍କ ଆଗରେ ଜୀବନକୁ ନେଇ ଯେତେ ସକାରାତ୍ମକ ଦେଖାଇ ହେଉଥିଲେ ବି କିମ୍ବା ଜୀବନ ସପକ୍ଷରେ ଯେ‌େତ ପ୍ରବଚନ ଦେଉଥିଲେ ବି ନିଜ ଜୀବନରେ ଠିକ୍ ଏହାର ବିପରୀତ ଆଚରଣ ପ୍ରଦର୍ଶନ କରିପାରେ। ଏପରିକି ନିଜକୁ ଜଣେ ଜୀବନବାଦୀ ବୋଲି ଦାବି କରୁଥିବା ଅନେକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।

ଦୀର୍ଘ ପ୍ରାୟ ତିନି ମାସ ହେଲା ଭାରତୀୟ ଜନମାନସକୁ କବଳିତ କରି ରଖିଥିବା ସୁଶାନ୍ତ ସିଂହ ରାଜପୁତଙ୍କ ‘ଆତ୍ମହତ୍ୟା’ (ଯଦି ସେ ସତରେ ଆତ୍ମହତ୍ୟା କରିଥାଆନ୍ତି!)କୁ ନେଇ ମଧ୍ୟ ସମାନ କଥା କୁହାଯାଇପାରେ। ‘ଛିଛୋରେ’ ଚଳଚ୍ଚିତ୍ରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଜର ନାବାଳକ ପୁଅକୁ ବାପା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସୁଶାନ୍ତ ସିଂହ ରାଜପୁତ ତାଙ୍କ ଚମତ୍କାର ଅଭିନୟ ମାଧ୍ୟମରେ ବୁଝାଇଥିଲେ ‘ଜୀବନ କିପରି ସକାରାତ୍ମକ ହୋଇପାରେ’। କିନ୍ତୁ ବିଡ଼ମ୍ବନା ଏହାର କିଛି ଦିନ ପରେ ସେ ନିଜେ ଆତ୍ମହତ୍ୟା କଲେ!

ଭାରତୀୟ ଚଳଚ୍ଚିତ୍ର ଜଗତ୍‌ରେ ଅଭିନେତା ଓ ଅଭିନେତ୍ରୀମାନେ ଆତ୍ମହତ୍ୟା କରିବା କିଛି ନୂଆ କଥା ନୁହେଁ। ଗୁରୁ ଦତ୍ତ, ସିଲ୍‌କ ସ୍ମିତା, ଶିଖା ଯୋଶୀ, କୁଲଜିତ ରାନ୍ଧୱା, ଜିଆ ଖାନ୍, ମୟୂରୀ, ‌େବୖଷ୍ଣବୀ ଆଦି ବହୁ ସଫଳ ଓ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଜଣେ କେଉଁ କାରଣରୁ ଆତ୍ମହତ୍ୟା କଲା ବା ତା’କୁ କେହି ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଛି କି; ଇତ୍ୟାଦିର ଖୋଳତାଡ଼ ଆଇନର ପରିଧି ମଧ୍ୟରେ ହେବା ଆବଶ୍ୟକ ଏବଂ ଦୋଷୀ ଚିହ୍ନଟ ଏବଂ ଦଣ୍ଡିତ ହେବା ଜରୁରୀ।

