କକ୍ଷପଥରେ ମଙ୍ଗଳ ଯାନ : ଛଅ ମାସ ଲାଗି ଯାଇଥିଲା, ରହିଲାଣି ଛଅ ବର୍ଷ

ଅଜୟ କୁମାର ଜେନା

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ହୋଇ ଲୋହିତ ଗ୍ରହ ମଙ୍ଗଳ ଅଭିମୁଖେ ପ୍ରେରିତ ମହାକାଶ ଯାନ ‘ମାର୍ସ ଅର୍ବିଟର ମିସନ୍’(ମମ୍) ବା ‘ମଙ୍ଗଳଯାନ’ ଇତି ମଧ୍ୟରେ ଅନ୍ତରୀକ୍ଷରେ ଛଅ ବର୍ଷ ବିତାଇ ସାରିଲାଣି। ୨୦୧୩ ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ମହାକାଶକୁ ଯାତ୍ରା କରିଥିବା ଏହି ମହାକାଶ ଯାନ ଆଜିକୁ ଠିକ ଛଅ ବର୍ଷ ତଳେ ଅର୍ଥାତ୍‌ ୨୦୧୪ ସେପ୍‌ଟେମ୍ବର ୨୪ ତାରିଖରେ ମଙ୍ଗଳ ଚାରିକଡ଼େ ଏକ ଉପବୃତ୍ତୀୟ କକ୍ଷପଥରେ ପ୍ରଦକ୍ଷିଣ କରିବା ଆରମ୍ଭ କରିଥିଲା। ମଙ୍ଗଳ କକ୍ଷପଥରେ ଏହା ସଫଳତାର ସହ ଅବସ୍ଥାପିତ ହେବା ସହିତ ଭାରତ ପାଇଁ ଅନେକ ଐତିହାସିକ ଉପଲବ୍‌ଧି ଆଣି ଦେଇଥିଲା। ଏପରି ଅନ୍ତଃ-ଗ୍ରହୀୟ ଅଭିଯାନରେ ରୁଷିଆ, ଆମେରିକା ଓ ୟୁରୋପ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ଏହି ବିରଳ କୀର୍ତ୍ତିମାନ ସ୍ଥାପନ କରିବା ସହ ଚୀନ୍, ଜାପାନ, ସିଙ୍ଗାପୁର ଓ ଦକ୍ଷିଣ କୋରିଆ ଭଳି ଉନ୍ନତ ଦେଶକୁ ପଛରେ ପକାଇ ଏସିଆ ମହାଦେଶର ପ୍ରଥମ ରାଷ୍ଟ୍ର ଭାବେ ଏହି ସୌଭାଗ୍ୟର ଅଧିକାରୀ ‌ହୋଇ ପାରିଥିଲା। ସର୍ବୋପରି ମାତ୍ର ୪୫୦ କୋଟି ଟଙ୍କା ଅଟକଳର ଏହି ପ୍ରକଳ୍ପକୁ ପ୍ରଥମରୁ ଅନ୍ୟମାନେ ହେୟ ମନେ କରୁଥିଲେ ହେଁ ବିଶ୍ବର ପ୍ରଥମ ଦେଶ ଭାବେ ଭାରତ ପ୍ରଥମ ପ୍ରୟାସରେ ହିଁ ଏହି ବିରଳ ସଫଳତା ହାସଲ କରିପାରିଥିଲା। ତେବେ ମାତ୍ର ଛଅ ମାସ ପାଇଁ କାର୍ଯ୍ୟକ୍ଷମ ରହିବ ବୋଲି ଆକଳନ କରାଯାଇ ଏହା ନିର୍ମିତ ହୋଇଥିଲା। କିନ୍ତୁ ଦେଖିବାକୁ ମିଳିଛି ଯେ ଏଥିରେ ଖଞ୍ଜା ଯାଇଥିବା ଯନ୍ତ୍ରାଂଶଗୁଡ଼ିକ ଦୀର୍ଘ ଛଅ ବର୍ଷ ପରେ ମଧ୍ୟ ଏବେ ସୁଦ୍ଧା ସକ୍ରିୟ ରହିଛି ଏବଂ ନିୟମିତ ମଙ୍ଗଳ ପୃଷ୍ଠର ଫଟୋଚିତ୍ର ପଠାଇ ଚାଲିଛି। ଏପରିକି ଏହାର ସାମ୍ପ୍ରତିକ କାର୍ଯ୍ୟଦକ୍ଷତାରୁ ସ୍ପଷ୍ଟ ଯେ ତାହା ଆହୁରି କିଛି କାଳ ଏହିଭଳି କାର୍ଯ୍ୟ କରିବ। ଏହା ଭାରତ ଲାଗି ଆଉ ଏକ ବିରଳ ଉପଲବ୍‌ଧି। ଏହା ଭାରତୀୟ ବୈଜ୍ଞାନିକମାନଙ୍କର ଦକ୍ଷତାକୁ ସ୍ବୀକୃତି ପ୍ରଦାନ କରିଛି। ଏପରିକି ପ୍ରତିଦ୍ବନ୍ଦ୍ବୀ ଚୀନ୍ ମଧ୍ୟ ଭାରତର ଏହି ସଫଳତାକୁ ଏସିଆର ଗର୍ବ ଓ ଗୌରବ ଭାବେ ଅଭିହିତ କରିଛି।

