ଧାନକଟା ଛୁଟିରୁ ଏକ୍‌ସ-ମାସ ଛୁଟି ଯାଏଁ

ପ୍ରମୋଦ କୁମାର ପଣ୍ଡା

ପାଠକ ବନ୍ଧୁ! ଆସନ୍ତୁ ଓଡ଼ିଶାର ଧାନକଟା ଛୁଟିରୁ ଏକ୍‌ସ-ମାସ ଛୁଟି ପର୍ଯ୍ୟନ୍ତ ଯାତ୍ରାକୁ ବିଶ୍ଳେଷଣ କରିବା। ଆମେ ଏକ ରାଜ୍ୟ ହିସାବରେ ଏହି ସମୟ ମଧ୍ୟରେ କ’ଣ କ’ଣ ପାଇଛୁ ଆଉ କ’ଣ କ’ଣ ହରାଇଛୁ। ଆବହମାନ କାଳରୁ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ରୂପେ ପରିଗଣିତ ହୋଇଆସୁଛି। ଧାନର ଉତ୍ପତ୍ତି ସ୍ଥଳ ଓ ପ୍ରାଚୀନ କାଳରେ ଧାନ ରପ୍ତାନିକାରୀ ଭାବରେ ଆମ ରାଜ୍ୟର ପରିଚିତି ଅଛି। ଏପରିକି ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଧାନ ଉତ୍ପାଦନ କମି ମଧ୍ୟ ଓଡ଼ିଶାରୁ ୩୫୦୦୦ ଟନ୍‌ ଚାଉଳ ବିଭିନ୍ନ ସ୍ଥାନକୁ ରପ୍ତାନି ହୋଇଥିବା କଥା ଇତିହାସ କୁହେ। କେବଳ ଧାନ କାହିଁକି ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ସହିତ ପନିପରିବା, ଫଳମୂଳ, ବିରି, ମୁଗ, ତୈଳବୀଜ ଓ ଅନ୍ୟ ଅର୍ଥକରୀ ଫସଲ ମଧ୍ୟ ଚାଷ କରାଯାଇଥାଏ। ଆମର ପୂର୍ବ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଅନୁସାରେ ପିଲାମାନେ ପାଠ ପଢ଼ିବା ସହିତ କୃଷି କାର୍ଯ୍ୟ ଓ ଗୋପାଳନରେ ପରିବାରକୁ ସହାୟତା କରି ଆସୁଥିଲେ। ଏହାଦ୍ବାରା ସେମାନଙ୍କର କୃଷି କାର୍ଯ୍ୟ ପ୍ରତି ରୁଚି ତଥା କୃଷି ଓ ପ୍ରକୃତି ସଂପର୍କିତ ଜ୍ଞାନ ବୃଦ୍ଧି ପାଉଥିଲା। ସ୍କୁଲ କଲେଜମାନଙ୍କରେ ମଧ୍ୟ ତଦନୁଯାୟୀ ବାର୍ଷିକ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେଉଥିଲା। ଆମର କୃଷି କାର୍ଯ୍ୟ ଓ ପର୍ବ-ପର୍ବାଣିକୁ ଆଖି ଆଗରେ ରଖି ସ୍କୁଲ କଲେଜର ଛୁଟି ବ୍ୟବସ୍ଥା ମଧ୍ୟ ହେଉଥିଲା। ଏତିକି ବେଳେ ଆସୁଥିଲା ଧାନକଟା ଛୁଟି। ଏହି ଛୁଟି ଧାନ ପାଚିବା ଓ କଟାକଟି ସମୟରେ ହେଉଥିଲା। ଏହି ଛୁଟିରେ ପିଲାମାନେ ଗାଁରେ ରହି ବାପା ମାଆଙ୍କ ସହିତ ବିଲକୁ ଯାଉଥିଲେ; ଧାନ କଟା, ବନ୍ଧା, ବୁହାରେ ସାହଯ୍ୟ କରୁଥିଲେ। ଖଳାକୁ ଧାନ ବିଡ଼ାଗୁଡ଼ିକ ଆସିଲେ ତାକୁ ଗଦା ବା ବଦାଡ଼ି ଦେବା, ବେଙ୍ଗଳା ପକାଇବା ଇତ୍ୟାଦିରେ ମଧ୍ୟ ସେମାନେ ଭାଗ ନେଉଥିଲେ। ପଢ଼ାପଢ଼ି ସହିତ କୃଷି କାର୍ଯ୍ୟରେ ମନ ଦେଉଥିଲେ। ଏହାଦ୍ବାରା ଯେ ସେମାନେ ପାଠପଢ଼ାରେ ଅକୃତକାର୍ଯ୍ୟ ହେଉଥିଲେ ତାହା ନୁହେଁ। ବର୍ତ୍ତମାନ ଯେଉଁ ବରିଷ୍ଠ ଆଇ.ଏ.ଏସ ବା ଆଇ.ପି.ଏସ ଅଫିସରମାନେ ଅବସର ନେବାକୁ ଯାଉଛନ୍ତି ବା ନେଇ ସାରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏହି ଅନୁଭୂତିର ଅଧିକାରୀ ହୋଇଥିବେ। ସେ ସମୟରେ ପାଠ ପଢ଼ା ସହିତ ଗୋପାଳନ ଓ କୃଷି କାର୍ଯ୍ୟ କରିବାକୁ ନୀଚ ଦୃଷ୍ଟିରେ ଦେଖା ଯାଉ ନଥିଲା। ଏପରିକି ଓଡ଼ିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦରେ କୃଷି ବିଜ୍ଞାନ ନାମରେ ଦୁଇଟି ବହି ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ା ଯାଉଥିଲା।

