ଝିଅର ନାମ ତଅପୋଈ

ସୁଭାଷ ପଟ୍ଟନାୟକ

ସେଦିନ ଆମ ଛକ ପାଖ ବିୟୁଟି ପାର୍ଲର ସାମ୍‌ନାରେ ଦୁଇଜଣ ଝିଅ ଗପୁଥିଲେ। ଜଣେ କହିଲା- “ମୋର କ’ଣ ମନେଥିଲା କି! କାଲି ମମି କହିଲା, ରାତି ପାହିଲେ ଖୁଦୁରୁକୁଣୀ, ଟିକିଏ ବିୟୁଟି ପାର୍ଲର ପଳେଇଲୁନି। ସକାଳୁ ସେଇଥିପାଇଁ ଧଡ଼ପଡ଼ ହେଇ ଆସିଛି ପରା।’’ ଆର ସାଙ୍ଗଟି ତା’ର କହିଲା- “ମୋର ବି ସେଇ ଦଶା।’’

ଆଉ ତାଙ୍କ କଥାକୁ କାନେଇଲିନି। କଥା କ’ଣ କି! ଆମ ପିଲାଦିନେ ଗାଁରେ ଯେଉଁ ଖୁଦୁରୁକୁଣୀ ହେଉଥିଲା, ତା’ ସ୍ମୃତି ଏମିତି ମନକୁ ଘେରେଇ ଦେଲା ଯେ, ଲାଗିଲା ଯେମିତି ଆଉଥରେ ପିଲାଟିଏ ହୋଇ ଗାଁକୁ ଫେରିଯାଆନ୍ତି କି!

ଆମର ପାହାଡ, ଜଙ୍ଗଲଘେରା ନିପଟ ମଫସଲ ଗାଁ। ଭାଦ୍ରବ ମାସ ହୋଇଗଲେ ଜାଣ, ଉତ୍ସବର ଋତୁ ଆରମ୍ଭ ହୋଇଗଲା। ଗହ୍ମାପୂନେଇଁ ପରେ ପରେ ତ ପଡ଼ିବ ଖୁଦୁରୁକୁଣୀ। ମତେ ସେତେବେଳେ ପାଞ୍ଚ କି ଛ’ ବର୍ଷ। ସାହିର ଯେତକ ଅପା ଆଉ ସାନ ସାନ ଝିଅ- ରବିବାର ସକାଳୁ ସମସ୍ତେ ଲାଗିପଡ଼ିବେ ପ୍ରସ୍ତୁତିରେ। ହଳଦୀ ଗୁଣ୍ଡା ହେବ, ବିଭିନ୍ନ ଫୁଲ ସଂଗ୍ରହ ହେବ, ପୁଚିଖେଳ ପାଇଁ ସ୍ଥାନ ପ୍ରସ୍ତୁତ ହେବ, ଭାଇମାନଙ୍କୁ କଇଁଫୁଲର ବରାଦ ଦିଆଯିବ ଇତ୍ୟାଦି। ଝିଅମାନେ ହଳଦୀ ଲଗାଇ ଗାଧୁଆପାଧୁଆ ସାରି ଭଲ ଲୁଗାପଟା ପିନ୍ଧିବେ, ଅଳତା ଲଗେଇବେ, ଓଷା ବହି ପଢ଼ା ହେବା ଘରଟି ଗୋବରରେ ଲିପାପୋଛା ହୋଇ ଝୋଟି ପଡ଼ିବ, କାନ୍ଥରେ ଭାଲୁକୁଣୀ ଚିତ୍ର ଅଙ୍କା ହେବ, ତା’ପରେ ସଞ୍ଜ ନଇଁଆସିଲା ବେଳକୁ ପୂଜା।

ସେତେବେଳେ ଆମ ଅଞ୍ଚଳରେ ଭାଲୁକୁଣୀ ମୂର୍ତ୍ତି ପୂଜା ପରମ୍ପରା ନଥିଲା। ନଈ କି ପୋଖରୀ ତୁଠରେ ବାଲିରେ କୁଦଟିଏ କରି, ସେଥିରେ ହଳଦୀ ଗୁଣ୍ଡା, ସିନ୍ଦୂର ଦେଇ, ଫୁଲରେ ସଜେଇ, ତାକୁ ହିଁ ପୂଜା କରୁଥିଲେ। ଏହାକୁ କୁହାଯାଉଥିଲା ‘ଭାଲୁକା’। ବୋଧହୁଏ ‘ବାଲୁକା’ରୁ ଭାଲୁକା ହୋଇ ପୂଜାର ନାମ ଭାଲୁକୁଣୀ ହୋଇଛି। ପୂଜା ସାମଗ୍ରୀ ବି ବଡ଼ ଅଜବ ପ୍ରକାରର ଥିଲା। ମକା ଚଅଁର- ଏହା ବାଲି କୁଦ ଉପରେ ଖୋସା ହୁଏ, ପାଣିକଖାରୁ, କାକୁଡ଼ି ଓ ଜହ୍ନି ଫୁଲ, ଗୋଡ଼ିବାଣ, କନିଅର, କଇଁ ଫୁଲ, ପାଣିକେନ୍ଦୁ, ବାଉଁଶପତ୍ର, ଖଡ଼ା ଗଛର ଜଟ, ବଜ୍ରମୂଳୀ ଗୁଳ୍ମର ଦାନ୍ତକାଠି ଇତ୍ୟାଦି। ଭୋଗ ସାମଗ୍ରୀ ମଧ୍ୟ ବିଭିନ୍ନ ପାଳିରେ ବିଭିନ୍ନ ପ୍ରକାରର। ଭୁଜା, ଚୁଡ଼ା, ଖଇ, କଣ୍ଟିଆଳି କାକୁଡ଼ି ଓ ଶେଷ ପାଳିକୁ କାଣ୍ଡିଆ କୁଣ୍ଡାର ମଣ୍ଡା। ଭୋଗ ଲଗେଇ ସାରି ସମସ୍ତେ ଏକାଠି ହୋଇ ଗୋପୀନାଥ ଦାସ ଲିଖିତ ‘ତଅପୋଈ ଓଷା କଥା’ ସ୍ବର ଦେଇ ସମବେତ ପାଠ କରିବେ। କୁଆଁରୀମାନଙ୍କ ମିଳିତ ସ୍ବରରେ ଗୀତଟି ମନକୁ ଛୁଇଁ ଯାଉଥିବ। ଶୂନଶାନ୍ ଗାଁଟିର ସଞ୍ଜ ପ୍ରହରରେ ପୁଷ୍ପବୃଷ୍ଟି ହେଲାପରି ଲାଗୁଥିବ।

ଓଷା ଦିନ ଝିଅମାନେ ଗାଧୋଇଯିବା ପୂର୍ବରୁ ଲାଗିଯାଆନ୍ତି ପୁଚି ଖେଳରେ। ଏଇ ଦିନଠୁ ପୁଚି ଆରମ୍ଭ ହେଲା ଯେ ସରିବ ଯାଇ କୁଆଁର ପୂନେଇଁରେ। ପୁଚି ଖେଳର ପ୍ରତିଯୋଗିତା ବି ହୁଏ। ଆମର ଦୁଇ ପ୍ରକାରର ପୁଚିଖେଳ ସେ ସମୟରେ ଥିଲା। ଠିଆପୁଚି ଓ ବସାପୁଚି। ବସାପୁଚିଟା ଅଧିକ ଚଳୁଥିଲା। ଖେଳିବା ବେଳେ ଯେଉଁ ଗୀତ ବୋଲାହୁଏ, ଏବେ ବି ସ୍ମୃତିରେ ତାଜା ହୋଇ ରହିଛି-
“ଠିଆ ପୁଚି ନାରଙ୍ଗ, ଗୋଡ଼ ଦୁଇଟି ସାରଙ୍ଗ।
ସାରଙ୍ଗ ବଣକୁ ଯାଇଥିଲି, ସାରଙ୍ଗ କୋଳି ଖାଇଥିଲି…..।’’
ବସା ପୁଚିର ଗୀତ ଥିଲା-
“ ପୁଚିଲୋ ପୁଚି, ଯା ଯା’ ତୁ ଘୁଞ୍ଚି।

