ଉତ୍ତର-ଗଣତନ୍ତ୍ର

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଯେ ପର୍ଯ୍ୟନ୍ତ ଗୋଟିଏ ଲୋକସମାଜରେ ସକାରାତ୍ମକ ଚିନ୍ତନର ଉଦୟ ନ ହୋଇଚି, ସେ ପର୍ଯ୍ୟନ୍ତ ରାଷ୍ଟ୍ରର ଭାବମୂର୍ତ୍ତି ଖଣ୍ତିତ ଓ ବିତର୍କିତ ହୋଇ ରହିବ। ସରକାରଙ୍କ ନୀତିକୁ ଆଲୋଚନା କରି ନାପସନ୍ଦ କରିବାର ଅଧିକାର ନ୍ୟାଯ୍ୟ, କିନ୍ତୁ ନୀତି ଘୋଷଣା ମାତ୍ରକେ ହି˚ସ୍ର ହୋଇ ସରକାରକୁ ବିଦାରି ପକେଇବା ପାଇଁ ପ୍ରସ୍ତୁତ ହୋଇଯିବା ଦୁର୍ଭାଗ୍ୟଜନକ। ଏ କଥା ସମସ୍ତେ ଜାଣନ୍ତି ଯେ ଜନତାର ସମର୍ଥନ ପାଇ ଯେ କୌଣସି ଏକ ରାଜନୈତିକ ଦଳ ସରକାର ଗଠନ କରେ ଓ ଗଣତନ୍ତ୍ରରେ ୟାର କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ବିକଳ୍ପ ନାହିଁ। ସମସ୍ତେ ୟାବି ଜାଣନ୍ତି ଯେ କୌଣସି ଗଣତାନ୍ତ୍ରିକ ସରକାର, ଲୋକବିରୋଧୀ ହୋଇ ପାରିବ ନାହିଁ। ସତ୍ତା ହାସଲ କରିବା ପାଇଁ ଲଢ଼ୁଥିବା ଦୁଇ ଦଳଙ୍କ ମଧୢରେ ଲୋକହିତକୁ ନେଇ କି ପାର୍ଥକ୍ୟ ଥାଇପାରେ? କିଛି ବି ତ ନାହିଁ। ସାମ୍ୟବାଦ ଓ ସମାଜବାଦର ବୈଚାରିକ ଧରାତଳ ଦୁର୍ବଳ ହୋଇଗଲା ପରେ, ବିଚାରଧାରା କେବଳ ପୁଂଜି ଓ ବଜାରକୁ ନେଇ ଗଢ଼ା ହୋଇଥିବା ଗୋଟିଏ ବ୍ୟବସ୍ଥାର ଅଭ୍ୟନ୍ତରୀଣ ରକ୍ତସ୍ରାବ। ମଣିଷ ଉପରେ ପୁ˚ଜି ଓ ବଜାରକୁ ଲଦି ଦେଇଥିବା ନୀତି, ନିଜକୁ ଠିକ୍‌ ପ୍ରମାଣିତ କରିବା ପାଇଁ ବିବିଧ ଉପାୟ ଖୋଜେ, କିନ୍ତୁ ପାଠ ବାହାରକୁ ଆସି ଉପାୟ ଖୋଜିବା ସମ୍ଭବ ହୁଏ ନାହିଁ। କଥା ଆଉ ଟିକିଏ ସ୍ପଷ୍ଟ କହେଁ। ପୁ˚ଜି ଓ ବଜାରକୁ ନେଇ ଯେଉଁ ବ୍ୟବସ୍ଥା ତାର ଉଦ୍‌ଘୋଷଣରେ କୁହାଯାଏ ଯେ ଏ ବ୍ୟବସ୍ଥାରେ ପ୍ରତି ମଣିଷ ତାର ସାମର୍ଥ୍ୟ ଅନୁଯାୟୀ ସୁଖ ଓ ସୁବିଧା ଅର୍ଜନ କରି ପାରିବ, ରାଷ୍ଟ୍ରର ହସ୍ତକ୍ଷେପ ଦରକାର ନାହିଁ। ଲୋକମାନଙ୍କ ବିବେକ ଦ୍ବାରା ନିର୍ମିତ ରାଷ୍ଟ୍ର ଯେତେବେଳେ ବଜାର ଓ ପୁଂଜିର କ୍ଷେତ୍ରରୁ ବହିଷ୍କୃତ ହୋଇଯାଏ, ସେତେବେଳେ ଲୋକମାନଙ୍କ ମୁକ୍ତି ପାଇଁ ଗଢ଼ାଯାଇଥିବା ପୁଂଜି ଓ ବଜାରର ତନ୍ତ୍ର ଲୋକଙ୍କୁ ତାର ପାଶବିକ ହାତରେ ଘେରିନିଏ।