ଆକାରରେ ମଙ୍ଗଳଯାନ ଯଥେଷ୍ଟ ଛୋଟ ହେଲେ ବି ଭାରତ ପ୍ରଥମ ଥର ପାଇଁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ଭେଦ କରି ବାହାର ଇଲାକାରେ ଏକ ଯନ୍ତ୍ର ସ୍ଥାପନ କରିବା ପଛରେ ଅନେକ ମହତ୍ତ୍ବାକାଂକ୍ଷା ଲୁଚି ରହିଛି। ଭବିଷ୍ୟତରେ ବୃହତ୍ ଅନ୍ତଃଗ୍ରହୀୟ ଅଭିଯାନ ପାଇଁ ମହାକାଶ ଯାନର ନିର୍ମାଣ ଶୈଳୀ କିଭଳି ହେବା ଦରକାର ଏବଂ ତାହାର ପରିଚାଳନା ଓ କ୍ରିୟାଶୀଳତା ନିୟନ୍ତ୍ରଣ କରିବା ପାଇଁ କିଭଳି ଜ୍ଞାନକୌଶଳର ଆବଶ୍ୟକତା ରହିବ; ସେ ସଂପର୍କିତ ଏକ ଗଭୀର ଓ ପ୍ରାଞ୍ଜଳ ଧାରଣା ଆହରଣ କରିବା ପାଇଁ ଇସ୍ରୋ ଦ୍ବାରା ମଙ୍ଗଳଯାନକୁ ପଠା ଯାଇଥିଲା। ଏବେ ମଙ୍ଗଳଯାନ ପଠାଇ ଚାଲିଥିବା ଫଟୋ ସମୂହରୁ ଲୋହିତ ଗ୍ରହର ସାମଗ୍ରିକ ପାରିପାର୍ଶ୍ବିକ ସ୍ଥିତି ସମ୍ପର୍କରେ ମହାକାଶ ବିଜ୍ଞାନୀମାନଙ୍କର ଏକ ସ୍ଥୂଳ ଧାରଣା ମଧ୍ୟ ଆସିପାରିଛି। ମଙ୍ଗଳ ପୃଷ୍ଠରୁ ସର୍ବାଧିକ ୭୧ ହଜାର କିଲୋମିଟର ଓ ସର୍ବନିମ୍ନ ୩୦୦ କିଲୋମିଟର ଦୂରତା ବିଶିଷ୍ଟ ଏକ ଉପବୃତ୍ତୀୟ କକ୍ଷପଥରେ ଥାଇ ଏହା ସଂପୂର୍ଣ୍ଣ ମଙ୍ଗଳ ଗ୍ରହର ଥାଳି ଆକୃତିର ଛବି ଉଠାଇବାରେ ସକ୍ଷମ ହୋଇଛି। ସେହିପରି ମଙ୍ଗଳର ଦୁଇ ପ୍ରାକୃତିକ ଉପଗ୍ରହ ଫୋବସ୍ ଓ ଡିମୋସ୍‌ର ଛବିକୁ ମଧ୍ୟ ଅତି ନିକଟରୁ ଉଠାଇବା ସହ ଡିମୋସ୍‌ର ଅପର ପାର୍ଶ୍ବକୁ ମଧ୍ୟ ଲୋକଲୋଚନକୁ ଆଣିପାରିଛି। ତେବେ ମଙ୍ଗଳଯାନ ପଠାଇଥିବା ଫଟୋଚିତ୍ରରୁ ମିଳିଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଫଟୋରେ ରହିଛି ମଙ୍ଗଳ ପୃଷ୍ଠରେ ସୃଷ୍ଟ ଧୂଳିଝଡ଼ର ସ୍ଥିର ଚିତ୍ର ଯହିଁରେ ଝଡ଼ ଶହ ଶହ କିଲୋମିଟର ଉଚ୍ଚକୁ ଉଠିଥାଏ ବୋଲି ସ୍ପଷ୍ଟ ହୋଇଛି।

