ଏମିତି କ’ଣ କିଏ ଯାଏ?

ଶ୍ରଦ୍ଧାଞ୍ଜଳି - ଲମ୍ବୋଦର ପ୍ରସାଦ ସି˚ହ

ପ୍ରିୟ ପରିଜନଙ୍କ ସାନ୍ନିଧୢ ଓ ତେଲ-ଲୁଣ ସ˚ସାରର କୋଳାହଳରେ କଟି ଯାଉଥିବା ଜୀବନର ସାଧାରଣତ୍ବରୁ ନିଜକୁ ଅଲଗା କରି ଯେଉଁ ସ୍ବଳ୍ପ ସଂଖ୍ୟକ ମଣିଷ ନିଜର କାମ, ନିଷ୍ଠା ଓ ସ୍ବପ୍ନ ଆଧାରରେ ଅସାଧାରଣ ହୋଇ ଉଠିଥାଆନ୍ତି, ସେହିମାନଙ୍କ ମଧ୍ୟରେ ଜଣେ ଥିଲେ ଆମ ସମୁଦି ଅଜିତ୍‌ ଦାସ।

ଅଜିତ୍‌ ବାବୁ ଥିଲେ ଏକାଧାରରେ ଜଣେ ସୁପରିଚିତ ଅଭିନେତା, ନାଟ୍ୟକାର ଓ ନାଟ୍ୟଗୁରୁ। ବଣ ଜଙ୍ଗଲ ଘେରା କରଞ୍ଜିଆର ଏକ ସ୍ବଚ୍ଛଳ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରି ନିଜ ଗାଁ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଶିକ୍ଷା ସମାପ୍ତ କରି ଦିଲ୍ଲୀ ଜାତୀୟ ଡ୍ରାମା ବିଦ୍ୟାଳୟରୁ ଅଭିନୟ ଶିକ୍ଷା ସମାପ୍ତ କରିଥିଲେ। ଅନେକ ଓଡ଼ିଆ ସିନେମାରେ ଅଭିନୟ କରି ସେ ବନିଗଲେ ଓଡ଼ିଆ ସିନେମା ଜଗତର ‘‘ହାକିମ ବାବୁ’’। ସେ ଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ରବତ୍ସଳ ଓ ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧେୟ ଓ ସମ୍ମାନାସ୍ପଦ ଅଧୢାପକ ଏବ˚ ଅଧୢକ୍ଷ। ନାଟ୍ୟସ˚ସ୍ଥା ‘ଅଜିତ୍‌’ ସୃଷ୍ଟି କରି ପରିବେଷଣ କରିଥିଲେ ଅନେକ କାଳଜୟୀ ଓଡ଼ିଆ ଗଳ୍ପ ଓ ଉପନ୍ୟାସର ନାଟ୍ୟ ରୂପ ଯହିଁରେ ତାଙ୍କ ଅଭିନୟ ଓ ନାଟ୍ୟ ନିର୍ଦ୍ଦେଶନାର ପ୍ରତିଭା ଦର୍ଶକମାନଙ୍କୁ ଝଲସାଇ ଦେଇଥିଲା। ହୃଦୟର ପ୍ରବୃତ୍ତିକୁ ବୃତ୍ତି କରି ଓଡ଼ିଶାର କଳା ଜଗତ୍‌ରେ ସେ ପାଇଥିଲେ ଏକ ସ୍ବତନ୍ତ୍ର ପରିଚୟ।

ମନେପଡ଼େ। ଥରେ ଆମ ଦୁଇ ପରିବାର ଯାଇଥିଲୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ। ଦର୍ଶନ ସାରି ଫେରିଲା ବେଳକୁ ମନ୍ଦିର ବାହାରେ ଦେଖିଲି ଜଣେ ଆଦିବାସୀ ବୁଢ଼ୀ ଅଜିତ୍‌ ବାବୁଙ୍କୁ ଚିହ୍ନି ପକେଇ ଖୁସିରେ କ’ଣ ଗପି ଚାଲିଚି। ବୁଢ଼ୀର ନାତିନାତୁଣୀ ଅଜିତ୍‌ ବାବୁଙ୍କ ଅଟୋଗ୍ରାଫ ନେଲେ। ବୁଝି ପାରିଲି ଓଡ଼ିଶାର ଜନଜୀବନରେ ଅଜିତ୍‌ ବାବୁଙ୍କ ପରିଚୟ କେତେ ଗଭୀର। ଅଗଣିତ ଲୋକଙ୍କ ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ସତେ ଯେପରି ରୂପ ପାଇଥିଲା ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ସରକାରଙ୍କ ଗାର୍ଡ ଅଫ୍‌ ଅନର ଦେବା ନିଷ୍ପତ୍ତିରେ।

ତାଙ୍କ ମା’ଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର, ତାଙ୍କ ବଡ଼ ପରିବାରର ମା’, ଭାଇଭାଉଜ ଓ ପିଲାମାନଙ୍କ ସହ କରଞ୍ଜିଆ ଘରେ ରହଣି, କରଞ୍ଜିଆ ଦେଖା, ହସଖୁସି ସବୁ କିଛି ସାଇତା ହୋଇ ରହିଛି ଜୀବନର ଅଭୁଲା ସ୍ମୃତି ହୋଇ। ଠିକ୍‌ ସେହିଭଳି ସଜଳ ରହିଛି ରବୀନ୍ଦ୍ର ମଣ୍ତପରେ ତାଙ୍କ ଉପସ୍ଥାପିତ ନାଟକ ଉପଭୋଗ କରିବା ଓ ତାଙ୍କ ପରିବାର ସହ ବିତେଇଥିବା ଅନେକ ଅମୃତ ମୁହୂର୍ତ୍ତର ସ୍ମୃତି।

ମୁଁ ପଦାର୍ଥ ବିଜ୍ଞାନର ଅଧୢାପକ। ତେଣୁ ମତେ ବେଳେବେଳେ କେହି କେହି ପଚାରନ୍ତି, ‘ଆପଣ ଜଣେ ସିନେମା କଳାକାରଙ୍କ ଘରେ ବନ୍ଧୁ ବାନ୍ଧିଲେ କେମିତି?’ ସେତିକି ବେଳେ ମୋ’ର ସରଳ ଉତ୍ତରଟି ଥାଏ, ‘ସେ ଦୁଇଜଣ- ଅଜିତ୍‌ ବାବୁ ଓ ମାୟାଦେବୀ- ଉଭୟ କଳାକାର, କଳାପ୍ରେମୀ, ଶିକ୍ଷକ ଓ ଶିକ୍ଷାନୁରାଗୀ। ତେଣୁ ସ୍ବଭାବତଃ ସୃଜନଶୀଳ ଓ ସୃଜନପ୍ରେମୀ; ବିରୋଧାଭାସ ରହିଲା କେଉଁଠି!’

ସୁନ୍ଦର ଚେହେରା, ଗମ୍ଭୀର ସ୍ବର ଓ ରୁଚିପୂର୍ଣ୍ଣ ବ୍ୟବହାର ତାଙ୍କ ବ୍ୟକ୍ତିତ୍ବକୁ କରିଥିଲା ଅନନ୍ୟ। ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କ ଜନ୍ମମାଟି କରଞ୍ଜିଆ ସହିତ ତାଙ୍କୁ ଝୁରୁଛି ଶହ ଶହ କଳାପ୍ରେମୀ ତଥା ଛାତ୍ରଛାତ୍ରୀଙ୍କ ପ୍ରାଣ, ସଖା ସହୋଦରଙ୍କ ବ୍ୟଥିତ ମନ। କାହାରିକୁ ସେବା-ଶୁଶ୍ରୂଷାର ସୁଯୋଗ ନ ଦେଇ ମାୟାଙ୍କ ମାୟା ଓ ସନ୍ତାନସନ୍ତତିଙ୍କ ସ୍ନେହର ଡୋରି କାଟି ସେ ଅନନ୍ତ ପଥର ଯାତ୍ରୀ ହୋଇଗଲେ। ଏତିକି ବେଳେ ନିୟତିର ନିଷ୍ପତ୍ତିକୁ ମୁଣ୍ତପାତି ସହିନବା ଛଡ଼ା ଆଉ ଗତ୍ୟନ୍ତର ନାହିଁ। ବେଳେ ବେଳେ ମନ ବିଳପି ଉଠୁଛି ଓ ପଚାରୁଛି ‘କ’ଣ ଥିଲା ତରତର ହୋଇ ଅଜଣା ରାଜ୍ୟକୁ ଫେରିଯିବାର କାରଣ! ସ୍ନେହମୟୀ ମା’ ଓ ସାନଭାଇ ସହ ଖୁସିରେ ସମୟ କାଟିବାର ଆକର୍ଷଣ ନା ବିଜୟ ମିଶ୍ର, ବିଜୟ ମହାନ୍ତିଙ୍କ ଭଳି ସତୀର୍ଥଙ୍କ ସହ ମିଶି ଦେବ-ମଣ୍ତପରେ, ନାଟକ ମଞ୍ଚସ୍ଥ କରିବାର ନିମନ୍ତ୍ରଣ! ଉତ୍ତର ନ ଥିବା ପ୍ରଶ୍ନ ଘେରରେ ଛନ୍ଦି ହୋଇ ଶୋକାର୍ତ୍ତ ମନ କହିଚାଲିଛି, ଏମିତି କ’ଣ କିଏ ଯାଏ? ଆପଣ କାହାକୁ କିଛି ନ କହି ଯେଭଳି ଚୁପ୍‌ଚାପ୍‌ ଚାଲିଗଲେ, କିଛି ଭଲ କଲେ ନାହିଁ!’

ବାୟା ନିବାସ, ଶ୍ରୀବିହାର, ପଟିଆ

ସମ୍ବନ୍ଧିତ ଖବର