ମୋ’ ବନ୍ଧୁ, ବାଉରୀବନ୍ଧୁ!

ଶ୍ରଦ୍ଧାଞ୍ଜଳି - ଦାଶ ବେନହୁର

କିଏ ହୁଏ ତ ବାଉରୀବନ୍ଧୁ, ବାଉରୀବନ୍ଧୁ ବାବୁ ବା ପ୍ରଫେସର କର କହୁଥିବେ ମାତ୍ର ଆମେ ସାଙ୍ଗମାନେ ଡାକୁ ‘‘ବାଉରୀ’’। ଆଜି ଅବର୍ତ୍ତମାନରେ ଦିବ˚ଗତ ଆତ୍ମାକୁ ସମ୍ମାନ ଜଣେଇ ଲେଖୁଛି, ‘‘ମୋ’ ବନ୍ଧୁ, ବାଉରୀବନ୍ଧୁ’’। କିନ୍ତୁ ପ୍ରକୃତରେ ସେ ‘‘ମୋ’ ବାଉରୀ’’, ‘‘ଆମ ବାଉରୀ’’।

ଆଜି ସେ ନାହିଁ। ପାଟି ଫିଟେଇଲେ ବଡ଼ ପାଟି କରେ। ଆଉ କିଏ କହିବ, ‘‘ଜିତ କ’ଣ କହ’’! ସରିଗଲା ପାଟି। ହଜିଗଲା ଦେହ। ସେ କିନ୍ତୁ ଛାଡ଼ିଯାଇଛି ଅସ˚ଖ୍ୟ ଅକ୍ଷର କୀର୍ତ୍ତି। ସାଧୁ ଗୌଡ଼େଶ୍ବର କଲେଜ, ମଙ୍ଗଳପୁର; ଧରଣୀଧର କଲେଜ, କେନ୍ଦୁଝର; ଭଦ୍ରକ କଲେଜ, ଭଦ୍ରକ; ରେଭେନ୍‌ସା କଲେଜ, କଟକ ହେଇ ସେ ଯାଇଥିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭଞ୍ଜବିହାର। ସେଠାରେ ଦୀର୍ଘ ପଚିଶ ବର୍ଷକାଳ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ପ୍ରଫେସର୍ ଭାବେ ପାଠ ପଢ଼େଇ, ଗବେଷଣା କରି, ପ୍ରଶାସନିକ ଦାୟିତ୍ବ ମୁଣ୍ତେଇ ଅବସର ନେଇଥିଲା ମାତ୍ର ଆଠ ବର୍ଷ ତଳେ।

ପାଠ ପଢ଼ିଲା ଦିନୁ ସେ ସାହିତ୍ୟ ସହ ଥିଲା। ମୁଣ୍ତରେ ଅମାପ ବୁଦ୍ଧି, ମନେ ରଖିବାର ଅକଳନ୍ତି ଶକ୍ତି ମାତ୍ର ସହଜରେ ସେ ଫିଟିପଡ଼େ। ଅତି ଛୋଟ ଦିନୁ ବାପାଙ୍କୁ ହରେଇ ଥିଲା, ସେଇଥିପାଇଁ କଥାକଥାକେ ବୋଉ, ନନା ହୁଏ। ନନା, ଶ୍ରୀ ସୌରୀବନ୍ଧୁ କର। ଏଇ ବର୍ଷ ଏପ୍ରିଲ୍‌ରେ ହିଁ ସ˚ସାର ଛାଡ଼ିଛନ୍ତି ସେ। ବାଉରୀବନ୍ଧୁଠାରୁ ମାତ୍ର ତିନିବର୍ଷ ବଡ଼, ହେଲେ ବାପଠାରୁ ଅଧିକ।

ନରସି˚ହ କଲେଜ, ଯାଜପୁରରେ ପଢ଼ିଲାବେଳେ ତା’ଭିତରୁ ସାହିତ୍ୟ ମଞ୍ଜିଟିକୁ ଉଖୁରେଇ ବାହାର କରିଥିଲେ ସେତେବେଳକାର କଲେଜ ଅଧୢକ୍ଷ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ। ବାଉରୀକୁ ଖୋଜିଲେ ସେ ସହଜେ ଧରା ଦିଏ, ଅଖୋଜାରେ ଅମାପ ଅଭିମାନ କରେ।

ନିଷ୍ଠାପର, ବନ୍ଧୁ-ବିଳାସୀ, ସାହିତ୍ୟରେ ଗଭୀର ଅନୁସନ୍ଧିତ୍ସୁ, ତତ୍ତ୍ବନିଷ୍ଠ ପ୍ରାବନ୍ଧିକ। ଜୀବନବୋଧରେ ସେ ରକ୍ଷଣଶୀଳ। ଧଳା ପିନ୍ଧେ, ନିରାମିଷ ଭୋଜନ କରେ। ଅକ୍ଷରଗୁଡ଼ିକ ମୁକ୍ତା ଭଳି। ଇଣ୍ତିଆନ୍‌ ଇଙ୍କ୍‌ ବା ପୂରା କଳାରଙ୍ଗର ସ୍ୟାହି ତା’ର ସବୁଠାରୁ ଅଧିକ ପସନ୍ଦ। ଧଳାରଙ୍ଗୀ କଲମଟିଏ ଖୋସିବା ତା’ର ସଉକ୍‌। ଚମତ୍କାର ରୋଷେଇ କରି ଜାଣେ। ନିଜେ ମାଛ, ମା˚ସ, ଚିଙ୍ଗୁଡ଼ି, କଙ୍କଡ଼ା ଖାଏନି ମାତ୍ର ପ୍ରିୟ ବନ୍ଧୁଟିଏ ପାଇଲେ ନିଜେ ରୋଷେଇ କରି ଖୁଆଇବାରେ କି ଆନନ୍ଦ ତା’ର!

ବାଉରୀର ସର୍ବଶ୍ରେଷ୍ଠ ପ୍ରିୟ ଖାଦ୍ୟ ଥିଲା ‘ଫ୍ରୁଟ୍‌ ସାଲାଡ୍‌’’।

ଅଭିଲା କଥା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିଲା ବେଳେ କାହୁଁ ଗୋଟିଏ ବିଲାତି କୁକୁର ଆଣି ପାଳିଥିଲା। ଦୁଧ ପରି ଧଳା। ତା’ ଭଲମନ୍ଦରେ ଲୁହ ଝରାଏ ସେ। ମରିଗଲା ପରେ ବିଚରା ସାତ ଦିନ ଯାଏ ଖାଇ ପାରିଲାନି। ମୋ ଜାଣିବାରେ କୁକୁରଟିଏ ଥିବା ଯାଏ ସହଧର୍ମିଣୀ ଲିଲି, ଝିଅ ଝିଲ୍ଲୀ ଓ ପୁଅ ଲୁନା ଠାରୁ ସେ ଗୃହପାଳିତ ଜୀବଟି ଥିଲା ତା’ର ସବୁଠାରୁ ଅଧିକ ଅତି ଆପଣାର। ପକେଟ୍‌ରେ କୁକୁରର ଫଟୋଟିଏ ରଖିଥାଏ ସେ। ବାହାରକୁ ଆସିଥିଲେ ଦଉଡ଼ିଯାଏ ଘରକୁ, ଖାସ୍‌ ସେଇ ପ୍ରାଣୀଟି ଲାଗି। ଭୁବନେଶ୍ବରରୁ କାମ ସାରି ରାତାରାତି ତା’ପାଇଁ ହିଁ ଫେରିଯାଏ।

ଅଦ୍‌ଭୁତ ଥିଲା ବାଉରୀ। ଗାଳି ଶୁଣେ; ଭଲ ପାଏ। ନିନ୍ଦା ପାଏ; ହସି ଦିଏ। ରକ୍ଷଣଶୀଳ ମନୋଭାବ ଯୋଗୁଁ ଅନେକ ଆଧୁନିକ କଥା ସେ ସହିପାରେନା, ବଡ଼ପାଟିରେ ସମାଲୋଚନା କରିଦିଏ। ମାତ୍ର ବନ୍ଧୁ ଭାବରେ ମୁଁ ଜାଣେ ବାଉରୀ, କ୍ଷମାଶୀଳତାର ମହାଦ୍ରୁମଟିଏ। କ’ଣ କହିଦିଏ, ତା’ର ତଉଲ କରିପାରେନା।