ନିକଟରେ ଓଡ଼ିଶାରେ ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଯଦି ଆତ୍ମହତ୍ୟା ହୋଇଥାଏ; ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେ ନିଜକୁ ମାନବପ୍ରେମୀ ବୋଲି କହୁଥିଲେ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସକାରାତ୍ମକ ବାର୍ତ୍ତା ଦେଉଥିଲେ। ତେଣୁ ସେ କିପରି ଆତ୍ମହତ୍ୟା କରିପାରିବେ ବୋଲି ଅନେକ ଆଦିତ୍ୟପ୍ରେମୀ ପ୍ରଶ୍ନ ଉଠାଉଛନ୍ତି; କିନ୍ତୁ ତାହା ନିରର୍ଥକ। କାରଣ ପୂର୍ବରୁ କୁହାଯାଇଥିବା ଭଳି ମଣିଷ ସବୁବେଳେ ଏମିତି ‘ଅନ୍‌ପ୍ରେଡିକ୍ଟେ‌ବଲ୍’ ବା ସେ କେତେବେଳେ କ’ଣ କରି ବସିବ ତାହା ଅନୁମାନ କରିବା ଅସମ୍ଭବ ବ୍ୟାପାର।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ହିସାବ ଅନୁଯାୟୀ ବର୍ଷକୁ ବିଶ୍ବର ୮ ଲକ୍ଷ ଲୋକ ଆତ୍ମହତ୍ୟା କରନ୍ତି। ଅର୍ଥାତ୍‌ ପ୍ରତି ୪୦ ସେକେଣ୍ଡରେ ଜଣେ। ଯଦିଓ ଏଥିରୁ ୮୦% ଆତ୍ମହତ୍ୟା ଆର୍ଥିକ ଦୃଷ୍ଟିରୁ ପଛୁଆ ବା ତୃତୀୟ ବିଶ୍ବର ଗରିବ ଦେଶଗୁଡ଼ିକରେ ହୋଇଥାଏ; ଧନୀ ଓ ବିକଶିତ ଦେଶଗୁଡ଼ିକରେ ଜନସଂଖ୍ୟା ତୁଳନାରେ ଆତ୍ମହତ୍ୟାର ହାର ଗରିବ ଦେଶଠାରୁ ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଭାରତରେ ବର୍ଷକୁ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଥାନ୍ତି। ପୁଣି ଜଣେ ବ୍ୟକ୍ତିର ଆତ୍ମହତ୍ୟା ଘଟଣା ହାରାହାରି ୧୩୬ ଜଣ ଲୋକଙ୍କୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ।

ଆହୁରି ଚିନ୍ତା ଉଦ୍ରେକାରୀ ତଥ୍ୟ ହେଲା, ସାରା ବିଶ୍ବରେ ୧୫ରୁ ୨୪ ବର୍ଷ ବୟସ ବର୍ଗରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ସବୁଠାରୁ ଅଧିକ। ଅର୍ଥାତ୍‌ ଜୀବନ କ’ଣ ବୁଝିବା ପୂର୍ବରୁ ଅନେକ କିଶୋର ବା କିଶୋରୀ ଓ ତରୁଣ ବା ତରୁଣୀ ଜୀବନ ହାରି ଦିଅନ୍ତି।

ଗରିବ ଦେଶଗୁଡ଼ିକରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ଏକ ଚତୁର୍ଥାଂଶ ହେଉଛନ୍ତି ଦିନମଜୁରିଆ ଏବଂ ୮% ହେଉଛନ୍ତି କୃଷକ ବର୍ଗର। ଉତ୍କଟ ଦାରିଦ୍ର୍ୟ ଭିତରେ ସନ୍ତୁଳି ହେଉଥିବା ଏବଂ ସାମାଜିକ ସୁରକ୍ଷା ପାଉ ନ ଥିବା ଲୋକେ ଅନେକ ସମୟରେ ଉପାୟଶୂନ୍ୟ ହୋଇ ଆତ୍ମହତ୍ୟାର ପଥ ବାଛି ନିଅନ୍ତି। ଏ‌ହାକୁ ସରକାରମାନେ ସ୍ବୀକାର କରନ୍ତୁ ବା ନ କରନ୍ତୁ; ଏହା ଏକ କଠୋର ବାସ୍ତବତା।