କୌଣସି କୃତ୍ରିମ ଉପଗ୍ରହ ମହାକାଶରେ କେତେ ସମୟ ସକ୍ରିୟ ରହିପାରିବ, ତାହା ସେଥିରେ ଗଚ୍ଛିତ ଥିବା ଜାଳେଣି ଉପରେ ହିଁ ନିର୍ଭର କରିଥାଏ। ସାଧାରଣତଃ ସେହି ଜାଳେଣିର ସିଂହଭାଗ ସଂପୃକ୍ତ ଉପଗ୍ରହର ଗତିପଥକୁ ସଂଶୋଧନ କରି ନିର୍ଦ୍ଦିଷ୍ଟ କକ୍ଷପଥରେ ପହଞ୍ଚାଇବାରେ ବିନିଯୁକ୍ତ ହୋଇଥାଏ। ତେଣୁ ପୃଥିବୀର ମାଧ୍ୟାକର୍ଷଣକୁ ଅତିକ୍ରମ କଲା ପରେ ମଙ୍ଗଳ ଯାନକୁ ମଧ୍ୟ ବିଭିନ୍ନ କକ୍ଷପଥରେ ଘୂରାଇ ଘୂରାଇ ଶେଷରେ ମଙ୍ଗଳ ମାଧ୍ୟାକର୍ଷଣ ଭିତରକୁ ପ୍ରବେଶ କରାଇ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯାଇଛି। ସେଥିପାଇଁ ଏହାର ସ୍ବାଭାବିକ ଗତି ବଜାୟ ରଖିବା ସହିତ ସମ୍ଭାବ୍ୟ କକ୍ଷପଥ ସଂଶୋଧନ ପାଇଁ ମଧ୍ୟ ଇନ୍ଧନ ମହଜୁଦ ରଖାଯାଇଥିଲା। ମାତ୍ର ସୌଭାଗ୍ୟ କ୍ରମେ ୪୨ କୋଟି ମାଇଲ୍ ବା ୬୭ କୋଟି କିଲୋମିଟର ପଥ ଅତିକ୍ରମ କରି ମଙ୍ଗଳଯାନ କୌଣସି ପ୍ରକାର ଉଲ୍ଲେଖନୀୟ କକ୍ଷପଥ ସଂଶୋଧନ ନ କରି ମଙ୍ଗଳ କକ୍ଷରେ ପହଞ୍ଚି ପାରିଥିଲା। ସୁତରାଂ ଇନ୍ଧନର ବୃହଦାଂଶ ବଳି ଯାଇଥିଲା ଯାହାର ଉପଯୋଗ ସ୍ବାଭାବିକ ପରିକ୍ରମଣରେ କରାଯାଇପାରିଛି।

ସେଥିରୁ ଏମିତି ବୋଧ ହୁଏ, ସତେ ଯେପରି ମଙ୍ଗଳଯାନ ତାର ନିର୍ମାଣରେ ଅବଲମ୍ବନ କରାଯାଇଥିବା ମିତବ୍ୟୟିତାକୁ ସମ୍ମାନ ଦେଇ କୃତଜ୍ଞ ସନ୍ତାନଟିଏ ପରି ଇନ୍ଧନର ସଦୁପଯୋଗ କରିବାର ଏକ ସ୍ବୀୟ ଇଚ୍ଛା ପ୍ରକଟ କରିଛି। ତେବେ ବଳକା ଇନ୍ଧନରେ ତାହା ଆଉ କେତେ ଦିନ ଧରି ଏମିତି କାର୍ଯ୍ୟକ୍ଷମ ରହିଥିବ ସେ ସମ୍ପର୍କରେ କିଛି ଆକଳନ କରାଯାଇପାରିନାହିଁ। ତେବେ ୧୯୬୦ ମସିହାରେ ସୋଭିଏତ୍‌ ରୁଷିଆ ଦ୍ବାରା ଆରମ୍ଭ ହୋଇଥିବା ଏହି ମଙ୍ଗଳାଭିମୁଖୀ ଅଭିଯାତ୍ରାରେ ଏବେ ଅଧା ବାଟରେ ଗତିଶୀଳ ଥିବା ୫ଟି ମହାକାଶ ଯାନକୁ ମିଶାଇ ଅଦ୍ୟାବଧି ବିଭିନ୍ନ ଦେଶର ୬୨ଟି ଯାନ ସାମିଲ ହୋଇଥିବା ବେଳେ ସେଥିରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ୨୮ଟି ମଧ୍ୟରେ ଭାରତର ମଙ୍ଗଳଯାନର ନିଆରା ସଫଳତା ହେଉଛି ଏହାର ପରିବର୍ଦ୍ଧିତ ଆୟୁଷ; ଛଅ ମାସ ବଦଳରେ ଏହା ଛଅ ବର୍ଷ କାର୍ଯ୍ୟକ୍ଷମ ରହିଲାଣି।

ଚକ୍ରଗଡ଼, ନରସିଂହପୁର, କଟକ
ମୋ: ୯୮୬୧୧୨୧୧୯୪

ସମ୍ବନ୍ଧିତ ଖବର