ପି.ଏଚ୍‌.ଡି ସନ୍ଦର୍ଭକୁ ଜାଣିଶୁଣି ତା’ର ଜଣେ ଶିକ୍ଷକ ବାଟ ଓଗାଳିଦେଲେ। କାରଣ ଶିକ୍ଷକଜଣକ ମାର୍ଗଦର୍ଶକଙ୍କ ସହ ଅପଡ଼ିଆ। ସେତେବେଳେ ଆମେ ଭଦ୍ରକ କଲେଜରେ ଏକାଠି ଥାଉ। କି ପ୍ରତିକ୍ରିୟା ବାଉରୀର! ଆମେ ସାଙ୍ଗମାନେ ବି ସେ ଶିକ୍ଷକଙ୍କ ପ୍ରତି ତା’ରି କାରଣରୁ ବୈରଭାବ ପୋଷଣ କଲୁ। ବାଉରୀକୁ ହଇରାଣ କରିଥିଲେ ବୋଲି ଆମେ ତାଙ୍କୁ ଦେଖିଲେ ଦୂରେଇ ରହୁ। ଅଥଚ କିଛିଦିନ ପରେ ଦେଖିବା ବେଳକୁ ବାଉରୀ ତାଙ୍କୁ ମୁଣ୍ତେଇ ବାଟ ଚାଲୁଛି। ଉତ୍ତର ଦେଲା, ‘‘ଯେତେ ଯାହା ହେଲେ ମୋ ଶିକ୍ଷକ ସେ।’’

ବାଉରୀ ଚାଲିଗଲା। ଓଡ଼ିଆ ଜାତି ହରେଇଦେଲା ଜଣେ ନିଷ୍ଠାପର ପ୍ରାବନ୍ଧିକକୁ। କେତେ ଲୁଚିଯାଇଥିବା ତଥ୍ୟ ସେ ଆଣିଛି ବାହାରକୁ। କେତେ ସାହିତ୍ୟିକଙ୍କୁ ଉପରକୁ ଆଣି ଆଲୋଚନାର ଆଲୁଅ ଢାଳିଚି। ନିଜ ଆତ୍ମଜୀବନୀ ଲେଖିଛି। ଓଡ଼ିଆ ସାହିତ୍ୟର ଏକ ପ୍ରାମାଣିକ ବିରାଟ ଇତିହାସ ଲେଖି ଛାପିଛି। କେତେ ହଜିଯାଇଥିବା ଗ୍ରନ୍ଥ, ପାଣ୍ତୁଲିପି ବୁଲି ବୁଲି ଖୋଜି ପାଇଛି। ଅକୃତ୍ରିମ ସାହିତ୍ୟ ସାଧକ ବାଉରୀ। ବାଉରୀବନ୍ଧୁ କର।

ତା’ଘର ଖଣ୍ତିତର, ଯାଜପୁର ଜିଲ୍ଲାର କୁଆଖିଆ ପାଖରେ। ଗାଆଁକୁ ନେଇ ଗର୍ବ। କହେ, ଖଣ୍ତିତର ସବୁଠାରୁ ପୁରୁଣା ଗାଆଁ ଯେଉଁଠି ଖ୍ରୀଷ୍ଟିଆନ୍‌ ମିସନାରୀମାନେ ଓଡ଼ିଶାରେ ପହଞ୍ଚିଥିଲେ ପ୍ରଥମେ।

ମୋର ପ୍ରଥମ ରାଜନୈତିକ ପ୍ରବନ୍ଧ ନିଜର ମୁକ୍ତାକ୍ଷରରେ ଉତାରି ବାଉରୀ ହିଁ ପଠେଇଥିଲା ‘‘ଆସନ୍ତା କାଲି’’। ମୋ ଗଳ୍ପ ଆଣି ‘ମାନସ’ ପତ୍ରିକାରେ ସେ ହିଁ ବାହାର କରିଥିଲା। ଆମେ ସାହିତ୍ୟ-ଦାଣ୍ତକୁ ବାହାରିଲା ବେଳକୁ ସେ ସାହିତ୍ୟ-ଦାଣ୍ଡର ଚକୁଳିଆ ପଣ୍ତା ସାଜି ସାରିଥିଲା।

ଅଦ୍‌ଭୁତ ବକ୍ତୃତା-ଶକ୍ତି, ଅସରନ୍ତି ସ୍ନେହଶୀଳ।

ଆରପାରିରେ ମୋ’ ବାଉରୀ ସୁଖରେ ରହୁ। ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।

[email protected]

ସମ୍ବନ୍ଧିତ ଖବର