ରୋକ୍‌ଠୋକ୍‌ ଏଇଆ କୁହାଯିବ ଯେ ପୁ˚ଜି ବା ବଜାର ଲୋକଙ୍କ କଥା କହନ୍ତି ନାହିଁ, ମୁଷ୍ଟିମେୟ କ୍ରେତା ଓ ବିକ୍ରେତାଙ୍କ କଥା କହନ୍ତି। ଅର୍ଥାତ୍‌ ଅଧିକରୁ ଅଧିକ ଲୋକ ବ୍ୟବସ୍ଥାର ବାହାରେ ରହିଯା’ନ୍ତି। ସେମାନେ ଛୋଟଛୋଟ ଉତ୍ପାଦନ, ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଜାରରୁ କିଣନ୍ତି, କିନ୍ତୁ ତାଙ୍କୁୁ ତିଆରି କରନ୍ତି ବଡ଼ ବ୍ୟବସାୟୀ। ବଜାରକୁ ସେଇମାନେ ନିୟନ୍ତ୍ରଣ କରନ୍ତି, ସାଧାରଣ ଲୋକଙ୍କୁ ବିଜ୍ଞାପନ ଦ୍ବାରା ପ୍ରଭାବିତ କରି ଓ ତାଙ୍କ ରୁଚି ନିର୍ମାଣ କରି। ତେଣୁ ପୁ˚ଜି ଓ ବଜାରର କେନ୍ଦ୍ରରେ ରହିଲେ ନିର୍ମାତା ଓ ବିକ୍ରେତା। ଏମାନଙ୍କର ନିବିଡ଼ ଆଲିଙ୍ଗନ ବାହାରେ ରହିଲେ ଉପଭୋକ୍ତା ସମାଜ, ଯାହାକୁ ପ୍ରଲୁବ୍‌ଧ କରି କ୍ରେତା ବନେଇବାରେ ବଜାର ଦର୍ଶନର ସଫଳତା ଓ ତହିଁରେ ନିହିତ ପୁ˚ଜି ବର୍ଦ୍ଧନର ସାର୍ଥକତା। ଏଭଳି ଗୋଟିଏ ବ୍ୟବସ୍ଥା ଚାଲିଥିଲା ବେଳେ ନାଗରିକ ଦ୍ବାରା ରଚିତ ରାଷ୍ଟ୍ର ଓ ନାଗରିକ ଦ୍ବାରା ନିର୍ବାଚିତ ସରକାର କ’ଣ କରିପାରିବେ? ରାଷ୍ଟ୍ର ଚାହିଲେ ପୁ˚ଜି ନିର୍ମିତ ଉଦ୍ୟୋଗକୁ ନିଜ ହାତକୁ ଆଣିପାରିବେ ବା ନୂଆ ନୂଆ ଆବଶ୍ୟକତାର ପୂର୍ତ୍ତି ପାଇଁ ଗଠିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକୁ ଘରୋଇ ପୁ˚ଜିଧାରୀଙ୍କୁ ବିକି ଦେଇ ପାରିବେ। ଉଦାରବାଦ ନାଁରେ ଯେଉଁ ବ୍ୟାପକ ବୌଦ୍ଧିକ ଆଲୋଚନା ହୁଏ, ତହିଁରେ ପଦେ ପଦେ ରାଷ୍ଟ୍ରକୁ ଦୋଷୀ କରାଯାଏ, ଯଦି ରାଷ୍ଟ୍ର ସଭ୍ୟତା, ମଣିଷ, ପର˚ପରା ଓ ଆନୁଗତ୍ୟର କଥା କହେ।

ଏବେ ମୋଦୀ ସରକାରଙ୍କୁ ଯେଉଁଭଳି ଭାବରେ ରାଷ୍ଟ୍ରୀୟ ଶିକ୍ଷାନୀତି ଓ କୃଷିନୀତି ପାଇଁ ବିବଦମାନ କରି ଠିଆ କରି ଦିଆଯାଇଚି, ତାର କାରଣ ମୁଖ୍ୟତଃ ଏହି ଯେ ଭାରତ ସରକାର ପୁ˚ଜି ଓ ବଜାର ଦ୍ବାରା ନିୟନ୍ତ୍ରିତ ବ୍ୟବସ୍ଥା ଦ୍ବାରା କବଳିତ ହୋଇନାହାନ୍ତି। ଏଇ କଥାଟି ଅନୁଧୢାନ କରିବେ। ଶିକ୍ଷା ଓ କୃଷି କ୍ଷେତ୍ରରେ ଭାରତ ସରକାର ଯେଉଁ ନିୟନ୍ତ୍ରିତ ପୁଂଜିନିବେଶର ତର୍କ ଉପସ୍ଥାପନ କରିଚନ୍ତି, ତାର ବିକଳ୍ପ ନାହିଁ। ଦୁର୍ବିପାକର ଅର୍ଥନୀତିରେ ଏହା ହିଁ ଉଚିତ। କାରଣ, ଦୁର୍ବିପାକ ଦ୍ବାରା ସ˚ପୂର୍ଣ୍ଣ ଧ୍ବସ୍ତ ଭଣ୍ତାରରୁ ଅଧିକ ଅର୍ଥ ବାହାରିବାର ନାହିଁ। ଭାରଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ଚଳମାନ କରି ରଖିବା ପାଇଁ ନିୟନ୍ତ୍ରିତ ପୁ˚ଜି ପ୍ରବେଶ ଛଡ଼ା ଆଉ କି ବିକଳ୍ପ ଥାଇପାରେ? ଭାରତରେ ଏ ଯେଉଁ ଅର୍ଥନୀତି, ଇଏ ବ୍ୟବସ୍ଥାକୁ ଧ୍ବ˚ସ କରି, ନୂଆ ଏକ ମଡେଲ୍‌ ଠିଆ କରେଇବା ପାଇଁ ଆଦୌ ପରିକଳ୍ପିତ ନୁହେଁ, ଅଥଚ ପୁ˚ଜିବାଦୀ ‘ଦୁର୍ବିପାକ ଅର୍ଥନୀତି’, ରାଷ୍ଟ୍ରୀୟ ବ୍ୟବସ୍ଥାକୁ ଧ୍ବ˚ସ କରି ନୂଆ ପୁ˚ଜିବାଦୀ ବ୍ୟବସ୍ଥା କାଏମ୍‌ ପାଇଁ ବ୍ୟବହୃତ ହୁଏ। ଏ ବିଷୟରେ ଆଗରୁ ଅନ୍ୟ ପ୍ରସଙ୍ଗରେ କହିଚି କିନ୍ତୁ ଏଠି ତାର ପୁନର୍ବିବେଚନ ଆବଶ୍ୟକ।

ଅଗଷ୍ଟ ୨୫ ତାରିଖ ୨୦୦୫ରେ ସାମୁଦ୍ରିକ ଝଡ଼ କାଟ୍ରିନା ନ୍ୟୁଅର୍ଲିନ୍‌ସ୍‌ ସହରକୁ ସ˚ପୂର୍ଣ୍ଣ ଧ୍ବସ୍ତ କରିଦେଲା। ହଜାର ହଜାର ଦରିଦ୍ର କୃଷ୍ଣକାୟ ବେଘର ହୋଇଗଲେ। ଏ ଲୋକମାନେ ସରକାରଙ୍କ ଦ୍ବାରା ନିର୍ମିତ ଛୋଟ ଛୋଟ ଘରମାନଙ୍କରେ ରହୁଥିଲେ ଓ ଏଗୁଡ଼ିକ ରାଷ୍ଟ୍ର ଦ୍ବାରା ପ୍ରାୟାଜିତ ହାଉସି˚ ପ୍ରୋଜେକ୍ଟର ଅ˚ଶ ଥିଲା। ଏଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ, ମଇଳା ଓ ଆବର୍ଜନା ବି ବହୁତ ଥିଲା। କିନ୍ତୁ ମଣିଷ ତ ମଣିଷ! ଯୋଉଠି ରହେ, ସେଠି ଯଦି ପାଦ ମାଟି ଛୁଇଁଥାଏ, ତେବେ ସେଇ ହୋଇଯାଏ ତାର ଧରାନିବାସ। ସରକାର ପବ୍ଲିକ୍‌ ହାଉସି˚ ପ୍ରୋଜେକ୍ଟକୁ ପୁଣି ଥରେ କାର୍ଯ୍ୟାନ୍ବିତ କରିପାରିଥାନ୍ତେ, ମୂଳଦୁଆ ଉପରେ ପୁଣି ଥରେ ଘର ତୋଳା ହୋଇଥାନ୍ତା। କିନ୍ତୁ ହେଲା ଏଇଆ ଯେ ନ୍ୟୁଅର୍ଲିନ୍‌ସ୍‌ରେ ସେ ବିଶାଳ କ୍ଷେତ୍ରରେ ଘରୋଇ ଉଦ୍ୟୋଗ ନିର୍ମାଣ କଲେ ପାରାଭାଡ଼ି ଭଳି ବହୁ ତଳ ଘର। ଖାଲି ଜାଗା ଦରକାର, ପୁ˚ଜି ଲଗାଇ ଲାଭ ଉଠାଇବା ପାଇଁ, ମଣିଷର ଆଶା, ଆକା˚କ୍ଷା, ସ୍ମୃତି ଓ ବିବେକ ଗୁରୁତ୍ବପୂର୍ଣ୍ଣ ନୁହେଁ। ରିପବ୍ଲିକାନ୍‌ ରାଜନେତା କହିଲେ: ‘‘ନିଉ ଅର୍ଲିନ୍‌ସର ସରକାରୀ ଶ୍ରମିକ ନିବାସ ଗୁଡ଼ିକୁ ଆମେ ପରିଷ୍କାର କରିପାରିଲୁନି, ଯାହାହେଉ ଈଶ୍ବର ସହାୟ ହେଲେ, ସବୁତକ ଘର ସମୁଦ୍ରଝଡ଼ରେ ସଫା ହୋଇଗଲା।’’ ବେଘର ହୋଇଥିବା ଲୋକଙ୍କ ପାଇଁ ଏ ଥିଲା ଦାରୁଣ ବିପର୍ଯ୍ୟୟ, କିନ୍ତୁ ପୁ˚ଜିପତିଙ୍କ ପାଇଁ ଏ ଥିଲା ପବ୍ଲିକ୍‌ ପ୍ରୋଜେକ୍ଟକୁ ପ୍ରାଇଭେଟ୍‌ କରାଇବାର ସୁଯୋଗ। ଅର୍ଥାତ୍‌ ଦୁର୍ବିପାକ ବା ଧ୍ବ˚ସର ଶୂନ୍ୟସ୍ଥାନ ଉପରେ ପୁ˚ଜିର ନିର୍ମାଣ ଓ ବଜାରତନ୍ତ୍ରର ପ୍ରତିଷ୍ଠା। ମିଲ୍‌ଟନ୍‌ ଫ୍ରିଡ୍‌ମାନ୍‌ଙ୍କର ଏ ଅର୍ଥନୀତି ଚିଲି, ଆର୍ଜେଣ୍ଟିନା, ଶ୍ରୀଲଙ୍କାରେ ସିଧାସଳଖ ପ୍ରୟୋଗ ହେଲା, ଏମିତିକି ଆର୍ନ୍ତଜାତିକ ମନିଟାରି ଫଣ୍ତ୍‌ ଓ ବିଶ୍ବବ୍ୟାଙ୍କର ନୀତି ଭିତରେ ଦୁର୍ବିପାକର ପୁ˚ଜିବାଦ ପ୍ରବେଶ କରିଗଲା। କିନ୍ତୁ ଭାରତରେ କୌଣସି ସମୟରେ ବେଘର ମଣିଷଙ୍କ ଅସହାୟତାକୁ ପୁଂଜିରେ ପରିଣତ କରାଯାଇନାହିଁ।

ବିଶ୍ବରେ ଗତ କୋଡ଼ିଏ ବର୍ଷ ଭିତରେ ଯେତେ ବ୍ୟବସ୍ଥା କାଏମ୍‌ ହୋଇଚନ୍ତି, ସବୁଗୁଡ଼ିକ ରାଷ୍ଟ୍ରର ଭୂମିକାକୁ ଖାରଜ କରି ବଜାରତନ୍ତ୍ରର ପ୍ରତିଷ୍ଠା ପାଇଁ। ବଡ଼ ବ୍ୟତିକ୍ରମ କେବଳ ଭାରତ। ଏଠି ଦୁର୍ବିପାକ ପରେ ପୁଣି ଲୋକେ ଘରକୁ ଫେରନ୍ତି, ମାଟି କାଦୁଅ, ବାଉଁଶ ବତା ଓ ନିଜ ଶ୍ରମ ଦେଇ ସ୍ବଳ୍ପ ସରକାରୀ ସାହାଯ୍ୟରେ ଗଢ଼ନ୍ତି ସେଇ ଭିଟାମାଟି ଉପରେ ତାଙ୍କର କ୍ଷୁଦ୍ର କୁଟୀର। କୁଟୀର ନିବାସୀ, ପାରା ଭାଡ଼ିରେ ରହିବାର କଳ୍ପନା ସରକାର କେବେ କରି ନାହାନ୍ତି। ନୂଆ ଶିକ୍ଷାନୀତିରେ ବିଦେଶୀ ବିଶ୍ବବିଦ୍ୟାଳୟମାନେ ଭାରତରେ ଉଚ୍ଚଶିକ୍ଷା ପାଇଁ କ୍ୟା˚ପସ ସ୍ଥାପନ କରିପାରିବାର କଳ୍ପନା କାର୍ଯ୍ୟକାରୀ ହେଲେ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ନିର୍ମାଣର ନୂଆ ମାନକ ପ୍ରସ୍ତୁତ ହୋଇପାରିବ। ସେହିପରି କୃଷିକ୍ଷେତ୍ରରେ, ଓଡ଼ିଶା ସରକାରଙ୍କ ‘ସମୃଦ୍ଧି’ ହେଉ ବା ଭାରତ ସରକାରଙ୍କ ନୂଆ କୃଷି ନୀତି ହେଉ, କୌଣସି ବି ଘରୋଇ ପୁ˚ଜିନିବେଶ ଉପରେ ଭରସା କରାଯାଇନାହିଁ ବା କୋଉଠି ବି ପବ୍ଲିକ୍‌ ପ୍ରୋଜେକ୍ଟ ଭାଙ୍ଗି ପ୍ରାଇଭେଟ୍‌ ପ୍ରୋଜେକ୍ଟ କରିବାର ଉଦ୍ଦେଶ୍ୟ ନାହିଁ। ଏବେ କୋଭିଡ୍‌-୧୯ ଯେଉଁଁ ଦୁର୍ବିପାକର ଅନୁଭୂତି ଆମକୁ ଦେଇଚି, ସେଥିରେ ବ୍ୟବସ୍ଥା ସହିତ ପୁ˚ଜି ପ୍ରସାରଣର ସ˚ପର୍କ ହିଁ ନାହିଁ।