ଇତିମଧ୍ୟରେ ସମୟ ସହିତ ଆଭିମୁଖ୍ୟ ଓ ଚିନ୍ତାଧାରାର ପରିବର୍ତ୍ତନ ହୋଇଛି। ପାଠ ପଢ଼ୁଥିବା ପିଲାମାନେ କୃଷିରୁ ଦୂରେଇ ଯାଇଛନ୍ତି। ଷଷ୍ଠ ଓ ସପ୍ତମ ଶ୍ରେଣୀର ପାଠ୍ୟକ୍ରମରେ ଆଉ କୃଷି ବିଜ୍ଞାନ ବହି ନାହିଁ। ଏବେ ଧାନ କଟା ଛୁଟିର ନାଁ ବଦଳି ଏକ୍‌ସ-ମାସ ଛୁଟି ହୋଇଯାଇଛି। ଆମ ପିଲାମାନେ ଜାଣି ନାହାନ୍ତି ଯେ ସେମାନଙ୍କ ବାପାମାନେ ସେହି ସମୟରେ ଧାନ କଟା ଛୁଟି ପାଉଥିଲେ। ସେ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଧାନ କଟା ଛୁଟି ସଂପର୍କରେ ରଚନା ଲେଖିବାକୁ ପଡୁଥିଲା। ଏବେ ଆଉ ସେଭଳି ହେବାର ଆବଶ୍ୟକତା କି ସଂଭାବନା ନାହିଁ। ଆମ ପିଲାଏ କୃଷିଠୁ ଏତେ ଦୂରେଇ ଯାଇଛନ୍ତି ଯେ ଅଧିକାଂଶ ଆଜିକାର ପିଲା ବିଭିନ୍ନ ଶସ୍ୟ, ଦେଶୀ ପରିବା ବା ଦେଶୀ କୋଳି ଆଦିକୁ ଚିହ୍ନି ପାରିବେ ନାହିଁ।

