ମାତୃତ୍ୱ ଛୁଟି ପରି ଲୋଡ଼ା ପିତୃତ୍ୱ ଛୁଟି

ଡାକ୍ତର ଶୁଭଶ୍ରୀ ମିଶ୍ର

ଭାରତରେ ଏକତୃତୀୟା˚ଶ ଶିଶୁଙ୍କର ପୁଷ୍ଟିହୀନତା ସମସ୍ୟା ଥିବା େବଳେ ନିକଟରେ ରାଜ୍ୟସଭା ମାତୃତ୍ବ ବିଲ୍‌ରେ ସ˚ଶୋଧନକୁ ଅନୁମୋଦନ କରିଥିବାରୁ ସନ୍ତାନ ଜନ୍ମ ପାଇଁ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ପୂର୍ବର ୧୨ ସପ୍ତାହ ଛୁଟି ବଦଳରେ ୨୬ ସପ୍ତାହ ଛୁଟି ମିଳିବା ଖୁସିର କଥା। ଏହି ପଦକ୍ଷେପର ଲକ୍ଷ୍ୟ ହେଲା ଶିଶୁମାନଙ୍କୁ ଅଧିକ ଦିନ ମାଆ କ୍ଷୀର ଦେବା ଓ ସେମାନଙ୍କର ପୁଷ୍ଟିହୀନତା ଦୂର କରିବା। ପ୍ରକୃତି ଦେଇଥିବା ସୁବିଧା ଅନୁସାରେ ଜନ୍ମ ପରେ ୬ ମାସ ଯାଏଁ ଶିଶୁ ଯଦି ମାଆ କ୍ଷୀର ପାଇଲା ତେବେ ତାହା ତାର ଅନେକ ମୌଳିକ ଆବଶ୍ୟକତା ପୂରଣ କରିପାରିବ। ତାହା ମଧୢ ସବୁଠାରୁ ସହଜ ଓ ଖର୍ଚ୍ଚବିହୀନ ପଦକ୍ଷେପ। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଦର୍ଶାଇଛି ଯେ ଯଦି ଦେଶରେ ପିଲାଙ୍କୁ ମାଆ କ୍ଷୀର ଦେବାର ବ୍ୟବସ୍ଥା ହୋଇପାରିବ ତେବେ ଶିଶୁ ମୃତ୍ୟୁକୁ ଅନେକା˚ଶରେ ନିୟନ୍ତ୍ରଣ କରାଯାଇପାରିବ। ଏହାଦ୍ବାରା ୫ ବର୍ଷରୁ କମ୍‌ ବୟସର ୮ ଲକ୍ଷ ଶିଶୁଙ୍କୁ ବଞ୍ଚାଯାଇପାରିବ। ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ସ˚କ୍ରମିତ ସମସ୍ୟା ଯୋଗୁଁ ଶିଶୁ ମୃତ୍ୟୁର ଯେଉଁ ଆଶଙ୍କା ରହୁଛି ତାହା ମୁଖ୍ୟତଃ ମୋଟେ ମାଆ କ୍ଷୀର ପାଉନଥିବା ବା ଆ˚ଶିକ ଭାବେ ତାହା ପାଉଥିବା ଶିଶୁଙ୍କ କ୍ଷେତ୍ରରେ ଘଟୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ସମୟରେ ଅଧିକ ଦିନ ଛୁଟି ଦେବା ଲାଗି ନେଇଥିବା ପଦକ୍ଷେପ ଆବଶ୍ୟକ ଥିଲା ବୋଲି କୁହାଯାଇପାରେ। ଅବଶ୍ୟ ତା’ ସାଙ୍ଗକୁ ଆଧୁନିକ ସମାଜରେ ମାଆ କ୍ଷୀର ଦେବା ପରମ୍ପରାକୁ ଅନେକ କ୍ଷେତ୍ରରେ ଯେପରି ନିରୁତ୍ସାହିତ କରାଯାଉଛି ତାହା ମଧୢ ବଦଳିବା ଦରକାର। ମାଆମାନେ ସ୍ବତଃ ପ୍ରବୃତ୍ତ ଭାବେ ନିଜ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ସ୍ତନ୍ୟପାନର ଆବଶ୍ୟକତାକୁ ଉପଲବ୍‌ଧି କରିବା ଉଚିତ। କେନ୍ଦ୍ର ସରକାର ମାଆମାନଙ୍କ ପାଇଁ ଅଧିକ ଦିନ ଛୁଟିର ବ୍ୟବସ୍ଥା କରିଥିବା ଶିଶୁ କଲ୍ୟାଣ ଦୃଷ୍ଟିରୁ ଯେପରି ସ୍ବାଗତଯୋଗ୍ୟ, ସେହି ବିଚାର ପିତୃତ୍ବ ଲାଭ କରୁଥିବା ପୁରୁଷଙ୍କ ପାଇଁ ବି ଆବଶ୍ୟକ ହେଲାଣି।

