ବ୍ୟାବହାରିକ ଗାନ୍ଧୀ

କହିବାର ଅଛି - ଦାଶ ବେନହୁର

‘‘ବ୍ୟାବହାରିକ ଗାନ୍ଧୀ’’ ନ ଲେଖି ‘‘ଫଙ୍କ୍‌ସନାଲ୍‌ ଗାନ୍ଧୀ’’ ଲେଖିଥିଲେ ପାଠକେ ହୁଏ ତ ସହଜରେ କଥାର ମର୍ମ ବୁଝିଥାନ୍ତେ। ବ୍ୟବହାର ଉପଯୋଗୀ ଯେ କୌଣସି ପଦାର୍ଥକୁ ଆମେ ଇ˚ରେଜୀ ଭାଷାରୁ ଆଣି ଏବେ କହୁଛୁ ଫଙ୍କ୍‌ସନାଲ୍‌। ଧୋତି ଚଦର ବ୍ୟବହାର ନ କରି କାହିଁକି ପ୍ୟାଣ୍ଟ୍‌ ସାର୍ଟ ପିନ୍ଧୁଛ କହିଲେ ଉତ୍ତର ହେଲା, ଧୋତିଟା ଆଜିକା ସମୟକୁ ଫଙ୍କ୍‌ସନାଲ୍‌ ନୁହେଁ। କଠଉର ବ୍ୟବହାର କାହିଁକି ଚାଲିଗଲା କହିଲେ ତା’ର ସହଜ ପ୍ରତିକ୍ରିୟା ହେଉଛି, କଠଉଠାରୁ ଜୋତା ଚପଲ ଅଧିକ ଫଙ୍କ୍‌ସନାଲ୍‌।

ଏଇ ବ୍ୟବହାର-ଉପଯୋଗିତା ହିଁ ପଦାର୍ଥମାନଙ୍କୁ ମଣିଷ ମେଳରେ ତିଷ୍ଠିବାକୁ ସୁଯୋଗ ଦିଏ। ପ୍ରାକୃତିକଠାରୁ ଆରମ୍ଭ କରି ଅପ୍ରାକୃତିକ ପଦାର୍ଥ ମଣିଷ ବା ପଶୁପକ୍ଷୀଙ୍କ ଲାଗି ଯେତେଦିନ ବ୍ୟବହାର-ଅନୁକୂଳ ହୋଇ ରହିଥାଏ, ସେତେ ଯାଏ ସେ ସବୁର ଉପଯୋଗ ଅବ୍ୟାହତ ରହେ, ନ ଚେତ୍‌ କୁଆଡ଼େ ହଜି ଲୀନ ହୋଇଯାଏ।

ଏ କଥାଟି ଜିନିଷପତ୍ର, ଲୁଗାପଟା, ଖାଦ୍ୟପେୟ, ଘରବାଡ଼ି, ଏପରି କି ବାସଭୂମି ପାଇଁ ମଧୢ ପ୍ରଯୁଜ୍ୟ। ବ୍ୟାବହାରିକତା ନାହିଁ ତ ସେ ସବୁ ଅଲୋଡ଼ା, ଅକାମି।

କେବଳ ପଦାର୍ଥ ପାଖରେ ଯେ ଏ ବ୍ୟାବହାରିକ କଥାଟି କାର୍ଯ୍ୟକାରୀ ହୁଏ ତାହା ନୁହେଁ। ନୀତି ନିୟମ, ଆଦର୍ଶ, ମୂଲ୍ୟବୋଧ ସବୁକ୍ଷେତ୍ରରେ ସେଇଆ। ଯେଉଁ ଆଇନ ବା ଆଦର୍ଶ ଅବାସ୍ତବ ତାହା ବ୍ୟବହାର-ଉପଯୋଗୀ ବା ଫଙ୍କ୍‌ସନାଲ୍‌ ହେବ କେମିତି?

