ସ୍ୱାମୀ ଅଗ୍ନିବେଶଙ୍କୁ ମୁଁ ଯେମିତି ଜାଣେ

ଶ୍ରଦ୍ଧାଞ୍ଜଳି - ଲକ୍ଷ୍ମୀଧର ମିଶ୍ର

ସେପ୍‌ଟେମ୍ବର ୧୧ ତାରିଖ ଦିନ ସ˚ଧ୍ୟ‌ା ୬.୩୦ ସମୟରେ ଆମମାନଙ୍କର ପ୍ରିୟ ସ୍ୱାମୀ ଅଗ୍ନିବେଶଙ୍କର ଦେହାନ୍ତ ହୋଇଥିବା ବିଷୟ ଜାଣିବାକୁ ପାଇ ମୁଁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ସେ ସୁସ୍ଥ ନାହାନ୍ତି ଓ ଯକୃତ ସମସ୍ୟାରେ ଆକାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି; ଏ ବିଷୟ ମୁଁ ପନ୍ଦର ଦିନ ତଳେ ଶୁଣିବାକୁ ପାଇଥିଲି। କିନ୍ତୁ ସେ ଯେ ସ˚ସାରରୁ ଏତେ ଶୀଘ୍ର ବିଦାୟ ନେଇଯିବେ ଏହା ମୁଁ କେବେ କଳ୍ପନା କରିନଥିଲି। ତେବେ ତାଙ୍କ ପରି ଜଣେ ମହାନ୍‌ ଓ ପବିତ୍ର ବ୍ୟକ୍ତି ଯେ ମହାକାଳରେ ବିଲୀନ ହୋଇଛନ୍ତି ଏହି ବାସ୍ତବତାକୁ ସ୍ବୀକାର କରିବାକୁ ପଡ଼ୁଛି।