ଆଧୁନିକ ସମାଜରେ ଏହାର ଯଥାର୍ଥତା ବେଶୀ। କିନ୍ତୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପିତୃତ୍ବ ଛୁଟିର ସମୟ ୨ ସପ୍ତାହ। ଘରୋଇ ଉଦ୍ୟୋଗ ପାଇଁ ଏପରି ବ୍ୟବସ୍ଥା ନାହିଁ। ଅବଶ୍ୟ ଭାରତରେ ଅନେକ କମ୍ପାନି ପିତୃତ୍ବ ଛୁଟି ଓ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଛୁଟିର ବ୍ୟବସ୍ଥା କଲେଣି। ‘ମର୍କର ବିଶ୍ବ ପିତୃତ୍ବ ଛୁଟି ରିପୋର୍ଟ’ ୨୦୧୬ ଅନୁସାରେ ପୃଥିବୀରେ ୩୮ ପ୍ରତିଶତ କମ୍ପାନି ସର୍ବନିମ୍ନ ପିତୃତ୍ବ ଛୁଟି ସୀମା ଠାରୁ ଅଧିକ ଛୁଟି ପିତାଙ୍କୁ ଦେଉଛନ୍ତି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅ˚ଚଳରେ ଏପରି ଛୁଟି ୪୧ ପ୍ରତିଶତ କମ୍ପାନି ଦେଉଛନ୍ତି। ପିତୃତ୍ବ ଛୁଟିକୁ ଗୁରୁତ୍ବ ଦେଉଥିବା ପ୍ରଥମ ଦେଶଗୁଡ଼ିକ ମଧୢରେ ଭାରତ ମଧୢ ଅଛି, ଯେଉଁଠାରେ ଗତ କିଛି ବର୍ଷରେ କମ୍ପାନି ଗୁଡ଼ିକରେ ଏହି ଛୁଟିର ଗୁରୁତ୍ବ ବଢ଼ିଛି। ଅବଶ୍ୟ ଏଥିପାଇଁ ବେଶୀଦିନ ଛୁଟି ମିଳୁନାହିଁ। ଯୁକ୍ତି ହେଉଛି ମାତୃତ୍ବ ଛୁଟି ସାଙ୍ଗକୁ ପିଲାର ବାପାଙ୍କୁ ମାଆପରି ନହେଲେ ବି ଅଧିକ ଦିନ ଛୁଟି ଦିଆଯିବା ଉଚିତ। ଭାରତୀୟ ସମାଜ ବ୍ୟବସ୍ଥାରେ ବେଶ ପରିବର୍ତ୍ତନ ହେଲାଣି। ଯୌଥ ପରିବାର ବଦଳରେ ଏକକ ପରିବାରର ବ୍ୟବସ୍ଥା ବଢ଼ିଲାଣି। ଏପରି ପରିବାରର ଅର୍ଥ ସ୍ବାମୀ, ସ୍ତ୍ରୀ ଓ ପିଲା। ସହରା˚ଚଳରେ ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ରୋଜଗାର କରିବା ଆବଶ୍ୟକ ହେଉଛି। ତାହା ମଧୢ ଯଥାର୍ଥ। ଏପରି ପରିବାର ଗୁଡ଼ିକରେ ପୁରୁଷମାନେ ବି ଘରର ଅନେକ ଦାୟିତ୍ବ ତୁଲାଉଛନ୍ତି ଯାହା ପାଶ୍ଚାତ୍ୟ ସମାଜରେ ରହିଛି। ଏଣୁ ଜନ୍ମ ପରେ ସନ୍ତାନ ଲାଳନପାଳନର ଦାୟିତ୍ବ ଯେ ପୂର୍ବ ପରି କେବଳ ମାଆ ଉପରେ ଛାଡ଼ି ଦିଆଯିବ ସେ ଯୁକ୍ତି ଠିକ୍‌ ନୁହେଁ। ଯେଉଁ ଏକକ ପରିବାର ଗୁଡ଼ିକରେ ସନ୍ତାନ ଜନ୍ମ କରିଥିବା ମହିଳାଙ୍କୁ ସାହାଯ୍ୟ କରିବା ଲାଗି କେହି ନାହାନ୍ତି ସେଠାରେ ପିତୃତ୍ବ ଛୁଟିର ଆବଶ୍ୟକତା ବେଶ୍‌ ଅଧିକ। ମାଆ ପାଇଁ ଛଅ ମାସ ଛୁଟିର ବ୍ୟବସ୍ଥା ଯଦି କରାଯାଉଛି, ତେବେ ତା’ ସାଙ୍ଗକୁ ତିନି ମାସ ପାଇଁ ପିତୃତ୍ବ ଛୁଟି ବି ଦିଆଯାଇପାରେ। ଆଗରୁ ଯୌଥ ପରିବାରରେ ସନ୍ତାନର ଲାଳନପାଳନରେ ପରିବାରର ସମସ୍ତେ ସାହାଯ୍ୟ କରୁଥିଲେ। ଏବେ ସେ ସୁବିଧା କ୍ବଚିତ୍‌ ମିଳୁଛି। ଯଦି ସହରରେ ଥିବା ଏକକ ପରିବାରକୁ ଏହି ସମୟରେ ସାହାଯ୍ୟ କରିବା ପାଇଁ ବାପା ମାଆ ବା କେହି ଆତ୍ମୀୟ ଆସୁଛନ୍ତି ତେବେ ହୁଏତ ସନ୍ତାନ ଜନ୍ମ କରିଥିବା ମହିଳା କିଛି ସାହାଯ୍ୟ ପାଉଛନ୍ତି। ନଚେତ ସବୁ ଦାୟିତ୍ବ ମାଆ ଉପରେ ପଡ଼ୁଛି। ଏବେ କେନ୍ଦ୍ର ସରକାର ଯେଉଁ ନିୟମ କଲେ ତାହା ବଳରେ ମାଆ ତାର ପିଲାକୁ ଅଧିକ ଦିନ ନିଜ କ୍ଷୀର ଦେବାର ଆବଶ୍ୟକତାକୁ ପୂରଣ କରିବ। କିନ୍ତୁ ଶିଶୁ ଜନ୍ମ ପରେ ଉଭୟ ମାଆ ଓ ପିଲା ପାଇଁ ବେଳେ ବେଳେ ଯେଉଁ ସମସ୍ୟା ଉପୁଜେ ସେଥିଲାଗି ଅଧିକ ଦିନ ପିତୃତ୍ବ ଛୁଟିର ଆବଶ୍ୟକତା ରହିଛି। ପିତୃତ୍ବ ଛୁଟି ଦିଆଗଲେ ନିଯୁକ୍ତି କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବି ହ୍ରାସ ପାଇବ। ଏବେ ଅନେକ ସ˚ସ୍ଥା ମହିଳାଙ୍କୁ ନିଯୁକ୍ତି ଦେବାକୁ ପଛାଉଛନ୍ତି। କାରଣ ସନ୍ତାନ ଜନ୍ମ ପାଇଁ ମହିଳା କର୍ମଚାରୀ ଜଣକ ଛୁଟି ନେବେ ବା ସନ୍ତାନ ଲାଳନପାଳନ ଲାଗି ନିଜ କାମକୁ ବେଳେବେଳେ ଏଡ଼ାଇ ଯିବେ। ପିତୃତ୍ବ ଛୁଟି ରହିଲେ ପୁରୁଷ ଓ ମହିଳା କର୍ମଚାରୀଙ୍କ ମଧୢରେ ତାରତମ୍ୟ କମିବ। ସନ୍ତାନ ଉଭୟ ପିତାମାତାଙ୍କର ଜୈବିକ ପ୍ରତିନିଧିତ୍ବ କରୁଥିବା ବେଳେ ଦୁହେଁ ତା’ର ଲାଳନପାଳନରେ ମୂଳରୁ ଭାଗୀଦାର ହେବା ଉଚିତ ନୁହେଁ କି?

ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ, କଟକ
ମୋ- ୯୮୬୧୪୬୩୪୦୬

ସମ୍ବନ୍ଧିତ ଖବର

Comments are closed.