ଏବେ କରୋନା ସଂକଟ ବେଳେ ଏହି ସମସ୍ୟା ଅଧିକ ଘନୀଭୂତ ହେବାରେ ଲାଗିଛି। କାରଣ କରୋନା କେବଳ ମଣିଷର ଜୀବନ ନେଉନାହିଁ; ମାନସିକ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। କରୋନାଜନିତ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଜୀବନ-ଜୀବିକାକୁ ନେଇ ଅଚିନ୍ତନୀୟ ଅନିଶ୍ଚିତତା, ଚାକିରି ହାନିର ଭୟ ଏବଂ ଉତ୍କଟ ଅଭାବ ଯୋଗୁଁ ଆତ୍ମହତ୍ୟା ପ୍ରବଣତା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଆତ୍ମହତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଥିବା ଦୁଃଖ, ଯନ୍ତ୍ରଣା, ଭୟ, କ୍ରୋଧ, କ୍ଷୋଭ, ମାନସିକ ଚାପ, ଅବସାଦ ସବୁ କିଛି ଏବର ବାତାବରଣରେ ଭରପୂର ହୋଇ ରହିଛି।

ଭାରତରେ ପ୍ରାୟ ୧୦ ହଜାର ଲୋକଙ୍କ ମାନସିକ ସ୍ଥିତିକୁ ନେଇ କରାଯାଇଥିବା ଗୋଟିଏ ଗବେଷଣାରୁ ଜଣାପଡ଼ିଛି ଯେ ୪୩% ଭାରତୀୟ ଏବେ ମାନସିକ ଅବସାଦଗ୍ରସ୍ତ; ସେମାନଙ୍କର ମାନସିକ ଚାପ ସର୍ବୋଚ୍ଚ ସ୍ତରରେ ରହିଛି। ଜଣାପଡ଼ିଛି ଯେ ୧୭%ଙ୍କ ଉପରେ ବିଭିନ୍ନ ପ୍ରକାର ପରିସ୍ଥିତି ବିଶେଷ ପ୍ରଭାବ ପକାଇଥିବା ବେଳେ ୬% ଲୋକଙ୍କ ପା‌ଇଁ ଏହା ଅସହନୀୟ ହୋଇ ପଡ଼ିଛି। ସେମିତି ୫୯% ଲୋକ ସେମାନଙ୍କ କାମରୁ ପୂର୍ବ ଭଳି ଆନନ୍ଦ ପାଉ ନ ଥିବାରୁ ଅବସାଦର ଶିକାର ହୋଇଛନ୍ତି। ୫୭% ଲୋକ ମାନସିକ ଅବସାଦ ଯୋଗୁଁ କ୍ଳାନ୍ତ ଅନୁଭବ କରୁଛନ୍ତି; ଅଧିକ ଶୋ‌ଉଛନ୍ତି, କିମ୍ବା ସେମାନଙ୍କୁ କମ୍ ନିଦ ହେଉଛି।

ଏସବୁ ପରିସଂଖ୍ୟାନ ଓ ତଥ୍ୟ ଅବତାରଣା କରିବାର କାରଣ ହେଲା ସାରା ବିଶ୍ବ ଏବଂ ଆମ ଦେଶରେ ଯେଉଁ ଭଳି ମାନସିକ ଅବସାଦଜନିତ ଚିନ୍ତାଜନକ ପରିସ୍ଥିତି ଏବେ ସୃଷ୍ଟି ହୋଇଛି; ତାହା ପୂର୍ବରୁ କେବେ ଦେଖା ଯାଇ ନ ଥିଲା। ତେଣୁ ଏହା ଆତ୍ମହତ୍ୟା ପ୍ରବଣତା ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି। ଏମିତି ଏକ ପରିସ୍ଥିତିରେ ପ୍ରଶ୍ନ ଉଠୁଛି; ଆମେ କ’ଣ କରିବା? ଜୀବନ ଜିଇବାକୁ ଚେଷ୍ଟା କରିବା ନା ବିଷାଦ ଓ ଅବସାଦ ଭିତରେ ବୁଡ଼ି ରହି ପାଦେ ପାଦେ କରି ଜୀବନ ହାରିବା ଆଡ଼କୁ ଆଗେଇଯିବା?