ଏସବୁ ସତ୍ତ୍ବେ ଏଜାଜ୍‌ ଅହମଦ୍‌ଙ୍କ ଭଳି ମୁଖ୍ୟସ୍ରୋତର ରାଜନୈତିକ ଚିନ୍ତକ କହୁଛନ୍ତି ମୋଦୀଙ୍କ ଭାରତ ଉତ୍ତର-ଗଣତନ୍ତ୍ର (ପୋଷ୍ଟ ଡେମୋକ୍ରାସି)ରେ ପ୍ରବେଶ କରିଗଲା, କାରଣ ଭାରତ କୁଆଡ଼େ ପୁ˚ଜିବାଦୀ ରାଷ୍ଟ୍ରର ଦୁଇଟି ଆୟୁଧ ପ୍ରୟୋଗ କରିବା ଆରମ୍ଭ କଲାଣି। ଗୋଟିଏ ଆୟୁଧ ଉଦାରବାଦ ଓ ଆଉ ଗୋଟିଏ ଆୟୁଧ ଫାସିବାଦ। କୋଉଠି? କେମିତି? ଏ ସବୁ ବିକୃତ କଳ୍ପନା କାହିଁକି କରାଯାଏ? ପୁ˚ଜିବାଦୀ ଗଣତନ୍ତ୍ରର ଉଦାରବାଦୀ ଚିନ୍ତକମାନେ କହୁଚନ୍ତି ଭାରତ ଉଦାରବାଦକୁ ଧ୍ବ˚ସ କରି ରାଷ୍ଟ୍ରବାଦ ପ୍ରତିଷ୍ଠା କରୁଚି, ତେଣେ ଜଣେ ବିଶିଷ୍ଟ ବାମପନ୍ଥୀ ଚିନ୍ତକ କହିଲେଣି ଭାରତ ଉଦାରବାଦୀ ଆୟୁଧ ପ୍ରୟୋଗ କରୁଚି। ପୁଣି ଫାସିବାଦ କାହିଁ? କିଏ ପ୍ରୟୋଗ କରୁଚି? କୋଉଠି ଚାଲିଚି ଦମନଲୀଳା ଭାରତରେ? ଏ ସବୁ ମିଥ୍ୟା ସକାରାତ୍ମକ ଚିନ୍ତନ ପାଇଁ ପ୍ରସ୍ତୁତ ଭୂମିକୁ ନଷ୍ଟ କରି ଚାଲିଚନ୍ତି।

ଏବେ ‘ଓପିନିଅନ୍‌’ରେ ଅଶୋକ ବିଶ୍ବବିଦ୍ୟାଳୟ ଓ କଲମ୍ବିଆ ଲ’ ସ୍କୁଲରେ ରାଜନୀତି ଓ ଆଇନ ପଢ଼ାଉଥିବା ଜଣେ ପ୍ରଫେସର ମାଧବ ଖୋସଲାଙ୍କର ମନ୍ତବ୍ୟ ପଢ଼ି ହତବାକ୍‌ ହୋଇଗଲି। ମୋର ଜଣେ ବନ୍ଧୁ, ବାମପନ୍ଥୀ ଚିନ୍ତକ ଗିରିଧର ରାଠୀ ଦିଲ୍ଲୀରୁ ମୋତେ ଖୋସଲାଙ୍କର ମନ୍ତବ୍ୟଟି ପଠାଇ ମୋର ମତ ଚାହିଁଥିଲେ। ଦେଖନ୍ତୁ ଭାରତ ଓ ଭାରତର ରାଷ୍ଟ୍ର ତଥା ସରକାରଙ୍କୁ ବଦନାମ ଓ ଅପମାନିତ କରିବାର ଉଦ୍ୟମ ଗୁଣୀଜ୍ଞାନୀମାନେ କିପରି କରୁଚନ୍ତି! ଖୋସଲା କହିଲେ ଯେ ବିଶ୍ବରେ ଦକ୍ଷିଣପନ୍ଥୀ ଲୋକବାଦୀ (ପପୁଲିଷ୍ଟ) ସର୍କାରମାନ ଆସିବା ଫଳରେ ପ୍ରଶାସକୀୟ ଦମନ ଶକ୍ତିର ପ୍ରବଳ ପ୍ରୟୋଗ ଚାଲିଚି ଓ ଏଥି ସହିତ ନ୍ୟାୟପାଳିକା ଦୁର୍ବଳ ହୋଇ ଚାଲିଚି। କହିଲେ: ‘‘ସରକାରଙ୍କ ପ୍ରଶାସକୀୟ ଶକ୍ତି ବଢ଼ିବା ସହିତ, ସେଇ ନ୍ୟାୟାଳୟ ଯାହା ଏକଦା ବହୁସ˚ଖ୍ୟକତାର ଅତ୍ୟାଚାର ଓ ସ୍ବେଚ୍ଛାଚାରିତାର ବିରୋଧରେ ସ୍ବାଧୀନତା ଓ ଉତ୍ତରଦାୟିତ୍ବର କବଚ ହୋଇ ରହିଥିଲା, ଏବେ ଭାଙ୍ଗିପଡ଼ିଚି। ନ୍ୟାୟାଳୟ ସରକାରଙ୍କ ସହିତ ମିଶି ଅନ୍ୟାୟର ପକ୍ଷ ସମର୍ଥନ କରୁଚି।’’ କହିବାରେ ଦ୍ବିଧା ନାହିଁ ଯେ ନ୍ୟାୟାଳୟକୁ ନିନ୍ଦିତ କରିବା ପାଇଁ ଆମର ହତାଶ ମହତ୍ତ୍ବାକା˚କ୍ଷୀ ଅର୍ଦ୍ଧ-ରାଜନୈତିକ ଓକିଲଙ୍କର ଅଭାବ ନାହିଁ। ଖୋସଲାଜୀ ପ୍ରଶାନ୍ତଭୂଷଣଙ୍କ ଠାରୁ ନ୍ୟାୟାଳୟର ଦୁର୍ନୀତିର ଗାଥା ଶୁଣିଥାଇପାରନ୍ତି। କିନ୍ତୁ ବିସ୍ମୟର କଥା ଖୋସଲା ଭାରତକୁ ହଙ୍ଗେରି, ତୁର୍କୀ ଓ ପୋଲାଣ୍ତ୍‌ର ସ୍ଥିତି ସହିତ ତୁଳନା କରିଚନ୍ତି। ତଥ୍ୟ ଦେଖନ୍ତୁ। କହୁଚନ୍ତି ହଙ୍ଗେରିରେ ବିଚାରପତିଙ୍କ ଅବସର ବୟସ କମେଇ ଦିଆଗଲା, ପ୍ରଧାନମନ୍ତ୍ରୀଙ୍କ ନିଜ ଲୋକ ବିଚାରପତି ହୋଇଗଲେ। ସେହିପରି ତୁର୍କୀରେ ହଜାର ହଜାର ବିଚାରପତିଙ୍କୁ ବାହାର କରିଦିଆଗଲା ଓ ଖାଲି ଜାଗା ଗୁଡ଼ିକରେ ରାଷ୍ଟ୍ରପତିଙ୍କ ନିଜ ଲୋକ ବସିଗଲେ। ପୋଲାଣ୍ତରେ କୁଆଡ଼େ ଜାଣିଶୁଣି ମାମଲା ସ˚ଖ୍ୟା ଏତେ ବଢ଼େଇ ଦିଆଗଲା ଯେ ସରକାରଙ୍କ ଭୁଲ୍‌ ଦେଖିବା ପାଇଁ ବିଚାରପତିମାନେ ସୁଯୋଗ ପାଇଲେ ନାହିଁ। କି ତଥ୍ୟ ଏ! କି ହାସ୍ୟାସ୍ପଦ ଯୁକ୍ତି! ମୁଁ ରାଠୀଜୀଙ୍କୁ ଯେଉଁ ଉତ୍ତର ଦେଇଥିଲି, ଏଇ ସପ୍ତାହେ ତଳେ ତାର ସାରମର୍ମ ଥିଲା ଏହି ଯେ ଖୋସଲାଙ୍କ ଭଳି ବୁଦ୍ଧିଜୀବୀମାନେ ନିଜର ଜ୍ଞାନର ସାର୍ଥକତାକୁ ନେଇ ଖୁବ୍‌ ଚିନ୍ତିତ, କାରଣ କାହାକୁ ବିରୋଧ ନକଲେ ସେମାନେ ନିଜ ଆଗରେ ନିଜେ ଲଜ୍ଜିତ ହୋଇଯିବେ, ତେଣୁ ନକାରାତ୍ମକତା ହିଁ ତାଙ୍କର ସ୍ବାଭାବିକ ଅସ୍ତ୍ର। ନକାରାତ୍ମକତାର ଅସ୍ତ୍ର ସାଧାରଣତଃ ବୁଦ୍ଧିଜୀବୀମାନେ ବଡ଼ ଶତ୍ରୁଟିଏ ବାଛି, ତା’ ଉପରେ ପ୍ରୟୋଗ କରନ୍ତି। ରାଷ୍ଟ୍ର ଓ ନରେନ୍ଦ୍ର ମୋଦୀ ସେ ଦିଗରୁ ସେମାନଙ୍କର ସର୍ବୋଚ୍ଚ ଓ ଶ୍ରେଷ୍ଠ ଶରବ୍ୟ। ଇଏ ମଧୢ ଗୋଟେ ପ୍ରମାଣ ଯେ ସବୁ ଠିକ୍‌ ଚାଲିଚି, ରାଷ୍ଟ୍ରୀୟ ସ୍ବାଭିମାନ ବଢ଼ିଚି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ କାହାରି ଅନୁସରଣ ନକରି ନିଜର ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠିତ କରିଚି। ଏକଥା ଲୋକେ ବୁଝନ୍ତି। ଲୋକେ ବୁଦ୍ଧିବାଦୀ ଲୋକଙ୍କୁ ପଢ଼ନ୍ତି ନାହିଁ, ଲୋକେ ଚିନ୍ତାଶୀଳ ସୁହୃଦ ମାନଙ୍କର ସକାରାତ୍ମକ ରଚନା ପଢ଼ନ୍ତି। ବୁଦ୍ଧିବାଦୀମାନେ ବୁଦ୍ଧିବାଦୀଙ୍କ ସହିତ ଯୁଝନ୍ତି, ବାହାରେ ଶତ୍ରୁ ନଥିଲେ ନିଜ ଭିତରୁ ଶତ୍ରୁ ଖୋଜି ବାହାର କରନ୍ତି। ୟାଙ୍କର ନକାରାତ୍ମକ ପ୍ରଚାର ବିରୋଧରେ ସକାରାତ୍ମକ ପ୍ରତିରୋଧ ଲୋଡ଼ା। ଲୋକେ ୟାଙ୍କୁ ନପଢ଼ିଲେ କ’ଣ ହେଲା, ଲୋକମତ ନିର୍ମାଣକାରୀମାନେ ତ ୟାଙ୍କୁ ପଢ଼ନ୍ତି!

୨୦୦୩ରେ ଆନ୍ତର୍ଜାତିକ ପ୍ରାଇଭେଟାଇଜେସନ୍‌ କମିଟିର ଜଣେ ବିଶେଷଜ୍ଞ ସଦସ୍ୟ ଭାବେ ମୁଁ ଆର୍ଜେଣ୍ଟିନାର ବୁଏନୋସ୍‌ ଆୟର୍ସରେ ଥିଲି। ସେଠି ଘରୋଇକରଣ ସପକ୍ଷରେ ଓ ବିପକ୍ଷରେ ସାକ୍ଷ୍ୟ ଦେବା ପାଇଁ ଦୁଇ ପକ୍ଷର ସଶକ୍ତ ବୁଦ୍ଧିବାଦୀ ଥିଲେ। ସେଠି ମୁଁ ଯାହା ଲକ୍ଷ୍ୟ କଲି ସକାରାତ୍ମକ ଚିନ୍ତକମାନେ ଆକ୍ରାମକ ଭୂମିକାରେ ଥିଲେ। ସେମାନେ ନକାରାତ୍ମକ ବୁଦ୍ଧିବାଦୀଙ୍କ ପ୍ରତି କଥାର ପ୍ରତିରୋଧ କରୁଥିଲେ। ଏମିତିକି ନକାରାତ୍ମକ ତାର୍କିକ ଠିକ୍‌ କହିଲେ ବି ଏମାନେ ତାକୁ ଭୁଲ୍‌ ବୋଲି କହୁଥିଲେ। ମୁଁ ମିଟି˚ ପରେ ଜଣେ ବିଶିଷ୍ଟ ସକାରାତ୍ମକ ଚିନ୍ତକଙ୍କୁ ଏକଥା କହିଲି ତ ସେ କହିଲେ ଆମର ବୁଦ୍ଧିର ଯୁଦ୍ଧ ଏଇନେ ସେଇମାନଙ୍କ ବିରୋଧରେ ଯେଉଁମାନେ ଆମ ଦେଶ, ରାଷ୍ଟ୍ର ଓ ପର˚ପରାକୁ ନିନ୍ଦିତ ଓ ଅପମାନିତ କରୁଚନ୍ତି।

ଭାରତରେ ସକାରାତ୍ମକ ଚିନ୍ତନର ଆକ୍ରାମକ ଅଭିବ୍ୟକ୍ତି ଦରକାର। ଏଥିପାଇଁ ବିଶ୍ବବିଦ୍ୟାଳୟ ସ୍ତରରୁ ସକାରାତ୍ମକ ଚିନ୍ତନର ବୃତ୍ତି ପ୍ରସ୍ତୁତ ହେବା ଜରୁରୀ। ନୂଆ ଶିକ୍ଷାନୀତିରେ ‘କ୍ରିଟିକାଲ୍‌ ଥିଙ୍କିଙ୍ଗ୍‌’ର ବିକାଶ ପାଇଁ କଳ୍ପନା ଅଛି, ସେ ପାଠ୍ୟକ୍ରମର ବିକାଶ ଯଥେଷ୍ଟ ସାହସ ଓ ଦୂରଦର୍ଶିତାର ସହିତ କରିବାକୁ ପଡ଼ିବ। ‘ଦୁର୍ବିପାକ ପୁ˚ଜିବାଦ’, ଭାରତୀୟ ଗଣତନ୍ତ୍ରର ବର୍ତ୍ତମାନ ସ୍ଥିତି, ବିଚାରଧାରାର ବିଲୟ ଆଦି ବିଷୟ ଉପରେ ନିୟନ୍ତ୍ରଣ ନ ରହିଲେ ଲୋକକ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ତର୍କର ସାମର୍ଥ୍ୟ ଆସିବ କୋଉଠୁ?