ଏ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ କଥା ବିଚାର କରାଯାଉ। ଏବ˚ ଏ ବିଚାର ଗାନ୍ଧୀଜୀଙ୍କର ବ୍ୟକ୍ତିତ୍ବକୁ ନେଇ ନୁହେଁ। ତାଙ୍କ ଆଚରଣ ଓ ଉଚ୍ଚାରଣ ଯେଉଁଭଳି ଏକ ଜୀବନାୟନର ଅବବୋଧ ତିଆରି କରିଛି ତାହାକୁ ଆମେ ଗାନ୍ଧୀ-ପଣ ବୋଲି କହିପାରିବା। ଗାନ୍ଧୀ ଗୋଟେ ଜୀବନବୋଧ, ଗୋଟାଏ ବୈଚାରିକ ସାମୂହିକତା। ଦେଢ଼ଶହ ବର୍ଷପୂର୍ତ୍ତି ଜନ୍ମସମ୍ବତ୍ସର ଅବସରରେ ତାଙ୍କୁ ନେଇ ଦେଶ ସାରା କେତେ ସଭା, ସମିତି, ସମ୍ପାନ, ପୁସ୍ତକସ˚କଳନ ହୋଇଛି। କେତେ ପ୍ରଶ˚ସା ହୋଇଛି। ନିନ୍ଦା ବି ହୋଇଛି। ଜନ୍ମଦେଶ ଭାରତ ବାହାରେ ବି ଅନେକ କଥା ଘଟିଛି। କେଉଁଠାରେ ମୂର୍ତ୍ତି ଗଢ଼ା ହୋଇଛି ତ ଆଉ କେଉଁଠି ଗଢ଼ା ମୂର୍ତ୍ତିକୁ ଭାଙ୍ଗି ଦିଆ ହୋଇଛି, କଳା ବୋଳା ଯାଇଛି ଅବୟବରେ। ନିଜର ପକ୍ଷ ରଖି କୌଣସି ସଫେଇ ଦେବାର ସମ୍ଭାବନା ନ ଥିଲେ ବି ପ୍ରତିପକ୍ଷମାନେ ତାଙ୍କୁ କେତେ କେତେ ମିଥ୍ୟା ଆରୋପରେ ଅଭିଯୁକ୍ତ କରିଛନ୍ତି। ଯେତେ ଯେତେ ଆକ୍ରମଣ ସେଥିରୁ ପ୍ରତେ ହେବ ସତେ ଯେମିତି ବ୍ୟକ୍ତିଟି ବଞ୍ଚିଛି ଓ କ୍ରିୟାଶୀଳ ଅଛି, ଅତଏବ ସା˚ଘାତିକ ଲୋକଟାକୁ ବାଟରୁ ହଟେଇ ଦେବା ଦରକାର। ସେ ନିମନ୍ତେ ପରିବର୍ତ୍ତିତ ପରିସ୍ଥିତିର ସୁଯୋଗ ନେଇ ବଳଶାଳୀ ବିରୋଧୀମାନେ ଅଯୌକ୍ତିକ କୁତ୍ସାଚାର କରିବାକୁ ମୋଟେ ପଛାଇ ନାହାନ୍ତି।

ଏ ସବୁ କଥା କେଉଁ ଦିଗର ସୂଚନା ଦେଉଛି? ତା’ର ଅର୍ଥ ଗାନ୍ଧୀ, ବ୍ୟାବହାରିକ। ସେ ଫଙ୍କ୍‌ସନାଲ୍‌। ଗାନ୍ଧୀ ଜୀବିତ। ଗାନ୍ଧୀବୋଧର ପ୍ରାସଙ୍ଗିକତା ହିଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଗାନ୍ଧୀ ଫଙ୍କ୍‌ସନାଲ୍‌ କହିଲେ ଗାନ୍ଧୀପଣ ବ୍ୟାବହାରିକ। ସେଇଥିପାଇଁ ବିରୋଧୀମାନେ ସେ ବିଚାରକୁ ହଟେଇଦେବା ଲାଗି ଚେଷ୍ଟାରତ।

