ଗତ ମାସ ଦୈନିକ ‘ସମ୍ୱାଦ’ ସମ୍ପାଦକୀୟ ପୃଷ୍ଠାରେ ଏହି ଲେଖକର ‘ଏକ ବୁଲା କୁକୁରର ମୃତ୍ୟୁଲେଖ’ ଶୀର୍ଷକ ଆଲେଖ୍ୟର ପ୍ରତିକ୍ରିୟାରେ ନିଜନିଜର ମତାମତ ପ୍ରକାଶ କରିଥିବା ବହୁ ପାଠକ ସେମାନଙ୍କର ଗଭୀର କୃତଜ୍ଞତା ଜଣାଇଛନ୍ତି। କେହି କେହି ଲେଖାଟି ହୃଦୟସ୍ପର୍ଶୀ ହୋଇଛି ବୋଲି କହିଥିଲା ବେଳେ ପୁଣି କେହି କେହି ଫୋନ୍ରେ କୋହ ସମ୍ବରଣ କରି ନ ପାରି କାନ୍ଦି ପକାଇଛନ୍ତି। ଅବଶ୍ୟ ଏ କଥା ସତ ଯେ ପ୍ରତି ପାଠକ ବନ୍ଧୁ ଥିଲେ କୁକୁର ପ୍ରେମୀ- ଯେଉଁମାନଙ୍କର ମଧ୍ୟ ମୋଟାମୋଟି ଏହିଭଳି ଅଭିଜ୍ଞତା ଓ ଅନୁଭୂତି ରହିଛି। ଜଣେ ଲେଖକର ଏହା ହିଁ ପ୍ରାପ୍ୟ। ଲେଖକ ମଧ୍ୟ ରଚନା ମାଧ୍ୟମରେ ଏକ ବୁଲା କୁକୁର ସହିତ ଥିବା ଦୀର୍ଘ ଦିନର ସମ୍ପର୍କ ଲାଗି ତାର ଶ୍ରଦ୍ଧାଞ୍ଜଳି ରୂପକ କୃତଜ୍ଞତା ଜଣାଇଛି। କୁକୁରଟି ବୁଲା ଶ୍ରେଣୀର ହୋଇଥିଲେ ମଧ୍ୟ ମଣିଷଙ୍କୁ ଆପଣାର କରିପାରିଥିଲା- ଏହି ରଚନାଟି ଥିଲା ତା’ର ମାନ୍ୟତା।
ପ୍ରକାରାନ୍ତରେ କହିବାକୁ ଗଲେ ଆମେ ଅହରହ ଅନ୍ୟ ବ୍ୟକ୍ତି, ଅନୁଷ୍ଠାନ, ସମାଜ, ପ୍ରକୃତି, ଈଶ୍ୱର- ସମସ୍ତଙ୍କ ନିକଟରେ କୃତଜ୍ଞ। କାହାରିଠାରୁ ପାଇଥିବା ସାହାଯ୍ୟ, ସହାନୁଭୂତି, ସ୍ନେହ, ପରାମର୍ଶ, ଦିଗ୍ଦର୍ଶନ ପାଇଁ ତାକୁ ମାନ୍ୟତା ଦେଉ ଓ ସେଥି ଲାଗି ତାକୁ ଯେଉଁ ସମ୍ମାନ ସୂଚକ ପ୍ରତିକ୍ରିୟା ପ୍ରଦର୍ଶନ କରୁଁ- ତାହା କୃତଜ୍ଞତା। ତାହା ଯେ କେବଳ ବାଚନିକ କିମ୍ବା ଲିଖିତ ହେବା ଜରୁରୀ- ତାହା ଅବଶ୍ୟ ନୁହଁ। ବରଂ ବ୍ୟକ୍ତିର ମୁଖମଣ୍ଡଳ, ତା’ର ବ୍ୟବହାର ହିଁ ଜଣାଇବ ଯେ ସେ କୃତଜ୍ଞ। ସୌଜନ୍ୟମୂଳକ ଧନ୍ୟବାଦ ତୁଳନାରେ କୃତଜ୍ଞତା ଜ୍ଞାପନ ଏକ ଗଭୀର ମାନସିକ ପ୍ରକ୍ରିୟା। କୃତଜ୍ଞତା ଜ୍ଞାପନରେ ଯେଉଁ ଭାବାବେଗ ଥାଏ, ତାହା ଧନ୍ୟବାଦ ଅର୍ପଣରେ ନଥାଏ।
ଜନ୍ମରୁ ମୃତ୍ୟୁ ଯାଏ ବ୍ୟକ୍ତି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ। ତାହା ଜନ୍ମ ଦେଇଥିବା ବାପା ମା’ ହୁଅନ୍ତୁ ଅଥବା କେଜିରୁ ପିଜି ଯାଏ ଶିକ୍ଷାଦାନ କରି ଆମ ବ୍ୟକ୍ତିତ୍ୱ ଗଠନରେ ପ୍ରମୁଖ ଭୂମିକା ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ସହପାଠୀ, ବନ୍ଧୁ, କର୍ମକ୍ଷେତ୍ରର