ମୁଁ ସ୍ୱାମୀଜୀଙ୍କ ସହ ୧୯୮୩ ଡିସେମ୍ବରରୁ ପରିଚିତ ହୋଇଛି। ପଥର କ୍ରସରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ସମସ୍ୟା ସ˚ପର୍କରେ ସ୍ୱାମୀ ଅଗ୍ନିବେଶ ସୁପ୍ରିମ କୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲେ ଓ ମାନ୍ୟବର କୋର୍ଟ ଏହାକୁ କେସ୍‌ ନମ୍ବର ୨୧୩୫ ଭାବରେ ଗ୍ରହଣ କରିଥିଲେ। ଏହା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫରିଦାବାଦରେ କାର୍ଯ୍ୟ କରୁଥିବା ପ୍ରାୟ ଦଶ ହଜାର ପଥର ଶ୍ରମିକମାନଙ୍କ ସମସ୍ୟାକୁ ଅନୁସନ୍ଧାନ କରି ଏକ ବିସ୍ତୃତ ବିବରଣୀ ତିନିମାସ ମଧ୍ୟରେ ପ୍ରଦାନ କରିବାକୁ ମୋତେ ନିର୍ଦ୍ଦେଶ ଦେଲେ। ଏହି ଶ୍ରମିକମାନେ ଗୋତି ଶ୍ରମିକ ପରି କାର୍ଯ୍ୟ କରୁଥିବା ରିଟ୍‌ ପିଟିସନରେ ଦର୍ଶାଯାଇଥିଲା ଓ ତାହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାର ଦାୟିତ୍ବ କୋର୍ଟ ମୋତେ ପ୍ରଦାନ କରିଥିଲେ। ତିନି ମାସ ମଧ୍ୟରେ ୧୬.୦୩.୧୯୮୩ ସୁଦ୍ଧା ମୋର ବିବରଣୀ ପ୍ରଦାନ କରିବାକୁ ମୋତେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନାନା କାରଣରୁ ଏହା ମୋ ପାଇଁ ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା। ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ପ୍ରବାସୀ ଶ୍ରମିକମାନେ ଫରିଦାବାଦରେ ଥିବା ପଥର ଖଣି ଓ କ୍ରସରମାନଙ୍କରେ କାର୍ଯ୍ୟ କରୁଥିଲେ। ସେମାନେ ଆଞ୍ଚଳିକ ସ୍ତରରେ କୁହାଯାଉଥିବା ହିନ୍ଦୀ-ଭାଷୀ ଲୋକ, ମୁଁ ଥିଲି ଏକ ଅଣହିନ୍ଦୀ ଅଞ୍ଚଳ ଓଡ଼ିଶାର ବ୍ୟକ୍ତି। ସେମାନଙ୍କ ହିନ୍ଦୀ ଭିନ୍ନ ଥିବାରୁ ସେମାନଙ୍କ ସହ ମତ ଆଦାନ ପ୍ରଦାନ କରିବା ମୋ ପାଇଁ କଷ୍ଟକର ଥିଲା। ସୂରଯ କୁଣ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଓ ଏକ ବ୍ୟାପକ କ୍ଷେତ୍ରରେ ଏହି ପଥର ଓ କ୍ରସର ଶ୍ରମିକମାନେ କାର୍ଯ୍ୟ କରୁଥିଲେ। ସେହି ଅଞ୍ଚଳର ଭୌଗୋଳିକ ଓ ପ୍ରାକୃତିକ ସ୍ଥିତି ନେଇ ମୋର ବିଶେଷ ଧାରଣା ନଥିଲା। ମୁଁ ଦିଲ୍ଲୀରେ ରହୁଥିଲି ଓ ସେ ଅଞ୍ଚଳ ସହ ବିଶେଷ ପରିଚିତ ନଥିଲି। ଏହି ବିସ୍ତୃତ ଅଞ୍ଚଳକୁ ଯିବା ପାଇଁ ମୋ ପାଖରେ ସେପରି ସାଧନ ନଥଲା। ଏହି ଅନୁସନ୍ଧାନ ପାଇଁ ମୋ ପାଖରେ ଆବଶ୍ୟକ ସାଧନ ବା କର୍ମଚାରୀ ମଧ୍ୟ ନଥିଲେ। ସମୟ ସୀମା ମଧ୍ୟ ସୀମିତ ଓ ନିର୍ଦ୍ଧାରିତ ଥିଲା। ଏହିପରି ସ୍ଥିତିରେ ସ୍ବାମୀଜୀଙ୍କର ସାହାଯ୍ୟ ଓ ସହଯୋଗ ଯୋଗୁଁ ମୁଁ ଏହି ଗୁରୁ ଦାୟିତ୍ବଟିକୁ ନିର୍ବାହ କରିପାରିଥିଲି ଓ ଅଢ଼େଇ ମାସ ମଧ୍ୟରେ ମୋର ପୂର୍ଣ୍ଣାଙ୍ଗ ଅନୁସନ୍ଧାନ-ବିବରଣୀ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲି।

ଏହି ଘଟଣା ପରଠାରୁ ପାଖାପାଖି ଚାରି ଦଶନ୍ଧି କାଳ (୧୯୮୩ ରୁ ୨୦୨୦) ସ୍ବାମୀଜୀଙ୍କ ସହ ମୋର ଆନ୍ତରିକ ସମ୍ବନ୍ଧ ସୃଷ୍ଟି ହୋଇ ସୁଦୃଢ଼ ହୋଇଥିଲା। ବିଭିନ୍ନ ସାମାଜିକ ସମସ୍ୟା ଓ ପ୍ରସଙ୍ଗ କ୍ଷେତ୍ରରେ ସ୍ବାମୀଜୀ ନିଜର ଗଭୀର ସ˚ପୃକ୍ତି ବ୍ୟକ୍ତ କରିବା ସୁବିଦିତ। ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରି, ପ୍ରବାସୀ ଶ୍ରମିକ, ଗୋତି ଶ୍ରମିକ ସମସ୍ୟା ଆଦି ଉପରେ ସ୍ବାମୀଜୀ କାର୍ଯ୍ୟ କରିଛନ୍ତି। ଯେଉଁ ଯେଉଁ କ୍ଷେତ୍ରରେ ମାନବିକ ମର୍ଯ୍ୟାଦା ଓ ଅଧିକାର କ୍ଷୁଣ୍ଣ ହେଉଛି (ଜନ୍ମ ପୂର୍ବରୁ ଶିଶୁର ଲିଙ୍ଗ ନିରୂପଣ, ଭ୍ରୂଣହତ୍ୟା, କନ୍ୟାମାନଙ୍କୁ ପିଲା ସମୟରୁ ମାରିଦେବା, ଝିଅମାନଙ୍କୁ ବିଦ୍ୟାଳୟ ନପଠାଇବା, ସମାନ କାର୍ଯ୍ୟ କରୁଥିବା ସତ୍ତ୍ବେ ମହିଳା ଶ୍ରମିକମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍‌ ପାରିଶ୍ରମିକ ଦେବା) ଏହି ସବୁ କାର୍ଯ୍ୟରେ ସ˚ପୃକ୍ତ ରହି ଲୋକମାନଙ୍କର ଅଧିକାର ପାଇଁ ପ୍ରୟାସ କରୁଥିଲେ। ସେହିପରି ଦଳିତମାନଙ୍କର ମନ୍ଦିର ପ୍ରବେଶ, ଯେପରି ରାଜସ୍ଥାନର ନାଥଦ୍ବାରସ୍ଥିତ ମନ୍ଦିରରେ ଅନୁସୂଚିତ ଜାତିର ଲୋକମାନଙ୍କର ପ୍ରବେଶ ପାଇଁ ପ୍ରୟାସ, ଅସୃଶ୍ୟତାର ସ˚ପୂର୍ଣ୍ଣ ବିଲୋପ ଓ ଜାତି ବ୍ୟବସ୍ଥା ଜନିତ ଉଚ୍ଚ-ନୀଚ ଭେଦଭାବର ଦୂରୀକରଣ ଇତ୍ୟାଦି କାର୍ଯ୍ୟକ୍ରମରେ ସ୍ବାମୀଜୀ ସର୍ବଦା ଅଗ୍ରଭାଗରେ ରହିଛନ୍ତି। ସେ ଜଣେ ସନ୍ଥ ବା ସନ୍ନ୍ୟାସୀ ପରି ଜୀବନ ବଞ୍ଚିଛନ୍ତି କିନ୍ତୁ ସ˚ସାର ବିମୁଖ ହୋଇ ହିମାଳୟରେ ବୈରାଗୀ ଜୀବନ ବିତାଇ ନାହାନ୍ତି। ଲୋକଙ୍କର ଓ ବୃହତ୍ତର ସମାଜର କଲ୍ୟାଣ ସାଧନ ପାଇଁ ସେ କର୍ମଯୋଗୀ ହୋଇ ନିଷ୍କାମ କର୍ମର ଆଦର୍ଶରେ ଜୀବନ ବଞ୍ଚିଛନ୍ତି। ବିଶେଷକରି ସମାଜର ଦରିଦ୍ର, ବଞ୍ଚିତ, ବାସଶୂନ୍ୟ ଓ ଅସହାୟ ମଣିଷଙ୍କ ପାଇଁ ସେ କାର୍ଯ୍ୟ କରିଛନ୍ତି। କୌଣସି ଲୋଭ, କାମନା, ପଦ-ପଦବି, ପୁରସ୍କାର, ସମ୍ମାନ ପାଇଁ କେବେ ସମାନ୍ୟତମ ଆକା˚କ୍ଷା ପୋଷଣ କରିନାହାନ୍ତି। ନିଷ୍ଠୁରତା, ଅନ୍ୟାୟ, ଅତ୍ୟାଚାର ବିରୋଧରେ ସେ ସ୍ବର ଉଠାଇଛନ୍ତି, ସ˚ଗ୍ରାମ କରିଛନ୍ତି। ଏହି ସ˚ଗ୍ରାମରେ ସେ କେତେବାର କ୍ଷତବିକ୍ଷତ ହୋଇଛନ୍ତି କିନ୍ତୁ ଅନ୍ୟାୟ ବିରୋଧରେ ସ˚ଗ୍ରାମର ପଥରୁ କେବେ ହେଲେ ଦୂରେଇ ଯାଇନାହାନ୍ତି। ତାଙ୍କର ସାହସ, ସହନଶୀଳତା ଓ ସ˚କଳ୍ପ ପ୍ରକୃତରେ ଅସାଧାରଣ। ସାମାଜିକ ଶ୍ରେୟ ସାଧନ ପାଇଁ ସେ ସ˚କଳ୍ପବଦ୍ଧ ଭାବରେ କାର୍ଯ୍ୟ କରିଛନ୍ତି। ଅନ୍ଧକାର, ଅଜ୍ଞତା, ନିରକ୍ଷରତା, ଶୋଷଣ ଭିତରେ ପୁରୁଷାନୁକ୍ରମେ ରହିଥିବା ଅବହେଳିତ ଓ ଅସହାୟ ମଣିଷମାନଙ୍କର ଅଧିକାର ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେମାନେ କିପରି ଆଲୋକ, ସ୍ବାଧୀନତା ଲାଭ କରିପାରିବେ ଓ ସକଳ ଅଜ୍ଞତା ଓ ଅନ୍ଧକାରରୁ ପରିତ୍ରାଣ ପାଇବେ ସେଥିପାଇଁ ସ୍ବାମୀଜୀ ପ୍ରୟାସ କରିଛନ୍ତି।