ହେଲେ ସାଧାରଣ କଥା ହେଲା ଯାହା ଉପଯୋଗୀ ତା’କୁ ଦଶ କୋଡ଼ିଏ ଚାହିଁଲେ ହଟେଇ ଦେବେ କେମିତି? ଇତିହାସର ଧାରାରେ ଏମିତି ହଟଚମଟ ହୁଏ। ନିଜକୁ ନ ସୁହାଇଲେ ଦଳେ ବାହାରନ୍ତି ବ୍ୟାବହାରିକତାକୁ ବଦଳାଇବା ପାଇଁ। ଚେଷ୍ଟା କରନ୍ତି, ଭଙ୍ଗାରୁଜା କରନ୍ତି, ନିଆଁହୁଳା ଧରନ୍ତି। ମାତ୍ର ଯାହା ଉପଯୋଗୀ ତାହା ଚାଲୁ ରହେ। ନିଆଁ ଲିଭିଯାଏ ଏବ˚ ବ୍ୟାବହାରିକ ବୃକ୍ଷର ଗଣ୍ତିରେ ପୁଣି ନୂଆ କୁଆଁ ମେଲି ଝଲମଲ କରେ। ଏହି ବ୍ୟାବହାରିକତା ହିଁ ପଦାର୍ଥଠାରୁ ଆରମ୍ଭ କରି ଆଦର୍ଶ ଓ ମୂଲ୍ୟବୋଧକୁ ଚିରନ୍ତନତା ପ୍ରଦାନ କରେ।

ମୋହନ ଦାସ କରମଚାନ୍ଦ ଗାନ୍ଧୀ ଜଣେ ରକ୍ତମା˚ସର ମଣିଷ। ମାତ୍ର ଗାନ୍ଧୀଜୀ ବା ମହାତ୍ମା ଗାନ୍ଧୀ ଏପରି କି ଖାଲି ‘ଗାନ୍ଧୀ’, ଗୋଟାଏ ମୂଲ୍ୟବୋଧ। ଏଇ ମୂଲ୍ୟବୋଧର ବ୍ୟବହାର-ଉପଯୋଗିତା ହିଁ ଗାନ୍ଧୀଙ୍କୁ ଚିରନ୍ତନ କରି ରଖିଛି ଓ ରଖିବ।

ନିତି ପ୍ରତି ତାଙ୍କୁ ନେଇ ଅସୁମାରି ଲେଖା ପ୍ରକାଶ ପାଉଛି। ଆଲୋଚନା ହେଉଛି। କିନ୍ତୁ ସେ କ’ଣ ବୋଲି ଯେ ପ୍ରଶ୍ନ, ତାହା ତାଙ୍କ ଉପରେ ଆରୋପିତ ଭାରତୀୟଙ୍କର ପିତୃପଣରେ ନାହିଁ କି ମହାତ୍ମାଗିରିରେ ନାହିଁ। ଜନ୍ମକଲା ଜୈବିକ ବାପକୁ ସୁଦ୍ଧା ସନ୍ତାନମାନେ ଅସ୍ବୀକାର କରିବାର ନଜିର ଅନେକ ରହିଛି। ଅତଏବ ଗାନ୍ଧୀଜୀଙ୍କୁ କେହି ଜାତିର ପିତା ବୋଲି ଗ୍ରହଣ ନ କଲେ ସେଥିରେ ବ୍ୟସ୍ତ ହେବାର କିଛି ନାହିଁ। ସେମିତି ଏ ମହାତ୍ମାପଣ। କେହି କାହାକୁ ମହାତ୍ମା ଉପାଧି ଦୟାକରି ଦିଏ ନାହିଁ। କାହା ଦେହରେ ସାଧୁ ବୋଲି ଷ୍ଟାମ୍ପ୍‌ଟିଏ ମାରିଦେଲେ ସେ ସାଧୁ ପାଲଟେ ନାହିଁ। ଜଣେ ବ୍ୟକ୍ତିର ଆଚରଣ ଓ ଜୀବନଧାରା ହିଁ ତା’କୁ ମହାତ୍ମା କରେ ବା ସାଧୁ କରେ।

କୁହାଯାଏ ଯେ ରାଜନୀତିଜ୍ଞମାନେ ଦେଶର ଆଗାମୀ ନିର୍ବାଚନ ଉପରେ ଦୃଷ୍ଟିରଖି କର୍ମ କରନ୍ତି, ରାଷ୍ଟ୍ରନୀତିଜ୍ଞମାନେ ନିଜ ଦେଶର ଭବିଷ୍ୟତକୁ ଦୃଷ୍ଟିରଖି ଅଗ୍ରସର ହୁଅନ୍ତି, ହେଲେ ମହାତ୍ମା ବା ମହାମନୀଷୀମାନେ କ’ଣ କରନ୍ତି? ଜଣେ ମହାତ୍ମା ଲାଗି ଦେଶର ସୀମା ବି ସୀମା ନୁହେଁ। ସମୟର ସୀମା ମଧୢ ମୂଲ୍ୟହୀନ। ସମୂହରେ ସମର୍ପିତ ଜୀବନବାଦୀ ମଣିଷ ହିଁ ସାଜେ ମହାତ୍ମା। ଜଣେ ମହାତ୍ମାଙ୍କର ବାଣୀ ଓ ଆଚରଣ ସେଥିପାଇଁ ଦେଶରୁ ଦେଶାତୀତ ହୁଏ, ସମୟରୁ ସମୟାତୀତ ହୁଏ। ଯାହାର ହୁଏ ନାହିଁ ସେ ମହାତ୍ମା ହିଁ ନୁହେଁ। ଜଣେ ମହାତ୍ମାଙ୍କର ବାଣୀ ଏ ଦେଶର ମଣିଷ ଲାଗି ଯେମିତି ସତ ସେମିତି ସତ ସେ ଦେଶର ମଣିଷ ଲାଗି। ଆଜିର ଲୋକସମୂହ ପାଇଁ ଯେମିତି ଉପଯୋଗୀ, ଆଗାମୀର ଭବିଷ୍ୟତ ପିଢ଼ି ଲାଗି ମଧୢ ଅନୁରୂପ ଭାବେ ଉପଯୋଗୀ।

ଗାନ୍ଧୀଜୀଙ୍କୁ ଅନୁଶୀଳନକାରୀମାନେ କେତେଗୋଟି ଚିରାଚରିତ ନୀତି ଓ ଆଦର୍ଶ ଭିତରେ ଦେଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେ ଯେ ତା’ର ମୌଳିକ ଆବିଷ୍କର୍ତ୍ତା ନୁହନ୍ତି ସେ କଥାକୁ ଭୁଲିଯାଆନ୍ତି। ନୂଆ ପୁରୁଣାକୁ ଉପଯୋଗ କରି ଗାନ୍ଧୀଜୀ ଯେଉଁ ବିଚାର-ତୋଡ଼ା ଆମ ପାଇଁ ରଖିଯାଇଛନ୍ତି ତା’ର ମହମହ ବାସ୍ନା ହିଁ ମାନବ ସମାଜ ପାଇଁ ସବୁଦିନ ସକାଶେ କଲ୍ୟାଣକାରୀ ସାବ୍ୟସ୍ତ ହେବ।

ଆଜି ସାରା ବିଶ୍ବକୁ କରୋନା ମହାମାରୀ ଗ୍ରାସ କରିଛି। ଏ ମହାମାରୀ ନିୟନ୍ତ୍ରଣ ଲାଗି ଦେଶ, ଦଶ ସମସ୍ତେ ପ୍ରାଣାନ୍ତକ। ମାତ୍ର ନିୟନ୍ତ୍ରଣ ବାହାରେ ନିରାକରଣର ସୂତ୍ରଟିକୁ ଯେ ଆମେ ଆଜିଯାଏ ଅଣଦେଖା କରିଥିଲେ ତାହାହିଁ ଆମକୁ ଅଧିକ ମାତ୍ରାରେ ଟାଣି ନେଉଛି ଗାନ୍ଧୀବୋଧ ଭିତରକୁ।