ଗହୀର ବିଲରେ ମଇଁଷି, ଧାନ କେଣ୍ଡା କେଣ୍ଡା ଖାଉଛି। ଅଡ଼େଇ ଦିଏରେ ଗଉଡ଼ ଭାଇ, ଦିଅଁ ରାଣ ତତେ ଦେଉଛି।’’
‘ତଅପୋଈ ଓଷା’ ଗୀତଟି ଏକ କ୍ଷୁଦ୍ର କାହାଣୀ। ଜମ୍ବୁ ଦ୍ବୀପରେ-
“ବହୁତ ସାଧବ ଅଛନ୍ତି, ବୋଇତ ବାଣିଜ୍ୟ କରନ୍ତି। ତହିଁରେ ଏକ ସାଧବର, ତନୟବନ୍ତ ନାମ ତାର ।
ଝିଅର ନାମ ତଅପୋଈ, ସବୁହୁଁ ଦୁଲଣା ଅଟଇ…..।’’

କାହାଣୀ ଲମ୍ବିଚାଲେ। ସାତ ଭାଇ ବୋଇତ ନେଇ ବିଦେଶ ଯିବା ପରେ ଭାଉଜମାନେ ତଅପୋଈକୁ ଲାଞ୍ଛନା ଦେଇ, କେବଳ ଖୁଦଭାତ ଗଣ୍ଡେ ଦେଇ ବଣକୁ ପଠାଇ ଦିଅନ୍ତି। ଭାଇମାନଙ୍କ ଏକଦା ଅଲିଅଳ ଦୁଃଖିନୀ ତଅପୋଈ ବଣରେ ଖୁଦୁରୁକୁଣୀଙ୍କୁ ଭାଇମାନଙ୍କର ଶୁଭ ଘରବାହୁଡା ମନାସି ପୂଜା କରେ ଓ ଶେଷରେ ଭାଇମାନଙ୍କ ସହିତ ମିଳିତ ହୁଏ ଏବଂ ଭାଉଜମାନଙ୍କ ଉପରେ ପ୍ରତିଶୋଧ ନିଏ।

ଏକ କ୍ଷୁଦ୍ର କାହାଣୀ ହେଲେ ବି ଏହା ମଧ୍ୟରେ ଆମ ରାଜ୍ୟର ଐତିହ୍ୟ ଓ ଅତୀତର ବାଣିଜ୍ୟିକ ସମୃଦ୍ଧି ପରୋକ୍ଷରେ ପ୍ରତିଫଳିତ ହୋଇଛି । ଆଉ ସେଇଥିପାଇଁ ଖୁଦୁରୁକୁଣୀ ଓଷା କେବଳ ନୌବାଣିଜ୍ୟର ସୁବିଧା ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଳିତ ହୁଏ। ବ୍ରାହ୍ମଣମାନେ ବୋଇତ-ବାଣିଜ୍ୟ କରୁନଥିଲେ, ତେଣୁ ବ୍ରାହ୍ମଣ ପରିବାରରେ ଏ ପୂଜାର ପ୍ରଚଳନ ନଥିଲା।

ଖୁଦୁରୁକୁଣୀ ପୂଜାକୁ ଆମ ଅଞ୍ଚଳରେ ଭାଲୁକୁଣୀ ପୂଜା ବି କହୁଥିଲେ। ଏପରି ନାମକରଣର ଅନ୍ୟ କାରଣ ହୋଇପାରେ ଯେ, ତଅପୋଈ ଜଙ୍ଗଲରେ ଥିଲାବେଳେ ଭାଲୁ ପରି ମୁଣ୍ଡଟିକୁ ଝାମ୍ପୁରା କରି ବାଳ ଫୁରୁଫୁରୁ ଉକୁଣୀମୁଣ୍ଡୀ ହୋଇ ବୁଲୁଥିଲା, ତେଣୁ ବ୍ରତର ନାଁ ଭାଲୁକୁଣୀ। ତଅପୋଈ କେବଳ ଖୁଦଭାତ ଖାଇ ବଞ୍ଚି ରହିଥିଲା ଏବଂ ମା’ ମଙ୍ଗଳା ଠାକୁରାଣୀଙ୍କୁ ଖୁଦତଣ୍ଡୁଳ ଅର୍ପଣ କରିଥିଲା। ଖୁଦ ରଙ୍କୁଣୀ ମଙ୍ଗଳା ସେଥିରେ ସନ୍ତୁଷ୍ଟ ହୋଇଥିଲେ, ତେଣୁ ସେ ହେଲେ ଖୁଦରଙ୍କୁଣୀ ଓ ତାଙ୍କ ପୂଜା ଖୁଦୁରୁକୁଣୀ।

ଶେଷ ପାଳି ପୂଜା ଦିନ ନିଜ ଭିତରେ ଚାନ୍ଦାଭେଦା କରି, ଝିଅମାନେ ଆୟୋଜନ କରିଥାନ୍ତି ମନୋରଞ୍ଜନର ବ୍ୟବସ୍ଥା। ଗାଁ ମଝିରେ ଛାମୁଣ୍ଡିଆ ବନ୍ଧାହୋଇ ଲବଙ୍ଗ ଲାଇଟ ଲାଗେ। ରାତିସାରା ଅଭିନୀତ ହୁଏ ପାଲା କି ଦାସକାଠିଆ। ଅଧିକ ଟଙ୍କା ଆଦାୟ ହୋଇଥିଲେ ବୋଇରାଣୀରୁ ଡକା ହୋଇଥାଏ ଦୁଆରିନାଟର ଦଳ। ସାହିସାରା ଲୋକ ରାତିରେ ବସି ଦେଖନ୍ତି। ଭାରି ମଜା ଲାଗେ।

କୁଆଡ଼େ ଚାଲିଗଲା ସେଦିନ। ଏବେ ଖୁଦୁରୁକୁଣୀ ରହିଯାଇଛି ଏକ ପ୍ରତୀକ ହୋଇ। କାଲିକୁ ହୁଏତ ପାଲଟିଯିବ ଅତୀତ। ଏବର ଝିଅ ଏଇ ଐତିହ୍ୟଭରା ସାମୂହିକ ପର୍ବଟିକୁ ନିଜ ଘରେ ଛେନାପୋଡ଼, ରସଗୋଲା ଭୋଗ ଲଗେଇ ଯେନତେନ ପାଳନ କରିଦେଉଛି, ପୂଜାରେ ପର ବାଡ଼ିରୁ ଚୋରି ଟଗର, ଗୋଲାପ, ରଜନୀଗନ୍ଧା ଅର୍ପଣ କରୁଛି। ଓଷା ଗୀତଟି ଗାଇବା ବଦଳରେ ଷ୍ଟିରିଓ ବଜାଇ ଶୁଣି ଦେଉଛି। ପୂଜା ଦିନ ଆଲ୍‌ବମ ଗୀତ ବାଜୁଛି, କାନରେ ହେଡ୍‌ଫୋନ ଜାକି ଗୀତ ଶୁଣୁଛି। କାଲିକୁ ହୁଏତ ଏତିକି ବି ନଥିବ।

ଆମ ପିଲାମାନେ ଭୁଲିଯାଉଛନ୍ତି ଯେ, ଜାତୀୟତାର ନିର୍ମାଣ ପାଇଁ ଗୋଟେ ଜାତି ପାଖରେ ତା’ର ଐତିହ୍ୟ ଥିବା ଜରୁରୀ। ଅସ୍ମିତା ଓ ସ୍ବାତନ୍ତ୍ର୍ୟକୁ ହରାଇ ବସିଲେ, ତାକୁ ବିକୃତ କଲେ, ଆମ ପରିଚୟ ହଜିଯିବ, ଏହା ମନେରଖିବାର କଥା।

ଏସ୍-୧/୯୨, ନୀଳାଦ୍ରି ବିହାର
ଭୁବନେଶ୍ୱର-୭୫୧୦୨୧
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର