କୋଭିଡ୍‌ କାଳ : ଆଶାକର୍ମୀଙ୍କ ସୁରକ୍ଷା ଚିନ୍ତା

ଦର୍ପଣ

କୋଭିଡ୍ ମହାମାରୀ ପ୍ରଥମ ଥର ପାଇଁ ଭାରତରେ ସ୍ବାସ୍ଥ୍ୟକର୍ମୀଙ୍କ ଗୁରୁତ୍ବକୁ ହୃଦୟଙ୍ଗମ କରାଇଛି। ଏହି କାରଣରୁ ଦେଶର ଡାକ୍ତର ଓ ନର୍ସମାନଙ୍କୁ କୋଭିଡ୍ ଵାରିଅର୍ ଆଖ୍ୟା ଦିଆଯାଇ ସେମାନଙ୍କୁ ବିଭିନ୍ନ ଉପାୟରେ ସମ୍ମାନିତ ଓ ଉତ୍ସାହିତ କରାଯାଉଛି। କିନ୍ତୁ ତୃଣମୂଳ ସ୍ତରରେ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଆଶାକର୍ମୀଙ୍କୁ ଏ ଯାଏଁ ଉଚିତ ଗୁରୁତ୍ବ ମିଳୁ ନ ଥିବା ଦର୍ଶାଉଛି ‘ଓକ୍ସପାନ୍ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ।

ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର ଓ ଛତିଶଗଡ଼ ରାଜ୍ୟର ଆଶାକର୍ମୀଙ୍କୁ ନେଇ ହୋଇଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ମାତ୍ର ୨୩%ଙ୍କୁ କୋଭିଡ୍‍ ସଂକ୍ରମଣରୁ ରକ୍ଷା କରିବା ପାଇଁ ବଡି ସୁଟ୍ ପ୍ରଦାନ କରାଯାଇଛି। ୬୨%ଙ୍କୁ ଗ୍ଲୋଭ୍ ଓ ୭୫%ଙ୍କୁ ମାସ୍କ ମିଳିଛି। ସେହିପରି ପିପିଇର ସଠିକ ବ୍ୟବହାର ଓ ସଂକ୍ରମଣ ନିୟନ୍ତ୍ରଣ ସମ୍ପର୍କରେ ପ୍ରଶିକ୍ଷଣ ପାଇଛନ୍ତି ମାତ୍ର ୭୬%। ଆଶାକର୍ମୀମାନେ ଘର ଘର ବୁଲି ଲୌହସାର ବଟିକା ବାଣ୍ଟିବା, ନବଜାତ ଓ ଗର୍ଭବତୀଙ୍କ ଟିକାକରଣ ନେଇ ତଦାରଖ କରିବା, ନିୟମିତ ଭାବେ ଟିବି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥାନ୍ତି। ଏସବୁ ନିୟମିତ କାର୍ଯ୍ୟ ସହିତ ବର୍ତ୍ତମାନ ତାଙ୍କୁ କୋଭିଡ୍‍ର କଣ୍ଟାକ୍ଟ ଟ୍ରେସିଂ, ମହାମାରୀ ସମ୍ବନ୍ଧରେ ସଚେତନତା ସୃଷ୍ଟି, ଫେରନ୍ତା ପ୍ରବାସୀ ଶ୍ରମିକ କ୍ବାରେଣ୍ଟିନ୍ ନିୟମ ପାଳନ କରୁଥିବା ନେଇ ତଦାରଖ କରିବା ଭଳି ଅତିରିକ୍ତ କାର୍ଯ୍ୟ ତୁଲାଇବାକୁ ପଡୁଛି। ସର୍ବେକ୍ଷଣରେ ଭାଗ ନେଇଥିବା ୨୯% ଆଶାକର୍ମୀ ପ୍ରତିଦିନ ଆଠ ଘଣ୍ଟାରୁ ଅଧିକ କାଳ ଏବଂ ୪୨% ୬-୮ ଘଣ୍ଟା କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି। ଏଭଳି ସ୍ଥିତି ସେମାନଙ୍କ ଲାଗି କୋଭିଡ୍ ଭୂତାଣୁ ଦ୍ବାରା ସଂକ୍ରମିତ ହେବାର ଆଶଙ୍କାକୁ ବୃଦ୍ଧି କରିଛି। ତେବେ ଏହି ପରିପ୍ରେକ୍ଷୀରେ କୋଭିଡ୍ ପାଇଁ ଅତିରିକ୍ତ କାର୍ଯ୍ୟ ସକାଶେ ୬୪%ଙ୍କୁ କୌଣସି ପାରିତୋଷିକ ଦିଆନଯିବା ଏକ ବଡ଼ ବିଡ଼ମ୍ବନା। ଜାତୀୟ ସ୍ବାସ୍ଥ୍ୟ ସେବାର ମୂଳଦୁଆକୁ ସୁଦୃଢ଼ କରୁଥିବା ଆଶାକର୍ମୀଙ୍କୁ ମୌଳିକ ସୁରକ୍ଷା ଉପକରଣ ଯୋଗାଇ ଦେବାର ଅସାମର୍ଥ୍ୟ ଭାରତୀୟ ସ୍ବାସ୍ଥ୍ୟ ସେବାର ଏକ ଦୁର୍ବଳ ଦିଗକୁ ଉଜାଗର କରୁଛି।

ସମ୍ବନ୍ଧିତ ଖବର