ସ˚ଯମ, ସହିଷ୍ଣୁତା, ସତ୍ୟ, ଅହି˚ସା, ନିର୍ଭୟତା, ସ୍ବରାଜ୍ୟ, ସତ୍ୟାଗ୍ରହ, ଅସହଯୋଗ, ସ୍ବଦେଶୀ, ରାମନାମ, ବିଶ୍ବାସ, ଅପରିଗ୍ରହ, ସର୍ବୋଦୟ, ଅହି˚ସ- ଅର୍ଥନୀତି ବା ନ୍ୟାସ-ବ୍ୟବସ୍ଥା, ଅନଶନ, ବ୍ରହ୍ମଚର୍ଯ୍ୟ, ଭାତୃଭାବ, ସାମ୍ପ୍ରଦାୟିକ ସଦ୍‌ଭାବ, ଅରଟ, ଖଦଡ଼, ଗୋ-ରକ୍ଷଣ, ପ୍ରାକୃତିକ ଚିକିତ୍ସା, ନିଶା ଓ ଅସ୍ପୃଶ୍ୟତା ନିବାରଣ ଆଦି ଯେତେଯେତେ ବିଚାରବୋଧ ସହ ତାଙ୍କୁ ଯୋଡ଼ାଯାଇଛି ସେ ସବୁରୁ କୌଣସି ଗୋଟିଏ ବି ତାଙ୍କର ମୌଳିକ ବିଚାରରୁ ଆସିନାହିଁ। ଏ ସମସ୍ତ ଭାରତୀୟ ଜୀବନଧାରାର ଗୋଟିଏ ଗୋଟିଏ ଅନ୍ତଃସଲିଳା ଫଲ୍‌ଗୁ। ପ୍ରାଚୀନ ଭାରତର ଛାତି ଚିରି ଦେଖିଲେ ସେସବୁ ଭାରତୀୟ ସଭ୍ୟତାର ବିଭିନ୍ନ ସ୍ତରରେ ସାଇତାହୋଇ ରହିଛନ୍ତି। ଗାନ୍ଧୀଜୀ ସେ ମୂଲ୍ୟବୋଧଗୁଡ଼ିକର ସ˚ଗ୍ରାହକ ଓ ସଫଳ ବ୍ୟବହାରକାରୀ। ନିଜେ ମଧୢ ଏ କଥା ଅନେକ ଥର ସେ ସ୍ବୀକାର କରିଛନ୍ତି।

ତାଙ୍କର ମୌଳିକତା ରହିଛି ଆଗାମୀ ପାଇଁ ଦୃଷ୍ଟିଭଙ୍ଗୀରେ। ଯେତେବେଳେ ସାରା ବିଶ୍ବରେ କେହି ପରିବେଶ କଥା ଚିନ୍ତା କରି ନ ଥିଲେ ସେତେବେଳେ ଗାନ୍ଧୀଜୀ ହିଁ ଉଠାଇଥିଲେ ପାରିବେଶିକ ଭୟାବହତାର କୁଫଳ ସମ୍ପର୍କରେ ପ୍ରଶ୍ନ। ଆଜି ଭୂତାଣୁ ସ˚କ୍ରମଣ ସମେତ ଯେତେ ବିଶ୍ବଗ୍ରାସୀ ବିପଦ, ତା’ର ମୂଳ ରହିଛି ସେଇ କଥାରେ- ପରିବେଶ ପ୍ରଦୂଷଣ। ବିଶ୍ବତାପନ ହେଉ, ଭୂତାଣୁଜନିତ ଘନ ଘନ ରୋଗ ସ˚କ୍ରମଣ ହେଉ, ଜଳାଭାବ ହେଉ ବା ଚକ୍ରବାତ, ସୁନାମି, ଭୂମିକମ୍ପ, ଅମ୍ଳବର୍ଷା ଆଦି ଯେତେ ଯେତେ ବିପଦ ସବୁରି ମୂଳରେ ପ୍ରକୃତି ପ୍ରତି ମଣିଷର ଅକଳ୍ପନୀୟ ଦୁର୍ବବ୍ୟବହାର ହିଁ ମୂଳକଥା ହୋଇ ରହିଛି।

ଗାନ୍ଧୀଜୀ, ‘‘ହିନ୍ଦ୍‌ ସ୍ବରାଜ୍ୟ’’ ବହିଖଣ୍ତିକ ଲେଖିଥିଲେ ୧୯୦୯ ମସିହାରେ ଲଣ୍ତନ୍‌ରୁ ଦକ୍ଷିଣ ଆଫ୍ରିକା ଫେରିବା ବାଟରେ। ସେତେବେଳେ ସୁଦ୍ଧା ଆଧୁନିକ ସଭ୍ୟତାରେ ନିହିତ ଜୀବନ-ଅରାଜକତା ତାଙ୍କୁ ଦୃଶ୍ୟମାନ ହୋଇଥିଲା। ବହିର ମୁଖବନ୍ଧରେ କୈଫିୟତ ଦେବାକୁ ଯାଇ ସେଥିପାଇଁ ସେ ଲେଖିଥିଲେ- ‘‘ ଏ ବହିରେ ‘ଆଧୁନିକ ସଭ୍ୟତା’ର କଠୋର ସମାଲୋଚନା କରାଯାଇଛି। xxx ମୋର ଧାରଣା, ଭାରତବର୍ଷ ଯଦି ‘ଆଧୁନିକ ସଭ୍ୟତା’କୁ ତ୍ୟାଗ କରିବ, ତେବେ ତଦ୍ବାରା ତା’ର ଲାଭ ହିଁ ହେବ।’’ ଗାନ୍ଧୀଜୀଙ୍କର ଏ ଉକ୍ତି ଭାରତବାସୀଙ୍କ ମାଧୢମରେ ସାରା ବିଶ୍ବ ପାଇଁ ହିଁ ଅଭିପ୍ରେତ ଥିଲା। ‘ହିନ୍ଦ୍‌ ସ୍ବରାଜ୍ୟ’ ବହିଟି ପ୍ରକାଶ ପାଇଲା ପରେ ପାଶ୍ଚାତ୍ୟବାସୀ ଅନେକ ଗାନ୍ଧୀଜୀଙ୍କୁ ଜଣେ ଯନ୍ତ୍ର-ବିରୋଧୀ ତଥା କଳକାରଖାନା ବିରୋଧୀ ବ୍ୟକ୍ତି ଭାବରେ ସମାଲୋଚନା କରିଥିଲେ। ମାତ୍ର ସେଥିପାଇଁ ତାଙ୍କର ଉତ୍ତର ଥିଲା- ‘‘ମୁଁ ଯନ୍ତ୍ରକୁ ବିରୋଧ କରୁନାହିଁ, ତା’ର ଦୁରୁପଯୋଗକୁ ବିରୋଧ କରୁଛି।’’ ତାଙ୍କର ମତ ଥିଲା, ଯେ ‘‘ଯନ୍ତ୍ର ଓ ବିଜ୍ଞାନ କ୍ଷେତ୍ରରେ ଯେଉଁ ନୂଆ ନୂଆ ଆବିଷ୍କାର ହେଉଛି, ସେଗୁଡ଼ିକ ମଣିଷର ଲୋଭ ଚରିତାର୍ଥ କରିବାର ସାଧନ ହେବା ଅନୁଚିତ୍‌।’’ ‘‘ସବୁ ଯନ୍ତ୍ରକୁ ଧ୍ବ˚ସ କରିବା ମୋର ଉଦ୍ଦେଶ୍ୟ ନୁହେଁ। କେବଳ ସେଗୁଡ଼ିକର ସୀମା ନିର୍ଦ୍ଧାରଣ କରିବା ମୋର ଉଦ୍ଦେଶ୍ୟ।’’