ସ୍ବାମୀଜୀ ଥିଲେ ଜ୍ଞାନପିପାସୁ। ଇସଲାମ, ଖ୍ରୀଷ୍ଟ ଧର୍ମ, ଜୋରାଷ୍ଟ୍ରରଙ୍କ ପାର୍ସୀ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ହିନ୍ଦୁ ଧର୍ମ ବିଷୟରେ ସ୍ବାମୀଜୀ ଗଭୀର ଅଧ୍ୟୟନ କରିଛନ୍ତି ଓ ଦୁଇଟି ଧର୍ମ ଭିତରେ ରହିଥିବା ସୂକ୍ଷ୍ମ ପାର୍ଥକ୍ୟକୁ ଅନୁଧ୍ୟାନ କରିଛନ୍ତି। ତୁଳନାତ୍ମକ ଧର୍ମମାନଙ୍କ ଉପରେ ସେ ଥିଲେ ପ୍ରବୀଣ। ପ୍ରତ୍ୟେକ ଧର୍ମଧାରା ଓ ଦର୍ଶନମାନଙ୍କ ବିଷୟରେ ଅନୁଶୀଳନରୁ ସେ ପ୍ରତ୍ୟେକ ବିଚାରଧାରା ପ୍ରତି ଗଭୀର ସମ୍ମାନ ବ୍ୟକ୍ତ କରୁଥିଲେ। ଏହି ଜୀବନବୋଧ ସେ ଭାଗବତ ଗୀତାର ଦର୍ଶନରୁ ଗ୍ରହଣ କରିଥିଲେ। ସେହି ଆଦର୍ଶ ହେଉଛି- ‘‘କାହା ପ୍ରତି ମନ୍ଦ ମନୋଭାବ ପୋଷଣ ନ କରିବା, ସମସ୍ତଙ୍କ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମନୋଭାବ ପୋଷଣ କରିବା, ନିରାସକ୍ତ ରହିବା, ସ୍ବାର୍ଥପରତାରୁ ମୁକ୍ତ ରହିବା, ସୁଖ-ଦୁଃଖକୁ ସମାନ ଭାବରେ ଗ୍ରହଣ କରିବା ଓ ସମସ୍ତଙ୍କ ପ୍ରତି କ୍ଷମାଶୀଳ ହେବା।’’