ତେବେ, ସେ ଯାହା ହେଉ ଆମ ରାଜ୍ୟରେ ବା ଦେଶରେ ପ୍ରଥ‌େମ ଇଂରେଜୀ ମାଧ୍ୟମରେ ଶିକ୍ଷା ଦିଆଗଲା କନଭେଣ୍ଟ ସ୍କୁଲ ଜରିଆରେ। ସେଗୁଡ଼ିକ ଚର୍ଚ୍ଚ ଦ୍ବାରା ପରିଚାଳିତ। ତେଣୁ ବଡ଼ ଦିନ ବା ଡିସେମ୍ବର ୨୫କୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରି କନଭେଣ୍ଟ ସ୍କୁଲଗୁଡ଼ିକ କିଛି ଦିନର ଛୁଟି ଦେଲେ। ତା’ପରେ ଯଦିଓ ବିଭିନ୍ନ ଭାରତୀୟ ଅନୁଷ୍ଠାନଗୁଡ଼ିକ ଇଂରେଜୀ ମାଧ୍ୟମ ସ୍କୁଲ ତିଆରି କଲେ ଏହି ଶୀତ ଦିନିଆ ଛୁଟି ବଡ଼ ଦିନ ଛୁଟି ଭାବେ ପରିଚିତି ପାଇଲା। ଏହା ଦେଖି ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲରେ ଧାନ କଟା ଛୁଟି ଜାଗାରେ ପିଲାଙ୍କୁ ବଡ଼ଦିନ ଛୁଟି ବା ଏକ୍‌ସ-ମାସ ଛୁଟି ମିଳିଲା। ଏଣିକି ପିଲାଏ ଆଉ ଧାନ କଟାରେ ସାହାଯ୍ୟ କରୁ ନ ଥିଲେ। ସେମାନେ ଚାକିରି ମନସ୍କ ଓ କ୍ୟାରିଅର ଲାଗି ସ୍କୁଲ ପରେ ଟୁଇସନ ଗଲେ। ସେମାନଙ୍କୁ ଆଉ ସମୟ ମିଳିଲା ନାହିଁ। କ୍ରମେ ବାପାମାନେ ବିଲବାଡ଼ି କାମ ଲାଗି କୃଷି ଶ୍ରମିକଙ୍କୁ ଲଗାଇଲେ। ସେଥିରେ ଖର୍ଚ୍ଚ ଅଧିକ ହେଲା, କିନ୍ତୁ ପିଲାମାନଙ୍କ ପଢ଼ା ସମୟ ନଷ୍ଟ ହେଉନାହିଁ ବୋଲି ସେମାନେ ସାନ୍ତ୍ବନା ପାଇଲେ। ଏବେ ତ ଚାଷ କାମ ସବୁ ଯନ୍ତ୍ରରେ ହେଉଛି। ତେଣୁ ଆଉ ପିଲାଏ ଧାନ କଟା ଛୁଟି ନେଇ କରିବେ କ’ଣ? କିନ୍ତୁ ବିଡ଼ମ୍ବନାଟି ହେଲା ଏବେ ପ୍ରତି ବର୍ଷ ୫.୫ ଲକ୍ଷ ପିଲା ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଏତେ ପିଲା ପ୍ରତି ବର୍ଷ ବାହାରିଲେ ସେମାନଙ୍କ ଲାଗି ଚାକିରି କାହିଁ? ତେଣୁ ଆମ ପିଲାଏ ନା କୃଷିରେ ନା ଚାକିରିରେ ଠିକଣା ଭାବେ ନିୟୋଜିତ ହୋଇ ପାରୁଛନ୍ତି! ତେଣୁ ବେକାରଙ୍କ ସଂଖ୍ୟା ପ୍ରତି ଦିନ ବୃଦ୍ଧି ପାଇବାରେ ଲାଗିଛି।

ଧାନକଟା ଛୁଟିରୁ ଏକ୍‌ସ-ମାସ ଛୁଟି ପର୍ଯ୍ୟନ୍ତ ଯାତ୍ରା ଆମକୁ କେଉଁଠି ପହଞ୍ଚାଇଛି? ପଞ୍ଜାବ ବା ହରିୟାଣା ବା ତାମିଲନାଡୁ ଭଳି ରାଜ୍ୟର ପ୍ରଗତିକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ସେ ସବୁ ରାଜ୍ୟରେ ଖଣିଜ ସଂପଦ ନ ଥିବା ସତ୍ତ୍ବେ ସେମାନେ କୃଷିକୁ ପ୍ରାଧାନ୍ୟ ଦେଇ ନିଜ ନିଜ ରାଜ୍ୟକୁ ଆର୍ଥିକ ରୂପେ ସମୃଦ୍ଧ କରିଛନ୍ତି। ଆମେ କିନ୍ତୁ କୃଷିକୁ ଅବହେଳା କରିଛେ। କୃଷି ଠାରୁ ଆମେ ଦୂରେଇ ଯାଇଛେ। ଆମ ଯଦି ଦୂରଦୃଷ୍ଟିସଂପନ୍ନ ‌ହୋଇଥାଆନ୍ତେ, ‌ତେବେ ଏବେ ବି ଧାନ କଟା ଛୁଟି ରଖିଥାଆନ୍ତେ ଏବଂ କୃଷିର ଉନ୍ନତି କରିବା ସହିତ ଉଚ୍ଚ ଶିକ୍ଷିତ ହୋଇ ଅନ୍ୟାନ୍ୟ ଚାକିରି ବି କରୁଥାଆନ୍ତେ। ଆମ ଲାଗି କୃଷି ଓ ଶିଳ୍ପ ଉଭୟ ରୋଜଗାରର କ୍ଷେତ୍ର ହୋଇଥାଆନ୍ତା।

ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର) ଭୁବନେଶ୍ବର-୭୫୧୦୨୩
ମୋ- ୮୯୧୭୪୨୬୪୪୦

ସମ୍ବନ୍ଧିତ ଖବର