ପରବର୍ତ୍ତୀ କାଳରେ ଠିକ୍‌ ଏଇଆ ହିଁ ଥିଲା ପ୍ରକୃତି ପ୍ରତି ତାଙ୍କର ଆଭିମୁଖ୍ୟ। ୧୯୧୩ ମସିହାରେ ଦକ୍ଷିଣ ଆଫ୍ରିକାରେ ଥିଲାବେଳେ ପ୍ରଥମ ସତ୍ୟାଗ୍ରହ ସମୟରେ ସେ ‘‘ସ୍ବାସ୍ଥ୍ୟର ଚାବିକାଠି’’ ବା ‘‘କି ଟୁ ହେଲ୍‌ଥ୍‌’’ ନାମରେ ଗୋଟିଏ ବଡ଼ ଲେଖା ଲେଖିଥିଲେ। ସେଥିରେ ଦର୍ଶାଇଥିଲେ ଯେ ମଣିଷ ଦେହର ଲାଳନପାଳନ ପାଇଁ ଯେଉଁ ତିନିଗୋଟି କଥା ମୌଳିକ ଭାବେ ଦରକାର ତାହା ହେଲା ପାଣି, ପବନ ଓ ଖାଦ୍ୟ। ସେ ଭିତରୁ ପବନ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେତେବେଳେ ସୁଦ୍ଧା ସେ ଅନୁଭବ କରି ଲେଖିଥିଲେ ଯେ ପ୍ରକୃତି ମାଗଣାରେ ପବନ ଦେଉଛି, ଅଥଚ ଆମେ ନିଜେ ତାକୁ ବିଭିନ୍ନ କଳକାରଖାନା ମାଧୢମରେ ପ୍ରଦୂଷିତ କରି ନଷ୍ଟ କରୁଛୁ ଓ ପଇସା ଖର୍ଚ୍ଚ କରି ଦୂରକୁ ଯାଉଛୁ ଯେଉଁଠାରେ ନିର୍ମଳ ବାୟୁ ମିଳିପାରିବ। ଏଇ କଥା ମାଧୢମରେ ‘‘ଆଧୁନିକ ସଭ୍ୟତା’’ ବା ‘‘ଭୋଗବାଦୀ ସଭ୍ୟତା’’ କି ଭଳି ପ୍ରକୃତିକୁ ଧ୍ବ˚ସ କରି ନିଜ ପାଇଁ ବିପଦକୁ ଡାକି ଆଣୁଛି ତା’ର ଏକ ପ୍ରଚ୍ଛନ୍ନ ସଙ୍କେତ ସେ ଦେଇଥିଲେ।

ଏଇ କଥାଟିକୁ ବୁଝିବା ପାଇଁ ପାଶ୍ଚାତ୍ୟ ଜଗତ ନେଇଗଲା ସାତ ଦଶନ୍ଧି। ଅତଏବ ଆସନ୍ନ ବିପଦର ଆକଳନ କରି ପରିବେଶ ଓ ବିନାଶ ସମ୍ପର୍କିତ ଗୋଟିଏ ବିଶ୍ବଗୋଷ୍ଠୀ ଗଢ଼ାଗଲା। ତାହାର ମୁଖ୍ୟ ରହିଥିଲେ ହାର୍ଲେମ୍‌ ବ୍ରୁଣ୍ତ୍‌ଲାଣ୍ତ୍‌। ସେ ୧୯୮୭ରେ ପ୍ରକାଶ କଲେ ରିପୋର୍ଟ, ଯାହାର ନାମ ଥିଲା ‘‘ଆୱାର୍‌ କମନ୍‌ ଫ୍ୟୁଚର‌୍‌’’।