ଆର୍ଜେଣ୍ଟିନାରୁ ବିଦାୟ ବେଳେ, ଆର୍ଜେଣ୍ଟିନାର ବିତ୍ତ ଓ ଶିଳ୍ପ ମନ୍ତ୍ରୀ ଆମ ନ’ଜଣ ସଦସ୍ୟଙ୍କୁ ଗୋଟିଏ ସୁନ୍ଦର ଛୋଟ ବାକ୍‌ସ ଭେଟି ଦେଲେ। ତା’ ଭିତରେ ଥିଲା ଆର୍ଜେଣ୍ଟିନାର ପ୍ରାଜ୍ଞ ଶ୍ରେଷ୍ଠ ଲେଖକ ଲୁଇ ବୋର‌୍‌ହେସ୍‌ଙ୍କର ମୁହଁ ଖୋଦିତ ଗୋଟିଏ ମେଡାଲିଅନ୍‌!

ମୁଁ ବିସ୍ମିତ ହୋଇ ଚାଲିବାରୁ, ମନ୍ତ୍ରୀ ମହୋଦୟ ଅତି ସହଜତାର ସହିତ କହିଲେ: ବୋର‌୍‌ହେସ୍‌ ଆମର ରାଷ୍ଟ୍ରୀୟ ଅସ୍ତିତ୍ବର ଜଣେ ପ୍ରତୀକ ପୁରୁଷ। ‘ଵି ଲଭ୍‌ ଆଵାର କ˚ଟ୍ରି!’

ହଁ, ସବୁ ନକାରାତ୍ମକ ଚିନ୍ତନର ସମାପ୍ତି ହେବ ଯଦି ଆମେ ଆମ ଦେଶକୁ ଭଲ ପାଉଁ। ଜ୍ଞାନ ବିଜ୍ଞାନ, ମତ-ଅମତ ଗୋଟେ ପଟେ, ଦେଶ ପ୍ରେମ ଆଉ ଗୋଟେ ପଟେ। ଅପଶକ୍ତି ବିରୋଧରେ ପ୍ରେମ ହିଁ ଅନ୍ତିମ ଅସ୍ତ୍ର! ଦେଶପ୍ରେମର ପ୍ଳାବନକାରୀ ଶକ୍ତି ନିନ୍ଦା, ଅସତ୍ୟ ଓ ଅପପ୍ରଚାରକୁ ପ୍ରତିହତ କରିପାରିବ। ରାଷ୍ଟ୍ର ସନ୍ଦେହ ନୁହେଁ, ବିଶ୍ବାସ ଲୋଡେ଼! ଅବିଶ୍ବାସ ତିଆରି କରି ଗଣତନ୍ତ୍ରକୁ ଉତ୍ତର-ଗଣତନ୍ତ୍ର କହିଲେ କେବଳ ନକାରାତ୍ମକ ଚିନ୍ତା ପ୍ରସାରିତ ହୁଏ, ସେଥିରେ ବିକୃତ ବୁଦ୍ଧି ଥାଏ, କିନ୍ତୁ ସହଜ ସରଳ ହୃଦୟ ନେଇ ଲୋକେ ବିଶ୍ବାସ ଟିକିଏ ପାଇଁ ସବୁବେଳେ ଅପେକ୍ଷା କରିଥାନ୍ତି। ପ୍ରତିବାଦ ଓ ପ୍ରତିରୋଧ ଜରୁରୀ, କିନ୍ତୁ ତାହା ଆତ୍ମଘାତ ନହେଉ।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର