ଚୀନର ଦମ୍ଭ ଊଣା ହେଲା କାହିଁକି?

ଭାରତ-ଚୀନ ସୀମା ବିବାଦ - ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଅତୀତରେ କେତେ ବାର ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଘଟିଛି। ଦୁଇ ପକ୍ଷର ସୈନ୍ୟମାନେ ମୁହାଁମୁହିଁ ହୋଇ ଦୀର୍ଘ ଦିନ ଧରି ଠିଆ ହୋଇ ରହିଛନ୍ତି। ଏଥରକ ମଧ୍ୟ ପୂର୍ବ ଲଦାଖରେ ଏହି ଧରଣର ତିକ୍ତ ବିବାଦ ହେତୁ ଗତ ଜୁନ ୧୫ ତାରିଖରେ ଦୁଇ ଦେଶର ସୈନ୍ୟମାନେ ହାତାହାତି ଲଢ଼େଇର ଅବସ୍ଥାକୁ ଆସିବାରୁ ଭାରତର ୨୦ ଜଣ ସୈନ୍ୟ ସହିଦ ହୋଇଥିଲେ। ଚୀନ ଏ ଯାଏ ତା’ର କେତେ ସୈନ୍ୟ ପ୍ରାଣ ହରାଇଛନ୍ତି ତାହା ଘୋଷଣା କରିନଥିଲେ ମଧ୍ୟ ଆମେରିକାର ଗୁଇନ୍ଦା ସ˚ସ୍ଥା ସି.ଆଇ.ଏ. କହୁଛି ସେମାନଙ୍କର ୩୫ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତିି। ଗତ ସେପ୍ଟେମ୍ବର ୮ ତାରିଖ ଦିନ ଚୀନ ସେନା ବର୍ଚ୍ଛା, କଟୁରି ଧରି ମାଡ଼ି ଆସୁଥିବାର ଫଟୋ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଛି। ଏଥର କିନ୍ତୁ ସେଠାରେ ଗୁଳି ଫୁଟିଥିଲା। ଚୀନ ସେନା, ଭାରତକୁ ସତର୍କ କରିବା ପାଇଁ ଗୁଳି ଫୁଟାଇଥିଲେ। ଅବଶ୍ୟ ପରବର୍ତ୍ତୀ କାଳରେ ଭାରତୀୟ ସେନା ଏହି ଗୁଳି ଫୁଟାଇଥିଲେ ବୋଲି ଚୀନ ସେନା (ପି.ଏଲ.ଏ.) ପକ୍ଷରୁ ଅଭିଯୋଗ ହୋଇଛି। ୧୯୯୩ ମସିହାରେ ଚୀନ ଓ ଭାରତ ଚୁକ୍ତି କରିଥିଲେ ଯେ କୌଣସି ପକ୍ଷ ସୀମାନ୍ତ ଅଞ୍ଚଳରେ ଗୁଳି ଫୁଟାଇ ପାରିବେ ନାହିଁ। ଏ ପର୍ଯ୍ୟନ୍ତ ଉଭୟ ପକ୍ଷ ମୋଟାମୋଟି ଭାବରେ ସେହି ଚୁକ୍ତିକୁ ପାଳନ କରିଆସିଛନ୍ତି। ତେବେ ଗତ ସପ୍ତାହରେ ଚୀନର ଆକ୍ରାମକ ଅଗ୍ରସରତା ଭାରତୀୟ ପକ୍ଷକୁ ଦୃଢ଼ ମୁକାବିଲା ପାଇଁ ପ୍ରରୋଚିତ କରିଥିଲା। ଭାରତ ମଧ୍ୟ ଏହି ସୀମାନ୍ତ ଅଞ୍ଚଳରେ ଯଥେଷ୍ଟ ସେନା ମୁତୟନ କରି ନିଜର ମନୋବୃତ୍ତିିକୁ ସ୍ପଷ୍ଟ କରିଥିଲା। ସ୍ବାଭାବିକ ଭାବରେ ଏହା ଚୀନ ପକ୍ଷକୁ ଅତ୍ୟନ୍ତ କ୍ଷୁବ୍‌ଧ କରିଥିଲା। ଚୀନ, କେବେହେଲେ ଆଶା କରିନଥିଲା ଯେ ଭାରତୀୟ ପକ୍ଷ ଏତେ ବେଶି ପ୍ରସ୍ତୁତ ହୋଇସାରିଛନ୍ତି।