ଆଜି ହଠାତ୍‌ ଏତେ ବର୍ଷ ପରେ କରୋନା ମହାମାରୀ ଯୋଗୁଁ ପୁଣି ବିଶ୍ବବାସୀଙ୍କର ପ୍ରକୃତି-ଚକ୍ର ପ୍ରତି ଦୃଷ୍ଟିପଡୁଛି। ସବୁ ଦେଶ ପ୍ରକୃତି ପ୍ରତି କରିଥିବା ଅବିଚାରର ବିବରଣୀ ସ˚ଗ୍ରହ କରିବାରେ ଲାଗିଛନ୍ତି। ଏଣେ କରୋନା ସତେ ଯେମିତି ନିଜେ ଝାଡୁ ଧରି ବାହାରିଚି ପୃଥିବୀକୁ ଓଳେଇ ସଫା କରିଦେବ।

ଗାନ୍ଧୀଜୀଙ୍କୁ କେତେକ କହନ୍ତି ଅବାସ୍ତବବାଦୀ ଓ ଭ୍ରାନ୍ତ-ସ୍ବପ୍ନଦର୍ଶୀ। ମାତ୍ର ପରିବେଶ ସମ୍ପର୍କିତ ମୌଳିକ ନୀତି ତାଙ୍କୁ ଚିରକାଳ ବ୍ୟାବହାରିକ କରି ରଖିବ। ସିଧାସଳଖ ଅବିଚାରିତ ଶିଳ୍ପକରଣ ବିରୋଧରେ ଯାଇ ‘‘ହିନ୍ଦ୍‌ ସ୍ବରାଜ୍ୟ’’ରେ ସେ ଲେଖିଥିଲେ- ‘‘ଏ ପୃଥିବୀ ଓ ତା’ର ମାଟି, ପାଣି, ପବନକୁ ଆମେ ବାପା, ଜେଜେବାପାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପାଇନାହୁଁ ଓଲଟି ଆପଣା ଛୁଆ ପିଲାଙ୍କ ପାଖରୁ ଧାର ସୂତ୍ରରେ ଆଣି ଉପଭୋଗ କରୁଛୁ। ସେସବୁ ଯେମିତି ଥିଲା ଅବିକଳ ଭାବେ ସେମିତି ଛାଡ଼ିଯିବା ହିଁ ଆମର ପରମ କର୍ତ୍ତବ୍ୟ।
କହିବାର ଅଛି, ଗାନ୍ଧୀ ସାରିଦେଲେ, ଗାନ୍ଧୀ ବୁଡ଼େଇଦେଲେ କହି ଗାନ୍ଧୀବୋଧକୁ ଗାଳି କରିବା ଯେମିତି ଅବିମୃଶ୍ୟକାରୀ ସେମିତି ଗାନ୍ଧୀ ଅବତାର, ଗାନ୍ଧୀ ଭଗବାନ କହି ଝାଞ୍ଜ ବାଡ଼େଇବା ବି ଅନୁରୂପ ଚରମ ମୂଢ଼ତା। ଗାନ୍ଧୀ-ବିଚାର ଏକ ମାନବବାଦୀ ବିଚାର, ଏକ ବ୍ୟାବହାରିକ ବିଚାର ଯେଉଁଥିରେ ସାରାବିଶ୍ବ ପାଇଁ ଶାନ୍ତି, ସହାବସ୍ଥାନ ଓ ସୁସ୍ଥତା ହିଁ ଭରି ରହିଛି। ଗାନ୍ଧୀ ସର୍ବତ୍ର ଗ୍ରହଣୀୟ। ଗାନ୍ଧୀଜୀ ଅବାସ୍ତବୀ ନୁହନ୍ତି, ଫଙ୍କ୍‌ସନାଲ୍।

[email protected]

ସମ୍ବନ୍ଧିତ ଖବର