ବ୍ୟାୟାମ ବି ଏକ ମାନସିକ ଔଷଧ

ମନ ପରିଭାଷା - ଫକୀର ମୋହନ ସାହୁ

ଔଷଧର ଗତାନୁଗତିକ ସଂଜ୍ଞା ବିଚାରରେ ବ୍ୟାୟାମକୁ ଔଷଧର ଆଖ୍ୟା ଦେବା ହୁଏତ ଟିକେ ଅଡ଼ୁଆ ଲାଗିପାରେ। ମାତ୍ର ସୂକ୍ଷ୍ମ ଦୃଷ୍ଟିରେ ବିଚାର କଲେ ଶାରୀରିକ ସୁସ୍ଥତାର ମୁଖ୍ୟ କାରଣ ଭାବେ ବ୍ୟ‌ାୟାମ ହେଉଛି ଏକ ମହୌଷଧି। ନିକଟରେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ପକ୍ଷରୁ ବିଦ୍ୟାର୍ଥୀ ଓ ଯୁବଗୋଷ୍ଠୀ ମଧ୍ୟରେ ଶାରୀରିକ ବ୍ୟାୟାମ ପ୍ରତି ଆଗ୍ରହର ଅଭାବକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି।

ଏହା ପ୍ରମାଣିତ ଯେ ବ୍ୟାୟାମ ଭଳି ଶାରୀରିକ ଅଭ୍ୟାସର ଶୃଙ୍ଖଳା ଶାରୀରିକ ସହିତ ମାନସିକ ସ୍ବାସ୍ଥ୍ୟକୁ ସୁସଂହତ କରିଥାଏ। ସେହି ଦୃଷ୍ଟିରୁ ଯୋଗର ଭୂମିକା ବିଷୟରେ ଏବେ ଅଧିକ କହିବା ଅନାବଶ୍ୟକ। ବ୍ୟାୟାମ ଦ୍ବାରା କେବଳ ଶାରୀରିକ ସୌନ୍ଦର୍ଯ୍ୟ ଯେ ବୃଦ୍ଧି ପାଏ ତାହା ନୁହେଁ, ଏହା ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗକୁ ସୁସ୍ଥ ରଖେ, ଶକ୍ତି ବୃଦ୍ଧି କରେ, ଆତ୍ମ ପ୍ରତ୍ୟୟ ଓ ଆତ୍ମ ମର୍ଯ୍ୟାଦାବୋଧ ବୃଦ୍ଧି କରାଏ। କେବଳ ସେତିକି ନୁହେଁ ଏହାର ଔଷଧୀୟ ଗୁଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମଣିଷ ସମାଜକୁ କବଳିତ କରୁଥିବା ଦୁଇଟି ଭୟଙ୍କର ସମସ୍ୟା ଯେମିତି କି ଡିପ୍ରେସନ୍‌ ବା ଅବସାଦ ଏବ˚ ବାର୍ଦ୍ଧକ୍ୟକାଳୀନ ରୋଗ ଆଲଜେମର‌୍‌ରେ ବ୍ୟାୟାମ ଔଷଧ ଭଳି କାର୍ଯ୍ୟ କରେ।

ବର୍ତ୍ତମାନ ମାନସିକ ଅବସାଦ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଏହାର ଶିକାର ହେଲେ କୌଣସି କାର୍ଯ୍ୟରେ ଆଗ୍ରହ ରହି ନ ଥାଏ। ନିଦ୍ରାହୀନତା କିମ୍ବା ଅତିନିଦ୍ରା ଦେଖା ଦିଏ। ଏକୁଟିଆ ଲାଗିବା, କାନ୍ଦ କାନ୍ଦ ଲାଗିବା ଭଳି ଭାବ ଜାତ ହୁଏ। ଏହାର ଚରମ ସ୍ଥିତି ଆତ୍ମହତ୍ୟାର ପ୍ରବଣତା ବୃଦ୍ଧି କରେ।

କହିବା ଅନାବଶ୍ୟକ ଯେ ମନୋଚିକିତ୍ସକମାନେ ଅବସାଦ ଦ୍ବାରା ପୀଡ଼ିତ ବ୍ୟକ୍ତିମାନଙ୍କୁ ବିଷାଦ-ବିରୋଧୀ (ଆଣ୍ଟିଡିପ୍ରେସନ୍‌) ଔଷଧ ଦିଅନ୍ତି। ମନୋଚିକିତ୍ସକଙ୍କ ପରାମର୍ଶ ଓ ଔଷଧ ସେବନ ଫଳରେ ଲୋକ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ପ୍ରାପ୍ତ ହୁଏ। କିନ୍ତୁ ଏଭଳି ଲୋକମାନଙ୍କୁ ନିୟମିତ ଯୋଗ ଓ ବ୍ୟାୟାମ ଅଭ୍ୟାସର ସୁଯୋଗ ଦେଇ ସେମାନଙ୍କୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଅଣାଯାଇପାରେ। ନିକଟରେ ବିଶ୍ବର ପ୍ରଖ୍ୟାତ ଗବେଷଣା ପତ୍ରିକା ‘ଆର୍କାଇଭ୍‌ସ ଅଫ ଇଣ୍ଟରନାଲ ମେଡିସିନ୍‌’ରେ ପ୍ରକାଶିତ ଗୋଟିଏ ଅନୁଧ୍ୟାନର ଫଳାଫଳ ଦର୍ଶାଇଛି ଯେ କିଛି ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ତିନିଟି ବର୍ଗରେ ବାଣ୍ଟି ଦେଇ ଗୋଟିଏ ଦଳକୁ କେବଳ ବ୍ୟାୟାମ, ଦ୍ବିତୀୟ ଦଳକୁ କେବଳ ଔଷଧ ଏବଂ ତୃତୀୟ ଦଳକୁ ଉଭୟ ଔଷଧ ଓ ବ୍ୟାୟାମର ଶୃଙ୍ଖଳାରେ ରଖାଗଲା। ଦେଖିବାକୁ ମିଳିଲା ଯେ କେବଳ ବ୍ୟାୟାମରୁ ମଧ୍ୟ ଔଷଧତୁଲ୍ୟ ସୁଫଳ ମିଳିଛି; ଏଣେ ତହିଁରେ ଔଷଧର ପାର୍ଶ୍ବ ପ୍ରତିକ୍ରିୟାର ଭୟ ନାହିଁ। ବରଂ ଏହାଦ୍ବାରା ସେହି ବ୍ୟକ୍ତିମାନଙ୍କ ଆତ୍ମ ପ୍ରତ୍ୟୟ ବୃଦ୍ଧି ପାଇବା ସହିତ ଅନ୍ୟାନ୍ୟ କିଛି ରୋଗରୁ ସେମାନେ ଆରୋଗ୍ୟ ଲାଭ କରିଛନ୍ତି।