ସମସ୍ତ ବିଦାୟ ଦୁଃଖଦାୟକ। ଯେତେବେଳେ କେହି ଏପରି ଜଣେ ବ୍ୟକ୍ତିଙ୍କୁ ହରାଏ ଯାହାଙ୍କ ସହ ବୈଚାରିକ ଦୃଷ୍ଟିକୋଣ ସମାନ ଥାଏ, ଭାବନାରେ, ମନୋଭାବରେ, ବିବେକବୋଧରେ ପୂର୍ଣ୍ଣ ସାମଞ୍ସ୍ୟ ରହିଥାଏ- ତେବେ ତାହା କଷ୍ଟଦାୟକ ହୋଇଥାଏ। ତିନି ଦଶନ୍ଧି ଧରି ତାଙ୍କ ସହ ଯେଉଁ ଭାବଗତ ସମ୍ବନ୍ଧ ରହିଥିଲା ସେହି କାରଣରୁ ତାଙ୍କର ସବୁଦିନ ପାଇଁ ବିଦାୟକୁ ଗ୍ରହଣ କରିବା ମୋ ପାଇଁ ଅତ୍ୟନ୍ତ କଷ୍ଟକର।

ସ୍ବାମୀଜୀ ଆଉ ନାହାନ୍ତି। ସେହି ପ୍ରଭାଯୁକ୍ତ ମୁଖମଣ୍ତଳ, ଶକ୍ତିମାନ ବ୍ୟକ୍ତିତ୍ବଙ୍କୁ ଆମେ ଆଉ ଦେଖିବାର ସୁଯୋଗ ପାଇବା ନାହିଁ। କେତେ ଆହତ, ପରିତ୍ୟକ୍ତ ମଣିଷଙ୍କ ହୃଦୟରେ ସେ ଶାନ୍ତି ଆଣିଛନ୍ତି, ସେମାନଙ୍କୁ ସହାନୁଭୂତିର ହାତ ବଢ଼ାଇଛନ୍ତି ଓ ସେମାନଙ୍କୁ ଆତ୍ମବିଶ୍ବାସ ଦେଇଛନ୍ତି। କ୍ଳାନ୍ତ ଓ ଜୀବନ ଯନ୍ତ୍ରଣାରେ ଜର୍ଜରିତ ଲୋକମାନଙ୍କୁ ପୁଣି ଆଶାର ଆଲୋକ ସେ ଦେଖାଇଛନ୍ତି। ସେ ଯେଉଁ ଆଦର୍ଶ, ଚିନ୍ତାଧାରା, ମୂଲ୍ୟବୋଧର ପ୍ରତୀକ ଥିଲେ ଓ ଯେଉଁ ଜୀବନଦୃଷ୍ଟି ଓ ମାନବବାଦୀ ଆଦର୍ଶର ପ୍ରସାର କରୁଥିଲେ ସେ ପ୍ରତି ଅଙ୍ଗୀକାରବଦ୍ଧ ରହିବା ତାଙ୍କ ପାଇଁ ହେବ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ମଣିଷ ସମାଜରେ ଯେଉଁମାନେ ଭେଦଭାବ, ଘୃଣା, ହି˚ସା, ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରନ୍ତି ତାହାକୁ ସେ ଜୀବନସାରା ବିରୋଧ କରି ସର୍ବଦା ମାନବିକତାର ଜୟଗାନ କରିଛନ୍ତି। ମାନବ ସମାଜରେ ଶାନ୍ତି, ସ୍ଥିରତା ଓ ଭ୍ରାତୃତ୍ବର ପରିବେଶ ପାଇଁ ପ୍ରୟାସୀ ହୋଇଛନ୍ତି। ଏହି ମୂଲ୍ୟବୋଧ ପ୍ରତି ସମର୍ପିତ ରହିବା ତାଙ୍କ ସ୍ମୃତି ପ୍ରତି ଆମର ବଡ଼ ସମ୍ମାନ ମନେହୁଏ।

ଅନୁବାଦ: ଧନେଶ୍ବର ସାହୁ
ଲେଖକ ପ୍ରାକ୍ତନ କେନ୍ଦ୍ର ଶ୍ରମ ଓ
ସ˚ସଦ ବ୍ୟାପାର ସଚିବ, ଭାରତ ସରକାର

ସମ୍ବନ୍ଧିତ ଖବର

Comments are closed.