ସହକର୍ମୀ; ଏପରିକି ସମାଜର ଅପରିଚିତ ବ୍ୟକ୍ତି/ଅନୁଷ୍ଠାନ। ହେଲେ କୃତଜ୍ଞତା ପ୍ରଦାନରେ ଆମେ ଭୀଷଣ କୁଣ୍ଠିତ କାହିଁକି? କରୋନା ମହାମାରୀ କାଳୀନ ହୃତ ମାନବିକତାର ଉଦାହରଣ ବାରମ୍ବାର ଦେଖିବାକୁ ମିଳି ନ ପାରେ ସତ। ମାତ୍ର ଏ କଥା କ’ଣ ଅନସ୍ବୀକାର୍ଯ୍ୟ ଯେ ଆଧୁନିକ ସମାଜରେ କ୍ରମବର୍ଦ୍ଧିଷ୍ଣୁ ଜରାଶ୍ରମ ତ ଏହାର ଏକ ବଳିଷ୍ଠ ଓ ଜ୍ୱଳନ୍ତ ପ୍ରମାଣ! ବୃଦ୍ଧ ପିତାମାତାଙ୍କୁ ଜରାଶ୍ରମର ନିଃସଙ୍ଗତା ମଧ୍ୟକୁ ଠେଲି ଦେଇ ଆମେ କ’ଣ କୃତଜ୍ଞତା ଜ୍ଞାପନର ନୂଆ ଶୈଳୀ ଆବିଷ୍କାର କରିବାରେ ଲାଗିଛେ?
ଯେଉଁ ପ୍ରକୃତିର ବରଦାନ ସ୍ୱରୂପ ଆମେ ଏ ସୁନ୍ଦର ପୃଥିବୀକୁ ଉପଭୋଗ କରୁଛୁ, ଯାହାର ପାଣି, ପବନ, ଗଛ, ଫୁଲ, ଫଳ, ପଶୁ, ପକ୍ଷୀ ଆମ ଜୀବନକୁ ମଧୁମୟ କରିଛନ୍ତି- ତାକୁ ତ ଧ୍ବଂସ କରିବା ଲାଗି ଏବେ ମଣିଷ-ମଣିଷ ମଧ୍ୟରେ ଭୟାନକ ପ୍ରତିଯୋଗିତା! ଆଜି ଯଦି ପ୍ରକୃତି ବିପଦ-ସଂକୁଳ, ତାହା ତ ଆମର ଅବିମୃଶ୍ୟକାରିତା ଓ ଅକୃତଜ୍ଞତାର ପରିଣାମ।
କହିବା ଅନାବଶ୍ୟକ ଯେ କୃତଜ୍ଞତା ପ୍ରକାଶ ନ କରିବା, ସାହାଯ୍ୟ ସହାନୁଭୂତି ଦେଇଥିବା ବ୍ୟକ୍ତିର କୁତ୍ସାରଟନା କରିବା ବା ତାକୁ ନଜରଅନ୍ଦାଜ କରିବା ନିଶ୍ଚିତ ଭାବେ ସଂକୀର୍ଣ୍ଣତାର ପରିଚୟ। ଅପର ପକ୍ଷରେ, କୃତଜ୍ଞତା ଜ୍ଞାପନ ଦ୍ୱାରା ଜଣେ ବ୍ୟକ୍ତି କେବଳ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବା ସମାଜକୁ କିମ୍ବା ପ୍ରକୃତି ଅଥବା ସର୍ବଶକ୍ତିମାନ ଈଶ୍ୱରଙ୍କୁ ସମ୍ମାନିତ କରି ନ ଥାଏ, ଏହା ଦ୍ବାରା ନିଜେ ନିଜ ଅଲକ୍ଷ୍ୟରେ ସମ୍ମାନାସ୍ପଦ ହୋଇଥାଏ। ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ଏହା ଦ୍ବାରା ବ୍ୟକ୍ତି ନିଜେ ନିଜର ଉପକାର ହିଁ କରିଥାଏ। ଛୋଟ କଥା ହେଉ ବା ବଡ଼- କୃତଜ୍ଞତା ପ୍ରକାଶ ଦ୍ୱାରା ଆପଣଙ୍କର ବ୍ୟକ୍ତିତ୍ୱର ବିକାଶ ଘଟିଥାଏ। ଆପଣ ଯେ କେତେ ଉଦାର, ଆପଣଙ୍କର ହୃଦୟ କେଡ଼େ ବିଶାଳ ଏବଂ ଅନ୍ୟ ପ୍ରତି ଆପଣଙ୍କର ସମ୍ମାନବୋଧ କେତେ ଗଭୀର- ତାହା ହିଁ ପ୍ରତିଫଳିତ ହୋଇଥାଏ। ଏହା ଯେ ବ୍ୟକ୍ତିର ଶରୀର ପାଇଁ ହିତକାରକ- ଏ କଥା ଜାଣନ୍ତି କି? କୃତଜ୍ଞତା ପ୍ରକାଶ ଦ୍ୱାରା ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ହୁଏ। ଏହା ଆପଣଙ୍କର ଦୁଶ୍ଚିନ୍ତା, ମାନସିକ ଅବସାଦ ହ୍ରାସ କରାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ। ସକାରାତ୍ମକ ଚିନ୍ତାଧାରା ସହିତ ଆପଣଙ୍କର ସାମାଜିକ ବନ୍ଧନ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଏ। ଉନ୍ନତ ଆତ୍ମପ୍ରତ୍ୟୟ ସହିତ ଆପଣ ଏକ ସୁଖୀ ଜୀବନଯାପନର କୌଶଳ ଲାଭ କରି ପାରନ୍ତି। ବୃଥା ଅହମିକା, ଆସ୍ଫାଳନ ବିଲୋପ ହୁଏ ଓ ଆପଣ ଅଧିକ ବିନୟୀ ହୋଇ ଉଠନ୍ତି।
ସୁନ୍ଦର ସକାଳଟିଏ ହେଉ କିମ୍ବା ମନୋରମ ସନ୍ଧ୍ୟା, ବଗିଚାରେ ଉଡ଼ି ବୁଲୁଥିବା ରଙ୍ଗିନ ପ୍ରଜାପତି ଅଥବା ମନରେ ସହସା ଉଚ୍ଚାଟ ସୃଷ୍ଟି କରୁଥିବା କୌଣସି ଗାୟକ ପକ୍ଷୀ, ମୁଣ୍ଡ ଉପର ଗୋଟିଏ ଛାତ, ପରିବାର ପ୍ରତିପୋଷଣ ଲାଗି ଏକ ସୁରକ୍ଷିତ ବୃତ୍ତି, ଖାଦ୍ୟ, ଏକ ନିରୋଗ ଶରୀର ଓ ମନ ପାଇଁ ଆମେ ଈଶ୍ୱରଙ୍କ ନିକଟରେ ପ୍ରତି ମୁହୂର୍ତ୍ତରେ କୃତଜ୍ଞ ରହିବାକୁ ବାଧ୍ୟ। କିଏ ଜାଣେ କାଲି ସକାଳର ଏ ସୁନ୍ଦର ପୃଥିବୀକୁ ଦେଖିବା ଲାଗି ଆମେ ଥିବା ବା ନ ଥିବା!
ଆଜି ୨୧ ସେପ୍ଟେମ୍ବର, ବିଶ୍ୱ କୃତଜ୍ଞତା ପ୍ରଦାନ ଦିବସ। ଏହି ଅବସରରେ ଅଙ୍ଗୀକାରବଦ୍ଧ ହୁଅନ୍ତୁ- ଜୀବନର ପ୍ରତି କ୍ଷେତ୍ରରେ କ୍ଷୁଦ୍ରରୁ କ୍ଷୁଦ୍ର ଘଟଣାରେ ମଧ୍ୟ ଆପଣ କୃତଜ୍ଞତା ପ୍ରକାଶ କରିବାରେ କାର୍ପଣ୍ୟ କରିବେ ନାହିଁ। ଆପଣଙ୍କର ସମସ୍ତ ସଫଳତା ବା ସମୃଦ୍ଧି ଲାଗି ଆପଣଙ୍କର ପରିବାର, ପ୍ରତିବେଶୀ, ସମାଜ ଓ ଈଶ୍ୱରଙ୍କର ଆଶୀର୍ବାଦର ଅବଦାନ ହିଁ ରହିଛି। ଆମର ମନେ ରହିବା ଉଚିତ ଯେ ଆମେ ଲାଭ କରିଥିବା ସର୍ବନିମ୍ନ ଉପଲବ୍ଧିରେ ମଧ୍ୟ ଅନେକଙ୍କର ଭୂମିକା ରହିଛି। ଗୋଟିଏ େଗାଟିଏ ଚାଉଳର ଦାନା ପଛରେ ଭୂମିର ପୋଷକ ତତ୍ତ୍ବ ଓ କୃଷକର ସ୍ବେଦ ବିନ୍ଦୁର ଅବଦାନ ରହିଛି। ତେଣୁ ଆସନ୍ତୁ; ମନଖୋଲି ଓ ପ୍ରାଣଭରି କୃତଜ୍ଞତା ଜ୍ଞାପନ କରିବା। ଏହାକୁ ଏକ ଅଭ୍ୟାସରେ ପରିଣତ କରିବା। କୃତଜ୍ଞତା ଜଣାଇବା ଲାଗି ସୁଯୋଗଟିଏ ଖୋଜିବା ନାହିଁ। କାରଣ ପ୍ରତ୍ୟେକ କ୍ଷଣ ହିଁ କୃତଜ୍ଞତା ଜ୍ଞାପନର କ୍ଷଣ।
(ବିଶ୍ୱ କୃତଜ୍ଞତା ଦିବସ ଅବସରରେ)
ଡି -୮୨, ଜୟଦେବ ବିହାର, ଭୁବନେଶ୍ୱର-୧୩