ଚୀନ ସେନା (ପି.ଏଲ.ଏ.) ପକ୍ଷରୁ ଗତ କେତେ ମାସ ମଧ୍ୟରେ ବିବାଦୀୟ କ୍ଷେତ୍ର ପାଂଗୋଂଗ ହ୍ରଦ କୂଳ ପାହାଡ଼ମାନଙ୍କରେ ଭାରତୀୟ ସେନାର ପ୍ରସ୍ତୁତି କେତେ ତାହାକୁ ନେଇ ଅତି ତୀକ୍ଷ୍‌ଣ ପର୍ଯ୍ୟବେକ୍ଷଣ କରି ଚାଲିଥିଲା। ସେମାନେ ସଦାବେଳେ ଦେଖିଲେ, ଭାରତୀୟ ସୈନ୍ୟମାନେ ଅତି ଉଚ୍ଚ ସ୍ତରର ସତର୍କତାରେ ଅଛନ୍ତି। ଚୀନ ସୈନ୍ୟମାନେ ସୁବିଧା ଦେଖି ଟିକେ ଭାରତୀୟ ଅଞ୍ଚଳ ଆଡ଼କୁ ମାଡ଼ି ଆସିଲେ, ଭାରତୀୟ ସୈନ୍ୟମାନେ ତାହା ସଙ୍ଗେ ସଙ୍ଗେ ଜାଣିପାରୁଥିଲେ ଓ ତା’ର ମୁକାବିଲା ସ୍ତରକୁ ଓହ୍ଲାଇ ଆସୁଥିଲେ। ଚୀନ ସୈନ୍ୟ ଆଦୌ ଆଶା କରିନଥିଲେ, ଭାରତୀୟ ସୈନ୍ୟ ସେମାନଙ୍କ ଅନୁପ୍ରବେଶକୁ ଏତେ ଶୀଘ୍ର ଜାଣିପାରିବେ। ସେମାନେ ଅନେକ ଥର ଭାରତୀୟ ସେନାର ଅଗୋଚରରେ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଛନ୍ତି ଓ ପରେ ସେହି ସ୍ଥାନ ଛାଡ଼ି ପଛକୁ ଫେରି ନାହାନ୍ତି।

ଏଥର କେବଳ ଯେ, ଚୀନର ଆକ୍ରାମକ ଅନୁପ୍ରବେଶକୁ ଭାରତୀୟ ସୈନ୍ୟମାନେ ସଙ୍ଗେ ସଙ୍ଗେ ଜାଣିପାରି ପ୍ରତିକାର କଲେ ସେତକ ନୁହେଁ, ଚୀନର ପି.ଏଲ.ଏ.କୁ ଆଶ୍ଚର୍ଯ୍ୟଚକିତ କରି ହଠାତ୍‌ ଦିନେ ରାତିରେ ପାଂଗୋଂଗ ହ୍ରଦ କୂଳରେ ଥିବା ତୀଖା ପାହାଡ଼ମାନଙ୍କର ଚୂଡ଼ାକୁ ଦଖଲ କରିନେଲେ। ଚୀନ ସେନାର ଅଗୋଚରରେ ଭାରତୀୟ ସୈନ୍ୟ ଏପରି କାର୍ଯ୍ୟ କରିପାରିବେ, ଏ କଥା ସେମାନେ କେବେହେଲେ କଳ୍ପନା କରିନଥିଲେ। କେବଳ ସେତକ ନୁହେଁ, ହ୍ରଦ କୂଳରେ ଥିବା ଏହି ତୃଣହୀନ ପାହାଡ଼ମାନଙ୍କରେ କେତେକ ମୁଣ୍ତିଆ (ସ୍ପର)ଗୁଡ଼ିକୁ ଭାରତୀୟ ସୈନ୍ୟ ଆକସ୍ମିକ ଦଖଲ କରିନେବାରୁ ଗଲୱାନ ଉପତ୍ୟକାକୁ ଯାଉଥିବା ରାସ୍ତାଗୁଡ଼ିକ ଉପରେ ଭାରତୀୟ ସେନାର ନିୟନ୍ତ୍ରଣ ଆସିଗଲା। ପାହାଡ଼ ଉପରୁ ସେମାନେ ଏହି ରାସ୍ତା ଉପରେ ଗତାଗତ ସବୁ କିଛି ଯାନବାହନ ଓ ସୈନ୍ୟମାନଙ୍କୁ ଦେଖିପାରିଲେ ଓ ଚୀନ ବୁଝିଗଲା ଯେ ଯୁଦ୍ଧ ହେଲେ, ଏହି ଅଞ୍ଚଳଗୁଡ଼ିକରେ ଭାରତୀୟ ସେନାର ଅଗୋଚରରେ ଯାତାୟତ ଆଉ ସମ୍ଭବ ହେବନାହିଁ। ଯୁଦ୍ଧ ହେଲେ ଭାରତୀୟ ସେନା, ଚୀନ ସେନାକୁ ଅତି ସୁବିଧାରେ ସେଠାରେ ମାତ୍‌ ଦେଇପାରିବ। ଏହା ହେଲା ସେହି ଉପତ୍ୟକାର ପ୍ରବେଶ ଦ୍ବାର। ଏହା ଚୀନକୁ ଅତ୍ୟନ୍ତ ଅସନ୍ତୁଷ୍ଟ କରିଦେଲା। ତେଣୁ ଚୁସୁଲ ଉପତ୍ୟକାରେ ଚୀନ ୩୫,୦୦୦ର ବିଶାଳ ସୈନ୍ୟ ସମାବେଶ କଲା। ଏହାକୁ ଦେଖି ଭାରତ ଅତୀତର ଦିନମାନଙ୍କ ପରି ଭୟଭୀତ ହୋଇଯିବ ବୋଲି ଚୀନ ସେନା ଭାବିଥିଲା। କିନ୍ତୁ ଏଥର ତାହା ହେଲା ନାହିଁ। ଭାରତ ମଧ୍ୟ ପାଖାପାଖି ୩୫,୦୦୦ ସୈନ୍ୟଙ୍କୁ ନେଇ ତା’ ନିଜ ଅଞ୍ଚଳରେ ଠୁଳ କରିଦେଲା। ଚୀନ ବୁଝିଗଲା ଭାରତୀୟ ସୈନ୍ୟଙ୍କୁ ସେଠାରୁ ହଟାଇବାକୁ ହେଲେ ଏକ ବଡ଼ ଧରଣର ଯୁଦ୍ଧ ଲାଗିଯିବ। ବର୍ତ୍ତମାନର ଆନ୍ତର୍ଜାତିକ ସ୍ଥିତିରେ ଚୀନ ପାଇଁ ଏକ ବଡ଼ ଧରଣର ଯୁଦ୍ଧରେ ସମ୍ପୃକ୍ତ ହେବା ସମ୍ଭବ ନୁହେଁ। ଏହା ହିଁ ହେଲା ଚୀନର ନରମିବାର କାରଣ।

ମୁଖ୍ୟତଃ, ଏହି ଘଟଣା ହେତୁ ଚୀନର ମନୋବୃତ୍ତିରେ ପରିବର୍ତ୍ତନ ଆସିଥିଲା ଓ ଭାରତ ସହ କଥାବାର୍ତ୍ତା ହେବାକୁ ସେ ଦେଶ ରାଜି ହୋଇଗଲା। ଏହି ସମୟରେ ରୁଷିଆର ମସ୍କୋରେ ସାଙ୍ଘାଇ ସହଯୋଗ ସଙ୍ଗଠନ (ଏସ.ସି.ଓ)ର ସମ୍ମେଳନ ହେଲା। ଯଦିଓ ଏହି ସଙ୍ଗଠନର ପ୍ରତିଷ୍ଠାତା ହେଉଛି ଚୀନ, ରୁଷିଆର ମଧ୍ୟ ଏହି ସଙ୍ଗଠନରେ ବ୍ୟାପକ ପ୍ରଭାବ ରହିଛି। ପୁଣି ସମ୍ମେଳନର ବୈଠକ ମସ୍କୋରେ ହେଉଥିବାରୁ ରୁଷିଆର ଆହୁରି ଅଧିକ ପ୍ରଭାବ ରହିଲା। ରୁଷିଆ, ପରୋକ୍ଷ ମଧ୍ୟସ୍ଥତା କରି ଭାରତ-ଚୀନ ମଧ୍ୟରେ ଏକ ସମାଧାନର ବାଟ ବାହାର କରିବା ପାଇଁ ପଦକ୍ଷେପ ନେଲା। ରୁଷିଆର ବେଦେଶିକ ମନ୍ତ୍ରୀ ସରଗେ ଲାଭରୋଭ ଏଥିରେ ମଧ୍ୟସ୍ଥତା କଲେ। ଦୁଇ ପକ୍ଷକୁ ବସାଇବାକୁ ସେ ଉଦ୍ୟମ କଲେ। ନିଶ୍ଚୟ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଉଭୟ ଜିନପିଙ୍ଗ ଓ ମୋଦୀଙ୍କୁ ଆଲୋଚନା ଟେବୁଲକୁ ଆସିବା ପାଇଁ ପ୍ରଭାବିତ କରିଥିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମସ୍କୋରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଗତ ସପ୍ତାହର ଆଲୋଚନା ପୂର୍ବରୁ (ସାଙ୍ଘାଇ ସହଯୋଗ ସଙ୍ଗଠନର ସମ୍ମେଳନର ଏକ ସପ୍ତାହ ଆଗରୁ) ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସି˚ହ ଓ ଚୀନର ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗଙ୍କ ମଧ୍ୟରେ ‌ହୋଇଥିବା ଆଲୋଚନାରେ କୌଣସି ସମାଧାନର ସୂତ୍ର ବାହାରି ପାରିନଥିଲା। କିନ୍ତୁ ପରବର୍ତ୍ତୀ କାଳରେ ରୁଷିଆ ଓ ଅନ୍ୟ ଆନ୍ତର୍ଜାତିକ ଚାପ ଯୋଗୁଁ ଅଲୋଚନା ସମ୍ଭବ ହେଲା। ଏହି ବୈଠକ ବିଳମ୍ବିତ ରାତ୍ରିରେ ଦୁଇ ଘଣ୍ଟା ଧରି ଆୟୋଜିତ ହୋଇଥିଲା ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅତି କଡ଼ାକଡ଼ି ଭାବରେ ଭାରତର ପକ୍ଷ ରଖିଥିଲେ ଓ ଉଭୟ ପକ୍ଷର ସୈନ୍ୟମାନେ ପ୍ରଥମେ ପଛକୁ ତାଙ୍କ ସ୍ଥାନରୁ ହଟି ଯାଆନ୍ତୁ ବୋଲି ଜୋର ଦେଇ କହିଥିଲେ। ଶେଷକୁ ଏହି ସବୁ ସର୍ତ୍ତରେ ଚୀନକୁ ରାଜି ହେବାକୁ ପଡ଼ିଥିଲା, ଯାହା ଭାରତ ପାଇଁ ଏକ ବହୁତ ବଡ଼ ସଫଳତା ଅଟେ।

ଦୁଇ ପକ୍ଷ ଏକ ପଞ୍ଚ ସୂତ୍ରୀ ଯୋଜନା ଘୋଷଣା କରିଛନ୍ତି। ପ୍ରଥମଟି ହେଲା, ଉଭୟ ପକ୍ଷ ସେମାନଙ୍କ ମୁହାଁମୁହିଁ ଅବସ୍ଥାରୁ ପଛକୁ ହଟିଯିବେ। ଏବେ ସେମାନେ କେବଳ କେତେ ଶହ ମିଟର ବ୍ୟବଧାନରେ ପରସ୍ପରର ସାମନା କରି ଉପସ୍ଥିତ ଅଛନ୍ତି। ଦ୍ବିତୀୟ ନିଷ୍ପତ୍ତି ହେଲା, ସେମାନେ ଏପରି କିଛି ନ କରିବା ଉଚିତ ଯାହା ଫଳରେ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ହେବ। ଏହାଦ୍ବାରା ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଶାନ୍ତି ଓ ନିଶ୍ଚଳତା ସୃଷ୍ଟି ହେବ। ଆଗାମୀ ସପ୍ତାହରେ ଲଦାଖରେ ଥିବା କର୍ପ‌୍‌ସ୍‌ କମାଣ୍ତର ସ୍ତରରେ ବୈଠକ ହୋଇ, କେବେ, କେତେ ପଛକୁ ସେନାମାନେ ହଟିବେ ତାହା ନିର୍ଦ୍ଧାରିତ ହେବ। ଅବଶ୍ୟ କେତେ ଦିନ ମଧ୍ୟରେ ଏହି ପଦକ୍ଷେପ ନିଆଯିବ, ତାର ସିଦ୍ଧାନ୍ତ ଏବେ ହୋଇନାହିଁ। ସାମରିକ ସ୍ତରୀୟ ଆଲୋଚନା ବେଳେ ସେହି ଟିକିନିଖି ସମସ୍ୟାମାନ ସମାହିତ ହେବ। ଯଦି ଏହି ପର୍ଯ୍ୟାୟର ନିଷ୍ପତ୍ତିଗୁଡ଼ିକୁ ଦୁଇ ପକ୍ଷ ପାଳନ କରନ୍ତି, ତେବେ ହୁଏତ ଆଗାମୀ ସମୟରେ ମୋଦୀ-ଜିନପିଙ୍ଗଙ୍କ ସ୍ତରରେ ସର୍ବୋଚ୍ଚ ଆଲୋଚନା ଓ ନିଷ୍ପତ୍ତି ହୋଇପାରେ। ଏହା ଉଭୟ ଦେଶର ମର୍ଯ୍ୟାଦା ରକ୍ଷା କରିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯେଉଁ ଚୀନ, ଗୋଟିଏ ଘାସ ଗଛ ନଥିବା ଅଞ୍ଚଳକୁ ମାଡ଼ି ବସିବା ପାଇଁ ଏତେ ସୈନ୍ୟ ଲଦାଖରେ ଠୁଳ କରିଥିଲା, ସେହି ଚୀନ ଶେଷକୁ ଭାରତ ସହ ମିଳାମିଶା କରିବା ପାଇଁ ରାଜି ହେଲା କାହିଁକି? ଚୀନ ହେଉଛି ଏକ ବିସ୍ତାରବାଦୀ ଦେଶ। ମୁଖ୍ୟତଃ ୧୯୪୯ରେ ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ହେବା ପରେ ପଡ଼ୋଶୀମାନଙ୍କ ଅଞ୍ଚଳକୁ ମାଡ଼ି ବସିବା ଏ ଦେଶର ଏକ ପ୍ରମୁଖ ବୈଦେଶିକ ନୀତି ହୋଇଛି। ଚୀନ ପ୍ରଥମେ ତିବ୍ବତକୁ ଦଖଲକୁ ନେଲା। ମଧ୍ୟ ଯୁଗରେ ମି˚ଗ୍‌ ରାଜବ˚ଶ ବେଳେ ତିବ୍ବତ ଚୀନରେ ଥିଲା; ଏହା ଚୀନର ଯୁକ୍ତି। ଏହା ପୂର୍ବରୁ ପଶ୍ଚିମ ଚୀନର ସି˚ଜିଆଙ୍ଗ ପ୍ରଦେଶକୁ ଚୀନ ଦଖଲ କଲା ଯେଉଁଠି ଉଇଘୁର ମୁସଲମାନମାନଙ୍କ ସ˚ଖ୍ୟା ଅଧିକ। ସେମାନେ ସେମାନଙ୍କ ଧର୍ମ ସ˚ସ୍କୃତିକୁ ନେଇ ଏକ ‘ପୂର୍ବ ତୁର୍କୀସ୍ତାନ’ ଆନ୍ଦୋଳନ ଚଳାଇଛନ୍ତି। ଏବେ ସେଠାରେ ୩୦ ଲକ୍ଷ ଉଇଘୁରଙ୍କୁ ଏକ ପ୍ରକାର ବନ୍ଦୀ କରି ରଖାଯାଇଛି। କମ୍ୟୁନିଷ୍ଟ ପାର୍ଟି ଶାସନ ପରେ ଚୀନ, ତା’ର ଉତ୍ତର ସୀମାନ୍ତରେ ଥିବା ମଙ୍ଗୋଲିଆର କିଛି ଅ˚ଶ ମଧ୍ୟ ମାଡ଼ି ବସିଛି, ଯାହାକୁ ‘ଇନର ମଙ୍ଗୋଲିଆ’ ବୋଲି କୁହାଯାଏ।