ଏ ପ୍ରଶ୍ନର ଉତ୍ତର ସମ୍ଭବତଃ ଏହି ଉଦାହରଣରୁ ମିଳିପାରେ। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜର୍ମାନିର ନାଜି ବାହିନୀ ଯେତେବେଳେ ପୋଲାଣ୍ଡକୁ ଅଧିକାର କରିନେଲେ, ସେତିକି ବେଳେ ପୋଲାଣ୍ଡର ହଜାର ହଜାର ଅଧିବାସୀ ଶକ୍ତ ମାନସିକ ଧକ୍କାରୁ ମୁକୁଳି ନ ପାରି ଅବସାଦଗ୍ରସ୍ତ ହୋଇଗଲେ। କିନ୍ତୁ ସେତିକିରେ ସେମାନଙ୍କ ଦୁଃଖ ସରିଲାନି। ପୋଲାଣ୍ଡର ବିଭିନ୍ନ ମାନସିକ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ହଜାର ହଜାର ମାନସିକ ରୋଗୀ ଓ ବିଶେଷଜ୍ଞ ଡାକ୍ତରଙ୍କୁ ମଧ୍ୟ ନାଜି ବାହିନୀ ନୃସଂଶ ଭାବେ ହତ୍ୟା କଲେ। ତେବେ ଏହି ଗଣହତ୍ୟାରୁ ବର୍ତ୍ତି ଯାଇଥିବା ମାନସିକ ବିଶେଷଜ୍ଞମାନଙ୍କ ଭିତରୁ ଜଣେ ଥିଲେ କାଜିମିର୍ଜ ଦାବ୍ରୋସ୍କି। ବିଶ୍ବଯୁଦ୍ଧରେ ଅକଳ୍ପନୀୟ ହିଂସା ଓ ନିର୍ଯାତନା ପୀଡ଼ିତ ସହସ୍ରାଧିକ ଲୋକଙ୍କ ଉପରେ ୪୫ ବର୍ଷ କାଳ ‌ଗବେଷଣା କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ‘ଥିଓରି ଅଫ୍‌ ପଜିଟିଭ୍ ଡିସ୍‌ଇଣ୍ଟିଗ୍ରେସନ୍’ ନାଁରେ ପରିଚିତ। ଏହି ତତ୍ତ୍ବ ଅନୁସାରେ ଯୁଦ୍ଧ ଭଳି ଭୟାବହ ସ୍ଥିତି ମଧ୍ୟ ପୀଡ଼ିତ ଲୋକଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ସକାରାତ୍ମକ ଭାବ ସୃଷ୍ଟି କରିପାରେ। ଏହାଦ୍ବାରା ଜଣେ ବ୍ୟକ୍ତି ମାନସିକ ଦୃଷ୍ଟିରୁ ଅଧିକ ପରିପକ୍ବ ହୋଇପାରେ ଏବଂ ଏକ ଅଧିକ ସାର୍ଥକ ଓ ସକାରାତ୍ମକ ଜୀବନ ବଞ୍ଚିବାର ପ୍ରେରଣା ପାଇପାରେ।

ସୁତରାଂ, ଏହି ପରିପ୍ରେକ୍ଷୀରେ କହି ହେବ ଯେ ମଣିଷର ଜୀବନ ‌େଯତେ ଆତଙ୍କଗ୍ରସ୍ତ ଓ ଅନିଶ୍ଚିତତାପୂର୍ଣ୍ଣ ହେଲେ ବି ଆମକୁ ସକାରାତ୍ମକ ଭାବେ ଜୀବନ ଜିଇବାର କଳା ଶିଖିବାକୁ ହେବ। ଅବୋଧ୍ୟ ଜୀବନକୁ ବୁଝିବା ଲାଗି ଉଦ୍ୟମ କରିବାକୁ ହେବ। ଏହା ହିଁ ବୋଧହୁଏ ବ୍ରହ୍ମାଣ୍ଡରେ ଜୀବନ ସୃଷ୍ଟି କରିଥିବା ମହାଜୀବନର ଆହ୍ବାନ।

ମୋ : ୯୪୩୭୦୮୨୫୨୬
[email protected]

ସମ୍ବନ୍ଧିତ ଖବର