ବାର୍ଦ୍ଧକ୍ୟକାଳୀନ ମାନସିକ ବିକୃତି ଆଲ‌ଜେମର କିନ୍ତୁ ଅଧିକ ସାଂଘାତିକ ବ୍ୟାଧି। ସାଧାରଣତଃ ପରିଣତ ବୟସରେ (୪୫ ବର୍ଷ ବୟସ ପରେ) ଏ ରୋଗ ଦେଖାଯାଇଥାଏ। ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକ ତୁଳନାରେ ଆମେରିକା ଓ ୟୁରୋପରେ ଏ ରୋଗର ପ୍ରାଦୁର୍ଭାବ ଅଧିକ।

ଏହା ମୁଖ୍ୟତଃ ଏକ ମସ୍ତିଷ୍କଗତ ରୋଗ। ମସ୍ତିଷ୍କର ସ୍ନାୟୁ ସ୍ନାୟୁ ମଧ୍ୟରେ କିଛି ଅବାଞ୍ଛିତ ପଦାର୍ଥ ସୃଷ୍ଟି ହେବା ଫଳରେ ସ୍ନାୟୁ ସ˚ଯୋଗ ବ୍ୟାହତ ହୁଏ। ତେଣୁ ସ୍ମୃତି ବିଭ୍ରମ ତୀବ୍ର ହୁଏ। ଗୋଟିଏ ମୁହୂର୍ତ୍ତର ଘଟଣା ପର ମୁହୂର୍ତ୍ତରେ ମନେ ପଡ଼େନାହିଁ। ସ୍ମୃତିଭ୍ର˚ଶ ଘଟିବା ଫଳରେ ବ୍ୟକ୍ତି ମନରେ ଅହେତୁକ ସନ୍ଦେହ ଜନ୍ମେ। କ୍ରମେ ଦୈନନ୍ଦିନ ଜୀବନଯାତ୍ରା ଗଭୀର ଭାବେ ବିପର୍ଯ୍ୟସ୍ତ ହୁଏ। ଏ ରୋଗର ଚିକିତ୍ସା ପାଇଁ ଔଷଧ ଓ ଉପଦେଶର ବ୍ୟବହାର କରାଯାଉଥିଲେ ମଧ୍ୟ ଏଥିରୁ ଆରୋଗ୍ୟ ଲାଗି ବ୍ୟାୟାମ ଓ ଅଙ୍ଗଚାଳନାର ସକାରାତ୍ମକ ଭୂମିକା ଥିବା ବିଷୟ ଲକ୍ଷ୍ୟ କରାଯାଇଛି। ପ୍ରଥମ କଥା ତ ବିଧିବଦ୍ଧ ଭାବରେ ବ୍ୟାୟାମ କରୁଥିବା ଲୋକମାନଙ୍କ କ୍ଷେତ୍ରରେ ଏ ରୋଗ ହେବାର ଆଶଙ୍କା କମ୍। କିନ୍ତୁ ଯଦି ଏହି ରୋଗ ହୁଏ ତେବେ ପ୍ରଶିକ୍ଷକଙ୍କ ପରାମର୍ଶ ଅନୁଯାୟୀ ବ୍ୟାୟାମ କରିବା ଏବ˚ ଅଭ୍ୟାସକୁ ଅବ୍ୟାହତ ରଖିବା ଖୁବ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।

ସେହି ଦୃଷ୍ଟିରୁ ବିଚାର କଲେ ଯଦି କମ୍‌ ବ୍ୟୟରେ ଶାରୀରିକ ଓ ମାନସିକ ସୁସ୍ଥତା ଲାଭ କରିବା ଲାଗି ଜଣେ ଆଗ୍ରହୀ, ତେବେ ‌ସେ ନିୟମିତ ବ୍ୟାୟାମ କରିବାକୁ ଅଗ୍ରାଧିକାର ଦେବା ଜରୁରୀ।

ଭିଆଇଏମ୍-୯୯,
ଶୈଳଶ୍ରୀ ବିହାର, ଭୁବନେଶ୍ବର-୨୧

ସମ୍ବନ୍ଧିତ ଖବର