ଚୀନ ଏବେ ତୀବ୍ର ଲଢ଼େଇରେ ଫସିିଛି ଦକ୍ଷିଣ ଚୀନ ସାଗର ଅଞ୍ଚଳରେ। ଚୀନର ଦାବି, ଐତିହାସିକ ଦୃଷ୍ଟିରୁ ଏହି ସମଗ୍ର ସାଗରଟି ହେଲା ତା’ର ପ୍ରଭାବ କ୍ଷେତ୍ର। ଯିଏବି ଏହି ଅଞ୍ଚଳରେ କିଛି କାମ କରିବ ଓ ଏପରିକି ଯାତାୟତ କରିବ, ତାହା ତା’ର ଅନୁମୋଦନ କ୍ରମେ ହେବ। ଏଥିପାଇଁ ଏହି ସାଗର ମଧ୍ୟରେ ଥିବା କେତେକ ଅତି ଛୋଟ ଦ୍ବୀପ ଓ କେତେକ କ୍ଷେତ୍ରରେ ମୁଣ୍ତିଆମାନଙ୍କୁ ମାଡ଼ି ବସି ଚୀନ ସେଠାରେ ସାମରିକ ଘାଟି ପ୍ରତିଷ୍ଠା କରୁଛି। କିଛି ଅଗଭୀର ସମୁଦ୍ରକୁ ପୋତି ସେଠାରେ ବିମାନ ଓହ୍ଲାଇବାର ରନ୍‌ୱେ ତଥା ସାମରିକ ଅସ୍ତ୍ରଶସ୍ତ୍ର ରଖିବା ଘାଟି ପ୍ରତିଷ୍ଠା କରିଛି।

ଏହି ଅଞ୍ଚଳମାନଙ୍କରେ ଅନେକ ଦ୍ବୀପକୁ ଜାପାନ, ଫିଲିପାଇନସ୍‌, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ ଆଦି ଦେଶ ନିଜର ବୋଲି ମଧ୍ୟ ଦାବି କରୁଛନ୍ତି। ଏହାକୁ ନେଇ ‘ଆସିଆନ’ ଦେଶମାନଙ୍କର (ଦକ୍ଷିଣ ପୂର୍ବ ଏସିଆର ଦେଶମାନଙ୍କର ସ˚ଗଠନ) ଚୀନ ଉପରେ ଘୋର ଅସନ୍ତୋଷ। ଭିଏତନାମ ଓ ଚୀନ ମଧ୍ୟରେ ତିକ୍ତତା ଅନେକ ବଢ଼ି ଯାଇଛି। ସେମିତି ତାଇୱାନ ତଥା ବ୍ରିଟିସ ସରକାରଙ୍କଠାରୁ ଦଖଲ କରିଥିବା ହ˚କ˚ରେ ମଧ୍ୟ ଚୀନ ନାନା ପ୍ରକାର ବିରୋଧ ଓ ବିଦ୍ରୋହର ସମ୍ମୁଖୀନ ହୋଇଛି। କହିବାକୁ ଗଲେ ବିଶ୍ବରେ କେବଳ ଉତ୍ତର କୋରିଆ, ପାକିସ୍ତାନ ଓ ଇରାନକୁ ଛାଡ଼ିଦେଲେ ଏହି ଦେଶର ମିତ୍ର ବୋଇଲେ କେହି ନାହାନ୍ତି।

ଏବେ ଚୀନ ଏକ ‘ବେଲ୍‌ଟ ଏଣ୍ତ ରୋଡ୍‌ ଇନିସିଏଟିଭ’ ପ୍ରକଳ୍ପ ନାମରେ ସାରା ବିଶ୍ବରେ ଅର୍ଥ ଲଗାଣ କରି ରାସ୍ତା, ବନ୍ଦର, ବିମାନ ବନ୍ଦର ଆଦି ନିର୍ମାଣ କରିବାରେ ଲାଗିଛି। ଶ୍ରୀଲଙ୍କାରେ ଏହି ପ୍ରକଳ୍ପ ବଳରେ ହମ୍ବାନଟୋଟାରେ ଏକ ବନ୍ଦର ନିର୍ମାଣ କରିଥିଲେ ମଧ୍ୟ ଶ୍ରୀଲଙ୍କା ଏହାର ଋଣ ଶୁଝି ପାରିନଥିବାରୁ ଏହାକୁ ଚୀନକୁ ୯୯ ବର୍ଷର ଲିଜରେ ଦେଇଛି। ଏହା ଶ୍ରୀଲଙ୍କାର ଚୀନ ପ୍ରତି ଥିବା ସଦ୍‌ଭାବକୁ ଅନେକ କମାଇ ଦେଇଛି। ଏବେ କରୋନା ଟିକା ଉଦ୍ଭାବନ କରି ଦରିଦ୍ର ରାଷ୍ଟ୍ରଙ୍କୁ ବାଣ୍ଟିବ ବୋଲି ଚୀନ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ନିଜ ପାଖକୁ ଟାଣି ଆଣିବାକୁ ଚେଷ୍ଟା କରୁଛି। କିନ୍ତୁ ଟିକା ଏ ଯାଏ ବାହାରି ନାହିଁ ଓ ଅନ୍ୟ ଦେଶମାନେ ମଧ୍ୟ ଟିକା ବାହାର କରିବାରେ ଅନେକ ଆଗେଇ ଗଲେଣି।

ଚୀନ ସହ ଆମେରିକାର ବାଣିଜ୍ୟ ଯୁଦ୍ଧ ପ୍ରବଳ। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବେ ଚୀନକୁ ତାଙ୍କର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ଚୀନ, ଆମେରିକାର ପରମ ଶତ୍ରୁ ବୋଲି ପ୍ରଚାର କରୁଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ ରାଷ୍ଟ୍ରପତି ହେଲେ ଚୀନ ଆମେରିକାକୁ ମାଡ଼ି ବସିବ ବୋଲି ପ୍ରଚାର କରୁଛନ୍ତି ଓ ୟୁକେ ଅଷ୍ଟ୍ରେଲିଆ ମଧ୍ୟ ବିଭିନ୍ନ କାରଣରୁ ଚୀନର ବିରୋଧୀ ହୋଇ ପଡ଼ିଛନ୍ତି। ଏହାକୁ ଲକ୍ଷ୍ୟ କରି ଚୀନ, ଭାରତ ସହ ମିଳାମିଶା କରିବାକୁ ବାଧ୍ୟ ହୋଇଛି। ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ଚୀନା କମ୍ପାନିମାନେ ମଧ୍ୟ ଭାରତ ସହ ବିବାଦ ଚାହାନ୍ତି ନାହିଁ। ତେଣୁ ପ୍ରକାଶ୍ୟ ଯୁଦ୍ଧଠାରୁ ଚୀନ ଓହରିବାକୁ ବାଧ୍ୟ। ମୁଖ୍ୟତଃ ଚୀନ-ଭାରତ ବିବାଦ ଅର୍ଥନୈତିକ ବା ସାମରିକ ନୁହେଁ। ଏହି ଦୁଇଟି କ୍ଷେତ୍ରରେ ଚୀନ ଏବେ ଭାରତକୁ ପରାସ୍ତ କରି ପାରିବନି। ଏହା ହେଉଛି ମୁଖ୍ୟତଃ ରାଜନୈତିକ। ଦୁଇ ଦେଶର ବିଦେଶ ମନ୍ତ୍ରୀମାନେ ମସ୍କୋରେ ଆଲୋଚନା ବେଳେ ସେମାନଙ୍କର ନେତାମାନଙ୍କ କଥା ବାରମ୍ବାର ଉଲ୍ଲେଖ କରୁଥିଲେ। ସି ଜିନପିଙ୍ଗ ଭାରତର କିଛି ଅଞ୍ଚଳ ଦଖଲ କରି ନିଜ ଦେଶରେ ଆତ୍ମ ପ୍ରତିଷ୍ଠା ଚାହାନ୍ତି। ଭାରତ ତା’ର ଶକ୍ତି ବଳରେ ତାଙ୍କର ଏହି ରାଜନୈତିକ ମହତ୍ତ୍ବାକା˚କ୍ଷାକୁ ଦମନ କରିପାରିବ।

ମୋ- ୯୪୩୭୦୨୦୨୦
[email protected]

ସମ୍ବନ୍ଧିତ ଖବର